Monday, January 27, 2025
•ପଲ୍ଵଳ: ଏକ ଵିସ୍ମୃତ ପ୍ରାଚୀନ ଭାରତୀୟ ଶବ୍ଦ•
Tuesday, May 24, 2022
ଓଡ଼ିଆ ଭାଷାର ଟୋକା ଓ ପୁଅ ଭଳି ସବୁ ସମ୍ବୋଧନଵାଚକ ଶବ୍ଦ ଅଶ୍ଳୀଳ ?
ଓଡ଼ିଆ ଭାଷାରେ ଟୋକା,ଟୁକା,ଟୁକ,ଟୁକେଲ,ଟୋକୀ ଆଦି ଯେଉଁ ଶବ୍ଦଗୁଡ଼ିକ ପ୍ରଚଳିତ ସେ ସମସ୍ତ ଶବ୍ଦ ଅତି ପ୍ରାଚୀନ ଶବ୍ଦ । ସଂସ୍କୃତ ତୋକ ଶବ୍ଦ ସହିତ ଏସବୁ ଶବ୍ଦ ସମୋଦ୍ଧୃତ ।
ଭାରତରୁ ଆର୍ଯ୍ୟମାନଙ୍କ ଦ୍ଵାରା ୟୁରୋପ ଗମନ କାଳରୁ ଆଜିଯାଏଁ ଏହି ତୋକ ଶବ୍ଦ ଓଡ଼ିଆ ଭାଷାରେ ସାମାନ୍ୟ ପରିଵର୍ତ୍ତିତ ହୋଇ ଟୋକା,ଟୁକେଲ୍ ରୂପେ ପ୍ରଚଳିତ ହୋଇ ରହିଛି । । ଉତ୍ତର ଭାରତର ଅଧିକାଂଶ ଭାଷାରେ ସାଧାରଣତଃ ତୋକ ସହିତ ସମୋଦ୍ଧୃତ ବାଳକ ବାଳିକା ଅର୍ଥରେ ପ୍ରଚଳିତ ଶବ୍ଦ ନଥିଵା ସମୟରେ କେଵଳ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଏକଦା ଵେଦରେ ପ୍ରୟୋଗ କରାଯାଇଥିଵା ତୋକ ଶବ୍ଦ ଆଜି ମଧ୍ୟ ଚଳୁଅଛି । ଏହା ସାଧାରଣ କଥା ନୁହେଁ ଵରଂ କୁହାଯାଇପାରେ ଯେ ଓଡ଼ିଆ ଜାତି ଏ ଶବ୍ଦକୁ ବଞ୍ଚାଇ ଜଣାଇ ଦେଇଛି ତା ଜାତି ଓ ଭାଷା ଆର୍ଯ୍ୟଗୋଷ୍ଠୀ ଓ ଭାଷାର କେତେ ନିକଟତର କେତେ ନିଵିଡ଼ !
ସଂସ୍କୃତ ତୋକଂ ଶବ୍ଦର ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଉଲ୍ଲେଖ ଅଛି
"ତୌତି ପୂରୟତି ଗୃହମିତି । ତୁ ପୂର୍ତ୍ତୌ + ବାହୁଳକାତ୍ କଃ ।”
ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
“ତୁ ଧାତୁ = ବୃଦ୍ଧି ପାଇଵା+କ = ତୋକ”
ଋକଵେଦର ଅନେକ ସ୍ଥାନରେ ତୋକ ଶବ୍ଦ ଵ୍ୟଵହାର ହୋଇଛି
ଯଥା—
“ତୋକଂ ପୁଷ୍ଯେମ ତନୟଂ ଶତଂ ହିମାଃ ॥”
(ଋଗ୍ଵେଦ : ୧ । ୬୪ । ୧୪ ।)
“ପଶ୍ଵେ ତୋକାୟ ତତଯାୟ ଜୀଵସେ”
(ଋକଵେଦ: ୧୦ । ୩୫ । ୧୨)
ସେହିପରି ସଂସ୍କୃତ ଭାଗଵତରେ ମଧ୍ୟ ତୋକ ଶବ୍ଦର ପ୍ରୟୋଗ ହୋଇଥିଵା ଦେଖାଯାଏ ।
“ତୋକେନ ଜୀଵହରଣଂ ଯଦୁଳୂକିକାୟାସ୍ତ୍ରୈମାସିକସ୍ଯ ଚ ପଦା ଶକଟୋଽପଵୃତ୍ତଃ ॥ ”
(ଭାଗଵତ:୨ । ୭ । ୨୭ ।)
ଆର୍ଯ୍ୟମାନେ କ୍ରମଶଃ ଭାରତରୁ ୟୁରୋପ ଯାଏଁ ଵ୍ୟାପିଥିଲେ ଏଵଂ ତାଙ୍କ ସହ ଯାଇଥିଲା ସେସମୟର ଭାରତୀୟ ଆର୍ଯ୍ୟଭାଷା । ସେ ସମୟରେ ପ୍ରଚଳିତ ଭାରତୀୟ ଆର୍ଯ୍ୟଭାଷାର ତୋକ ଶବ୍ଦ ସହିତ ସମୋଦ୍ଧୃତ ତତ୍କାଳୀନ ମୂଳ ଶବ୍ଦଟି ୟୁରୋପରେ ଯାଇ ଵିଭିନ୍ନ ରୂପେ ପ୍ରଚଳିତ ହେଲା ।
ଏହାର ପ୍ରମାଣ ସ୍ଵରୂପ ୟୁରୋପର ଆର୍ଯ୍ୟଭାଷା ସମୂହ ମଧ୍ୟରେ ସବୁଠାରୁ ଶୁଦ୍ଧ ଭାଷା ଭାବେ ଖ୍ୟାତ ଲିଥୁଆନିଆରେ ଆଜି ବି taukai ବୋଲି ଏକ ଶବ୍ଦ ଚଳୁଅଛି ଯାହା ସଂସ୍କୃତ ଭାଷାର ତୋକ,ତୁ ଧାତୁ ତଥା ଓଡ଼ିଆ ଭାଷାର ଟୋକା ସହିତ ସମୋଦ୍ଧୃତ ।
ଅଵଶ୍ୟ ଲିଥୁଆନିଆ ଭାଷାରେ taukai ଶବ୍ଦଟି grease(melted Grease,to spread Grease), ମୋଟା ତଥା ଚର୍ବି ଅର୍ଥରେ ପ୍ରୟୋଗ ହୋଇଥାଏ ।
ପ୍ରକୃତରେ ସଂସ୍କୃତ ଭାଷାର ଯେଉଁ "ତୁ ଧାତୁ" ଶବ୍ଦରୁ ତୋକ ଶବ୍ଦ ନିଷ୍ପନ୍ନ କରାଯାଇଛି ତହିଁରୁ ବୃଦ୍ଧି ପାଇଵା,ଵ୍ୟାପିଵା ତଥା ବଢି଼ଵା,ପୂର୍ଣ୍ଣ ହେଵା,ଵଧ କରିଵା,ପୀଡ଼ା କରିଵା ଆଦି ଵିଭିନ୍ନ ଅର୍ଥ ଘେନା ନାନାଦି ଶବ୍ଦ ନିଷ୍ପନ୍ନ ହୋଇଅଛି।
ଶରୀରରେ ଚର୍ଵି ବଢି଼ଥାଏ ପୁଣି ଗ୍ରୀସ୍ ମଧ୍ୟ ଵ୍ୟାପେ ତେଣୁ ଲିଥୁଆନିଆ ଭାଷାରେ ପ୍ରୟୋଗ ହେଉଥିଵା taukai ଶବ୍ଦଟି ଆଜି ଭିନ୍ନ ଅର୍ଥରେ ଚଳୁଥିଲେ ହେଁ ଏହାର ମୂଳ ପ୍ରାଚୀନ ଅର୍ଥକୁ ବଞ୍ଚାଇ ରଖିଛି ।
