Showing posts with label ଶବ୍ଦ ସୂଚୀ. Show all posts
Showing posts with label ଶବ୍ଦ ସୂଚୀ. Show all posts

Monday, June 12, 2023

Busyର ଓଡ଼ିଆ ପ୍ରତିଶବ୍ଦ

Busy ପାଇଁ ଓଡ଼ିଆ ପ୍ରତିଶବ୍ଦ ରୂପେ ମୁଖ୍ୟତଃ #ଵ୍ୟସ୍ତ ଶବ୍ଦ ଵ୍ୟଵହାର କରାଯାଏ । ଓଡ଼ିଶାର ପୂର୍ଵାଞ୍ଚଳର କଥିତ ଓଡ଼ିଆ ଭାଷାରେ ଏ ଶବ୍ଦ #ବେସ୍ତ‌ ରୂପେ ମଧ୍ୟ କଥିତ ହୋଇଥାଏ । 

ଅତି କାର୍ଯ୍ୟଵ୍ୟସ୍ତ ହେଵାକୁ ଆମ ଭାଷାରେ #ଝଜକା କୁହାଯାଏ ତେବେ ଝଜକା ଶବ୍ଦଟି ଏକ ବହୁଅର୍ଥଵାଚକ ଓଡ଼ିଆ ଶବ୍ଦ ଏଵଂ ଏହା ଧନ୍ଦକା,ଛାନିଆ,କିଂକର୍ତ୍ତବ୍ଯବିମୂଢ଼ ଓ ଭୟତ୍ରସ୍ତ ଅର୍ଥରେ ବି ପ୍ରୟୋଗ କରାଯାଏ ।
ତଡ଼୍ ତଡ଼୍ ଓ ତଡ଼୍ ବଡ଼ି ମଧ୍ୟ କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଵ୍ୟଵହୃତ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଗଞ୍ଜାମଵାସୀ ତଡ଼ାତାବୁଡ଼ ଶବ୍ଦ busy,ଧନ୍ଦା ଓ କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଵ୍ୟଵହାର କରୁଥିଲେ । କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଓଡ଼ିଆ ଭାଷାରେ ଧନ୍ଦା ଓ ଧନ୍ଦକି ହେଵା ଭଳି କ୍ରିୟା ଶବ୍ଦ ବି ରହିଛି । ଅତି କାର୍ଯ୍ୟଵ୍ୟସ୍ତତାକୁ ଧନ୍ଦାଳି ହେଵା ମଧ୍ୟ କୁହାଯାଏ । ପ୍ରାଚୀନ ସାହିତ୍ୟରେ ଏ ଶବ୍ଦର କାର୍ଯ୍ୟ ଵ୍ୟସ୍ତ ଅର୍ଥରେ ପ୍ରୟୋଗ କରାଯାଇଛି । 

“ହୀନଭାଗ୍ୟ ଲୋକ ବିହି କି ମିଛେ ନିନ୍ଦି
ଏ ସଂସାର ମାୟାରେ ହେଉଥାଏ ଧନ୍ଦି।” (କୃଷ୍ଣସିଂହ. ମହାଭାରତ. ଶାନ୍ତି।)

ପୁଣି କୌଣସି କାର୍ଯ୍ୟରେ ଵା ଚିନ୍ତାରେ ସର୍ବଦା ମଗ୍ନ ରହିଵାକୁ ଲକ୍ଷଣାର୍ଥ ବୁଡ଼ିରହିଵା ବି କୁହାଯାଏ । ଅର୍ଥାତ୍ ବୁଡ଼ି ରହିଵା କ୍ରିୟାଟି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ busy ଵା ଵ୍ୟସ୍ତ ଅର୍ଥରେ ପ୍ରୟୋଗ କରାଯାଏ । 

