Wednesday, June 26, 2024
ଅହମ୍ ଅସ୍ମି ଓ İ am
Thursday, March 16, 2023
ଗୁଡ଼ି ଶବ୍ଦ ଓ ତାହାର ଵିଭିନ୍ନ ଅର୍ଥ
Saturday, April 9, 2022
ଆମ ଭାଷାର ଚକରଛେଇଣ୍ଡା ,ଚକରଛେଉଣ୍ଡ ଓ ଚକରଛେଣ୍ଡା ଶବ୍ଦର ସୃଷ୍ଟି ରହସ୍ୟ
Sunday, October 24, 2021
ଉହା,ଉହାଟ୍,ଉହାତ୍ ଓ ଉହାଏତ୍ ଶବ୍ଦ ଏକ ଆଲୋଚନା
ପଶ୍ଚିମ ଓଡ଼ିଶାରେ ଉହାଟ୍ ବୋଲି ଏକ ଵିଶେଷ୍ୟ ଶବ୍ଦ ପ୍ରଚଳିତ । ଏହା ଅନୁମାନ,ଅନୁଜ୍ଞାନ, ଉପସ୍ଥିତ ପରିସ୍ଥିତିରେ କାର୍ଯ କରିଵା ପାଇଁ ଵା ସମସ୍ୟାର ସମାଧାନ ପାଇଁ ହଠାତ୍ ଉତ୍ପନ୍ନ ଯୁକ୍ତିସଙ୍ଗତ ବୁଦ୍ଧି, ଦୂରଦୃଷ୍ଟି ,ଉଦ୍ଭାଵନ ଓ ପ୍ରତ୍ୟୁତ୍ପନ୍ନମତା ଆଦି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଏହାର ଏକ ରୂପ ଉହା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଅନୁମାନ ଅର୍ଥରେ ଚଳୁଅଛି ।
ଏହି ଉହାଟ୍ ଓ ଉହା’ର ତତ୍ସମ ଊହ ଓ ଊହା ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ସଂସ୍କୃତ ଭାଷାରେ ଊହ ଧାତୁରୁ ତର୍କଣା କରିଵା ,ଅନୁମାନ କରିଵା ଅର୍ଥରେ ଊହ ତଥା ଊହା ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହି ଊହ ଓ ଊହା ଶବ୍ଦ ସହିତ ଆମ ଉହା ତଥା ଉହାଟ୍ ଶବ୍ଦ ସମୋଦ୍ଧୃତ ।
ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ଊହ,ଊହା ଓ ଉହ ଶବ୍ଦ
ଵିତର୍କ,ଅନୁମାନ,ଯୁକ୍ତିଦ୍ବାରା ଦୁରୂହ ଵିଷୟର ନିର୍ଣ୍ଣୟ ଚେଷ୍ଠା, ଅନୁସନ୍ଧାନ, ଅଧ୍ଯାହାର , ଲୁପ୍ତଵାକ୍ଯ ଵା ପଦ ଅର୍ଥରେ ଵ୍ଯଵହାର ହୋଇଥାଏ । ଆମେ ଉହାପୋହ ଶବ୍ଦ ଵ୍ୟଵହାର କରିଥାନ୍ତି ଏଥିରେ ମଧ୍ୟ ସେହି ଊହା ଶବ୍ଦଟି ରହିଛି ।
ଆମ ଭାଷାରେ ଉହିଵା କ୍ରିୟା ମଧ୍ୟ ତର୍କିଵା,ଅନୁମାନ କରିଵା ଓ ଅଟକଳ କରିଵା ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ଊହା ଭଳି ଏକ ଅଳ୍ପ ଜଣାଶୁଣା ସଂସ୍କୃତ ଶବ୍ଦ ସହିତ ସମୋଦ୍ଧୃତ ଉହା ଓ ଉହାଟ୍ ଶବ୍ଦର ଆମ କଥିତ ଭାଷାଗୁଡି଼କରେ ଵ୍ୟଵହାର ସ୍ପଷ୍ଟ କରେ ଯେ ଆମ କଳିଙ୍ଗ ଦେଶର ଜନତା ପୂର୍ଵେ ସଂସ୍କୃତ ଭାଷାରେ କେତେ ଵିଦ୍ଵାନ ଥିଲେ ଏଵଂ ବେଳେବେଳେ ତ ଲାଗେ ସଂସ୍କୃତ ଭାଷା ବହୁତ ସମ୍ଭଵ ଏହି କଳିଙ୍ଗ ଦେଶର ଭାଷା ।
ଅଗସ୍ତି ରୂପ କଳିଙ୍ଗୀମାନେ ବୋଇତରେ ସଂସ୍କୃତ ଓ ପାଲୀ ଭାଷାକୁ ନେଇ ଦେଶ ଵିଦେଶରେ ପରିଚିତ ଓ ପ୍ରସିଦ୍ଧ କରିଥିଲେ ।
ଅଗସ୍ତି ଋଷିଙ୍କ କାହାଣୀ କହେ ଅଗସ୍ତି ସାରା ଵିଶ୍ଵର ସମୁଦ୍ର ଜଳକୁ ପାନ କରିଦେଇଥିଲେ ଲକ୍ଷଣାର୍ଥ ସମୁଦ୍ର ଯାତ୍ରା କରିଥିଲେ ,ସେ ଉତ୍ତର ଓ ଦକ୍ଷିଣ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଵା ଭାଷା ଭେଦଭାଵ ରୂପକ ବିନ୍ଧ୍ୟ ପର୍ଵତକୁ ନୁଆଁଇ ଦେଇଥିଲେ, ଜନ୍ମରୁ ଅଗସ୍ତି ଶୂଦ୍ର ଥିଲେ ନିଜ ଅଧ୍ୟଵସାୟ ଫଳରେ ବ୍ରହ୍ମତ୍ଵ ପ୍ରାପ୍ତ ହୋଇ କାଶି ଯାଇଥିଲେ ସେଠାକାର ବ୍ରାହ୍ମଣ ସମାଜ ତାଙ୍କୁ କେଣ୍ଟିକରି ବିନ୍ଧ୍ୟକୁ ନୁଆଁଇଵାକୁ କହିଥିଲେ,ଅଗସ୍ତି ଦକ୍ଷିଣ ଭାରତର ଆତାପି ବାତାପି ଭଳି ରାକ୍ଷସଙ୍କୁ ମାରି ଦେଇଥିଲେ । ଏସବୁ କାହାଣୀ ମଧ୍ୟରେ କଳଙ୍ଗୀମାନଙ୍କ ପ୍ରାଚୀନ କୀର୍ତ୍ତି ରହିଥିଵା ଅନୁଭଵ ହୁଏ । ପୂର୍ଵେ ଭାରତରେ ଆମ କଳିଙ୍ଗୀମାନଙ୍କୁ ଅନାର୍ଯ୍ୟଗଣଙ୍କ ମଧ୍ୟରେ ରଖାଯାଇଥିଲା ପରେ ପତିତ କ୍ଷତ୍ରୀୟ ଅଭିହିତ ହେଲେ ଏଠାକାର ସଂଖ୍ୟା ଗରିଷ୍ଠ ଉଡ୍ରଜାତି ।