ସେହିପରି Polishଭାଷାର tuk (“lard”) ପ୍ରାଚୀନ ଇଂରାଜୀ ଭାଷାର þēoh, ପ୍ରାଚୀନ ନୋର୍ସ ଭାଷାର þjó (“thigh/ଜଙ୍ଘ”),ରସିଆନ୍ ଭାଷାର тук (tuk, “fat/ମୋଟା,ଚର୍ବି”) , ଇଂରାଜୀ ଭାଷାର thigh(ଜଙ୍ଘ), ପ୍ରାଚୀନ ଆଇରିଶ୍ ଭାଷାର tón ତଥା ଆଧୁନିକ ଆଇରିଶ ଭାଷାର tóin(Anus/ପିଚା),Latvian ଭାଷାର tàuki(ମୋଟା,ଚର୍ବି)Latgalian ଭାଷାର tyukt' (“ଫୁଲିଵା) ଏଵଂ ସଂସ୍କୃତ ଭାଷାର ତୁକ୍(“ବାଳକ”),ତୁଚ୍(“offspring, children),ତୁଚେ(ବାଳିକା) ତୋକ୍ମ( “a young shoot, offspring”)
ଇତ୍ୟାଦି ଶବ୍ଦ ମଧ୍ୟ ମୂଳତଃ ସଂସ୍କୃତ ତୋକ ଶବ୍ଦ ମଧ୍ୟରେ ଥିଵା ତୁ ଧାତୁ ସହିତ ସହିତ ସମୋଦ୍ଧୃତ ଅଟଇ । ପ୍ରୋକ୍ତ ସମସ୍ତ ଶବ୍ଦ ମଧ୍ୟରେ ମୂଳ ଭାଵାର୍ଥ ବୃଦ୍ଧି ପାଇଵା ଆଜି ବି ବଞ୍ଚି ରହିଛି ।
ମୂଳ ଆର୍ଯ୍ୟଭାଷା ପ୍ରାଚୀନ ଆର୍ଯ୍ୟମାନଙ୍କ ଦ୍ଵାରା ଭାରତରୁ ୟୁରୋପ ଗଲା ସମୟରେ "ତୁ ଧାତୁ"ର ପୁରାତନ ରୂପ ସେମାନଙ୍କ ସହିତ ଯାଇଥିଲା । ପାଶ୍ଚାତ୍ୟ ଭାଷାଵିଦମାନେ ଆର୍ଯ୍ୟଭାଷାର ସେହି ମୂଳ ଶବ୍ଦଟି *tewk(germ, seed, sprout, offspring) ବୋଲି ଅନୁମାନ କରିଛନ୍ତି ।
ଭାରତରୁ ୟୁରୋପକୁ ଆର୍ଯ୍ୟଗମନ ପରେ ପରେ ଭାରତରେ ପ୍ରଚଳିତ ପ୍ରାକୃତ , ଵିଭାଷା ଓ ଅପଭ୍ରଂଶ ଆଦିର ମାନକିକରଣ ହୋଇ ଆଧୁନିକ ସଂସ୍କୃତ ଭାଷାର ଜନ୍ମ ହେଲା । ଆଧୁନିକ ସଂସ୍କୃତ ଭାଷାରେ ମୂଳ ଆର୍ଯ୍ୟଭାଷାର *tewk ଶବ୍ଦକୁ ଆହୁରି କ୍ଷୁଦ୍ରକାରରେ ଭାଙ୍ଗି ତହିଁରେ 'ତୁ ଧାତୁ'ର କଳ୍ପନା କରାଗଲା । ତାପରେ ସେହି ତୁ ଧାତୁରୁ ତୁଵର(ହରଡ଼),ତୁବି(ଲାଉ),ତୁମୁଳ(ଅତିଶୟ),ତୋୟ(ଜଳ) ଓ ତୋକ ଭଳି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଏହି ଆଧାରରେ ଭାରତରେ ବାଳକ ତଥା ବାଳିକା ଅର୍ଥରେ ସଂସ୍କୃତ ଭାଷାରେ ତୋକ ଓ ତୋକୀ ତଥା ଓଡ଼ିଆ ଭାଷାରେ ଟୋକା ଓ ଟୋକୀ ଶବ୍ଦ ପ୍ରଚଳିତ ହେଲା ।
ଆଜି ଉପକୂଳଵର୍ତ୍ତୀ ଓଡ଼ିଶାରେ ଟୋକା ଓ ଟୋକୀ ଶବ୍ଦକୁ ଅଶ୍ଳୀଳ ଵିଵେଚିତ କରାଯାଏ । ଅନେକେ କୁହନ୍ତି 'ଟୋକା/ଟୋକୀ'ବୋଲି ଯେଉଁ ସମ୍ବୋଧନ କରାଯାଏ ତାହା ଆଦୌ ଶ୍ରଵଣ ମଧୁର ନୁହେଁ। ଉପକୂଳର ଝିଅ ମାନଙ୍କୁ "ଟୋକି","ଟୁକୀ" ବୋଲି କହିଲେ ସେମାନେ ରାଗିଯାଆନ୍ତି ।ସେହିପରି ଉପକୂଳର ଯୁଵକମାନଙ୍କୁ ଟୋକା ବୋଲି ସମ୍ବୋଧନ କଲେ ସେମାନେ ଭାବନ୍ତି ଏଭଳି ସମ୍ବୋଧନ କରୁଥିଵା ଵ୍ୟକ୍ତି ମୋତେ ରାଗରେ ଆକ୍ଷେପ କରୁଛି ।
ତେବେ ଓଡ଼ିଶାର ଯଦି କୌଣସି ଅଞ୍ଚଳରେ ଶବ୍ଦଟିଏ ଅଶ୍ରାଵ୍ୟ ମନେହୁଏ,ତାହା ନିଶ୍ଚୟ ମାନକ ଓଡ଼ିଆରେ ଗ୍ରହଣୀୟ ନୁହେଁ । କିନ୍ତୁ, ସମାନ ଶବ୍ଦ ଅନ୍ୟ ଏକ ଅଞ୍ଚଳରେ ସ୍ଵାଭାଵିକ ହୋଇପାରେ । ଗଡ଼ଜାତ ତଥା ଦକ୍ଷିଣ ଓଡ଼ିଶାରେ 'ଟୁକା', 'ଟୁକୀ' ଅଶ୍ଳୀଳ ନୁହେଁ । ପଶ୍ଚିମ ଓଡ଼ିଶାରେ ବି ଟୁକା ଓ ଟୁକେଲ୍ ଶବ୍ଦଦ୍ଵୟ ସାଧୁ ଶବ୍ଦ । ତାହେଲେ ଉପକୂଳ ଓଡ଼ିଶାର ଲୋକଙ୍କ ପାଇଁ ଟୋକା ଓ ଟୋକୀ ଶବ୍ଦ ଅଶ୍ଳୀଳ କାହିଁକି ହୋଇଗଲା ?
ଏହାର ସବୁଠାରୁ ବଡ଼ କାରଣ ହେଉଛି ଲୋକସାହିତ୍ୟ , ଲିଖିତ ସାହିତ୍ୟ ତଥା କଥିତ ଭାଷାରେ ଟୋକା ତଥା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ।
ନିମ୍ନରେ କିଛି ଓଡ଼ିଆ ଲୋକ ସାହିତ୍ୟ ମଧ୍ୟରୁ କେତେକର ଉଦାହରଣ ଦିଆଗଲା ଯହିଁରେ ଟୋକା/ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ହୋଇଅଛି
"ଏ ଟୋକାଟା କାହାର ବେଟା
ଏ ଟୋକିଟୀ କାହାର ବେଟୀ”
"ପିନ୍ଧିଥିଲି ପାଟ ସାଢ଼ୀ ଜାତି ନଵ ବୋଲି ପଠାଣଟୋକା ଦୁଆଇ ବସିଲା ମାଡ଼ି”
“ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ, ଟୋକୀଙ୍କି ସୁନ୍ଦର ନେତ।
ବୁଢ଼ୀଙ୍କି ସୁନ୍ଦର ରାଈ ଦୋମୋଦର,
ବୁଢ଼ାଙ୍କୁ ସୁନ୍ଦର ଶୀତ” !