ପୁଣି ରଞ୍ଜାଳିଆ ଶବ୍ଦଟି ‘କ୍ଷୁଧାର୍ତ୍ତ’ ଛଡ଼ା “କାର୍ଯ୍ୟରେ ଅତି ଵ୍ୟସ୍ତ” ଅର୍ଥରେ ବି ଵ୍ୟଵହାର କରାଯାଏ । ଆମ ଭାଷାରେ ଯେତେବେଳେ ମନୁଷ୍ୟ ନାନା କାର୍ଯ୍ୟରେ ବ୍ୟସ୍ତ ଥାଏ ସେହି ସମୟକୁ ରଞ୍ଜାଳିଆ ବେନ କୁହାଯାଏ । ଵ୍ୟତିଵ୍ୟସ୍ତ ହେଵା, ଦହଗଞ୍ଜ ହେଵା, ଅତ୍ୟନ୍ତ କାର୍ଯ୍ୟଵ୍ୟସ୍ତ ହେଵା ଓ ଵ୍ୟସ୍ତ ହୋଇ ଖୋଜିଵାକୁ ରଞ୍ଜାଳି ହେଵା କୁହାଯାଏ । ଏତଦଵ୍ୟତୀତ ଅର୍ଦଉଳି,ଉଠିଆ(ବେପାରରେ ଵ୍ୟସ୍ତ ସମୟ),କାର୍ଯ୍ୟଵ୍ୟସ୍ତ,କାମରେ ଲାଗିଵା,କାମରେ ଥିଵା,ଗଞ୍ଜି ହେଵା,ଆକୁଳ,ଆତୁରିଆ,ଆଲ୍ରା(ଗଞ୍ଜାମ; ଵ୍ୟସ୍ତତା), ଉଚ୍ଛନ୍ନ,କଚ୍କଚ୍ ହେଵା,କାଉଳା,କିଲିବିଲି,ଘିଚି ହେଵା,ଝଞ୍ଜଟ,ଝଞ୍ଜଟିଆ,ତରସ୍ତ,ତ୍ୟକ୍ତ ଵିରକ୍ତ(ଅତ୍ୟନ୍ତ ଵିରକ୍ତ ଓ ଵ୍ୟସ୍ତ),ଦହଗଞ୍ଜ,ଧନ୍ଦୋଳ,ନିରଵସର,ପରିଦୀନ,ପିତି ପିତେଇଵା(କ୍ଷୁଧାତୁର ହୋଇ ଅତି ଵ୍ୟସ୍ତ ହେଵା),ପ୍ରାଣ ଖାଇଵା(ଵ୍ୟସ୍ତ କରିଵା),ଵିକଳ,ଵିକଳ ହେଵା,ଵିଥେଇ,ଵିହସ୍ତ,ଵ୍ୟଗ୍ର,ଵ୍ୟାକୁଳ ହେଵା, ଭାରାକ୍ରାନ୍ତ(ଗୁରୁ ଭାର ଦ୍ୱାରା ଆକ୍ରାନ୍ତ ଵା ଵ୍ୟସ୍ତ),ରୁବୁରୁଵା ହେଵା(ମନ ଵ୍ୟସ୍ତ ହେଵା), ହନ୍ତସନ୍ତ ,ହରବର,ହାଇଁ ପାଇଁ,ହାଉଜାଉ,ହାଙ୍କପାଙ୍କ ଓ ହାପୁ ହାପୁ ହେଵା ଭଳି ଵ୍ୟସ୍ତ ଓ ଵ୍ୟସ୍ତତାକୁ ପ୍ରକାଶ କରୁଥିଵା ଅନେକ ଓଡ଼ିଆ ଶବ୍ଦ ରହିଛି ‌। 

କିନ୍ତୁ ଆଜିର ଯୁଵପିଢ଼ି ନିଜ ଭାଷାର ଶହେ ଶବ୍ଦକୁ ଛାଡ଼ି ଇଂରାଜୀ ଭାଷାର busy ଭଳି ଏକ ଅଜ୍ଞାତକୁଳଶୀଳ(ଯେହେତୁ ଅନ୍ୟ ଭାରୋପୀୟ ଭାଷାରେ ଏହାର ସଗୋତ୍ରୀୟ ରୂପ ନାହିଁ) ଶବ୍ଦକୁ ଗଳାମାଳି କରି ରଖିଛି ।

