Tuesday, January 28, 2025

ମୌଳିକ ଓଡ଼ିଆ ଶବ୍ଦଗୁଡ଼ିକୁ ମହତ୍ତ୍ଵ ଦିଆଯାଉ

ଜଣେ କହୁଥିଲେ ଶବ୍ଦ ଵିଶେଷକୁ ମହତ୍ତ୍ଵ ଦେଇ କି ଲାଭ ? ଗୋଟିଏ ଦୁଇଟି ଓଡ଼ିଆ ଶବ୍ଦ ମରିଗଲେ ମରିଯାଉ ଆମ ପାଖରେ କ'ଣ ଶବ୍ଦର ଅଭାଵ ଅଛି ? 

ବୋଧହୁଏ ସେ ବାବୁ ଶବ୍ଦଗୁଡ଼ିକୁ ତୁଚ୍ଛ ମନେ କରୁଥାଇପାରନ୍ତି କିନ୍ତୁ ପୃଥିଵୀର ପ୍ରତ୍ୟେକ ଶବ୍ଦ ମହତ୍ତ୍ୱପୂର୍ଣ୍ଣ। ସଂସ୍କୃତି ମରିଗଲେ ବି ଭାଷା ବଞ୍ଚିରହେ । ପାରସ୍ୟ ଦେଶର ଲୋକେ ସେମାନଙ୍କ ମୂଳ ସଂସ୍କୃତି ପରମ୍ପରାକୁ ଛାଡ଼ି ପଠାଣ ହୋଇଯାଇଛନ୍ତି ତଥାପି ପାରସ୍ୟ ଦେଶରେ ପ୍ରାଚୀନ କାଳରୁ ପ୍ରଚଳିତ ପାର୍ସୀ ଭାଷା ଏବେ ବି ବଞ୍ଚି ରହିଛି । ସେହିପରି ଗୋଟିଏ ଭାଷା ମରିଗଲେ ବି ତହିଁରେ ପ୍ରଚଳିତ ଏକ ଵା ଏକାଧିକ ଶବ୍ଦ ଅନ୍ୟ ଭାଷାରେ ବଞ୍ଚିରହିପାରେ । ଉଦାହରଣ ସ୍ୱରୂପ ଅଷ୍ଟ୍ରେଲିଆର ଜନଜାତୀୟ ଭାଷା Guugu Yimidhirr ଆଜି ଲୁପ୍ତପ୍ରାୟ କିନ୍ତୁ ଏ ଭାଷାର କଙ୍ଗାରୁ ଶବ୍ଦ ସାରା ଵିଶ୍ଵଵାସୀ ଆପଣା ଭାଷାରେ ଗ୍ରହଣ କରିଛନ୍ତି । ପୁଣି ଊନବିଂଶ ଓ ବିଂଶ ଶତାବ୍ଦୀ ମଧ୍ୟରେ ଲୋପ ପାଇଥିଵା ଅଷ୍ଟ୍ରେଲୀୟ ଜନଜାତୀୟ Dharug ଭାଷାର bumariny ଶବ୍ଦରୁ boomerang ଶବ୍ଦ ସୃଷ୍ଟି ହୋଇଥିଲା ଯାହା ଆଜି ବି ଅନେକ ଭାଷାରେ ଚଳୁଅଛି।‌ 

ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ(West Indies)ରେ 
Taíno ନାମରେ ଏକ ଭାଷା ଆଜକୁ ଚାରି ପାଞ୍ଚ ଶହ ଵର୍ଷ ତଳେ ବୋଲାଯାଉଥିଲା । ୟୁରୋପୀୟମାନଙ୍କ ଦ୍ଵାରା ଯୋଜନାବଦ୍ଧ ଭାବରେ ସ୍ଥାନୀୟ ମୂଳନିଵାସୀମାନଙ୍କର ହତ୍ୟା ଓ ସେମାନଙ୍କ ଉପରେ ପର୍ତ୍ତୁଗୀଜ୍,ଇଂରାଜୀ, ଫରାସୀ ଓ ସ୍ପାନିଶ ଆଦି ଭାଷା ଯୋର କରି ଲଦାଯିଵା ଯୋଗୁଁ Taíno ଭାଷା ଲୋପ ପାଇଗଲା । କିନ୍ତୁ ଗଲାବେଳେ Taíno ଭାଷା ସଂସାରକୁ ଦେଇଯାଇଛି barbecue, caiman, canoe, cassava, cay, guava, hammock, hurricane, hutia, iguana, macana, maize, manatee, mangrove, maroon, potato, savanna ଓ tobacco ଭଳି କିଛି ମୂଳ ଜନଜାତୀୟ ଶବ୍ଦ । 

