Showing posts with label ଶବ୍ଦ ପରିଚୟ. Show all posts
Showing posts with label ଶବ୍ଦ ପରିଚୟ. Show all posts

Saturday, July 4, 2026

ଓଡ଼ିଆ ଭାଷାରେ ବି PETA ଭଳି ଗୋଟିଏ ଶବ୍ଦ 'ପେଟା' ଅଛି ବୋଲି ଜାଣିଛନ୍ତି କି ?

"ପେଟା" କହିଲେ ସମସ୍ତ ଶିକ୍ଷିତମାନଙ୍କ ମନରେ ପଶୁମାନଙ୍କ ଅଧିକାର ଏଵଂ ସେମାନଙ୍କ ସୁରକ୍ଷା ପାଇଁ କାମ କରୁଥିଵା ଏକ ଆନ୍ତର୍ଜାତୀୟ ସଂସ୍ଥା "PETA" ନିଶ୍ଚୟ ଆସିଯିଵ ତେବେ ଓଡ଼ିଆ ଭାଷାରେ ମଧ୍ୟ ପେଟା ବୋଲି ଗୋଟିଏ ଶବ୍ଦ ଅଛି । 

ଓଡ଼ିଶାର "ପେଟା" ଶବ୍ଦଟିକୁ ଯଦି ଆମେ ଓଡ଼ିଆ ଅଭିଧାନ ଓ ଗ୍ରାମୀଣ ଜୀଵନଶୈଳୀ ଆଖିରେ ଦେଖିଵା ତେବେ ଏହାର ମୁଖ୍ୟତଃ ତିନୋଟି ରୂପ ସାମ୍ନାକୁ ଆସିଥାଏ । ତନ୍ମଧ୍ୟରେ ପ୍ରଥମଟି ଶାରୀରିକ ଗଠନ ଵା ପ୍ରକୃତିକୁ ନେଇ, ଦ୍ଵିତୀୟଟି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଜୀଵନକୁ ନେଇ ଏଵଂ ତୃତୀୟଟି ଉତ୍ତର ଓଡ଼ିଶାର ପିଲାଦିନର ଘୁଡ଼ି ଉଡ଼ା ଖେଳକୁ ନେଇ ଅଟେ।

ସାଧାରଣ କଥିତ ଭାଷାରେ 'ପେଟ' ଶବ୍ଦରୁ ହିଁ 'ପେଟା'ର ସୃଷ୍ଟି। ଏହା ମୁଖ୍ୟତଃ ପୁରୁଷଵାଚକ ଵିଶେଷଣ ଭାବେ ଵ୍ୟଵହୃତ ହୁଏ।

ଯାହାର ପେଟଟି ସାଧାରଣ ଅପେକ୍ଷା ବଡ଼ ଵା ବାହାରକୁ ବାହାରିଥାଏ, ତାକୁ ଆମେ 'ପେଟା' ଵା 'ପେଟୁଆ' ବୋଲି କହିଥାଉ ଏଵଂ ସ୍ତ୍ରୀଲିଙ୍ଗରେ ଏହା ପେଟୀ ଓ ପେଟେଈ ହୋଇଥାଏ । ପୁଣି ଯେ କେଵଳ ନିଜ ପେଟ ଚିନ୍ତାରେ ଥାଏ ଵା ସବୁବେଳେ ଖାଇଵାକୁ ଭଲପାଏ, ତାକୁ ମଧ୍ୟ ଵ୍ୟଙ୍ଗରେ 'ପେଟା' ଓ ପେଟୁ କୁହାଯାଏ।

ବେଳେବେଳେ ଏହି ପେଟା ଶବ୍ଦଟି ଅନ୍ୟ ଵସ୍ତୁର ଆକାରକୁ ବୁଝାଇଵା ପାଇଁ ଅନ୍ୟ ଶବ୍ଦ ପଛରେ ଯୋଡ଼ି ହୋଇଥାଏ। ଉଦାହରଣ ସ୍ୱରୂପ କୁମ୍ଭାର ଶାଳର ବଡ଼ ପେଟ ଥିଵା ହାଣ୍ଡିକୁ 'ପଲମ ପେଟା', କିମ୍ବା ଲାଉ ଭଳି ବଡ଼ ପେଟ ଥିଵା ଜିନିଷକୁ 'ଲାଉ ପେଟା' କୁହାଯାଏ।

କିନ୍ତୁ କୃଷିଭିତ୍ତିକ ପଶ୍ଚିମ ଓଡ଼ିଶାରେ 'ପେଟା' ଶବ୍ଦର ସମ୍ପର୍କ ସିଧାସଳଖ ବିଲବାଡ଼ି ଓ ଅମଳ ସହିତ ଜଡ଼ିତ।

 ଧାନ ପାଚିଵା ପରେ ଯେତେବେଳେ ଦାଆରେ କଟାଯାଏ, ସେଗୁଡ଼ିକୁ ବିଲରେ ଏଣେତେଣେ ନଫିଙ୍ଗି ଏକ ନିର୍ଦ୍ଦିଷ୍ଟ କ୍ରମରେ ଧାଡ଼ି ସାରି ସାରି କରି ଶୁଖିଵା ପାଇଁ ରଖାଯାଏ। ଏହି କଟା ଧାନର ଧାଡ଼ି ଵା ବିଡ଼ାକୁ ତଥା ଏହି ରଖାଯିଵା ଶୈଳୀକୁ 'ପେଟା' କୁହାଯାଏ।

କେଵଳ ଧାନ ନୁହେଁ, ମୁଗ କିମ୍ବା ବିରି ଗଛକୁ ମୂଳରୁ ଝିଙ୍କି ବିଲର ଜାଗା ଜାଗା କରି ଗଦା କରି ରଖିଵାକୁ ମଧ୍ୟ 'ପେଟା' କୁହାଯାଏ। ଏହା ପରଵର୍ତ୍ତୀ ସମୟରେ ଖଳାକୁ ନେଵା ପାଇଁ ସହଜ ହୋଇଥାଏ।

ତେବେ ଉତ୍ତର ଓଡ଼ିଶା ଵିଶେଷ କରି ବାଲେଶ୍ଵର ଅଞ୍ଚଳରେ 'ପେଟା' କହିଲେ ପିଲାମାନଙ୍କର ପ୍ରିୟ ଘୁଡ଼ି ତିଆରିର ଏକ ମୁଖ୍ୟ ଅଂଶକୁ ବୁଝାଏ।

କାଗଜ ଘୁଡ଼ିର ମଝିରେ ଗୋଟିଏ ସିଧା ବାଉଁଶ କାଠି ଥାଏ ଏବଂ ତାକୁ ବାନ୍ଧି ରଖିବା ପାଇଁ ଆଡ଼ ଭାବରେ ଯେଉଁ ବଙ୍କା ବାଉଁଶ ପାତିଆଟି ଵ୍ୟଵହାର କରାଯାଏ, ତାକୁ 'ପେଟା' କୁହାଯାଏ। ଏହା ଘୁଡ଼ିକୁ ପଵନରେ ଭାରସାମ୍ୟ ରଖିଵାରେ ସାହାଯ୍ୟ କରେ।
ପୁଣି ଘୁଡ଼ି ଉଡ଼ାଇଵା ପୂର୍ଵରୁ ତା' ଦେହରେ ତ୍ରିକୋଣାକାର କରି ଯେଉଁ ଦୁଇଟି ସୂତା ବନ୍ଧାଯାଏ (ଯାହାକୁ ଅନ୍ୟ ଅଞ୍ଚଳରେ 'କନ୍ନି ଦେଵା' କୁହାଯାଏ), ବାଲେଶ୍ଵର ଅଞ୍ଚଳରେ ତାହାକୁ ମଧ୍ୟ 'ପେଟା' ବୋଲି କୁହାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।

ଆମେ ଯେଉଁ "ପେଟା" ଶବ୍ଦକୁ ଵିଶ୍ଵସ୍ତରରେ କେବଳ ପଶୁ ସୁରକ୍ଷା ସହିତ ଯୋଡ଼ି ଦେଖୁଛୁ, ଆମ ଗ୍ରାମୀଣ ଓଡ଼ିଶାର ମାଟିରେ ତାର ଚେର କେତେ ଭିନ୍ନ ଓ ସମୃଦ୍ଧ, ତାହା ଏହି ଶବ୍ଦରୁ ହିଁ ପ୍ରମାଣିତ ହୁଏ। ବିଲର କଟାଧାନ ଠାରୁ ଆରମ୍ଭ କରି ଆକାଶର ଘୁଡ଼ି ପର୍ଯ୍ୟନ୍ତ 'ପେଟା' ଶବ୍ଦଟି ନିଜର ଆଞ୍ଚଳିକ ମହକ ବଞ୍ଚାଇ ରଖିଛି।

Saturday, January 31, 2026

ଯାଚ୍ଞା: ଶବ୍ଦର ନିରୁକ୍ତି ଓ ଅର୍ଥ ଵିଚାର


ଓଡ଼ିଆ ଭାଷାର ସମୃଦ୍ଧ ଶବ୍ଦଭଣ୍ଡାରରେ 'ଯାଚ୍ଞା' ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତ ମୂଳକ ଶବ୍ଦ ଅଟେ। ଏହି ଶବ୍ଦର ନିରୁକ୍ତି ଓ ବହୁମୁଖୀ ଅର୍ଥ ଵିଚାର କଲେ ଭାଷାର ଗଭୀରତା ଓ ସୂକ୍ଷ୍ମତା ପ୍ରକାଶ ପାଏ।

'ଯାଚ୍ଞା' ଶବ୍ଦଟି ସଂସ୍କୃତ ଭାଷାରୁ ଓଡ଼ିଆରେ ଗୃହୀତ ହୋଇଛି। ଏହା ଏକ ସ୍ତ୍ରୀଲିଙ୍ଗ ବିଶେଷ୍ୟ ପଦ। ଶବ୍ଦଟିର ମୂଳରେ ରହିଛି 'ଯାଚ' ଧାତୁ, ଯାହାର ଅର୍ଥ ହେଉଛି ଯାଚଞା କରିଵା ଵା ମାଗିଵା। ଏହି ଧାତୁ ସହିତ ଭାଵଵାଚକ 'ନ' ପ୍ରତ୍ୟୟ ଓ ସ୍ତ୍ରୀଲିଙ୍ଗ 'ଆ' ପ୍ରତ୍ୟୟ ଯୋଗ ହୋଇ ନିପାତନ ପ୍ରକ୍ରିୟା ମାଧ୍ୟମରେ 'ଯାଚ୍ଞା' ଶବ୍ଦଟି ଗଠିତ ହୋଇଛି। ଏଠାରେ ନିପାତନର ଅର୍ଥ ହେଉଛି ଧାତୁରେ ସ୍ୱର ପରିଵର୍ତ୍ତନ ସହିତ ଶବ୍ଦ ଗଠନ।

ଵୈଦିକ ଯୁଗରେ ଯାଚ୍ଞା ଶବ୍ଦର ପ୍ରଥମ ଵ୍ୟଵହାର ତୈତ୍ତିରୀୟ ସଂହିତା ଆଦି ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ମିଳିଥାଏ । ସେଠାରେ ଏହାର ପ୍ରଧାନ ଅର୍ଥ ଥିଲା ଭିକ୍ଷା ମାଗିଵା କିମ୍ବା କାହାଠାରୁ କିଛି ପ୍ରାର୍ଥନା କରିଵା । ଋଗ୍ବେଦ ଓ ଅଥର୍ଵଵେଦରେ ଏହି ଧାତୁର ରୂପ ଦେଖାଯାଏ କିନ୍ତୁ ଯାଚ୍ଞା ଶବ୍ଦ ନିଜେ ବହୁଳ ଵ୍ୟଵହୃତ ନୁହେଁ । ଵୈଦିକ ସମାଜରେ ଯଜ୍ଞ ଓ ଦାନ ପ୍ରଧାନ ଥିଵାରୁ ଯାଚନାର ସ୍ଥାନ କମ୍ ଥିଲା କିନ୍ତୁ ବ୍ରାହ୍ମଣ ଗ୍ରନ୍ଥଗୁଡ଼ିକରେ ଏହା ଭିକ୍ଷା ଓ ଅନୁରୋଧର ରୂପରେ ଆରମ୍ଭ ହୋଇଥିଲା । ଏହି ସମୟରେ ଏହା ମୁଖ୍ୟତଃ ମନୁଷ୍ୟ ଠାରୁ ମନୁଷ୍ୟକୁ କିମ୍ବା ଦୈନନ୍ଦିନ ପ୍ରାର୍ଥନାର ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଉପନିଷଦ୍ ଓ ସ୍ମୃତି ଯୁଗରେ ଯାଚ୍ଞାର ଅର୍ଥ କିଛି ଵିସ୍ତୃତ ହେଲା । ସନ୍ନ୍ୟାସ ଓ ବ୍ରହ୍ମଚର୍ଯ୍ୟ ଆଶ୍ରମର ନିୟମ ଅନୁସାରେ ଭିକ୍ଷାଵୃତ୍ତି ଏକ ସ୍ବୀକୃତ ଜୀଵନପଦ୍ଧତି ହୋଇଥିଵାରୁ ଯାଚ୍ଞା ଶବ୍ଦ ଭିକ୍ଷା ମାଗିଵାର ଵିଶେଷ ଅର୍ଥ ଗ୍ରହଣ କଲା । ଏହାକୁ ଯାଚ୍ଞା-ଜୀଵନମ୍ କୁହାଯାଇଥିଲା ଅର୍ଥାତ୍ ଯାଚନା ଦ୍ୱାରା ଜୀଵନ ଯାପନ । ମନୁସ୍ମୃତି ଓ ଅନ୍ୟ ଧର୍ମଶାସ୍ତ୍ରରେ ଏହାର ଉଲ୍ଲେଖ ଭିକ୍ଷୁ ଜୀଵନର ଅଂଶ ଭାବରେ ମିଳେ । ପରଵର୍ତ୍ତୀ କାଳରେ ଵିଵାହ ପ୍ରସଙ୍ଗରେ ଯାଚ୍ଞା କନ୍ୟା ମାଗିଵାର ଅର୍ଥରେ ମଧ୍ୟ ଵ୍ୟଵହୃତ ହେଵାକୁ ଲାଗିଲା । ବରପକ୍ଷରୁ କନ୍ୟାପକ୍ଷକୁ ଯାଚନା କରିଵା ଏକ ସମ୍ମାନଜନକ ପ୍ରଥା ଭାବରେ ପ୍ରଚଳିତ ହେଲା ଯାହା ପୁରାଣ ଓ ସ୍ମୃତି ଗ୍ରନ୍ଥମାନଙ୍କରେ ଦେଖାଯାଏ ।

ଶାସ୍ତ୍ରୀୟ ସଂସ୍କୃତ ସାହିତ୍ୟରେ ଯାଚ୍ଞାର ଵ୍ୟଵହାର ଆହୁରି ବିସ୍ତୃତ ହେଲା । କାଳିଦାସଙ୍କ ମେଘଦୂତରେ ଏକ ପ୍ରସିଦ୍ଧ ଶ୍ଲୋକ ଅଛି – ଯାଚ୍ଞା ମୋଘା ଵରମଧିଗୁଣେ ନାଧମେ ଲବ୍ଧକାମା । ଏହାରେ ଯାଚ୍ଞାକୁ ଏକ ସାଧାରଣ ଅନୁରୋଧ କିମ୍ବା ପ୍ରାର୍ଥନା ରୂପରେ ଦର୍ଶାଯାଇଛି ଯେ ଶ୍ରେଷ୍ଠ ଗୁଣଯୁକ୍ତ ଵ୍ୟକ୍ତିଠାରୁ ଯାଚନା ନିଷ୍ଫଳ ହେଲେ ମଧ୍ୟ ତାହା ଉତ୍ତମ କିନ୍ତୁ ନିମ୍ନଗୁଣୀ ଠାରୁ ପାଇଵା ଅପେକ୍ଷା ନିଷ୍ଫଳ ଯାଚନା ଭଲ । ହିତୋପଦେଶ ଓ ଅନ୍ୟ କାଵ୍ୟ ଗ୍ରନ୍ଥାଦିରେ ଏହା ଭିକ୍ଷା, ଅନୁରୋଧ, ପ୍ରାର୍ଥନା ଓ ଅନୁନୟ ଵା ଆକୁଳ ନିଵେଦନ ଅର୍ଥରେ ଵ୍ୟଵହୃତ । ପୁରାଣ ଯୁଗରେ ଏହା ଦେଵତାଙ୍କ ନିକଟରେ ପ୍ରାର୍ଥନାର ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥିଲା ‌। କ୍ରମେ ଅଯାଚ୍ଞା (ayācñā) ଶବ୍ଦ ମଧ୍ୟ ପ୍ରଚଳିତ ହେଲା ଯାହା ଯାଚନା ନକରିଵା କିମ୍ବା ଅଯାଚିତ ଭାବରେ ପ୍ରାପ୍ତିର ଅର୍ଥ ଵହନ କରେ । ଏହି ଵିକାଶ ସଂସ୍କୃତ ସାହିତ୍ୟର ଵିଵିଧତା ଓ ସାମାଜିକ ପରିଵର୍ତ୍ତନକୁ ପ୍ରତିଫଳିତ କରେ ଯେଉଁଠାରେ ଵୈଦିକ ଯଜ୍ଞପ୍ରଧାନ ସମାଜରୁ ଆଶ୍ରମ ଵ୍ୟଵସ୍ଥା ଓ କାଵ୍ୟିକ ସୌନ୍ଦର୍ଯ୍ୟ ପ୍ରଧାନ ସମାଜକୁ ପରିଵର୍ତ୍ତନ ହେଲା ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 'ଯାଚ୍ଞା' ଶବ୍ଦର ତିନୋଟି ମୁଖ୍ୟ ଅର୍ଥ ଉଲ୍ଲେଖ ଅଛି । ଏହା ପ୍ରଥମ ଓ ମୂଳ ଅର୍ଥଟି ହେଉଛି ମାଗିଵା ବା ଭିକ୍ଷା କରିଵା । ଏହା ଭିକ୍ଷାଵୃତ୍ତିକୁ ବୁଝାଏ। ରାଧାନାଥଙ୍କ ମହାଯାତ୍ରା କାବ୍ୟରେ ଏହାର ସୁନ୍ଦର ପ୍ରୟୋଗ ଦେଖିଵାକୁ ମିଳେ - "ଗୋଡ଼ାନ୍ତି ସଙ୍ଗତ ଯାଚଞା ପଟୁ ବଟୁଦଳ।" ଏଠାରେ ବଟୁ ଵା ସନ୍ନ୍ୟାସୀମାନଙ୍କର ଭିକ୍ଷା ମାଗିଵା କ୍ରିୟାକୁ ଯାଚ୍ଞା କୁହାଯାଇଛି।

ଦ୍ୱିତୀୟ ଅର୍ଥରେ 'ଯାଚ୍ଞା' ଶବ୍ଦଟି ଵିନୀତ ଅନୁରୋଧ ଵା ପ୍ରାର୍ଥନାକୁ ପ୍ରକାଶ କରେ। ଏଠାରେ ଶବ୍ଦଟି ଅଧିକ ସମ୍ମାନଜନକ ଓ ଆଧ୍ୟାତ୍ମିକ ଭାବ ପ୍ରକାଶ କରେ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କିମ୍ବା କୌଣସି ଵିଷୟରେ ଵିନମ୍ର ଅନୁରୋଧକୁ ଏହି ଅର୍ଥରେ ଯାଚ୍ଞା କୁହାଯାଇପାରେ।

ତୃତୀୟ ଓ ବିଶେଷ ପ୍ରୟୋଗରେ 'ଯାଚ୍ଞା' ଶବ୍ଦଟି କନ୍ୟାକୁ ଵିଵାହ କରିବା ପାଇଁ ପ୍ରସ୍ତାବ ଦେଵାକୁ ବୁଝାଏ। ଏହା ସାମାଜିକ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥ, ଯେଉଁଠାରେ ଵିଵାହ ପ୍ରସ୍ତାଵକୁ ଏକ ଵିନୀତ ନିଵେଦନ ଭାବେ ଦେଖାଯାଏ । 

'ଯାଚ୍ଞା' ଶବ୍ଦର ଵିଶ୍ଳେଷଣରୁ ସ୍ପଷ୍ଟ ହୁଏ କି କିପରି ଗୋଟିଏ ସରଳ ଧାତୁ 'ଯାଚ' ରୁ ଵିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅର୍ଥ ପ୍ରକାଶ କରୁଥିଵା ଏକ ସମୃଦ୍ଧ ଶବ୍ଦର ସୃଷ୍ଟି ହୋଇଛି। ଭିକ୍ଷା ମାଗିଵାର ସରଳ କ୍ରିୟାରୁ ଆରମ୍ଭ କରି ଈଶ୍ୱରୀୟ ପ୍ରାର୍ଥନା ଓ ଵିଵାହ ପ୍ରସ୍ତାଵ ପର୍ଯ୍ୟନ୍ତ ଏହାର ଅର୍ଥ ଵିସ୍ତାର ଏ ଶବ୍ଦର ଵ୍ୟଵହାର ଇତିହାସ ସହିତ ଭାରତୀୟ ସମାଜରେ ସମୟ ସହିତ ହୋଇଥିଵା ସାମାଜିକ ପରିଵର୍ତ୍ତନର କାହାଣୀ ମଧ୍ୟ ପ୍ରକାଶ କରିଥାଏ । ପ୍ରତ୍ୟେକ ଶବ୍ଦ ପଛରେ ଏହିପରି ଗୋଟିଏ ଗୋଟିଏ କାହାଣୀ ରହିଛି ଏଵଂ ସେ କାହାଣୀମାନ ଆମ ପ୍ରାଚୀନ ସମାଜର ଏକ ଚିତ୍ର ପ୍ରଦାନ କରିଥାଏ । 

Monday, September 29, 2025

ମନ୍ମୟ ଶବ୍ଦର ନିରୁକ୍ତି ଏଵଂ ଅର୍ଥ ଆଲୋଚନା

ଆଜିକାଲି ଅନେକେ ଗୋଟିଏ ସଂସ୍କୃତ ନାଆଁ ରଖୁଛନ୍ତି ମନ୍ମୟ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆମେ ଏ ଶବ୍ଦ ଉଣ୍ଡିଲେ ପାଆନ୍ତି ନାହିଁ । ଲୋକପ୍ରିୟ ଓଡ଼ିଆ ପ୍ରାଚୀନ ସାହିତ୍ୟରେ ମଧ୍ୟ ଏ ଶବ୍ଦ ପ୍ରୟୋଗ ହୋଇଥିଵା ଜଣାଯାଏ ନାହିଁ । ତେବେ ହିନ୍ଦୀ ଶବ୍ଦସାଗରରେ ଏ ଶବ୍ଦର ଅର୍ଥ ଉଲ୍ଲେଖ ଅଛି । ହିନ୍ଦୀ ଶବ୍ଦସାଗର ଅନୁସାରେ ଏହାର ସ୍ତ୍ରୀଵାଚକ ଵିଶେଷ୍ୟରୂପ ମନ୍ମଥୀ ଅଟେ । ଏହା ତନ୍ମୟ ଶବ୍ଦର ଵିଲୋମ ଅଟେ । ମନ୍ମୟ ଶବ୍ଦର “ମୋ ମଧ୍ୟରେ ଲୀନ,ମୋ ସହିତ ଅନୁରକ୍ତ” ଆଦି ଅର୍ଥ ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ଅଛି । ଅଵଶ୍ୟ ଅନେକ ସଂସ୍କୃତ କୋଷରେ ଏ ଶବ୍ଦ ସ୍ଥାନ ପାଇଛି । 

ସଂସ୍କୃତ ଶବ୍ଦସାଗରରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ ଓ ମୋ ସମାନ (ଈଶ୍ଵର) ଲେଖାଅଛି । କେପେଲର୍‌ଙ୍କ ଅଭିଧାନରେ ମନ୍ମୟର ଅର୍ଥ ମୋରୁ ଉତ୍ପନ୍ନ, ମୋରୁ ନିର୍ମିତ ଉଲ୍ଲେଖ ଅଛି । ୟେଟ୍‌ସ୍‌ଙ୍କ ସଂସ୍କୃତ କୋଷରେ ମନ୍ମୟର ଅର୍ଥ ମୋରୁ ପୂର୍ଣ୍ଣ (ଈଶ୍ଵର) ଉଲ୍ଲେଖ ଅଛି । ଉଇଲ୍‌ସନ୍‌ ମଧ୍ୟ ତାଙ୍କର ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ, ମୋ ସମାନ (ଈଶ୍ଵର) ଲେଖିଛନ୍ତି । ମୋନିଅର୍ ଉଇଲିୟମ୍‌ସ୍ କୋଲୋନ୍‌ଙ୍କ ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ନିର୍ମିତ, ମୋରୁ ଉତ୍ପନ୍ନ, ମୋରୁ ପୂର୍ଣ୍ଣ, ମୋ ସମାନ ଆଦି ଲେଖାଯାଇଛି । ବେନ୍‌ଫେଙ୍କ ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ, ମୋ ସହିତ ସଂଲଗ୍ନ ଲେଖାଯାଇଛି । 

ଅଧିକାଂଶ ଶବ୍ଦକୋଷରେ ମନ୍ମୟ ଶବ୍ଦର ନିରୁକ୍ତି — ମତ୍ (ମୋରୁ, ପ୍ରଥମ ପୁରୁଷ ସର୍ଵନାମ) ଓ ମୟଟ୍ (ମୟ) ପ୍ରତ୍ୟୟର ସଂଯୋଗ ରୂପେ ଉଲ୍ଲେଖ କରାଯାଇଛି।

ତେଣୁ “ମନ୍ମୟ” ଶବ୍ଦଟି ଦୁଇଟି ଉପାଦାନରୁ ଗଠିତ ବୋଲି ଧାରଣା ସ୍ପଷ୍ଟ ହୁଏ । 

ମତ୍ ଏକ ସର୍ଵନାମ ଏଵଂ “ମଦ୍” (ମୁଁ)ର ଷଷ୍ଠୀ ଵିଭକ୍ତି ରୂପ (ମୋର) ଅଟେ। ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ, ସର୍ଵନାମର ଵିଭକ୍ତି ଗଠନ ସୂତ୍ର ୭.୨.୮୮–୭.୨.୧୧୫ (“ସର୍ଵାଦୀନି ସର୍ଵନାମାନି”) ଅନୁସାରେ ହୁଏ। ଏଠାରେ “ମଦ୍”ରୁ “ମତ୍” ଷଷ୍ଠୀ ଏକଵଚନରେ ଗଠିତ ହୋଇଛି ।

ସେହିପରି ମୟଟ୍ ଏକ ତଦ୍ଧିତ ପ୍ରତ୍ୟୟ,
ଯାହା ପାଣିନୀଙ୍କ ସୂତ୍ର ୫.୩.୫୫ (“ମୟଟ୍‌ଚ”) ଅନୁସାରେ ଯୋଗ ହୁଏ। ଏହି ପ୍ରତ୍ୟୟ “ପ୍ରାଚୁର୍ଯ୍ୟ” (ପୂର୍ଣ୍ଣତା), “ସାଦୃଶ୍ୟ” (ସମାନତା), କିମ୍ବା “ଉତ୍ପତ୍ତି” (ସମ୍ବନ୍ଧ) ଅର୍ଥ ପ୍ରକାଶ କରେ। “ମୟଟ୍” ପ୍ରତ୍ୟୟ ଯୋଗ ହେଲେ ଶବ୍ଦଟି ଵିଶେଷଣ (ଅଦନ୍ତ) ହୁଏ, ଯାହା ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ଓ ନପୁଂସକଲିଙ୍ଗରେ ଵ୍ୟଵହୃତ ହୁଏ (ମନ୍ମୟଃ, ମନ୍ମୟା, ମନ୍ମୟଂ)।

ଅଷ୍ଟାଧ୍ୟାୟୀର ସୂତ୍ର ୪.୧.୮୩ (“ପ୍ରାଗ୍‌ଦୀଵ୍ୟତୋ ଽଣ୍”) ଓ ୫.୩.୫୫ ଅନୁସାରେ, “ମୟଟ୍” ପ୍ରତ୍ୟୟ ଯୋଗ ଦ୍ୱାରା “ମନ୍ମୟ” ଶବ୍ଦ ଗଠିତ ହୁଏ । “ମନ୍ମୟ” ଶବ୍ଦଟି ଵିଭିନ୍ନ ସଂସ୍କୃତ ଶାସ୍ତ୍ର ଓ କୋଶ (ଅମରକୋଶ, ମୋନିଅର-ୱିଲିୟମ୍ସ, କେପେଲର ଆଦି) ଅନୁସାରେ ମୁଖ୍ୟତଃ ତିନୋଟି ଅର୍ଥରେ ପ୍ରୟୋଗ କରାଯାଏ ‌: ମୋରେ ପୂର୍ଣ୍ଣ,ମୋ ସାଦୃଶ୍ୟ ଓ ଓ ମୋଠାରୁ ଉତ୍ପନ୍ନ ।‌

ମନ୍ମୟ ଶବ୍ଦଟି “ମୋରେ ପୂର୍ଣ୍ଣ” (Full of me) ଅର୍ଥରେ ଭଗଵଦ୍‌ଗୀତା (୪.୧୦)ରେ ପ୍ରୟୋଗ ହୋଇଛି ‌। ଭଗଵଦ୍‌ଗୀତା (୪.୧୦)ରେ ଭକ୍ତିଯୋଗ ସମ୍ବନ୍ଧରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି:

"ଵୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ। 
ବହଵୋ ଜ୍ଞାନତପସା ପୂତା ମଦ୍ଭାଵମାଗତାଃ।।"

ଅର୍ଥାତ୍ ଯେଉଁମାନେ ରାଗ, ଭୟ ଓ କ୍ରୋଧରୁ ମୁକ୍ତ, ମୋ’ ଚିନ୍ତାରେ ନିମଗ୍ନ, ମୋ’ ଉପରେ ନିର୍ଭରଶୀଳ ଏଵଂ ଜ୍ଞାନ ଓ ତପସ୍ୟା ଦ୍ୱାରା ଶୁଦ୍ଧ ହୋଇଛନ୍ତି, ସେମାନେ ମୋ’ ଭାବରେ (ମଦ୍ଭାବ) ପ୍ରାପ୍ତ ହୋଇଛନ୍ତି। ଏହି ଶ୍ଲୋକରେ "ମନ୍ମୟ" ଶବ୍ଦର ଅର୍ଥ ହେଉଛି "ମୋ’ ଚିନ୍ତାରେ ନିମଗ୍ନ" ଵା "ଈଶ୍ୱରଙ୍କ ଚିନ୍ତା ଓ ଭାବନାରେ ପୂର୍ଣ୍ଣ"। ଏହା ସୂଚାଏ ଯେ ଭକ୍ତଙ୍କର ମନ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କୁ ସମର୍ପିତ ଏଵଂ ସେମାନେ ତାଙ୍କର ସ୍ମରଣ, ଭକ୍ତି ଓ ସେଵାରେ ଲୀନ ହୋଇଥାଆନ୍ତି।
ଏତଦଵ୍ୟତୀତ ମୋ ପରି ଓ ମୋରୁ ଉତ୍ପନ୍ନ ଅର୍ଥରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଏ । 

