Showing posts with label ସମ୍ବଲପୁରୀ. Show all posts
Showing posts with label ସମ୍ବଲପୁରୀ. Show all posts

Friday, February 9, 2024

"ଦଇନି ଶବ୍ଦ ଓ ତାକୁ ନେଇ ଜଣେ ସମ୍ବଲପୁରିଆର କ୍ଷୋଭ"

ଯେତେବେଳେ ସମ୍ବଲପୁରୀ ଗୀତ ହେଲା

“ଜୁହାର୍ ଜୁହାର୍ ମାଁ ଗୋ ସମଲେଶ୍ୱରୀ ମାଁ... 
ତୋର୍ ପାଦେ କରୁଛେ ଦଇନି”

ଆମ୍ଭେ ତାହା ଶୁଣି ଯହ ଉଷତ ହେଲୁ ଯାହା ହେଉ ଆମର ଦଇନି ଭଳି ଗୋଟେ ଅଏନ୍ ଶବ୍ଦଟେ ଅଛି ଯୋଉଟା ଉପକୂଳିଆଙ୍କ ପାଖରେ ନାହିଁ !!!

ଯଦି ଉପକୂଳିଆଙ୍କ ପାଖରେ ଦଇନି ଶବ୍ଦ ଥାଆନ୍ତା ତାହେଲେ ସେମାନେ ତାଙ୍କ ଓଡ଼ିଆ ଇଷ୍ଟଦେଵୀ ମଙ୍ଗଳାଙ୍କର ସ୍ତୁତି ଗାଇଲା ବେଳେ କାହିଁକି ବୋଲୁନାହାନ୍ତି "ଜୟ ଜୟ ମାଆ ମଙ୍ଗଳା ତୋର ପାଦେ କରୁଛି ଦଇନି" ? 

ଆମ୍ଭର ଜଣେ ସଇ କହିଲେ "ବାବୁ ରାଧାନାଥ ରାୟଙ୍କ ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣରେ ପରା ଦଇନି ଶବ୍ଦ ଵ୍ୟଵହାର ହୋଇଛି 

“ଉଠ ଉଠ, ବାବୁ ଯିଵ ନଵରେ ବାହୁଡ଼ି,
ଚାହିଁଥିବେ ତୋର ବାଟ ଭାନୁମତୀ ମାଏ ;
ମାଏ ପୋଏ କଲ ମୋତେ ଅନେକ ଦଇନି,
ବାହୁଡ଼ି ନ ଯାନ୍ତି ଯଥା କୃଷ୍ଣ ଅପମାନେ,
ପଡ଼ା ପାଞ୍ଚଖଣ୍ଡି ମାଗିଥିଲେ ଯଦୁପତି,
ବେନି ପଡ଼ା ଦେଵା। ଲାଗି ତୁମ୍ଭେ କର ଅଳି ।”

ଆମ୍ଭେ ତାଙ୍କ କଥାକୁ ଆଦୌ ମାନି ପାରିଲୁ ନାହିଁ । ଆମ୍ଭେ ଶୁଣିଛୁ ରାଧାନାଥ ରାୟ କୁଆଡେ଼ ପଶ୍ଚିମ ଓଡ଼ିଶା ବୋଇଲେ ବାମଣ୍ଡାକୁ ଆସିଥିଲେ । ହୁଏତ ସେ ଦଇନି ଶବ୍ଦଟି ବାମଣ୍ଡାରୁ ପାଇ "ଦୁର୍ଯ୍ଯୋଧନଙ୍କର ରକ୍ତନଦୀ ସନ୍ତରଣ" ପଦ୍ୟରେ ଏ ଶବ୍ଦକୁ ପ୍ରୟୋଗ କରି ଦେଇଛନ୍ତି । 

କିନ୍ତୁ ଆମ୍ଭେ ଏକବାରେ ନିରାଶ ହେଲୁ ଯେତେବେଳେ ଆମ୍ଭ ସଇ ଆହୁରି ଅନେକ ଓଡ଼ିଆ କଵି ବି ଦଇନି ଶବ୍ଦକୁ ଏହାଙ୍କର ବହୁ ପୂର୍ଵରୁ ପ୍ରୟୋଗ କରିଯାଇଛନ୍ତି ବୋଲି ଆମ୍ଭକୁ ଦେଖେଇ ଦେଲେ...

ଯଥା:-
ଯଶୋଵନ୍ତ ଦାସ ପ୍ରେମଭକ୍ତିଗୀତାରେ ଲେଖିଛନ୍ତି 

“ବୋଲଇ ଅତି ସ୍ନେହଭରେ, ଦଇନି କରି କାକୁସ୍ତରେ।”

ବାଲି ତୃତୀୟା ଓଷା ଗୀତରେ ବି ସେଇ ଦଇନି ଶବ୍ଦଟି ଅଛି

“ଭଵସାଗରେ ପଡ଼ି ମୁଁ କରୁଛି ଦଇନି । 
ପ୍ରସନ୍ନେ ସୌଭାଗ୍ୟ ଦିଅ ହେ ସିଂହଵାହିନୀ ।”

ଏତିକି କ'ଣ ଅଳପ ଥିଲା ଯେ ଦେଖିଲାବେଳକୁ ଗଞ୍ଜାମର ବି କୃଷ୍ଣ ସିଂହ ମଧ୍ୟ ତାଙ୍କ ପାଞ୍ଚଶହ ଵର୍ଷ ପୁରୁଣା ମହାଭାରତ ଗ୍ରନ୍ଥରେ ଦଇନି ଶବ୍ଦଟି ଦୟିନି ରୂପେ ଵ୍ୟଵହାର କରି ଦେଇଛନ୍ତି 

“ଇନ୍ଦ୍ର ଅଗ୍ନି ବରୁଣ ଆଦି ଦେବେ ମାନି; କରନ୍ତି ନିତି ସ୍ତୁତି ହୋଇଣ ଦୟିନି।” (କୃଷ୍ଣସିଂହ ମହାଭାରତ, ଵନ ପର୍ଵ)।

ପୁଣି ଏତିକିରେ ତାଙ୍କ ମନ ଶାନ୍ତି ହେଲାନି ଯେ ସେଇ ଶବ୍ଦକୁ ଦଇନ୍ୟ କରି ଆଉ ପଦେ ସେଇ ଵନପର୍ଵରେ ଲେଖିଦେଇ ଯାଇଛନ୍ତି 

“ଜରା ମୃତ୍ୟୁ ଶୋକ ଯେ ଦୌର୍ବଲ୍ୟ ଦଇନ୍ଯ।” 

ତଥାପି ଆଶା ଥିଲା ଓଡ଼ିଆ ଭାଗଵତରେ ତ ଏ ଶବ୍ଦଟି ପାଇଲୁ ନାହିଁ ତେଣୁ କୃଷ୍ଣସିଂହ ନିଶ୍ଚେଁ ଆମ ସମ୍ବଲପୁରର ଲୋକ କହି ଆମ୍ଭ ସଇଙ୍କୁ ଏକବାରେ ଠକି ଦେବୁ 

ହେଲେ ହାୟ ! ଘୋର ଅନ୍ୟାୟ ହୋଇଗଲା ଦେଖିଲାବେଳକୁ କ'ଣ ନା ସାରଳା ମହାଭାରତରେ ବି ଏ ଦଇନି ଶବ୍ଦଟା ଵ୍ୟଵହାର ହୋଇଛି । 

“ଶୁଣି ଅମ୍ୱିକା ଅମ୍ୱାଳିକା କରନ୍ତି ଦଇନି କେମନ୍ତେ କରିବୁଂ ୟେହା ହୋଇଵ ଧର୍ମହାନି ।”

ଆମ୍ଭ ପୈତୃକ ପ୍ରାଣ ତାଙ୍କ ଏ ପଦଟି ପଢ଼ି କାନ୍ଦି ଉଠିଛି । ନା ନା ନିଶ୍ଚୟ ଏ ଶବ୍ଦଟା ହିନ୍ଦୀ ମରାଠୀ ବଙ୍ଗାଳୀରେ ଥିଵ ବୋଲି ଯାସ୍ତି ଅଭିଧାନ ଆଡ଼େଇଲୁ କିନ୍ତୁ କୋଉଠି ପାଇଲୁ ନାହିଁ । ତାହେଲେ କ'ଣ ପାଞ୍ଚଶହ ସାତ ଶହ ଵର୍ଷ ଆଗରୁ ଆମ ଶବ୍ଦଟା ଉପକୂଳ ଆଡ଼େ ଚୋରି ହୋଇଯାଇଥିଲା ?

ସଇ କହିଲେ ନାଇଁ ହେ 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୈନ୍ୟରୁ ଦଇନି ହୋଇଛି ବୋଲି ପା ଲେଖା ହେଇଛି । 

ମାତ୍ରକ ଆମ୍ଭର ତଥାପି ଶଙ୍କା ରହିଲା ;କାରଣ ସଂସ୍କୃତ ଭାଷାରେ ତ ଦୈନ୍ୟ ଶବ୍ଦର ଅର୍ଥ ଦୀନତା, ଦାରିଦ୍ର୍ୟ,କାତରତା,ମନୋଦୁଃଖ,ସନ୍ତାପ ଇତ୍ୟାଦି ଥିଲା ତାହେଲେ ତାହା ଵିନୟୀ ଵଚନ ଓ ଗୁହାରି କରିଵା ଅର୍ଥରେ କେମିତି ଵ୍ୟଵହୃତ ହେଲା ?

ଆହେ ଦେଖୁ ଦେଖୁ ହେଇ ସଇ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁଣି ଦୈନ୍ୟ ଶବ୍ଦକୁ କାତର ପ୍ରାର୍ଥନା ଅର୍ଥରେ ତାଙ୍କ ପ୍ରେମ ସୁଧାନିଧି କାଵ୍ୟରେ ପ୍ରୟୋଗ କରି ଦେଇଛନ୍ତି ବୋଲି ଆମ୍ଭକୁ ଦେଖେଇ ଦେଲେ ...

“ବୋଲ ଯେ ଦୈନ୍ୟ ସନ୍ତତେ ତତେ।”( ଭଞ୍ଜ. ପ୍ରେମସୁଧାନିଧି.)

ଏସବୁ ତଥ୍ୟ ଦେଖିଲା ଜାଣିଲା ପରେ ଆମ୍ଭ ପୈତୃକ ପ୍ରାଣ ଏବେ ଦ୍ଵନ୍ଦ୍ବରେ ...! 

ବୋଧହୁଏ ଓଡ଼ିଆ ଲୋକମାନେ ସଂସ୍କୃତ ଦୈନ୍ୟ ଶବ୍ଦର ସ୍ଵତନ୍ତ୍ର ପ୍ରୟୋଗ କରିଛନ୍ତି ଯାହା ପରେ ଦଇନ୍ୟ ,ଦୟିନୀ ଓ ଦଇନି ହୋଇଯାଇଛି !

ବଡ଼ ପସ୍ତେଇଲୁ ...!
ଆହା ଆମେ ଏତେ ପ୍ରାଚୀନ ଓଡ଼ିଆ ଶବ୍ଦଟେ ଆମ କଥିତ ଭାଷାରେ ବଞ୍ଚେଇ ରଖିଛୁ ତଥାପି ଓଡ଼ିଆ ଭାଷାକୁ, ଓଡ଼ିଆ ଜାତିକୁ ଆମ ଉପକୂଳିଆ ଭାଇମାନଙ୍କୁ ଭୀଷଣ ଘୃଣା କରୁଛୁ ? 
😭😭😭

Sunday, June 26, 2022

ବୁଈ ଶବ୍ଦ ଓ ଏହାର ଵିଭିନ୍ନ ନିରୁକ୍ତିମତ



ଛୋଟ ଝିଅ ଵା ବାଳିକାମାନଙ୍କୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବୁଈ କୁହାଯାଏ ଏମନ୍ତକି ଉତ୍ତର ଓଡ଼ିଶାର କେତେକ ଓଡ଼ିଆ ଶୈଳୀ ତଥା ସାନ୍ତାଳୀ ଭାଷାରେ ମଧ୍ୟ ଏ ଶବ୍ଦ ଚଳୁଥିଵା ଜଣାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ "ଅଵିଭକ୍ତ ସମ୍ବଲପୁରରେ କିଶୋର-ଯୁଵକମାନଙ୍କୁ 'ବାବୁ' ଓ କିଶୋରୀ-ଯୁଵତୀମାନଙ୍କୁ 'ବୁଇ' କହନ୍ତି। କେତେକ ଅଞ୍ଚଳରେ ଝିଅମାନଙ୍କୁ 'ଝି', 'ନୁନୀ' ଵା 'ନନୀ' ବୋଲାଯାଏ। 


ଭାଷାକୋଷ ଅନୁସାରେ “ଅଵିଭକ୍ତ ସମ୍ବଲପୁରର ଜଣେ ଭୂତପୂର୍ଵ ଇଂରାଜୀ କର୍ମଚାରୀ Colonel Buiଙ୍କ ନାମ ଅନୁସାରେ ବାଳିକା କିଶୋରୀ ଯୁଵତୀମାନଙ୍କର 'ବୁଇ' ନାମକରଣ ହୋଇ ଥିଵାର ଜନ ପ୍ରଵାଦ ଅଛି।” 

କିନ୍ତୁ ଏ ନିରୁକ୍ତିମତଟି ଯୁକ୍ତିଯୁକ୍ତ ଲାଗୁନାହିଁ କାରଣ ଯେତେବେଳେ ଇଂରେଜମାନେ ଭାରତଵର୍ଷରେ ପରାଧୀନ ଭାରତୀୟମାନଙ୍କୁ ଶୋଷଣ କରୁଥିଲେ ସେତେବେଳେ କୌଣସି ଇଂରେଜ ଅଧିକାରୀ ଯେ କି ମହିଳା ବି ନୁହେଁ ଵରଂ ପୁରୁଷ ତାଙ୍କ ସାଙ୍ଗିଆ ଆଧାରରେ ଝିଅମାନଙ୍କୁ ବୁଇ ସମ୍ବୋଧନ କରାଯିଵା ସମ୍ଭଵ ହୋଇନଥାଇପାରେ । 

କିଛି ଲୋକ କୁହନ୍ତି ଗଡ଼ଜାତରେ ସ୍ତନକୁ 'ବୁ' କୁହାଯାଏ ଏଵଂ ଅଛି ଅର୍ଥରେ ଈ ପ୍ରତ୍ୟୟ ଯୁକ୍ତ ହୋଇ ବୁଈ ଶବ୍ଦ ସୃଷ୍ଟି ହୋଇଅଛି କିନ୍ତୁ ଏହି ନିରୁକ୍ତିମତ ଏଥିପାଇଁ ଗ୍ରହଣୀୟ ନୁହେଁ ଯେ ସେହି ସମାନ ପ୍ରକ୍ରିୟାରେ ବୁଆ ଶବ୍ଦ କେମିତି ସୃଷ୍ଟି ହୋଇଅଛି ତାହା ସ୍ପଷ୍ଟ ହୋଇପାରେ ନାହିଁ । 