“ବାପ ବଙ୍କା ପୁଣ ସଳଖା ନାତି ଟୋକା ଭାରି ପାରକା(ପ୍ରହେଳିକା)”
“ଦୂତି ! ମୁଇଁ ତୋ କୋନ୍ତା କରସି ଗୋ। ନନ୍ଦପୁଅର କଥା ମତେ କେନ୍ତାକେନ୍ତା ଲାଗସି ଗୋ।
ଦିଶୁଥାଇସି କଲିଆ ଟର୍ଟର୍ ପିନ୍ଧୁ ଥାଇସି ହଲ୍ଦିଆ ଜର୍ଜର୍ ଧୋବ ଫର୍ଫର୍ଟେ ଜଅନ୍ ବାଗିର୍ଟେ ବେକେ ଓହ୍ଲାଇ ଥାଇସି ଗୋ।
ଯିବାବେଲ୍କେ ଯମ୍ନା ଜଲେ ବସି ଥାଇସି କଦମ୍ ତଲେ ମତେ ଅନାଇ କାଲିଆ ଟୋକା କାଇକାଇ କଥା କହିସି ଗୋ।
କାଇ କାଇ ମନ୍ତର ଆଇସି ତାଇକେ ମୂଷା ଡଇଁଶା ହୋସି ଘାଏବେ ଯେତେ ଥାଇସି କ୍ଷୀର୍ ଲହୁନୀ ଚୋରାଇ କରି ଖାଇସି ଗୋ।
(ସମ୍ବଲପୁରୀ ଲୌକିକ ଗୀତ; ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)
ଗାଁ ଦେଢ଼ଶୁର , ଟୋକା ମଳାଶୁର , ଭଉଣୀ ଜୋଇଁ, ଏ ତିନି ଜଣଙ୍କୁ ଓଢ଼ଣୀ ନାହିଁ।
ଵା
ବୁଢ଼ା ଶଶୁର ,କଣା ଦେଢଶୁର
ଟୋକା ମଳାଶୁର ,ଗାଆଁର ଜୋଇଁ
ଏମାନଙ୍କୁ ସେତେ ସମ୍ମାନ ନାହିଁ ॥
(ଗାଆଁ କନିଆଁ ସିଙ୍ଗାଣି ନାକୀ ନ୍ୟାୟ ସମ୍ବନ୍ଧୀୟ ସମାର୍ଥକ ଢଗ ବୋଧହୁଏ)
'କୁକୁଡା ମୁଣ୍ଡରେ ମହଣ
ଟୋକା ଫୁଟାଣି ଦେଖିବ କଅଣ।'
ପିଲା ଖାଇଲେ କାନ୍ଦନ୍ତି
ଟୋକା ଖାଇଲେ ହସନ୍ତି
ବୁଢ଼ା ଖାଇଲେ ମୁଣ୍ଡରେ ହାତ ଦେଇ ବସନ୍ତି
ଟୋକା ମାଙ୍କଡ଼ ତଟୁ ଘୋଡ଼ା
ଯେବେ ହୋଇବେ ଯୋଡ଼ା ଯୋଡ଼ା
ଲାଗିବେ କାମୁଡ଼ା କାମୁଡ଼ା !
କୋଠା ଘର ବୁଢ଼ା ବର
ଲୁହ ବୋହୁ ଥାଏ ଝର ଝର ।
ଟୋକା ବର ମାଟି ଘର
ହସ ଝରୁ ଥାଏ କର କର।
ମନେପକା ଦିନେ
ସେହି ବେଳକୁ,
ଟୋକା ଟାଣୁଥିଲେ ବନ୍ଧ ତଳକୁ!
ରାଜା ଆଦରରେ ନେଲେ କୋଳକୁ,
ଏ ଗଭା ସହୁନାହିଁ ମଲ୍ଲୀମାଳାକୁ?
ପଥର ଭାଡି ଖସିଲା ,
ଜାତି ନବ ବୋଲି ଗୋଲାମ ଟୋକା ,
ଦୁଆର ମାଡ଼ି ବସିଲା ।
କାନ ନ ଥାଇ ସେ ଆଖିରେ ଶୁଣେ,
ବାସ ତାର ଘର, ମନ୍ଦିର,ବଣେ।
ବୁଢ଼ା ହେଲେ ଟୋକା ରୂପକୁଧରେ,
ଆପେ ମରେନାହିଁ ମାରିଲେ ମରେ।
ଟୋକା ହୋଇଯିଏ ରହେ ବାଡୁଆ
ଵିଵାହ କରଇ ଯେବେ
ହାଡୁଆ
ଵିଵାହ କରି ଯେ ନାରୀ
ଛାଡ଼ୁଆ
ଵିଵାହ କରି ଯେ
ନୁଡ଼ୁବୁଡ଼ିଆ
କହେ ଦନାଇ ଏ ଚାରି ମାଡୁଆ ।
ସାତ ଚକଟା ପୋଳୁହଘଣ୍ଟା
ଵିଭୁତି ଭୁଷଣ ଦିକାନ କଟା ଚିଲପ୍ରସାଦରୁ ତ୍ରିଭୁବନ ଭ୍ରମିଲି,
ତୁ ମତେ ଧରିଵାକୁ ମୋ ଆଗେ ହଲଉଚୁ ବନିଶ କଣ୍ଟା ହଇରେ ପଠାଣ ଟୋକା !!!
"ଟୋକା ଟାକଳିଆ ବୁଦ୍ଧି
ଆଗକୁ ପଛକୁ ଵିଚାର ନାହିଁ
ମଥାରେ ନାଉଁଛି ମୁଦି।"
ବାପ ଅଳସୁଆ
ଚହଟ ଚିକ୍କଣ
ପୁଅ ତା'ର ତଳମୁହାଁ
ନାତି ଟୋକା ବଡ଼
ଉପରମୁହାଁ
ଏମାନଙ୍କ ନାମ
କହିଵ ଯିଏ
ନାତି ସାଙ୍ଗେ
ସାଙ୍ଗ ହୋଇବ ସିଏ !!!(ନାଁଦିଆ)
ମାଛ ମାରିଗଲା ଭେଣ୍ଡିଆ ଟୋକା,
ମୋଡିମାଡି କରି ଖାଇଲା ଏକା।
ରକତ ଝରାଇଲା ମୁହଁରୁ ସଖା।
କୁରି ହେଉ ହେଉ ପାହିଲା ରାତି
କାଉ ନେଇଗଲା କଜଳପାତି
ଉଠ, ଉଠ ଟୋକା ଦିଅର,
ଚାଉଳ ଧୋଇ ନେବି ଚାଉଳ
ପଛେ ଅରୁଆ ହେଉ
ଘଇତା ମଲେ ଦିଅର ଥାଉ ।
(ପୁଚିଖେଳ ଗୀତ)
ପାଣ୍ଡବମାନଙ୍କ ଵୀରପଣ ଦେଖି
କୁରୁ ପଚାରଇ ରୋଷେ
ଲାଖ ବିନ୍ଧିବ କି ବ୍ରାହ୍ମଣ ଟୋକା ଲୋ
ବସିଛି ତ ଚଉକାଷେ ॥
ପାଚିଲା ଆମ୍ବ ଯେବେ
ଧଇଲା ପୋକ।
ବୁଢ଼ୀ ହାତ ଯେବେ
ଧଇଲା ଟୋକା
ଯେବେଟି ହୋଇଲା
ଭାତ ନକେଇ
କାମ ଚଳେ ସତ
ତୃପତି ନାହିଁ ।
ଟୋକା ଟାକଳିଆ ମାଗୁରନିଶ,
ଓଷାଵାର ନାହିଁ ନିତି ଆଇଁଷ ।
ଟୋକା ଦେଖାଉଛି ଚାତର...