ସେହିଭଳି ଅଳ୍ପ ଲୋକଙ୍କ ଦ୍ୱାରା କଥିତ ତଥା ସୀମିତ ଅଞ୍ଚଳରେ ପ୍ରଚଳିତ ଭାଷା ଵିଶେଷର ଏକ ଵା ଏକାଧିକ ଶବ୍ଦ ସାରା ଵିଶ୍ଵରେ ମଧ୍ୟ ଚଳୁଥିଵାର ଅନେକ ଉଦାହରଣ ରହିଛି । ଆଙ୍ଗୋଲାରେ Bantu ଭାଷା‌ Kiviliର ci-mpenzi ଇଂରାଜୀ ଭାଷାରେ ଆସି chimpanzee ହୋଇ ଚଳିଲା ଓ ପରେ ଓଡ଼ିଆ ଭାଷାରେ ଏହି ଶବ୍ଦଟି ସିମ୍ପାଜି ହୋଇଅଛି । ଭାରତରୁ ମଧ୍ୟ ଶତାଧିକ ଶବ୍ଦ ଯାଇ ସାରା ଵିଶ୍ଵର ଵିଭିନ୍ନ ଭାଷାରେ ଚଳୁଅଛି। ଉଦାହରଣ ସ୍ୱରୂପ ସଂସ୍କୃତ ବାତିଙ୍ଗଣ ଶବ୍ଦରୁ Brinjal,ଚିତ୍ରସ ଓ ଚିତା ଶବ୍ଦରୁ cheetah ଶବ୍ଦ ସୃଷ୍ଟି ହୋଇଛି । ଶୃଗାଳ ଶବ୍ଦଟି ପାର୍ସୀରେ شغال (shaghal) ଓ ତୁର୍କଭାଷାରେ çakal ହୋଇ ଶେଷରେ ଇଂରାଜୀ ଭାଷାରେ ଯାଇ Jackal ହୋଇଅଛି।‌ ଓଡ଼ିଆ ଜଗନ୍ନାଥ ଶବ୍ଦ ଇଂରାଜୀ ଭାଷାରେ ଯାଇ Juggernaut ହୋଇଛି। ମୂଲ୍ୟଵାନ ପଥର Opalର ଇଂରାଜୀ ନାମଟି ଏହାର ସଂସ୍କୃତ ନାମ ଉପଳରୁ ନିଆଯାଇଛି । pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି।‌ ତେଣୁ ସମ୍ଭଵତଃ ଶବ୍ଦର ଶକ୍ତିକୁ ଅନୁଭଵ କରି ଆମ ପୂର୍ଵଜ ଶବ୍ଦକୁ ବ୍ରହ୍ମ ସହିତ ତୁଳନା କରିଥିବେ ।  

ଶବ୍ଦ ଵାକ୍ୟର ଅଙ୍ଗ; ଵାକ୍ୟ ଶବ୍ଦର ଶରୀର ଆଉ ଅନେକ ଶବ୍ଦର ସମାହାର ଓ ତହିଁର ଵ୍ୟଵହାର ସ୍ଵାତନ୍ତ୍ର୍ୟ ଭିତ୍ତିରେ ଗୋଟିଏ ଗୋଟିଏ ଭାଷା ଗଠିତ। ଯେମିତି ଏକ ଏକ ପ୍ରସ୍ତର ଵା ଇଷ୍ଟକ ଘେନି ଗୃହଟିଏ ନିର୍ମିତ ହୁଏ ଠିକ୍ ସେହିପରି ଏକ ଏକ ଶବ୍ଦ ଘେନି ଭାଷାଟିଏ ଗଠିତ ହୋଇଥାଏ ।‌ ଯେକୌଣସି ଭାଷାରେ ପ୍ରଚଳିତ ମୌଳିକ ଶବ୍ଦମାନ ଉକ୍ତ ଭାଷାର ଅମୂଲ୍ୟ ସମ୍ପଦ। ଗୋଟିଏ ଵୈଦେଶିକ ଶବ୍ଦ ଆଣି ଭାଷାରେ ମିଶାଇଲେ ସମାର୍ଥକ ଅନେକ ମୌଳିକ ଶବ୍ଦ ଅପ୍ରଚଳିତ ହୋଇ ମରି ହଜିଯାଏ । ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାରେ ଵୈଦେଶିକ ଖୋଜ୍ ଶବ୍ଦ ଆସି ମିଶିଯିଵାରୁ ଓଡ଼ିଆ ଭାଷାରେ ପୂର୍ଵେ ସମ ଅର୍ଥରେ ଵ୍ୟଵହାର ହେଉଥିଵା ଉଣ୍ଡିଵା ଓ ଡଗରାଇଵା ଭଳି ଶବ୍ଦ ଆଜି ହଜିଗଲାଣି । 