କଥିତ ଓଡ଼ିଆରେ ଉହା ତଥା ଉହାଟ୍ ଵିଶେଷ୍ୟ ଶବ୍ଦ ଭଳି ଵ୍ୟଵହୃତ ହୋଇଥାଏ । ତେବେ ଉହାତ୍ ଓ ଉହାଏତ୍ ବୋଲି ଆଉ ଏକ ଶବ୍ଦ ମଧ୍ୟ ଗଡ଼ଜାତ ଓଡ଼ିଶାରେ ଵିଶେଷଣ ଶବ୍ଦ ଭାବରେ ଚଳୁଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଉଭୟ ଶବ୍ଦ ରହିଛି । ଭାଷାକୋଷରେ ଏହାର ଅର୍ଥ ଲେଖାଅଛି
କ) ବୃଥା; ପଣ୍ଡ
ଯଥା—
ଉହାଏତ୍ ଆଶା/ଉହାତ୍ ଆଶା = ଦୁରାଶା
ଉହାଏତ୍ ମେହେନତ୍/ଉହାତ୍ ମେହେନତ୍ = ପଣ୍ଡଶ୍ରମ—
ଉହାତ୍ ଓ ଉହାଏତ୍ ଶବ୍ଦ କ୍ରିୟା ଵିଶେଷଣ ଭାବେ ବୃଥାରେ ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।
ସମ୍ଭଵତଃ ଵିଶେଷଣ ରୂପେ ପ୍ରଚଳିତ ଉହାତ୍ ଓ ଉହାଏତ୍ ଶବ୍ଦଦ୍ଵୟ ତତ୍ସମ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ।
ଵ୍ୟର୍ଥ ଶବ୍ଦ ଵିଫଳ, ଵୃଥା,ପଣ୍ଡ,ନିଷ୍ପଳ,ନିଷ୍କ୍ରୟୋଜନ,ଲାଭହୀନ,ଅନର୍ଥକ ଓ ଅମୂଳକ ଅର୍ଥରେ ଵ୍ୟଵହାର ହୋଇଥାଏ ଏଵଂ ଓଡ଼ିଶାରେ ଏହାକୁ ଵିଅର୍ଥ ଓ ଵେର୍ଥ ରୂପେ ମଧ୍ୟ କଥିତ ଭାଷାରେ ପ୍ରୟୋଗ କରାଯାଏ ।
ଵ୍ୟର୍ଥ ଶବ୍ଦରେ ଅଵର୍ଗ୍ଯ ଵ ରହିଛି ଯାହା ସହଜରେ ସ୍ଵରଵର୍ଣ୍ଣ ଯଥା ଅ,ଆ,ଇ,ଉ ,ଏ ତଥା ଓ ରେ ପରିଵୃତ୍ତ ହୋଇଯାଏ(ଯଥା— ଦେଵ = ଦେଓ,ଦେଵୀ = ଦେଈ,ଦେଵକୁଳ = ଦେଉଳ ଇତ୍ୟାଦି) ।
ତେଣୁ ବହୁତ ସମ୍ଭଵ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ଉହାତ୍ ଓ ଉହାଏତ୍ କ୍ଷେତ୍ରରେ ଅଵର୍ଗ୍ଯ ଵ ଵର୍ଣ୍ଣ ଉ ରେ ପରିଵୃତ୍ତ ହୋଇଅଛି , ସେଥିରେ ଯୁକ୍ତ ଯ୍ୟ ଫଳା ଏ ରେ ପରିଵୃତ୍ତ ହୋଇଛି ଏଵଂ ମହାପ୍ରାଣ ଥ ଵର୍ଣ୍ଣ ଅଳ୍ପପ୍ରାଣ ତ ରେ ପରିଵୃତ୍ତ ହୋଇଛି ।
Monday, October 4, 2021
ଓଡ଼ିଆ ଭାଷାର ମାଣ ଶବ୍ଦ; ଏକ ଆଲୋଚନା
ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି ଶବ୍ଦ କାଳକ୍ରମେ ମାଣ ହୋଇଅଛି । କୋହ୍ଲ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଏହି ମାପ ପଦ୍ଧତି ସେମାନଙ୍କୁ ନିୟନ୍ତ୍ରିତ କରୁଥିଵା ରାଜା ମାଣଭଞ୍ଜ ତୋଷଳରେ ଲାଗୁ କରିଥିଲେ ବୋଲି ସେମାନଙ୍କ ମତ । ସେହି ରାଜାଙ୍କ ନାମ ମାନଭଞ୍ଜ ବି ହୋଇଥାଇପାରେ ଯାହାକୁ ମାଣଭଞ୍ଜ କୁହାଯାଉଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମାଣ ଶବ୍ଦଟି ମା ଧାତୁରୁ ନିଷ୍ପନ୍ନ ତତ୍ସମ 'ମାନ' ଶବ୍ଦର ଓଡ଼ିଆ ରୂପ ଅଟଇ ।
ଆମ ଭାଷାରେ ମାଣ ଶବ୍ଦର ଵ୍ୟଵହାର ଵ୍ଯାପକ ।
ପଚିଶ ଗୁଣ୍ଠ ପରିମିତ ଭୂମିକୁ ମାଣ କୁହାଯାଏ । ଏହି ମାପ ପଦ୍ଧତି ଅନୁସାରେ ୧ ବାଟି = ୨୦ ମାଣ, ୧ ମାଣ = ୨୫ ଗୁଣ୍ଠ, ୧ ଗୁଣ୍ଠ = ୧୬ ବିଶ୍ଵା ଅଟଇ । ଦୀର୍ଘ ୨ ପଦିକା ଓ ପ୍ରତି ୨ ପଦିକା ହେଲେ ଏକମାଣ ଭୂମି ହୁଏ, କିନ୍ତୁ ପଦିକାର ଲମ୍ବର ତାରତମ୍ଯ ଅନୁସାରେ ମାଣର ପରିମାଣର ତାରତମ୍ଯ ହୁଏ । ଉଦାହରଣ ସ୍ୱରୂପ
୨୪ ଦସ୍ତିଆ ମାଣ = ଏକ ଏକର = ପ୍ରାୟ ୨୩ ବିଘା; ବିଶି ଦସ୍ତିଆ, ଚଉଦ ଦସ୍ତିଆ ଓ ବାର ଦସ୍ତିଆ ଇତ୍ୟାଦି ମାଣ ଅଛି । ବାର ଦସ୍ତି ପଦିକାର ଏକ ମାଣର ପରମାଣ ହେଉଛି ୧/୪ ଏକର । ଚବିଶ ଦସ୍ତି ପଦିକାର ଲମ୍ବ = ୬ ହାତ ୧ କାଣି ଵା ୬ ହାତ ୨୨ ଆଙ୍ଗୁଳ । ମାଣର ସାଙ୍କେତିକ ଚିହ୍ନ 'ମା' ଭାବରେ ଚିହ୍ନିତ ହୋଇଥାଏ — ଯଥା—ଏକମାଣ ଜମି = ମା.୧ ।
ଦ୍ଵିତୀୟରେ ଏକ ଗଉଣୀର ୧୨ଭାଗର ଏକ ଭାଗ ଶସ୍ଯର ପରିମାଣ ଵିଶେଷକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ । ଶସ୍ୟ ମାପ ପଦ୍ଧତି ଅନୁସାରେ