ଅଷ୍ଟାଧ୍ୟାୟୀର ସୂତ୍ର ୫.୩.୫୫ (“ମୟଟ୍‌ଚ”) ଅନୁସାରେ “ମୟଟ୍” ପ୍ରତ୍ୟୟ ପ୍ରାଚୁର୍ଯ୍ୟ, ସାଦୃଶ୍ୟ, ଓ ସମ୍ବନ୍ଧ ଅର୍ଥ ପ୍ରକାଶ କରେ। ତେଣୁ “ମନ୍ମୟ”ର ତିନୋଟି ଅର୍ଥ (ପୂର୍ଣ୍ଣତା, ସମାନତା, ଉତ୍ପତ୍ତି) ଵ୍ୟାକରଣିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ। ସୂତ୍ର ୧.୧.୬୬ (“ତସ୍ମାଦିତ୍ୟୁତ୍ତରଂ କର୍ମ”) ଅନୁସାରେ, “ମତ୍” (ମୋର) ଏକ ସର୍ଵନାମ ଭାବେ ଈଶ୍ୱରଙ୍କୁ ସୂଚାଏ, ଯାହା ଶବ୍ଦର ଅର୍ଥକୁ ଆଧ୍ୟାତ୍ମିକ ସନ୍ଦର୍ଭରେ ସ୍ଥାପନ କରେ। ସୂତ୍ର ୫.୪.୫୦ (“ତଦ୍ଭାବୋଽପ୍ରତ୍ୟୟେ”) ସାଦୃଶ୍ୟ ଓ ପ୍ରାଚୁର୍ଯ୍ୟ ଅର୍ଥକୁ ସମର୍ଥନ କରେ ତେଣୁ “ମନ୍ମୟ” ଶବ୍ଦ ଈଶ୍ୱରଙ୍କ ସହ ସାମଞ୍ଜସ୍ୟ ଵା ପୂର୍ଣ୍ଣତା ଦର୍ଶାଏ। 

ଭଗଵଦ୍‌ଗୀତାରେ ପ୍ରୟୋଗ ହୋଇଥିଲେ ମଧ୍ୟ ଏ ଶବ୍ଦ ଏହାର ଉଚ୍ଚ ଆଧ୍ୟାତ୍ମିକ ଅର୍ଥ ଯୋଗୁଁ ଅନ୍ୟାନ୍ୟ ସାହିତ୍ୟରେ ବହୁତ କମ୍ ପ୍ରୟୋଗ ହୋଇଅଛି । ପ୍ରସିଦ୍ଧ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ପ୍ରୟୋଗ ହୋଇଥିଵାର ପ୍ରମାଣ ମିଳେ ନାହିଁ । ତଥାପି ଆଜିକାଲି ଲୋକେ ଏ ଶବ୍ଦ ଵ୍ୟଵହାର କରି ନିଜ ସନ୍ତାନମାନଙ୍କର ନାମକରଣ କରୁଅଛନ୍ତି । 


Thursday, June 19, 2025

ଗୋସିଆଁ : ପ୍ରାଚୀନ କିନ୍ତୁ ପ୍ରଚଳିତ ଓଡ଼ିଆ ଶବ୍ଦ

ଗୋସିଆଁ
ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ପଶୁ ଵା ଦ୍ରଵ୍ୟର ମାଲିକକୁ ବୁଝାଏ। ଏହା ଵ୍ୟତୀତ ଶବ୍ଦଟିର ଅନ୍ୟ ଅର୍ଥ ମଧ୍ୟ ରହିଛି, ଯଥା- ଗୃହସ୍ଵାମୀ, ଭୃତ୍ୟର ସ୍ଵାମୀ, ସ୍ଵାମୀ (ପତି ଵା husband) ଓ ରକ୍ଷକ। ଏହା ଏକ ଵିଶେଷଣ ଶବ୍ଦ ରୂପେ ମଧ୍ୟ ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇ ଵ୍ୟଵହୃତ ହୁଏ। ଉଦାହରଣ ସ୍ୱରୂପ, "ଗୋସିଆଁ ଭୃତ୍ୟ" ଅର୍ଥାତ୍ ଯାହାର ସ୍ଵାମୀ ଵା ମାଲିକ ଅଛି, "ଗୋସିଆଁ ସ୍ତିରୀ" ଅର୍ଥାତ୍ ଯେଉଁ ସ୍ତ୍ରୀର ପତି ଜୀଵିତ ଅଛି ଏଵଂ "ଗୋସିଆଁ ଆଶ୍ରିତ" ଅର୍ଥାତ୍ ଯାହାର ରକ୍ଷକ ଅଛି। 

ଏହି ଶବ୍ଦର ଉପରୂପ ହେଉଛି "ଗୁସିଆଁ" ଓ "ଗୋସେଇଁଆ"। ଓଡ଼ିଆ "ଗୋସିଆଁ" ଶବ୍ଦଟି "ଗୋସ୍ଵାମୀ" ଶବ୍ଦରୁ ଉତ୍ପନ୍ନ ହୋଇଥିଵା ଅନୁମାନ କରାଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ଶବ୍ଦ ଆଜି ମଧ୍ୟ ପ୍ରଚଳିତ ଅଛି ଏଵଂ ଏହାର ପ୍ରାଚୀନତା ଓଡ଼ିଆ ସାହିତ୍ୟରେ ଦେଖିଵାକୁ ମିଳେ।

ଓଡ଼ିଶାରେ ପ୍ରଚଳିତ ଦୁଇଟି ଢଗ ଏହି ଶବ୍ଦର ପ୍ରୟୋଗକୁ ସୂଚିତ କରେ। ପ୍ରଥମ ଢଗଟି ହେଲା:  

“ମାଘେ ମଇଁଷି, ଭୋଦୁଆଁ ଗାଈ, 
ଅଶିଣେ ଘୋଡ଼ା ଗୋସିଆଁ ଖାଇ।”  

ମାଘ ମାସରେ ମଇଁଷି, ଭାଦ୍ରପଦରେ ଗାଈ, ଏଵଂ ଆଶ୍ୱିନ ମାସରେ ଘୋଡା ନିଜ ମାଲିକକୁ ପାଇଁ କ୍ଷତିକାରକ ହୋଇପାରେ ବୋଲି ସମ୍ଭଵତଃ ଢଗରେ ସୂଚୀତ ହୋଇଛି । 

ସେହିପରି ଓଡ଼ିଆରେ ଢଗ ଅଛି
“ପୋଷିଲା ବାଘ ଗୋସିଆଁ ଖାଏ,”  

ଏ ଢଗ ସୂଚୀତ କରେ ଯେ ବାଘ ଭଳି ହିଂସ୍ର ଜୀଵ ଯେତେ ପୋଷିଲେ ବି ସେ ନିଜର ହିଂସ୍ର ସ୍ଵଭାଵ ଯୋଗୁଁ ନିଜ ଗୋସିଆଁକୁ ମାରି ପାରେ । 
ସେହିପରି ଯଦି ମଣିଷ ଵିଶ୍ଵାସଘାତକ ହୁଏ ସେ ମଧ୍ୟ ହିଂସ୍ର ସ୍ଵଭାଵଯୁକ୍ତ ହୋଇପାରେ । 

ତେବେ ଗୋସିଆଁ ଶବ୍ଦର ପ୍ରାଚୀନ ଓ ସାହିତ୍ୟିକ ପ୍ରୟୋଗ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ "ଗୋପାଳ ଓଗାଳ"ରେ ଦେଖିଵାକୁ ମିଳେ । ପଞ୍ଚସଖା ଯୁଗର ଅନ୍ୟତମ କଵି, "ଗୋସିଆଁ" ଶବ୍ଦଟି ଵ୍ୟଵହାର କରି ଲେଖିଛନ୍ତି:

“ଯାହା ପାଇଁ ମୁହିଁ ଘରୁ ଗୋଡ଼ କାଢି଼
କୁଞ୍ଜେ ଯାଉଥିଲି ଧାଇଁ  
ସେଇ ପୁଣି ଆଜି ଭଗାରୀ ସାଜୁଛି  
ମୁହଁ କୁ ଟିକେ ନଚାହିଁ  
କିଛି ଦିନ ପରେ ତାଟକ ହଜିଛି  
ଆଣିବେ ନିଶ୍ଚେ #ଗୋସିଆଁ  
ଶାଶୁ ନଣନ୍ଦ ଙ୍କ ସହିତ ଆସିଣ  
ଦେବେ ଜାଣ ମୋତେ ଚିଆଁ  
ଲଳିତା ହାତକୁ ଧରି ରାଧାରାଣୀ  
କହିଲେ ବଞ୍ଚିବି ନାହିଁ  
ଯମୁନା ଜଳରେ ପୋଡ଼ା ଜୀଵନକୁ  
ନିଶ୍ଚୟ ଝାସିବି ମୁହିଁ  
ଲୁହ ଢାଳି ଢାଳି ରାଇ କିଶୋରୀ  
ଯମୁନା କୂଳକୁ ଗଲେ ବାହାରି...!!”

ସମାଜ ଓ ସାହିତ୍ୟରେ "ଗୋସିଆଁ" ଶବ୍ଦର ଏହି ଵ୍ୟଵହାରରୁ ସ୍ପଷ୍ଟ ହୋଇଯାଏ ଯେ ଗୋସିଆଁ ଗୋଟିଏ ଅଞ୍ଚଳ ଵିଶେଷର ଶବ୍ଦ ନୁହେଁ ଵରଂ ଏକଦା ସାରା ଓଡ଼ିଶାରେ ପ୍ରଚଳିତ ଏକ ଶବ୍ଦ ଥିଲା ।

Monday, January 27, 2025

•ପଲ୍ଵଳ: ଏକ ଵିସ୍ମୃତ ପ୍ରାଚୀନ ଭାରତୀୟ ଶବ୍ଦ•

ପଲ୍ବଳ ଗୋଟିଏ ନିରୋଳ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ତେବେ ଅନେକେ ହୁଏତ ଏ ଶବ୍ଦ ସମ୍ବନ୍ଧରେ ସେତେଟା ଜାଣିନଥିବେ । ଅଵଶ୍ୟ ଛୋଟବେଳୁ ହିଁ ଆମେ ଓଡି଼ଆମାନେ 'ପଲ୍ବଳ' ଶବ୍ଦ ସହିତ ପରିଚିତ ହୋଇଯାଆନ୍ତି କିନ୍ତୁ ଏ ଶବ୍ଦଟିର ଵ୍ୟଵହାର କଥିତ ଭାଷାରେ କି ଲିଖିତ ଭାଷାରେ ସେତେ ନଥିଵାରୁ ଆମେ ଏହାକୁ ପରେ ପରେ ପୋଶୋରି ଦିଅନ୍ତି ।‌ 

ଆମେ ଓଡ଼ିଆମାନେ ଛୋଟବେଳୁ କେମିତି ପଲ୍ବଳ ଶବ୍ଦ ସହିତ ପରିଚିତ ହୁଅନ୍ତି କେହି କେହି ପଚାରି ପାରନ୍ତି। ତେବେ ଅନେକଙ୍କର ହୁଏତ ଆଜି ବି ମନେ ଥିଵ ଯେ ଵର୍ଣ୍ଣବୋଧରେ 'ଵ ଫଳା' ପାଇଁ “ସ୍ୱଭାଵ,ଉଦ୍ୱେଗ,ଈଶ୍ୱର,ନିଃଶ୍ୱାସ,ସମ୍ବଳ,ଗ‌ହ୍ୱର, ଵିହ୍ୱଳ,ରାଜତ୍ୱ,ଆଶ୍ୱିନ,ପଲ୍ୱଳ,ଆହ୍ୱାନ,ତେଜସ୍ୱୀ, ,ତପସ୍ୱୀ,ସତ୍ୱର ଓ ଅନ୍ୱେଷଣ ଆଦି ଶବ୍ଦର ଉଦାହରଣ ରହୁଥିଲା। ତେଣୁ ଛୋଟବେଳେ ଵର୍ଣ୍ଣବୋଧ ପଢ଼ିଥିଵା ଲୋକଙ୍କ ମଧ୍ୟରେ କେହି କେହି ଏବେ ବି ହୁଏତ ପଲ୍ବଳ ଶବ୍ଦଟିକୁ ମନେ ରଖିଥିବେ । ପ୍ରକୃତରେ କ୍ଷୁଦ୍ର ଜଳାଧାର,ଡୋବା ଵା ଚୁଆକୁ ସଂସ୍କୃତ ଭାଷାରେ ପଲ୍ବଳ କୁହନ୍ତି । ଏ ଶବ୍ଦ ବହୁତ ପ୍ରାଚୀନ। 

ମହାଭାରତରେ ପଲ୍ଵଳ ଶବ୍ଦ ପ୍ରୟୋଗ ହୋଇଥିଵା କଥା କଳ୍ପଦ୍ରୁମରେ ଉଲ୍ଲେଖ ଅଛି । ଯଥା :
“ପଲ୍ଵଳାନି ଚ ସର୍ଵ୍ଵାନି ସର୍ଵ୍ଵେ ଚୈଵ ତୃଣୋପଳାଃ ।
ସ୍ଥାଵରଂ ଜଙ୍ଗମଞ୍ଚୈଵ ନିଃଶେଷଂ କୁରୁତେ ଜଗତ୍ ॥”


ସଂସ୍କୃତ କଳ୍ପଦ୍ରୁମରେ ଏହି ଶବ୍ଦର ନିରୁକ୍ତି ଲେଖାଅଛି “ପଳତି ଗଚ୍ଛତି ପିବତ୍ଯସ୍ମିନ୍ ଵା ।ପଳ ଗତୌ ପା ପାନେ ଵା +“ସାନସିଵର୍ଣ୍ଣସିପର୍ଣ୍ଣସୀତି ।” ଉଣାଂ । ୪ । ୧୦୭ । ଇତି ନିପାତନାତ୍ଵଳଚ୍ ପ୍ରତ୍ଯୟେନ ସିଦ୍ଧମ୍” । 

ପଲ୍ ଧାତୁରୁ ଯିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ତେଣୁ ଯେଉଁଠାକୁ ଗୋମେଷାଦି ପାଣି ପିଇଵାକୁ ଯାଆନ୍ତି ତାହା ପଲ୍ଵଳ ଅଟେ । ଭାଵପ୍ରକାଶ ଗ୍ରନ୍ଥରେ 'ପଲ୍ବଳ'ର ଲକ୍ଷଣ(ଅର୍ଥ) ଏମନ୍ତ ଉଲ୍ଲେଖ କରାଯାଇଛି -“ଅଳ୍ପଂ ସରଃ ପଲ୍ଵଳଂ ସ୍ଯାଦ୍ଯତ୍ର ଚନ୍ଦ୍ରର୍କ୍ଷ୍ୟଗେ ରଵୌ । ନ ତିଷ୍ଠତି ଜଳଂ କିଞ୍ଚିତ୍ତତ୍ରତ୍ଯଂ ଵାରି ପାଲ୍ଵଳମ୍ ॥” ସେହିପରି ପଲ୍ବଳର ଗୁଣ ଲେଖାଅଛି “ପାଲ୍ଵଳଂ ଵାର୍ଯ୍ଯଭିଷ୍ଯନ୍ଦି ଗୁରୁ ସ୍ଵାଦୁ ତ୍ରିଦୋଷକୃତ୍ ॥”

ଓଡ଼ିଆ ସାହିତ୍ୟରେ ପଲ୍ଵଳ ଶବ୍ଦର ପ୍ରୟୋଗ ନୂଆ ନୁହେଁ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । 
କଵି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାଵ୍ୟରେ ପଲ୍ଵଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି...

“ରଞ୍ଜକ ଖ୍ୟାତ ନଳୀ ଅଛି ଯୋଖି ।
ମନୋହର ନାଭି ପଲ୍ୱଳ ଦେଖି॥”

ସେହିପରି ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର କରି ଭଞ୍ଜକଵି ପଦେ ରଚିଛନ୍ତି 

“ବନ୍ଧାଇ ହୋଇ ସୁଗ୍ରୀଵେ ମିତ୍ର ବଳ ସାଜି ।
ଵାରିଧି ପଲ୍ୱଳ ଡେଇଁ ଆସିଛି ମୁଁ ଖୋଜି ଯେ ॥”
(ହନୁମାନ ରାବଣକୁ କହିଲା "ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ମିତ୍ରତା ସୂତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।" )

ନାରାୟଣ ଵିପ୍ରଙ୍କ ଵିରଚିତ ପଦ୍ମପୁରାଣରେ ମଧ୍ୟ ପଲ୍ଵଳ ଶବ୍ଦ ପ୍ରୟୋଗ କରାଯାଇଥିଵା ଜଣାଯାଏ। 

“ହାୟନ ଯୁଗ ଆଦି ଯେତେ । ପୂର୍ଵାନୁକ୍ରମେ ଏ ଜଗତେ।। 
ନଦୀ ସାଗର ବାମ୍ଫୀ ସର । ପଲ୍ୱଳ ହ୍ରଦ ଯେ ନିର୍ଝର।। 
ଵୃକ୍ଷ ବଲ୍ଲରୀ ମନୌଷଧି । ଗିରି ନଗର ଗ୍ରାମ ଆଦି।। 
 ଏମାନେ ସ୍ଵାମୀ ଗୁଣେ ଯୁତ। ହୁଅନ୍ତି ସର୍ଵଦା ପୂଜିତ।।”
(ନାରାୟଣ ଵିପ୍ର କୃତ ପଦ୍ମପୁରାଣ)

ତେଣୁ ହଁ କଥିତ ଓଡ଼ିଆ ଭାଷାରେ ସେତେଟା ଵ୍ୟଵହାର ହେଉନଥିଲେ ବି ଓଡ଼ିଆ ଲିଖିତ ସାହିତ୍ୟରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । ଆଜି ବି ଅନେକ କଵି ପଲ୍ଵଳ ଶବ୍ଦ ପ୍ରୟୋଗ କରୁଅଛନ୍ତି । 

ତେବେ ଭାରତଵର୍ଷର କେତେକ ଇଣ୍ଡିକ୍ ଭାଷାରେ ପଲ୍ଵଳ ଶବ୍ଦ ମୂଳରୁ ଅନେକ ଦେଶଜ ଶବ୍ଦ ବି ସୃଷ୍ଟି ହୋଇଛି । 
ପାଲିରେ ପଲ୍ଵଳ ଶବ୍ଦ pallala ହୋଇ ଚଳୁଥିଲାବେଳେ 
ପ୍ରାକୃତରେ ତାହା 𑀧𑀮𑁆𑀮𑀮 (pallala) ହୋଇଥିଲା ।‌ ଏଥିରେ ଜଣାଯାଏ ଯେ ଆଗେ ପଲ୍ଵଳ ଶବ୍ଦଟି ତତ୍କାଳୀନ ଵିଭିନ୍ନ କଥିତ ଇଣ୍ଡିକ୍ ଭାଷାରେ ବି ନାନା ରୂପ ଘେନି ଚଳୁଥିଲା । ପରଵର୍ତ୍ତୀ କାଳରେ ପ୍ରାକୃତ ଓ ପାଲି ଭାଷା ଦେଇ ଏହି ପଲ୍ବଳ ଶବ୍ଦ ମୂଳର pallala ଓ 𑀧𑀮𑁆𑀮𑀮 (pallala) କ୍ରମେ ଧିଵେହୀ ଭାଷାରେ(ମାଳଦ୍ଵୀପ) ފަޅު
 (faḷu) ଓ ସିଂହଳୀ ଭାଷାରେ පල්ලල (pallala) ହୋଇଅଛି । ଏପଟେ ସିନ୍ଧୀ ଭାଷାରେ ବି ପ୍ରାକୃତ ଭାଷା ଦେଇ پَلهَرُ ପଲ୍ହରୁ ଶବ୍ଦ ସୃଷ୍ଟି ହୋଇଛି ‌। 

କିନ୍ତୁ ପଲ୍ଵଳ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ସଗୋତ୍ରୀୟ ଶବ୍ଦ Balto-Slavic ଭାଷା ଲିଥୁଆନିଆ ଓ ଲାଟଵିଅନ୍ ଭାଷା,ଇଟାଲିକ୍ ଭାଷା ଲାଟିନ ଓ Hellenic ଭାଷା ଗ୍ରୀକ୍‌ରେ ବି ରହିଥିଵାର ଆଧୁନିକ ଭାଷାଵିଜ୍ଞାନୀମାନେ ପ୍ରମାଣ କରିଛନ୍ତି । 

ମୂଳ ଭାରୋପୀୟ ଭାଷାରେ*pelH ବୋଲି ଗୋଟିଏ ଶବ୍ଦ ପ୍ରଥମେ ଖଦିର,ଧୂସର,ପାଉଁଶିଆ ଵା Gray ଅର୍ଥରେ ପ୍ରୟୋଗ ହେଉଥିଲା । ପରେ ଏ ଶବ୍ଦ କ୍ଷେତ୍ରରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ତାହା swamp ଵା ଜଳାଭୂମି,marsh ଓ puddle ଆଦି ନାନା ଅର୍ଥରେ ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳିଵାକୁ ଲାଗିଲା । ଯେହେତୁ ଜଳାଭୂମି,ଛୋଟ ଗାଡ଼,ଡୋବା,ଚୁଆ ଓ କ୍ଷୁଦ୍ର ଜଳାଶୟ ଦୂରରୁ ଦେଖିଲେ ଖଦିର,ଧୂସର ଵା ପାଉଁଶିଆ ରଙ୍ଗର ଦେଖାଯାଇଥାଏ ତେଣୁ ହୁଏତ ମୂଳ ଭାରୋପୀୟ ଶବ୍ଦ *pelH କ୍ଷେତ୍ରରେ ଏଭଳି ଶବ୍ଦାର୍ଥ ପରିଵର୍ତ୍ତନ ସମ୍ଭଵ ହୋଇଥାଇପାରେ । ଆଜି ବି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା Pale ଶବ୍ଦଟି ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । ସେହିପରି ପ୍ରାଚୀନ ଗ୍ରୀକରେ ଏହି ମୂଳ ଶବ୍ଦରୁ πηλός(pēlós) ଶବ୍ଦ ସୃଷ୍ଟି ହୋଇ ମୃତ୍ତିକା ଓ କର୍ଦ୍ଦମ ଆଦି ଅର୍ଥରେ ଚଳୁଥିଲା । ଲିଥୁଆନିଆର pelkė (“marsh”) ଓ ଲାଟଵିଅନର peļķe (“puddle”) ଶବ୍ଦ ମଧ୍ୟ ଏହି ମୂଳରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଜ୍ଞାନୀମାନେ ମତ ଦିଅନ୍ତି । ଲାଟିନ ଭାଷାର palūs ଓ palūdis ଇତ୍ୟାଦି ଶବ୍ଦ ବି ଏହି ମୂଳରୁ ସୃଷ୍ଟି ହୋଇଥିଲା ଏଵଂ ଜଳାଭୂମି,ଡୋବା,ଚୁଆ ଓ ଜଳାଶୟ ଇତ୍ୟାଦି ଅର୍ଥରେ ଚଳୁଥିଲା । କିନ୍ତୁ ପ୍ରଶ୍ନ ଆସେ ଯଦି ମୂଳ ଭାରୋପୀୟ ଭାଷାରେ ଆଗେ ପଲ୍ଵଳ ଶବ୍ଦର ମୂଳ ରୂପ *pelH ଶବ୍ଦଟିର ଅର୍ଥ ଧୂସର,ପାଣ୍ଡୁର ଓ ଖଦିର ଥିଲା ଏଵଂ ପରେ ସେହି ଶବ୍ଦରୁ ଇଂରାଜୀ ଭାଷାରେ Pale ଶବ୍ଦ ସୃଷ୍ଟି ହୋଇଛି ତାହେଲେ କ'ଣ ଭାରତରେ ବି କ୍ଷୁଦ୍ର ଜଳଧାରା ଵା ଡୋବା ଇତ୍ୟାଦି ଅର୍ଥଜ ପଲ୍ଵଳ ଶବ୍ଦ ଛଡ଼ା ଅନ୍ୟ କୌଣସି ଶବ୍ଦ ଥିଲା ? 

 Sir. Ralph Lilley Turnerଙ୍କ ଆର୍ଯ୍ୟଭାଷା ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର ୭୯୭୪ ତଥା ୭୯୭୫ତମ ପୃଷ୍ଠାରେ କୁହାଯାଇଛି ଯେ ହଁ ଆଗେ ଭାରତରେ ମଧ୍ୟ 
†*paluva(୰ପଲୁଵ),*palva(ପଲ୍ଵ) ଓ *palvara(ପଲ୍ଵର) ଭଳି ଶବ୍ଦ ଧୂସର,ପାଣ୍ଡୁର ଓ ଖଦିର ଅର୍ଥରେ ଚଳୁଥିଲା। ସେଥିପାଇଁ ତ ଆଜି ବି ସିଂହଳୀରେ Pulu(Grey hair),ପାହାଡ଼ୀ ଶୈଳୀ ଭାଲେଶୀରେ pallrā̃(Grey hair) ଓ ଭଦ୍ରଵାହୀରେ pallar(Grey hair) ଆଦି ଶବ୍ଦ ଚଳୁଅଛି ବୋଲି ରାଲ୍ଫ ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ସଂସ୍କୃତ ଏମିତି ଏକ ଭାଷା ଯହିଁର ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଶବ୍ଦର ସଗୋତ୍ରୀୟ ସମ୍ପର୍କ ତିନି ଵା ତତୋଽଧିକ ଭାରୋପୀୟ ଶାଖାର ଭାଷାରେ ପ୍ରଚଳିତ ଶବ୍ଦ ସହିତ ଥିଵା ଦୃଷ୍ଟିଗୋଚର ହୋଇଥାଏ । *pelH ଭଳି ଗୋଟିଏ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ନାନା ଭରୋପୀୟ ଭାଷାରେ ଗୋଟିଏ ମୂଳ ଶବ୍ଦ ଭିନ୍ନ ଭିନ୍ନ ରୂପ ଧାରଣ କରି ଅନେକ ଅର୍ଥରେ ଚଳିଅଛି ।‌ ପୁଣି ଅନେକ ପ୍ରାଚୀନ ମୂଳ ଭାରୋପୀୟ ଶବ୍ଦ ମଧ୍ୟ ନିଜର ପ୍ରାଚୀନ ଅର୍ଥ ଓ ରୂପ ଘେନି ସଂସ୍କୃତ ଓ ପ୍ରାକୃତ ଆଦି ଭାଷାରେ ଚଳୁଥିଲା ତଥା ଏବେ ବି ତନ୍ମଧ୍ୟରେ କେତେକ ଚଳୁଅଛି । ଶେଷରେ ପଲ୍ଵଳ ଶବ୍ଦର ନିରୁକ୍ତି ଓ ଵ୍ୟୁତ୍ପତ୍ତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖି ଆମ୍ଭେମାନେ ଜାଣିଲେ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ ନିରୁକ୍ତି ଇତିହାସ କେମିତି ଭିନ୍ନ ଭିନ୍ନ ହୋଇପାରେ। ପ୍ରାଚୀନ ଭାରତୀୟ ଭାଷାଵିଦମାନେ ନିରୁକ୍ତି ବଳରେ ମୂଳ ଭାରୋପୀୟ ଶବ୍ଦଗୁଡ଼ିକୁ ଧାତୁ ପ୍ରତ୍ୟୟାଦି ଦ୍ଵାରା ସଂସ୍କୃତ କରିଥିଲେ, ଶୁଦ୍ଧ କରିଥିଲେ କିନ୍ତୁ ଉକ୍ତ ଶବ୍ଦଗୁଡ଼ିକର ଅନ୍ୟାନ୍ୟ ଭାରୋପୀୟ ଭାଷାରେ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଆମକୁ ଜଣାଇ ଦିଏ ଯେ ସେ ଶବ୍ଦର ଇତିହାସ ଅତି ଗହନ ଓ ପ୍ରାଚୀନ ହୋଇପାରେ । 

Monday, July 29, 2024

ଚାଚା ଶବ୍ଦ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଏହାର ଅର୍ଥ

ହିନ୍ଦୀରେ ବାପାଙ୍କ ସାନ ଭାଇକୁ चाचा କୁହାଯାଏ । ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଚାଚା ଶବ୍ଦଟି ସଂସ୍କୃତର ତାତ ଶବ୍ଦର ପରିଵର୍ତ୍ତିତ ରୂପ କିନ୍ତୁ ଆଧୁନିକ ଭାଷାଵିଦମାନେ ଏହାକୁ ଖଣ୍ଡନ କରନ୍ତି ଏଵଂ चाचा ଶବ୍ଦଟି ପ୍ରାଚୀନ ପ୍ରାକୃତ ଶବ୍ଦ *𑀘𑀸𑀘𑁆𑀘 (*cācca)ର ଆଧୁନିକ ରୂପ ବୋଲି ମତ ଦିଅନ୍ତି । ମୂଳ ପ୍ରାକୃତ 𑀘𑀸𑀘𑁆𑀘(ଚାଚ୍ଚ) ଶବ୍ଦଟି ପୁଣି ଏକ ମୌଳିକ ଶବ୍ଦ ଏଵଂ child babblingରୁ ପରେ ସୃଷ୍ଟି ହୋଇଛି( ଯେମିତି ଓଡ଼ିଆ ଭାଷାରେ ବୋଉ ଶବ୍ଦଟି child babblingରୁ ସୃଷ୍ଟ) । କେବେ ପିଲାଟିଏ ତା 'ଦାଦା' ଵା 'କାକା' ଆଗରେ ''ଚା - ଚା'' ଶବ୍ଦ କହି ଦେଇଥିଵ ତାହା ପରେ ଏକ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦରେ ପରିଵର୍ତ୍ତିତ ହୋଇଯାଇଛି । 

ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଛଡ଼ା ପଞ୍ଜାବୀ ଭାଷାଭାଷୀ ଲୋକେ ତଥା ବଙ୍ଗାଳୀ ମୁସଲମାନମାନେ ମଧ୍ୟ ନିଜ କାକାକୁ চাচা(ଚାଚା) ସମ୍ବୋଧନ କରନ୍ତି । Berntsenଙ୍କ "Marathi Teaching Materials" ଅଭିଧାନ ଅନୁସାରେ ମରାଠୀ ଭାଷାରେ चाचा ଶବ୍ଦର ଅର୍ଥ ଦସ୍ୟୁ(Pirate) ଓ highjacker ଅଟେ । ଭାରତରେ ୮୦୦ରୁ ଅଧିକ ପ୍ରଚଳିତ ତେଣୁ ଅନ୍ୟ କୌଣସି ଭାଷାରେ ବି चाचा ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ଥାଇପାରେ । ରୋମାନ ଲିପିରେ ଏହି चाचा ଶବ୍ଦକୁ Chacha ଲେଖାଯାଏ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଉକ୍ତ Chacha ଶବ୍ଦର ନାନା ଅର୍ଥ ପ୍ରଚଳିତ । 