ଆଉ କେତେକ କୁହନ୍ତି ଯେ ଯୁଵତୀ ଶବ୍ଦଟି ଵର୍ଣ୍ଣଵିପର୍ଯ୍ୟୟ ଘଟି 'ବୁଈ'ରେ ପରିଣତ ହୋଇଅଛି । ଅର୍ଥାତ୍ ଯୁଵତୀ ଶବ୍ଦରେ 'ଯ' ଵର୍ଣ୍ଣ ଲୋପ ପାଇ ଅଵର୍ଗ୍ୟ 'ଵ' ଵର୍ଣ୍ଣ ଵର୍ଗ୍ୟ 'ବ' ରେ ପରିଵର୍ତ୍ତତ ହେଵା ସହ 'ଉକାର' ଯୁକ୍ତ ହେଇ ଶେଷରେ 'ତ' ଵର୍ଣ୍ଣ ଲୁପ୍ତ ହେଵାରୁ ବୁଇ ଶବ୍ଦ ଜାତ ହୋଇଅଛି (ଯୁଵତୀ> ଯୁବତୀ > ବୁତୀ > ବୁଈ) । 
ତେବେ ଏହି ନିରୁକ୍ତିମତର ସମର୍ଥନରେ କୌଣସି ପ୍ରକାରର ପ୍ରମାଣିତ ତଥ୍ୟ ମିଳେନାହିଁ । ଏହିପରି ଅନ୍ୟ କୌଣସି ଶବ୍ଦ ସୃଷ୍ଟି ହୋଇଥିଵା ମଧ୍ୟ ଜଣାଯାଏ ନାହିଁ ‌ ।

କେହି କେହି କୁହନ୍ତି ଯେହେତୁ ଅଵିଭକ୍ତ ସମ୍ବଲପୁରରେ ବାପାଙ୍କୁ ତଥା ଛୋଟ ବାଳକକୁ ସମ୍ବୋଧନାର୍ଥ ବୁଆ ଶବ୍ଦ ପ୍ରୟୋଗ କରାଯାଏ ତେଣୁ ଏହାର ସ୍ତ୍ରୀଵାଚକ ରୂପ "ବୁଈ" ରୂପେ ପ୍ରଚଳିତ ହୋଇଅଛି । କିନ୍ତୁ ପଶ୍ଚିମ ଓଡ଼ିଶାରେ "ବୁଈ" ଶବ୍ଦଟି ମାତାଙ୍କୁ ସମ୍ବୋଧନ କରିଵା ପାଇଁ ଵ୍ୟଵହୃତ ନହୋଇ କେଵଳ ଝିଅମାନଙ୍କୁ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଅଛି ।‌ 

ହୁଏତ ଅତୀତରେ 'ବୁଈ' ଶବ୍ଦ ଅଵିଭକ୍ତ ସମ୍ବଲପୁରରେ ମାତାଙ୍କୁ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଥାଇପାରେ ଏଵଂ ସେହି ଶବ୍ଦଟି ଅନ୍ୟ କେତେକ ଅଞ୍ଚଳ ଵିଶେଷତଃ ପୂର୍ଵ ଉପାନ୍ତ କିମ୍ବା ଉତ୍ତର ଓଡ଼ିଶାରେ "ବୋଉ" ରୂପେ ପ୍ରଚଳିତ ହୋଇଥିଵା ମଧ୍ୟ ସମ୍ଭଵପର । ଏମିତି ହେଵାର ସମ୍ଭାଵନା ଅଧିକ କାରଣ ଆମ ଭାଷାରେ ଏହିଭଳି ଅନେକ ସମ୍ପର୍କଵାଚକ ଯୋଡ଼ି ଶବ୍ଦ ରହିଛି ଯେଉଁଗୁଡି଼କ ସମଵର୍ଣ୍ଣଯୁକ୍ତ । ଯଥା—

•ବାପା— ବୋଉ
•ଜେଜେ/ଜେଜ—ଜେଜି/ଜେଈ
•ପିଉସା— ପିଉସୀ
•କକା/କାକା— କାକୀ(ଦଦା/ବ୍ରାହ୍ମଣ)
•ନନା(ବଡ଼ ଭାଇ)—ନାନୀ(ବଡ଼ଭଉଣୀ)
•ମାମୁଁ— ମାଇଁ
•ମଉସା — ମାଉସୀ

ତେଣୁ ହୁଏତ ଆଗେ ପଶ୍ଚିମ ଓଡ଼ିଶାରେ 'ବୁଆ' ଶବ୍ଦଟି ପିତାଙ୍କୁ ତଥା 'ବୁଈ' ଶବ୍ଦଟି ମାତାଙ୍କୁ ସମ୍ବୋଧନ କରିଵା ହେତୁକ ପ୍ରୟୋଗ କରାଯାଉଥିଵ କିନ୍ତୁ ୧୪ଶହ ଶତାବ୍ଦୀ ପରେ ପରେ ଏ ଅଞ୍ଚଳରେ ଉତ୍ତର ଭାରତ ତଥା ଉପକୂଳ ଓଡ଼ିଶାରୁ ଲୋକ ଯାଇ ନୂତନ ଜନଵସତି ସ୍ଥାପନ କରିଵା ଯୋଗୁଁ 'ବୁଈ' ଶବ୍ଦ ମାତାଙ୍କୁ ସମ୍ବୋଧନ କରିଵା ପ୍ରଥା ଲୋପ ପାଇ ତତ୍‌ପରିଵର୍ତ୍ତେ 'ମାଆ' ଶବ୍ଦ ପ୍ରୟୋଗ ହେଵାକୁ ଲାଗିଥିଵ । ଏମନ୍ତ ମଧ୍ୟ ହୋଇପାରେ ଯେ ଗୋଟିଏ ପଟେ ବୁଈ ଶବ୍ଦ କେଵଳ ସାନ ଝିଅମାନଙ୍କୁ ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହୃତ ହେଉଥିଵାବେଳେ ସେହି ଶବ୍ଦର ଅନ୍ୟ ଏକ ରୂପ 'ବୋଉ' ଧିରେ ଧିରେ ପୂର୍ଵ, ମଧ୍ୟ , ଦକ୍ଷିଣ ତଥା ଉତ୍ତର ଓଡ଼ିଶାରେ ଲୋକପ୍ରିୟ ହୋଇଯାଇଥିଵ । 

କିନ୍ତୁ ଏହା କେଵଳ ଅନୁମାନମାତ୍ର କାରଣ ଏହାର କୌଣସି ପ୍ରମାଣ ମିଳେ ନାହିଁ । ସେ ଯାହା ହେଉ ଅଧୁନା ଛୋଟ ବାଳିକାମାନଙ୍କୁ ସ୍ନେହରେ ବୁଈ ଵା ବୁଇ ସମ୍ବୋଧନ କରାଯାଏ। 

କିନ୍ତୁ ଧରନ୍ତୁ ଯଦି ଆଗେ 'ବୁଆ' ଶବ୍ଦ ଆଧାରରେ ଏହାର ସ୍ତ୍ରୀଵାଚକ ରୂପ 'ବୁଈ' ସୃଷ୍ଟି ହୋଇ ମାତାଙ୍କୁ ସମ୍ବୋଧନ କରାଯାଉଥିଲା ଏଵଂ ସମୟକ୍ରମେ ଏହା କେଵଳ ଛୋଟ ବାଳିକାମାନଙ୍କୁ ମାତୃଜ୍ଞାନ କରି ସ୍ନେହ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଅଛି ତାହେଲେ ଏଠାରେ "ବୁଆ" ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରାଯିଵା ଉଚିତ୍ ହେଵ । 

ଆମେ ଜାଣନ୍ତି ଯେ 'ବୁଆ' ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । 

ବେଉଷଣ ତଥା ବୁଣା ଧାନର ଗଛକୁ "
'ବୁଆ' କୁହାଯାଏ । ବୁଣା ଧାନ ୪ ଆଙ୍ଗୁଳଠାରୁ ୧୨ ଆଙ୍ଗୁଳ ପର୍ଯ୍ୟନ୍ତ ଉଚ୍ଚ ହେଵାର ଅଵସ୍ଥାକୁ ମଧ୍ୟ 'ବୁଆ' କୁହାଯାଏ । ବୁଣା ଯାଇ ଉଠିଥିଵା ଧାନ ଫସଲକୁ ବି 'ବୁଆ' କୁହାଯାଏ । ସେହିପରି ଯେଉଁ ଧାନଗଛ ରୋପିତ ହୋଇ ଥାଏ, ତାକୁ 'ରୁଆ' କହନ୍ତି। ଏ ଵିଷୟରେ ଗୋଟିଏ କୃଷି ଵଚନ ଅଛି। ଯଥା—

“ବୁଆ ଶୁଖିଲେ ଥୋଇବୁ କାହିଁ ? 
ରୁଆ ଶୁଖିଲେ ପାଇବୁ ନାହିଁ।”

ଅର୍ଥାତ୍ ରୁଆ ଧାନ ବହୁତ ପାଣି ଲୋଡ଼େ; ବୁଆ ଧାନ ତେତେ ପାଣି ଲୋଡ଼େ ନାହିଁ । 

ସେହିପରି 'ବୁଆ' ଶବ୍ଦର ଲକ୍ଷଣାର୍ଥ ପ୍ରୟୋଗ ମଧ୍ୟ ଦୃଶ୍ୟ ହୋଇଥାଏ । ଅନ୍ୟ ଵ୍ୟକ୍ତିଙ୍କ ଘରେ ମିଳିଵା ପର୍ଯ୍ୟାପ୍ତ ଭୋଜନକୁ ମଧ୍ୟ 'ବୁଆ' କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ବୁଆ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥରେ ପ୍ରୟୋଗ ଉପକୂଳ ଓଡ଼ିଶାରେ ପ୍ରଚଳିତ ଥିଲାବେଳେ ଗଡ଼ଜାତ ଓଡ଼ିଶାରେ ନିଜର ପିତାଙ୍କୁ ସମ୍ବୋଧନ ତଥା ପୁତ୍ର ଓ ଅନ୍ୟାନ୍ୟ ସାନ ପିଲାଙ୍କୁ 'ବୁଆ' ସମ୍ବୋଧନ କରାଯାଏ । ଅର୍ଥ ଦୃଷ୍ଟିରୁ ଉଭୟ ଅଞ୍ଚଳର ବୁଆ ଶବ୍ଦ ଭିନ୍ନ ଭିନ୍ନ ଲାଗୁଥିଲେ ହେଁ ପାରମ୍ପରିକ ଭାଷାଵିଦମାନଙ୍କ ଅନୁସାରେ ଏହାର ମୂଳ ଗୋଟିଏ । 

ଉପକୂଳ ଓଡ଼ିଶାରେ ପ୍ରଚଳିତ ରୋପଣ ଅର୍ଥଜ ବୁଆ ଶବ୍ଦ ତଥା ଗଡ଼ଜାତ ଓଡ଼ିଶାରେ ପିତା ଅର୍ଥଜ ବୁଆ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଭାରତୀୟ ଶାସ୍ତ୍ରୀୟ ଭାଷା ସଂସ୍କୃତର ମୂଳଧାତୁ "ଵପ୍ (ଧାତୁ)" ସହିତ ଥିଵା ସହଜେ ଅନୁମେୟ । 

ଵପ୍ ଧାତୁରୁ ଵୀଜ ବୁଣିଵା,ମୁଣ୍ଡନ କରିଵା ଵା କ୍ଷୌର କରିଵା, ଲୁଗା ବୁଣିଵା,ନିଷେକ କରିଵା ଵା ସ୍ତ୍ରୀ ଗର୍ଭରେ ଵୀର୍ଯ୍ୟାଧାନ କରିଵା , ଘାସ ଛେଲିଵା ଆଦି ଅର୍ଥରେ ଵପନ,ଵପ୍ତା,ଵପନୀ,ଵାପନ,ଵାପୀ,ଵପ୍ର,ଵପୁଃ,ଵପା,ଵାପିତ,ଵାପ୍ୟ ଆଦି ଅନେକ ଶବ୍ଦ ନିଷ୍ପନ୍ନ କରଯାଇଛି । ଅନୁମାନ କରାଯାଏ ଯେ ଵପ୍ତା ଶବ୍ଦ ସହ ଓଡ଼ିଆରେ ପ୍ରଚଳିତ ବା,ବାଵା,ବାପା ,ବାପ,ବୋପ,ବୁପା,ବୁଆ ଆଦି ଶବ୍ଦ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 

ଵପ୍ତା ଶବ୍ଦଟି ମୁଖ୍ୟତଃ ଚାରିଗୋଟି ଅର୍ଥ ଘେନି ଵ୍ୟଵହୃତ ହୋଇଥାଏ । 
ଯଥା—
•ପିତା(ନିଷେକ କରନ୍ତି ତେଣୁ) 
•କଵି(ଶବ୍ଦ ବୁଣେ ତେଣୁ)
•ଚଷା ଵା କୃଷକ(ଵୀଜ ବୁଣେ ତେଣୁ)
•ନାପିତ ଵା ଭଣ୍ଡାରୀ(କ୍ଷୌର କରେ ତେଣୁ)



ବୁଆ ଶବ୍ଦର ସ୍ତ୍ରୀଵାଚକ ଶବ୍ଦ ବୁଈ ହେଵା ଅସମ୍ଭଵ ନୁହେଁ । ଓଡ଼ିଆ ଭାଷାରେ 
"ଈ ପ୍ରତ୍ୟୟ" ଵିଭିନ୍ନ କାରଣ ଧରି ପ୍ରୟୋଗ କରାଯାଏ । ସାଧାରଣତଃ ଆମ ଭାଷାରେ ଅକାରାନ୍ତ ପୁଂଲିଙ୍ଗରେ ଈକାର ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗବାଚକ ହୁଏ । 
ଯଥା— 
•ନଟ-ନଟୀ
•ନର-ନାରୀ
•ଛାଗ-ଛାଗୀ
•ନଦ—ନଦୀ

 ସମୟ ସମୟରେ ଏହା କ୍ଷୁଦ୍ରତାଵଚକ ହୁଏ
  ଯଥା—
 •ଘଟ-ଘଟୀ
 •ଚାଳ-ଚାଳୀ
 ଅଛି ଅର୍ଥରେ ମଧ୍ୟ ବିଶେଷ୍ଯ ଓ ଧାତୁ ପରେ ଈ ପ୍ରତ୍ୟୟ ଯୋଗ ହୁଏ (ସଂସ୍କୃତ ଇନ୍ ସହିତ ସମୋଦ୍ଧୃତ)
  ଯଥା—
 •ଧନ-ଧନୀ
 •ରାଗ-ରାଗୀ
•ଦା ଧାତୁ = ଦାୟୀ
•ଗମ ଧାତୁ-ଗାମୀ(ଅନୁଗାମୀ)

ତେଣୁ ବୁଆ ଶବ୍ଦର ମୂଳ 'ବୁ' ଶବ୍ଦରେ ଈ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଵାଚକ ବୁଈ ଶବ୍ଦ ସୃଷ୍ଟି ହେଵା ମଧ୍ୟ ଅସମ୍ଭଵ ନୁହେଁ । 