ବୋପା ବିକୁଥିଲା ଚିଙ୍ଗୁଡ଼ି ଶୁଖୁଆ,
ମା 'ବିକୁଥିଲା ପତର ll
ଆଲୋ ନେଉଟିଆ ଶାଗ !
ଥିକୁଲୁ ଥାକୁଲୁ ତହିଁ ରେ ପଡ଼ିଛି କାକର ।
ତା ଭଳି ଟୋକା କେତେ ମୁଁ ଦେଖିଛି
ଯାକି ନେଇଯିବି କାଖର ॥
ଖୁଁ ଖୁ କାଶ
ଖର ନିଶ୍ବାସ
ନଈ ତଳିଆ ଵାସ
ନଈ ପାରିଆ ଚାଷ
ମଇ ତଳିଆ ଟେକା
କଚେରି ତଳିଆ ଟୋକା
ବେଳ ଆସିଲେ ଏମାନେ
କରିଦିଅନ୍ତି ବୋକା।
ଚତୁରେଈ,
ବିରି ଦେଇଥାଏ ବତୁରେଇ,
ଏଣେ ତେଣେ ଚାହିଁ ଗୋଟିଏ ଗୋଟିଏ,
ଟୋକୀ ଦଉଥାଏ ସୁତୁରେଇ।
ଜନ୍ତୁ ଜାନୁଆର ମାରଣା ଷଣ୍ଢ
ଲାଞ୍ଚୁଆ ମିଛୁଆ ଖଚୁଆ ଭାଣ୍ଡ
ଖୋସାମଦିଆ ଯେ ଵିଟପୀ ନାରୀ
କଳିହୁଡ଼ି ଆଉ ଠକ ବେପାରୀ
ବାଳ ଵିଧଵା ଯେ ଠକ ମଇତ୍ର
କୋରଧୀ ବ୍ରାହ୍ମଣ ଯେ ଭଙ୍ଗା କାନ୍ଥ
ଶତ୍ରୁ ସଙ୍ଗେ ଯେ କରେ କାରବାର
ଟୋକୀ ଶାଳୀ ହୋଇଥିଲେ ସୁନ୍ଦର
ଅଵିଵାହୀ ଯୁଵା ସାଵତ ପୁଅ
ମଦୁଆ ମିଛୁଆ ଭୁଷଡ଼ା କୂଅ
ପହଳି ଵଚନେ ଦନାଇ କହି
ଏମାନଙ୍କ ପାଖ ମାଡ଼ିଵ ନାହିଁ ।।
ଦଇବ କଲା ,
ଟୋକୀ କପାଳକୁ ପାକୁଆ ବୁଢା।
ଦଇଵ !
ଦହିଭାତ କିଏ ଖାଇଵ ?
ଦରବୁଢା଼ଟାକୁ ଟୋକି ପରଷୁଛି
ୟା କି ଏ ଦିହ ସହିଵ ?
ନଈରେ କୋଚିଆ ଗାତ ଲୋ ବଉଳ
ନଈରେ କୋଚିଆ ଗାତ
ସମୁଦୀ ବୋଲି ମୁଁ ଧରିପକାଇଲି
ଟୋକି ସମୁଦୁଣିହାତ ॥
ନଇ କୁ ମାରିଲି ଗିଲ,
ଟୋକି ଶାଳୀ ସାଥେ ହୋଇଲି ଗେଲ ଲୋ, ଛାମ୍ପି ନେଇ ଗଲା ଚିଲ ॥
🟣ସେହିପରି ପ୍ରାଚୀନ ଓଡ଼ିଆ ଲିଖିତ ସାହିତ୍ୟରେ ମଧ୍ୟ ଟୋକା ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଇଛି !
“ତୁ ପରା ଟୋକୀ ତାଡ଼କାମରା ଟୋକା ଭାଙ୍ଗିଛୁ ଧନୁ ଖଣ୍ଡେ ପୁରୁଣା ପୋକା ରେ”—
(ଵିଶ୍ବନାଥ ଖୁଣ୍ଟିଆଙ୍କ ଵିଚିତ୍ର ରାମାୟଣରେ ରାମଚନ୍ଦ୍ରଙ୍କୁ ପର୍ଶୁରାମଙ୍କ କଥନ )
“ଵନକୁ ଏକାକୀ କେଭେଁ ନ ଯିବୁ ଅମ୍ବିକା ଜନେ ମିଶି ପେଟ କରି ଦେବେ ଋଷି ଟୋକା”
(କୃଷ୍ଣସିଂହ କୃତ କୃଷ୍ଣ ମହାଭାରତରେ ଅମ୍ବିକାକୁ ତାହାର ପିତୃଵ୍ୟ ଜନୈକ ଋଷିଙ୍କ ଉପଦେଶ ଵଚନ)।
“ସେ ଟୋକା ମାଇକିନିଆଙ୍କ ସଙ୍ଗରେ ସବୁବେଳେ ରଜଘଷ ହେଵାରୁ ଭାରି ଝିଟି ହୋଇ ଯାଇଅଛି। ”
(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ।)
“ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ।
(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ)
ମାସେ ଦୁଇମାସରେ ଚାରିମାସ ଛମାସରେ ଟୋକୀଠାରୁ ବୁଢ଼ୀ ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନ ମିଳାପୀ ଲୋକ ଦେଖିଲେ x x x x ପରସ୍ପରକୁ ସାଵଧାନ କରାଇ ଦିଅନ୍ତି। (ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ।)
ସାଧାରଣତଃ ତତ୍କାଳୀନ ଉପକୂଳ ଓଡ଼ିଶାର ଲୋକେ ହିଁ ଅଧିକ ଓଡ଼ିଆ ସାହିତ୍ୟ ଲେଖୁଥିଲେ ତେଣୁ ସେମାନେ ତାଙ୍କ ଅଞ୍ଚଳରେ ପ୍ରଚଳିତ ଟୋକା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗକୁ ସାହିତ୍ୟରେ ମଧ୍ୟ ସ୍ଥାନ ଦେଇଛନ୍ତି । ଫଳତଃ ଉପକୂଳ ଓଡ଼ିଶାରେ "ପୁଅ,ଝିଅ,ଯୁଵକ,ଯୁଵା ,ନହୁଲୀ” ଆଦି ଶବ୍ଦକୁ ଶ୍ଳୀଳ ଶବ୍ଦ ଵିଵେଚନା କରି ଟୋକା ତଥା ଟୋକୀ ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରିଵାର ପରମ୍ପରା ଶହ ଶହ ଵର୍ଷ ଧରି ପୂର୍ଵାଞ୍ଚଳ ତଥା ଉପାନ୍ତ ଓଡ଼ିଶାରେ ରହିଥିଲା ଯାହା ଆଜି ଅତି ଉତ୍କଟ ହେଵାରୁ ଟୋକା ଶବ୍ଦକୁ ଅନେକେ ଅଶ୍ଳୀଳ ଵିଚାର କରୁଅଛନ୍ତି ।