ଏକ ଭରଣ = କୋଡ଼ିଏ ଗଉଣୀ
ଏକ ଗଉଣୀ = ବାର ମାଣ । ଗଉଣୀର ତାରତମ୍ଯ ଅନୁସାରେ ମାଣର ତାରତମ୍ଯ ହୋଇଥାଏ । କଟକୀ ଚାରି ସେରିଆ ଗଉଣୀର ମାଣ ହେଉଛି ୧/୩ ସେର । ଛଅ ସେରିଆ ଗଉଣୀର ମାଣ ୧/୨ ସେର । ତିନି ସେରିଆ ଗଉଣୀର ମାଣ = ୧/୪ ସେର ଇତ୍ୟାଦି ।
ଯେଉଁ ମାପପାତ୍ରରେ ମାଣେ ପରିମିତ ଶସ୍ଯାଦି ମପାଯାଏ ତାକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ ।
ଓଡ଼ିଆ ଭାଗଵତରେ ଭକ୍ତକଵି ଜଗନ୍ନାଥ ଦାସ ଏହି ଅର୍ଥରେ ମାଣ ଶବ୍ଦର ଵ୍ୟଵହାର କରି ଲେଖିଛନ୍ତି
“ଗୋପୀ ବୋଲନ୍ତି କୃଷ୍ଣ ଶୁଣ ।
ଘର ଭିତରୁ ମାଣ ଆଣ ॥”
ସେହିପରି କେଉଟମାନଙ୍କର ଚୁଡ଼ାକୁଟା ଢିଙ୍କିମୁଣ୍ଡାରେ ଥିଵା ଗର୍ତ୍ତ ଵା ଭରାଣ୍ଡିକୁ ବି ଓଡ଼ିଆ ଭାଷାରେ ମାଣ କୁହାଯାଏ ।
ଏକ ଜାତୀୟ ସାରୁକୁ ଆମ ଭାଷାରେ ମାଣ ଓ ମାଣସାରୁ କୁହାଯାଏ ତେବେ ଏହି ମାଣ ଶବ୍ଦଟି ତତ୍ସମ ମାନକ ସହିତ ସମୋଦ୍ଧୃତ ଅଟଇ । ଓଡ଼ିଶାର ଗଡ଼ଜାତରେ ଅଧସେର ଶସ୍ୟ ପରିମାଣକୁ ଏକ ମାଣ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏତଦ୍ଵ୍ୟତୀତ ୧ ବିଶା କିଂଵା ୧୨ ଵା ୧୫ ତୋଳା ଓଜନ ପରିମାପକୁ ମଧ୍ୟ ମାଣ ଵା ମାଣେ କୁହାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ ଓଡ଼ିଆ ମାଣ ଶବ୍ଦଟି ତତ୍ସମ ମାନ ଶବ୍ଦ ସହିତ ସମୋଦ୍ଧୃତ ମାତ୍ର ଏହା ଯୁକ୍ତିଯୁକ୍ତ କି ? ତତ୍ସମ ମାନ ଶବ୍ଦକୁ ନଜାଣିଲା ଯାଏଁ ଆମେ ଏହାର ଉତ୍ତର ପାଇପାରିଵା ନାହିଁ ।
ସଂସ୍କୃତରେ ଵ୍ୟଵହାର ହେଉଥିଵା ତତ୍ସମ ମାନ ଶବ୍ଦକୁ ମା ଧାତୁରୁ ମାପ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।
ମାନ ଶବ୍ଦଟି ତୁଳିଵା ଵା ଓଜନ କରିଵା,ମାପିଵା, ମାପ ଅର୍ଥରେ ଵ୍ୟଵହାର ହୋଇଥାଏ । ଚାନ୍ଦ୍ରମାନ, ସୌରମାନ ଓ ନାକ୍ଷତ୍ରମାନ ଇଦି ଶବ୍ଦରେ ମାନ ଶବ୍ଦର ଅର୍ଥ ଯାହା ଚନ୍ଦ୍ର ସମ୍ବନ୍ଧୀୟ ,ସୂର୍ଯ୍ୟ ସମ୍ବନ୍ଧୀୟ ଓ ନକ୍ଷତ୍ର ସମ୍ବନ୍ଧୀୟ ମାପଦ୍ବାରା ସ୍ଥିର କରାଯାଏ।
ପୁନଶ୍ଚ ପରମାଣ ସାଧନ ଵା ଯେଉଁ ପାତ୍ର, ଯନ୍ତ୍ର ଵା ଆଦର୍ଶ ଦ୍ବାରା ଓଜନ ଵା ପରିମାଣ କିଂଵା ଦୈର୍ଘ ଆଦି ସ୍ଥିର କରାଯାଏ ତାକୁ ମଧ୍ୟ ମାନ କୁହାଯାଏ । ଆମ୍ଭ ଦେଶରେ ପୂର୍ଵେ ଭିନ୍ନ ଭିନ୍ନ ଵସ୍ତୁର ପରିମାଣ ଭିନ୍ନ ଭିନ୍ନ ପ୍ରକାରେ ଓ ଭିନ୍ନ ଭିନ୍ନ ଯନ୍ତ୍ରଦ୍ବାରା ସ୍ଥିର କରାଯାଉଥିଲା । ଯଥା—ଭୂମିକୁ—ପଦିକା, ଶିକୁଳି, ଫିତା ଓ ହାତ ଦ୍ବାରା ମପାଯାଉଥିଲା । ଲୁଗା ଆଦିକୁ —ହାତ ଓ ଗଜ କାଠିଦ୍ବାରା ମପାଯାଉଥିଲା । ତରଳ ପଦାର୍ଥକୁ—ପାତ୍ରଦ୍ବାରା ଓ ସେର ତରାଜୁ ଓଜନଦ୍ବାରା ତଥା ଘନ ପଦାର୍ଥକୁ ପାତ୍ରଦ୍ବାରା ଓ ଓଜନଦ୍ବାରା ଏଵଂ ଶସ୍ଯାଦିକୁ ପାତ୍ରଦ୍ବାରା ଓ ସେର ତରାଜୁରେ ଓଜନ ଦ୍ବାରା ମାପ କରାଯାଉଥିଲା । ଏଥିରୁ କେତେକ ଆଜି ବି ରହିଛି ।
ସେହିପରି ମାନ ଶବ୍ଦଟି ଆଦର୍ଶ ଵା Standard କୁ ମଧ୍ୟ ବୁଝାଏ ଯାହାକୁ ମାନାଙ୍କ ବି କହିଥାନ୍ତି । ସଙ୍ଗୀତରେ ତାଳର ଵିଭାଗ ସ୍ଥାନ ଵା ତାଳର ଵିରାମକୁ ମାନ କୁହାଯାଏ । ଏହା ସମ, ଵିଷମ, ଅତୀତ ଓ ଆନାଘାତ ଭେଦରେ ଚାରି ପ୍ରକାରର ହୋଇଥାଏ ।
ପରିମାଣ(Quantity), ସମ୍ମାନ,ପୂଜା,ମର୍ଯ୍ୟାଦା,ଇଜ୍ଜତ୍,ସୁନାମ,ପଦମର୍ଯ୍ୟାଦା,କ୍ରୋଧ,ଗର୍ଵ, ଅହଙ୍କାର, ଅଭିମାନ,ଵିଦ୍ଯାଳୟରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଅନୁସାରେ ରଚିତ ଭିନ୍ନ ଭିନ୍ନ ଶ୍ରେଣୀ ଵିଭାଗ,ଆତ୍ମପ୍ରତ୍ୟୟ,ସାମ୍ଯ,ସମାନତା,ପ୍ରମାଣ,ପ୍ରମାଣିକତା,ମତ,ଆକାର,ସାମର୍ଥ୍ଯ,ଶକ୍ତି,ଗ୍ରହ ଓ ମନ୍ତ୍ର