Monday, March 13, 2023

ଓଡ଼ିଆ ଭାଷାର ସ୍ଵଦେଶ ଶବ୍ଦ ସୂଚୀ

Swadesh list ଵା  ସ୍ଵଦେଶ ସୂଚୀ ଗୋଟିଏ ଭାଷାର ସର୍ଵନିମ୍ନ ଶବ୍ଦସୂଚୀ ଅଟେ । ଗୋଟିଏ ଭାଷାର ଅତି ଆଵଶକୀୟ ୧୦୦ଟି,୨୦୦ଟି କିମ୍ବା ୧୦୦୦ଟି ଶବ୍ଦ ଜାଣିଥିଲେ ସେ ଭାଷାକୁ ବୁଝିଵା ଓ କହିଵା ସହଜ ହୋଇଯାଏ । ଅନେକ ଭାଷାର ଅତି ଆଵଶକୀୟ ସର୍ଵନିମ୍ନ ଶବ୍ଦସୂଚୀ ଵା ସ୍ବଦେଶ ସୂଚୀ ଦ୍ଵାରା ଭାଷାଵିଦମାନେ ଦୁଇ ଵା ତତୋଃଧିକ ଭାଷା ମଧ୍ୟରେ ତୁଳନାତ୍ମକ ଵ୍ୟାଖ୍ୟା କରିଥାନ୍ତି। 

ଆମେରକୀୟ ଭାଷାଵିଦ Morris Swadesh ପ୍ରଥମେ ଏଭଳି ଶବ୍ଦସୂଚୀ କରିଥିଵାରୁ ତାଙ୍କ ନାମାନୁସାରେ ଏହି ଶବ୍ଦସୂଚୀକୁ ସ୍ଵଦେଶ ସୂଚୀ କୁହାଯାଉଛି । 
ମୋରିସ୍ ସ୍ଵଦେଶ ଜଣେ ଇହୁଦୀ ଏଵଂ ତାଙ୍କ ବାପାମାଆ ବହୁଭାଷୀ ଥିଲେ । ଭାଷାଵିଦ ସ୍ଵଦେଶ ପିଲାବେଳୁ ୟେଡିସ୍, ଇଂରାଜୀ ଓ ରଷୀଭାଷା ଜାଣିଥିଲେ ଏଵଂ ଏହି ତିନୋଟି ଭାଷାରେ ସେ ଦକ୍ଷ ଥିଲେ । ଜଣେ ବହୁଭାଷୀ ହୋଇଥିଵାରୁ ଆପଣାଛାଏଁ ତାଙ୍କର ଭାଷା ଵିଷୟରେ ଜାଣିଵାର ଆଗ୍ରହ ବଢି଼ଥିଲା ଏଵଂ ଏହା ତାଙ୍କୁ ଜଣେ ଭାଷାଵିଦ ଭାବେ ପ୍ରତିଷ୍ଠିତ କରିଵାକୁ ପ୍ରେରିତ ମଧ୍ୟ କରିଥିଲା । ଭାଷାଵିଜ୍ଞାନର
lexicostatistics(the quantitative assessment of the genealogical relatedness of languages) ଓ glottochronology(the dating of language divergence) କ୍ଷେତ୍ରରେ ସ୍ଵଦେଶ ସୂଚୀ ଆଵଶ୍ୟକ ହୋଇଥାଏ । 

ମୋରିସ୍ ସ୍ଵଦେଶ ପ୍ରଥମେ ୨୧୩ଟି ଶବ୍ଦକୁ ନେଇ ସ୍ଵଦେଶ ସୂଚୀ କରିଥିଲେ । Salish-Spokane-Kalispel ଭାଷାର ସ୍ଵଦେଶ ସୂଚୀ କଲାବେଳେ ଏହି ଶବ୍ଦ ସଂଖ୍ୟା ୧୬୫କୁ କମି ଆସିଥିଲା । 

ଭାଷାଵିଦ ମୋରିସ୍ ସ୍ଵଦେଶଙ୍କର ଦେହାଵସାନ ୧୯୬୭ ଵର୍ଷ ଜୁଲାଇ କୋଡ଼ିଏରେ ମେକ୍ସିକୋ ନଗରରେ ହେଵାର ପାଞ୍ଚ -ଛଅ ଵର୍ଷ ପରେ ତାଙ୍କର "୧୦୦ ସର୍ଵନିମ୍ନ ଆଵଶ୍ୟକୀୟ ସ୍ଵଦେଶ ସୂଚୀ" ପ୍ରକାଶ ପାଇଥିଲା ।‌

ନିମ୍ନରେ ଓଡ଼ିଆ ଭାଷାର "୧୦୦ ସର୍ଵନିମ୍ନ ଆଵଶ୍ୟକୀୟ ସ୍ବଦେଶ ଶବ୍ଦ ସୂଚୀ" ପ୍ରଦତ୍ତ ହେଲା ଯାହା ଏ ଅକିଞ୍ଚନ ପ୍ରସ୍ତୁତ କରିଛି । 