ଭାଷାଵିଦ୍ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ମହାଶୟଙ୍କ ଅନୁସାରେ ବୁଇ ଶବ୍ଦଟି ବୋଉ,ଦଦା,ନନା,ନାନୀ,ମମା,ବବା,ବାବା,ବାପା,ବା ,ବେଈ ଭଳି child babbling ଯୋଗୁଁ ସୃଷ୍ଟି ହୋଇଅଛି । ଛୋଟପିଲାମାନେ କଥା ନକହି ଶିଖିଥିଵା ସମୟରେ କହିଵାକୁ ଚେଷ୍ଟା କରନ୍ତି ସେତେବେଳେ ସେମାନେ ନିଜର ସମ୍ପର୍କୀୟମାନଙ୍କୁ ଦେଖି ଶବ୍ଦ ସବୁ ସୃଷ୍ଟି କରନ୍ତି। ଏହି ପ୍ରକ୍ରିୟାକୁ child babbling କୁହାଯାଏ । 

ଆଉ ଏକ ଶବ୍ଦ ଅଛି ଯହିଁରୁ ବୁଈ ଶବ୍ଦ ନିଷ୍ପନ୍ନ ହୋଇଥିଵା ଅନୁମାନ କରାଯାଏ । ସେହି ଶବ୍ଦଟି ହେଉଛି ବୁଢ଼ୀ । ଢେଙ୍କାନାଳ କଟକ ବାଲେଶ୍ଵର ଆଦି ଓଡ଼ିଶାର କେତେକ ଜିଲ୍ଲାରେ ଵୟସରେ ସାନ ଦିଅରମାନଙ୍କୁ ତଥା ଦିଅରମାନଙ୍କର ପତ୍ନୀମାନଙ୍କୁ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଡ଼ୀ,ବୁଢ଼ୀ ସମ୍ବୋଧନ କରାଯାଏ । ଵୟସରେ ସାନ ହୋଇ ବି ଯଦି କେହି ସମ୍ପର୍କରେ ବଡ଼ ହୋଇଥାନ୍ତି ତେବେ ସେହି ଵୟସରେ ବଡ଼ ସମ୍ପର୍କୀୟମାନଙ୍କୁ ଏହିସବୁ ଅଞ୍ଚଳରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରିଥାନ୍ତି । ଉଦାହରଣ ସ୍ୱରୂପ ପଞ୍ଚତିରିଶି ଵର୍ଷର ଜଣେ ମହିଳା ଦୂର ସମ୍ପର୍କରେ ଆଈ ହୋଇଥିଲେ ତାହାର ୫୦କି ୬୦ ଵର୍ଷ ଵୟସ୍କା ନାତୁଣୀକୁ ବୁଡ଼ୀ ଵା ବୁଢ଼ୀ ସମ୍ବୋଧନ କରିଥାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ "ବୁଢ଼ା ତଥା ବୁଢ଼ୀ" ଶବ୍ଦ ତଳେ ଏ ଉଭୟ ଶବ୍ଦ ଵାତ୍ସଲ୍ୟାର୍ଥ ଶିଶୁମାନଙ୍କୁ ସମ୍ବୋଧନ କରାଯାଉଥିଵା ଉଲ୍ଲେଖ କରାଯାଇଛି । 


ଭାଷାକୋଷରେ ବୁଢ଼ା ଶବ୍ଦର ତୃତୀୟ ଅର୍ଥ ଭାବରେ କୁହାଯାଇଛି ଯେ ଵାତ୍ସଲ୍ଯାର୍ଥ ଶିଶୁକୁ ବୁଢ଼ା ସମ୍ବୋଧନ କରାଯାଏ ସେହିପରି ବୁଢ଼ୀ ଶବ୍ଦ ତଳେ ମଧ୍ୟ ଏହାର ତୃତୀୟ ଅର୍ଥ ଲେଖାଅଛି “ଶିଶୁ ବାଳିକାଙ୍କ ପ୍ରତି ସ୍ନେହସୂଚକ ଡାକ ହେଉଛି ବୁଢ଼ୀ” ।
ଏହି ତଥ୍ୟ ଆଧାରରେ କେହି କେହି କୁହନ୍ତି ଯେ ବୁଇ ଶବ୍ଦଟି ବୁଢ଼ୀ ଶବ୍ଦର ପରିଵର୍ତ୍ତିତ ରୂପ । ସେହିପରି ଏହି ଆଧାରରେ କୁହାଯାଇପାରେ ଯେ ବୁଢ଼ା ଶବ୍ଦ ବୁଆ ହୋଇଥାଇପାରେ କିମ୍ବା ଵପ୍ତା ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ । 

ଏହିପରି ବୁଈ ଶବ୍ଦର ସୃଷ୍ଟିକୁ ନେଇ ନାନା ନିରୁକ୍ତିମତ ରହିଛି କିନ୍ତୁ ଦେଖାଯାଏ ପ୍ରାୟତଃ ଭାଷାଵିଦ୍ ବୁଢ଼ା, ବୁଢ଼ୀ ଓ ବୁଆ,ବୁଈ ଶବ୍ଦଗୁଡି଼କର ପୂର୍ଵ-ମଧ୍ୟ- ଉତ୍ତର ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାରେ ସ୍ନେହାର୍ଥକ ଛୋଟପିଲାଙ୍କୁ ସମ୍ବୋଧନ ପ୍ରଚଳିତ ଥିଵାରୁ ଏହି ନିରୁକ୍ତିମତକୁ ଗ୍ରହଣ କରିଥାନ୍ତି ‌। 


Saturday, June 11, 2022

ଠେଙ୍ଗାଖାସି ପରାନ୍ ନେସି

ବଡ଼ ଜୋରରେ ହେଉଥିଵା କାଶକୁ
ଗଡ଼ଜାତରେ ଠେଙ୍ଗାଖାସ,ଠେଙ୍ଗାଖାସି କୁହାଯାଏ । ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଏହି ଜାତୀୟ କାଶ ଵା ଖାସକୁ  ସମାକାଶ, ଶୁଖିଲା ଖାସ ଆଦି କୁହାଯାଏ । 

ଏହି ଶବ୍ଦକୁ ନେଇ ଏକ ପ୍ରଵଚନ ଓଡ଼ିଆ ସମାଜରେ ପ୍ରଚଳିତ...

"ଖୁଖି ଖାସି ବାରମାସି
ଠେଙ୍ଗା ଖାସି ପରାନ୍ ନେସି।"

ଅର୍ଥାତ୍ ସାଧାରଣ ଖାସ ଵା କାଶ ଅପେକ୍ଷା ଠେଙ୍ଗା ଖାସି /ଶୁଖିଲା ଖାସ ଅଧିକ କଷ୍ଟଦାୟକ ଓ ପ୍ରାଣନାଶକ ।

ଏହି ଧରଣର ଆଉ ଏକ ଶବ୍ଦ ଠେଙ୍ଗାଜର । ସାଧାରଣତଃ ଡେଙ୍ଗୁ ଜାତୀୟ ଜରକୁ ଠେଙ୍ଗାଜର କୁହାଯାଏ ।

ଉଭୟ ଠେଙ୍ଗାଖାସି ଓ ଠେଙ୍ଗାଜର କ୍ଷେତ୍ରରେ ଭୀଷଣ , ବଡ଼ ଅର୍ଥରେ  ଠେଙ୍ଗା ଶବ୍ଦ ଯୁକ୍ତ ହୋଇଥିଵା ଅନୁମାନ କରାଯାଇପାରେ ।

ଠେଙ୍ଗା ଆକାରରେ ଲମ୍ବ ଓ ବଡ଼ ହୋଇଥିଲାବେଳେ ବାଡ଼ି କ୍ଷୁଦ୍ରାକାର ଓ ଛୋଟ ହୋଇଥାଏ । ତେଣୁ ବଡ଼ ଅର୍ଥରେ ଠେଙ୍ଗାଖାସି ଓ ଠେଙ୍ଗାଜର ଶବ୍ଦରେ ଠେଙ୍ଗା ଶବ୍ଦ ଯୁକ୍ତ ହୋଇଥିଵା ଅନୁମିତ ହେଇଥାଏ ।

ମତାନ୍ତରେ ଓଡ଼ିଆ ଠେଙ୍ଗ(ଉଚ୍ଚଭୂମି,ଗୋଡ଼,ଜଙ୍ଘ) ଶବ୍ଦ ସହିତ ଏ ଶବ୍ଦ ସମୋଦ୍ଧୃତ ଅଟଇ ।

ବୌଦ୍ଧ ଜିଲ୍ଲାରେ "ଠେଙ୍ଗ୍ ଵାଙ୍ଗର" ଶବ୍ଦ ଉଚ୍ଚା ନିଚା ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ସେହିପରି ଉଚ୍ଚଭୂମିକୁ ଠେଙ୍ଗ ମଧ୍ୟ କୁହାଯାଏ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଠେଙ୍ଗ ଶବ୍ଦର ତିନୋଟି ଅର୍ଥ ଲେଖାଯାଇଅଛି ।

କ) ଉଚ୍ଚ ଭୂମି; ଢିପା ଜମି
(ଯେଉଁ ଜମିରେ ଧାନ ଆଦି ଫସଲ ଭଲ ହୁଏ ନାହିଁ)

ଖ)ଗୋଡ଼

ଗ)ଚଟୁଆ; ଜଙ୍ଘ

ଘ) ଢିପା(ଵିଶେଷଣ)

ଏହି ଠେଙ୍ଗ ଶବ୍ଦଟି ସଂସ୍କୃତର ଟଙ୍କ ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖିତ ।

ଭାଷାକୋଷରେ ଟଙ୍କ ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ ଅଛି...

🟣ଟଙ୍କ (ତତ୍ସମ ଵିଶେଷ୍ୟ)
୧)ପାହାଡ଼; କ୍ଷୁଦ୍ର ଶୈଳ
୨)ଗଣ୍ଡ ଶୈଳ; ପର୍ଵତ ଦେହରୁ ବିଚ୍ଯୁତ ବଡ଼ ପଥରଖଣ୍ଡ
୩)ଖଡ୍ଗ
୪)ଟାଙ୍ଗର ଭୂମି
୫)ଖଡ୍ଗକୋଷ; ଖଣ୍ଡାର ଖାପ
୬)ଏକ ପ୍ରକାର ସରୁ କୋଡ଼ି; ଖଣତା
୭)କ୍ରୋଧ; ରାଗ
୮)ଗର୍ବ
୯)ପରିମାଣ ଵିଶେଷ
( A weight of 4 'masas' or 68 grains 2/5 of a tola/ସ୍ଥଳବିଶେଷରେ ଏହା 3 ମସା ଵା 24 ରତି ପରିମାଣ ବୋଲି ଧରାଯାଏ।)

୧୦)ଗୋଡ଼
୧୧)ମୁଦ୍ରା
୧୩)ପଥର କାଟିବାର ଅସ୍ତ୍ର; ଟାଙ୍ଗିଆ—୧୪)ରୌପ୍ଯ ମୁଦ୍ରା
୧୫)ଟଙ୍କା
୧୬)ଜଙ୍ଘ
୧୭)ଟାଙ୍ଗଣା; ମୁହାଗା(Borax)
୧୮)କୁରାଢ଼ି; ପରଶୁ
୧୯)କୋଷ; ଧନାଗାର
୨୦)ଶ୍ରୀ, ଭୈରଵ ଓ କାନଡ଼ ରାଗ ଯୋଗ ହୋଇ ରଚିତ ସମ୍ପୂର୍ଣ୍ଣ ଜାତିର ରାଗିଣୀ
୨୧)ନୀଳ କପିତ୍ଥ
୨୨)ଏକ କଣ୍ଟକୀ ଗଛ ୟହିଁ ରେ ବେଲ ବା କଇଥ ପରି ଫଳ ଧରେ (ହି. ଶବ୍ଦସାଗର)

🟠ଟଙ୍କ(ଦେଶଜ ଵିଶେଷ୍ୟ)
୧)ଅମ୍ଳସ୍ବାଦ; ଅମ୍ଳରସ; ଅମ୍ଳତା

🟤ଟଙ୍କ(ଦେଶଜ ଵିଶେଷଣ)
୧)ଅତ୍ଯନ୍ତ ଖଟା ଲାଗୁଥିଵା ଅତି ଅମ୍ଳ(Very sour)

ସଂସ୍କୃତ ଭାଷାରେ କମ୍ ଉଚ୍ଚ ପାର୍ଵତ୍ୟ ଭୂମିକୁ ଟଙ୍କ କୁହାଯାଉଥିଲା ସେହିପରି ଓଡ଼ିଆ ଭାଷାରେ ଠେଙ୍ଗ ଶବ୍ଦ ଉଚ୍ଚ ଭୂମି ଅର୍ଥରେ ପ୍ରୟୋଗ ହେଉଥିଲା ।

ସମୟ ସହିତ ସେହି ଠେଙ୍ଗ ଶବ୍ଦଟି ଉଚ୍ଚ ଅର୍ଥ ଘେନି ଠେଙ୍ଗା ରୂପେ  ଠେଙ୍ଗାଖାସି ଓ ଠେଙ୍ଗାଜର ଆଦି ଶବ୍ଦ ସହିତ ଯୁକ୍ତ ହୋଇଅଛି ।

ତେଣୁ ଠେଙ୍ଗାଖାସି ଓ ଠେଙ୍ଗାଜର ଶବ୍ଦଦ୍ଵୟରେ ଥିଵା ଠେଙ୍ଗା ଶବ୍ଦଟି ଭୀଷଣ,କଷ୍ଟଦାୟକ,ଉଚ୍ଚ ଆଦି ଅର୍ଥରେ ଵ୍ୟଵହାର ହୋଇଥିଵା ସମ୍ଭଵ ...