ଆଦି ଅନେକ ଅର୍ଥରେ ଭାରତୀୟ ଭାଷାଗୁଡି଼କରେ ତତ୍ସମ ମାନ ଶବ୍ଦର ଵ୍ୟଵହାର ଦୃଶ୍ୟ ହୋଇଥାଏ ।
ପ୍ରଣୟୀର ଅପରାଧ ଦର୍ଶନରେ ପ୍ରଣୟିନୀର ଗମ୍ଭୀର କୋପ ,ଅସନ୍ତୋଷ ଵା ରୁଷାକୁ ମଧ୍ୟ ମାନ କହିଥାନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରୁଷା ଅର୍ଥରେ ଵ୍ୟଵହାର ହେଉଥିଵା ମାନ ସମ୍ବନ୍ଧରେ କୁହାଯାଇଛି ଯେ ଆପଣାର ପ୍ରେମିକ, ପ୍ରେମିକା, ସ୍ତ୍ରୀ, ସ୍ବାମୀ ଆଦି ପ୍ରିୟ ଵ୍ୟକ୍ତିଙ୍କର କୌଣସି ଅପରାଧ ଦର୍ଶନରେ ମନରେ ଯେଉଁ ଵିକାର ଜନ୍ମେ ତାକୁ ସାହିତ୍ଯରେ 'ମାନ' ବୋଲାଯାଏ। ଅଧିକତଃ ସ୍ତ୍ରୀମାନେ ପୁରୁଷଙ୍କଠାରେ ମାନ କରନ୍ତି। ନିଜର ପ୍ରେମିକଙ୍କୁ ଵା ସ୍ବାମୀଙ୍କୁ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ଥିଵାର ଦେଖିଲେ ଵା ପ୍ରମାଣ ପାଇଲେ କିଂଵା ସନ୍ଦେହ କଲେ, ଆପଣାର ଅଭିଳାଷିତ ଵା ଇଚ୍ଛିତ ଵସ୍ତୁ ନ ପାଇଲେ, ଆପଣା ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରା ନ ହେଲେ ଵା ଆପଣା ପ୍ରତି ଅନାଦର ଦେଖିଲେ ସ୍ତ୍ରୀମାନେ ମାନ କରନ୍ତି ଵା ରୁଷନ୍ତି । ସ୍ତ୍ରୀଲୋକମାନଙ୍କର ମାନ ଅଧିକାଂଶ ସମୟରେ, ମୌନ, ମୁଖଭଙ୍ଗୀ ଓ କ୍ବଚିତ୍ ଵ୍ୟଙ୍ଗ ଓ ତିରସ୍କାରଦ୍ବାରା ସୂଚିତ ହୁଏ। ଏହି ମାନ ତିନି ପ୍ରକାରର ଯଥା—ଲଘୁ, ମଧ୍ଯମ ଓ ଗୁରୁ। ଲଘୁମାନ କଳ୍ପିତ କୌରୁକାଦିଦ୍ବାରା ସହଜରେ, ମଧ୍ଯମ ମାନ ଶପଥାଦିଦ୍ବାରା କଷ୍ଟରେ ଗୁରୁମାନ ଚରଣଧାରଣ ଓ କ୍ଷମାପ୍ରାର୍ଥନାଦିଦ୍ବାରା ଆଦି କଷ୍ଟରେ ନିଵାରିତ ହୁଏ ବୋଲି ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଉଲ୍ଲେଖ କରିଛନ୍ତି ।
ଅସ୍ତୁ,ମାନ ଶବ୍ଦର ପରିମାପ ଓ ମାପଵସ୍ତୁ ଆଦି ଅର୍ଥ ସ୍ପଷ୍ଟ କରେ ଯେ ଏହି ତତ୍ସମ ମାନ ଶବ୍ଦ ସହିତ ଓଡ଼ିଆ ମାଣ ଶବ୍ଦର ନିଶ୍ଚୟ ସମ୍ପର୍କ ରହିଛି ।
Thursday, September 30, 2021
ଏକସ୍ଥାନୀୟ ସ୍ୱନିମ (Homorganic phonemes) ଓ ତାହାର ପରିଵୃତ୍ତି
ଓଡ଼ିଶାର ସବୁ ଜିଲ୍ଲାର ଗ୍ରାମୀଣ ଉଚ୍ଚାରଣରେ
ଓ<—>ଉ ପରିଵୃତ୍ତି ପରିଲକ୍ଷିତ ହୁଏ ଯାହା ଵାସ୍ତଵରେ ଉଚ୍ଚାରଣ ଵିଧିସମ୍ମତ l
ଉଦାହରଣ ସ୍ୱରୂପ
କୋରାପୁଟରେ କୁହନ୍ତି : —
“ଗୋଡ଼ ଧୋଇକି ପୋଛିକି ଶୋଇଲା” → “ଗୁଡ଼ ଧୁଇକି ପୁଛିକି ଶୁଇଲା”
ବାଲେଶ୍ୱରରେ କୁହନ୍ତି : —
“ପୋଲ ଉପରେ ଲୋକଟେ ଭୋଗ ଖାଉଛି” → “ପୁଲ ଉପରେ ଲୁକଟେ ଭୁଗ ଖାଉଛି”
କେନ୍ଦୁଝରରେ କୁହନ୍ତି:—
“ଗୋଳିଆ ପୋଖରୀରେ ପୋକ ଜୋକ” → “ଗୁଳିଆ ପୁଖୁରୀରେ ପୁକ ଜୁକ”
କଟକର ନରସିଂହପୁରରେ କୁହନ୍ତି :—
“ଗୋଇଠି ମୋଡ଼ି ହୋଇ ଘୋଳୁଛି → ଗୁଇଠି ମୁଡ଼ି ହୋଇ ଘୁଳୁଛି”
ସମ୍ବଲପୁରରେ କୁହନ୍ତି:—
"ମୁଇଁ ଇସ୍କୁଲକୁ ଯାଉଛି" → "ମୁଇଁ ଇସ୍କୁଲକେ ଯାଉଛେଁ"
କଟକର ଆଠଗଡ଼ରେ କୁହନ୍ତି :—
"ଏଠି ଏମିତି ହେଲେ କେମିତି ହେବ" → "ଏଠେ ଏମେତେ ହେଲେ କେମେତେ ହେବ"
କଥିତ ଓଡ଼ିଆରେ ସ୍ଵରଵର୍ଣ୍ଣ ପରିବୃତ୍ତି ଶବ୍ଦ ପ୍ରଥମରେ 'ଓ' କାର ଥିଲେ ତାହା 'ଉ' କାରରେ ପରିଣତ ହୁଏ
ଯଥା—
ଗୋଟେ = ଗୁଟେ
ଗୋଳିଆ = ଗୁଳିଆ
ପୋଖରୀ = ପୁଖୁରି
ପୋଲ = ପୁଲ
ଗୋଡ଼ = ଗୁଡ଼
ଲୋକ = ଲୁକ
ଗୋଇଠି = ଗୁଇଠି
ମୋଡ଼ି = ମୁଡି଼
ଘୋଳି ହେଵା = ଘୁଳିହେଵା
ଇତ୍ୟାଦି...