ଵୈଦେଶିକ ଵ୍ୟକ୍ତି ଓ ଧର୍ମସଂସ୍କୃତିର ପ୍ରଭାଵ ଗୋଟିଏ ଦେଶରେ ବଢ଼ିଗଲେ ଉକ୍ତ ଦେଶର ମୂଳ ସଂସ୍କୃତି ସଂହରି ଯାଏ ଵା ବଦଳି ଯାଏ । ତୁର୍କୀ,ଇରାକ ଓ ଇରାନ ଏହାର ପ୍ରମୁଖ ଉଦାହରଣ ।‌ ଵୈଦେଶିକ ଵୃକ୍ଷ ଅଧିକ ସଂଖ୍ୟକ ଲଗାଇଲେ ଦେଶୀୟ ଗଛଗୁଡ଼ିକର ବଂଶ ଲୋପ ପାଏ । ଆଜି ଆମ ଗାଆଁଗଣ୍ଡାରେ କାଜୁ,ପିଜୁଳି, ଅମୃତଭଣ୍ଡା ,ବଢ଼ିଆଳ ଓ ଆତ ଭଳି ଗଛର ପ୍ରାଦୁର୍ଭାଵ ବଢ଼ିଵା ଯୋଗୁଁ କ୍ଷୀରକୋଳି,ନଅରକୋଳି,ସାପଟା, କରମଙ୍ଗା,କେନ୍ଦୁ, ଡିମ୍ବିରି ଓ କୁସୁମ କୋଳି ପରି ଗଛ ଆଉ ସେତେ ଦେଖାଯାଏ ନାହିଁ। ସେହିପରି ଗୋଟିଏ ଭାଷାରେ କେଵଳ ଚମକ ସୃଷ୍ଟି ପାଇଁ ଦେଖେଇ ହେଵା ପାଇଁ ଜ୍ଞାନୀ ଓ ଆଧୁନିକ ମଣିଷ ବୋଲି ପରିଚିତ ହେଵା ପାଇଁ ଵୈଦେଶିକ ଶବ୍ଦ ପ୍ରୟୋଗ ମାତ୍ରାଧିକ ହୋଇଗଲେ ଉକ୍ତ ଭାଷାର କାୟା ହିଁ ପରିଵର୍ତ୍ତିତ ହୋଇଯାଏ,ମର୍ଫୋଲୋଜି ସଂହରିଯାଏ, ଭାଷା କଳୁଷିତ,ଅଶାସ୍ତ୍ରୀୟ ଓ ଅଵୈଜ୍ଞାନିକ ହୋଇଯାଏ । ତେଣୁ ଭାଷାପ୍ରେମୀ,ଭାଷାଵିତ ଓ ସାହିତ୍ୟିକମାନେ ମୌଳିକ ଓଡ଼ିଆ ଶବ୍ଦଗୁଡ଼ିକୁ ମହତ୍ତ୍ଵ ହେଵା ଉଚିତ୍ ଅନ୍ୟଥା ଓଡ଼ିଆ ଭାଷାର ମଧ୍ୟ ହିନ୍ଦୀ ପରି ଦୁର୍ଗତି ହୋଇଯିଵା ସାର ହେଵ ! 

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...