ତେବେ ମନେ ରଖିଵାକୁ ହେଵ ଯେ ଟୋକା ତଥା ଟୋକୀ ଶବ୍ଦ ଓଡ଼ିଆରେ ପ୍ରଚଳିତ ଦିଅକ୍ଷରିଆ ଗାଳି ଶବ୍ଦ ଭଳି ଅତ୍ୟନ୍ତ ଅଶ୍ଳୀଳ ନୁହେଁ ଵରଂ ଏ ଶବ୍ଦକୁ ବେଳେ ବେଳେ ସ୍ଵାଭାଵିକ ତଥା ଆଉ କେବେ କେବେ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଏ ।
ଯେମିତି ଇଂରାଜୀରେ ଛୋଟ ଛୁଆଙ୍କୁ ବୈବୀ କହିଲେ ତାହା ଅଶ୍ଳୀଳ ନୁହେଁ କିନ୍ତୁ ପ୍ରାପ୍ତଵୟସ୍କ ଯୁଵତୀଙ୍କୁ ବୈବୀ ସମ୍ବୋଧନ କାମୁକ ଇଙ୍ଗିତ ରଖେ ତେଣୁ ଅଶ୍ଳୀଳ ।
ସେହିପରି ଉପକୂଳଵର୍ତ୍ତୀ ଓଡ଼ିଶାରେ ମଧ୍ୟ କୁନି କୁନିି ପିଲାଙ୍କୁ ଏ ଟୋକା ଟା ଭାରି ଦୁଷ୍ଟ ହେଉଛି କହିଲେ ଚଳେ କିନ୍ତୁ ତାରୁଣ୍ୟ ଛୁଇଁଲା ପରେ ଟୋକୀ ଟୁକେଲ୍ କହିଲେ ଶୁଣିଵାକୁ ଭଲ ଲାଗେନାହିଁ , ଏଥିରେ କିଛିଟା କାୟିକ ଦୁର୍ଗନ୍ଧ ଆସେ ବୋଲି ଉପକୂଳର ନହୁଲୀ ସୁନ୍ଦରୀମାନେ ତଥା ଵୀର ଯୁଵକମାନେ ଅନୁଭଵ କରନ୍ତି । ତେଣୁ ଉପକୂଳିଆ ତାଙ୍କ କଥିତ ଭାଷାରେ ପୁଅ ତଥା ଝିଅ ଶବ୍ଦ ପ୍ରୟୋଗ କରିଵାକୁ ଅଧିକ ଶ୍ରେୟସ୍କର ମନେ କରନ୍ତି ଟୋକା କିମ୍ବା ଟୋକୀ ନୁହେଁ ।
ମାତ୍ର ପୂର୍ଵାଞ୍ଚଳର ଲୋକେ ସେହି ପୁଅ ତଥା ଝିଅ ଶବ୍ଦଦ୍ଵୟ ଦକ୍ଷିଣ ଓଡ଼ିଶା ଵିଶେଷତଃ ଗଞ୍ଜାମ ଜିଲ୍ଲାରେ କୌଣସି ଯୁଵକ ଯୁଵତୀକୁ ସମ୍ବୋଧନ କରି ଡାକିଲେ ତାହା ଅଶ୍ଳୀଳ ଵିଵେଚିତ ହୋଇଥାଏ । କାରଣ ଦକ୍ଷିଣ ଓଡ଼ିଶାରେ କେଵଳ ନିଜ ପୁଅ ଝିଅଙ୍କୁ ହିଁ ପୁଅ ତଥା ଝିଅ ସମ୍ବୋଧନ କରାଯାଏ ।
ସେହିପରି ଉପକୂଳଵର୍ତ୍ତୀ ଅଞ୍ଚଳରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ବଡ଼ମାଆଙ୍କୁ ମମା ତଥା ମାମା ସମ୍ବୋଧନ କରାଯାଏ ହେଲେ ଦକ୍ଷିଣ ଓଡ଼ିଶାରେ ମାତୃସ୍ତନକୁ ମମା ଓ ମାମା କୁହାଯାଏ । ଫଳତଃ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ଏ ସମ୍ବୋଧନଵାଚକ ଶବ୍ଦଟି ଅଶ୍ଳୀଳ ଅଟଇ ।
କେହି କେହି କହନ୍ତି କୌଣସି ଅଞ୍ଚଳରେ ଯଦି ଏକ ଶବ୍ଦ ଅଶ୍ଳୀଳ ହୋଇଥାଏ ତେବେ ତାହା ମାନକ ଭାଷାରେ ଗ୍ରହଣଯୋଗ୍ୟ ହୋଇନପାରେ ।
ଏ ଦୃଷ୍ଟିରୁ ଦେଖିଲେ ଦକ୍ଷିଣ ଓଡ଼ିଶାରେ ପୁଅ ଓ ଝିଅ ପୂର୍ଵ ଓଡ଼ିଶାରେ ଟୋକା ଓ ଟୋକୀ,ମମା ଇତ୍ୟାଦି ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ ଅଶ୍ଳୀଳ ମନେ କରାଯାଉଥିଵାରୁ ଏସବୁ ଶବ୍ଦ ମାନକ ଓଡ଼ିଆ ଭାଷାରେ ଗ୍ରହଣୀୟ ହେଵା ଅନୁଚିତ୍ । ସେହିପରି ଏସବୁ ଶବ୍ଦ ଯେଉଁ ଅଞ୍ଚଳରେ କଥିତ ହେଉଛି ସେସବୁ ଅଞ୍ଚଳର ଲୋକେ ବି ଛାଡି଼ଦେଲେ ହିଁ ମଙ୍ଗଳ !
ତା'ହେଲେ ମାନକ ଓଡ଼ିଆରେ ଆଉ କୋଉ ଶବ୍ଦ ଅଛି ?
ଯୁଵକଙ୍କୁ ଵୟସ୍କମାନେ ବାପ,ବାପା ଆଉ ଯୁବତୀମାନଙ୍କୁ ମାଆ ସମ୍ବୋଧନ କରିପାରନ୍ତି ...
କିନ୍ତୁ ଏ କଳିଯୁଗରେ କୌଣସି ଛୋଟକନ୍ୟାକୁ ମାଆ ସମ୍ବୋଧନ ବି ଅଶ୍ଳୀଳ ହୋଇପାରେ କାରଣ ଯଦି "ଶ୍ରୀମନ୍ଦିର ଆଗରେ ନୃତ୍ୟ କରୁଥିଵା ଉଦ୍ଧତ କନ୍ୟା" ଶ୍ରେଣୀୟ କେହି ଯୁଵତୀ ଓଲଟା ପ୍ରଶ୍ନ କରେ
“ହଇରେ ପୋଡ଼ାମୁହାଁ ମୁଁ ତ ବୋପାର ମାଇପ ଯେ ମୋତେ ତୁ ମାଆ ଡାକୁଛୁ ?”
ତାହେଲେ ଡାକିଲାଲୋକର ସବୁ ମହତ ଯିଵ
ତାଛଡ଼ା ଆଜିକାଲିକା ହୁରୁମା ଯୁଵକମାନଙ୍କୁ ସୁଦ୍ଧା ବାପ କି ବାପା ଡାକିଵା ଭୟଙ୍କର ଭୁଲ୍ ହୋଇଯାଇପାରେ କାରଣ ଆଜିକାଲିର ଯୁଵକ ଏତେ ଉଦ୍ଧତ ହୋଇଗଲେଣି ଯେ ଵୟସ୍କ ଵ୍ଯକ୍ତି ତାଙ୍କୁ ବାପ କି ବାପା ଡାକିଲେ ସେମାନେ ଓଲଟା ପୁଅରେ ବୋଲି ସ୍ନେହ ସମ୍ବୋଧନ କରିପାରନ୍ତି !
ତାହେଲେ ଏବେ କ'ଣ କରାଯିଵ ?