ସେହିପରି ଶବ୍ଦ ଶେଷରେ ‘ଇ’କାର ଥିଲେ ତାହା 'ଏ' କାରରେ ପରିଣତ ହୁଏ ।
ଉଦାହରଣ ସ୍ୱରୂପ ସମ୍ବଲପୁରରେ କୁହନ୍ତି
ଯାଉଛି = ଯାଉଛେ ଵା ଯାଉଛେଁ
ଅଛି = ଅଛେ/ଅଛେଁ
କଟକର ଆଠଗଡ଼ରେ ମଧ୍ୟ ଏଭଳି ଶବ୍ଦ ପରିଵୃତ୍ତି ଦୃଶ୍ୟ ହୁଏ । ଯଥା—
ଏମିତି = ଏମେତେ
କୋରାପୁଟ, ସମ୍ବଲପୁର, କଟକ, ବାଲେଶ୍ବର ଓ ଅନ୍ୟ ସବୁ ଜିଲ୍ଲାର ଲିଖିତ ଓ କଥିତ ଶୈଳୀରେ (ଓ/ଉ, ଏ/ଇ) ଵ୍ୟଵହାରିକ ଭିନ୍ନତା ଥାଏ । ଧ୍ବନିତତ୍ତ୍ବରେ ଇ-ଏ, ଉ-ଓ ପ୍ରାୟ ଏକସ୍ଥାନୀୟ (homorganic) ।
ଉପରୋକ୍ତ ଵର୍ଣ୍ଣଗୁଡି଼କର ଏଭଳି ପାରସ୍ପରିକ ପରିଵୃତ୍ତି ଧ୍ବନିତତ୍ତ୍ବସମ୍ମତ ।
ଇଂରାଜୀରେ SO = ସୋ କିନ୍ତୁ DO = ଡୁ ହୋଇଥାଏ ପୁନଶ୍ଚ ଆରବିକରେ ମଧ୍ୟ ଉଭୟ ଉ, ଓ ପାଇଁ ମାତ୍ର ଗୋଟିଏ ଅକ୍ଷର ( ُ ) ରହିଛି ।
ସବୁ ଜିଲ୍ଲାର ଆଞ୍ଚଳିକ ଉଚ୍ଚାରଣରେ ଭିନ୍ନତା ରହିଵା ସ୍ବାଭାଵିକ ଓ ଏହା ଆମ୍ଭ ଭାଷାର ଅନ୍ୟତମ ଵୈଶିଷ୍ଟ୍ୟ ଅଟେ । ଏହା ଭାଷାର ଗତ୍ୟାତ୍ମକ (dynamic) ହେଵାର ନିଦର୍ଶନ ତେଣୁ ଅଶୁଦ୍ଧ କିଂବା ଅଣଓଡ଼ିଆ ନୁହେଁ ।
ଭାଷା ଏକ ଵହମାନ ସ୍ରୋତ ଯାହା କେଵେ ସ୍ଥିର ନୁହେଁ ତେଣୁ ଏଥିରେ ଅନେକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ନିରନ୍ତର ସକ୍ରିୟ ଥାଏ l
ଏହି ଧ୍ୱନିତତ୍ତ୍ୱକୁ ବୁଝୁ ନଥିଵା ଲୋକେ ହିଁ ଉଚ୍ଚାରଣର ଭିନ୍ନତାକୁ ନେଇ ତାକୁ ଅଶୁଦ୍ଧ ଵିଵେଚନା କରନ୍ତି କେଵେ କେଵେ ହସନ୍ତି , ହୀନମନ୍ୟତା ଆଣନ୍ତି, କେଵେ ସମାନ ଭାଷାର ଭିନ୍ନ ଶୈଳୀକୁ ଭିନ୍ନ ଏକ ଭାଷା ବୋଲି ଦାବି କରି ଉଗ୍ର ଵିଚ୍ଛିନ୍ନତାଵାଦର ଆୟୁଧ କରିଦିଅନ୍ତି l ଏହା ଦୁର୍ଭାଗ୍ୟଜନକ ନୁହେଁ କି ?
🟤--------------------------------------------------
ଆଲେଖ୍ୟ — ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ
ସମ୍ପାଦନା — ଶିଶିର ସାହୁ ମନୋଜ
------------------------------------------------------🟤
Tuesday, September 21, 2021
जुगाड़ ଓ ଯୋଗାଡ଼ ଵା ଜୋଗାଡ଼
ଆଜିକାଲି #जुगाड़ ଶବ୍ଦଟି ଅନେକେ ଵ୍ୟଵହାର କରନ୍ତି । ଵର୍ତ୍ତମାନ ସମୟରେ ଏ ଶବ୍ଦଟି ସାଧାରଣତଃ
“କୌଣସି କଠିନ କାର୍ଯ୍ୟକୁ ସିଦ୍ଧ କରିଵା ପାଇଁ ପ୍ରୟୋଗ କରାଯାଉଥିଵା ସାଧନ,ଉପାୟ ଵା ଵିଧି” ଅର୍ଥରେ ଵ୍ୟଵହାର ହୋଇଥାଏ ।
ହିନ୍ଦୀ ଶବ୍ଦସାଗର ଅଭିଧାନରେ ଜୁଗାଡ଼ ଶବ୍ଦଟି ତତ୍ସମ ଯୋଗ(ଯୋଜନ) ଓ ଆଡ଼ ପ୍ରତ୍ୟୟ ଯୁକ୍ତ ହୋଇ ସୃଷ୍ଟି ହୋଇଅଛି ବୋଲି ମତ ଦିଆଯାଇଛି ।
ଏହି ହିନ୍ଦୀ ଶବ୍ଦକୋଷ ଅନୁସାରେ जुगाड़ ଶବ୍ଦଟି ହିନ୍ଦୀରେ— ଵ୍ୟଵସ୍ଥା,କାର୍ଯ୍ୟସାଧନର ମାର୍ଗ,ଯୁକ୍ତି ଵା ଉପାୟ ଏଵଂ କ୍ରିୟା ପ୍ରତ୍ୟୟ ଭାବେ କରିଵା ଓ ବସେଇଵା ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ #ଯୋଗାଡ଼ ଵା #ଜୋଗାଡ଼ ଶବ୍ଦଟି ଯୋଗ ଵା ଯୋଜନ ଶବ୍ଦ ସହିତ ସମୋଦ୍ଧୃତ ।
ଭାଷାକୋଷରେ ଓଡ଼ିଆ ଜୋଗାଡ଼ ଶବ୍ଦର ନିମ୍ନଲିଖିତ ଅର୍ଥ ଲେଖାଅଛି ...