ଜର୍ଜିଅନ୍ ଭାଷାର chacha ଶବ୍ଦ ଇଂରାଜୀ ଭାଷାକୁ ଆସି ପ୍ରଚଳିତ ହୋଇଛି । ଏକ ଜାତୀୟ ଜର୍ଜିଅନ୍ ଦ୍ରାକ୍ଷ୍ୟା ମଦ୍ୟକୁ chacha କୁହାଯାଏ । ଏକ ଜାତୀୟ ପାଶ୍ଚାତ୍ୟ ବାଜାର ନାମ ଚାଚା,ଏକ ଜାତୀୟ ପାଶ୍ଚାତ୍ୟ ସଂଗୀତ ଓ ballroom ନୃତ୍ୟର ନାମ ବି cha cha ଵା cha cha cha ଅଟେ । ପେରୁ ଓ ବୋଲିଭିୟାରେ Aymaran ଭାଷାପରିଵାରର କେତେକ ଭାଷା ବୋଲାଯାଏ ଏଵଂ ତନ୍ମଧ୍ୟରେ ପ୍ରମୁଖ Aymara ଭାଷାରେ ପୁରୁଷ ଓ ପତି ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ(ଯେମିତି ମରଦ ଶବ୍ଦଟି ଉଭୟ ପୁରୁଷ ଓ ପତି ଅର୍ଥରେ ପ୍ରୟୋଗ ହୁଏ) । 

Dragon fruit ନାମରେ ଜଣାଶୁଣା 
Selenicereus ଜାତୀୟ ଗଛଗୁଡ଼ିକ ମୂଳତଃ ଉତ୍ତର ଆମେରିକାର ନାଗଫେଣୀ ଜାତୀୟ ଗଛ । ତେବେ ଏହାର ପ୍ରକୃତ ସ୍ଥାନୀୟ ନାମ pitaya (/pɪˈtaɪ.ə/ପିତୈଅ) ଵା pitahaya(/ˌpɪtəˈhaɪ.ə/ପିତହୈୟ) ଅଟେ । କିନ୍ତୁ ଏହି ନାମଟି Arawakan ଭାଷାପରିଵାରର taino ଭାଷା ମୂଳର ତେବେ ପ୍ରାଚୀନ ଆମେରିକୀୟ Uto-Aztecan ଭାଷାପରିଵାର ଅନ୍ତର୍ଗତ Nahuatl ଭାଷାରେ ଡ୍ରାଗନ୍ ଫଳକୁ chacha କୁହନ୍ତି । 

 ଓଡ଼ିଶାର ବାଲେଶ୍ଵରଠାରେ ଛୋଟପିଲାଙ୍କୁ କଟିଛୁଆ କୁହନ୍ତି,ଗଞ୍ଜାମରେ ଛୋଟ ପୁଅପିଲାକୁ ସ୍ନେହରେ ଦାମୁଡି଼ ଡାକନ୍ତି, ସମ୍ବଲପୁରରେ ଛୋଟ ଝିଅପିଲାଙ୍କୁ ବୁଈ ତଥା ଉପକୂଳରେ ଛୋଟ ପିଲା ଵା ନିଜଠାରୁ ଛୋଟମାନଙ୍କୁ ସ୍ନେହରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରାଯାଏ ଠିକ୍ ସ୍ପାନିଶ୍ ଭାଷାରେ ଛୋଟପିଲାଙ୍କୁ muchacha ସମ୍ବୋଧନ କରନ୍ତି । ତେବେ ଏହି muchacha ଶବ୍ଦଟି ଝିଅ ଓ ପୁଅ ଭେଦରେ ଯଥାକ୍ରମେ chacho (“ପୁଅ") ଓ chacha(ଝିଅ) ହୋଇ ଚଳୁଅଛି । ପୁଣି ସ୍ପେନ ଭାଷା ଵ୍ୟଵହୃତ କେତେକ ଅଞ୍ଚଳରେ 
 ଘର ସଫାସୁତୁରା କରୁଥିଵା maidମାନଙ୍କୁ ବି chacha କୁହାଯାଏ । ସ୍ପାନିଶ୍ ଭାଷାରେ ମୂଳ ଆମେରିକୀୟ Nahuatl ଭାଷାର chachahuatl ଶବ୍ଦଟି chacha ହୋଇ handcuffs ଅର୍ଥରେ ବି ଵ୍ୟଵହାର ହେଉଛି । ସେଇ ସ୍ପାନିଶ୍ ଭାଷାରେ chachar ଶବ୍ଦଟି ଚୋବାଇଵା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହାର ତୃତୀୟ ପୁରୁଷ ଏକ ଵଚନ ଵର୍ତ୍ତମାନ ସୂଚକ ତଥା ଦ୍ବିତୀୟ ପୁରୁଷ ଏକଵଚନ ଆଦେଶାତ୍ମକ ରୂପ chacha ଅଟେ । ଅର୍ଥାତ୍ ସ୍ପାନିଶ୍ ଭାଷାରେ chacha ଶବ୍ଦଟି ଚୋବାଅ ଓ ଚୋବା ଅର୍ଥରେ ପ୍ରୟୋଗ କରାଯାଉଛି । 

ସ୍ପେନ୍ ଦେଶ ନିକଟରେ ଫ୍ରାନ୍ସ୍ ଦେଶରେ ଫ୍ରେଞ୍ଚ୍ ଭାଷା ବୋଲାଯାଏ ଏଵଂ ଏ ଭାଷାରେ Chacha ଶବ୍ଦଟି କିନ୍ତୁ squash ପୁଣି ଏକ ଜାତୀୟ ନୃତ୍ୟ ତଥା ସଂଗୀତକୁ Cha cha ଵା cha cha cha କୁହନ୍ତି । 

Niger–Congo ଭାଷାପରିଵାରର ସ୍ବାହିଲୀ ଭାଷାରେ ଖଟା ହେଵା ଓ ପଚିଵା ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ । ଏଇ ଭାଷାପରିଵାରର swazi ଭାଷାରେ chacha ଶବ୍ଦଟି ଢିଲା ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ । 

ମାତ୍ର ଭାରୋପୀୟ ଭାଷାପରିଵାର ଅନ୍ତର୍ଗତ Celtic ଭାଷାଶାଖାର welsh ଭାଷାରେ ଵିଷ୍ଠା ଅର୍ଥରେ ପ୍ରଚଳିତ cachu ଶବ୍ଦର ଅନ୍ୟ ଏକ ରୂପ ହେଉଛି chacha !

ଓଡ଼ିଆ ଭାଷାରେ ଚାଚା ଶବ୍ଦ ଭଳି କୌଣସି ଶବ୍ଦ ଅଛି କି ନାହିଁ ତାହା ଅସ୍ପଷ୍ଟ, ସମ୍ଭଵତଃ କେହି କେହି ହିନ୍ଦୀଭାଷା ଦ୍ଵାରା ପ୍ରଭାଵିତ ଓଡ଼ିଆ ଵ୍ୟକ୍ତି ନିଜ କକାକୁ ଚାଚା କହୁଥିବେ । ତେବେ ଆମ ଭାଷାରେ ଚାଲିଵା କ୍ରିୟାର ଆଦେଶାର୍ଥକ ନିର୍ଦ୍ଦେଶାର୍ଥକ "ଚାଲ୍ ଚାଲ୍" ଓ "ଚା ଚା" ରୂପ ବି ଚଳୁଅଛି । 

Tuesday, April 16, 2024

ଵୈଦେଶିକ ଦୋକାନ ଶବ୍ଦ ଓ ଏହାର ଦେଶୀୟ ତଥା ଶାସ୍ତ୍ରୀୟ ଓଡ଼ିଆ ପ୍ରତିଶବ୍ଦ

ଅନେକେ କହିବେ ଆରବୀ ଭାଷାର دُكَّان ଶବ୍ଦଟି ଭାରତରେ ଆସି ଦୁକାନ ଓ ଦୋକାନ ହୋଇଅଛି । କିନ୍ତୁ ପ୍ରକୃତରେ ପ୍ରାଚୀନ Aramaic ଭାଷାର דּוּכָּנָא (dukkānā, “dais/ମଞ୍ଚ”) ଶବ୍ଦଟି ଆରବୀରେ ଯାଇ ଦୁକାନ ହୋଇଥିଲା । ପୁଣି ଏହା ମୂଳତଃ Aramaic ଶବ୍ଦ ନୁହେଁ ଵରଂ Akkadian ଭାଷାର ମଞ୍ଚ, ବେଞ୍ଚ; କୋଠରୀ, ଶୋଇବା ଘର, ଘରୋଇ ଚେମ୍ବର ଓ ଵସାଘର ଅର୍ଥଜ 𒆠𒍇 (/⁠takkannu, dakkannu, dukkannu) 
ଶବ୍ଦଟି ଯାଇ Aramaicରେ דּוּכָּנָא(dukkānā) ହୋଇଥିଲା ‌। ତେବେ ଏସମସ୍ତ ଶବ୍ଦର ମୂଳ ଇରାକ ଦେଶର ପ୍ରାଚୀନ ଭାଷା Sumerianର ଏକ ଶବ୍ଦ 𒆠𒍇 (daggan) ଅଟେ ଯାହା ଅତି ପ୍ରାଚୀନ କାଳର ମଧ୍ୟ ପ୍ରାଚ୍ୟରେ "କୋଠରୀ, ଦ୍ୱାର କିମ୍ବା ଏହାର ଫ୍ରେମ୍, କାନ୍ଥରେ ଏକ ସ୍ଥାନ" ଅର୍ଥରେ ଵ୍ୟଵହୃତ ହେଉଥିଲା । ମୋଟ ଉପରେ କହିଵାକୁ ଗଲେ ଦୋକାନ ଶବ୍ଦଟି ମୂଳତଃ ଇରାକ ଦେଶର ଶବ୍ଦ ଏଵଂ ପରେ ମଧ୍ୟପ୍ରାଚ୍ୟରେ ଅର୍ଥ ପରିଵର୍ତ୍ତନ ସହିତ ସର୍ଵତ୍ର ପ୍ରଚଳିତ ହେଵାପରେ ଭାରତରେ ଚଳୁଅଛି ‌। 

ସେ ଯାହାହେଉ ଓଡ଼ିଆ ଭାଷାରେ ବି ଦୋକାନ ଅର୍ଥରେ ଗୋଟେ ଦେଶୀୟ ଶବ୍ଦ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଏଵଂ ସେହି ଶବ୍ଦଟି #କାଣ୍ଡି ଅଟେ । ମାତ୍ର ଗ୍ରାମାଞ୍ଚଳର ଦୋକାନଗୁଡି଼କୁ ହିଁ ପ୍ରାଚୀନ ଓଡ଼ିଆମାନେ କାଣ୍ଡି କହୁଥିଲେ । ଏ ଦେଶରେ ଲୋକେ ଦୋକାନକୁ 'ପସରା' ବି କହୁଥିଲେ ତେଣୁ କଵିସୂର୍ଯ୍ୟ ଲେଖିଲେ "ବସିଛି ଦୁଃଖ ପାସୋରା ବାଢ଼ି ବିରସ ପସରା" (କଵିସୂର୍ଯ୍ୟ, ରତ୍ନାକର ଚମ୍ପୂ ବ. ଗୀତ) । ତେବେ ଏହି ଶବ୍ଦ ସହିତ ସମୋଦ୍ଧୃତ ସଂସ୍କୃତ ଭାଷାର ପ୍ରସର ଓ ପ୍ରସାର ଶବ୍ଦ ମଧ୍ୟ ଦୋକାନ ଅର୍ଥରେ ପ୍ରୟୋଗ ହେଉଥିଲା । 

ମଦ ଦୋକାନକୁ ଓଡ଼ିଶାରେ ମଦଖଟି ଓ ମଦଭାଟି କହୁଥିଲେ। ତାଡ଼ି ଦୋକାନକୁ ତାଡ଼ିଖଟି କହୁଥିଲେ । କଂସାରୀ ଦୋକାନକୁ କୁପ୍ୟଶାଳା କୁହାଯାଉଥିଲା। କୁମ୍ଭାର ଦୋକାନକୁ କୁମ୍ଭଶାଳା କହୁଥିଲେ । ଭଣ୍ଡାରୀ ଦୋକାନକୁ ଖରକୁଟୀ ଓ ନାପିତଶାଳା କୁହାଯାଉଥିଲା । ଵସ୍ତ୍ରାଳୟକୁ ତନ୍ତୁଶାଳା କହୁଥିଲେ । ଅନେକ ଦୋକାନ ଥିଵା ଗଳିକୁ ପଟି ଓ ହାଟ କହୁଥିଲେ । 

ଆପଣ,ଵିପଣି,ପାଣି,ଵିଥିକା,କୁଟି,ଆଵାରି,ଵିପଣପାଣି,ଆସନୀ,ଆଵରିକା,ଵିପଣ,ପଣ୍ୟ ଓ ସାଧୃତ ଭଳି ଅନେକ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ମଧ୍ୟ ଦୋକାନ ଅର୍ଥରେ ଏ ଦେଶର ପୁରାଣ ଶାସ୍ତ୍ରରେ ତଥା ପଣ୍ଡିତମାନଙ୍କ ମଧ୍ୟରେ କଥୋପକଥନ ସମୟରେ ଚଳୁଥିଲା । 

ତେବେ କ'ଣ ହେଲା କେଜାଣି ଇରାକର ଦୋକାନ ଶବ୍ଦଟି ସାରା ଭାରତରେ ଚାରିଆଡ଼େ ମାଡ଼ିଗଲା ।

Friday, February 9, 2024

"ଦଇନି ଶବ୍ଦ ଓ ତାକୁ ନେଇ ଜଣେ ସମ୍ବଲପୁରିଆର କ୍ଷୋଭ"

ଯେତେବେଳେ ସମ୍ବଲପୁରୀ ଗୀତ ହେଲା

“ଜୁହାର୍ ଜୁହାର୍ ମାଁ ଗୋ ସମଲେଶ୍ୱରୀ ମାଁ... 
ତୋର୍ ପାଦେ କରୁଛେ ଦଇନି”

ଆମ୍ଭେ ତାହା ଶୁଣି ଯହ ଉଷତ ହେଲୁ ଯାହା ହେଉ ଆମର ଦଇନି ଭଳି ଗୋଟେ ଅଏନ୍ ଶବ୍ଦଟେ ଅଛି ଯୋଉଟା ଉପକୂଳିଆଙ୍କ ପାଖରେ ନାହିଁ !!!

ଯଦି ଉପକୂଳିଆଙ୍କ ପାଖରେ ଦଇନି ଶବ୍ଦ ଥାଆନ୍ତା ତାହେଲେ ସେମାନେ ତାଙ୍କ ଓଡ଼ିଆ ଇଷ୍ଟଦେଵୀ ମଙ୍ଗଳାଙ୍କର ସ୍ତୁତି ଗାଇଲା ବେଳେ କାହିଁକି ବୋଲୁନାହାନ୍ତି "ଜୟ ଜୟ ମାଆ ମଙ୍ଗଳା ତୋର ପାଦେ କରୁଛି ଦଇନି" ? 

ଆମ୍ଭର ଜଣେ ସଇ କହିଲେ "ବାବୁ ରାଧାନାଥ ରାୟଙ୍କ ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣରେ ପରା ଦଇନି ଶବ୍ଦ ଵ୍ୟଵହାର ହୋଇଛି 

“ଉଠ ଉଠ, ବାବୁ ଯିଵ ନଵରେ ବାହୁଡ଼ି,
ଚାହିଁଥିବେ ତୋର ବାଟ ଭାନୁମତୀ ମାଏ ;
ମାଏ ପୋଏ କଲ ମୋତେ ଅନେକ ଦଇନି,
ବାହୁଡ଼ି ନ ଯାନ୍ତି ଯଥା କୃଷ୍ଣ ଅପମାନେ,
ପଡ଼ା ପାଞ୍ଚଖଣ୍ଡି ମାଗିଥିଲେ ଯଦୁପତି,
ବେନି ପଡ଼ା ଦେଵା। ଲାଗି ତୁମ୍ଭେ କର ଅଳି ।”

ଆମ୍ଭେ ତାଙ୍କ କଥାକୁ ଆଦୌ ମାନି ପାରିଲୁ ନାହିଁ । ଆମ୍ଭେ ଶୁଣିଛୁ ରାଧାନାଥ ରାୟ କୁଆଡେ଼ ପଶ୍ଚିମ ଓଡ଼ିଶା ବୋଇଲେ ବାମଣ୍ଡାକୁ ଆସିଥିଲେ । ହୁଏତ ସେ ଦଇନି ଶବ୍ଦଟି ବାମଣ୍ଡାରୁ ପାଇ "ଦୁର୍ଯ୍ଯୋଧନଙ୍କର ରକ୍ତନଦୀ ସନ୍ତରଣ" ପଦ୍ୟରେ ଏ ଶବ୍ଦକୁ ପ୍ରୟୋଗ କରି ଦେଇଛନ୍ତି । 

କିନ୍ତୁ ଆମ୍ଭେ ଏକବାରେ ନିରାଶ ହେଲୁ ଯେତେବେଳେ ଆମ୍ଭ ସଇ ଆହୁରି ଅନେକ ଓଡ଼ିଆ କଵି ବି ଦଇନି ଶବ୍ଦକୁ ଏହାଙ୍କର ବହୁ ପୂର୍ଵରୁ ପ୍ରୟୋଗ କରିଯାଇଛନ୍ତି ବୋଲି ଆମ୍ଭକୁ ଦେଖେଇ ଦେଲେ...

ଯଥା:-
ଯଶୋଵନ୍ତ ଦାସ ପ୍ରେମଭକ୍ତିଗୀତାରେ ଲେଖିଛନ୍ତି 

“ବୋଲଇ ଅତି ସ୍ନେହଭରେ, ଦଇନି କରି କାକୁସ୍ତରେ।”

ବାଲି ତୃତୀୟା ଓଷା ଗୀତରେ ବି ସେଇ ଦଇନି ଶବ୍ଦଟି ଅଛି

“ଭଵସାଗରେ ପଡ଼ି ମୁଁ କରୁଛି ଦଇନି । 
ପ୍ରସନ୍ନେ ସୌଭାଗ୍ୟ ଦିଅ ହେ ସିଂହଵାହିନୀ ।”

ଏତିକି କ'ଣ ଅଳପ ଥିଲା ଯେ ଦେଖିଲାବେଳକୁ ଗଞ୍ଜାମର ବି କୃଷ୍ଣ ସିଂହ ମଧ୍ୟ ତାଙ୍କ ପାଞ୍ଚଶହ ଵର୍ଷ ପୁରୁଣା ମହାଭାରତ ଗ୍ରନ୍ଥରେ ଦଇନି ଶବ୍ଦଟି ଦୟିନି ରୂପେ ଵ୍ୟଵହାର କରି ଦେଇଛନ୍ତି 

“ଇନ୍ଦ୍ର ଅଗ୍ନି ବରୁଣ ଆଦି ଦେବେ ମାନି; କରନ୍ତି ନିତି ସ୍ତୁତି ହୋଇଣ ଦୟିନି।” (କୃଷ୍ଣସିଂହ ମହାଭାରତ, ଵନ ପର୍ଵ)।

ପୁଣି ଏତିକିରେ ତାଙ୍କ ମନ ଶାନ୍ତି ହେଲାନି ଯେ ସେଇ ଶବ୍ଦକୁ ଦଇନ୍ୟ କରି ଆଉ ପଦେ ସେଇ ଵନପର୍ଵରେ ଲେଖିଦେଇ ଯାଇଛନ୍ତି 

“ଜରା ମୃତ୍ୟୁ ଶୋକ ଯେ ଦୌର୍ବଲ୍ୟ ଦଇନ୍ଯ।” 

ତଥାପି ଆଶା ଥିଲା ଓଡ଼ିଆ ଭାଗଵତରେ ତ ଏ ଶବ୍ଦଟି ପାଇଲୁ ନାହିଁ ତେଣୁ କୃଷ୍ଣସିଂହ ନିଶ୍ଚେଁ ଆମ ସମ୍ବଲପୁରର ଲୋକ କହି ଆମ୍ଭ ସଇଙ୍କୁ ଏକବାରେ ଠକି ଦେବୁ 

ହେଲେ ହାୟ ! ଘୋର ଅନ୍ୟାୟ ହୋଇଗଲା ଦେଖିଲାବେଳକୁ କ'ଣ ନା ସାରଳା ମହାଭାରତରେ ବି ଏ ଦଇନି ଶବ୍ଦଟା ଵ୍ୟଵହାର ହୋଇଛି । 

“ଶୁଣି ଅମ୍ୱିକା ଅମ୍ୱାଳିକା କରନ୍ତି ଦଇନି କେମନ୍ତେ କରିବୁଂ ୟେହା ହୋଇଵ ଧର୍ମହାନି ।”

ଆମ୍ଭ ପୈତୃକ ପ୍ରାଣ ତାଙ୍କ ଏ ପଦଟି ପଢ଼ି କାନ୍ଦି ଉଠିଛି । ନା ନା ନିଶ୍ଚୟ ଏ ଶବ୍ଦଟା ହିନ୍ଦୀ ମରାଠୀ ବଙ୍ଗାଳୀରେ ଥିଵ ବୋଲି ଯାସ୍ତି ଅଭିଧାନ ଆଡ଼େଇଲୁ କିନ୍ତୁ କୋଉଠି ପାଇଲୁ ନାହିଁ । ତାହେଲେ କ'ଣ ପାଞ୍ଚଶହ ସାତ ଶହ ଵର୍ଷ ଆଗରୁ ଆମ ଶବ୍ଦଟା ଉପକୂଳ ଆଡ଼େ ଚୋରି ହୋଇଯାଇଥିଲା ?

ସଇ କହିଲେ ନାଇଁ ହେ 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୈନ୍ୟରୁ ଦଇନି ହୋଇଛି ବୋଲି ପା ଲେଖା ହେଇଛି । 

ମାତ୍ରକ ଆମ୍ଭର ତଥାପି ଶଙ୍କା ରହିଲା ;କାରଣ ସଂସ୍କୃତ ଭାଷାରେ ତ ଦୈନ୍ୟ ଶବ୍ଦର ଅର୍ଥ ଦୀନତା, ଦାରିଦ୍ର୍ୟ,କାତରତା,ମନୋଦୁଃଖ,ସନ୍ତାପ ଇତ୍ୟାଦି ଥିଲା ତାହେଲେ ତାହା ଵିନୟୀ ଵଚନ ଓ ଗୁହାରି କରିଵା ଅର୍ଥରେ କେମିତି ଵ୍ୟଵହୃତ ହେଲା ?

ଆହେ ଦେଖୁ ଦେଖୁ ହେଇ ସଇ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁଣି ଦୈନ୍ୟ ଶବ୍ଦକୁ କାତର ପ୍ରାର୍ଥନା ଅର୍ଥରେ ତାଙ୍କ ପ୍ରେମ ସୁଧାନିଧି କାଵ୍ୟରେ ପ୍ରୟୋଗ କରି ଦେଇଛନ୍ତି ବୋଲି ଆମ୍ଭକୁ ଦେଖେଇ ଦେଲେ ...

“ବୋଲ ଯେ ଦୈନ୍ୟ ସନ୍ତତେ ତତେ।”( ଭଞ୍ଜ. ପ୍ରେମସୁଧାନିଧି.)

ଏସବୁ ତଥ୍ୟ ଦେଖିଲା ଜାଣିଲା ପରେ ଆମ୍ଭ ପୈତୃକ ପ୍ରାଣ ଏବେ ଦ୍ଵନ୍ଦ୍ବରେ ...! 

ବୋଧହୁଏ ଓଡ଼ିଆ ଲୋକମାନେ ସଂସ୍କୃତ ଦୈନ୍ୟ ଶବ୍ଦର ସ୍ଵତନ୍ତ୍ର ପ୍ରୟୋଗ କରିଛନ୍ତି ଯାହା ପରେ ଦଇନ୍ୟ ,ଦୟିନୀ ଓ ଦଇନି ହୋଇଯାଇଛି !

ବଡ଼ ପସ୍ତେଇଲୁ ...!
ଆହା ଆମେ ଏତେ ପ୍ରାଚୀନ ଓଡ଼ିଆ ଶବ୍ଦଟେ ଆମ କଥିତ ଭାଷାରେ ବଞ୍ଚେଇ ରଖିଛୁ ତଥାପି ଓଡ଼ିଆ ଭାଷାକୁ, ଓଡ଼ିଆ ଜାତିକୁ ଆମ ଉପକୂଳିଆ ଭାଇମାନଙ୍କୁ ଭୀଷଣ ଘୃଣା କରୁଛୁ ? 
😭😭😭

Friday, February 2, 2024

ସୁକୁଟ ~ କ୍ରମଶଃ ହଜିଯାଉଥିଵା ଏକ ନିଆରା ଓଡ଼ିଆ ଶବ୍ଦ

ସୁକୁଟ ଏକ ଵ୍ୟଙ୍ଗାର୍ଥକ ଓଡ଼ିଆ ଵିଶେଷ୍ୟ ଶବ୍ଦ । କାଳକ୍ରମେ ଏ ଶବ୍ଦଟି ହଜିଵାକୁ ବସିଲାଣି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ସୁକୁଟ ଶବ୍ଦର ନାନା ଅର୍ଥର ଉଲ୍ଲେଖ ରହିଛି । ମୁଖ୍ୟତଃ କଳିକଜିଆ, ଅନର୍ଥ ଓ ଦ୍ୱନ୍ଦ୍ୱକୁ ସୁକୁଟ କୁହାଯାଏ । କେହି ପର ଗାଆଁରୁ ଆସି ନିଜ ଗାଆଁରେ କଳି ଲଗେଇଲେ ଵା ଝଗଡ଼ାଝାଟି କଲେ ଲୋକେ କୁହନ୍ତି "ଅମୁକେଇ ଏ ଗାଁଆକୁ ଆସି ସୁକୁଟ ଲଗାଇଛି/ଲଗାଉଛି" । ଅଭିନୟ; ନାଟ; ନୃତ୍ୟ ଅର୍ଥରେ ବି ସୁକୁଟ ଶବ୍ଦ ଵ୍ୟଵହାର କରାଯାଏ। କାହା ଘରେ ନିତି କଳିଝଗଡ଼ା ଲାଗିଲେ ବି ଲୋକେ କୁହନ୍ତି "ଅମୁକେଇ ଘରେ ସୁକୁଟ ଲାଗିଛି।" ପୁଣି ଲାଞ୍ଛନା; ହଟାହଟାକୁ ସୁକୁଟ କୁହାଯାଏ । ନିଜେ କେତେ ହଟହଟା ହେଉଛନ୍ତି ଜଣାଇ ଦେଵା ପାଇଁ ଲୋକେ କୁହନ୍ତି "ତୁ ମୋ ସୁକୁଟ ଦେଖୁଛୁ।" ସୁକୁଟ ଶବ୍ଦକୁ ନେଇ ଦୁଇଗୋଟି ଓଡ଼ିଆ କ୍ରିୟାଶବ୍ଦ ବି ଚଳୁଅଛି ‌। 
ପରର ଦୁଃଖ ଵା ଲାଞ୍ଚନାଭୋଗକୁ ଆନନ୍ଦ ସହିତ ଦେଖିଵାକୁ "ସୁକୁଟ ଦେଖିଵା" ବୋଲାଯାଏ ଠିକ୍ ସେହିପରି ଅନର୍ଥ ଵା କଳି ଭିଆଇଵାକୁ ସୁକୁଟ ଲଗାଇଵା,ସୁକୁଟ ଲଗାଇ ଦେଵା କୁହାଯାଏ ‌ । ଆଉ କେହି କେହି ଦୁଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଉପୁଜାଇ କଳି ଲଗାଇଵାକୁ ସୁକୁଟ କରିଵା କହିଥାନ୍ତି । ସୁକୁଟ ଶବ୍ଦଟି "ପୁରୀ ବୋଲି" ତଥା "ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷା" ପୁସ୍ତକ ଦ୍ଵୟରେ ଥିଵାରୁ ସ୍ପଷ୍ଟ ହୋଇଯାଏ ଯେ ଏହି ଶବ୍ଦଟି ବହୁତ ସମ୍ଭଵ ପୁରୀ,ଗଞ୍ଜାମର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଅଛି ‌ । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ସୁକୁଟ ଶବ୍ଦଟି ପୁରୀ,ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଯଥାକ୍ରମେ ଅନ୍ୟର ଵିଵାଦ ଵା ଦୁଃଖ ଦେଖି ସୁଖି ହେଵା ତଥା ଅନର୍ଥ ଲାଞ୍ଛନା ଅର୍ଥରେ ଵ୍ୟଵହୃତ ହୋଇଥାଏ ବୋଲି ଲିଖିତ ହୋଇଛି । 

ପ୍ରାଚୀନ ସାହିତ୍ୟରେ ସୁକୁଟ ଶବ୍ଦର ପ୍ରୟୋଗ ସମ୍ବନ୍ଧୀୟ ସେଭଳି କୌଣସି ତଥ୍ୟ ମିଳିପାରେ ନାହିଁ ତେବେ ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ପ୍ରଚଳିତ ଲୋକଵାଣୀରେ ଏ ଶବ୍ଦ ନିଶ୍ଚୟ ଵ୍ୟଵହୃତ ହୋଇଅଛି । 

“ଏହି ପେଟ..., 
ଏହି ପେଟଲାଗି ବଙ୍ଗଳା ବାଟ, ଏହି ପେଟଲାଗି ଛଟପଟ,
ଏହି ପେଟ ଲାଗି ଧାନକୁଟ, 
ଏହି ପେଟଲାଗି ନଟକୂଟ,
ଏହି ପେଟଲାଗି ବସିଛି ହାଟ, ଏହି ପେଟଲାଗି ତେନ୍ତୁଳି ଛାଟ, ଏହି ପେଟ ଲାଗି ତଣ୍ଟି କାଟ,
ଏହି ପେଟଲାଗି ବଦନ ହେଟ, ଏହି ପେଟଲାଗି ଦେଖ ସୁକୁଟ, ଏହି ପେଟଲାଗି ଯମର ଭେଟ ।”

ସୁକୁଟ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଅସ୍ପଷ୍ଟ । ଅନୁମାନ କରାଯାଇପାରେ ଯେ ହୁଏତ ଶବ୍ଦଟି "ଶୁଷ୍କ କୂଟ"ରୁ ସୃଷ୍ଟି ହୋଇଥାଇପାରେ । ଶୁଷ୍କ କଳହ,ଶୁଷ୍କ ଵିଵାଦ ଓ ଶୁଷ୍କ ତର୍କ ଭଳି ଶବ୍ଦ ଥିଵାରୁ ଏଭଳି ଅନୁମାନ ଅମୂଳକ ନୁହେଁ । ପୁଣି ଅତି ଅର୍ଥଜ 'ସୁ' ଶବ୍ଦ ସହିତ କପଟ ଅର୍ଥଜ 'କୂଟ' ଶବ୍ଦ ଯୁକ୍ତ ହୋଇ ମଧ୍ୟ ସୁକୁଟ ଶବ୍ଦଟି ସୃଷ୍ଟି ହୋଇଥାଇପାରେ। 