ଓଡ଼ିଆ ଭାଷାର ଟୋକା,ଟୋକୀ ,ପୁଅ,ଝିଅ ,ବାପ,ବାପା ଓ ମାଆ ଆଦି ଯେତେ ସମ୍ବୋଧନଵାଚକ ଶବ୍ଦ ତାହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଶ୍ଳୀଳ ବୋଲି ଛାଡ଼ି ଦେଵା ଆଉ ଇଂରେଜମାନଙ୍କର Boy girl mom dad ତଥା ହାଣ୍ଡିଆଙ୍କ लेड़का,लेड़की,छोरा,छोरी,बेटा,बेटी ଭଳି ଶବ୍ଦକୁ ନେଇ କାମ ଚଳେଇଵା କି ?
Wednesday, February 2, 2022
ପ୍ରାଚୀନ ଓଡ଼ିଆ ଶବ୍ଦ ‘ଗହବ’
ସହସ୍ର ସହସ୍ର ପ୍ରାଚୀନ ଓଡ଼ିଆ ଶବ୍ଦ କାଳ ଆଗରେ ପରାଜିତ ହୋଇ ଵିଲୁପ୍ତ ହୋଇଛି ଏଵଂ ହୋଇଛାଲିଛି । ସେହିପରି ଏକ ପ୍ରାଚୀନ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଗହବ । ଗହବ ଶବ୍ଦ ଆଜି ଅନେକ ଓଡ଼ିଆଙ୍କ ପାଇଁ ଅଜଣା । ହଠାତ୍ ଜଣେ ନଗରଵାସୀ ଓଡ଼ିଆକୁ ଗହବ ଅର୍ଥ କ'ଣ ବୋଲି ପଚାରିଦେଲେ ସେ ତତ୍ ସମ୍ବନ୍ଧରେ କିଛି କହି ନପାରେ କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦର ପ୍ରୟୋଗ ଥିଲା ।
କଵି ଦେଵଦୁର୍ଲଭ ଦାସ, ଅତିବଡ଼ ଜଗନ୍ନାଥ ଦାସଙ୍କ ସମସମାୟିକ କଵି । ସେ ତାଙ୍କର
ରହସ୍ୟ ମଞ୍ଜରୀ କାଵ୍ୟର ପଞ୍ଚମ ଛାନ୍ଦରେ ଗହବ ଶବ୍ଦର ପ୍ରୟୋଗ ‘ଗହଳ ଵା ଗହଳି’ କିଂଵା ଲକ୍ଷଣାର୍ଥ ‘ସମସ୍ୟା ଅଥଵା ଜଞ୍ଜାଳ’ ଅର୍ଥରେ କରିଛନ୍ତି ।
“କଉଁ ଦଇବ ମୋତେ ଛନ୍ଦିଗଲା ।
କାହୁଁ ଆଣିରେ କାହିଁ ବନ୍ଦୀ କଲା ॥
ଯାଇ ଆସିବି ବୋଲି ମୁଁ ଅଇଲି ।
ଆସି ଗହବରେ ପଡ଼ି ରହିଲି ॥”
ସେହିପରି କଵିସୂର୍ଯ୍ୟ ଵଳଦେଵ ରଥ ତାଙ୍କର ଏକ ଗୀତିକଵିତା “ମନା ମୁଁ କରୁଥିଲି ଏହାକୁ ଗୋ”ରେ ଗହଵ ଶବ୍ଦକୁ ଘଞ୍ଚ ଵା ଘନ ଅର୍ଥରେ ଵ୍ୟଵହାର କରି ଲେଖିଛନ୍ତି
“ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଢା
ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ !
ଵିଶେଷେ ଵିସନାଳ ଦିଶିଲାଣି ପୃଥୁଳ
ଆଉ କାହିଁଛି ସେହି ବାହାକୁ ଗୋ ॥”
ଗହବ ଶବ୍ଦଟି ଓଡ଼ିଶାର ନଗରାଞ୍ଚଳରେ ପ୍ରଚଳିତ କଥିତ ଓଡ଼ିଆ ଭାଷାରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଵର୍ତ୍ତମାନର ମାନକ ଓଡ଼ିଆରେ ମଧ୍ୟ ଏହା ପରିଵର୍ତ୍ତେ ଘନ,ଘଞ୍ଜ,ଗହଳିଆ ଆଦି ଶବ୍ଦ ପ୍ରୟୋଗ ହୁଏ । ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଗହବ ଓ ଗହବା ଶବ୍ଦ ପୁରୁଣାକାଳିଆ ଲୋକଙ୍କ ମୁଖରୁ ବେଳେ ବେଳେ ଶୁଣିଵାକୁ ମିଳିଥାଏ ।
ଆଜିକାଲିର କଵି ଲେଖକମାନେ ଗହବ ଓ ଗହବା ଶବ୍ଦ ସହିତ ସେତେଟା ପରିଚିତ ନୁହନ୍ତି ତେବେ ଅଳ୍ପ କେଇଜଣ ଆଧୁନିକ ସାହିତ୍ୟିକ ଗହବା ଶବ୍ଦକୁ ଘଞ୍ଚ ଅର୍ଥରେ ପ୍ରୟୋଗ କରୁଛନ୍ତି । ମୋଟ ଉପରେ କହିଵାକୁ ଗଲେ ସୀମିତ ଅଞ୍ଚଳର କଥିତ ଶୈଳୀରେ ଗହବ ଓ ଗହବା ଶବ୍ଦ ବଞ୍ଚିରହିଛି । କିନ୍ତୁ ଗହବ ଓ ଗହବା ଶବ୍ଦଦ୍ଵୟ
ଘନ,ଘଞ୍ଚ,ଗହଳିଆ,ଝାଙ୍କାଳିଆ ଆଦି ଶବ୍ଦ ପରି ଓଡ଼ିଶାର ଲୋକଙ୍କ ନିକଟରେ ସେତେ ଜଣାଶୁଣା ହୋଇପାରି ନାହିଁ ।
କେହି କେହି ଗହବ ଓ ଗହବା ଶବ୍ଦକୁ ଦେଖି ମନେ କରନ୍ତି ଯେ ଏ ଉଭୟ ଶବ୍ଦ ଆରବୀ ,ପାର୍ସୀ କି ତୁର୍କ ଭାଷା ମୂଳର ହୋଇଥିଵ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଗହବ ଶବ୍ଦକୁ ତତ୍ସମ ଗହନ ସହିତ ସମୋଦ୍ଧୃତ ବୋଲି ମତ ଦେଇଛନ୍ତି ।
ହିନ୍ଦୀଭାଷା ଭାରତର ଅନ୍ୟାନ୍ୟ ଭାଷା ଅପେକ୍ଷା ଆରବୀ, ପାର୍ସୀ ଓ ତୁର୍କ ଭାଷାର ଶବ୍ଦଦ୍ଵାରା ସର୍ଵାଧିକ କଳୁଷିତ । ମାତ୍ର ସେ ଭାଷାରେ