🟤କୌଣସି ଵିଷୟର ଆୟୋଜନ
🟤ଉପାଦାନ ସଂଗ୍ରହ
🟤କର୍ମ ନିର୍ଵାହର ଉପାୟ ଓ ଉପକରଣ ସଂଗ୍ରହ
🟤କନ୍ୟା ଶାଶୁଘରକୁ ଯିଵା ସମୟରେ ବାପଘରୁ ତା ସଙ୍ଗେ ପଠାଯିଵା ସାମଗ୍ରୀ
🟤ଉଚିତ ବନ୍ଦୋବସ୍ତ
🟤ଚେଷ୍ଟା
🟤ଦେଵତା ଓ ରାଜା ଆଦିଙ୍କ ଖାଦ୍ଯ ନିମନ୍ତେ ପ୍ରସ୍ତୁତ ଵିଵିଧ ଉପକରଣ ଵା ସଜ୍ଜା
🟤ଉପାୟ
🟤ରାଜାଙ୍କୁ ଉପହାର ଦିଆଯିଵା ପ୍ରସ୍ତୁତ ମିଷ୍ଟାନ୍ନ ଵା ମହାପ୍ରସାଦର ସଜ୍ଜା
ହିନ୍ଦୀ जुगाड़ ତଥା ଓଡ଼ିଆ ଜୋଗାଡ଼ ଉଭୟ ତଦ୍ଭଵ ଶବ୍ଦ ଗୋଟିଏ ମୂଳରୁ ଜାତ ହୋଇଥିଵାରୁ ତଥା ଏ ଉଭୟ ଶବ୍ଦର ଅର୍ଥ ମଧ୍ୟରେ ସମାନତା ଥିଵାରୁ ଓଡ଼ିଆ ଭାଷାରେ ଯୁଗାଡ଼ କି ଜୁଗାଡ଼ ନଲେଖି ଯୋଗାଡ଼ ଵା ଜୋଗାଡ଼ ଲେଖାଯିଵା ଅଧିକ ଯୁକ୍ତିଯୁକ୍ତ । ଅଵଶ୍ୟ ଓଡ଼ିଶାର ଗଡ଼ଜାତ ତଥା ଉତ୍ତରାଞ୍ଚଳ ଓଡ଼ିଶାର କଥିତ ଶୈଳୀଗୁଡି଼କରେ ‘ଓ’ ଯୁକ୍ତ କେତେକ ଶବ୍ଦ ‘ଉ’ ଉଚ୍ଚାରିତ ହୋଇଥାଏ (ଯଥା ଚୋର= ଚୁର; ଗୋଡ଼ = ଗୁଡ଼) ତେଣୁ ଏସବୁ ଅଞ୍ଚଳରେ ଯୋଗାଡ ଵା ଜୋଗାଡ଼ ଶବ୍ଦଟି ଯୁଗାଡ଼ /ଜୁଗାଡ ଭାବେ ପ୍ରଚଳିତ । ହିନ୍ଦୀରେ ତତ୍ସମ ଶବ୍ଦରେ ଥିଵା ଅଵର୍ଗ୍ଯ ‘ଯ’ଯୁକ୍ତ ଶବ୍ଦ ଦ୍ଵିସ୍ଵର ‘ୟ’ ପରି ଉଚ୍ଚାରଣ କରାଯାଏ । ଯଥା => ଯମ = ୟମ / ଯମୁନା= ୟମୁନା । ତେବେ ହିନ୍ଦୀରେ ପ୍ରଚଳିତ ତଦ୍ଭଵ ଓ ଦେଶଜ ଶବ୍ଦ ମଧ୍ୟରେ ଅଵର୍ଗ୍ଯ ଯ’ର ଉଚ୍ଚାରଣ ଜ ପରି ହୋଇଥାଏ । ଉଦାହରଣ ସ୍ୱରୂପ —
जो = ଯେଉଁ (ଯସ୍ୟ)
जितना = ଯେତିକି
जब = ଯେବେ
जाना = ଯିଵା
ଇତ୍ୟାଦି...
ଓଡ଼ିଆ ଭାଷାରେ ମଧ୍ୟ ଅନେକ ଅଵର୍ଗ୍ଯ ଯ ଯୁକ୍ତ ତତ୍ସମ ଶବ୍ଦର ତଦ୍ଭଵ ରୂପକୁ ଏହିପରି ଵର୍ଗ୍ୟ ଜ ଯୁକ୍ତ କରି ଲେଖିଥାନ୍ତି । ଉତ୍ତର ଭାରତରେ ପ୍ରଚଳିତ ଅନେକ ଵର୍ଗ୍ୟ ଜ ଯୁକ୍ତ ଅଵର୍ଗ୍ଯ ଯ ଥିଵା ତତ୍ସମ ମୂଳର ଶବ୍ଦଗୁଡି଼କୁ ଅନୁଶୀଳନ କଲେ ହୃଦବୋଧ ହୋଇଥାଏ ଯେ ପୂର୍ଵେ ଉତ୍ତର ଭାରତୀୟ ମଧ୍ୟ ଅଵର୍ଗ୍ଯ ‘ଯ’କୁ ଓଡ଼ିଆଙ୍କ ପରି ‘ଜ’
ଉଚ୍ଚାରଣ କରୁଥିଲେ । ଅଵର୍ଗ୍ଯ ଯ ର ମୂଳ ଉଚ୍ଚାରଣ କେମିତି ଥିଲା ତାକୁ ନେଇ ଵିଵାଦ ରହିଛି । କେହି କେହି କୁହନ୍ତି ଏହାର ଉଚ୍ଚାରଣ ଜ୍ୟ(ଜ+ୟ)ପରି ଥିଲା । ଓଡ଼ିଆ ଭାଷାର ଆର୍ଯ୍ୟ ସୂର୍ଯ୍ୟ ଧୈର୍ଯ୍ୟ ଆଦି ଶବ୍ଦରେ ସେହି ଉଚ୍ଚାରଣ ବଞ୍ଚିରହିଥିଵା କିଛି ଲୋକ ମତ ଦିଅନ୍ତି ।
Wednesday, August 25, 2021
ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ
ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର ଅନ୍ୟନାମ ଖମମଖାଲୁ ଓ ଖମଖମାଲି ଇତ୍ୟାଦି ରହିଥିଲା ।ସମ୍ବଲପୁର ଜିଲ୍ଲାରେ ଏ ଖେଳକୁ ଖମ୍ ଖମାଲି କୁହାଯାଉଥିଲା ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।
ଏହି ଖମ୍ ଶବ୍ଦଟି ସହିତ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଏଵଂ ପ୍ରାକୃତ ଖଂଭ ଓ ଓଡ଼ିଆ ଖମ୍ବ ଶବ୍ଦ ସମୋଦ୍ଧୃତ ।
ଓଡ଼ିଶାରେ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦର ଵିଭିନ୍ନ ରୂପ ପ୍ରଚଳିତ ଥିଲା ଏଵଂ ଏବେ ମଧ୍ୟ ରହିଛି । ଓଡ଼ିଶାରେ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦ ଏକ ଦିଗରେ ଖମ୍ବ,ଖୁମ୍ବ,ଖମ୍,ଖମ ଓ ଖମା ହୋଇ ପ୍ରଚଳିତ ଥିଵା ବେଳେ ଅନ୍ୟ ଏକ ପକ୍ଷରେ ଏହାର ଏକ ସମୟରେ ଥମ୍ବ ଓ ଥମ୍ ରୂପ ପରିଵୃତ୍ତ ହୋଇ ମଧ୍ୟ ପ୍ରଚଳିତ ଅଛି ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଖମ ଶବ୍ଦର ସ୍ତମ୍ଭ ଅର୍ଥରେ ଵ୍ୟଵହାର ଦୃଷ୍ଟିଗୋଚର ହୋଇଥାଏ
ଯଥା ବ୍ରହ୍ମନିରୂପଣ ଗୀତାରେ ଖମ ଶବ୍ଦର ଏମନ୍ତ ଵ୍ୟଵହାର ରହିଛି