 

Thursday, January 25, 2024

ଓଡ଼ିଆ ଭାଷାର କାଠ ଶବ୍ଦ ସମ୍ଭାର

କାଠ ଶବ୍ଦଟି ଅନେକ ଭାରତୀୟ ଭାଷାରେ ଥିଲେ ବି ସର୍ଵାଧିକ ଓଡ଼ିଆ ଭାଷାରେ ଵ୍ୟଵହୃତ ହୋଇଥାଏ । ସଂସ୍କୃତ ଭାଷାରେ କାଷ୍ଠ ଶବ୍ଦ ରହିଛି,ତେବେ ପ୍ରାକୃତ ଭାଷାରେ କାଟ ଓ କାଠ ଶବ୍ଦ ଥିଲା । ଏହି ପ୍ରାକୃତ ମୂଳର କାଠ ଶବ୍ଦ ଆଜି ବି ଓଡ଼ିଆ ଭାଷାରେ ଶୁଦ୍ଧ ମୂଳ ଅକାରାନ୍ତ 
ଉଚ୍ଚାରଣ ସହିତ ବଞ୍ଚି ରହିଛି । ଓଡ଼ିଆ ଭାଷାରେ ତେବେ କାଠ ଶବ୍ଦଟି ନାନା ଅର୍ଥରେ ଵ୍ୟଵହୃତ ହୋଇଥାଏ । ଦାରୁ ଵା ଵୃକ୍ଷର କଠିନ ଅଂଶକୁ ଇଂରାଜୀ ଭାଷାରେ Wood କୁହନ୍ତି କିନ୍ତୁ ଓଡ଼ିଆ ଭାଷାରେ କାଠ କୁହାଯାଏ । ସାଧାରଣତଃ ବୃକ୍ଷର ବକଳା ତଳେ ଥିଵା କଠିନ ଅଂଶକୁ କାଠ କହନ୍ତି। ଇନ୍ଧନ ଵା ଜାଳଣିକାଠକୁ ଇଂରାଜୀରେ Fuel କୁହନ୍ତି କିନ୍ତୁ ଓଡ଼ିଆ ଭାଷାରେ ତାକୁ ବି କାଠ କୁହାଯାଏ। କାଠନିର୍ମିତ ଠେଙ୍ଗା; ଲାଠି ଵା Wooden stickକୁ ବି ଓଡ଼ିଆ ଭାଷାରେ କାଠ କୁହାଯାଇଥାଏ । ଘରର ଖୁଣ୍ଟ, କଡ଼ି, ଶଗଡ଼ ଆଦି ନିର୍ମାଣ କରିବାପାଇଁ ବ୍ଯବହୃତ ବଡ଼ ଗଛର ଟାଣ କାଠକୁ ମଧ୍ୟ କେଵଳ କାଠ କୁହାଯାଇଥିଵା ଦୃଶ୍ୟ ହୁଏ । ସେହିପରି ଅନ୍ୟ ଦ୍ରଵ୍ୟ ଵା ଜୀଵିତ ଅଥଵା ନିର୍ଜୀଵ ଵସ୍ତୁ କ୍ଷେତ୍ରରେ ମଧ୍ୟ ଟାଣୁଆ, ଶକ୍ତ,କଠିନ,
ଶୁଖିଲା, ଶୁଷ୍କ, କାଠୁଆ ଓ ବହଳିଆ ଆଦି ଅର୍ଥରେ କାଠ ଶବ୍ଦଟି ଵ୍ୟଵହୃତ ହୋଇଥାଏ । 
ଭାଵ କ୍ଷେତ୍ରରେ ଲକ୍ଷଣାର୍ଥ ନିର୍ଦ୍ଦୟ; କରୁଣାହୀନ; ନିଷ୍ଠୁର ଲୋକଙ୍କୁ କାଠ କୁହନ୍ତି । ପୁଣି କଷ୍ଟସହ ଵା Inured to pain ଅର୍ଥରେ କାଠ ଶବ୍ଦ ପ୍ରୟୋଗ କରାଯାଏ । 
ଉଦାହରଣ ସ୍ୱରୂପ “ଅପରେସନ୍ ହେଲା ବେଳେ ମୁଁ ଦିହକୁ କାଠ କରିଦେଲି।” ଭୟ ଵା ଵିସ୍ମୟରେ କିଂକର୍ତ୍ତଵ୍ୟଵିମୂଢ଼ ସ୍ଥିତିକୁ ମଧ୍ୟ କାଠ କୁହାଯାଏ । ଯଥା—“ମୁଁ ଯୁଦ୍ଧକ୍ଷେତ୍ରରେ ହଟ୍ଟଗୋଳ ଦେଖି କାଠ ହୋଇଗଲି।” ନୀରଵ; ନିଶ୍ଚଳ; ନିଷ୍ପନ୍ଦ ସ୍ଥିତିକୁ କାଠ କୁହାଯାଏ । ଯଥା— “ସିଏ କାଠ ପରି ପଡ଼ିରହିଛି ହଲୁନି କି ଚଙ୍କୁନି ।”

କାଠ ଶବ୍ଦ ଯୁକ୍ତ ହୋଇ ଅନେକ ଯୌଗିକ ଓଡ଼ିଆ ଶବ୍ଦ ରହିଛି । ତେବେ ଅଭିଧାନରେ 
ତନ୍ମଧ୍ୟରୁ ହୁଏତ ଅନେକ ସ୍ଥାନ ପାଇନଥିଵ ।‌ ନିମ୍ନରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା କଥିତ ଓଡ଼ିଆ ଶବ୍ଦକୋଷରେ ଥିଵା କାଠ ଶବ୍ଦଯୁକ୍ତ ଶବ୍ଦଗୁଡ଼ିକର ସୂଚୀ ପ୍ରଦାନ କରାଗଲା...

•କାଠ ଅଡ଼ା—କାଠରେ ତିଆରି ଛୋଟ ହତାଯୁକ୍ତ ଅଣକ
•କାଠଆମିଳିତିପିତି—
କାଠୁଆ ଅମ୍ଳପିତ୍ତ
•କାଠ ଉଲମି — କାଠରେ
ଲାଗିଥିଵା ଉଈ
•କାଠକଇଞ୍ଚ—ଏକ ପ୍ରକାର ସ୍ଥଳଚର କଇଞ୍ଚ । ଏମାନେ ସାଧାରଣତଃ ଜଙ୍ଗଲରେ ରୁହନ୍ତି ।‌ ଏହାର ପିଠି ଜଳଚର କଇଞ୍ଚ ଅପେକ୍ଷା ବେଶି ଦେଉଳିଆ ଓ କୁଜା ହୋଇଥାଏ।
•କାଠକଟା— କାଠହଣା ଚଢେ଼ଇ
•କାଠକରମା — କମଳାଲେମ୍ବୁ
•କାଠକଳମ—ବାଡ଼ ବୁଜିଵାପାଇଁ ଵ୍ୟଵହୃତ ଗଛ ଯାହା ଅମରୀ ନାମରେ ଜଣାଶୁଣା,କାଠରେ ତିଆରି କଲମ, ଗବଗଛ
•କାଠକରୁଣା— କମଳାଲେମ୍ବୁ 
•କାଠକାଗଜ — ଶିରିସ କାଗଜ
•କାଠକେଞ୍ଚୁଆ—ଏକଜାତୀୟ ଛୋଟ କଇଞ୍ଚ । ଏହା ଦେହର ବ୍ୟାସ ୬"; ପିଠି ସାଧାରଣ କଇଁଚଙ୍କ ପିଠି ଅପେକ୍ଷା ଅଧିକ ଦେଉଳିଆ ଓ କୁଜା।
•କାଠଖପର —ଛପର, ଖପରିଲ
ଛପର
•କାଠଖୁମ୍ଫା/କାଠଖୁମ୍ପି— କାଠହଣା ଚଢେଇ
•କାଠଗଡ଼—ଲମ୍ବା ମୋଟ କାଠଖଣ୍ଡ
•କାଠଗଡ଼ା— ଵିଚାରାଳୟର
ମିଶାଲ, ଵିଚାରପତିଙ୍କୁ ବୟାନ ଦେଵା ପାଇଁ ନିର୍ମିତ ଗଡ଼ା
କାଠଗଡ଼ି—ଲମ୍ବା ମୋଟ କାଠଖଣ୍ଡ । (ଅଜଗର ତ କାଠଗଡ଼ି ପ୍ରାୟ ହୋଇ—କୃଷ୍ଣସିଂହ, ମହାଭାରତ ଵନ।)
କାଠଗଣ୍ଡି—ଡାଳ ଓ ଚେର ଅଂଶ ବାଦ ଦିଆଯାଇଥିଵା ଵୃକ୍ଷର ମୋଟ ଓ ଲମ୍ବ ଅଂଶ, ଲମ୍ବ ଓ ମୋଟା କାଠଖଣ୍ଡ(ସତ୍ୟଵାନ ଦେହୁଁ ଜୀଵନ ଯହୁଁ ଗଲା କାଠଗଣ୍ଡି ପରି ଦେହ ପଡ଼ିଣ ରହିଲା। କୃଷ୍ଣସିଂହ, ମହାଭାରତ ଵନ।)
•କାଠଗଣ୍ଡିଆ— ଅଳସୁଆ
•କାଠଗୋଲା — କାଠଵିକ୍ରୟ
କେନ୍ଦ୍ର, କାଠ ଗୋଦାମ
•କାଠଗୋଲାପ— ଏକ ଜାତୀୟ ଜଙ୍ଗଲୀ ଗୋଲାପ
•କାଠଘୋଡ଼ଚି/କାଠଘୋଡ଼ା— କାଷ୍ଠନିର୍ମିତ କ୍ରୀଡ଼ନକ ଘୋଡ଼ା
“ବାଇ ହୋଇଛୁ କି ବାଳୁତ ଭାଇ। କାଠଘୋଡ଼ା କି ପାଣି ପିଇ।” (କାହାଣୀ ଗୀତ),କାଠର ବେଞ୍ଚକୁ ବି କାଠଘୋଡ଼ା କୁହନ୍ତି ଯେହେତୁ ଏହା ଘୋଡ଼ା ପରି ହୋଇଥାଏ ଵା ଏହା ଚାରିଗୋଟି କାଠଗୋଡ଼ ଉପରେ କାଠ ଘୋଡ଼େଇ ନିର୍ମିତ ହୋଇଥାଏ 
•କାଠଚମ୍ପା—ଧଳା ଓ ନାଲି ଦୁଇ ଜାତିର ଫୁଲ ଓ ତହିଁର ଗଛ; ଗୁଲ୍ ବାସ,ଏକପ୍ରକାର ଘଡ଼ିବାଣ ଵା ଫଟାକି 
•କାଠଛତୁ—କାଠ ଉପରେ ଉଠୁଥିଵା ଏକ ଜାତୀୟ ଶକ୍ତ ଛତୁ
•କାଠଜନ୍ଦା—ଗଛରେ ରହୁଥିଵା ଏକଜାତୀୟ ପିପୀଲିକା । ଏମାନେ ଜନ୍ଦାଖାଇ ଆଦି ଗଛର ବକଳ ତଳେ ଥିଵା ସନ୍ଧିରେ ବସା କରି ରହନ୍ତି।
•କାଠଟୁକୁ/କାଠଠୁକୁ— କାଠହଣା ଚଢେଇ
•କାଠଠୋକରା— କାଠହଣା ଚଢେ଼ଇ
•କାଠନେକାର—ଶୁଷ୍କ ବମନ; ଶୁଖିଲା ଅଇ; ଯେଉଁ ଅଇରେ ବାନ୍ତି ଆଦି ବାହାରେ ନାହିଁ
•କାଠପଟାଳି— ଜଳପଥରେ
ସ୍ଥାନାନ୍ତରି ସମ୍ବନ୍ଧ ବହୁ କାଠଖଣ୍ଡ;କାଠଭେଳା

•କାଠପତର—ଶାଳୁଆ ଗଛର ପତ୍ର । ଏ ପତ୍ର ଶୁଖିଗଲେ ମଧ୍ୟ ବହୁକାଳସ୍ଥାୟୀ ଓ ଟାଆଁସା ରହେ। ଏଥିପାଇଁ ଏ ପତ୍ରରେ ମସଲା ଆଦି ରଖି ପୋଟଳା ବନ୍ଧାଯାଏ ଏଵଂ ଗୁଡ଼ିଏ ପତ୍ରକୁ ଲଗାଲଗି କରି ସିଲେଇ କରି ଏହି 'ଖଲିପତର'ରେ ଲୋକେ ଭାତ ଆଦି କୁଢ଼ାଇ ଖାଆନ୍ତି ଓ ଏ କାଠପତରରେ ଦନା, ଠୋଲା ଆଦି ମଧ୍ୟ କରାଯାଏ। 
•କାଠ ପଳଖା—ଅସାରମଣିଷ,କାଠ ଆସ୍ତରଣ
•କାଠ ପାଇଟାଳ— କାଠ ମିସ୍ତ୍ରୀ
•କାଠପିମ୍ପୁଡ଼ି—ଗଛରେ ରହୁଥିଵା ଏକ ଜାତୀୟ ପିମ୍ପୁଡ଼ି,ଏମାନେ କାଠଜନ୍ଦାଙ୍କଠାରୁ ଆକାରରେ ସାନ।
•କାଠପେଙ୍ଗୁ—ଵନ୍ୟ ଵୃକ୍ଷଵିଶେଷ । ଏହାର ଫଳରୁ ତେଲ ବାହାରେ। ଏହି ତେଲ ଘାଆ ଶୁଖାଇଵାପାଇଁ ଔଷଧରୂପେ ଵ୍ୟଵହୃତ ହୁଏ।
•କାଠବରଣ/କାଠବରୁଣ/କାଠବରଣ୍ଡ/କାଠବରୁଣ୍ଡ/କାଠଭରଣ୍ଡ—ଯୁଵାକାଳରେ ମୁହଁରେ ବାହାରିଵା ଟାଣୁଆ କ୍ଷୁଦ୍ର ଵ୍ରଣଵିଶେଷ । ଏହାକୁ ବୟଃଵ୍ରଣମଧ୍ୟ କୁହନ୍ତି ।ଏଥିମଧ୍ୟରେ ଗୋଟିଏ ଖିଲପରି ସରୁଆ ଧଳା ଟାଣୁଆ ଵସ୍ତୁ ଥାଏ; ବରଣକୁ ଚିପିଦେଲେ ଖିଲ ବାହାରିପଡ଼େ। 

•କାଠବାଇଗଣ—ଏକପ୍ରକାର ଜଙ୍ଗଲି ଗଛ ଓ ତାହାର ଫଳ ।
ଏ ଗଛ ଗଡ଼ଜାତରେ ଦେଖାଯାଏ ଏଵଂ ଚାରିରୁ ଛଅ ଫୁଟ ଉଚ୍ଚ ହୋଇଥାଏ। ଜନଜାତୀୟ ଲୋକେ ଏହାର ଫଳକୁ ତିଅଣ କରି ଖାଆନ୍ତି। ଏଥିର ଫଳ ଭେଜିବାଇଗଣ ପରି ଛୋଟ।

•କାଠବିରାଡ଼ି— ଗୁଣ୍ଡୁଚିମୂଷା

•କାଠବେଙ୍ଗ—କାଠ ଭିତରେ ରହୁଥିଵା ଏକ ଜାତୀୟ ବେଙ୍ଗ । ଏମାନେ ସାଧାରଣ ବେଙ୍ଗ ଅପେକ୍ଷା ବେଶିଦୂର ଡିଅନ୍ତି।

“ଏ ଵିଚାର ନ କରନ୍ତି ଯେଉଁ ସ୍ତିରୀଜନ, କାଠ ବେଙ୍ଗ କରି ତାକୁ ଜନ୍ମ କରେ ଯମ । (ସାରଳାମହାଭାରତ, ଆଦିପର୍ଵ)

•କାଠବେଙ୍ଗଲି— ମଞ୍ଜୁଆତି
•କାଠବେତ— ଏକ ଜାତୀୟ ବେତଗଛ

•କାଠଭେଜି—ଏକପ୍ରକାର ବଡ଼ ବନ୍ୟ ଗଛ । ଏହାର ଛୁଇଁ ଚେପ୍ଟା।

•କାଠଭୋଜି—ଗ୍ରାମର ଜନ୍ତାଳ
(ବୋଧହୁଏ ଅଧିକ କାଠ ଵ୍ୟଵହାର କରାଯାଏ ବୋଲି ଏଭଳି ନାମକରଣ ହୋଇଥିଲା?)
•କାଠମଞ୍ଜୁଆତି—ଏକ ଜାତୀୟ ମଞ୍ଜୁଆତି,ହରଗୌରା ଗଛ
•କାଠମଡ଼ମଡ଼ି—ଏକପ୍ରକାର ଵନ୍ୟ ଗଛ(Antidesma Ghaesembilla)
•କାଠମଲ୍ଲୀ—ବଣମଲ୍ଲୀ
•କାଠମାଳି—କାଠରୁ କୁନ୍ଦା ହୋଇ ପ୍ରସ୍ତୁତ ହୋଇଥିବା ମାଳା
•କାଠମାଳିଆ—କାଠମାଳି ପରିହିତ ଵ୍ୟକ୍ତି,କପଟସନ୍ୟାସୀ,କାଠକୁ ଯନ୍ତ୍ରରେ କୁନ୍ଦି ତହିଁରୁ ମାଳା ତିଆରି କରିଵା ଜାତି ଵିଶେଷ 

•କାଠମୁଖା—କାଷ୍ଠନିର୍ମିତ ଛଦ୍ମ ମୁଖ; ଅସୁର, ମାଙ୍କଡ଼ଆଦିଙ୍କ ମୁହଁ ଅନୁକରଣରେ ପ୍ରସ୍ତୁତ ଓ ଚିତ୍ରିତ କାଠର ଆଵରଣ; ଯାହାକୁ ମୁହଁ ଉପରେ ବାନ୍ଧି ଯାତ୍ରାବାଲାମାନେ ଭିନ୍ନ ଭିନ୍ନ ସୁଆଙ୍ଗ ଦେଖାନ୍ତି

•କାଠ ମୁହାଁ— ନିର୍ଲଜ, ବେହିୟା,କାଠମୁଖା

•କାଠମେଣ୍ଟୁ— କରତ କଳ
•କାଠରା—ବଢେଇ, କାଠୁରିଆ(ଯେମିତି -କାଚରା)

•କାଠରାଉତିଆ—ଉତ୍କଳଦେଶୀୟ ଉତ୍କୃଷ୍ଟ କ୍ଷତ୍ରିୟ ଜାତି

•କାଠରିଆ— କାଠୁରିଆ,କାଠରା

•କାଠଲଇ— ସୁଆମ

•କାଠଲେମ୍ବୁ— କାନ୍ଧିଆଲେମ୍ବୁ,
ବଡଲେମ୍ବୁ(ଏହାକୁ ଜମ୍ଭିରା,ସାନଟଭା, ଖଟାକମଳା ଓ କରୁଣା ବି କୁହାଯାଏ)
•କାଠଵିଷ—ଏକଜାତୀୟ ଵୃକ୍ଷରୁ ଜାତ ଵିଷ; ମହୁରା
•କାଠଶିଆଳି— ଏକ ପ୍ରକାର
ଜଙ୍ଗଲୀ ଗଛ
•କାଠହଣା —ଥଣ୍ଟରେ କାଠ ହାଣି ଘର କରୁଥିଵା ତଥା ପୋକ ଜୋକ ଖାଉଥିଵା ଚଢେ଼ଇ ଵିଶେଷ । ଏ ଚଢ଼େଇ ଗଛର ଗଣ୍ଡିରେ ମାକଡ଼ଭଳି ଗୋଡ଼ଦ୍ୱାରା ଚଢ଼ି ବକଳକୁ ଲମ୍ବ ମୁନିଆ ଥଣ୍ଟଦ୍ୱାରା ଛଡ଼ାଇ ତାହା ମଧ୍ୟରେ ଥିଵା ପୋକକୁ ଖାଏ। ମୁଣ୍ଡରେ ଚୂଳ ଥାଏ । ଏମାନଙ୍କ ଜିଭ ଲମ୍ବ; ଏ ଜିଭଦ୍ୱାରା ଗଛର ଗର୍ତ୍ତ ମଧ୍ୟରୁ ପୋକ ଆଦି କାଢ଼ି ଖାଆନ୍ତି । 

•କାଠହରା/କାଠହରିଆ— କାଠରା,କାଠୁରିଆ

•କାଠହାରିଆ—(ଶହେ ଵର୍ଷ ତଳେ)କଟକ ଜିଲ୍ଲା କାଠହାର ନାମକ ଗ୍ରାମର ତନ୍ତୀମାନଙ୍କଦ୍ୱାରା ବୁଣା ହୋଇଥିଵା ଉତ୍କୃଷ୍ଟ ଲୁଗା । ଏବେ ଏ ଲୁଗା ମିଳୁଛି କି ନାହିଁ କଟକଵାସୀ ସ୍ଥାନୀୟ ଲୋକେ କହିପାରିବେ

•କାଠହାବିଳି—ଭିତର ଖୋଳାଯାଇ ଫମ୍ପା କରାଯାଇଥିଵା କାଠର ନଳି ଭିତରେ ବାରୁଦ ପୂରାଯାଇ ତିଆରି କରାଯିଵା ହାବିଳି ବାଣ

•ଅକାଠ—ନିକୃଷ୍ଟ ଶ୍ରେଣୀର କାଠ
•ଅକାଠ କାଠ(କାଠକାଠ)— କୌଣସି କାର୍ଯ୍ୟ କରିଵାକୁ ପଶ୍ଚାତ୍ପଦ ଵା କୁଣ୍ଠିତ; ନିଶ୍ଚେଷ୍ଟ
•ଅଖକାଠ— ଅଖ ପାଇଁ ଉପଯୋଗୀ ଅର୍ଥାତ୍ ବେଶି ଭାର ବହନକ୍ଷମ କାଠ। ସବୁ ପ୍ରକାରର କାଠରେ ଅଖ ତିଆରି ହୁଏନାହିଁ। ଯେଉଁ କାଠ ଵିଶେଷ ଭାର ସହିପାରେ ସେହି ଜାତୀୟ କାଠରେ ଅଖ ତିଆରି ହୁଏ। ଯଥା—ଧଅ, ଧାମଣ, ଗିରିଙ୍ଗା, ଅସନ, ବେଲ।
•ଆଠକାଠ—କାର୍ଯ୍ୟ କରିଵାକୁ ପଶ୍ଚାତ୍ପଦ
•ଆଡ଼କାଠ— ତନ୍ତର ବାଆଁ ପାଖରୁ ଡାହାଣକୁ ଲଗାଯାଇଥିବା ଦଣ୍ଡ(ହଡ଼ିକାଠ),ଚାଳଘରର ଗୋଟିଏ କାନ୍ଥ ଉପରୁ ବିପରୀତ କାନ୍ଥର ମୁଣ୍ଡକୁ ଚଉଡ଼ା ବାଗରେ ପଡ଼ିଥିବା କାଠ(ଓରା)
(ଆଡ଼କାଠରେ ଡେରା ହୋଇଛି ଦେବଧନୁ ଦେଖି ଆନନ୍ଦ ହୋଇଲେ ଯଶୋଦାର ସୂନୁ। ନାରାୟଣ, ହରିବଂଶ।)

ଅର୍ଗଳ; ଅଲଗଡା; ବାଟକୁ ଵା ଖୋଲା ଯାଗାକୁ ସାମୟିକ ଅବରୋଧ କରିଵା (ଓ ଦରକାର ପଡ଼ିଲେ ଖୋଲିଦେଵା) ପାଇଁ ବାଟ ଵା ଖୋଲା ଫାଙ୍କର ଦୁଇ ପାଖରେ ପୋତା ହୋଇଥିଵା ଦୁଇ ଖୁଣ୍ଟର କଣାରେ ଗଳାଯାଇଥିବା କାଠ ଵା ଧଡ଼ାକୁ ମଧ୍ୟ ଆଡ଼କାଠ କୁହନ୍ତି । ପଶୁ ବଳି ଦେଵାପାଇଁ ଵ୍ୟଵହୃତ ଅର୍ଗଳ ଵା କୀଳକକୁ ଆଡ଼କାଠ କୁହାଯାଏ । ନାଳ ଵା ପହଣି ପାରି ହେବାପାଇଁ ନାଳ ଉପରେ ପ୍ରସ୍ଥବାଗରେ ଵା ଆଡ଼ବାଗରେ ପଡ଼ିଥିଵା ଲମ୍ବ କାଠକୁ ଆଡ଼କାଠ କୁହାଯାଏ । ଲମ୍ବଦଣ୍ଡରେ ଛକି ପଡ଼ି ବନ୍ଧାଯାଇଥିଵା ଛୋଟ ଦଣ୍ଡକୁ ଆଡ଼କାଠ କୁହାଯାଏ । ଵିଷମସମସ୍ୟା,ଗୋଲକଧନ୍ଦା( Dilemma.) ଓ ଅଖଞ୍ଜିଆ ଅଵସ୍ଥାକୁ ଆଡ଼କାଠ କୁହାଯାଏ । 
(ଯଥା—ସେ ମତେ ଆଡ଼କାଠରେ ପକାଇଦେଲା)

•କମଳକାଠ— ପଦ୍ମକାଠ 
(“ଚନ୍ଦନ ଅଗର କମଳକାଠରେ ଅନଳ ଲଗାଇ—ବିଶ୍ୱନାଥ, ବିଚିତ୍ରରାମାୟଣ।”)
•କଳାକାଠ—ଵିଵର୍ଣ୍ଣ,କୃଷ୍ଣଵର୍ଣ୍ଣ
•କାଠିକାଠ—କୌଣସି କାର୍ଯ୍ୟ କରିବାକୁ ପଶ୍ଚାଦ୍ପଦ ଵା ପରାଙ୍ମୁଖ,ଅସଂଖ୍ୟ(Countless)
•କୋଠକାଠ—ଗ୍ରାମଵାସୀ ସକଳ ଵ୍ୟକ୍ତିଙ୍କର ଏକତ୍ର ଅଧିକୃତ ସମ୍ପତ୍ତି,ଗ୍ରାମର ଇଜମାଲି ସମ୍ପତ୍ତିର ଆୟ ଵା ଉତ୍ପାଦନ—
•ଗୁଳୁଚିକାଠ— ମାଲଖମ୍ବ
•ଚଇଁକାଠ/ଚଇକାଠ/ଚାଇଁକାଠ— ଔଷଧୀୟ ଲତିକା ଵିଶେଷ । ଏହା ତାମ୍ବୂଳାଦି ବର୍ଗର ଲତା। ଏହି ଲତା ନଦୀ ଓ ପାଣିକୂଳରେ ହୁଏ। ଏହାର ପତ୍ରର ଆକାର ପାନ ପରି; ଫଳ ପିପ୍ପଳୀ ପରି। ଏହା ଗୁହ୍ୟଦେଶଜାତ ରୋଗନାଶକ। ଏହି ଲତାର ଫଳକୁ ଗଜପିପ୍ପଳୀ ଵା ବଣ ପିପ୍ପଳା ବୋଲାଯାଏ।
•ଚଉକାଠ
•ଜାଳଣୀକାଠ—ଇନ୍ଧନ; ଜାଳିଵାରେ ବ୍ଯବହୃତ କାଷ୍ଠ
•ଡାଳିକାଠ—ଯେଉଁ କାଠ ସରୁଆ ଓ ସଳଖ; ଯେଉଁ ଡାଳରେ ଗଣ୍ଠି ନ ଥାଏ ।
•ତୁଳିକାଠ—ତନ୍ତିମାନଙ୍କ ଲୁଗା ବୁଣିଵା କାଠ; ଯହିଁରେ ଲୁଗାର ବୁଣା ଅଂଶ ଗୁଡ଼ିଆ ଯାଏ
•ପୁଣ୍ଡରିୟା କାଠ,ପୁଣ୍ଡରୀକ କାଠ— ପଦ୍ମକାଠ
•ଫାଳିଆ କାଠ/କାଠ ଫାଳିଆ—ଚିରା ହୋଇଥିଵା କାଠ
•ଫାଶିକାଠ—ଯେଉଁ ଚଉକାଠରେ କଡ଼ିରୁ ଦଉଡ଼ା ଲଗାଇ ଫାଶି ଦଣ୍ଡ ଦିଆଯାଏ
•ବଡ଼ କାଠ— ଏକ ପ୍ରକାର ବଡ଼ ଢୋଲ । ଏହା 3\4 ହାତ ଲମ୍ବ ଓ ଦୁଇ ହାତ ବ୍ୟାସ ବିଶିଷ୍ଟ ଓ ଏଥିର ଦୁଇ ମୁଣ୍ଡରେ ଚମ ଛିଆଣି ହୋଇ ଥାଏ, ଏହାକୁ ଏକାଧିକ ଲୋକ ବାଉଁଶରେ ଝୁଲାଇ ବାଉଁଶର ଦୁଇ ମୁଣ୍ଡ କାନ୍ଧୋଇ କରି ସ୍ଥାନାନ୍ତରକୁ ନିଅନ୍ତି।
•ବାଇଦ ବଡ଼କାଠ—ସାନ ଢୋଲ ଓ ବଡ଼ ଢୋଲ
•ବାହାଦୁର୍ କାଠ/ବାହାଦୁରୀ କାଠ—ଶାଳ, ସାଗୁଆନ ପ୍ରଭୃତି କାଠର ବଡ଼ ବଡ଼ ମୁଣ୍ଡି—
•ବିଡ଼ିକାଠ—ଛୋଟ ଛୋଟ ବିଡ଼ାରେ ବନ୍ଧା ହୋଇ ବଜାରରେ ବିକ୍ରି କରା ଯାଉଥିଵା ଜାଳେଣୀ କାଠ
•ମଞ୍ଜକାଠ—କାଷ୍ଠର ମଜ୍ଜା; କାଠ ଭିତରର ସାର ଅଂଶ
•ମାଡ଼ିକାଠ— ମାଡ଼ି
•ମାଲୁମକାଠ—ଜାହାଜର ପ୍ରଧାନ ମାସ୍ତୁଲ
•ମୁଣ୍ଡିକାଠ—ମୂଳରୁ ଛେଦିତ ହୋଇଥିଵା ବଡ଼ ଗଛର ଶାଖା ଶୂନ୍ଯ ଗଣ୍ଡି
•ରଇ କାଠ—ଚିତାଗ୍ନି ଜଳାଇଵା ପାଇଁ ଵ୍ୟଵହୃତ କାଠ,ଦୀପିଦଣ୍ଡୀ ଵା ନଳାଦାଣ୍ଡୀ ;ପୋଖରୀର ମଧ୍ୟସ୍ଥଳରେ ପୋତାଯିବା ବେଲ ଆଦି କାଠର ଖମ୍ବ

•ରେଙ୍ଗାଳ କାଠ— ଶୁଖିଲା ଶାଳ କାଠ
•ସଙ୍ଘା କାଠ—ଗୁଜ ତଳେଥିଵା ଘରର ପ୍ରଧାନ ମୋଟ କାଠ; ଉରା
•ହଡ଼ିକାଠ—ପଶୁବଳି ଦେଵାରେ ପଶୁର ବେକ କାଟିଵାପାଇଁ ଵ୍ୟଵହୃତ ଯୂପକାଷ୍ଠ ;ଆଡ଼କାଠ
•ହାଡ଼କାଠ—ହାକୁଚ କଣ୍ଟା ଗୁଳ
•ହାଣ୍ଡିକାଠ—
ପାକସାମଗ୍ରୀ (ଚାଉଳ, ମୁଗ, ପରିବାଆଦି) କୁ ରାନ୍ଧିଵା ପାଇଁ ଆଵଶ୍ୟକ ୨ଟି ଵସ୍ତୁ (ଯଥା— ହାଣ୍ଡି ଵା ପାକପାତ୍ର ଓ ଜାଳ ଵା ଜାଳଣୀକାଠ)

ଶବ୍ଦ ସମ୍ଭାର ଦୃଷ୍ଟିରୁ ଓଡ଼ିଆ ଏକ ଵିଶାଳ ଭାଷା । କାଠ ଶବ୍ଦ ଯୁକ୍ତ ଶବ୍ଦଗୁଡ଼ିକର ସୂଚୀ ଏହା ପ୍ରମାଣ କରିଵାକୁ ଯଥେଷ୍ଟ ନୁହେଁ କି ?