ସଣ୍ଡୁଆସି ଵା pincersକୁ ଗହବା କୁହାଯାଏ ଏଵଂ ହିନ୍ଦୀ କି ମରାଠୀ ଆଦି ଭାଷାରେ ଗହବ ବୋଲି କୌଣସି ଶବ୍ଦ ଘଞ୍ଚ ଵା ଗହଳିଆ ଅର୍ଥରେ ଚଳୁନାହିଁ । ସେହିପରି ହିନ୍ଦୀରେ गहवाना ଶବ୍ଦ ଧରିଵା ଅର୍ଥରେ ଉତ୍ତର ଭାରତୀୟ ଗ୍ରାମାଞ୍ଚଳରେ କଥିତ ହୋଇଥାଏ କିନ୍ତୁ ଓଡ଼ିଆ ଭାଷାରେ ଫଶଣ୍ଡି ଯିଵା ଵା ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼ିଵା ଅର୍ଥରେ ଗହବିଵା କ୍ରିୟା ଚଳୁଅଛି । ଯେତେବେଳେ କୌଣସି ଗଛ ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼େ ସେ ଗଛ ଝାଙ୍କାଳିଆ ହୁଏ ଏଵଂ ଏହିପରି ଏକାଧିକ ଗଛ ଏକସ୍ଥାନରେ ଉଠିଲେ ଉକ୍ତ ସ୍ଥାନ ଘଞ୍ଚ ଓ ଗହଳ ହୋଇଥାଏ । ଏଣୁ ଗହବ,ଗହବା ଶବ୍ଦଦ୍ଵୟ ସହିତ ଓଡ଼ିଆ କ୍ରିୟା ଶବ୍ଦ ଗହବିଵାର ସମ୍ପର୍କ ରହିଛି ।
ତେବେ ଏ ତିନୋଟି ଯାକ ଶବ୍ଦର ଅନ୍ୟ କୌଣସି ଶବ୍ଦ ସହ ସମ୍ପର୍କ ଅଛି କି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଗହବ ଵା ଗହବା ଶବ୍ଦ, ତତ୍ସମ ଗହନ ସହିତ ସମୋଦ୍ଧୃତ । ଗହନ ଶବ୍ଦର ମୂଳରେ ଅଛି
ଗହ୍ ଧାତୁ ଯହିଁରୁ ନିଵିଡ଼ ହେଵା,ଗହଳ ହେଵା,ଗଭୀର ହେଵା, ବୁଝିଵାକୁ କଠିଣ ହେଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।
ମତାନ୍ତରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦ ପ୍ରୟୋଗ ହୋଇଅଛି ଗହବା ଶବ୍ଦର ଘଞ୍ଚ,ଘନ ଆଦି ଅର୍ଥରେ ଵ୍ୟଵହାର ଆଧୁନିକ। ହୁଏତ ପୂର୍ଵେ ଗହନଵନ ଶବ୍ଦଟି କ୍ରମଶଃ ପରିଵର୍ତ୍ତିତ ହୋଇ ଗହବରେ ପରିଣତ ହୋଇଥିଵ ଏଵଂ ସମୟ ସହ ଗହବ ଶବ୍ଦ ଗହବା ରୂପେ ଚଳିଵାକୁ ଲାଗିଥିଵ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ ଗହନ ଶବ୍ଦର ଏକ ଅର୍ଥ ଵନ ଵା ଜଙ୍ଗଲ ଅଟଇ ।
କଵିସୂର୍ଯ୍ୟ କିଶୋରୀଚନ୍ଦ୍ରାନନ୍ଦ ଗ ଚମ୍ପୁରେ ଏହି ଵନ ଅର୍ଥରେ ଗହନ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି
“ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର ଗହନ କି ଗୃହ ହୋଇଲା
ସନ୍ଦେହ ନିଶ୍ଚୟ ହୋଇ ଭିଦୂର ॥”
ଓଡ଼ିଆ ଭାଷାରେ ଉଭୟ ଗହନ ଓ ଵନ ଶବ୍ଦ ଏକାର୍ଥବୋଧକ ହୋଇଥିଵାରୁ ଏଵଂ ଗହନ ଶବ୍ଦର ଏକ ଅର୍ଥ ଘନ ଵା ଘଞ୍ଚ ହୋଇଥିଵାରୁ ଏ ଉଭୟ ଶବ୍ଦ “ଗହନ ଵନ” ରୂପେ ମଧ୍ୟ ପ୍ରୟୋଗ ହୋଇଥାଏ । ଉଦାହରଣ ସ୍ୱରୂପ ଅତିବଡ଼ ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ନଵମ ସ୍କନ୍ଧରେ ଗହନ ଵନ ଶବ୍ଦ ଵ୍ୟଵହୃତ ହୋଇଅଛି ।
“ଧନୁ-କମାଣ ଘେନି କରେ ।
ପଶିଲା-ଗହନ ଵନରେ ॥
ଵନେ ବୁଲନ୍ତେ ଧର୍ମ ଗୁଣି ।
ଶୁଣିଲା ଅନ୍ତରୀକ୍ଷ ଵାଣୀ ॥”
ପୁଣି ଭାଗଵତର ପ୍ରଥମ ସ୍କନ୍ଧରେ ଗହନ ଵନସ୍ତ ଶବ୍ଦ ପ୍ରୟୋଗ ହୋଇଅଛି
“ବେଗେ ପଳାଇ ଭୂମିଗତେ ।
ପଶିଲା ଗହନ ଵନସ୍ତେ ॥”
ପୁନଶ୍ଚ ଓଡ଼ିଆ ଭାଷାରେ ଗହଳ ଓ ବହଳ ଉଭୟ ଶବ୍ଦ ଏକାର୍ଥବୋଧକ ଅର୍ଥାତ୍ ଏ ଦୁଇଗୋଟି ଶବ୍ଦ ଘନ ଗଭୀର ଘଞ୍ଚ ଆଦି ଅର୍ଥରେ ପ୍ରୟୋଗ କରାଯାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଗହଳ ବହଳ ସହଚର ଶବ୍ଦରୂପେ ଶିଘ୍ର ଶିଘ୍ର କଥିତ ହେଵା ସମୟରେ ତହିଁରୁ ଳ ଵର୍ଣ୍ଣ ଲୁପ୍ତ ହୋଇ ଗହବହ ହୋଇଥାଇପାରେ ଏଵଂ ପରେ ତାହା ଗହବରେ ପରିଣତ ହୋଇଥିଵା ସମ୍ଭଵ ।
ତେବେ ଓଡ଼ିଆ ଭାଷାରେ ଗହନ ଵା dense ଅର୍ଥରେ ବହଳ,ଗହଳ,ଘନ,ଘଞ୍ଚ,ଅଚ୍ଛିଦ୍ର,ଅଝାଲ, ନିଵିଡ଼,ଅଵିରଳ,ଅଭେଦ୍ୟ,ଅସନ୍ଧି,କଳିଳ,କିଟ୍କିଟା,କୁଚାପେଲା,ଅଗମ୍ୟ,କୋଟ,ଖର,ଗଭୀର, ଗମ୍ଭୀର,ଗହଣ,ଘନ୍ଘାର, ଘମାଘୋଟ,ଘେଞ୍ଚ,ଗାଢ଼,ଗାଢା଼,ଘୋର,ଜକାଜକି, ଜାବଡ଼,ନିଃସନ୍ଧି,ନିଘଞ୍ଚ,ନଘନ,ନିଵାତ,ନିବୁଜ୍,ନୀର୍ବନ୍ଧ(ପ୍ରା), ପ୍ରଗାଢ଼,ପ୍ରମୀଢ଼,ବହୁଳ ଓ ସାନ୍ଦ୍ର ଭଳି ଶହ ଶହ ତତ୍ସମ,ତଦ୍ଭଵ ଓ ଦେଶଜ ଓଡ଼ିଆ ଶବ୍ଦ ରହିଛି ।
Dense ଵା ଗହନ ଅର୍ଥରେ ଏତେ ଶବ୍ଦ ଥିଵାରୁ ଏଵଂ କଥିତ ଭାଷାରେ ଘନ, ଘଞ୍ଚ,ଗହୀର,ବହଳ ଆଦି ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାରୁ
ପନ୍ଦରଶହ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରାଯାଇଥିଵା ଗହବ ଶବ୍ଦ ସେତେ ଲୋକପ୍ରିୟ ହୋଇନପାରି କେତେକ ଅଞ୍ଚଳର