“ଅଲେଖ ପ୍ରଭୂ ଏ ବ୍ରହ୍ମାଣ୍ଡରେ ମେରୁ ଖମ”
ସେହିପରି ଢେଙ୍କାନାଳ ଗଡ଼ଜାତ ତଥା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଖମ୍ବ ପରିଵର୍ତ୍ତେ ଖୁମ୍ବ ଶବ୍ଦର ଵ୍ୟଵହାର ପ୍ରଚଳିତ ଅଛି । ସାହିତ୍ୟରେ ମଧ୍ୟ ଖୁମ୍ବ ଶବ୍ଦ ଵ୍ୟଵହାରର ଉଦାହରଣ ରହିଛି
ଯଥା —
“ଆବର ରତନର ପୁର ।
ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି ।
ମଧ୍ୟେ ଅଛଇ ରାସସ୍ଥଳି ।।”
(ରାଧାଷ୍ଟମୀ ଵ୍ରତ,କ୍ଷେତ୍ରମୋହନ)
ଓଡ଼ିଶାର କେତେକ ଅଞ୍ଚଳରେ ଖମା ଶବ୍ଦଟି ମଧ୍ୟ ଖୁଣ୍ଟ ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।
ସେହିପରି ସ୍ତମ୍ବ ଶବ୍ଦର ଅନ୍ଯ ଏକ ଓଡ଼ିଆ ରୂପ ଥମ୍ବର ଵ୍ୟଵହାର କଵି ପ୍ରତାପ ରାୟ ତାଙ୍କ ଶଶିସେଣା କାଵ୍ୟରେ ପ୍ରୟୋଗ କରିଅଛନ୍ତି
“ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା
ନ ପାରନ୍ତି କଥା କହି।”
ଆଜି ବି ମାଲକାନଗିରିରେ ଥମ୍ ତଥା ଜଗତସିଂହପୁର ଜିଲ୍ଲାରେ ଥମ୍ବ ଶବ୍ଦର ଵ୍ୟଵହାର ସ୍ତମ୍ଭ ଅର୍ଥରେ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।
ତେଣୁ ଖମ୍ବ ଦ୍ଵାରା ଖେଳାଯାଉଥିଵାରୁ ଗଡ଼ଜାତର ଏହି ଖେଳକୁ ଖମଖମାଲୋ,ଖମଖମାଲୁ ଓ ଖମଖମାଲି ଇତ୍ୟାଦି କୁହାଯାଉଥିଲା ।
ଏହା ଥିଲା ଏକ ଆବଦ୍ଧପ୍ରାଙ୍ଗଣର କ୍ରୀଡ଼ା କିନ୍ତୁ ଯଦି ଖୋଲା ପଡ଼ିଆରେ ଯେଉଁଠି ଚାରି ଵା ତତୋଧିକ ବଡ଼ ଖୁଣ୍ଟ ପୋତା ହେଉଥିଲା କିଂଵା ଆମ୍ବ ତୋଟାରେ ଲଗାଲଗି ହୋଇ ବଡ଼ ଵୃକ୍ଷ ରହୁଥିଲା ସେଠାରେ ମଧ୍ୟ ପିଲାଏ ଏ ଖେଳ ଖେଳୁଥିଲେ । କେହି କେହି ଏ ଖେଳକୁ ଘରର ଚାରି କୋଣକୁ ଆଧାର କରି ଖେଳୁଥିଵାର ମଧ୍ୟ ଜଣାଯାଏ । କିନ୍ତୁ ପୂର୍ଵକାଳରେ ସାଧାରଣତଃ ଗୁହାଳ ଘରେ ଚାରିଗୋଟି ଖୁମ୍ବ ରହୁଥିଵାରୁ ଏହି ଖମଖମାଲୋ ଖେଳ ସେଠାରେ ଅଧିକ ଖେଳାଯାଉଥିଲା ।
ଖମଖମାଲୋ ଖେଳରେ ଉଭୟ ପୁଅ ପିଲା ଓ ଝିଅପିଲା ଅଂଶଗ୍ରହଣ କରିପାରୁଥିଲେ । ଖେଳାଳିଙ୍କ ଵୟସ ସୀମା ତିନିରୁ ଦଶ ଵର୍ଷ ଵୟସ ଭିତରେ ସୀମିତ ରହୁଥିଲେ ହେଁ ବେଳେବେଳେ ଏଥିରେ ବଡ଼ ନାନୀ ଭାଇମାନେ ଯୋଗ ଦେଉଥିଵାର ଦେଖାଯାଉଥିଲା ।
ଏହି ଖେଳ ସାଧାରଣତଃ ଘରେ କିଂଵା ଗୁହାଳଘରେ ଖେଳାଯାଉଥିଵାରୁ ଘରେ ପିତାଙ୍କ ଅନୁପସ୍ଥିତିରେ କିଂଵା ଗୁହାଳରେ ଗାଈ ଗୋରୁ ନଥିଵା ସମୟରେ ହିଁ ଏହି ଖେଳ ଖେଳାଯାଉଥିଲା ।
ଗୁହାଳରେ ଥିଵା ଖମ୍ବ ଆଧାରରେ ଖେଳାଳି ଭାଗ ନେଉଥିଲେ । ସାଧାରଣତଃ ଗୁହାଳଗୁଡି଼କରେ ଚାରିଗୋଟି ଖମ୍ବ ରହୁଥିଲା ଘରେ ମଧ୍ୟ ଚାରିଗୋଟି କୋଣ ରହିଥାଏ ତେଣୁ ଏ ଖେଳରେ ଚାରିଗୋଟି ଖମ୍ବ ଵା କୋଣ ଆଧାରରେ ଚାରିଜଣ ସାଧାରଣ ଖେଳାଳି ଓ ଜଣେ ମାଈ ଖେଳାଳି ଯୋଗ ଦେଉଥିଲେ ।
ଚାରିଜଣ ସାଧାରଣ ଖେଳାଳି ଗୁହାଳର ଚାରିଗୋଟି ଖମ୍ବ ଵା ଘରର ଚାରୋଟି କୋଣକୁ ଧରି ରହୁଥିଲେ ଏଵଂ ମାଈ ଖେଳାଳି ସେମାନଙ୍କ ମଝିରେ ଗୋଟିଏ ଗୋଲାଇ ଭିତରେ ରହି ଗୀତ ବୋଲୁଥିଲା ।
ଯଦି ଖମ୍ବ ,ଗଛ ଵା ଘରର କୋଣଠାରୁ ଖେଳାଳୀ ସଂଖ୍ୟା କମ୍ ରହୁଥିଲା ତାହେଲେ ତହିଁରୁ ଗୋଟିଏ ଦୁଇଟି ଖମ୍ବ,କୋଣ ଵା ଗଛ ଵାଦ୍ ଦିଆଯାଉଥିଲା ।
ଖେଳାଳୀମାନଙ୍କ ଭିତରୁ ଯେଉଁ ଖେଳାଳି ମଝିରେ ଗୋଲେଇ ଘାଇ ମଧ୍ୟରେ ରହୁଥିଲା ତାକୁ ‘ମାଇ’ କୁହାଯାଉଥିଲା କିନ୍ତୁ ଗଡ଼ଜାତରେ ଏହି ମାଈ ଖେଳାଳିକୁ ‘ଖମଖମାଲୋ ଗୀତ’ ଗାଇଵାକୁ ପଡୁ଼ଥିଲା ।
“ଖମଖମାଲୋ
ବାଏଗନ୍ ମାଲୋ
ମଝିର ଖମକେ ଛାଡ଼ିଦେ
ମଝିର ଖମକେ ଛାଡ଼ିଦେ
ବିଲ୍ ବିଲାଲେ
ଆମୁଲ୍ କୁଲେ
ନନିର ଟୁଁଡ଼େ ଭରି ଦେ
ନନିର ଟୁଁଡେ଼ ଭରିଦେ।।”
ପୁଣି କେଉଁଠି କେଉଁଠି ଏ ଗୀତ ଆହୁରି ସହଜ ହୋଇ ଗାୟନ ହେଉଥିଲା...