Tuesday, November 14, 2023

ଚାଚା ଶବ୍ଦ ଏଵଂ ଵିଭିନ୍ନ ଭାଷାରେ ଏହାର ଭିନ୍ନ ଭିନ୍ନ ଅର୍ଥ

ହିନ୍ଦୀରେ ବାପାଙ୍କ ସାନ ଭାଇକୁ चाचा କୁହାଯାଏ । ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଚାଚା ଶବ୍ଦଟି ସଂସ୍କୃତର ତାତ ଶବ୍ଦର ପରିଵର୍ତ୍ତିତ ରୂପ କିନ୍ତୁ ଆଧୁନିକ ଭାଷାଵିଦମାନେ ଏହାକୁ ଖଣ୍ଡନ କରନ୍ତି ଏଵଂ चाचा ଶବ୍ଦଟି ପ୍ରାଚୀନ ପ୍ରାକୃତ ଶବ୍ଦ *𑀘𑀸𑀘𑁆𑀘 (*cācca)ର ଆଧୁନିକ ରୂପ ବୋଲି ମତ ଦିଅନ୍ତି । ମୂଳ ପ୍ରାକୃତ 𑀘𑀸𑀘𑁆𑀘(ଚାଚ୍ଚ) ଶବ୍ଦଟି ପୁଣି ଏକ ମୌଳିକ ଶବ୍ଦ ଏଵଂ child babblingରୁ ପରେ ସୃଷ୍ଟି ହୋଇଛି( ଯେମିତି ଓଡ଼ିଆ ଭାଷାରେ ବୋଉ ଶବ୍ଦଟି child babblingରୁ ସୃଷ୍ଟ) । କେବେ ପିଲାଟିଏ ତା 'ଦାଦା' ଵା 'କାକା' ଆଗରେ ''ଚା - ଚା'' ଶବ୍ଦ କହି ଦେଇଥିଵ ତାହା ପରେ ଏକ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦରେ ପରିଵର୍ତ୍ତିତ ହୋଇଯାଇଛି । 
ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଛଡ଼ା ପଞ୍ଜାବୀ ଭାଷାଭାଷୀ ଲୋକେ ତଥା ବଙ୍ଗାଳୀ ମୁସଲମାନମାନେ ମଧ୍ୟ ନିଜ କାକାକୁ চাচা(ଚାଚା) ସମ୍ବୋଧନ କରନ୍ତି । Berntsenଙ୍କ "Marathi Teaching Materials" ଅଭିଧାନ ଅନୁସାରେ ମରାଠୀ ଭାଷାରେ चाचा ଶବ୍ଦର ଅର୍ଥ ଦସ୍ୟୁ(Pirate) ଓ highjacker ଅଟେ । ଭାରତରେ ୮୦୦ରୁ ଅଧିକ ପ୍ରଚଳିତ ତେଣୁ ଅନ୍ୟ କୌଣସି ଭାଷାରେ ବି चाचा ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ଥାଇପାରେ । ରୋମାନ ଲିପିରେ ଏହି चाचा ଶବ୍ଦକୁ Chacha ଲେଖାଯାଏ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଉକ୍ତ Chacha ଶବ୍ଦର ନାନା ଅର୍ଥ ପ୍ରଚଳିତ । 

ଜର୍ଜିଅନ୍ ଭାଷାର chacha ଶବ୍ଦ ଇଂରାଜୀ ଭାଷାକୁ ଆସି ପ୍ରଚଳିତ ହୋଇଛି । ଏକ ଜାତୀୟ ଜର୍ଜିଅନ୍ ଦ୍ରାକ୍ଷ୍ୟା ମଦ୍ୟକୁ chacha କୁହାଯାଏ । ଏକ ଜାତୀୟ ପାଶ୍ଚାତ୍ୟ ବାଜାର ନାମ ଚାଚା,ଏକ ଜାତୀୟ ପାଶ୍ଚାତ୍ୟ ସଂଗୀତ ଓ ballroom ନୃତ୍ୟର ନାମ ବି cha cha ଵା cha cha cha ଅଟେ । ପେରୁ ଓ ବୋଲିଭିୟାରେ Aymaran ଭାଷାପରିଵାରର କେତେକ ଭାଷା ବୋଲାଯାଏ ଏଵଂ ତନ୍ମଧ୍ୟରେ ପ୍ରମୁଖ Aymara ଭାଷାରେ ପୁରୁଷ ଓ ପତି ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ(ଯେମିତି ମରଦ ଶବ୍ଦଟି ଉଭୟ ପୁରୁଷ ଓ ପତି ଅର୍ଥରେ ପ୍ରୟୋଗ ହୁଏ) । 

Dragon fruit ନାମରେ ଜଣାଶୁଣା 
Selenicereus ଜାତୀୟ ଗଛଗୁଡ଼ିକ ମୂଳତଃ ଉତ୍ତର ଆମେରିକାର ନାଗଫେଣୀ ଜାତୀୟ ଗଛ । ତେବେ ଏହାର ପ୍ରକୃତ ସ୍ଥାନୀୟ ନାମ pitaya (/pɪˈtaɪ.ə/ପିତୈଅ) ଵା pitahaya(/ˌpɪtəˈhaɪ.ə/ପିତହୈୟ) ଅଟେ । କିନ୍ତୁ ଏହି ନାମଟି Arawakan ଭାଷାପରିଵାରର taino ଭାଷା ମୂଳର ତେବେ ପ୍ରାଚୀନ ଆମେରିକୀୟ Uto-Aztecan ଭାଷାପରିଵାର ଅନ୍ତର୍ଗତ Nahuatl ଭାଷାରେ ଡ୍ରାଗନ୍ ଫଳକୁ chacha କୁହନ୍ତି । 

 ଓଡ଼ିଶାର ବାଲେଶ୍ଵରଠାରେ ଛୋଟପିଲାଙ୍କୁ କଟିଛୁଆ କୁହନ୍ତି,ଗଞ୍ଜାମରେ ଛୋଟ ପୁଅପିଲାକୁ ସ୍ନେହରେ ଦାମୁଡି଼ ଡାକନ୍ତି, ସମ୍ବଲପୁରରେ ଛୋଟ ଝିଅପିଲାଙ୍କୁ ବୁଈ ତଥା ଉପକୂଳରେ ଛୋଟ ପିଲା ଵା ନିଜଠାରୁ ଛୋଟମାନଙ୍କୁ ସ୍ନେହରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରାଯାଏ ଠିକ୍ ସ୍ପାନିଶ୍ ଭାଷାରେ ଛୋଟପିଲାଙ୍କୁ muchacha ସମ୍ବୋଧନ କରନ୍ତି । ତେବେ ଏହି muchacha ଶବ୍ଦଟି ଝିଅ ଓ ପୁଅ ଭେଦରେ ଯଥାକ୍ରମେ chacho (“ପୁଅ") ଓ chacha(ଝିଅ) ହୋଇ ଚଳୁଅଛି । ପୁଣି ସ୍ପେନ ଭାଷା ଵ୍ୟଵହୃତ କେତେକ ଅଞ୍ଚଳରେ 
 ଘର ସଫାସୁତୁରା କରୁଥିଵା maidମାନଙ୍କୁ ବି chacha କୁହାଯାଏ । ସ୍ପାନିଶ୍ ଭାଷାରେ ମୂଳ ଆମେରିକୀୟ Nahuatl ଭାଷାର chachahuatl ଶବ୍ଦଟି chacha ହୋଇ handcuffs ଅର୍ଥରେ ବି ଵ୍ୟଵହାର ହେଉଛି । ସେଇ ସ୍ପାନିଶ୍ ଭାଷାରେ chachar ଶବ୍ଦଟି ଚୋବାଇଵା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହାର ତୃତୀୟ ପୁରୁଷ ଏକ ଵଚନ ଵର୍ତ୍ତମାନ ସୂଚକ ତଥା ଦ୍ବିତୀୟ ପୁରୁଷ ଏକଵଚନ ଆଦେଶାତ୍ମକ ରୂପ chacha ଅଟେ । ଅର୍ଥାତ୍ ସ୍ପାନିଶ୍ ଭାଷାରେ chacha ଶବ୍ଦଟି ଚୋବାଅ ଓ ଚୋବା ଅର୍ଥରେ ପ୍ରୟୋଗ କରାଯାଉଛି । 

ସ୍ପେନ୍ ଦେଶ ନିକଟରେ ଫ୍ରାନ୍ସ୍ ଦେଶରେ ଫ୍ରେଞ୍ଚ୍ ଭାଷା ବୋଲାଯାଏ ଏଵଂ ଏ ଭାଷାରେ Chacha ଶବ୍ଦଟି କିନ୍ତୁ squash ପୁଣି ଏକ ଜାତୀୟ ନୃତ୍ୟ ତଥା ସଂଗୀତକୁ Cha cha ଵା cha cha cha କୁହନ୍ତି । 

Niger–Congo ଭାଷାପରିଵାରର ସ୍ବାହିଲୀ ଭାଷାରେ ଖଟା ହେଵା ଓ ପଚିଵା ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ । ଏଇ ଭାଷାପରିଵାରର swazi ଭାଷାରେ chacha ଶବ୍ଦଟି ଢିଲା ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ । 

ମାତ୍ର ଭାରୋପୀୟ ଭାଷାପରିଵାର ଅନ୍ତର୍ଗତ Celtic ଭାଷାଶାଖାର welsh ଭାଷାରେ ଵିଷ୍ଠା ଅର୍ଥରେ ପ୍ରଚଳିତ cachu ଶବ୍ଦର ଅନ୍ୟ ଏକ ରୂପ ହେଉଛି chacha !

ଓଡ଼ିଆ ଭାଷାରେ ଚାଚା ଶବ୍ଦ ଭଳି କୌଣସି ଶବ୍ଦ ଅଛି କି ନାହିଁ ତାହା ଅସ୍ପଷ୍ଟ, ସମ୍ଭଵତଃ କେହି କେହି ହିନ୍ଦୀଭାଷା ଦ୍ଵାରା ପ୍ରଭାଵିତ ଓଡ଼ିଆ ଵ୍ୟକ୍ତି ନିଜ କକାକୁ ଚାଚା କହୁଥିବେ । ତେବେ ଆମ ଭାଷାରେ ଚାଲିଵା କ୍ରିୟାର ଆଦେଶାର୍ଥକ ନିର୍ଦ୍ଦେଶାର୍ଥକ "ଚାଲ୍ ଚାଲ୍" ଓ "ଚା ଚା" ରୂପ ବି ଚଳୁଅଛି । 

ଯଦି ଓଡ଼ିଶାରେ ଚାଚା ଶବ୍ଦର ଭିନ୍ନ କୌଣସି ଅର୍ଥରେ ପ୍ରୟୋଗ ରହିଥାଏ ତେବେ ଜଣାଇଵାକୁ ଅନୁରୋଧ 🙏





Sunday, July 23, 2023

ବୋକା,ନିର୍ବୁଦ୍ଧିଆ ଓ ଅଯୋଗ୍ୟ ଅର୍ଥଜ ଓଡ଼ିଆ ଶବ୍ଦ ଅପାଣ୍ଡୁକର ଵ୍ୟୁତ୍ପତ୍ତି କ'ଣ ଜାଣିଛନ୍ତି କି ?

ଆମ ଢେଙ୍କାନାଳରେ ଆମେ ଅପାଣ୍ଡୁକ ବୋଲି ଏକ ଶବ୍ଦ ପ୍ରୟୋଗ କରିଥାଉ ଏଵଂ ଏହାର ଅନ୍ୟ ରୂପ ଅପାଣ୍ଡକ । 

ଅପାଣ୍ଡୁକ ଶବ୍ଦଟି ନିର୍ବୁଦ୍ଧିଆ,ବୋକା, ଅଯୋଗ୍ୟ ଓ ଅପଦାର୍ଥ(ଵ୍ୟକ୍ତି) ଅର୍ଥରେ ପ୍ରୟୋଗ କରାଯାଏ ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ମୂର୍ଖ ଶବ୍ଦ ସହିତ ସହଚର ଶବ୍ଦ ଭାବେ ଯୁକ୍ତ ହୋଇ ମଧ୍ୟ କଥିତ ହୁଏ 

ଯଥା - ମୂର୍ଖ ଅପାଣ୍ଡୁକ କୋଉଠିକାର...

ଅପାଣ୍ଡୁକ ଶବ୍ଦକୁ ନେଇ ଓଡ଼ିଆ ଢଗଟିଏ ଅଛି ...

“ଝିଅ ଦୋଚାରୁଣୀ ମାଇପ ଚଣ୍ଡ
ପୁଅ ଅପାଣ୍ଡୁକ ବାପର ଦଣ୍ଡ”

ଏ ଅପାଣ୍ଡୁକ ଶବ୍ଦଟିର ଅନ୍ୟ ଏକ ଓଡ଼ିଆ ଶବ୍ଦ ଅପାଣ୍ଡୁ ସହିତ ସମ୍ପର୍କ ଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉକ୍ତ ଅପାଣ୍ଡୁ ଶବ୍ଦର ଅର୍ଥ ଲେଖାଅଛି ଅଯୋଗ୍ୟ,ଅସଭ୍ୟ,ଯାହାର ଵ୍ୟଵହାର ମାର୍ଜିତ ନୁହେଁ, ଓ କୁଳାଙ୍ଗାର । 

”ଏଡ଼େକ ସମ୍ଭର୍ଵ କରି ହୋଇଲା ଅପାଣ୍ଡୁ”(ପୀତାମ୍ବର, ନୃସିଂହପୁରାଣ।)

ପୁଣି ଅପାଣ୍ଡୁକ ଓ ଅପାଣ୍ଡୁ ଶବ୍ଦର ସମ୍ପର୍କ ଅପାଣ୍ଡଵ ଓ ଅପାଣ୍ଡଵା ଶବ୍ଦ ସହିତ ଥାଇପାରେ । 

 ଯେଉଁ ଦେଶରୁ ପାଣ୍ତବମାପେ ତାଡ଼ିତ ଵା ନିର୍ଵାସିତ ସେ ପାଣ୍ତଵଶୂନ୍ୟ ଦେଶ) ଅପାଣ୍ଡଵ ଦେଶ ବୋଲାଏ । ପାଣ୍ଡଵମାନେ ଧାର୍ମିକ,ସଦାଚାରୀ, ପରୋପକାରୀ ଥିଲେ ଓ ସମାଜ କଲ୍ୟାଣ ହେତୁକ କାର୍ଯ୍ୟ କରୁଥିଲେ ଫଳତଃ ଲକ୍ଷଣାର୍ଥ ପାଣ୍ଡଵଙ୍କ ଭଳି ଉତ୍ତମ ଲୋକ ଯେଉଁ ରାଜ୍ୟରୁ ଵିତାଡ଼ିତ ହୁଅନ୍ତି,ଦଣ୍ଡିତ ହୁଅନ୍ତି ସେ ଦେଶକୁ ଅପାଣ୍ଡଵ ଦେଶ କୁ଼ହାଯାଉଥିଲା । 
ପୁନଶ୍ଚ ଯେଉଁ ଦେଶକୁ ପାଣ୍ତବମାନେ ଯାଇ ନାହାନ୍ତି ସେ ଦେଶର ଆଚାର ଵ୍ୟଵହାର ମାର୍ଜିତ ନୁହେଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା ଫଳତଃ ସେଭଳି ଭୂଭାଗକୁ ଅପାଣ୍ତଵ ଵା ଅପଣ୍ଡଵା ଭୂମି କୁହାଯାଉଥିଲା ‌। 
ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ଏହି ଅର୍ଥରେ ଅପାଣ୍ଡଵ ଶବ୍ଦ ପ୍ରୟୋଗ କରାଯାଇଛି 

“ଯୁଦ୍ଧେ ସକଳ ବୀର ମାରି,
 ଏ ଭୂମି ଅପାଣ୍ଡଵ କରି।” 

 ଆଗେ ଅପାଣ୍ଡବା ଶବ୍ଦ ଅଲାଜୁକ ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଉଥିଲା । ଅଵଶ୍ୟ ଅଧୁନା ଏ ଶବ୍ଦ ଆଉ ସେତେ ଶୁଣିଵାକୁ ମିଳୁନି । କେତେକ ଏହି ଅପାଣ୍ଡଵା ଶବ୍ଦକୁ ଭାଙ୍ଗିକିରି କହନ୍ତି - ଏଡ଼େ ଅଲାଜୁକଟାଏ , ତମ ଘରବାଟେ ଟିକେ ପାଣ୍ଡଵ ଯାଇ ନ ଥିଲେ ? 

କଥା ପ୍ରସଙ୍ଗରେ ଏହା ଵ୍ୟଵହାର କରାଯାଏ । ଉଦାହରଣ ସ୍ୱରୂପ ଥରେ ଜଣେ ପିଲା ଦଶମ ଶ୍ରେଣୀର ଆଉ ଗୋଟିଏ ପିଲା ଉପରେ ଵିରକ୍ତ ହୋଇ ତାକୁ ଗାଳି ଦେଇ କହିଲା - “ଏଡ଼େ ଅଲାଜୁକଟା ତୁ , ତମ ଘର ବାଟେ ଟିକେ ପାଣ୍ଡଵ ଯାଇ ନ ଥିଲେ ?”

 ସାଙ୍ଗେ ସାଙ୍ଗେ ଆଉ ଗୋଟିଏ ପିଲା ଠିଆ ହୋଇ କହିଲା- “ସାର୍ , ମୋ ବାପା ନାଁ ଵା ପାଣ୍ଡଵ , ତାଙ୍କ ଘରବାଟେ ସବୁବେଳେ ଯିଵାସିଵା କରୁଛନ୍ତି ।” ଏହିକଥା ଶୁଣି ସମସ୍ତେ ହସି ଉଠିଲେ ଯେ ଯୋଉ ପିଲାଟି “ତୁମ ଘର ଆଡ଼େ କ'ଣ ପାଣ୍ଡଵ ଯାଇନାହାନ୍ତି” ବୋଲି କହିଥିଲା ତା ରାଗ ବି ହସରେ ଉଭେଇ ଗଲା ।

ସେ ଯାହାହେଉ ବହୁତ ସମ୍ଭଵ ଏହି ଅପାଣ୍ଡ,ଅପାଣ୍ଡୁ,ଅପାଣ୍ଡକ,ଅପାଣ୍ଡୁକ,ଅପାଣ୍ଡୁକା ଇତ୍ୟାଦି ଅଯୋଗ୍ୟ,ଅସଭ୍ୟ ଓ ବୋକା ଆଦି ଅର୍ଥଯୁକ୍ତ ଶବ୍ଦଗୁଡି଼କ ଏହି ଅପାଣ୍ଡଵ ଵା ଅପାଣ୍ଡଵା ଶବ୍ଦ ମୂଳର ହୋଇଥାଇପାରେ । 

Monday, July 10, 2023

ଓଡ଼ିଆ ଶବ୍ଦ କୁକୁରଧାଉଡି଼

କୁକୁର ଭଳି ଦଉଡ଼ିଵା ପ୍ରକାରେ ଚାଲିକୁ ଓଡ଼ିଆ ଭାଷାରେ କୁକୁରଧାଉଡି଼ ତଥା ଇଂରାଜୀ ଭାଷାରେ Dog trot କୁହାଯାଏ । ଏହି କୁକୁର ଧାଉଡ଼ି ଏକ ଓଡ଼ିଆ ଵିଶେଷ୍ୟ ଶବ୍ଦ ଏଵଂ ସଂସ୍କୃତ କୁକୁର ଓ ଧାଵନ ଶବ୍ଦ ସହିତ ସମୋଦ୍ଧୃତ ।

ଓଡ଼ିଆ ଭାଷାରେ ଢଗ ଅଛି 
“କାକସ୍ନାହନ, ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବୁ ସରକାର ଘର କଉଡ଼ି।”
ସାଧାରଣତଃ କୁକୁରମାନେ ଧୀରେ ଧୀରେ ନ ଚାଲି ଦଉଡ଼ିଲା ଭଳି ଚାଲନ୍ତି ତେଣୁ କୁକୁର ଭଳି ଧାଇଁଲା ଭଳି ଚାଲିଵା ପ୍ରକାରକୁ ଓଡ଼ିଆ ଭାଷାରେ କୁକୁରଧାଉଡି଼ କୁହାଯାଇଥାଏ । 

ଓଡ଼ିଆ ଭାଷାରେ ଫୁଟିଵା କ୍ରିୟାର ଵ୍ୟଵହାର

'ଫୁଟିଵା' କ୍ରିୟାଟି ଓଡ଼ିଆ ଭାଷାରେ ଷୋହଳରୁ ଅଧିକ ଅର୍ଥରେ ପ୍ରୟୋଗ କରାଯାଏ । ଏହା ସ୍ଫୁଟ୍ ଧାତୁ କିମ୍ବା ସ୍ଫଟ ଧାତୁ ସହିତ ସମୋଦ୍ଧୃତ କିନ୍ତୁ ପ୍ରାକୃତ ମୂଳର ଶବ୍ଦ ‌। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଫୁଟିଵା କ୍ରିୟାର ଯେଉଁ ସବୁ ଅର୍ଥ ଉଲ୍ଲେଖ ଅଛି ତାହା ଏଠାରେ ପ୍ରଦତ୍ତ ହେଲା । 

(କ)ପ୍ରସ୍ଫୁଟିତ ହେଵା (ଯଥା—ସହସ୍ରଦଳ କମଳ କି ଓଲଟି ଅଛି ଫୁଟି । କି ଅବା ଗ୍ୟାଁନ ଧ୍ୟାନ ଶୂନ୍ୟକୁ ମନ ଭେଟି ॥ ଵଟ ଅଵକାଶ-ବଳରାମ ଦାସ)
 
 (ଖ)ଫୋଡ଼ି ହେଵା;ମୁନିଆ ପଦାର୍ଥ ଗଳିଯିଵା(ଯଥା—ମୋ ଗୋଡ଼ରେ ଗୋଟେ କଣ୍ଟା ଫୁଟିଗଲା ।)
 
(ଗ)ଏକ ପାଖରୁ ଅନ୍ୟ ପାଖକୁ ଭେଦ କରିଵା; ବିଦ୍ଧ କରିଵା
(ଯଥା—ଗୋଟିଏ ଶର ତାଙ୍କ ବକ୍ଷସ୍ଥଳକୁ ଫୁଟିଲା ।)

(ଘ)କଣା ହେଵା; ଛିଦ୍ର ହେଵା; ଛିଦ୍ରଯୁକ୍ତ ହେଵା(ଯଥା—ନିଆଁରେ ବସାଇଵା ମାତ୍ରକେ ହାଣ୍ଡିଟା ଫୁଟିଗଲା ।)

(ଙ)ସୌନ୍ଦର୍ଯ୍ୟ ଵିକସିତ ହେଵା; ସ୍ପଷ୍ଟରୂପେ ପ୍ରକାଶିତ ହେଵା; ସ୍ପଷ୍ଟରୂପେ ଦେଖାଯିଵା
(ଯଥା—ସମାଗମେ ଏବେ ଗଣ୍ଡେ ସୁନ୍ଦରୀର ଫୁଟିଲା ଲାଜ ସିନ୍ଦୂର— ରାଧାନାଥ. ପାର୍ଵତୀ)

 (ଚ)ଗରମ ପାଣି ଅଗ୍ନି ଉତ୍ତାପରେ ବୁଦ୍ବୁଦ୍ଯୁକ୍ତ ହୋଇ ଟକମକ ଶବ୍ଦ କରିଵା
 (ଯଥା—ଭାତ ଫୁଟୁଅଛି ଟକର ମକର) 
 
(ଛ)ବାଣ, ଫୋଟକା ଆଦି ଢୁ ଢା ଶବ୍ଦପୂର୍ଵକ ବିସ୍ଫୋରଣ ହେଵା
(ଯଥା—ବନ୍ଧୁକ ବା ତୋପ ଫୁଟିବା ମାତ୍ରକେ ସମସ୍ତେ ଉଠିବସିଲେ ।

(ଜ)ଦୃଷ୍ଟିଶକ୍ତିହୀନ ହେଵା; ଚକ୍ଷୁ ନଷ୍ଟ ହେଵା
(ଯଥା—ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁ ଯିବ ଫୁଟି ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ—ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ,ଭୀମ ଭୋଇ )

(ଝ)ବହୁ ସଂଖ୍ୟକ ଛୋଟ ମାଛ ଜଳର ଉପରିଭାଗକୁ ଡେଇଁଵା
(ଯଥା—ମାଛମାନେ ପୋଖରୀରେ ଫୁଟିଛନ୍ତି)

(ଞ) (ଅଶ୍ଳୀଳ)ବାଳିକା ପ୍ରଥମେ ଋତୁମତୀ ହେଵା

(ଟ)କଉଡ଼ି ଖେଳରେ ଅଳ୍ପ ଵା ବହୁତ ଦାନ ପଡ଼ିଵା ଦ୍ୱାରା ଖେଳାଳିର ସାର ପାଚି ନ ପାରି ପୁଣି ଲେଉଟିଵା ଵା କଞ୍ଚା ହେଵା
(ଯଥା— ତୋ ସାର ଫୁଟିଲା ଲୋ ଆଉ ତୁ ଜିତିପାରୁବୁନି)

(ଠ)ଧାନ ଭାଜିଲେ ଧାନ ଉପରର ଚୋପା ଵିଦୀର୍ଣ୍ଣ ହୋଇ ତହିଁ ମଧ୍ୟରୁ ଖଇ ଶବ୍ଦ କରି ଡେଇଁ ଡେଇଁ ବାହାରି ପଡ଼ିଵା
(ଯଥା—ରଙ୍ଗିଆରାଇ ଧାନ ଭଲ ଖଇ ଫୁଟେ ।) 

(ଡ)ଟକ ଟକ ଶବ୍ଦ କରିଵା
(ଯଥା—ରାତିଯାକ ତା ପେଟ ଫୁଟୁଛି ।)

(ଢ)ପ୍ରକଟିତ ହେଵା
(ଯଥା—ଫୁଟି ବାହାରୁଛି ରୁଦ୍ଧ ଦୀର୍ଘ ନିଶ୍ୱାସ—ରାଧାନାଥ. ନନ୍ଦିକେଶ୍ୱରୀ)

(ଣ)ସୁନ୍ଦରରୂପେ ପ୍ରକାଶିତ ହେଵା
(ଯଥା—ଏ ଚିତ୍ରରେ ଶ୍ରୀକୃଷ୍ଣଙ୍କ ରୂପଟି ଫୁଟୁଛି ।)

(ତ)ଛିଦ୍ରମୟ ଵା ବ୍ରଣମୟ ହେଵା
(ଯଥା—କୁଷ୍ଠ ରୋଗରେ ତା ସର୍ବାଙ୍ଗ ଫୁଟିଗଲାଣି ।)

(ଥ)ଶ୍ରାନ୍ତ ହେଵା; କ୍ଳାନ୍ତ ହେଵା; ଥକିଯିଵା
(ଯଥା—ଜଳପି ଜଳପି ତୋତେ ଫୁଟିଲେଣି ଆଳି—କଵିସୂର୍ଯ୍ୟ. ସଙ୍ଗୀତ)

(ଦ)ଆଵରଣ ମଧ୍ୟରୁ ଫିଟି ବାହାରକୁ ବାହାରି ପଡ଼ିଵା
(ଯଥା—କପାବକଡ଼ା ଫୁଟିଗଲଣି ।)

(ଧ)ଜାତ ହେଵା; ଜନ୍ମ ହେଵା
(ଯଥା—ଯାଵତ ଯୋନିରେ ରମନ୍ତି, ସର୍ଵତ୍ର ଫୁଟିଣ ମରନ୍ତି— ଜଗନ୍ନାଥ. ଭାଗଵତ)

(ନ)ପୀଡ଼ା କରିଵା; ପୀଡ଼ାଯୁକ୍ତ ହେଵା—
(ଯଥା—କେ ବୋଲେ ଶ୍ରୀଅଙ୍ଗ ଫୁଟିଵ ସିନା—ଦୀନକୃଷ୍ଣ. ରସକଲ୍ଲୋଳ)

(ପ)ବିଦ୍ଧ ହେଵା
(ଯଥା—କାଣ୍ଡରେ ତା ଛାତି ଫୁଟିଗଲା)

ଏତଦଵ୍ୟତୀତ ସମ୍ଭଵତଃ ମିଳିତ ହେଵା,ମିଶିଵା,ପଶିଵା ଅର୍ଥରେ ସାରଳା ମହାଭାରତରେ ମଧ୍ୟ ନିମ୍ନ ଫଦରେ ଫୁଟିଵା କ୍ରିୟାଟି ଵ୍ୟଵହାର ହୋଇଅଛି 

“ଚନ୍ଦ୍ରଭାଗା ନାମେଣ ୟେକଇ ନଦୀ ଗୋଟି, ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ॥ (ସାରଳା ମହାଭାରତ)

ଏହି ଫୁଟିଵା କ୍ରିୟାଟି ଓଡ଼ିଆ ଭାଷାରେ ଉଭୟ କଥିତ ତଥା ସାହିତ୍ୟିକ ଭାଷାରେ ବହୁପ୍ରଚଳିତ ଓ ଵିଶେଷ ଭାବେ ଵ୍ୟଵହୃତ । ଵିଭିନ୍ନ କଵିଙ୍କ ରଚନାରେ ଫୁଟିଵା କ୍ରିୟାର ଵ୍ୟଵହାର ଦେଖିଵାକୁ ମିଳେ । ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତ ହେଉ କି ସାରଳା ଦାସଙ୍କ ମହାଭାରତ ସର୍ଵତ୍ର ଫୁଟିଵା ଶବ୍ଦର ପ୍ରାଚୀନ ପ୍ରୟୋଗ ଦୃଶ୍ୟ ହୋଇଥାଏ । ନିମ୍ନରେ ତହିଁର କେତେକ ଉଦାହରଣ ପ୍ରଦତ୍ତ ହେଲା...