Sunday, June 5, 2022

ଜୋଖ୍‌ଠାରୁ ଜହକ ଯାଏଁ


ସାପ ଆଦି କେତେକ ଜାତୀୟ ସରିସୃପ ନିଜ କାତି ଛାଡିଥାନ୍ତି । ଇଂରାଜୀ ଭାଷାରେ ସାପର କାତିକୁ Slough କୁହାଯାଏ ।

ଓଡ଼ିଆ ଭାଷାରେ ସାପର କାତିକୁ ସାପକାତି,ଖୋଳ,ଖୋଳପା,ଖୋଳସ
,ଖୋଳି,ସାପ ଜୋଗ,କଞ୍ଚୁକ,ତ୍ବଚ୍,ନିର୍ମୋକ
,ଲୋଚକ ଓ ଶଳ୍କ ଆଦି କୁହାଯାଏ ।

ସେହିପରି ସାପର କାତିକୁ ଝାରସୁଗୁଡ଼ାରେ ଜୋଖ୍ କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ।

ସାପକାତି ଅର୍ଥଜ ଏହି ଜୋଖ୍ ଶବ୍ଦ ଗଡ଼ଜାତରେ ଜୋକ୍,ଜୋଗ୍ ଆଦି ରୂପରେ ମଧ୍ୟ ପ୍ରଚଳିତ ଏଵଂ ଏହାର ଓଡ଼ିଆ ରୂପ ଜୋଗ(ଯୋଗ ନୁହେଁ) ଅଟେ ।

ଜୋକ୍,ଜୋଖ୍,ଜୋଗ୍ ତଥା ଜୋଗ ଆଦି ଶବ୍ଦ ଦେଖି କେହି କେହି ଭାବି ପାରନ୍ତି ଏହା କୌଣସି ଜନଜାତୀୟ ଭାଷା ମୂଳର ଶବ୍ଦ ହୋଇଥିଵ କିନ୍ତୁ ପ୍ରକୃତରେ ଶାସ୍ତ୍ରୀୟ "ଜହକ" ଶବ୍ଦ ଓଡ଼ିଆରେ ଜୋକ୍, ଜୋଖ୍  ଓ ଜୋଗ ଆଦିହୋଇଅଛି।

ତତ୍ସମ ଜହକ ଶବ୍ଦ ପରିଵୃତ୍ତ ହୋଇ ଜୋକ୍,ଜୋଖ୍ ତଥା ଜୋଗ ହୋଇପାରେ ।

ଜହକ ଶବ୍ଦର ମଧ୍ୟରେ ହ ଵର୍ଣ୍ଣ ଅଛି ଯାହା ଏକ ମହାପ୍ରାଣ ଅଵର୍ଗ୍ୟ ଵର୍ଣ୍ଣ ଏଵଂ ଅଵର୍ଗ୍ୟ ଵର୍ଣ୍ଣଗୁଡି଼କ ଅତି ସହଜରେ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇଥାନ୍ତି ।

ଜହକ ଶବ୍ଦଟି ଵିଶେଷ୍ୟ ତଥା ଵିଶେଷଣ ଶବ୍ଦ ଭାବେ ପ୍ରୟୋଗ ହୋଇଥାଏ ।

ପରିତ୍ୟାଗକାରୀକୁ ଜହକ କୁହାଯାଏ ।
ସେହିପରି ଵିଶେଷ୍ୟ ଶବ୍ଦ ଭାବେ ଜହକ ଶବ୍ଦଟି ସମୟ ଵା କାଳ,ବାଳକ ତଥା ସାପକାତି ଅର୍ଥରେ ପ୍ରୟୋଗ ହୋଇଥାଏ ।

ଏହି ଜହକ ଶବ୍ଦକୁ ସଂସ୍କୃତଭାଷାର  ଧାତୁଶବ୍ଦ ହା ଧାତୁରୁ ନିଷ୍ପନ୍ନ କରାଯାଇଛି ।

ହା ଧାତୁରୁ ତ୍ଯାଗ କରିଵା,ଯିଵା,ଗତି କରିଵା ଆଦି ଅର୍ଥରେ "ଜହ୍ନୁ(ଧର୍ମପାଇଁ ସଂସାର ତ୍ୟାଗ କରିଥିଲେ)",ଜାହକ(ଜୋକ,ଓଧ,ଵିରାଡି଼,ଏଣ୍ଡୁଅ, ଗେଣ୍ଡା
),ଜିହାନ,ଜିହାସା(ଘୃଣା,ତ୍ୟାଗ କରିଵାର ଇଚ୍ଛା),ଜିହ୍ମ(ଢାଲୁ),ହାୟନ(ଵର୍ଷ;ଏହି ଶବ୍ଦରୁ ଆଗ୍ରହାୟଣ ଶବ୍ଦ ହୋଇଅଛି),ହାଳୀ(କନିଷ୍ଠା ଶାଳିକା ସ୍ତ୍ରୀଙ୍କ ସାନ ଭଉଣୀ),ହାଳୁ(ଦାନ୍ତ, ମୁହଁ) ଓ ହୀନ(ନୀଚ୍ଚ) ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି ।

ସମୟ ସବୁ କ୍ଷଣକୁ ତ୍ୟାଗକରି ଆଗକୁ ବଢି଼ଚାଲିଯାଏ ତେଣୁ ତାକୁ ଜହକ କୁହାଗଲା

ବାଳକ ମଧ୍ୟ ପ୍ରାୟତଃ ଯେକୌଣସି ସମୟରେ ଦୀର୍ଘଶଙ୍କା ଲଘୁଶଙ୍କା ତ୍ୟାଗ କରେ ବାନ୍ତି ମଧ୍ୟ କରିପାରେ ତେଣୁ ତାକୁ ଜହକ କୁହଗଲା

ଠିକ୍ ସେହିଭଳି ସାପ ନିଜର ଚର୍ମ ତ୍ୟାଗ କରିଦିଏ କାରଣ ଆମ ଭଳି ତାହାର ବୃଦ୍ଧି ସହ ତା ଚର୍ମର ବୃଦ୍ଧି ଘଟେ ନାହିଁ ତେଣୁ ସେ ନିଜର ତ୍ଵଚ୍ ଵା ଚର୍ମକୁ ତ୍ୟାଗକରି ଦେଇଥାଏ ।

Friday, May 6, 2022

ବୁଧ୍ନ,බුත්(න)/ବୁତ୍(ନ) ଓ ବୁନ୍ଦ ଵା ବୁନ୍ଧ

ସିଂହଳୀ ଏକ Insular Indo-Aryan ଭାଷା । ଭାରତକୁ ଲାଗିକରି ଥିଵା  ଦ୍ଵୀପ ଯଥା ମାଳଦ୍ଵୀପ ଓ ଶ୍ରୀଲଙ୍କାରେ ବୋଲାଯାଉଥିଵା ଇଣ୍ଡିକ୍ ଭାଷାଗୁଡି଼କୁ insular ଵା ଦ୍ଵୀପୀୟ ଆର୍ଯ୍ୟଭାଷା କୁହାଯାଏ ।

ଦ୍ଵୀପୀୟ ଆର୍ଯ୍ୟଭାଷା ସମୂହ ଅତି ଛୋଟ ଏଵଂ ଦୁଇଭାଗରେ ଵିଭକ୍ତ ।

(କ)ସିଂହଳୀ
(ଖ)ମାଳଦ୍ଵୀୟୀୟ ଭାଷା ଯଥା— Dhivehi ଓ Mahl ଇତ୍ୟାଦି

ସିଂହଳୀର ପ୍ରାରମ୍ଭିକ ରୂପ ଥିଲା ଇଲୁ ଭାଷା ଏଵଂ ଏହା ଓଡ଼ିଶାର ପାଲୀ ଭାଷାଦ୍ଵାରା ଵିଶେଷ ଭାବରେ ପ୍ରଭାଵିତ ହୋଇଥିଲା । କେହି କେହି ଗଵେଷକ ପାଲୀ ଭାଷାର ପରିଵର୍ତ୍ତିତ ରୂପ  ଇଲୁ ଭାଷା ବୋଲି ମତ ଦିଅନ୍ତି ।

ତେବେ ଏହି ସିଂହଳୀ ଭାଷାରେ ଥିଵା ଅଧିକାଂଶ ଶବ୍ଦର କୌଣସି ନା କୌଣସି ସମୋଦ୍ଧୃତ ରୂପ ଓଡ଼ିଶାରେ ପ୍ରଚଳିତ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଦୃଶ୍ୟ ହୋଇଯାଏ ।

ଉଦାହରଣ ସ୍ୱରୂପ ସିଂହଳୀରେ ଶବ୍ଦଟିଏ ଅଛି බුත්(න)/ବୁତ୍(ନ) ଏଵଂ ଏହାର ତିନୋଟି ମଧ୍ୟରେ ଗୋଟିଏ ମୁଖ୍ୟ ଅର୍ଥ ହେଉଛି ଵୃକ୍ଷ ମୂଳ ଵା ଚେର ।

ସଂସ୍କୃତ ଭାଷାର ବୁଧ୍ନ ଶବ୍ଦ ସହିତ ଏହି ଶବ୍ଦଟି ସମୋଦ୍ଧୃତ । ସଂସ୍କୃତ ଭାଷାର ବୁଧ୍ନ ଶବ୍ଦକୁ ବୁଧ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ବୁଧ୍ନ ଶବ୍ଦର ଦୁଇଟି ଅର୍ଥ
(କ)ଵୃକ୍ଷ ମୂଳ
(ଖ)ଶିଵ

ଯେମିତି ଵୃକ୍ଷର ମୂଳ ଆରମ୍ଭ ଚେରରୁ ଠିକ୍ ସେହିପରି ସଂସାରର ସମସ୍ତ ଜ୍ଞାନର ମୂଳ ଶିଵ ଭଗଵାନ ବୋଲି ଏହାଙ୍କୁ ସଂସାରମୂଳ ଵିଚାର କରି ବୁଧ୍ନ କୁହାଯାଏ ।

ଏହି ତତ୍ସମ ବୁଧ୍ନ ଶବ୍ଦଟି ପଶ୍ଚିମ ଓଡ଼ିଶାରେ
ବୁନ୍ଦ,ବୁନ(ମୂଳ),ବୁନ୍ଧ ଓ ବୁଂଧ ଆଦି ରୂପରେ ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରଚଳିତ ।

ପାଶ୍ଚାତ୍ୟ ଭାଷାଵିଦମାନେ ବୁଧ୍ନ ଶବ୍ଦକୁ ପ୍ରାକ୍ ଭାରୋ ଇରାନୀୟ  *bʰudʰnás (“bottom”) ଓ  ପ୍ରାକ୍ ଭାରୋପୀୟ *bʰudʰ-nó-s (“bottom”) ସହିତ ସମୋଦ୍ଧୃତ ବୋଲି ମତ ଦିଅନ୍ତି । ଏ ଦୃଷ୍ଟିରୁ Avestan ଭାଷାର 𐬠𐬏𐬥𐬀‎ (būna), ପାର୍ସୀ ଭାଷାର بن‎ (bon, “bottom”), ପ୍ରାଚୀନ ଗ୍ରୀକ୍ ଭାଷାର πυθμήν (puthmḗn, “bottom”), ଲାଟିନ୍ ଭାଷାର fundus (“bottom”) ଓ ପ୍ରାଚୀନ ଇଂରାଜୀ ଭାଷାର botm, bodan ତଥା ଆଧୁନିକ ଇଂରାଜୀ ଭାଷାର bottom ଶବ୍ଦ ସହିତ ଏହି ବୁଧ୍ନ ଶବ୍ଦର ସମ୍ପର୍କ ରହିଛି ।

ଆମେ ସମସ୍ତେ ଇଂରାଜୀ bottom ଶବ୍ଦର
ଅର୍ଥ ଜାଣନ୍ତି ଯେ ଏ ଶବ୍ଦଟି ମୂଳ,ତଳ,ନିମ୍ନଭାଗ ତଥା ଆଧାର ଅର୍ଥରେ ପ୍ରୟୋଗ ହୋଇଥାଏ । ତେଣୁ ଇଂରାଜୀଠାରୁ ଆରମ୍ଭ କରି ପ୍ରାଚୀନ ଗ୍ରୀକ୍ ଯାଏଁ ପ୍ରାୟ ଅଧିକାଂଶ ଭାରୋପୀୟ ଭାଷାରେ ବୁଧ୍ନ ଶବ୍ଦ ସହିତ ସମୋଦ୍ଧୃତ ଶବ୍ଦ ଚଳୁଅଛି ।

ଅସ୍ତୁ ଚେର ଶବ୍ଦଟି ଓଡ଼ିଶାରେ ଲୋକପ୍ରିୟ ହେଇଥିଵାରୁ ଓଡ଼ିଶାର ଅନେକ ଅଂଶର କଥିତ ଶୈଳୀରେ ତତ୍ସମ ବୁଧ୍ନ ଶବ୍ଦକୁ ସେତେ ଗୁରୁତ୍ବ ଦିଆଯାଇନି । କିନ୍ତୁ ସମୋଦ୍ଧୃତ ରୂପ ହେଲେହେଁ ବୁନ୍ଦ,ବୁନ(ମୂଳ),ବୁନ୍ଧ ଓ ବୁଂଧ ଇତ୍ୟାଦି ଶବ୍ଦକୁ ଅଵିଭକ୍ତ ସମ୍ବଲପୁର ଵା ହୀରାଖଣ୍ଡଵାସୀ ବଞ୍ଚେଇ ରଖିଛନ୍ତି ।

ଏହା ତ ଉଦାହରଣ ମାତ୍ର ସମ୍ବଲପୁରୀ ଶୈଳୀରେ ଏହିପରି ସହସ୍ରାଧିକ ପ୍ରାଚୀନ ଶବ୍ଦ ରହିଛି ଏଵଂ ସମ୍ବଲପୁରୀ କାହିଁକି ଶାସ୍ତ୍ରୀୟ ଓଡ଼ିଆ ଭାଷାର ସମସ୍ତ ଶୈଳୀରେ ରହିଛି ପ୍ରାଚୀନ ଓଡ଼ିଆ ଶବ୍ଦ ଯେଉଁ ଶବ୍ଦଗୁଡ଼ିକୁ ଆଧୁନିକ କଵି ଲେଖକମାନେ ସାହିତ୍ୟରେ ପ୍ରୟୋଗ କରିଵାକୁ କୁଣ୍ଠାବୋଧ କରନ୍ତି ।

©ଶିଶିର ସାହୁ ମନୋଜ

Sunday, October 24, 2021

ଉହା,ଉହାଟ୍,ଉହାତ୍ ଓ ଉହାଏତ୍ ଶବ୍ଦ ଏକ ଆଲୋଚନା

ପଶ୍ଚିମ ଓଡ଼ିଶାରେ ଉହାଟ୍ ବୋଲି ଏକ ଵିଶେଷ୍ୟ ଶବ୍ଦ ପ୍ରଚଳିତ ।  ଏହା ଅନୁମାନ,ଅନୁଜ୍ଞାନ, ଉପସ୍ଥିତ ପରିସ୍ଥିତିରେ କାର୍ଯ କରିଵା ପାଇଁ ଵା ସମସ୍ୟାର ସମାଧାନ ପାଇଁ ହଠାତ୍ ଉତ୍ପନ୍ନ ଯୁକ୍ତିସଙ୍ଗତ ବୁଦ୍ଧି, ଦୂରଦୃଷ୍ଟି ,ଉଦ୍‌ଭାଵନ ଓ ପ୍ରତ୍ୟୁତ୍ପନ୍ନମତା ଆଦି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଏହାର ଏକ ରୂପ ଉହା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଅନୁମାନ ଅର୍ଥରେ ଚଳୁଅଛି ।

ଏହି ଉହାଟ୍ ଓ ଉହା’ର ତତ୍ସମ ଊହ ଓ ଊହା ସହିତ ସଗୋତ୍ରୀୟ ସମ୍ପର୍କ ରହିଛି ।   ସଂସ୍କୃତ ଭାଷାରେ ଊହ ଧାତୁରୁ ତର୍କଣା କରିଵା ,ଅନୁମାନ କରିଵା ଅର୍ଥରେ ଊହ ତଥା ଊହା ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହି ଊହ ଓ ଊହା ଶବ୍ଦ ସହିତ ଆମ ଉହା ତଥା ଉହାଟ୍  ଶବ୍ଦ ସମୋଦ୍ଧୃତ ।

ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ଊହ,ଊହା ଓ ଉହ ଶବ୍ଦ
ଵିତର୍କ,ଅନୁମାନ,ଯୁକ୍ତିଦ୍ବାରା ଦୁରୂହ ଵିଷୟର ନିର୍ଣ୍ଣୟ ଚେଷ୍ଠା, ଅନୁସନ୍ଧାନ, ଅଧ୍ଯାହାର , ଲୁପ୍ତଵାକ୍ଯ ଵା ପଦ ଅର୍ଥରେ ଵ୍ଯଵହାର ହୋଇଥାଏ । ଆମେ ଉହାପୋହ ଶବ୍ଦ ଵ୍ୟଵହାର କରିଥାନ୍ତି ଏଥିରେ ମଧ୍ୟ ସେହି ଊହା ଶବ୍ଦଟି ରହିଛି ।

ଆମ ଭାଷାରେ ଉହିଵା କ୍ରିୟା ମଧ୍ୟ  ତର୍କିଵା,ଅନୁମାନ କରିଵା ଓ ଅଟକଳ କରିଵା ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।

ଊହା ଭଳି ଏକ ଅଳ୍ପ ଜଣାଶୁଣା ସଂସ୍କୃତ ଶବ୍ଦ ସହିତ ସମୋଦ୍ଧୃତ ଉହା ଓ ଉହାଟ୍ ଶବ୍ଦର ଆମ କଥିତ ଭାଷାଗୁଡି଼କରେ ଵ୍ୟଵହାର ସ୍ପଷ୍ଟ କରେ ଯେ ଆମ କଳିଙ୍ଗ ଦେଶର ଜନତା ପୂର୍ଵେ ସଂସ୍କୃତ ଭାଷାରେ କେତେ ଵିଦ୍ଵାନ ଥିଲେ ଏଵଂ ବେଳେବେଳେ ତ ଲାଗେ ସଂସ୍କୃତ ଭାଷା ବହୁତ ସମ୍ଭଵ ଏହି କଳିଙ୍ଗ ଦେଶର ଭାଷା ।

ଅଗସ୍ତି ରୂପ କଳିଙ୍ଗୀମାନେ ବୋଇତରେ ସଂସ୍କୃତ ଓ ପାଲୀ ଭାଷାକୁ ନେଇ ଦେଶ ଵିଦେଶରେ ପରିଚିତ ଓ ପ୍ରସିଦ୍ଧ କରିଥିଲେ ।

ଅଗସ୍ତି ଋଷିଙ୍କ କାହାଣୀ କହେ ଅଗସ୍ତି ସାରା ଵିଶ୍ଵର ସମୁଦ୍ର ଜଳକୁ ପାନ କରିଦେଇଥିଲେ ଲକ୍ଷଣାର୍ଥ ସମୁଦ୍ର ଯାତ୍ରା କରିଥିଲେ ,ସେ ଉତ୍ତର ଓ ଦକ୍ଷିଣ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଵା ଭାଷା ଭେଦଭାଵ ରୂପକ ବିନ୍ଧ୍ୟ ପର୍ଵତକୁ ନୁଆଁଇ ଦେଇଥିଲେ, ଜନ୍ମରୁ ଅଗସ୍ତି ଶୂଦ୍ର ଥିଲେ ନିଜ ଅଧ୍ୟଵସାୟ ଫଳରେ ବ୍ରହ୍ମତ୍ଵ ପ୍ରାପ୍ତ ହୋଇ କାଶି ଯାଇଥିଲେ ସେଠାକାର ବ୍ରାହ୍ମଣ ସମାଜ ତାଙ୍କୁ କେଣ୍ଟିକରି ବିନ୍ଧ୍ୟକୁ ନୁଆଁଇଵାକୁ କହିଥିଲେ,ଅଗସ୍ତି ଦକ୍ଷିଣ ଭାରତର ଆତାପି ବାତାପି ଭଳି ରାକ୍ଷସଙ୍କୁ ମାରି ଦେଇଥିଲେ । ଏସବୁ କାହାଣୀ ମଧ୍ୟରେ କଳଙ୍ଗୀମାନଙ୍କ ପ୍ରାଚୀନ କୀର୍ତ୍ତି ରହିଥିଵା ଅନୁଭଵ ହୁଏ । ପୂର୍ଵେ ଭାରତରେ ଆମ କଳିଙ୍ଗୀମାନଙ୍କୁ ଅନାର୍ଯ୍ୟଗଣଙ୍କ ମଧ୍ୟରେ ରଖାଯାଇଥିଲା ପରେ ପତିତ କ୍ଷତ୍ରୀୟ ଅଭିହିତ ହେଲେ ଏଠାକାର ସଂଖ୍ୟା ଗରିଷ୍ଠ ଉଡ୍ରଜାତି  ।

କଥିତ ଓଡ଼ିଆରେ ଉହା ତଥା ଉହାଟ୍  ଵିଶେଷ୍ୟ ଶବ୍ଦ ଭଳି ଵ୍ୟଵହୃତ ହୋଇଥାଏ । ତେବେ ଉହାତ୍ ଓ ଉହାଏତ୍ ବୋଲି ଆଉ ଏକ ଶବ୍ଦ ମଧ୍ୟ ଗଡ଼ଜାତ ଓଡ଼ିଶାରେ ଵିଶେଷଣ ଶବ୍ଦ ଭାବରେ ଚଳୁଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଉଭୟ ଶବ୍ଦ ରହିଛି । ଭାଷାକୋଷରେ ଏହାର ଅର୍ଥ ଲେଖାଅଛି
କ) ବୃଥା; ପଣ୍ଡ
ଯଥା—
ଉହାଏତ୍ ଆଶା/ଉହାତ୍ ଆଶା = ଦୁରାଶା
ଉହାଏତ୍ ମେହେନତ୍/ଉହାତ୍ ମେହେନତ୍ = ପଣ୍ଡଶ୍ରମ—

ଉହାତ୍ ଓ ଉହାଏତ୍ ଶବ୍ଦ କ୍ରିୟା ଵିଶେଷଣ ଭାବେ ବୃଥାରେ ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।

ସମ୍ଭଵତଃ ଵିଶେଷଣ ରୂପେ ପ୍ରଚଳିତ ଉହାତ୍ ଓ ଉହାଏତ୍ ଶବ୍ଦଦ୍ଵୟ ତତ୍ସମ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ।

ଵ୍ୟର୍ଥ ଶବ୍ଦ ଵିଫଳ, ଵୃଥା,ପଣ୍ଡ,ନିଷ୍ପଳ,ନିଷ୍କ୍ରୟୋଜନ,ଲାଭହୀନ,ଅନର୍ଥକ ଓ ଅମୂଳକ ଅର୍ଥରେ ଵ୍ୟଵହାର ହୋଇଥାଏ ଏଵଂ ଓଡ଼ିଶାରେ ଏହାକୁ ଵିଅର୍ଥ ଓ ଵେର୍ଥ ରୂପେ ମଧ୍ୟ କଥିତ ଭାଷାରେ ପ୍ରୟୋଗ କରାଯାଏ ।

ଵ୍ୟର୍ଥ ଶବ୍ଦରେ ଅଵର୍ଗ୍ଯ ଵ ରହିଛି ଯାହା ସହଜରେ ସ୍ଵରଵର୍ଣ୍ଣ ଯଥା ଅ,ଆ,ଇ,ଉ ,ଏ ତଥା ଓ ରେ ପରିଵୃତ୍ତ ହୋଇଯାଏ(ଯଥା— ଦେଵ = ଦେଓ,ଦେଵୀ = ଦେଈ,ଦେଵକୁଳ = ଦେଉଳ ଇତ୍ୟାଦି) ।

ତେଣୁ ବହୁତ ସମ୍ଭଵ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ଉହାତ୍ ଓ ଉହାଏତ୍ କ୍ଷେତ୍ରରେ ଅଵର୍ଗ୍ଯ ଵ ଵର୍ଣ୍ଣ ଉ ରେ ପରିଵୃତ୍ତ ହୋଇଅଛି , ସେଥିରେ ଯୁକ୍ତ ଯ୍ୟ ଫଳା ଏ ରେ ପରିଵୃତ୍ତ ହୋଇଛି ଏଵଂ ମହାପ୍ରାଣ ଥ ଵର୍ଣ୍ଣ ଅଳ୍ପପ୍ରାଣ ତ ରେ ପରିଵୃତ୍ତ ହୋଇଛି ।


Wednesday, August 25, 2021

ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ

ଗଡ଼ଜାତ ଓଡ଼ିଶାରେ ପୂର୍ଵେ  ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର ଅନ୍ୟନାମ ଖମମଖାଲୁ ଓ ଖମଖମାଲି ଇତ୍ୟାଦି ରହିଥିଲା ।ସମ୍ବଲପୁର ଜିଲ୍ଲାରେ ଏ ଖେଳକୁ ଖମ୍ ଖମାଲି  କୁହାଯାଉଥିଲା ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।

ଏହି ଖମ୍ ଶବ୍ଦଟି ସହିତ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଏଵଂ ପ୍ରାକୃତ ଖଂଭ ଓ ଓଡ଼ିଆ ଖମ୍ବ ଶବ୍ଦ ସମୋଦ୍ଧୃତ ।

ଓଡ଼ିଶାରେ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦର  ଵିଭିନ୍ନ ରୂପ ପ୍ରଚଳିତ ଥିଲା ଏଵଂ ଏବେ ମଧ୍ୟ ରହିଛି । ଓଡ଼ିଶାରେ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦ ଏକ ଦିଗରେ ଖମ୍ବ,ଖୁମ୍ବ,ଖମ୍,ଖମ ଓ ଖମା ହୋଇ ପ୍ରଚଳିତ ଥିଵା ବେଳେ ଅନ୍ୟ ଏକ ପକ୍ଷରେ ଏହାର ଏକ ସମୟରେ ଥମ୍ବ ଓ ଥମ୍ ରୂପ ପରିଵୃତ୍ତ ହୋଇ ମଧ୍ୟ ପ୍ରଚଳିତ ଅଛି ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଖମ ଶବ୍ଦର ସ୍ତମ୍ଭ ଅର୍ଥରେ ଵ୍ୟଵହାର  ଦୃଷ୍ଟିଗୋଚର  ହୋଇଥାଏ

ଯଥା ବ୍ରହ୍ମନିରୂପଣ ଗୀତାରେ ଖମ ଶବ୍ଦର ଏମନ୍ତ ଵ୍ୟଵହାର ରହିଛି
“ଅଲେଖ ପ୍ରଭୂ ଏ ବ୍ରହ୍ମାଣ୍ଡରେ ମେରୁ ଖମ”

ସେହିପରି ଢେଙ୍କାନାଳ ଗଡ଼ଜାତ ତଥା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଖମ୍ବ ପରିଵର୍ତ୍ତେ ଖୁମ୍ବ ଶବ୍ଦର ଵ୍ୟଵହାର ପ୍ରଚଳିତ ଅଛି । ସାହିତ୍ୟରେ ମଧ୍ୟ ଖୁମ୍ବ ଶବ୍ଦ ଵ୍ୟଵହାରର ଉଦାହରଣ ରହିଛି
ଯଥା —
“ଆବର ରତନର ପୁର ।
ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି ।
ମଧ୍ୟେ ଅଛଇ ରାସସ୍ଥଳି ।।”
(ରାଧାଷ୍ଟମୀ ଵ୍ରତ,କ୍ଷେତ୍ରମୋହନ)

ଓଡ଼ିଶାର କେତେକ ଅଞ୍ଚଳରେ ଖମା ଶବ୍ଦଟି ମଧ୍ୟ ଖୁଣ୍ଟ ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।

ସେହିପରି ସ୍ତମ୍ବ ଶବ୍ଦର ଅନ୍ଯ ଏକ ଓଡ଼ିଆ ରୂପ ଥମ୍ବର ଵ୍ୟଵହାର କଵି ପ୍ରତାପ ରାୟ ତାଙ୍କ ଶଶିସେଣା କାଵ୍ୟରେ ପ୍ରୟୋଗ କରିଅଛନ୍ତି

“ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା
ନ ପାରନ୍ତି କଥା କହି।”

ଆଜି ବି ମାଲକାନଗିରିରେ ଥମ୍ ତଥା ଜଗତସିଂହପୁର ଜିଲ୍ଲାରେ ଥମ୍ବ ଶବ୍ଦର ଵ୍ୟଵହାର ସ୍ତମ୍ଭ ଅର୍ଥରେ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌

ତେଣୁ ଖମ୍ବ ଦ୍ଵାରା ଖେଳାଯାଉଥିଵାରୁ ଗଡ଼ଜାତର ଏହି ଖେଳକୁ ଖମଖମାଲୋ,ଖମଖମାଲୁ ଓ ଖମଖମାଲି ଇତ୍ୟାଦି କୁହାଯାଉଥିଲା ।

ଏହା ଥିଲା ଏକ ଆବଦ୍ଧପ୍ରାଙ୍ଗଣର କ୍ରୀଡ଼ା କିନ୍ତୁ ଯଦି ଖୋଲା ପଡ଼ିଆରେ ଯେଉଁଠି ଚାରି ଵା ତତୋଧିକ ବଡ଼ ଖୁଣ୍ଟ ପୋତା ହେଉଥିଲା କିଂଵା ଆମ୍ବ ତୋଟାରେ ଲଗାଲଗି ହୋଇ ବଡ଼ ଵୃକ୍ଷ ରହୁଥିଲା ସେଠାରେ ମଧ୍ୟ ପିଲାଏ ଏ ଖେଳ ଖେଳୁଥିଲେ । କେହି କେହି ଏ ଖେଳକୁ ଘରର ଚାରି କୋଣକୁ ଆଧାର କରି ଖେଳୁଥିଵାର ମଧ୍ୟ ଜଣାଯାଏ । କିନ୍ତୁ ପୂର୍ଵକାଳରେ ସାଧାରଣତଃ ଗୁହାଳ ଘରେ ଚାରିଗୋଟି ଖୁମ୍ବ ରହୁଥିଵାରୁ ଏହି ଖମଖମାଲୋ ଖେଳ ସେଠାରେ ଅଧିକ ଖେଳାଯାଉଥିଲା ।

ଖମଖମାଲୋ ଖେଳରେ ଉଭୟ ପୁଅ ପିଲା ଓ ଝିଅପିଲା  ଅଂଶଗ୍ରହଣ କରିପାରୁଥିଲେ । ଖେଳାଳିଙ୍କ ଵୟସ ସୀମା ତିନିରୁ ଦଶ ଵର୍ଷ ଵୟସ ଭିତରେ ସୀମିତ ରହୁଥିଲେ ହେଁ ବେଳେବେଳେ ଏଥିରେ ବଡ଼ ନାନୀ ଭାଇମାନେ ଯୋଗ ଦେଉଥିଵାର ଦେଖାଯାଉଥିଲା  ।

ଏହି ଖେଳ ସାଧାରଣତଃ ଘରେ କିଂଵା ଗୁହାଳଘରେ ଖେଳାଯାଉଥିଵାରୁ ଘରେ ପିତାଙ୍କ ଅନୁପସ୍ଥିତିରେ କିଂଵା ଗୁହାଳରେ ଗାଈ ଗୋରୁ ନଥିଵା ସମୟରେ ହିଁ ଏହି ଖେଳ ଖେଳାଯାଉଥିଲା ।