କଥିତ ଶୈଳୀରେ ଗହବା ରୂପେ ଚଳିଵାକୁ ଲାଗିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଆଜି ବି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଗହବା ଶବ୍ଦଟି ଘନ ଓ ଘଞ୍ଚ ଅର୍ଥରେ ଵ୍ୟଵହାର ହେଉଅଛି । ଓଡ଼ିଶାର ଆଧୁନିକ ସାହିତ୍ୟକାରମାନେ ଗହବ ଶବ୍ଦକୁ ସାହିତ୍ୟରେ ଵ୍ୟଵହାର କଲେ ଏହି ସାହିତ୍ୟିକ ଶବ୍ଦଟି ଅନ୍ତତଃ ସାହିତ୍ୟ ମଧ୍ୟରେ ବଞ୍ଚି ରୁହନ୍ତା ।
Wednesday, May 6, 2020
ଆଟିକାଚୁହାଁ ~ ମୁମୂର୍ଷୁ ଓଡ଼ିଆ ଶବ୍ଦଟିଏ
ଓଡ଼ିଆ ଭାଷାରେ ଅନେକ ନିଆରା ଶବ୍ଦ ରହିଛି । କିଛି ଶବ୍ଦ ଏଵେ ବି ଚଳୁଥିଲାଵେଳେ ଆଉ କିଛି ଶବ୍ଦ କାଳ ଆଗରେ ପରାସ୍ତ ହୋଇ ମୁର୍ମୂଷୁ ଅଵସ୍ଥାରେ ପହଞ୍ଚିଗଲେଣି ।
ଆଟିକାଚୁହାଁ ଶବ୍ଦଟି ଆଧୁନିକ ଅଭିଧାନଗୁଡ଼ିକରେ ଦେଖାଯାଏ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୨୭ତମ ପୃଷ୍ଠାରେ ଏ ଶବ୍ଦଟି ଥିଵା ଦୃଷ୍ଟିଗୋଚର ହୁଏ ।
ଆଟିକାଚୁହାଁ ଶବ୍ଦଟି ଵ୍ଯଙ୍ଗ୍ଯ ଓ ନିନ୍ଦାର୍ଥ ଵ୍ଯଵହୃତ ହେଉଥିଲା ଏଵଂ ଏ ଶବ୍ଦର ସ୍ତ୍ରୀଵାଚକରୂପ ଆଟିକାଚୁହୀଁ ଅଟେ ।
ସାଧାରଣତଃ ଯେଉଁ ଵ୍ଯକ୍ତି ରୋଷେଇଶାଳର ପାକପାତ୍ରରେ ଥିଵା ରନ୍ଧା ଖାଦ୍ଯଦ୍ରଵ୍ଯ ପ୍ରତି ସର୍ଵଦା ତୀକ୍ଷ୍ଣ ଦୃଷ୍ଟି ରଖେ ଓ ତାହା ଯେପରି ଵ୍ଯୟିତ ନ ହୁଏ ସେଥିପାଇଁ ସାବଧାନ ଥାଏ ସେଭଳି ଲୋକଙ୍କୁ ଆଟିକାଚୁହାଁ କୁହାଯାଉଥିଲା ।
ଏ ଶବ୍ଦଟି ସମ୍ଭଵତଃ ଲୋକଭାଷାର ଶବ୍ଦ ବୋଲି ସାହିତ୍ୟରେ ସେତେ ଵ୍ଯଵହୃତ ହୋଇନଥିଵା ଦେଖାଯାଏ କିନ୍ତୁ ଓଡ଼ିଆ ଢଗଢମାଳିରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାଉ...
ଯଥା―
"ଖଣ୍ଡିଗଣିଆର ଦିଗୁଣ ସରେ
ଆଟିକାଚୁହାଁର ମାଇପ ମରେ"
ଆଟିକାଚୁହାଁ ଶବ୍ଦଟି ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ଗଠିତ; ଆଟିକା ଓ ଚୁହାଁ ।
ଆଧୁନିକ ଯୁଗର ଲୋକେ ଆଟିକା କଣ୍ ଜାଣିନଥିଵେ କିନ୍ତୁ ଏକଦା ଏଇ ଆଟିକା ପାତ୍ର ଘରେ ଘରେ ଦିଶିଯାଉଥିଲା । ଛୋଟ ମାଟି ହାଣ୍ଡିକୁ ଆଟିକା କୁହାଯାଏ । ଆଗକାଳରେ ଆଟିକା ବସାଇ ଲୋକେ ରୋଷେଇ କରୁଥିଵା କୃଷ୍ଣସିଂହଙ୍କ ମହାଭାରତରୁ ଜଣାଯାଏ...
"ଅଗ୍ନିରେ ପାକ କଲା ବସାଇ ଆଟିକାଟି !"
(ଆଦିପର୍ଵ)
ଓଡ଼ିଆ ଲୋକେ ଆଜି ଆଉ ଆଟିକା ଵ୍ଯଵହାର କରୁନାହାନ୍ତି କିନ୍ତୁ ଜାତିର ଈଶ୍ବର ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏଵେ ବି ଅନ୍ନଆଦି ରଖିଵା ନିମନ୍ତେ ଏଇ ଛୋଟ ମାଟି ହାଣ୍ଡି "ଆଟିକା" ଵ୍ଯଵହୃତ ହେଉଅଛି ।
ସେଇଭଳି ଚୁହାଁ ଶବ୍ଦର ଅର୍ଥ ଚାହିଁବା,ଦେଖିଵା ଵା ଅଵଲୋକନ କରିଵା ଅଟେ । ଏ ଶବ୍ଦ ସାହିତ୍ୟରେ ବହୁଳ ଵ୍ଯଵହାର ହୋଇଅଛି
ଯଥା―
ଚନ୍ଦ୍ର ଚୁହାଁ ସୁଖ ବଡ଼?
କି ତା ମୁଖ ଦେଖା ବଡ଼?
(କବିସୂର୍ଯ୍ୟ. ସଙ୍ଗୀତ)
ଅସ୍ତୁ ! ଯେଉଁ ଵ୍ଯକ୍ତି କୃପଣ ସ୍ଵଭାଵର ଓ ମନୁଷ୍ଯ ଜୀଵନଠାରୁ ଖାଦ୍ଯଦ୍ରଵ୍ଯାଦିକୁ ଅଧିକ ମହତ୍ତ୍ଵ ଦିଏ ,ଯିଏ ଟିକିଏ ଖାଦ୍ୟ ନଷ୍ଟ ହେଲେ ନିଜ ସ୍ତ୍ରୀକୁ ଅପମାନିତ କରେ,ମାଡ଼ଗାଳୀ ଦିଏ ସେଇଭଳି ଲୋକଙ୍କ ପାଇଁ ଏଵେ ବି ଆଟିକାଚୁହାଁ ଶବ୍ଦ ଵ୍ଯଵହାର ହୋଇପାରେ । ତେଵେ ସମ୍ଭଵତଃ ଆଟିକା ସହ ଆଟିକାଚୁହାଁ ଶବ୍ଦ ବି ଧୀରେ ଧୀରେ ଲୋପ ପାଇଯିଵ ଏମନ୍ତ ସମ୍ଭାଵନା ଅଧିକ ଲାଗୁଛି ।
ଏ ଵିଷୟରେ ଆପଣଙ୍କ ମତ ନିଶ୍ଚୟ ଉଲ୍ଲେଖ କରନ୍ତୁ ! ଆପଣଙ୍କ ଅଞ୍ଚଳରେ ଏ ଶବ୍ଦଟି ଏଵେ ବି ଵ୍ଯଵହାର ହେଉଅଛି କି ?
ଵିଶିଷ୍ଟ ଆଲେଖ୍ୟ
ଵଶା ଠାରୁ ବୋଉ ଯାଏଁ
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
-
ଗୋସିଆଁ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍...
-
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...