“ବ୍ରହ୍ମାଣ୍ଡେ ଚରଣ ବାଜିଲା । 
ଶବଦେ ପ୍ରକୃତି କମ୍ପିଲା ॥ 
ବ୍ରହ୍ମାଣ୍ଡ ଫୁଟି ପାଦବଳେ ।
ଗଙ୍ଗା ପଡ଼ିଲା ଅନ୍ତରାଳେ ॥”
(ଭାଗଵତ, ଏକାଦଶ ସ୍କନ୍ଧ)

“ଦେଵଙ୍କ ଶସ୍ତ୍ରାଘାତେ ଫୁଟି । 
ଅସୁର ମଲେ କୋଟି କୋଟି ॥"
(ଭାଗଵତ ଅଷ୍ଟମ ସ୍କନ୍ଧ)

"ଯେହ୍ନେ ସିଦ୍ଧ ବାଞ୍ଛା ପ୍ରାପତ ହୋଇଲା 
ତିନି ପୋଷେ ତଣ୍ଡୁଳ ମା ଗୋ ଶତେ ଗୋଟି ଫୁଟିଲା ॥"(ସାରଳା ମହାଭାରତ)

"ଅମର ଗିରି ଉପରେ ପୁଷ୍ପେକ ଫୁଟିଲା ଅଷ୍ଟଦଳ କମଳ ସେ ହୋଇ ଵିକାଶିଲା ।"
(ପ୍ରଥମ ଖଣ୍ଡ-ହରିବଂଶ, ଅଚ୍ୟୁତାନନ୍ଦ)

”କିଛି ଦୂର ନଈବାଲିରେ ଢୋ ଢୋ କରି ଗଛ ବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା ।”(ଫକୀରମୋହନ, ଗଳ୍ପ ସ୍ବଳ୍ପ)

“ଜଳକୁ ସେ ଶୁକ୍ର ରୋଧ କରିଥିଲେ ସେ ଯୋଗେ ଫୁଟିଲା ଆଖି, ଜଳ ତିଳ ବିଷ୍ଣୁ କରରେ ଦେଇଣ ବଳି ଯେ ହୋଇଲା ସୁଖୀ ।”(ଟୀକା ଗୋଵିନ୍ଦ ଚନ୍ଦ୍ର,ଯୋଗୀନ୍ଦ୍ର ଵିପ୍ର)

“ବେଶରେ ଆଵେଶ ହେଵା କ୍ରମରେ ତୁଟିଲା । ଆହାରେ ଵିମନା ହୋଇ ଗମନେ ଫୁଟିଲା ଯେ ॥”(ଲାଵଣ୍ୟଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

“ଛାଇ ପଡ଼ି ଅଛି ନାହିଁ ଵୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ।”
(ରୂପରେଖ ନାହିଁ ହେ ଶୂନ୍ୟଦେହୀ,ଭୀମଭୋଇ)

“ରଞ୍ଜନ ସୁଧା ସୁଧାପାନ ଚାରି ଦିଗେ ଵିଦ୍ୟମାନ
ପରିପୂର୍ଣ୍ଣ ହୋଇଅଛି ଵିମଳ ନୀର
ରଜତ କମଳ ମାଳ ପ୍ରଫୁଲ୍ଲ ହୋଇ ମଞ୍ଜୁଳ
ଫୁଟିଛି ଅମିତ ଇନ୍ଦୀବର କହ୍ଲାର
 ରୟ ହରି ବାସ ତାଙ୍କର
 ରଜ ସାରଥି କକୁଭେ କରେ ପ୍ରଚାର ।”
 (ରସରତ୍ନାକର, ସ୍ଵଭାଵକଵି ଗଙ୍ଗାଧର ମେହେର)

“ନାଚ ଝମକନ୍ତି ତହିଂର ତଳେ ପିଅଂଳା
ଯୋଗ ନୋହଇ ଦୀର୍ଘ ଜାଳା
ରେଖ ନାହିଂ ରୂପ ନାହିଂ ଗଣ୍ଠି ନାହିଂ ଛାୟା
ଜଗତେ ବ୍ୟାପିତ ୟେକଇ କାୟା ।
ତୁଳାହୁଂ ଉଶ୍ୱାସ ତିଭୁବନୁ ଗରୁଆ
ବାଳ ରେହ ପ୍ରମାଣେ ଅତି ବଡ଼ ସରୁଆ
ଲବଣୀ ହୁଂ କୋମଳ ସୂଚୀ ନାହିଂ ଫୁଟେ
ଅହନିଶି ବରଷନ୍ତି କିଛି ନାହିଂ ତୁଟେ ॥"
 (ଶ୍ରୀସିସୁଵେଦ)

...

Sunday, July 2, 2023

ସାଢ଼େ ଶବ୍ଦ ଵୈଦେଶିକ କି ?

ପ୍ରାୟତଃ ସାଢ଼େ ଶବ୍ଦଟି ଘଣ୍ଟା ସମ୍ବନ୍ଧରେ ଶୁଣିଥିବେ । ଉଦାହରଣ ସ୍ୱରୂପ ଓଡ଼ିଶାରେ ଲୋକେ ସମୟ ଜଣାଇଲାବେଳେ କୁହନ୍ତି ସାଢ଼େ ବାରଟା ,ସାଢ଼େ ଗୋଟେ ଇତ୍ୟାଦି । ଗଞ୍ଜାମରେ ସାଧାରଣତଃ ଏହା ପରିଵର୍ତ୍ତେ 'ଅଧେ' ଶବ୍ଦ ଵ୍ୟଵହୃତ ହୋଇଥାଏ । ଯଥା : ବାରଟା ଅଧେ,ଘଣ୍ଟେ ଅଧେ ଇତ୍ୟାଦି । ପୁଣି ୧.୫୦କୁ ଦେଢ଼ ତଥା ୨.୫୦କୁ ଅଢ଼େଇ ମଧ୍ୟ କୁହାଯାଏ । 

କିନ୍ତୁ ଓଡ଼ିଆ ଛଡ଼ା ହିନ୍ଦୀ ଭଳି ଭାଷାରେ ଵ୍ୟଵହୃତ ହେଉଥିଵାରୁ ସାଢ଼େ ଶବ୍ଦକୁ କେହି କେହି ଵୈଦେଶିକ ଶବ୍ଦ ମନେ କରନ୍ତି କିନ୍ତୁ ଏହା ଏକ ଭ୍ରମ ଧାରଣା । 

ସାଢ଼େ ଶବ୍ଦଟି ଶୁଣିଲେ ତାହା ଗୋଟିଏ ଆରବୀ କି ଇଂରାଜୀ ଆଦି ଭାଷାର ଵୈଦେଶିକ ଶବ୍ଦ ଭଳି ଲାଗିଲେ ବି ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ । 

ସାଢ଼େ ଏକ ସର୍ଵଭାରତୀୟ ଶବ୍ଦ। ଏହା ଅନେକ ଭାରତୀୟ ଭାଷାରେ ଵିଭିନ୍ନ ରୂପରେ ଚଳୁଅଛି। Sir Ralph lilley Turner ତାଙ୍କ ପୁସ୍ତକ A Comparative Dictionary Of Indo Aryan Languagesରେ ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ସାଢ଼େ ଶବ୍ଦର ପ୍ରଚଳନ ଵିଷୟରେ ଯାହା ଉଲ୍ଲେଖ କରିଛନ୍ତି ତାହା ନିମ୍ନରେ ପ୍ରଦତ୍ତ ହେଲା ...

•sārdha —'plus a half' 
=>Mn. [sa-², ardhá-²]

Kashmiri— sāḍ 'plus a half' (whence söḍyumᵘ 'of 1½, 1½ times')

Sindhi— sāḍhu, L.awāṇ sāḍh; 

Panjābī— sāḍh f. 'half' sāḍhe pl. 'plus a half'

ludh— sāḍḍhe, WPah.bhad. sāḍhō

Kumaunī,Gaṅgoī dialect of Kumaunī— śāṛe

Nepali—sāṛhe, sāṛe, 

Bengali—sāṛe, 

Odia,Awdhi,lakhnawi,Hindi— sāṛhe

Gujarati —sāṛā

Marathi —sāḍhe, sāḍe

Konkani—sāḍe(°ḍi.)

West Pahāṛī.kṭg— sáḍḍhɔ ('including one half')

Garhwali— sāṛe.

ଏହି ସାଢ଼େ ଶବ୍ଦଟି ଏବେର ଶବ୍ଦ ନୁହେଁ ।‌
ଏହି ସାର୍ଦ୍ଧ ଶବ୍ଦର ଏକ ରୂପ 'ସାର୍ଦ୍ଧଂ' ଯାହା  
'ସହିତ' ଅର୍ଥରେ ପ୍ରୟୋଗ କରାଯାଏ । ସମାନ ଅର୍ଥରେ ଏହାର ଏକ ସଗୋତ୍ରୀୟ ଶବ୍ଦ Saddhiŋ (ଓ saddhi˚) ପାଲୀ ଭାଷାରେ 'ସହିତ' ଵ୍ୟଵହାର କରାଯାଉଥିଲା ।‌

ଯେମିତି ପାଲୀରେ ସାର୍ଦ୍ଧଂ ଶବ୍ଦ Saddhiŋ ରୂପେ ପ୍ରଚଳିତ ଥିଲା ଠିକ୍ ସେହିପରି 
ସାର୍ଦ୍ଧ ଶବ୍ଦର ଏକ ରୂପ 'ସାଢ଼େ' ଓଡ଼ିଆ ଆଦି ଭାଷାରେ ଚଳିଵାକୁ ଲାଗିଲା । 

 ସାର୍ଦ୍ଧ ଶବ୍ଦରେ 'ସ' ଉପସର୍ଗ ଓ ଅର୍ଦ୍ଧ ଶବ୍ଦ ଅଛି ଏଵଂ ଏହା "ଏକ ମାତ୍ରା ଓ ପୁଣି ଅର୍ଦ୍ଧ ମାତ୍ରା" ଅର୍ଥରେ ପ୍ରୟୋଗ କରାଯାଉଥିଲା ଯାହା ପରେ ସାଢ଼େ ରୂପେ ଚଳୁଅଛି । 
 
ତେଣୁ ସାଢ଼େ ଶବ୍ଦଟି ଵୈଦେଶିକ ଶବ୍ଦ ଭଳି ଲାଗୁଥିଲେ ବି ତାହା ପ୍ରକୃତରେ ଏକ ଭାରତୀୟ ଶବ୍ଦ ଅଟେ ।

 "୧,୨,୩,୪...୧୦" ଆଦି କୌଣସି ମାତ୍ରା ସହିତ ଅର୍ଦ୍ଧ ଭାଗ ଯୁକ୍ତ ହେଵାକୁ ସାର୍ଦ୍ଧ କୁହାଯାଏ ।‌

ତେଣୁ ସବୁଠାରୁ ବଡ଼କଥା ହେଲା ଆମକୁ ଇଂରାଜୀ ଭଳି One and half ଵା two and half ଇତ୍ୟାଦି ଲମ୍ବାଇ କି କହିଵାର ଆଵଶ୍ୟକତା ନାହିଁ ସାର୍ଦ୍ଧ କୁହ କି ସାଢ଼େ ,ଛୋଟିଆ ଶବ୍ଦଟିରେ ଏହି କଥା କୁହାଯାଇପାରୁଛି । 

Monday, May 22, 2023

Oxଠାରୁ ଔକ୍ଷ ଯାଏଁ

ଛୋଟପିଲା ଇଂରାଜୀ ଶିଖିଲାବେଳେ ଇଂରାଜୀ ଭାଷାର ବଳଦ ଅର୍ଥରେ ଵ୍ୟଵହୃତ Ox ସହିତ ପରିଚିତ ହୋଇଥାନ୍ତି ‌। ବହୁତ ଛୋଟିଆ ଶବ୍ଦଟିଏ ହୋଇଥିଵାରୁ ପିଲାମାନଙ୍କୁ ଏହି ଶବ୍ଦଟି ପ୍ରଥମେ ଶିଖା ଯାଇଥାଏ । Ox ଶବ୍ଦଟି ଛୋଟିଆ ଦେଖାଯାଉଥିଲେ ବି ଏହାର ନିରୁକ୍ତି ଇତିହାସ ବଡ଼ ଗହନ । ଭାରତଠାରୁ ତୁର୍କୀ ଯାଏଁ ଇଂଲଣ୍ଡଠାରୁ ଜର୍ଜିଆ ଆଉ ତୁର୍କୀ ପର୍ଯ୍ଯନ୍ତ ଅଞ୍ଚଳରେ ଏହା ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଅନେକ ଶବ୍ଦ ଚଳୁଅଛି । 

ଆଧୁନିକ ଇଂରାଜୀ Ox ଶବ୍ଦର ମଧ୍ୟଯୁଗୀୟ ଇଂରାଜୀରେ ରୂପ ଥିଲା oxe ଏଵଂ ପ୍ରାଚୀନ ଇଂରାଜୀରେ ଏହା oxa ରୂପେ ପ୍ରଚଳିତ ଥିଲା । ଇଂରେଜମାନେ ପ୍ରାଚୀନ ଜର୍ମାନିକ୍ ଜାତି ଏଵଂ ଇଂଲଣ୍ଡକୁ ଜର୍ମାନୀର ସମୁଦ୍ର ଉପକୂଳରୁ ଗଲାବେଳେ ନିଜ ସହିତ ସେମାନେ ଏହି ଶବ୍ଦଟିକୁ ମଧ୍ୟ ସାଥିରେ ନେଇଯାଇଥିଲେ । ତେଣୁ କେଵଳ ଇଂରାଜୀ ହିଁ ନୁହେଁ ଵରଂ ଜର୍ମାନିକ୍ ଭାଷା ମୂଳର ଅନେକ ଭାଷାରେ ବଳଦର Ox ସହିତ ସମୋଦ୍ଧୃତ ଥିଵା ପ୍ରତିଶବ୍ଦ ଵ୍ୟଵହାର କରାଯାଏ। ଯଥା Frisian ଭାଷାରେ ବଳଦକୁ oksen, ଡଚ୍ ଭାଷାରେ os ଓ ଆଧୁନିକ ଜର୍ମାନ୍ ଭାଷାରେ Ochse କୁହାଯାଏ । ଇଂରାଜୀ ଭଳି ସ୍କଟିସ୍ ଭାଷାରେ ବି ox ଶବ୍ଦଟି ବଳଦ ଅର୍ଥରେ ପ୍ରୟୋଗ କରାଯାଏ। ବଳଦକୁ ଆଇଶଲ୍ୟାଣ୍ଡିକରେ oxi ଓ uxi,
Faroese ଭାଷାରେ oksi,
Norwegian ଭାଷାରେ okse ଓ ukse, ସ୍ବିଡିସ୍ ଭାଷାରେ oxe,ଡାନିସ୍ ଭାଷାରେ okse ଓ Yiddish ଭାଷାରେ אָקס‎ (oks) କୁହାଯାଏ । ଏ ସମସ୍ତ ଶବ୍ଦର ପ୍ରାକ୍ ଜର୍ମାନିକ୍ ମୂଳଶବ୍ଦ *uhsô ନିର୍ଣ୍ଣୟ କରାଯାଇଛି । 

ଭାରୋପୀୟ ଭାଷାପରିଵାରରେ ଜର୍ମାନିକ୍ ଶାଖା ଛଡ଼ା ପ୍ରାକ୍ ୟୁରାଲିକ୍ ଶାଖାର
Mari ଭାଷାରେ ӱшкӱж (üšküž) ଓ ӱшкӹж (üškÿž) ତଥା Udmurt ଭାଷାରେ ош (oš) ଶବ୍ଦଗୁଡି଼କର ମୂଳ ପ୍ରାକ୍ ୟୁରାଲିକ୍ ରୂପ *uškɜ ଏଵଂ ଏହି ଶବ୍ଦଗୁଡି଼କ ପ୍ରାୟତଃ ଷଣ୍ଢ ଓ ଵୃଷ ଅର୍ଥରେ ପ୍ରୟୋଗ କରାଯାଏ ।

ସେହିପରି କେଲ୍ଟିକ୍ ଭାଷା ଶାଖାର ଓ୍ଵେଲ୍ସ ଭାଷାରେ ych ଓ ychain , କୋର୍ନିସ୍ ଭାଷାରେ ohen,ବ୍ରେଟୋନ୍ ଭାଷାରେ oc'hen ଓ ଆଇରିଶ୍ ଭାଷାରେ os (ହରିଣ) ଇତ୍ୟାଦି ଶବ୍ଦ ଚଳୁଅଛି ଏଵଂ ଏହିସବୁ ଶବ୍ଦଗୁଡ଼ିକର ମଧ୍ୟ ଇଂରାଜୀ ox ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ଏଵଂ ଏସବୁ ଶବ୍ଦଗୁଡି଼କର ପ୍ରାକ୍ କେଲ୍ଟିକ୍ ରୂପ *uxsū ନିର୍ଣ୍ଣୟ କରାଯାଇଛି । 

ଭାରୋଇରାନୀୟ ଶାଖାରେ ଆଵେସ୍ତାନରେ 
ଷଣ୍ଢ ଵା ବୃଷ ଅର୍ଥରେ 𐬎𐬑𐬱𐬀𐬥‎ (uxšan) ଶବ୍ଦ ଵ୍ୟଵହୃତ ହେଉଥିଲା । 
ଅନ୍ୟତମ ଭାରୋଇରାନୀୟ ଭାଷା ସଂସ୍କୃତରେ ଉକ୍ଷନ୍,ଉକ୍ଷା,ଉକ୍ଷଣଃ,
ଉକ୍ଷତର,ଔକ୍ଷ ତଥା ମହୋକ୍ଷ ଇତ୍ୟାଦି ଶବ୍ଦ 
ବୃଷ,ବଳଦ ଅର୍ଥରେ ଵ୍ୟଵହୃତ ହେଉଥିଲା। ଏମନ୍ତକି ପାଲୀ ତଥା ପ୍ରାକୃତ ଭାଷାରେ ବି ଯଥାକ୍ରମେ ukkhā ଓ ଉଚ୍ଛ ଶବ୍ଦ ପୂର୍ଵେ କଥିତ ଭାଷାରେ ଚଳୁଥିଲା ‌। ଏସବୁ ଶବ୍ଦର ପ୍ରାକ୍ ଭାରୋଇରାନୀୟ ଶବ୍ଦରୂପ *(H)ukšā́ ନିର୍ଣ୍ଣୟ କରାଯାଇଛି ଏଵଂ ଏହି ଆନୁମାନିକ ମୂଳ ଶବ୍ଦଟି ବଳଦ ଅର୍ଥରେ ସଂସ୍କୃତ ଭାଷାରେ ଵ୍ୟଵହୃତ ଉକ୍ଷା ଶବ୍ଦର ନିକଟତର ଜଣାପଡ଼େ । 


ଠିକ୍ ସେହିପରି ଇଂରାଜୀ Oxଠାରୁ ଭାରତୀୟ ଔକ୍ଷ ଶବ୍ଦ ଯାଏଁ ପ୍ରୋକ୍ତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *uksḗn ନିର୍ଣ୍ଣୟ କରାଯାଇଛି ଏଵଂ ଏହି ମୂଳ ଶବ୍ଦଟି ଅନେକାଂଶରେ ଭାରତୀୟ ଉକ୍ଷନ୍ ଵା ଉକ୍ଷଣଃ ଶବ୍ଦର ନିକଟତର ଜଣାପଡ଼ିଥାଏ ।

ତେବେ ପୂର୍ଵେ ସଂସ୍କୃତ ଭାଷାରେ ଉକ୍ଷା,ଉକ୍ଷଣଃ,ଉକ୍ଷନ୍,ଔକ୍ଷ ତଥା ପାଲୀ ଭାଷାର ଉଖ୍ଖା ଆଉ ପ୍ରାକୃତ ଭାଷାରେ ଉଚ୍ଛ ଇତ୍ୟାଦି ଶବ୍ଦ ପ୍ରଚଳିତ ଥିଲେ ବି ସମୟ ସହିତ ଏସବୁ ଶବ୍ଦ କେଵଳ ଭାରତୀୟ ପ୍ରାଚୀନ ଶାସ୍ତ୍ର ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି । ମୋଟ ଉପରେ କହିଵାକୁ ଗଲେ ଜର୍ମାନିକ୍ ଭାଷାଗୁଡି଼କରେ ମୂଳ ଭାରୋପୀୟ ଶବ୍ଦରୂପ *uksḗnରୁ ସୃଷ୍ଟି ହୋଇଥିଵା ox,os ଭଳି ଶବ୍ଦ ଅଧିକ ଵ୍ୟାପିପାରିଛି ଏଵଂ ଆଜି ବି ପ୍ରଚଳିତ ଅଛି କିନ୍ତୁ ଆମ୍ଭ ଦେଶରେ ସେହି ମୂଳ ଶବ୍ଦରୁ ସୃଷ୍ଟି ହୋଇଥିଵା ଶବ୍ଦଗୁଡି଼କ ସାହିତ୍ୟ ତଥା କଥିତ ଭାଷାରୁ ଲୁପ୍ତ ହୋଇଯାଇଛି । 

ଆମ ଦେଶରେ ଉକ୍ଷା, ଉକ୍ଷଣଃ,ଉକ୍ଷନ୍,ଉଚ୍ଛ ଓ ଉଖ୍ଖା ଭଳି ଶବ୍ଦ ଲୋପ ପାଇଯିଵାର କାରଣ କ'ଣ ?

Friday, May 19, 2023

ଏକ ପ୍ରାଚୀନ ଭାରତୀୟ ଶବ୍ଦ : ଦାରୁ

ଵୃକ୍ଷ ଓ କାଷ୍ଠ ଅର୍ଥରେ ଵ୍ୟଵହୃତ ଦାରୁ ଶବ୍ଦଟି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଯାହାକୁ ଆଜି ବି ଓଡ଼ିଶାର ଲୋକେ ନିଜ କଥିତ ଓ ଲିଖିତ ଭାଷାରେ ବଞ୍ଚାଇ ରଖିଛନ୍ତି ।‌ ଆମ ଭାଷାର ଶହ ଶହ କଵିତା,କାଵ୍ୟ ଓ ଗୀତରେ ଦାରୁ ଶବ୍ଦର ପ୍ରୟୋଗ ହୋଇଛି ପୁଣି ସ୍ଵୟଂ ଭଗଵାନ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗ ଦେଶଵାସୀ ଦାରୁଦିଅଁ,ଦାରୁବ୍ରହ୍ମ,ଦାରୁମୂର୍ତ୍ତି,
ଦାରୁଦେଵତା ଓ ଦାରୁରୂପ ଆଦି ସମ୍ବୋଧନ କରିଥାନ୍ତି । ଏକପ୍ରକାର ଗଛର କାଠରୁ ସଂଗୃହୀତ ଵିଷ ହୋଇଥିଵାରୁ ଆମ ଭାଷାରେ ମହୁରାକୁ ଦାରୁମୁଷି କୁହାଯାଏ । କିଂକର୍ତ୍ତଵ୍ୟଵିମୂଢ଼ ଅର୍ଥରେ ଆମ ଭାଷାରେ ଦାରୁଭୂତ ଓ ଦାରୁଭୂତ ମୁରାରୀ ଵ୍ୟଵହୃତ ହୋଇଥାଏ । ଗଛର କାଠ ହୋଇଥିଵାରୁ ଡାଲଚିନିକୁ ଓଡ଼ିଆ ଭାଷାରେ ଦାରୁଚିନି ବି କୁହାଯାଏ । ଦେଵଦାରୁ ଗଛର ନାଆଁରେ ବି ଦାରୁ ରହିଛି । ଓଡ଼ିଶାରେ ନିମ୍ବଗଛକୁ ଦାରୁ କୁହାଯାଏ ଯେହେତୁ ଏହି କାଠରୁ ଶ୍ରୀଜଗନ୍ନାଥଙ୍କର ଵିଗ୍ରହ ହୋଇଥାଏ । 

 ତେବେ ପ୍ରାୟ ଦୁଇ ଶତାବ୍ଦୀ ଧରି ଏ ଦେଶର ଭାଷାଵିଦମାନେ ଦାରୁ ଶବ୍ଦକୁ ଏକ ଆଷ୍ଟ୍ରୋଏସୀୟ ଭାଷା ମୂଳର ଶବ୍ଦ ବୋଲି ଅନୁମାନ କରି ବସିଯାଇଛନ୍ତି । ସାନ୍ତାଳୀ,ଖଡି଼ଆ,ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି ଓଡ଼ିଶାର କିଛି ଭାଷାଵିଦ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି ଅନେକ ପୁରାତନ ଗ୍ରନ୍ଥରେ ଦାରୁ ଶବ୍ଦର ଵ୍ଯଵହାର ଦୃଶ୍ୟ ହୋଇଥାଏ । 

ଋକଵେଦର ସୂକ୍ତ ୬:୩ରେ ଦାରୁ ଶବ୍ଦ ଵ୍ଯଵହାର ହୋଇଛି 

"ତିଗ୍ମଂ ଚିଦେମ ମହି ଵର୍ପୋ ଅସ୍ଯ ଭସଦଶ୍ଵୋ ନ ଯମସାନ ଆସା ।
ଵିଜେହମାନଃ ପରଶୁର୍ନ ଜିହ୍ଵାଂ ଦ୍ରଵିର୍ନ ଦ୍ରାଵୟତି ଦାରୁ ଧକ୍ଷତ୍ ॥୪॥"

ସଂସ୍କୃତ ଭାଷାରେ ଦାରୁ ଶବ୍ଦର ଗଛ(ଵିଶେଷତଃ ଚନ୍ଦନ,ନିମ୍ବ ଓ ଦେଵଦାରୁ ଆଦି ପଵିତ୍ର ଗଛ),କାଠ,ଇନ୍ଧନ,ଶିଳ୍ପୀ,ବଢ଼େଇ,ଦାତା,ଛେଦକ,ଖଣ୍ଡନଶୀଳ ଓ ଵିଦାରକ ଆଦି ଅର୍ଥରେ ପ୍ରୟୋଗ ରହିଛି । ସେହିପରି ଆଧୁନିକ ଯୁଗରେ ଭାରତରେ ପାର୍ସୀ ମୂଳରୁ ଏକ ଦାରୁ ଶବ୍ଦ ଆସି ବାରୁଦ,ମଦ ଓ ଔଷଧ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହେଉଅଛି। କିନ୍ତୁ ଓଡ଼ିଆ ତଥା ଅନ୍ୟ ଅନେକ ଜନଜାତୀୟ ଭାଷାରେ ଗଛ,ନିମ୍ବଗଛ,ନିମ୍ବକାଠକୁ ବି ଦାରୁ କୁହାଯାଏ । 

ଵ୍ୟାସଙ୍କର ମହାଭାରତରେ କାଷ୍ଠ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହୋଇଥିଵା ଜଣାଯାଏ । 
 “ଶଣଂ ତୈଳଂ ଘୃତଞ୍ଚୈଵ ଜତୁ ଦାରୂଣି ଚୈଵ ହି । 
 ତସ୍ମିନ୍ ଵେଶ୍ମନି ସର୍ଵ୍ଵାନି ନିକ୍ଷିପେଥାଃ ସମନ୍ତତଃ ॥”
 (ସଂସ୍କୃତ ମହାଭାରତ। ୧ । ୧୪୫ । ୧୧ ।)
 
ସୁଶ୍ରୁତଙ୍କର ଉତ୍ତରତନ୍ତ୍ରରେ ୧୭ତମ ଅଧ୍ୟାୟରେ ଦେଵଦାରୁ ଗଛ ଅର୍ଥରେ ଦାରୁ ଶବ୍ଦ ପ୍ରୟୋଗ କରାଯାଇଛି “ଦାରୁପଦ୍ମକଶୁଣ୍ଠୀଭିରେଵମେଵ କୃତୋଽପି ଵା ॥”

ଋକଵେଦରେ ଶିଳ୍ପୀ ଵା ବଢ଼େଇ ଅର୍ଥରେ ମଧ୍ୟ ଦାରୁ ଶବ୍ଦ ଵ୍ୟଵହାର ହୋଇଛି ।‌
 
“ଇନ୍ଦ୍ରସ୍ଯେଵପ୍ର ତଵସସ୍କୃତାନି ଵନ୍ଦେଦାରୁଂ ଵନ୍ଦମାନୋ ଵିଵଵିଭ ॥” (“ଦାରୁଂ ପୁରାଂ ଭେତ୍ତାରଂ ଵନ୍ଦେ ।” ଇତି ତତ୍ର ସାୟନଃ ॥)
(ଋଗ୍ଵେଦ । ୭ । ୬ । ୧ ।)

ଆମ୍ଭ ଓଡ଼ିଆ ଭାଷାର ସାହିତ୍ୟରେ ଦାରୁ ଶବ୍ଦର ଯେତେ ଵ୍ଯଵହାର ହୋଇଅଛି ତେତେ ସଂସ୍କୃତ ଭିନ୍ନ ଅନ୍ଯ କୌଣସି ଭାରତୀୟ ଭାଷାରେ ଦୃଶ୍ୟ ହୁଏନାହିଁ । 

ଭୀମଭୋଇଙ୍କ ଏକ ଭଜନରେ ଆମେ ଦାରୁ ଶବ୍ଦର ବଡ଼ ଵୃକ୍ଷ ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖିଥାଉ 

"ସତ୍ୟ ଯେବେ ସଦଗୁରୁ ଦୂଵ କରି ପାର 'ଦାରୁ'
ସିଦ୍ଧ ଵଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ॥"

ପୁଣି ତାଙ୍କର ଅନ୍ଯ ଏକ ଭଜନରେ ଦାରୁ ଶବ୍ଦ କାଠ ଵା ନିମ୍ବ କାଠ ଅର୍ଥରେ ଦାରୁ ପ୍ରତିମା ଶବ୍ଦ ପ୍ରୟୋଗ ହୋଇଛି 

"ଦାରୁ ପ୍ରତିମା ମୂର୍ତ୍ତି ଦେଵୀ ଦେଵତା ସବୁଠାରୁ ଚିତ୍ତ ଛାଡିଦେଲେ । 
ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିଵେଦ ସବୁ ଏମାନଙ୍କୁ ଏଡି଼ ଚାଲିଗଲେ ।।"

ଭୀମଭୋଇଙ୍କ ଭଜନରେ ଯେମିତି ଦୁଵ ସହ ଦାରୁ ଶବ୍ଦର ଵ୍ଯଵହାର ହୋଇଛି ସମାନ ଭାବେ କଵି ବଳରାମ ଦାସ ତାଙ୍କ କମଳଲୋଚନ ଚଉତିଶାରେ ଏହିପରି ଭାବେ କରିଅଛନ୍ତି 

"ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । 
ନିସ୍ତରିଯିଵା ନରେ ଦେଖି ।। 
ଟେକିଲେ ଦୂଵ କରେ ଦାରୁ । 
ଟାଣପଣରେ ଭାଙ୍ଗେ ମେରୁ ।।"

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସ କାଵ୍ଯରେ "ଚନ୍ଦନ ଦାରୁ" ଶବ୍ଦ ପ୍ରୟୋଗ ହୋଇଛି । ଏଠାରେ ଦାରୁ ଶବ୍ଦକୁ କଵିସମ୍ରାଟ ଗଛ ଅର୍ଥରେ ଵ୍ଯଵହାର କରିଛନ୍ତି । 
 
“ଵିଦୁର ଲକ୍ଷ୍ମଣ ଘନ ପଵନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁଵାସ ବିହି ଯେ ।
ଵିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।”(ଵୈଦେହୀଶ ଵିଳାସ,କଵିସମ୍ରାଟ)

ଅତିବଡ଼ ଜଗନ୍ନାଥ ଦାସଙ୍କ ଭାଗଵତର ଅନେକ ସ୍ଥାନରେ ଦାରୁ ଶବ୍ଦଟି କାଠ ଅର୍ଥରେ ଵ୍ଯଵହୃତ ହୋଇଅଛି ।
ଯଥା—

“ସଂସାର ନିସ୍ତାରଣ ସାଧ୍ଯେ 
ଅନଳ ଯେହ୍ନେ ଦାରୁ ମଧ୍ୟେ ॥”
(ସପ୍ତମ ସ୍କନ୍ଧ,ଭାଗଵତ)

“ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ ।
 ତେଜ ପ୍ରକାଶେ ଅନୁଦିନେ ॥”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ପତ୍ର କୁସୁମ ଫଳ ଛାଇ । 
ମୂଳ ବକଳ ଦାରୁ ଦେଇ ॥”
(ଦଶମ ସ୍କନ୍ଧ ଭାଗଵତ)

“ଦାରୁ ପାଷାଣ ଧାତୁମୟୀ । 
ଲେପ ଲେଖନ ଯେତେ ହୋଇ ॥”
(ଏକାଦଶ ସ୍କନ୍ଧ ଭାଗଵତ)

ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଦାରୁ ଶବ୍ଦକୁ ବଡ଼ଗଛ ଵା ଦ୍ରୁମ ଅର୍ଥରେ ପ୍ରୟୋଗ କରିଯାଇଛନ୍ତି ।

“ଵୃକ୍ଷକୁ ଚାହିଂଲା ଅଟଇ କେଡେ ଦାରୁ
ମନେ ମନେ ଵିଚାରି ହସିଲା ରାଜା ଗୁରୁ ॥”
(ଆଦିପର୍ଵ, ସାରଳା ମହାଭାରତ)

ଆଧୁନିକ ଯୁଗରେ ଦାରୁ ଶବ୍ଦଟି ଆମଭାଷାର କଥିତ ଭାଷାରେ କ୍ରମେ ପାର୍ସୀ ମୂଳରୁ ଆସି ବାରୁଦ, ଔଷଧ ଓ ମଦ ଅର୍ଥରେ ଵ୍ଯଵହାର ହେଵାକୁ ଲାଗିଲା 

ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ବାରୁଦ ଅର୍ଥରେ 
ଦାରୁ ଶବ୍ଦର ଵ୍ଯଵହାର କରିଯାଇଛନ୍ତି...
 