ଗୁହାଳରେ ଥିଵା ଖମ୍ବ ଆଧାରରେ ଖେଳାଳି ଭାଗ ନେଉଥିଲେ । ସାଧାରଣତଃ ଗୁହାଳଗୁଡି଼କରେ ଚାରିଗୋଟି ଖମ୍ବ ରହୁଥିଲା ଘରେ ମଧ୍ୟ ଚାରିଗୋଟି କୋଣ ରହିଥାଏ ତେଣୁ ଏ ଖେଳରେ ଚାରିଗୋଟି ଖମ୍ବ ଵା କୋଣ ଆଧାରରେ ଚାରିଜଣ ସାଧାରଣ ଖେଳାଳି ଓ ଜଣେ ମାଈ ଖେଳାଳି ଯୋଗ ଦେଉଥିଲେ ।

ଚାରିଜଣ ସାଧାରଣ ଖେଳାଳି ଗୁହାଳର ଚାରିଗୋଟି ଖମ୍ବ ଵା ଘରର ଚାରୋଟି କୋଣକୁ ଧରି ରହୁଥିଲେ ଏଵଂ ମାଈ ଖେଳାଳି ସେମାନଙ୍କ ମଝିରେ ଗୋଟିଏ ଗୋଲାଇ ଭିତରେ ରହି ଗୀତ ବୋଲୁଥିଲା ।

ଯଦି ଖମ୍ବ ,ଗଛ ଵା ଘରର କୋଣଠାରୁ ଖେଳାଳୀ ସଂଖ୍ୟା କମ୍ ରହୁଥିଲା ତାହେଲେ ତହିଁରୁ ଗୋଟିଏ ଦୁଇଟି ଖମ୍ବ,କୋଣ ଵା ଗଛ ଵାଦ୍ ଦିଆଯାଉଥିଲା ।

ଖେଳାଳୀମାନଙ୍କ ଭିତରୁ ଯେଉଁ ଖେଳାଳି ମଝିରେ ଗୋଲେଇ ଘାଇ ମଧ୍ୟରେ ରହୁଥିଲା ତାକୁ ‘ମାଇ’ କୁହାଯାଉଥିଲା କିନ୍ତୁ ଗଡ଼ଜାତରେ  ଏହି ମାଈ ଖେଳାଳିକୁ  ‘ଖମଖମାଲୋ ଗୀତ’ ଗାଇଵାକୁ ପଡୁ଼ଥିଲା  ।

“ଖମଖମାଲୋ
    ବାଏଗନ୍ ମାଲୋ
ମଝିର ଖମକେ ଛାଡ଼ିଦେ
        ମଝିର ଖମକେ ଛାଡ଼ିଦେ
ବିଲ୍ ବିଲାଲେ
        ଆମୁଲ୍ କୁଲେ
  ନନିର ଟୁଁଡ଼େ ଭରି ଦେ
           ନନିର ଟୁଁଡେ଼ ଭରିଦେ।।”

ପୁଣି କେଉଁଠି କେଉଁଠି ଏ ଗୀତ ଆହୁରି ସହଜ ହୋଇ ଗାୟନ ହେଉଥିଲା...

“ଖମ୍ ଖମାଲୋ
ବାଏଗନ୍ ମାଲୋ
ମୋର ଖମ୍ କେ ଛାଡି଼ ଦେ
ମୋର୍ ଖମ୍ କେ ଛାଡି଼ଦେ”

‘ମାଇ’ ଖେଳାଳି ଏହି ଗୀତ ଗାଉଥିଵା ସମୟରେ ଅନ୍ୟ ଖେଳାଳୀ ସବୁ ପରସ୍ପର ଖମ୍ବ ଅଦଳବଦଳ କରୁଥିଲେ ।
ଚାରିଗୋଟି ଗଛ,ଖମ୍ବ ଵା କୋଣକୁ ଧରି ରହିଥିଵା ଖେଳାଳିମାନଙ୍କ ଦ୍ଵାରା ଖମ୍ବ,କୋଣ ଵା ଗଛ ଅଦଳବଦଳ ସମୟରେ ଯଦି ମଝିରେ ଛିଡ଼ା ହୋଇ ଗୀତ ବୋଲୁଥିଵା ‘ମାଇ’ ଖେଳାଳୀ ସେମାନଙ୍କ ମଧ୍ୟରୁ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଖେଳାଳୀ ଜଣକ ‘ମାଇ’ ହେଉଥିଲା । ମାତ୍ର ଯଦି ‘ମାଇ’ ଖେଳାଳି ଅନ୍ୟ ଖେଳାଳିକୁ ଛୁଇଁଵା ସମୟରେ ଘାଇରୁ ବାହାର ହୋଇ କାହାକୁ ଛୁଉଁଥିଲା କିଂଵା ରାହା ନପାଇଵାରୁ ଵା ଅନ୍ୟ କାରଣରୁ ଖମଖମାଲୋ ଗୀତ ଗାଇଵା ବନ୍ଦ କରିଦେଇ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଛୁଆଁକୁ ଗଡ଼ରେ ଗଣନା କରାଯାଉନଥିଲା ଏଵଂ ଆଉଥରେ ଖେଳ ଆରମ୍ଭ ହେଉଥିଲା । ଏହିପରି ଏହି ଖମଖମାଲୋ ଖେଳ ଘଣ୍ଟାଏରୁ ଦେଢ଼ ଘଣ୍ଟାଯାଏଁ ଖେଳାଯାଉଥିଲା ।

ଭାରତର ଅନ୍ୟ ଖେଳଗୁଡି଼କ ପରି ଏ ଖେଳରେ ମଧ୍ୟ ଗୁହିଁ ଵା ଗୁନ୍ଧୁରୀ ହେଲେ ଅର୍ଥାତ୍ ଗୋଳ ହେଲେ ଖେଳରେ ଗୁନ୍ଧୁରୀ କରିଥିଵା ଖେଳାଳିଙ୍କୁ ଵାଦ୍ ଦିଆଯାଇ ମଝିରେ ନୂଆ ଖେଳାଳିଙ୍କୁ ଖେଳାଯାଉଥିଲା ।

ଏ ଖେଳ ସାଧାରଣତଃ ଆଵଦ୍ଧ ଘରେ ଓ ଗୁହାଳରେ ଖେଳାଯାଉଥିଵାରୁ ଅଵିଭାଵକ ଓ ସମଵୟସ୍କ ପିଲାଏ ଦର୍ଶକ ହୋଇ ଖେଳକୁ ଉପଭୋଗ କରିପାରୁଥିଲେ ।

ସମୟ ସହ ଏ ଖେଳ ଅଧୁନା ଓଡ଼ିଶାରୁ ଲୁପ୍ତ ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଘର କୋଣ ଵା ସ୍ତମ୍ଭ ଓ ଲଗାଲଗି ଉଠିଥିଵା ଆମ୍ବଗଛ ପୂର୍ଣ୍ଣ ଆମ୍ବ ତୋଟା ଵା ଜଙ୍ଗଲର ଗଛମୂଳରେ ମଧ୍ୟରେ ଏ ଖେଳ ଖେଳାଯାଇପାରେ ।

ଆଧୁନିକ ଯୁଗରେ ଦୂରଦର୍ଶନ , ମୋବାଇଲ ଆସିଵା ଦିନଠାରୁ ଅନେକ ଭାରତୀୟ କ୍ରୀଡ଼ା ଵର୍ତ୍ତମାନ ଲୁପ୍ତ ହୋଇଯାଇଅଛି । ଖମଖମାଲୋ ଖେଳ ମଧ୍ୟ କାଳ ଆଗରେ ପରାଜିତ ହୋଇ ଆଜି ମୃତ ହୋଇ ସାରିଛି । ଅସ୍ତୁ, ଓଡ଼ିଶାର ଲୋକେ ଵିଶେଷ ଉତ୍ସଵାଦିରେ ଏହି ଖେଳର ପ୍ରତିଯୋଗିତା ଆୟୋଜନ କରି ଏହାକୁ ଯଦି ବଞ୍ଚାଇଵାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଏ ଖେଳଟି କେଵଳ ବହି ଓ ପୁରୁଣା ଲୋକଙ୍କ ସ୍ମତି ମଧ୍ୟରେ ସୀମିତ ନରହି ଆଉ ଥରେ ପୁନଃ ପ୍ରଚଳିତ ହୋଇପାରନ୍ତା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
         

Thursday, April 15, 2021

ଟମାଟୋ ଓ ପାତଲଘଣ୍ଟା

ଟମାଟ,ଟମାଟୋ ଵା ଟମାଟର ଆମ ଦେଶର ଫଳ/ପରିଵା ନୁହେଁ ଏହା ସ୍ପେନ ଦେଶର ଲୋକମାନଙ୍କ ଦ୍ଵାରା ଷୋହଳଶହ ଶତାବ୍ଦୀରେ  ଆମେରିକାରୁ ଆନିତ ହୋଇ ସାରା ଵିଶ୍ଵରେ ଲୋକପ୍ରିୟ କରାଯାଇଥିଲା । କୁହାଯାଏ ସ୍ପେନୀୟ ଵିଜେତା Hernán Cortés ପ୍ରଥମେ ଏକ ଜାତୀୟ ହଳଦିଆଵର୍ଣ୍ଣର ଟମାଟୋକୁ ଆଜଟେକ୍ ନଗର Tenochtitlan ଵା ଆଜିର ମେକ୍ସିକୋରୁ ୧୫୨୧ ଖ୍ରୀଷ୍ଟାବ୍ଦରେ ଆଣିଥିଲେ ।  ହଳଦିଆ ରଙ୍ଗର ବିଲାତି ବାଇଗଣକୁ ସେତେବେଳେ "pomi d'oro" ନାମ ଦିଆଯାଇଥିଲା ଯାହା ଆଜି ବି ଅନେକ ଭାଷାରେ ପ୍ରଚଳିତ ଏଵଂ ଏହାର ଆକ୍ଷରିକ ଅର୍ଥ "ସ୍ଵର୍ଣ୍ଣ ସେଓ" ଅଟେ । ତେବେ ଇଂଲଣ୍ଡରେ ୧୫୯୦ ମସିହା ଯାଏଁ ଟମାଟୋ ଗଛ ଲଗାଯାଇନଥିଲା ।  ଇଂଲଣ୍ଡକୁ ଟମାଟୋ ଆଣିଵାର ଶ୍ରେୟ ଓ୍ଵଲଟର ରାଲେଙ୍କୁ ଦିଆଯାଏ ତେବେ ପ୍ରଥମେ ପ୍ରଥମେ ଏହାକୁ ଇଂଲଣ୍ଡରେ ଵିଷାକ୍ତ ଵିଚାର କରି ଖାଉନଥିଲେ ଏଵଂ କେଵଳ ମାତ୍ର ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ହେତୁ ଲଗାଉଥିଲେ  । ସେତେବେଳେ ଏହାର ରଙ୍ଗ ଯୋଗୁଁ ଏହାକୁ love apple କୁହାଯାଉଥିଲା । ଇଂଲଣ୍ଡର ଧନୀକମାନେ ଯେଉଁ ଧାତଵ ଵାସନରେ ଖାଉଥିଲେ ସେଥିରେ lead ଵା ସୀସାଧାତୁର ପରିମାଣ ଅଧିକ ରହୁଥିଲା ଫଳରେ ତହିଁରେ ଟମାଟୋ ଖାଇଲେ ତାହା ପେଟ ପାଇଁ ଵିଷାକ୍ତ ହୋଇଯାଉଥିଲା ତେଣୁ ଟମାଟୋ ଵିଷାକ୍ତ ବୋଲି ମାନ୍ୟତା ଚଳୁଥିଲା । ତେବେ ଇଂଲଣ୍ଡର ଦରିଦ୍ରଲୋକେ ଧନୀକଙ୍କ ପରି ପ୍ରୋକ୍ତ ଵାସନରେ ଏ ଫଳକୁ ଖାଉନଥିଵାରୁ ଗରିଵ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଏହା ଲୋକପ୍ରିୟ ହେଵାକୁ ଲାଗିଲା ଏଵଂ ଏହାର ନାମ ରଖାଗଲା "poor mens apple" ।

ଦକ୍ଷିଣ ପୂର୍ଵ ଏସିଆରେ ସ୍ପେନ ଦେଶୀୟ ଲୋକଙ୍କ ଦ୍ଵାରା ଟମାଟର ପ୍ରଥମେ ଆନିତ ହୋଇଥିଲା ଏଵଂ ପରେ ଏହା ସେଠାରୁ ସାରା ଏସିଆ ମହାଦେଶରେ ଵ୍ୟାପିଗଲା ।  ଚୀନ ଦେଶକୁ ଟମାଟୋ ଫିଲିପାଇନସ କିଂଵା ମକାଓଠାରୁ ଆସି ପହଞ୍ଚିଲା ତେବେ ଚୀନାମାନେ ତାକୁ fānqié ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ barbarian eggplant ଅଟଇ । ଆଜି ଚୀନ ଵିଶ୍ଵରେ ଟମାଟୋ ଉତ୍ପାଦନରେ ପ୍ରଥମ ହୋଇଥିଵାବେଳେ ଭାରତ ଦ୍ଵିତୀୟ ଓ ତୁର୍କୀ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇଜିପ୍ଟ ଯଥାକ୍ରମେ ତୃତୀୟ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତରେ ବିଲାତି ବାଇଗଣର ଟମାଟୋ ଓ ଟମାଟର ନାମ ଵିଶେଷ ଲୋକପ୍ରିୟ ତେବେ ବହୁତ ଲୋକ ଜାଣିନଥିବେ ଯେ ପ୍ରକୃତରେ ଟମାଟୋ ଶବ୍ଦଟି ମୂଳତଃ ଏକ ଇଂରାଜୀ ଵା ୟୁରୋପୀୟ ଶବ୍ଦ ନୁହେଁ ଵରଂ ଏହା ପ୍ରାଚୀନ ଆମେରକୀୟ ଆଜଟେକ୍ସ ଜାତୀୟ ଲୋକଙ୍କ Nahuatl ଭାଷାର ଏକ ଶବ୍ଦ  tomatlର ଆଧୁନିକ ରୂପ ଅଟେ । ପ୍ରଥମେ Nahuatl ଭାଷାର tomatl ଶବ୍ଦଟି ସ୍ପେନୀୟ ଭାଷାରେ tomate ହୋଇଥିଲା ଯାହା ଇଂରାଜୀରେ ଅନ୍ୟ ଏକ ଆମେରକୀୟ ପାଦପ potato(ଗୋଲ ଆଳୁ) ଆଧାରରେ ଟମାଟୋରେ ପରିଵର୍ତ୍ତିତ ହୋଇଅଛି ।