“ଖମ୍ ଖମାଲୋ
ବାଏଗନ୍ ମାଲୋ
ମୋର ଖମ୍ କେ ଛାଡି଼ ଦେ
ମୋର୍ ଖମ୍ କେ ଛାଡି଼ଦେ”
‘ମାଇ’ ଖେଳାଳି ଏହି ଗୀତ ଗାଉଥିଵା ସମୟରେ ଅନ୍ୟ ଖେଳାଳୀ ସବୁ ପରସ୍ପର ଖମ୍ବ ଅଦଳବଦଳ କରୁଥିଲେ ।
ଚାରିଗୋଟି ଗଛ,ଖମ୍ବ ଵା କୋଣକୁ ଧରି ରହିଥିଵା ଖେଳାଳିମାନଙ୍କ ଦ୍ଵାରା ଖମ୍ବ,କୋଣ ଵା ଗଛ ଅଦଳବଦଳ ସମୟରେ ଯଦି ମଝିରେ ଛିଡ଼ା ହୋଇ ଗୀତ ବୋଲୁଥିଵା ‘ମାଇ’ ଖେଳାଳୀ ସେମାନଙ୍କ ମଧ୍ୟରୁ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଖେଳାଳୀ ଜଣକ ‘ମାଇ’ ହେଉଥିଲା । ମାତ୍ର ଯଦି ‘ମାଇ’ ଖେଳାଳି ଅନ୍ୟ ଖେଳାଳିକୁ ଛୁଇଁଵା ସମୟରେ ଘାଇରୁ ବାହାର ହୋଇ କାହାକୁ ଛୁଉଁଥିଲା କିଂଵା ରାହା ନପାଇଵାରୁ ଵା ଅନ୍ୟ କାରଣରୁ ଖମଖମାଲୋ ଗୀତ ଗାଇଵା ବନ୍ଦ କରିଦେଇ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଛୁଆଁକୁ ଗଡ଼ରେ ଗଣନା କରାଯାଉନଥିଲା ଏଵଂ ଆଉଥରେ ଖେଳ ଆରମ୍ଭ ହେଉଥିଲା । ଏହିପରି ଏହି ଖମଖମାଲୋ ଖେଳ ଘଣ୍ଟାଏରୁ ଦେଢ଼ ଘଣ୍ଟାଯାଏଁ ଖେଳାଯାଉଥିଲା ।
ଭାରତର ଅନ୍ୟ ଖେଳଗୁଡି଼କ ପରି ଏ ଖେଳରେ ମଧ୍ୟ ଗୁହିଁ ଵା ଗୁନ୍ଧୁରୀ ହେଲେ ଅର୍ଥାତ୍ ଗୋଳ ହେଲେ ଖେଳରେ ଗୁନ୍ଧୁରୀ କରିଥିଵା ଖେଳାଳିଙ୍କୁ ଵାଦ୍ ଦିଆଯାଇ ମଝିରେ ନୂଆ ଖେଳାଳିଙ୍କୁ ଖେଳାଯାଉଥିଲା ।
ଏ ଖେଳ ସାଧାରଣତଃ ଆଵଦ୍ଧ ଘରେ ଓ ଗୁହାଳରେ ଖେଳାଯାଉଥିଵାରୁ ଅଵିଭାଵକ ଓ ସମଵୟସ୍କ ପିଲାଏ ଦର୍ଶକ ହୋଇ ଖେଳକୁ ଉପଭୋଗ କରିପାରୁଥିଲେ ।
ସମୟ ସହ ଏ ଖେଳ ଅଧୁନା ଓଡ଼ିଶାରୁ ଲୁପ୍ତ ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଘର କୋଣ ଵା ସ୍ତମ୍ଭ ଓ ଲଗାଲଗି ଉଠିଥିଵା ଆମ୍ବଗଛ ପୂର୍ଣ୍ଣ ଆମ୍ବ ତୋଟା ଵା ଜଙ୍ଗଲର ଗଛମୂଳରେ ମଧ୍ୟରେ ଏ ଖେଳ ଖେଳାଯାଇପାରେ ।
ଆଧୁନିକ ଯୁଗରେ ଦୂରଦର୍ଶନ , ମୋବାଇଲ ଆସିଵା ଦିନଠାରୁ ଅନେକ ଭାରତୀୟ କ୍ରୀଡ଼ା ଵର୍ତ୍ତମାନ ଲୁପ୍ତ ହୋଇଯାଇଅଛି । ଖମଖମାଲୋ ଖେଳ ମଧ୍ୟ କାଳ ଆଗରେ ପରାଜିତ ହୋଇ ଆଜି ମୃତ ହୋଇ ସାରିଛି । ଅସ୍ତୁ, ଓଡ଼ିଶାର ଲୋକେ ଵିଶେଷ ଉତ୍ସଵାଦିରେ ଏହି ଖେଳର ପ୍ରତିଯୋଗିତା ଆୟୋଜନ କରି ଏହାକୁ ଯଦି ବଞ୍ଚାଇଵାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଏ ଖେଳଟି କେଵଳ ବହି ଓ ପୁରୁଣା ଲୋକଙ୍କ ସ୍ମତି ମଧ୍ୟରେ ସୀମିତ ନରହି ଆଉ ଥରେ ପୁନଃ ପ୍ରଚଳିତ ହୋଇପାରନ୍ତା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
ଵିଶିଷ୍ଟ ଆଲେଖ୍ୟ
ଵଶା ଠାରୁ ବୋଉ ଯାଏଁ
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
-
ଗୋସିଆଁ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍...
-
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...