(୧)I— ମୁଁ(ମୁହିଁ, ମୁଇଁ)
(୨)you —ତୁମେ(ତମେ,ତୁମ୍ଭେ)
(୩)we — ଆମେ(ଆମ୍ଭେ)
(୪)this/it—ଏହା(ଏଇଟା,ଏତା)
(୫)that — ତାହା,ସେଇଟା,(ସେତା,ସେଟା,ହେଟା)
(୬)My — ମୋର(ମୋହର)
(୭)Your—ତୁମର(ତୁମ୍ଭର)
(୮)Our—ଆମର (ଆମ୍ଭର)
(୯)who? — କିଏ(କେ)
(୧୦)what? — କ'ଣ(କଁ,କି,କିରା,କିସ,କିୟଣ,କାଣା,କାଡ଼ା )
(୧୧)not — ନୁହେଁ(ନାଇଁ)
(୧୨)all — ସବୁ(ସମସ୍ତ,ସକଳ,ସର୍ଵ)
(୧୩)many— ଅନେକ, ବହୁତ(ଗୁରୁଦ୍,ବହେ,ଗୁଡ଼େ)
(୧୪)one — ଏକ(ଗୋଟେ)
(୧୫)two — ଦୁଇ(ଯୋଡ଼େ,ବେନି)
(୧୬)big — ବଡ଼(ଵିଶାଳ,ଵୃହତ)
(୧୭)long—ଲମ୍ବା(ଦୀର୍ଘ)
(୧୮)small—ସାନ(ଛୋଟ, କ୍ଷୁଦ୍ର,ଚୁଇଁ)
(୧୯)woman— ମହିଳା,ସ୍ତ୍ରୀଲୋକ
(୨୦)man — ପୁରୁଷ(ଅଣ୍ଡିରା,ନର)
(୨୧)person — ଲୋକ(ଵ୍ୟକ୍ତି,ଜନ)
(୨୨)fish — ମାଛ,(ଝୁରୀ,ପାଣିଫଳ)
(୨୩)bird— ପକ୍ଷୀ,ଚଢ଼େଇ
(୨୪)dog— କୁକୁର(ଶ୍ବାନ)
(୨୫)louse— ଉକୁଣୀ
(୨୬)tree —ଗଛ(ଵୃକ୍ଷ,ଦାରୁ,ପାଦପ)
(୨୭)seed — ମଞ୍ଜି(ଵୀଜ)
(୨୮)leaf — ପତ୍ର(ଅଲୋଉ,ପତର)
(୨୯)root — ଚେର(ବୁନ୍ଧ)
(୩୦)bark(Tree) — ଛାଲ,ଛାଲି,ବକ୍କଳ
(୩୧)skin— ଚର୍ମ(ଚମ)
(୩୨)flesh — ମାଂସ,ମାଉଁଷ
(୩୩)blood— ରକ୍ତ(ଲହୁ,ରୁଧିର)
(୩୪)bone— ହାଡ଼(ଅସ୍ଥି)
(୩୫)grease— ଚର୍ବି
(୩୬)egg— ଅଣ୍ଡା,ଗରା
(୩୭)horn — ଶିଙ୍ଘ
(୩୮)tail— ଲାଞ୍ଜ,(ଲେଞ୍ଜ,ପୁଚ୍ଛ)
(୩୯)feather — ପର,ପକ୍ଷୀ(ପକ୍ଷ,ପଁକ୍ଷୀ)
(୪୦)hair— ବାଳ,କେଶ,ଚୁଟି
(୪୧)head — ମୁଣ୍ଡ(ମସ୍ତକ)
(୪୨)ear— କାନ(କର୍ଣ୍ଣ)
(୪୩)eye— ଆଖି(ଚକ୍ଷୁ)
(୪୪)nose— ନାକ(ନାସିକା)
(୪୫)mouth— ମୁହଁ,ପାଟି(ମୁଖ)
(୪୬)tooth — ଦାନ୍ତ(ଦନ୍ତ)
(୪୭)tongue— ଜିଭ
(୪୮)claw —ପଞ୍ଝା
(୪୯)foot— ତଳିପା,ପାଦ 
(୫୦)knee —ଆଣ୍ଠୁ
(୫୧)hand— ହାତ(ହାଏତ୍,କର)
(୫୨)belly — ପେଟ
(୫୩)neck (not nape/ବେକର ପଛଭାଗକୁ nape କୁହାଯାଏ)— ବେକ
(୫୪)breasts(female)— ସ୍ତନ,କୁଚ(ଦୁଧ,ଦଦ)
(୫୫)heart— ହୃଦୟ(ହୁରୁଦ୍,ହିଆ, ହୃତପିଣ୍ଡ)