“କାଣ୍ଡ ଗୁଳା ଯାରୁ ଗୁଳି,
 ଚାଉଳ କିରି କଦଳୀ 
ତମାଖୁ ଲୁଣ ଆଦି ଆଗ ସେ 
କିରିହପାଳଠାରୁ ଦେଲେ ଚାଳି ॥”

କିଛି ଵର୍ଷ ତଳେ ଏକ ଡହରା ଗୀତ ବି ଆସିଥିଲା ଯହିଁରେ ଦାରୁ ଶବ୍ଦକୁ ମଦ ଅର୍ଥରେ ପ୍ରୟୋଗ କରାଯାଇଥିଲା...

"ଦାରୁ ଦାରୁ ଦାରୁ ଦେ ଦାରୁ" 

ପାର୍ସୀ ଭାଷାରେ ଦାର ଓ ଦରଖ୍ତ୍ ଶବ୍ଦ ଯଥାକ୍ରମେ ଗଛ ଓ ଡାଳ ଅର୍ଥରେ ଵ୍ୟଵହୃତ ହୋଇଥାଏ ସେହିପରି ଗଛରୁ ପ୍ରାପ୍ତ ରସରୁ ପ୍ରସ୍ତୁତ ଔଷଧ ତଥା ମଦକୁ ଦାରୁ କୁହାଯାଏ । 

ଓଡ଼ିଆ ତଥା ସଂସ୍କୃତ ଭାଷାରେ ପ୍ରଚଳିତ 'ଦାରୁ' ଶବ୍ଦର ନିରୁକ୍ତି ଵିଷୟରେ ଵିଭିନ୍ନ ଦିଗରୁ ଭାଷାଵିଦମାନେ ଆଲୋଚନା କରିଛନ୍ତି । ସ୍କନ୍ଧ ପୁରାଣର 'ଉତ୍କଳଖଣ୍ଡ'ରେ 'ଦାରୁ'ର ଵ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

⁠"ଖଣ୍ଡନାତ ସର୍ଵଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
⁠ସ୍ୱଭାଵାଦ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

ଶ୍ରୀଜଗନ୍ନାଥଙ୍କୁ ଆମେ ଦାରୁ ଦିଅଁ ଓ ଦାରୁବ୍ରହ୍ମ କହିଥାନ୍ତି ।ସାଧାରଣ ମତାନୁସାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ
ନିମ୍ବଦାରୁରେ ଗଠିତ ହେଉଥିଵା ହେତୁ ତାଙ୍କୁ ଏପରି ଅଭିହିତ କରାଯାଇଛି କିନ୍ତୁ ଆଧ୍ୟାତ୍ମିକ ଵ୍ଯାଖ୍ଯାକାରଙ୍କ ମତରେ 'ଦାରୁ' ଶବ୍ଦକୁ 'ଦୃ' ଧାତୁ, 'ଦା' ଧାତୁ ଓ 'ଦୋ' ଧାତୁରୁ ନିଷ୍ପନ୍ନ କରାଯାଇଛି । 'ଦୃ' ଧାତୁର ଅର୍ଥ ଵିଦୀର୍ଣ୍ଣ କରିଵା,ପୂଜା କରିଵା,ପାଳନ କରିଵା । 'ଦା'ର ଅର୍ଥ ଦାନ କରିଵା । 'ଦୋ' ଧାତୁର ଅର୍ଥ ଖଣ୍ଡନ କରିଵା । ସୁତରାଂ, ଯିଏ ସଂସାରର ପାଳନକର୍ତ୍ତା,ଯିଏ ସର୍ଵଜୀଵଙ୍କ ଦ୍ଵାରା ପୂଜନୀୟ,ଯିଏ ପାପୀଙ୍କର ପାପକୁ ଵିଦୀର୍ଣ୍ଣ କରିଦିଅନ୍ତି,ଯେ ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡନକାରୀ ସେ ହେଉଛନ୍ତି ଦାରୁବିଗ୍ରହରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

"ଭାରତୀୟ ଶାସ୍ତ୍ରୀୟ ନିରୁକ୍ତି ନିର୍ଣ୍ଣୟ ପ୍ରଣାଳୀ"ରେ ଦାରୁ ଶବ୍ଦର ମୂଳ "ଦୃ ଧାତୁ" ବୋଲି ନିର୍ଣ୍ଣିତ ହୋଇଅଛି । ଦୃ ଧାତୁରୁ 
ଵିଦୀର୍ଣ୍ଣ କରିଵା,ପୂଜା କରିଵା,ସମ୍ମାନ କରିଵା,ଶ୍ରଦ୍ଧା କରିଵା,ପାଳନ କରିଵା,ଧ୍ୟାନ ଦେଵା,ଭୟକରିଵା(ଦର=ଭୟ; ଏହାର ତଦ୍ଭଵ ରୂପ ଡର ) ଓ ହତ୍ୟା କରିଵା
ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଦୃ ଧାତୁରୁ ଆଦର,ଉଦରୀ,କଦର,କନ୍ଦର,
କୁଦାର,କୁନ୍ଦୁ(ମୂଷା),କେଦାର,ଦର୍ଦ୍ଦୂର,ଦର୍ବ୍ବୀ,ଦାରୁଣ,ଦୃତ ଓ ଵିଦାରଣ ଆଦି ଅନେକ ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହାର ଅନ୍ୟରୂପ ଦ୍ରୁ ଧାତୁ ଏଵଂ ଏହି ଧାତୁଶବ୍ଦରୁ ଦ୍ରୁ(ଗଛ,ଶାଖା) ଓ ଦ୍ରୁମ(ଗଛ,ବଡ଼ଗଛ) ଭଳି ଶବ୍ଦ ନିଷ୍ପନ୍ନ ହୋଇଅଛି । ପ୍ରାଚୀନ ଭାରତୀୟ ଭାଷାଵିଦମାନେ ଦୃ ଓ ଦ୍ରୁ ଦୁଇଟି ଧାତୁଶବ୍ଦରୁ ଅନେକ ଶବ୍ଦ ନିଷ୍ପନ୍ନ କରିଥିଲେ ହେଁ ଆଧୁନିକ ଯୁଗରେ ଏହି ଦୁଇଗୋଟି ଧାତୁଶବ୍ଦର ମୂଳ ଗୋଟିଏ ବୋଲି ଭାଷାଵିଦମାନେ ମତ ଦିଅନ୍ତି । 

ଭାରତୀୟ ଭାଷାରେ ଯେମିତି ଗଛ ଓ କାଠ ଅର୍ଥରେ ଦାରୁ ଶବ୍ଦ ଚଳୁଅଛି ଠିକ୍ ସେହିପରି ଅନ୍ୟ ଅନେକ ଭାରୋପୀୟ ଭାଷାରେ ମଧ୍ୟ ଦାରୁ ସମସାଦୃଶ୍ଯ ଶବ୍ଦ ରହିଛି ଯହିଁର ଵୃକ୍ଷ,କାଷ୍ଠ ଓ ଶକ୍ତ ଵା ଟାଣ ଆଦି ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ ।

ପ୍ରାଚୀନ ଗ୍ରୀକ୍ ଭାଷାରେ ଭାରତୀୟ ଦାରୁ ଶବ୍ଦ ସହିତ ସମୋଦ୍ଧୃତ δόρῠ(dóru),
trum (“ଦୃଢ଼,ଅଟଳ”),δροόν (droón, “ଶକ୍ତ,ବଳୁଆ”) ଓ δρῦς(drûs;ଓକ୍ ଓ ଟିମ୍ବର ଜାତୀୟ ଗଛ) ଆଦି ଶବ୍ଦ ଚଳୁଥିଲା । ସେହିପରି ଲାଟିନ ଭାଷାରେ ବି dūrus ଶବ୍ଦ ଟାଣ ଓ ଶକ୍ତ ଅର୍ଥରେ ଚଳୁଥିଲା । ହିଟାଇଟ୍ ଭାଷାରେ ଗଛ ଓ କାଠକୁ 𒋫𒊒 (taru) କୁହାଯାଉଥିଲା । ଆଵେସ୍ତାନୀ ଭାଷାରେ ଲୋକେ କାଠକୁ 𐬛𐬁𐬎𐬭𐬎‎ (dāuru) କହୁଥିଲେ । ଟୋଚାରିଆନ୍ ଭାଷାରେ କାଠକୁ or କୁହାଯାଏ ଏଵଂ ଏହା ମଧ୍ୟ ଦାରୁ ଶବ୍ଦର ସଗୋତ୍ରୀୟ ଶବ୍ଦ ଅଟେ । 
ଓ୍ଵେଲ୍ସ ଭାଷାରେ ଓକ୍ ଗଛକୁ derw କୁହାଯାଏ । ସ୍ଲାଭିକ୍ ଭାଷାରେ ଗଛ ଓ କାଠକୁ *drъ̏vo କୁହନ୍ତି । ଆଲବେନୀୟ ଭାଷାରେ ବି ଗଛ ଓ କାଠକୁ dru କୁହାଯାଏ । ବ୍ରେଟୋନ୍ ଭାଷାରେ ମଧ୍ୟ ଓକ୍ ଗଛକୁ derv କହିଥାନ୍ତି । ସଂସ୍କୃତ ଭାଷାରେ ଦାରୁ ସହିତ ସମୋଦ୍ଧୃତ ଦ୍ରୋଣ,ଦ୍ରୁମ,ଦର୍ଵି ଭଳି ଶବ୍ଦ ଥିଲା ଭଳି ରୁଷୀ ଭାଷାରେ ମଧ୍ୟ ଏହା ସହିତ ସଗୋତ୍ରୀୟ дром (drom;ବଡଗଛ) ଶବ୍ଦ ଚଳୁଅଛି । ୟୁରୋପରେ ପ୍ରଚଳିତ ମୂଳ ଆର୍ଯ୍ୟଭାଷାର ସବୁଠାରୁ ନିକଟତର ଭାଷାରେ ଲିଥୁଆନିରେ ପ୍ରଚଳିତ dervà (“tar, resin”) ଶବ୍ଦର ମଧ୍ୟ ଦାରୁ ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଜଣାଯାଏ । ଭାରୋ ଇରାନୀୟ ଭାଷା ପାର୍ସୀ, କୁର୍ଦ୍ଦିସ୍ ଭାଷାରେ କାଠି,କାଠ ଓ ଗଛକୁ دار‎ (dar) କୁହାଯାଏ । ବଲୋଚୀ ଭାଷାରେ କାଠି ଓ କାଠକୁ دار (dár) କୁହାଯାଏ । ମାଜନ୍ଦରାନୀ ଭାଷାରେ ଗଛକୁ دار (dâr) କୁହାଯାଏ । ବଖ୍ତୟାରୀ ଭାଷାରେ ଗଛକୁ دار (daar) କୁହାଯାଏ। ପ୍ରୋକ୍ତ ଵୃକ୍ଷ,ଗଛ,କାଠି ଓ ଟାଣ ଆଦି ଅର୍ଥଜ ସମସ୍ତ ସଗୋତ୍ରୀୟ ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *dóru,*deru ଓ *drew ନିର୍ଣ୍ଣୟ କରାଯାଇଛି । 


ତେବେ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀରେ ଆଜି ଯେଉଁ tree ଶବ୍ଦଟି ଗଛ ଅର୍ଥରେ ଵ୍ଯଵହାର ହେଉଅଛି ତାହାର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଦାରୁ ଶବ୍ଦ ରହିଛି । ପ୍ରକୃତରେ ଇଂରାଜୀରେ tree ଶବ୍ଦଟି tre, tree, treo, treou, trew, trow ଆଦି ଵିଭିନ୍ନ ରୂପରେ ଭିନ୍ନ ଭିନ୍ନ ସମୟରେ ଚଳୁଥିଲା । ପୁରୁଣା ଇଂରାଜୀରେ trēo, trēow ଶବ୍ଦ ଗଛ,କାଠ, ବାଡ଼ି ଆଦି ଅର୍ଥରେ ଵ୍ଯଵହାର ହେଉଥିଲା । ତେବେ ଇଂରାଜୀର ଏହି tree ଶବ୍ଦଟି ଜର୍ମାନ୍ ମୂଳର *trewą (“ଗଛ,କାଠ”) ଶବ୍ଦର ଆଧୁନିକ ଇଂରାଜୀ ରୂପ ଅଟେ ଏଵଂ ଆଧୁନିକ ଭାଷାଵିଦମାନଙ୍କ ଅନୁସାରେ ଜର୍ମାନ୍ *trewą ଶବ୍ଦଟି ଆଗେ *dréwom ଥିଲା ଏଵଂ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *dóru (“ଗଛ”) ଅଟେ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଦାରୁ ଶବ୍ଦଟି ଆଷ୍ଟ୍ରୋଏସୀୟ ମୂଳର ଶବ୍ଦ ନୁହେଁ ଵରଂ ଏକ ଭାରୋପୀୟ ଶବ୍ଦ ଏଵଂ ଏହାର ମୂଳ ଭାରୋପୀୟ ଶବ୍ଦରୂପ *dóru ଥିଲା ଯାହାର ସବୁଠାରୁ ନିକଟତର ସ୍ଵରୂପ ଦାରୁ ଶବ୍ଦକୁ ଆଜି ବି ଓଡ଼ିଶାର ଲୋକେ ବଞ୍ଚାଇ ରଖିଛନ୍ତି । 

ଶହେ ଦୁଇଶହ ଵର୍ଷ ତଳେ ଆଜି ଭଳି ସବୁ ଭାରୋପୀୟ ଭାଷାର ଶବ୍ଦ ସମ୍ଭାର ଵିଷୟରେ ଏତେ ତଥ୍ୟ ଉପଲବ୍ଧ ନଥିଲା କି ସହଜରେ ପ୍ରାପ୍ତ ହେଉନଥିଲା ତେଣୁ ସେସମୟରେ ଅଧିକ ଗଵେଷଣା ନକରି ଓଡ଼ିଶାର କିଛି ଭାଷାଵିଦ ଓଡ଼ିଆ ଦାରୁ ଶବ୍ଦଟିକୁ ଏକ ଆଷ୍ଟ୍ରୋଏସୀୟ ଶବ୍ଦ ଘୋଷଣା କରିଦେଇଥିଲେ । ସେହି ପୁରୁଣା ମତ ଏବେ ଭୁଲ୍ ବୋଲି ପ୍ରମାଣିତ ହୋଇସାରିଛି ତଥାପି ଓଡ଼ିଶାର ଵିଶ୍ଵଵିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏବେ ବି ପିଲାମାନଙ୍କୁ ଏହି ଭୁଲ୍ ପାଠ କାହିଁକି ପଢ଼ାଯାଉଛି ?

Wednesday, May 10, 2023

family : ଲାଟିନ୍ ମୂଳର ଇଂରାଜୀ ଶବ୍ଦ

ପରିଵାର କହିଲେ ଭାରତର କିଛି ନଗରଵାସୀ ହୁଏତ ବୁଝିନପାରନ୍ତି କିନ୍ତୁ family କହିଲେ ସମସ୍ତେ ଆଜିକାଲି ଝଟ୍ ବୁଝିଯାଆନ୍ତି । ଅନେକେ ଭାବୁଥିବେ family ତ ଇଂରାଜୀ ଶବ୍ଦ ଆଉ ...
କିନ୍ତୁ ପ୍ରକୃତରେ Family ଶବ୍ଦଟି ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ କି କେବେ ନଥିଲା । Family ଶବ୍ଦଟିର ପୁରୁଣା ଇଂରାଜୀ ରୂପ familie ଏଵଂ ଏ ଶବ୍ଦଟି ଲାଟିନ ଭାଷାର familia ଶବ୍ଦ ମୂଳର ଅଟେ । ଲାଟିନ ଭାଷାରେ familia ଶବ୍ଦର ଅର୍ଥ ଥିଲା ଘରର ଭୃତ୍ୟ ସମୂହ, ସାମୁହିକ ଭାବରେ ଘରେ ରହୁଥିଵା ଏକାଧିକ ଲୋକଙ୍କ ସମୂହ । ପୁଣି ଯେଉଁ ଲାଟିନ୍ ଶବ୍ଦ familiaରୁ ଇଂରାଜୀ ଭାଷାରେ family ଶବ୍ଦ ସୃଷ୍ଟି ହୋଇଛି ତାହାର ମୂଳ ଲାଟିନ୍ ରୂପ ହେଉଛି famulus ଓ famula ଏଵଂ ଏହି ଦୁଇଗୋଟି ଶବ୍ଦର ମୂଳ ଅର୍ଥ ଯଥାକ୍ରମେ ଚାକର ଓ ଚାକରାଣୀ ଥିଲା ‌। 
ସେହିପରି ଲାଟିନ୍ ଭାଷାରେ ଚାକର ଓ ଚାକରାଣୀ ଅର୍ଥରେ ଵ୍ୟଵହୃତ famulus ଓ famula ଶବ୍ଦଟି ପ୍ରୋଟୋ ଇଟାଲିକ୍ *famelos (“ଦାସ, ଗୋଲାମ୍”) ଶବ୍ଦରୁ ସୃଷ୍ଟି ହୋଇଛି । ଅର୍ଥାତ୍ family ଏମିତି ଏକ ଶବ୍ଦ ଯହିଁର ମୂଳ ଶବ୍ଦର ଅର୍ଥ ଦାସ ଓ ଚାକର ଥିଲା । 

କିନ୍ତୁ ପ୍ରାଚୀନ ଇଂରାଜୀ ଭାଷାରେ family ବୋଲି କୌଣସି ଶବ୍ଦ ନଥିଲା ଵରଂ ପରିଵାର ଅର୍ଥରେ ପ୍ରାଚୀନ କାଳର ଇଂଲଣ୍ଡଵାସୀ hīred(ଅନ୍ୟରୂପ : hēored, hīered, hīorad, hīræd, hīrd, hȳred) ବୋଲି ଏକ ଶବ୍ଦ ପରିଵାର ଅର୍ଥରେ ଵ୍ୟଵହାର କରୁଥିଲେ । ଆଧୁନିକ ଯୁଗରେ ପ୍ରଚଳିତ ଇଂରାଜୀ hire ସହିତ ଏହି ଶବ୍ଦର କୌଣସି ସମ୍ପର୍କ ନାହିଁ ।‌ ଇଂରାଜୀ ଏକ ଜର୍ମାନିକ୍ ଭାଷା , ଲାଟିନ୍ ଏକ ଇଟାଲିକ୍ ଭାଷା । ଇଟାଲିକ୍ ଭାଷାରୁ family ଶବ୍ଦ ନେଵାରୁ ଇଂରାଜୀ ଭାଷା ତାହାର ନିଜ ଜର୍ମାନିକ ମୂଳର ପରିଵାର ଅର୍ଥଜ hīred ଶବ୍ଦକୁ ହରାଇ ଦେଲା ।‌ 

ହଁ ! ଗୋଟିଏ ଭାଷାର ଶବ୍ଦ ଆଣି ନିଜ ଭାଷାରେ ପୁରେଇଲେ ନିଜ ଭାଷାର ସମାର୍ଥକ ପ୍ରତିଶବ୍ଦକୁ ବଳି ଦେଵାକୁ ହିଁ ହୁଏ ...

Sunday, April 30, 2023

•ଗୋଵର ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର•

ଆଜିକାଲି ଆଉ ଅଧିକାଂଶତଃ ଗୋଵର ଦ୍ଵାରା ଘର ଲିପା ହେଉନାହିଁ କାରଣ ଚାରିଆଡ଼େ ଏବେ କୋଠାଘର ହୋଇଗଲାଣି ତେବେ ଗ୍ରାମାଞ୍ଚଳରେ ଵିଶେଷ ପୂଜା ପର୍ଵ ପାର୍ଵଣ ପୂର୍ଵରୁ କାଁ ଭାଁ କେହି କେହି ଗୋଵର ଦ୍ଵାରା ଘର ଲିପୁଛନ୍ତି । ଆଗକାଳରେ ଗୋଵରରେ ଲିପାପୋଛାକୁ ନେଇ ଆମ ଭାଷାରେ ଅନେକ ଶବ୍ଦ ଚଳୁଥିଲା ହେଲେ ଏହି ପରମ୍ପରା ଧିରେ ଧିରେ ସମାଜରୁ ଅପସରି ଯାଉଥିଵାରୁ ସେ ଶବ୍ଦ ସବୁ ମଧ୍ୟ ଲୋପ ପାଇଯାଉଛି ।

କୌଣସି ଅପରିଷ୍କୃତ ସ୍ଥାନକୁ ଗୋଵର ଲଗାଇ ଲିପିଵାକୁ ଗୋଵର ଲଗାଇଵା କୁହାଯାଉଥିଲା ପୁଣି ଲକ୍ଷଣାର୍ଥ ଏ ଶବ୍ଦ କୌଣସି କାର୍ଯ୍ୟରେ ଭୁଲଭଟକା ରଖିଵା ଵା ତନ୍ତରମାଧିଆ କରି କାର୍ଯ୍ୟ କରିଵା ଅର୍ଥରେ ବି ଵ୍ଯଵହୃତ ହେଉଥିଲା । 

ଦୈନିକ କାର୍ଯ୍ୟ ସ୍ୱରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵାକୁ କଟକାଞ୍ଚଳରେ ଚଉକା ଦେଵା କୁହାଯାଉଥିଲା । କେତେକ ଅଞ୍ଚଳରେ ପାକ ପୂର୍ଵରୁ ଚୂଲିର ଚାରିପାଖ ଗୋଵରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିଵାକୁ ମଧ୍ୟ ଲୋକେ ଚଉକା ଦେଵା କହୁଥିଲେ ।‌ ଉତ୍ତର ଓଡ଼ିଶାରେ ଗୋଵରରେ ଘର ଲିପିଵାକୁ ଛଁଚ୍ କୁହାଯାଉଥିଲା ।‌ ଉପକୂଳଵର୍ତ୍ତୀ ଓଡ଼ିଶାରେ ମାଟିଘରର ତଳରେ ମାଟିଗୋଵରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିଵାକୁ ଛିଞ୍ଚ ଦେଵା କୁହାଯାଉଥିଲା। ଏ ଶବ୍ଦ କେତେକ ଅଞ୍ଚଳରେ ଛୁଞ୍ଚ ଓ ଛୁଞ୍ଚ ଦେଵା ରୂପେ ବି ଚଳୁଥିଲା । ଵିଶେଷତଃ ସକାଳୁ ଗୋଵରପାଣିରେ ଅଗଣା ଆଦି ଲିପିଵାକୁ ଛୁଞ୍ଚ ଦେଵା କୁହାଯାଉଥିଲା । ସେହିପରି ଘର ଲିପିଵାର କନାକୁ ଆଗେ ଲୋକେ ମାଟି ଗୋଵରକନା, ଛିଞ୍ଚକନା ଓ ଛୁଞ୍ଚିକନା କହୁଥିଲେ ।‌ ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିଵାରେ ଵ୍ୟଵହୃତ ଗୋଵରପାଣିକୁ ଛୁଞ୍ଚପାଣି ଓ ନିତି ସକାଳେ ଘରଦ୍ୱାର ଲିପିଵା ପାଇଁ ଯେଉଁ ହାଣ୍ଡିରେ ମାଟିଗୋଵର ମିଶା ପାଣି ରଖାଯାଉଥିଲା ତାକୁ ଛୁଞ୍ଚହାଣ୍ଡି କହୁଥିଲେ ।‌

ମଧ୍ୟ ଗଡ଼ଜାତରେ ଲୋକେ ଗୋଵରରେ ଘର ଲିପିଵାକୁ ନିକା କହୁଥିଲେ ଏଵଂ ଆଜି ବି ଘର ଲିପିଵା , ସଜାଡି଼ଵା ଓ ବାଛିଵା ଅର୍ଥରେ ନିକେଇଵା ଶବ୍ଦ ଵ୍ୟଵହାର ହୋଇଥାଏ । 

ବାଲେଶ୍ଵରରେ ଆଗକାଳରେ ଲୋକମାନେ ଗୋଵର ଓ ପାଣିରେ ଘର ପୋଛିଵାକୁ ବୁରି ଦେଵା କହୁଥିଲେ । 

ଆଉ କେତେକ ଅଞ୍ଚଳରେ ଘରର ତଳକୁ ଓ କାନ୍ଥକୁ ଗୋଵର ଗୋଳା ପାଣିରେ ବୁଡ଼ା ହୋଇଥିଵା କନାପୁଡ଼ାରେ ଲିପିଵାକୁ ଲୁଣ୍ଡାଇଵା କୁହାଯାଉଥିଲା ।‌ଘର ଲିପିଵା ପାଇଁ ଵ୍ୟଵହୃତ ମାଟିଗୋଵରର ଏହି ଲୁଣ୍ଡାକୁ ସମ୍ବଲପୁରରେ ସର୍କା କହୁଥିଲେ । 

କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିଵାକୁ ଗୋଵର ଲେସିଵା ଓ ଗୋଵର ଲଗାଇଵା କୁହାଯାଉଥିଲା । 
ପ୍ରତିଦିନ ସକାଳେ ଓଡ଼ିଶାର ସ୍ତ୍ରୀଲୋକମାନେ ଗାଈଗୁହାଳକୁ ପୋଛି ପରିଷ୍କାର କରୁଥିଲେ ଏଵଂ 
ଯେଉଁ ଟୋକେଇରେ ଗୁହାଳର ଗୋଵର ଓ ଅଳିଆ ପୂରାଇ ଵାହାରକୁ ଅର୍ଥାତ୍ ଖତଗଦା,ଗୋଵରଖାତ,ଗୋଵରଗଦା,ଗୋଵରଗାଡ଼ ଵା ଖତକୁଡ଼କୁ ନିଆଯାଉଥିଲା ତାକୁ ଗାଣ୍ଡୁଆ ଓ ଗୋଵରପୋଛା କହୁଥିଲେ । ଗୋଵର ପାଣିରେ ଲିପାପୋଛାକୁ ଅଧିକାଂଶ ଅଞ୍ଚଳରେ ଲିପିଵା ପୋଛିଵା କୁହାଯାଉଥିଲା ଯାହା ଆଜି ବି ଚଳୁଅଛି । 

କେଵଳ ଗାଈ ଗୋଵରରେ ଘର ଲିପା ଯାଉଥିଲା ଏଵଂ ଷଣ୍ଢ ଗୋଵର ଦ୍ୱାରା ଯଜ୍ଞ ଭୂମିଆଦି ଲିପିଵା ନିଷିଦ୍ଧ ଥିଵାରୁ “ଅଵ୍ୟଵହାର୍ଯ୍ୟ ପଦାର୍ଥ” ଅର୍ଥରେ ଲକ୍ଷଣାର୍ଥ "ଷଣ୍ଢଗୋଵର" ଶବ୍ଦ ବି ଵିଶେଷ ଵ୍ୟଵହାର ହେଉଥିଲା ।‌

ପ୍ରତିଦିନ ସକାଳେ ଗୃହର ଯେଉଁ ଯେଉଁ ଆଵଶ୍ୟକୀୟ କର୍ମ ଯଥା 
ଅଗଣାରେ ଗୋବର ପାଣି ଛିଞ୍ଚିଵା, ଘରଲିପିଵା, ଗତ କାଲିର ଅଇଁଠା ବାସନ ମାଜିଵା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇଵା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ 'ବାସୀ ଆଡ଼ତି' କହୁଥିଲେ । ରାନ୍ଧିବା ପୂର୍ଵରୁ ଚୁଲୀର ଚାରିପାଖ ଗୋଵରପାଣିରେ ଲିପି ପରିଷ୍କାର କରିଵାକୁ ଓଡ଼ିଆ ଲୋକେ ଚୂଲି ଚଉକା ଦେଵା କହୁଥିଲେ ।‌

ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଉତ୍କଳର ସନାତନୀ ମହିଳାମାନେ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳଵଧୂମାନେ ପ୍ରତିଦିନ ଏଵଂ ଵିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋଵରପାଣିରେ ଚଉରାମୂଳକୁ ଲିପୁଥିଲେ । 