ଓଡ଼ିଶାରେ ଟମାଟୋ ଏକ ବାଇଗଣ ଜାତୀୟ ପାଦପ ହୋଇଥିଵାରୁ ଏଵଂ ବିଲାତରୁ ଏହାକୁ ଅଣାଯାଇଥିଵାରୁ ଏହାକୁ ବିଲାତି ବାଇଗଣ ନାମ ଦିଆଯାଇଛି । ସେହିପରି ଉତ୍ତର ଭାରତରେ ମଧ୍ୟ ଆଗେ ଏହାକୁ ବିଲାୟତି ଭଣ୍ଟା(ବାଇଗଣ) କୁହାଯାଉଥିଲା କିନ୍ତୁ ଅଧୁନା ଏ ଶବ୍ଦ ହିନ୍ଦୀଭାଷୀଙ୍କ କଥିତ ଭାଷାରୁ ପ୍ରାୟତଃ ଲୁପ୍ତ ହୋଇସାରିଛି । ଟମାଟରକୁ ଓଡ଼ିଶାର କେତେକ ଅଞ୍ଚଳରେ ବିଲାତି ବାଇଗଣ ନକହି କେଵଳ ବିଲାତି,ବିଲାଇତି,ବିଲେଇତି ଇତ୍ୟାଦି ମଧ୍ୟ କୁହାଯାଏ ।  ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବିଲାତି ବାଇଗଣକୁ ଭେଦରା,ଭେଦରୀ ଓ ଭେଜରୀ ଇତ୍ୟାଦି କୁହାଯାଏ । ଏ ସମସ୍ତ ଶବ୍ଦ ତତ୍ସମ ବର୍ତ୍ତକୀ ତଥା ଓଡି଼ଆ ଭେଜୀ ଶବ୍ଦ ସହିତ ସମଦ୍ଧୃତ । ଓଡ଼ିଆ ଭାଷାରେ ଏକ ପ୍ରକାରର ବାଇଗଣ ଜାତୀୟ ପାଦପକୁ ଭେଜି ବାଇଗଣ କୁହାଯାଏ ସେହିପରି ବିଲାତି ବାଇଗଣ ସାଦୃଶ୍ୟ କଣ୍ଟାଯୁକ୍ତ ଏକ ଜାତୀୟ ଭାରତୀୟ ପାଦପକୁ ଭେଜରୀ କୁହାଯାଇଥାଏ ।

ପୂର୍ଵ ଓଡ଼ିଶାରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ୧୯୮୦ ମସିହା ସୁଦ୍ଧା ବିଲାତି ବାଇଗଣକୁ ପାଚଲ ଓ ପାଚଲଘଣ୍ଟା କୁହାଯାଉଥିଲା ‌। ତେବେ ସ୍ଥାନୀୟ କଟକୀ କଥିତ ଭାଷାରେ ଟମାଟର ଓ ବିଲାତି ବାଇଗଣ ଆଦି ଶବ୍ଦର ବହୁଳ ପ୍ରୟୋଗ ଯୋଗୁଁ ଏ ଶବ୍ଦଦ୍ଵୟ ଏଠାକାର ଗ୍ରାମାଞ୍ଚଳରେ ରହୁଥିଵା ବୁଢ଼ାବୁଢ଼ଙ୍କ ମୁଖରୁ କ୍ଵଚିତ୍ ଶୁଣାଯାଏ ।

ପଶ୍ଚିମ ଓଡ଼ିଶାରେ ବିଲାତି ବାଇଗଣକୁ ପାତଲ୍ ଘଣ୍ଟା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୭୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି ଏଵଂ ଏ ଶବ୍ଦର ଅନ୍ୟ ପ୍ରତିରୂପ ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି  ଯଥା—

🔹ପାତଲ୍ ଘଣ୍ଟା
🔸ପାତଲ୍ ଭଁଟା
🔹ପାତଲ୍ ଭଣ୍ଟା
🔸ପାତଲ୍ ଭାଁଟା
🔹ପାତଲ୍ ଭାଣ୍ଟା
🔸ପାତଲ୍'ଘଟା

ପାତଲ୍ ଘଣ୍ଟା ଶବ୍ଦର  ଅନେକ ରୂପ ଭଳି ଏ ଶବ୍ଦର ସୃଷ୍ଟିକୁ ନେଇ ମଧ୍ୟ  ନାନା ମତ ରହିଛି । ନିମ୍ନରେ ତନ୍ମଧ୍ୟରୁ କେତେକ ମତ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରାଗଲା ।

⬛ମତ [ଏକ]=> ପାତଲ୍ ଅଟେ ଆଵରଣ+ ଘଣ୍ଟା<ଭଣ୍ଟା(ବାଇଗଣ)⬛

ସମ୍ବଲପୁରୀ ଓଡ଼ିଆରେ ପାତଲ୍ ଶବ୍ଦର ଅର୍ଥ ପତଳା ,କ୍ଷୀଣ ଓ ସରୁଆ । ବିଲାତି ବାଇଗଣର ଉପର ଆଵରଣ ଦେଶୀୟ ବାଇଗଣ ଅପେକ୍ଷା ଅତିସରୁ,କ୍ଷୀଣକାୟ ଓ ପତଳା ହୋଇଥାଏ । ତେଣୁ କିଛି ଲୋକଙ୍କ ମତ ଯେ "ପତଳା" ଅର୍ଥଜ "ପାତଲ୍" ସହ "ଭଣ୍ଟା" ଶବ୍ଦର ଏକ ଦେଶଜ ରୂପ "ଘଣ୍ଟା" ଯୁକ୍ତ ହୋଇ ପାତଲ୍ ଘଣ୍ଟା ଶବ୍ଦ ସୃଷ୍ଟି ହୋଇଅଛି । ପ୍ରକାଶ ଥାଉକି ‘ଭଣ୍ଟା’ ଶବ୍ଦଟି ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ବାଇଗଣ ଅର୍ଥରେ ଵ୍ୟଵହୃତ ହୋଇଥାଏ ।

⬛ମତ[ଦୁଇ]ପାତାଳର ଭଣ୍ଟା ଜାତୀୟ ପରିଵା ⬛

ବିଲାତି ବାଇଗଣ ଆମ ଦେଶର ଫଳ ନୁହେଁ । ଏହା ମୂଳତଃ ଆମେରିକାରୁ ଅଣାଯାଇ ଆମ ଦେଶରେ ଚାଷ କରାଯାଇଛି । ପୁରାଣରେ ସପ୍ତ-ପାତାଳର କାହାଣୀ ରହିଛି । କିଛି ଲୋକଙ୍କ ଅନୁସାରେ ମାଟି ତଳେ ସପ୍ତ ପାତାଳ ଅଵସ୍ଥିତ ତେଵେ ଆଉ କିଛି ଲୋକ କୁହନ୍ତି ପ୍ରାଚୀନ ତଥା ହିଂସ୍ର ମାନଵଜାତିଙ୍କ ଦ୍ଵାରା ଵସଵାସ କରାଯାଉଥିଵା ବଡ଼ ଦ୍ଵୀପ ଓ ମହାଦେଶଗୁଡି଼କୁ ସନାତନୀ ପୁରାଣକାରମାନେ ପାତାଳ ଅଭିହିତ କରିଅଛନ୍ତି । ସେମାନଙ୍କ ମତରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ଆଣ୍ଟାର୍କଟିକା, , ଅଷ୍ଟ୍ରେଲିଆ,ଆରବ,ଇରାକ ଓ ଆଫ୍ରିକାର କିଛି ଅଂଶକୁ ସେତେବେଳର ପୁରାଣରେ ପାତାଳ ଅଭିହିତ କରାଯାଇଥିଵା ସମ୍ଭଵ । ଏସବୁ ଅଞ୍ଚଳରେ ଏମିତି ମାନଵ ସଭ୍ୟତା ଗଢିଉଠିଥିଲା ଯେଉଁମାନେ ବହିରାଗତଙ୍କ ପ୍ରତି ହିଂସ୍ର ଵ୍ୟଵହାର କରୁଥିଲେ । ଆରବରେ ଓ ଇରାକ୍'ରେ ବାର୍ବାରିକ ଓ ଆସିରୀୟ ଲୋକେ ହିଂସ୍ର ଓ ଦୁର୍ଦ୍ଧାନ୍ତ ଥିଵା ଜଣାଯାଏ । ଏଣୁ ଯେହେତୁ ବିଲାତି ବାଇଗଣ ଆମେରିକା ମହାଦେଶର ପାଦପ ଏଵଂ ଆଧୁନିକ ଯୁଗରେ ଏହାର ଆଵିଷ୍କାର ପରେ ଏହାକୁ ଏକ ପାତାଳ ଭାଵରେ ଭାରତୀୟ ଲୋକେ ଅନୁମାନ କରିଥିଲେ ତେଣୁ ସେମାନେ ବିଲାତି ବାଇଗଣର ,ପାତାଳର ଭଣ୍ଟା = ପାତାଳଘଣ୍ଟା ନାମକରଣ କରିଥାଇପାରନ୍ତି । ପାତାଳ ଶବ୍ଦ ସହ ଯୁକ୍ତ ଘଣ୍ଟା ଶବ୍ଦଟି ଭଣ୍ଟାକୀ ଶବ୍ଦର ଏକ ରୂପ ହୋଇଥିଵ କିଂଵା ଘଣ୍ଟାର ପେଣ୍ଡୁଲିୟମ୍ ପରି ଏ ଫଳଟି ତଳକୁ ଓହଳି ଥିଵାରୁ ପାତାଳ ଶବ୍ଦ ସହ ଘଣ୍ଟା ଶବ୍ଦ ଯୋଡ଼ା ହୋଇଥାଇପାରେ ।

⬛ମତ[ତିନି]ତରଳିଆ ଶସ ଯୁକ୍ତ ଭଣ୍ଟା/ପାତଳ+ଭଣ୍ଟା=>ପାତଲଘଣ୍ଟା⬛

ଓଡ଼ିଆ ଭାଷାରେ ପାତଳ ବୋଲି ଶବ୍ଦଟିଏ ଅଛି । ଆମ ଭାଷାରେ ଏହି ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି ! ଯଥା—
କ)ପାଦ ତଳ
ଖ)ପାଆତଳିଆ/ପାଦତଳସ୍ଥିତ(ଵିଶେଷଣ)
ଗ)ଅନୁଗତ
ଘ)ଅତି ହୀନ
ଙ)ପତଳା ଵା ସରୁ(ସମ୍ବଲପୁରୀ ଓଡ଼ିଆରେ ଏହି ଓଡ଼ିଆ ଶବ୍ଦ ପାତଲ୍ ହୋଇଅଛି )
ଚ)କୃଶ ଵା ଶୀର୍ଣ୍ଣକାୟ
ଛ) ଜଳରେ ଗୋଳିଆ ହୋଇଥିଵା
ଜ)ଜଳୀୟ ଵା ତରଳ*
ଝ)ଅଘନ

ଏହି ପାତଳ ଶବ୍ଦଟି ପତଳା ଵା ସରୁ ଅର୍ଥ ଛଡ଼ା ଜଳୀୟ ଵା ତରଳ ଅର୍ଥରେ ମଧ୍ୟ ଵ୍ୟଵହାର ହୋଇଥାଏ । ସେଇଥିପାଇଁ "ଯାଉ(ଯଵାଗୂ)"କୁ ଆମ ଭାଷାରେ "ପାତଳ ଭାତ" କୁହାଯାଏ କାରଣ ସାଧାରଣ ଭାତ ଶୁଷ୍କ ହୋଇଥିଵାବେଳେ ଯାଉଭାତରେ ଜଳୀୟ ଅଂଶ ରହିଥାଏ । ଦେଶୀୟ ବାଇଗଣ ପାଚି ଧୀରେ ଧୀରେ ଶୁଖିଯାଏ କିନ୍ତୁ ବିଲାତି ବାଇଗଣ ପାଚିଲେ ଈଷତ ଲାଲ ଵର୍ଣ୍ଣ ଧାରଣ କରେ ଏଵଂ ତା ମଧ୍ୟରେ ମଞ୍ଜି ସହ ତରଳ ପଦାର୍ଥ ସୃଷ୍ଟି ହୋଇଥାଏ । ସମ୍ଭଵତଃ ବିଲାତି ବାଇଗଣରେ ତରଳ ଶସ ମିଳୁଥିଵାରୁ ଜଳୀୟ ଅର୍ଥରେ ପାତଳ ଶବ୍ଦର ଵ୍ୟଵହାର କରାଯାଇଥିଲା ଏଵଂ ତାହା ସହ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଯୋଡ଼ା ଯାଇଥିଲା ଯାହା ସମୟାନୁକ୍ରମେ କେତେକ ଅଞ୍ଚଳରେ ଘଣ୍ଟା ହୋଇଅଛି ।

⬛ମତ[ଚାରି]ପାଚଳ=ଖଟା+ଘଣ୍ଟା=>ପା(ଚ/ତ)ଲଘଣ୍ଟା ⬛

କିଛି ଲୋକଙ୍କ ଅନୁସାରେ ପାତଲ୍ ଘଣ୍ଟା ଶବ୍ଦ ମଧ୍ୟରେ ଥିଵା ପାତଲ୍ ଶବ୍ଦଟି ଏକ ପ୍ରାଚୀନ ଓଡ଼ିଆ ଶବ୍ଦ "ପାଚଳ" ର ଆଧୁନିକ ରୂପ ଅଟେ । ପ୍ରକୃତରେ ଏହି ଓଡ଼ିଆ ଖଟା ଅର୍ଥଜ ପାଚଳ ଶବ୍ଦଟି ସଂସ୍କୃତର ସମାର୍ଥକ "ପାଚନ" ସହିତ ସମଦ୍ଧୃତ ଅଟେ ।   ଓଡିଆ ମହାଭାରତରେ ତଥା ଅନ୍ଯାନ୍ଯ ପୁରାତନ ଓଡ଼ିଆ ଗ୍ରନ୍ଥରେ ପାଚଲ ଶବ୍ଦଟି ଖଟା ବା ଆମ୍ବିଳ ଅର୍ଥରେ ଵ୍ୟଵହୃତ ହୋଇଅଛି । ବିଲାତି ବାଇଗଣ ଖଟାଳିଆ ହୋଇଥିଵାରୁ ଏଵଂ ଖଟାରେ ଘଣ୍ଟା ହେଉଥିଵାରୁ ଏହାକୁ ଆଗେ ପୂର୍ଵାଞ୍ଚଳରେ  ପାଚଲଘଣ୍ଟା ଵା କେଵଳ ପାଚଲ୍ କହୁଥିଲେ  । 'ଚ' ଓ 'ତ' ଵର୍ଣ୍ଣ ପରସ୍ପର  ପରିଵୃତ୍ତ ହେଇପାରନ୍ତି ତେଣୁ ପୂର୍ଵାଞ୍ଚଳର ପାଚଲଘଣ୍ଟା ଶବ୍ଦଟି ପଶ୍ଚିମାଞ୍ଚଳରେ ପାତଲଘଣ୍ଟା ହୋଇଅଛି ।