ଆଗକାଳରେ ଏମନ୍ତକି ନବେ ଦଶକ ପର୍ଯ୍ଯନ୍ତ ଓଡ଼ିଶାର ଅଧିକାଂଶ ଗ୍ରାମାଞ୍ଚଳରେ ସକାଳୁଁ ସ୍ତ୍ରୀଲୋକମାନେ ଅଗଣା ଓଳାଇ ଗୋଵରପାଣି ଛିଞ୍ଚୁଥିଲେ ଏଵଂ ତାକୁ ଛରା ଦେଵା ଓ ଛେରା ଦେଵା କହୁଥିଲେ ।‌ ଏହି ପ୍ରକିୟାକୁ ଛରା ଓ ଛେରା ମଧ୍ୟ କୁହାଯାଉଥିଲା ।‌ ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏଵଂ ସକାଳୁ ଦୁଆରେ ଗୋଵର ପାଣି ଛିଞ୍ଚିଵାକୁ ଝୁଣ୍ଟିଵା କହୁଥିଲେ । 

ଗୋଵର ମିଶା ପାଣି ଦ୍ଵାରା ଦାଣ୍ଡ ଆଗରେ ଠ ଆକାରର ଏକ ଗୋଲାଇ କରି ତହିଁରେ ଦେଵୀ ଦେଵତାଙ୍କୁ ପଣା ଦିଆଯାଉଥିଲା । ଆଜିକାଲି କେହି କେହି ଏହା ପରିଵର୍ତ୍ତେ ରଙ୍ଗ ମୁରୁଜ କରୁଛନ୍ତି । 

ଗୋଵର ଲିପାପୋଛା କରିଵାରେ ସର୍ଵାଧିକ ଯୋଗଦାନ ମହିଳାମାନଙ୍କର ଥିଲା ତେଣୁ ଯେଉଁ ସ୍ତ୍ରୀ ଅତିରିକ୍ତ ଭାବରେ ଆଚାର ନିଷ୍ଠା ପାଳନ କରୁଥିଲା ତାକୁ ଥଟ୍ଟା କରିଵାକୁ ଢଗ ପ୍ରଚଳିତ ହୋଇଥିଲା 

“ନିୟାମୀ ନାନୀ,ଦିହରେ ମାରୁଛି ଗୋଵର ପାଣି"

ଆଗକାଳରେ ଗୋଵର ପାଣିକୁ ଲିପିଵା ଛଡ଼ା ଅନ୍ୟ କାର୍ଯ୍ୟରେ ବି ଲଗାଯାଉଥିଲା ।‌ ଖଜୁରିପିଞ୍ଛକୁ ଗୋଵର ପାଣିରେ ବୁଡ଼ାଇ ତଦ୍ଦ୍ୱାରା ଧାନ ଗଛରେ ଗୋଵର ପାଣି ଛଟାଯାଉଥିଲା ଫଳତଃ ଗୋଵର ଧାନ ଗଛରେ ବୋଳି ହୋଇଯାଉଥିଲା ଏଵଂ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଉନଥିଲେ । ଏହି ପ୍ରକ୍ରିୟାକୁ ପିଛଦେଵା ଓ ପିଞ୍ଛ ମାରିଵା ମଧ୍ୟ କୁହାଯାଉଥିଲା।

ଗୋବର ଓଦା ଥିଵା ଅବସ୍ଥାରେ ତାକୁ ଚକଟି ହାତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିଵାକୁ ଘଷିପାଡି଼ଵା ଵା ଘଷିପାରିଵା କୁହାଯାଉଥିଲା ଏଵଂ ଏହି କାର୍ଯ୍ୟ କରୁଥିଵା ଵ୍ୟକ୍ତିଙ୍କୁ ଘଷି ପରାଳି କହୁଥିଲେ । କରତଳ ଦ୍ୱାରା ଚାପି ଗୋଵରକୁ ଚକ୍ରାକାର କରି ଭୂମିରେ ଵା କାନ୍ଥରେ ଘସି ପାରିଵାକୁ ଚାପଡ଼ାଇଵା କୁହାଯାଉଥିଲା । କେତେକ ଅଞ୍ଚଳରେ ଘଷି କରିଵା ପାଇଁ ଗୋଵରକୁ ପିଠା ପରି ଭୂମିରେ ବସାଇଵାକୁ ତାରିଵା,ଥାପିଵା ବି କହୁଥିଲେ । 

ଯାଜପୁରରେ ଗାଈ ଵା ବଳଦ ଵିକ୍ରି କରିଵା ବେଳେ, ଵିକ୍ରେତା କ୍ରେତାକୁ ଟିକିଏ ମାଟିଗୋଵର ଓ କେରାଏ ଦୁବ ଘାସ ଦେଉଥିଲା ତାକୁ ଛୁତ ଦେଵା କୁହାଯାଉଥିଲା। 

ରସାୟନିକ ସାର ଵ୍ୟଵହାର ପୂର୍ଵରୁ ଗୋଵର ଥିଲା କୃଷିକ୍ଷେତ୍ରର ମୁଖ୍ୟ ଜୈଵିକ ଖତ । ଗୋଵରକୁ କିଏ ଖରସୀ କିଏ ଖତ ତ ଆଉ କିଏ ଗୁଵର କହୁଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ନାନା ନାମ ପ୍ରଚଳିତ ଥିଲା । କୃଷିକ୍ଷେତ୍ରକୁ ଖତଗଦାରୁ ଶଗଡ଼ରେ ଡୋଲି ଯୋଗେ ଗାଡ଼ି ଗାଡ଼ି ଗୋଵର ପକାଯାଉଥିଲା । ଗୋରୁ ମଇଁଷିଙ୍କ ଗୋଵର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିଵା ଉଦ୍ଦେଶ୍ୟରେ ଗୋରୁ ଵା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇଵା ପ୍ରକ୍ରିୟା ମଧ୍ୟ ହେଉଥିଲା ଯାହାକୁ ଆଗକାଳର ଲୋକେ ମଳେଇ କହୁଥିଲେ । 

କିନ୍ତୁ ନବେ ଦଶକ ପରେ ସବୁକିଛି ବଦଳି ଗଲା । ଆଧୁନିକ ଭାରତୀୟଙ୍କ ଘରେ ଘରେ ଟିଵି ଓ ପରେ ମୋଵାଇଲ ଆସିଗଲା । ସରକାରୀ ସାହାଯ୍ୟରୁ ଆଵାସ ଯୋଜନା ଦ୍ଵାରା ପକ୍କାଘର ମିଳିଲା କେହି କେହି ନିଜ ଉଦ୍ୟମରେ କୋଟାଘର କଲେ । ଲୋକେ କ୍ରମଶଃ ପଶ୍ଚିମ ସଭ୍ୟତା ଦ୍ଵାରା ପ୍ରଭାଵିତ ହେଲେ ଏଵଂ ବିଲରେ କାର୍ଯ୍ୟ କରିଵା ତଥା ଗୋପାଳନ ପ୍ରତି ଵିମୁଖ ହେଲେ । ମୁଖ୍ୟତଃ ପଶୁ ଖାଦ୍ୟ ଯୋଗାଡ଼ ନକରିପାରିଵାରୁ ନବେ ଦଶକ ପରେ ଧିରେ ଧିରେ ଗୋପାଳନ କମି କମି ଗଲା । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଟ୍ରାକ୍ଟର୍,ଧାନ କଟା ଯନ୍ତ୍ର ଓ ବେଙ୍ଗଳା ଯନ୍ତ୍ର ଇତ୍ୟାଦି ବହୁପ୍ରଚଳିତ ହୋଇଗଲା ଆଉ ସର୍ଵ ଶେଷରେ ରସାୟନିକ ସାର ତଥା କୀଟନାଶକର ବହୁଳ ଵ୍ୟଵହାର ଯୋଗୁଁ ଗାଈ,ବଳଦ ଆଉ ଗୋଵରର ଆଵଶ୍ୟକତା ରହିଲା ନାହିଁ ‌। 
ଗୋଵର ଦ୍ଵାରା ଲିପିଵା ଓ ଗୋଵରର ଅନ୍ୟାନ୍ୟ ଜଣାଶୁଣା ଵ୍ୟଵହାର ଆଜି ବହୁତ କମି ଯାଇଛି । ନୂଆ ଭୁଆସୁଣୀମାନେ ଆଉ ଗୁହାଳ ପୋଛୁନାହାନ୍ତି,ଗୋଵର ଲିପୁନାହାନ୍ତି କି କୃଷକମାନେ ଖଜୁରିପିଞ୍ଚରେ ଗୋଵର ପାଣି ଛିଞ୍ଚି ନିଜ ଧାନଗଛକୁ ସୁରକ୍ଷିତ କରୁନାହାନ୍ତି । କୃଷିକ୍ଷେତ୍ରରେ ଆଗ ଭଳି ଜୈଵିକ ଗୋଵର ଵା ଖତ ପକାଇ ତାକୁ ଉର୍ଵର କରାଯାଉନାହିଁ । 

ହଁ ପରମ୍ପରା ନାମରେ କୋଉଠି କେମିତି କେହି କେହି ମଧ୍ୟ ଵୟସ୍କା ଓ ଵୟସ୍କା ମହିଳାମାନେ ଗୋଵରରେ ଲିପାପୋଛା କରି ଦିଅନ୍ତି । ଆଉ କ'ଣ ଗୋଵରର ଦିନକାଳ ଫେରିଵ ନା ଗୋଵର ସମ୍ବନ୍ଧୀୟ ଏସବୁ ଓଡ଼ିଆ ଶବ୍ଦ ସମ୍ଭାର ଆଉ ବଞ୍ଚି ରହିପାରିଵ ?

Thursday, March 30, 2023

ବୋଉ : ଶବ୍ଦ ଗୋଟିଏ କଥା ଅନେକ


ବୋଉ ଶବ୍ଦ ଗୋଟିଏ ଵିରଳ ନିଆରା ସୁନ୍ଦର ଭାଵପୂର୍ଣ୍ଣ ଶବ୍ଦ । ତେବେ କିଛି ଵର୍ଷ ହେଲା ବୋଉ ଶବ୍ଦକୁ ନେଇ ଅଯଥା ଵିଵାଦ ସୃଷ୍ଟି କରିଵାକୁ ଚେଷ୍ଟା କରାଯାଉଛି ‌। ଧ୍ଵନିତତ୍ତ୍ଵ ଓ ଶବ୍ଦତତ୍ତ୍ଵ ଵିଷୟରେ କିଛି ନଜାଣି କେତେକ ମୂର୍ଖ ଲୋକ କଟକିଏ ଉପକୂଳିଏ 'ବୋଉ' ଶବ୍ଦଟି କୁଆଡ଼ୁ ଆଣିଲେ ବୋଲି ପଚାରୁଛନ୍ତି । ସେମାନଙ୍କ ଅନୁସାରେ ପୃଥିଵୀରେ ସମସ୍ତେ ନିଜ ମାତାଙ୍କୁ ମାଆ,ମାମା,ଅମ୍ମି ସମ୍ବୋଧନ କରନ୍ତି ଏଵଂ ଏହା ସଂସ୍କୃତ ଭାଷାର ଶବ୍ଦ। ହେଲେ କଟକିଏ ବୋଉ ଶବ୍ଦ କୁଆଡ଼ୁ ଆଣିଲେ ? 

ତେବେ ପୃଥିଵୀରେ ସବୁ ଅଞ୍ଚଳରେ ସବୁ ଭାଷାରେ ମାଆମାନଙ୍କୁ ପିଲାଏ ମାଆ,ମାତା ସମ୍ବୋଧନ କରନ୍ତି ନାହିଁ । ଅନେକ ଭାଷାରେ ଭିନ୍ନ ଭିନ୍ନ ଵର୍ଣ୍ଣ ଆଦ୍ୟରୁ ମାତା ସମ୍ବୋଧନ ପାଇଁ ଶବ୍ଦ ରହିଛି । ତନ୍ମଧ୍ୟରୁ ଵର୍ଗ୍ୟ 'ବ' ଵର୍ଣ୍ଣ ଆଦ୍ୟରେ ମାତାଙ୍କୁ ସମ୍ବୋଧନ କରାଯିଵା ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ପ୍ରଚଳିତ । 

ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । 

ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ 
Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ 
କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ bimaa ଓ bąą ସମ୍ବୋଧନ କରିଥାନ୍ତି । 

ଋଷିଆ ଓ ଏହାର ଆଖପାଖ ଦେଶରେ ପ୍ରଚଳିତ Northeast Caucasian ଭାଷା ପରିଵାରର ଅନ୍ୟତମ ଭାଷା Avar ଭାଷାରେ ମାଆଙ୍କୁ ପିଲାଏ эбел (ebel), баба (baba) ଓ буба (buba) ସମ୍ବୋଧନ କରିଥାନ୍ତି । 

ଭାରତୀୟ ରାଜ୍ୟ ଆସାମର ସିନୋ ତିବତ୍ତୀୟ ଭାଷା ପରିଵାରର ବୋଡ଼ୋ ଭାଷା ବୋଲୁଥିଵା ଲୋକେ ନିଜ ମାଆଙ୍କୁ 
आइ ଓ बिमा ସମ୍ବୋଧନ କରନ୍ତି ।‌

Austronesian ଭାଷା ପରିଵାରର 
Brunei Malay ଭାଷାରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 

ସିନୋ ତିବତ୍ତୀୟ ଭାଷା ପରିଵାରର 
Min Nan ଭାଷାରେ ମାଆଙ୍କୁ ପିଲାଏ 母親/母亲 (bó-chhin, bú-chhin) ଓ 阿母 (a-bó) ଡାକିଥାନ୍ତି ‌ ।

Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ସେହିପରି ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । 

ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । 

Austroasiatic ଭାଷା ପରିଵାରର Vietnamese ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái ସମ୍ବୋଧନ କରାଯାଇଥାଏ ।

ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganର 
Turrbal ଭାଷାର ଗୋଟିଏ ଶୈଳୀ 
Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । 

Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ । 

ଭାରୋପୀୟ ଭାଷାପରିଵାରରେ ଓଡ଼ିଆ ଏମିତି ଏକ ଭାଷା ଯା ପାଖରେ ଵର୍ଗ୍ୟ ’ବ’ ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରିଵା ପାଇଁ ନିଆରା ଶବ୍ଦଟିଏ ଅଛି ’ବୋଉ’ । ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ ବୋଲି ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ତମ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ଅଵଶ୍ୟ ଓଡ଼ିଆ ଓ ଅହମିଆରେ ବୋଉ ତଥା ବୌ ଶବ୍ଦ ପ୍ରଚଳନ ହେଉ ଵା ପୃଥିଵୀର ପ୍ରୋକ୍ତ ଭାଷାଗୁଡି଼କରେ ପ୍ରଚଳିତ ଵର୍ଗ୍ୟ ’ବ’ ଵର୍ଣ୍ଣ ଆଦ୍ୟର ମାତାଙ୍କୁ ସମ୍ବୋଧନ କରାଯିଵା ଵିରଳ,ନିଆରା ଓ ସ୍ଵତନ୍ତ୍ର ପଦଵାଚ୍ୟ ହୋଇପାରେ । 

ଓଡ଼ିଆ ଭାଷାରେ ବୋଉ ଶବ୍ଦ ପ୍ରଚଳନ ତେଣୁ ଅତ୍ୟନ୍ତ ଵିରଳ କହିଲେ ଅତ୍ୟୁକ୍ତି ହେଵ ନାହିଁ । କିନ୍ତୁ କଳିଙ୍ଗର କେଵଳ ଓଡ଼ିଆ ଭାଷାରେ ହିଁ ଲୋକମାନେ ମାଆଠାରୁ ସ୍ଵତନ୍ତ୍ର ବୋଉ ଭଳି ଏକ ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରୁଛନ୍ତି ବୋଲି ଭାବିଵା ଠିକ୍ ନୁହେଁ କାରଣ ଆମ ଓଡ଼ିଶାର ଅନେକ ଦେଶୀୟ ଜନଜାତୀୟ ଭାଷାରେ ମାତାଙ୍କୁ ଆହୁରି କେତେକ ସ୍ଵତନ୍ତ୍ର ସମ୍ବୋଧନଵାଚକ ଶବ୍ଦ ଦ୍ଵାରା ପିଲାଏ ଡାକିଥାନ୍ତି । 

ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।ଓରାଓଁରେ ଆୟାଙ୍ ,କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ,କୁଈ ତଥା କୁଭି ଭାଷାରେ ଆଜି ଓ କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା ଡକାଯାଏ। ଗୋଣ୍ଡୀ ଭାଷାରେ ୟାୟା,ଦେଶିଆ ଓଡ଼ିଆରେ ଆୟା,ବଣ୍ଡା ଭାଷାରେ ୟଂ ଓ ଇୟଂ,ଭୁଂଜିଆରେ ଓୟା 
,ସଉରାରେ ୟାଙ୍,ସାଦ୍ରୀରେ ଆୟୋ,
ସାନ୍ତାଳୀରେ ଏଙ୍ଗା ଓ ଅୟୋ,ଡିଡାୟୀରେ ଇଆଁଙ୍ଗ୍,ପରଜୀ ଭାଷାରେ ଇୟ୍'ୟା 
ତଥା ଭତ୍ରୀ- ହଲଵୀ ଓଡ଼ିଆଶୈଳୀରେ ମାତାଙ୍କୁ ଆୟା ସମ୍ବୋଧନ କରାଯାଇଥାଏ ‌ । ନିଜ ମାତାକୁ ମାଆ ଶବ୍ଦ ନକରି ଏକ ସ୍ଵତନ୍ତ୍ର ମୌଳିକ ଶବ୍ଦ ଦ୍ବାରା ଡାକିଵାରୁ ଏମାନେ ହୀନ ହୋଇଗଲେ କି ? 

'ବୋଉ' କ'ଣ ଓଡ଼ିଆ ଭାଷାରେ ଆଗେ ମାଆଙ୍କୁ ଆସାମୀ ଓ ମରାଠୀ ଭାଷା ଭଳି ଆଈ ମଧ୍ୟ ସମ୍ବୋଧନ କରାଯାଉଥିଲା ବୋଲି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ମାତା ଅର୍ଥରେ ପ୍ରୟୋଗରୁ ସ୍ପଷ୍ଟ ହୋଇଥାଏ । ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଏହି ଆଈ ଶବ୍ଦଟି ସମ୍ଭଵତଃ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷା ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଏଇ ଯେମିତି...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ ଏହି ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ ତେଣୁ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । ଏ ସମସ୍ତ ସମ୍ବୋଧନ ସ୍ନେହ ସମ୍ବୋଧନ ଏଥିରେ କୌଣସି ଅଶ୍ଳୀଳତା ଅଛି ବୋଲି ଵିଚାର କରିଵା କେଵଳ ନିଜର ମାନସିକ ଵିକଳାଙ୍ଗତାକୁ ପ୍ରଚ୍ଛନ୍ନ ଭାବେ ପ୍ରକାଶ କରିଵା ଛଡ଼ା ଆଉ କିଛି ନୁହେଁ । 

ବୋଉ ଶବ୍ଦକୁ ନେଇ ଉପକୂଳଵାସୀଙ୍କୁ ଏ ପ୍ରଶ୍ନ କରାଯିଵାରୁ ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ । ତହିଁପରେ ବୋଉ ଶବ୍ଦର ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କେତେକଙ୍କ ମତରେ ବୋଉ ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଶବ୍ଦ ଏଵଂ ଅନେକ ଵର୍ଷ ଯାଏଁ ଏହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥିଲା କିନ୍ତୁ ସାହିତ୍ୟରେ ସ୍ଥାନ ପାଇ ଲୋକପ୍ରିୟ ହୋଇଅଛି । ଆଷ୍ଟ୍ରୋଏସୀୟ ମୂଳର ଭାଷା ଇଣ୍ଡୋନେସିଆ,ଜାଭାଭାଷା ଓ ମାଳୟ ଭାଷାରେ ଏବେ ବି ବୁ,ବୋ,ଇବୋ ଭଳି ଶବ୍ଦ ମାଆଙ୍କୁ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ ।‌ ଆଉ କେତେକଙ୍କ ଅନୁସାରେ ବୋଉ ଶବ୍ଦଟି ଵୋହୂ ଶବ୍ଦର ରୂପାନ୍ତରଣ ମାତ୍ର । ପିଲାଟିଏ ଆଗରେ ଶାଶୁ ନିଜ ଵୋହୂକୁ ଵହୂ,ଵଉ ଡାକିଵା ଶୁଣି ପିଲାଟି ତହିଁର ଅନୁକରଣରେ ବଉ ଓ ବୋଉ ଡାକିଵା ଆରମ୍ଭ କରିଛି । ଆଉ କିଛି ଲୋକେ ସଂସ୍କୃତ ଭାଷାରେ ଏ ବୋଉ ଶବ୍ଦର ଉତ୍ସ ଉଣ୍ଡିଵାକୁ ଯାଇ ଏହାକୁ ତତ୍ସମ ବନ୍ଧୁ ଶବ୍ଦର ଅପଭ୍ରଂଶ ରୂପ ବୋଲି ମଧ୍ୟ ପ୍ରମାଣିତ କରିଵାକୁ ଚେଷ୍ଟା କରିଛନ୍ତି । ଏ ଦେଶରେ ସାଧାରଣତଃ ସଂସ୍କୃତକୁ ବ୍ରାହ୍ମଣମାନେ ନିଜର ଵେଦପାଠ, ଶାସ୍ତ୍ରରଚନା ଓ ଧାର୍ମିକ କର୍ମକାଣ୍ଡ ମଧ୍ୟରେ ହଜାର ହଜାର ଵର୍ଷ ଧରି ବଞ୍ଚାଇ ରଖିଛନ୍ତି । ସଂସ୍କୃତ ଦିନେ ଏ ଦେଶର ରାଷ୍ଟ୍ରଭାଷା ଥିଲା ଏଵଂ ଓଡ଼ିଶାର ବ୍ରାହ୍ମଣମାନଙ୍କ ମଧ୍ୟରେ ଵିଶେଷତଃ ବୋଉ ତଥା ନନା ଡାକ ପ୍ରଚଳିତ । ତେଣୁ ହୁଏତ ବ୍ରାହ୍ମଣ ପରିଵାର ମଧ୍ୟରେ ଆଗେ ମାଆଙ୍କୁ ବନ୍ଧୁ ଡାକୁଥିବେ ଏଵଂ ଏହି ଶବ୍ଦରୁ ପରେ ବୋଉ ଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ମହାଶୟଙ୍କ ଅନୁସାରେ ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର ଏକ ଵିଶେଷ ଧ୍ଵନିତାତ୍ତ୍ଵିକ କାରଣ ରହିଛି ଯାହାକୁ ଅନେକେ ବୁଝିନପାରି ପ୍ରୋକ୍ତ ସମସ୍ତ ମତ ପ୍ରଦାନ କରିଛନ୍ତି। ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିଵାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । 

ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g(ଗୋସେଇଁ ମାଆ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■h (ହା ହା ―ଜାପାନୀ; ମାଆ)
■j (ଯା= ମାତା(ସଂ), ଜେଜେ,ଜେଜି/ଜେଈ/ଜେପା/ଜେଜ)

ପୁଣି ଫୋନୋଲୋଜିକାଲ୍ ଵିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ,fu(ମାତା-ହଙ୍ଗେରୀ),S,W, v(ଵାଲଦେନ୍), θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ । ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ତଥା ତ ଵର୍ଗର ତ,ଦ,ନ ଆଦି ଵର୍ଣ୍ଣ ହୋଇଥାଏ । 

ବୋଉ ଶବ୍ଦଟି Child babblingରୁ ସୃଷ୍ଟି ହୋଇଥିଵାର ଅନେକ ପ୍ରମାଣ ରହିଛି ।‌ ପ୍ରଥମତଃ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଵର୍ଗ୍ୟ ❝ବ❞ ଓ ❝ମ❞ ଵର୍ଣ୍ଣ ଆଦ୍ୟର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଏଵଂ ପିଲାମାନେ ଦୁଗ୍ଧପାନ ସମୟରେ child babbling ଯୋଗୁଁ ସର୍ଵାଧିକ ମ ଓ ବ ଧ୍ଵନି ହିଁ ଉତ୍ପନ୍ନ କରିଥାନ୍ତି । ଫଳତଃ ଏହି ଦୁଇଗୋଟି ଵର୍ଣ୍ଣରେ ସର୍ଵାଧିକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ହୋଇଅଛି । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l
 ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ‌। ଆମ ଭାଷାରେ ଵର୍ଗ୍ୟ 'ବ' ଆଦ୍ଯର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯହିଁର ସୂଚୀଟିଏ ଏଠାରେ ପ୍ରଦାନ କରିଦିଆଗଲା । 

•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
•ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...

“ଆଇଲେ ବାବା ଅମିନ ବଚା 
କର ଚରଚା ଦେ ଖରଚା ନେ ପାରଚା। 
ଅଇଲେ ଅମିନ ମାଇଲେ ମେଖ 
ବାରହାଣ୍ଡିଆଙ୍କୁ କରୁଛି ଭୋକ। 
ଅମିନ ଗାଆଁରେ ମାଇଲେ ମେଖ 
ପୋଲା ଖିଆଙ୍କର ମଲାଟି ଭେକ।”

ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗ ହେଉଥିଵା ଦେଖାଯାଏ । 

•ବଡ଼୍‌ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ । 
•ବା/ବାଆ— ବାପା
•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ 
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ‌।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଢ଼ୀ,ବୁଡ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ । 
ଯଥା 
“ଘରେ ନ ଥାଏ ଭୁର୍ଭୁଜା 
ବେଟା କରୁଥାଏ ଦୁର୍ଗାପୂଜା ॥”

କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ 
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...

“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା 
ରହ ରହ ବୋଇଲେ ମେଲିଣ ଗଳାଟା” । 

ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ । 

•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ 
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ ।  

ବୋପା—ବାପା
ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା ଶବ୍ଦ ପ୍ରୟୋଗ କରିଥାନ୍ତି । ଏହି ଶବ୍ଦଟି ଓଡ଼ିଶାର ପଶ୍ଚିମାଞ୍ଚଳରେ ଯାଇ ବୁଆ ରୂପେ ପ୍ରଚଳିତ ହୋଇଥିଵାର ମତ ରହିଛି ସେହିପରି ଢେଙ୍କାନାଳୀ ଓଡ଼ିଆରେ ବୋପା ଶବ୍ଦଟି ବୁପା ରୂପେ ଚଳୁଅଛି । ପ୍ରୋକ୍ତ ସମ୍ବନ୍ଧଵାଚକ ଶବ୍ଦ ସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ଵର୍ଗ୍ଯ 'ବ'ରୁ ସ୍ତ୍ରୀଲୋକଙ୍କୁ ସମ୍ବୋଧନ କରାଯିଵା ବେଇ,ବାଇ ଓ ବୁଇ ଭଳି ଶବ୍ଦ ରହିଛି ତେଣୁ ବୋଉ ଶବ୍ଦ ମଧ୍ୟ ରହିଵା ଅସମ୍ଭଵ ନୁହେଁ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ 'ମ' ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

 Finnish ଭାଷାରେ “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ “Anne,” “Ana” “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି । ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି । ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane ( ننه ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ 'ମ' ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ପୁଣି ଯଦି ଘରର ଵୋହୂକୁ ମାତୃଵତ୍ ଵିଚାର କରି ତାହାର କେହି କେହି ଶଶୁର,ଦିଅର ”ଵଉ ,ଵଉମାଆ” ସମ୍ବୋଧନ କରିଦେଲା ତାହା ଏକ ସମ୍ମାନ ସୂଚକ ସ୍ନେହ ସମ୍ବୋଧନ ବୋଲାଯିଵ ନା ଅଶ୍ଳୀଳ ସମ୍ବୋଧନ ଵିଦିତ ହେଵ ? ଘରର ଵୋହୂ ଅର୍ଥାତ୍ ବଡ଼ଭାଇଙ୍କର ସ୍ତ୍ରୀ ଦିଅର ପାଇଁ ଏଵଂ ପୁତ୍ରର ପତ୍ନୀ ଶଶୁର ପାଇଁ ମାତା ସମାନ ନୁହେଁ କି ? 

କେଵଳ ଭାରତରେ ହିଁ ନୁହେଁ ଚୀନ ଦେଶରେ ମାତାଙ୍କୁ ଵିଭିନ୍ନ ଭାଷାରେ 
母親 (móuhchàn),媽媽 (màhmà) ,阿母 (a mā) ,母親 (mu1-cin1),媽媽 (ma5-ma3),阿母 (a1-me1),母親 (mǔqīn), 
妈妈 [媽媽] (māma) ,母親 (bó-chhin),阿母 (a-bó) ଓ 俺娘 (án-niâ) ଆଦି ସମ୍ବୋଧନ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ପୁଣି ଚୀନଦେଶୀୟ ଭାଷାଗୁଡି଼କରେ ପ୍ରଚଳିତ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । ଯଥା—

•ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 
•Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 
•Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 
•ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଓଡ଼ିଆଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

ତାପରେ ଆମ ମହାକଵି ସଂସ୍କୃତଭାଷା କାନ୍ଧରେ ବନ୍ଧୁକ ରଖି ଓଡ଼ିଆ ଭାଷା ଉପରେ ବୋଉ ଶବ୍ଦ ଘେନି ଆକ୍ରମଣ କରିଥିଲେ । ସେ କହିଥିଲେ ସଂସ୍କୃତ ଭାଷାରେ ମାତା,ମାତୃ ଶବ୍ଦ ଅଛି କିନ୍ତୁ ବୋଉ ଶବ୍ଦ ନାହିଁ । ହେଲେ ସଂସ୍କୃତ ଭାଷା ଏତେ ସଂକୀର୍ଣ୍ଣ ନିକୃଷ୍ଟ ଭାଷା ନୁହେଁ ଯେ କେଵଳ ମାତୃ ଶବ୍ଦ ମଧ୍ୟରେ ଏହାର ଶବ୍ଦର ଶବ୍ଦ ସମ୍ଭାର ସୀମିତ । 

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି । ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଵୈଜ୍ଞାନିକ ମାନକ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବୋଉ,ବୌ,ବାଈ,ବୁଈ ଓ ବେଈ ଭଳି ସମ୍ବୋଧନଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

ଯୋଉମାନେ କହୁଛନ୍ତି କଟକିଆ ଉପକୂଳିଆଙ୍କ ବୋଉ ଶବ୍ଦ ଅଶାଳୀନ ସେମାନେ ନିଜେ ଅଶାଳୀନ । ଓଡ଼ିଶାରେ ଉଭୟ ମାଆ ଆଉ ବୋଉ ଶବ୍ଦର ପ୍ରଚଳନ ଅଛି ଵରଂ ଉପକୂଳିଆ ମାଆ ଶବ୍ଦକୁ ଯେତିକି ସମ୍ମାନର ସହିତ ଵ୍ୟଵହାର କରନ୍ତି ସାରା ଵିଶ୍ଵରେ କେହି କରୁନଥିବେ ।‌ ଷୋଡ଼ଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 
ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଛଡ଼ା ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।
ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା 'ବୋଉ' ଭଳି ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 
       •••••••ו••••••

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...