⬛ମତ[ପାଞ୍ଚ]ପାଚଲ=ପାଚିଲା ଖଟା ପରିଵା+ଘଣ୍ଟା⬛

ଓଡ଼ିଆ ଭାଷାରେ ‘ପାଚଳ’ ଶବ୍ଦର ଅର୍ଥ “ଵିନା ଅଗ୍ନି ସହାୟତାରେ ପକ୍ଵ ଖାଦ୍ୟଦ୍ରଵ୍ୟ” ଏଵଂ ‘ପାଚଲ’ ଶବ୍ଦର ଅର୍ଥ “ଘାଣ୍ଟିଆ ତିଅଣ ଵା ଆମ୍ବିଳ ତିଅଣ” ଓ ‘ଵିହନ’ । ତତ୍ସମ ‘ପାଚଳ’ ଶବ୍ଦ ସହ ଓଡ଼ିଆ ‘ପାଚଲ’,‘ପାଚିଲା’ ଓ ‚'ପାକଲା' ଇତ୍ୟାଦି ଶବ୍ଦ ସମଦ୍ଧୃତ ଅଟେ ।
କିଡନୀ ଫ଼େଲ୍ ଵା ବୃକ୍କ ଅପକାର୍ଯ୍ୟ ରୋଗୀଙ୍କୁ ଖାଦ୍ୟ ମଧ୍ୟରେ ଆମିଷ, ପାଚିଲା ଫଳ ମନା ଓ ତା ସହ ପରିବା ମଧ୍ୟରେ ଟମାଟୋ ମଧ୍ଯ ମନା l ତେବେ "ଫଳ ତ ମନା ପରିବା ଭିତରେ ଟମାଟୋ କାହିଁକ ମନା ?" କାରଣ "ଫଳ ପାଚିବା ପରି ଟମାଟୋ ବି ପାଚିଥାଏ  l" ନୟାଗଡ଼, କଟକ, ଢେଙ୍କାନାଳରେ ପାଚେ ବୋଲି ସେଠାକାର ଲୋକେ ତେଣୁ ଟମାଟୋକୁ 'ପାଚଲ' କହନ୍ତି l  କଟକର ପୁରପଲ୍ଲୀରେ ଅଦ୍ୟାାବଧି କିଛି ଅଞ୍ଚଳରେ ପାଚଲଘଣ୍ଟା ଶବ୍ଦର ପ୍ରଚଳନ ରହିଛି ଏଵଂ ଏଇ ମାତ୍ର କୋଡି଼ଏ ତିରିଶ ଵର୍ଷ ପୂର୍ଵେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଟମାଟୋକୁ ପାଚଲଘଣ୍ଟା କହୁଥିଲେ ବୋଲି ଅନୁସନ୍ଧାନରୁ ଜଣାଯାଏ। ସମ୍ଭଵତଃ "ପାଚିଲା" ଅର୍ଥରେ "ପାଚଲ" ଶବ୍ଦଟି ପାଚଲଘଣ୍ଟା ଶବ୍ଦରେ ଵ୍ୟଵହାର ହୋଇଅଛି । ସମ୍ଭଵତଃ  ଘାଣ୍ଟତିଅଣରେ ଆମ୍ବିଳ ଖଟା ଭାଵରେ ଵ୍ୟଵହାର ହେଉଥିଵାରୁ ଘଣ୍ଟା ଶବ୍ଦଟି ସେହି ଅର୍ଥ ଆଧାରରେ ପାଚଲ ଶବ୍ଦ ସହ ଯୋଡ଼ା ହୋଇଅଛି ।

⬛ମତ[ଛଅ]ପଚ୍ ପଚ୍ ଶବ୍ଦଜ ତେଣୁ ପାଚଲ ଵା ପାତଲ+ଘଣ୍ଟା ଵା ଭଣ୍ଟା⬛

କିଛି ଲୋକଙ୍କ ଅନୁସାରେ ବିଲାତି ବାଇଗଣ  ପାଚିଲେ ପଚ୍ ପଚ୍ ପୁଚପୁଚିଆ ଗୁଣକୁ ପ୍ରାପ୍ତ କରିଥାଏ । ବିଲାତି ବାଇଗଣ ଅତି ପାଚିଗଲେ ତାକୁ ଯଦି ଆଙ୍ଗୁଠି  ଦ୍ଵାରା ଅତିଶୟ ଚାପ ପ୍ରୟୋଗକରି ଚିପାଯାଏ ତେଵେ ତାହା ପଚ୍ ଶବ୍ଦ ସୃଷ୍ଟି ସହ ଫାଟିଯାଏ । ବିଲାତି ବାଇଗଣକୁ ନିଆଁ ମଧ୍ୟରେ ପୋଡ଼ାଗଲେ ମଧ୍ୟ ଏହା ମଧ୍ୟରେ ଥିଵା ଜଳୀୟ ଅଂଶ ଯୋଗୁଁ ପଚ୍ ପଚ୍ ଶବ୍ଦ ଉତ୍ପନ୍ନ ହୋଇଥାଏ । ସମ୍ଭଵତଃ ଏଥିପାଇଁ ଏହି ପଚ୍ ପଚ୍ ଶବ୍ଦ ସୃଷ୍ଟିକାରୀ ପରିଵାକୁ ପୂର୍ଵାଞ୍ଚଳରେ ପାଚଲ ଵା ପଚଲ୍ କୁହାଯାଏ ଏଵଂ ଏହି ଶବ୍ଦର ଅନ୍ୟ ଏକ ରୂପ ପଶ୍ଚିମାଞ୍ଚଳରେ ପାତଲ୍ ହୋଇ ପ୍ରଚଳିତ ଥିଲା ।

⬛ମତ[ସାତ]ପାଟଳ(ଈଷତ ଲାଲ ରଙ୍ଗ)>ପାତଳ>ପାତଲ୍+ଭଣ୍ଡାକି>ଭଣ୍ଟା>ଘଣ୍ଟା⬛

ସଂସ୍କୃତରେ ପାଟଳ ବୋଲି ଶବ୍ଦଟିଏ ଅଛି ଯାହା "ଫକା ନାଲି","ଶ୍ବେତ ରକ୍ତବର୍ଣ୍ଣ" ଵା "ଈଷତ ଗୋଲାପି ରଙ୍ଗ" ଅର୍ଥରେ ଵ୍ୟଵହୃତ ହୋଇଥାଏ । ଇଂରାଜୀରେ ଏହି ରଙ୍ଗକୁ Pale red colour ଵା  whitish red colour କୁହାଯାଏ । ଏହି ରଙ୍ଗଟି ଠିକ୍ ଟମାଟୋ 🍅 ରଙ୍ଗ ପରି ହୋଇଥାଏ । ନାଗେଶ୍ଵର ଗଛ(Mesua ferrea)ର କଅଁଳ ପତ୍ର ଅତି ଈଷତ ଶ୍ଵେତ ରକ୍ତଵର୍ଣ୍ଣର ହୋଇଥାଏ ବୋଲି ତାକୁ ମଧ୍ୟ ପାଟଳଗଛ କୁହନ୍ତି । ଏକ ଜାତୀୟ ସେଵତୀ ପୁଷ୍ପ ଈଷତ ଗୋଲାପି ରଙ୍ଗର ହେଉଥିଵା ହେତୁ ତାକୁ ପାଟଳ କୁହାଯାଏ । ସେହିପରି Stereospermum chelonoides ଗଛକୁ ମଧ୍ୟ ଏହାର ଫିକା ଗୋଲାପି ରଙ୍ଗର ପୁଷ୍ପ ଯୋଗୁଁ ପାଟଳିପୁଷ୍ପ କୁହାଯାଏ । ତେଣୁ ସମ୍ଭଵତଃ ଟମୋଟୋର ଉପର ଆଵରଣ ଫିକା ନାଲି ରଙ୍ଗର ହେଉଥିଵାରୁ ଏହାକୁ ଏହାର ରଙ୍ଗ ଆଧାରରେ ସମାଜର ପଣ୍ଡିତଵର୍ଗଙ୍କ ଦ୍ଵାରା "ପାଟଳ ଭଣ୍ଡାକି" ନାମକରଣ କରାଯାଇଥିଲା । ତେବେ ସମୟକ୍ରମେ ଓଡ଼ିଆ ଭାଷାର ଶବ୍ଦ ପରିଵୃତ୍ତି ପ୍ରକ୍ରିୟା ଯୋଗୁଁ ପାଟଳ ଶବ୍ଦ ପାତଳ ଓ ପରେ ପାତଲ୍ ରେ ପରିଵୃତ୍ତ ହୋଇଥିଵାବେଳେ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଭଣ୍ଟା,ଭାଁଟା ,ଘଣ୍ଟା ଓ ଘଟା ଇତ୍ୟାଦିରେ ପରିଵର୍ତ୍ତିତ ହୋଇଅଛି ।

ଏହିପରି ଭାବେ ଟମାଟୋ ଅର୍ଥରେ ଵ୍ୟଵହୃତ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନା ମତ ପ୍ରକାଶ ପାଇଥାଏ ଏଵଂ ଵ୍ୟାଖ୍ୟା ଦୃଷ୍ଟିରୁ ଅଧିକାଂଶ ମତ ଯୁକ୍ତିଯୁକ୍ତ ମଧ୍ୟ ଲାଗେ ତେଣୁ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ମୂଳକୁ ନେଇ ଵିଵାଦ ଛିଣ୍ଡିଵା ପରିଵର୍ତ୍ତେ ଦ୍ଵନ୍ଦ୍ଵ ବଢ଼ିଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାତଲ୍ ଶବ୍ଦ ସହିତ ଯୁକ୍ତ ହୋଇଥିଵା  ଘଣ୍ଟା ଶବ୍ଦକୁ ନେଇ ପ୍ରାୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥାଏ । କେ‌ହି କେହି ଭାବି ପାରନ୍ତି ଯେ ଏହି ଘଣ୍ଟା ଶବ୍ଦଟି ଘାଣ୍ଟିଵା କ୍ରିୟା ଶବ୍ଦ ସହିତ ସମଦ୍ଧୃତ ହୋଇଥିଵା ସମ୍ଭଵ । ପୂର୍ଵେ "ଆମ୍ଵିଳ ଘାଣ୍ଟିଆ ତିଅଣ" କଲାଵେଳେ ବିଲାତି ବାଇଗଣ ପକାଇ ଘଣ୍ଟା ଯାଉଥିଵା ହେତୁ କିମ୍ବା ବିଲାତି ବାଇଗଣରେ ଥିଵା ଈଷତ ଲାଲ ଵର୍ଣ୍ଣର ଶସ ଓ ତାହାର ଵୀଜ ଗୋଳେଇ ଘାଣ୍ଟି ହୋଇ ରହିଥାଏ ବୋଲି  ପାତଲ୍ ଶବ୍ଦ ସହିତ ଘଣ୍ଟା ଶବ୍ଦ ଯୁକ୍ତ ହୋଇଅଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାତଲ୍ ଘଣ୍ଟା ଶବ୍ଦର ଉଲ୍ଲେଖିତ ଅନ୍ଯ ପ୍ରତିରୂପ ଏହି ମତର ଖଣ୍ଡନ କରିଥାଆନ୍ତି । ପାତଲଘଣ୍ଟାର  ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା ଓ ପାତଲ୍ ଭାଣ୍ଟା ଆଦି ପ୍ରତିରୂପରେ ଭଣ୍ଟା ଶବ୍ଦଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ ।
ଭଣ୍ଟାକୀ ମୂଳର ଭଣ୍ଟା ଶବ୍ଦରୁ ପାତଲଘଣ୍ଟା ଶବ୍ଦରେ ଥିଵା ଘଣ୍ଟା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । "ଭ" ଓ "ଘ" ଉଭୟ ମହାପ୍ରାଣ ଵର୍ଣ୍ଣ ହୋଇଥିଵାରୁ ଏମନ୍ତ ହେଵା ଅସମ୍ଭଵ ନୁହେଁ।

ଏମିତି ବି ହୋଇପାରେ ଯେ ବୋଧହୁଏ ଓଡ଼ିଶାର ପୂର୍ଵ ଓ ପଶ୍ଚିମରେ ବିଲାତି ବାଇଗଣ ପାଇଁ ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଥିଲା ।

▶️ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା(ସରୁ ଆଵରଣ ଵା ପାଟଳ ରଙ୍ଗଯୁକ୍ତ ଭଣ୍ଟା ଅର୍ଥାତ୍ ବାଇଗଣ)

▶️ପୂର୍ଵ ଓଡ଼ିଶାରେ ପାଚଲଘଣ୍ଟା(ପାଚଲ ଵା ଆମ୍ଵିଳ ତୁଣରେ ଯେଉଁ ପରିଵା ଵା ଫଳକୁ ଘଣ୍ଟାଯାଏ)

ତେଵେ ପୂର୍ଵାଞ୍ଚଳର କଥିତ ଭାଷାଦ୍ଵାରା ପ୍ରଭାଵିତ ହୋଇ ସମୟକ୍ରମେ ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା ଶବ୍ଦରେ ଥିଵା ଭଣ୍ଟା ଶବ୍ଦଟି ଘଣ୍ଟାରେ ପରିଵର୍ତ୍ତିତ ହୋଇଯାଇଥିଵ । ଫଳତଃ ପଶ୍ଚିମ ଓଡ଼ିଶାର ପାତଲଭଣ୍ଟାରୁ ପାତଲ୍ ଓ  ପାଚଲଘଣ୍ଟାରୁ ଘଣ୍ଟା ଶବ୍ଦଦ୍ଵୟ ଓଡ଼ିଆ ଭାଷାର ସ୍ଵାଭାଵିକ ଶବ୍ଦ ମାନକୀକରଣ ପ୍ରକ୍ରିୟା ଯୋଗୁଁ ପାତଲଘଣ୍ଟାରେ ପରିଣତ ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ ।

ଆଜି ପୂର୍ଵାଞ୍ଚଳରୁ ପାଚଲଘଣ୍ଟା ଓ ପାଚଲ ଶବ୍ଦ ପ୍ରାୟତଃ ଲୁପ୍ତ ହୋଇ ସରିଛି ତେବେ ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା ଵା ପାତଲଭଣ୍ଟା ଶବ୍ଦଟି ଵୈଦେଶିକ ଟମାଟର,ଟମାଟୋ ଶବ୍ଦ ସହିତ ଏଯାବତ୍ ସଂଘର୍ଷ କରି ବଞ୍ଚି ରହିଛି । ତେଣୁ ଆମ ସମସ୍ତ ଓଡ଼ିଆଙ୍କ ଦାୟିତ୍ଵ ଆମ୍ଭମାନଙ୍କୁ  ଲୁପ୍ତ ପାଚଲଘଣ୍ଟା ଓ ଵୈଦେଶିକ ଶବ୍ଦ ସହ ଶେଷ ସଂଗ୍ରାମ ଚଳାଇଥିଵା ପାତଲଘଣ୍ଟା(ଭଣ୍ଟା) ଶବ୍ଦଦ୍ଵୟର କଥିତ ଓ ଲିଖିତ ଭାଷାରେ ବହୁଳ ଭାବରେ ଵ୍ୟଵହାର କରି ଏ ଉଭୟ ଶବ୍ଦକୁ ବଞ୍ଚାଇ ରଖିଵାକୁ ହେଵ ।




ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...