(୫୬)liver—ଯକୃତ(କଲିଜା)
(୫୭)drink (verb)— ପିଇଵା
(୫୮)eat (verb)—ଖାଇଵା
(୫୯)bite (verb)—କାମୁଡି଼ଵା(ଚାବିଵା,ଚୋବେଇଵା)
(୬୦)see (verb)—ଦେଖିଵା
(୬୧)hear (verb)— ଶୁଣିଵା
(୬୨)know (facts)— ଜାଣିଵା
(୬୩)sleep (verb)— ଶୋଇଵା
(୬୪)die (verb)— ମରିଵା
(୬୫)kill (verb)—ମାରିଵା
(୬୬)swim (verb)— ପହଁରିଵା
(୬୭)fly (verb)— ଉଡି଼ଵା
(୬୮)walk (verb)— ଚାଲିଵା
(୬୯)come (verb)—ଆସିଵା
(୭୦)lie (on side, recline)— ନଇଁଵା
(୭୧)sit (verb)—ବସିଵା
(୭୨)stand (verb)—ଠିଆହେଵା,ଛିଡ଼ା ହେଵା
(୭୩)give (verb)—ଦେଵା
(୭୪)say (verb)—କହିଵା
(୭୫)sun—ସୂର୍ଯ୍ୟ
(୭୬)moon—ଜହ୍ନ(ଚନ୍ଦ୍ର)
(୭୭)star—ତାରା(ନକ୍ଷତ୍ର)
(୭୮)water (noun)— ପାଣି,ଜଳ(ପାଏନ୍)
(୭୯)rain— ଵର୍ଷା,ମେଘ(ବରଷା)
(୮୦)stone— ପଥର(ଶିଳା)
(୮୧)sand— ବାଲି
(୮୨)earth (soil)— ମାଟି
(୮୩)cloud (not fog)— ବାଦଲ,ବାରିଦ
(୮୪)smoke (noun, of fire)— ଧୂଆଁ(ଧୂମ,ଧୂମ୍ର)
(୮୫)fire— ନିଆଁ, ଅଗ୍ନି(ଜଇ)
(୮୬)ash(es)— ପାଉଁଶ
(୮୭)burn (verb intr.!)—ଜଳିଵା
(୮୮)path(road, trail; not street)— ବାଟ(ପଥ,ରାସ୍ଥା)
(୮୯)mountain (not hill/ପାହାଡ଼ ନୁହେଁ)— ପର୍ଵତ
(୯୦)red (color)— ନାଲି(ଲାଲି,ଲାଲ୍,ଲୋହିତ,ରକ୍ତଵର୍ଣ୍ଣ)
(୯୧)green (color)—ସବୁଜ
(୯୨)yellow (color)—ହଳଦିଆ
(୯୩)white (color)—ଧଳା(ଧୋବ,ଧୋବଲା,ଧଵଳ)
(୯୪)black (color)—କଳା(କାଳିଆ,କୃଷ୍ଣ)
(୯୫)night— ରାତି(ରାତ୍ରି,ଅନ୍ଧାର)
(୯୬)hot (adjective;warm, of weather)— ଗରମ,ଖରା(ଉତ୍ତାପ)
(୯୭)cold (of weather)— ଥଣ୍ଡା(କୋହଲା,କାକର)
(୯୮)full— ପୂର୍ଣ୍ଣ,ପୁରା
(୯୯)new—ନୂଆ(ନଵ,ନୂତନ)
(୧୦୦)good— ଭଲ(ଅଏନ୍,ବନେ,ବଢି଼ଆ,ଉତ୍ତମ)
(୧୦୧)round— ଗୋଲ(ଗୋଲାକାର,ଗୋଲିଆ)
(୧୦୨)dry (substance)— ଶୁଖିଲା (ଶୁଷ୍କ)
(୧୦୩)name— ନାଆଁ(ନାମ)

(ଵି:ଦ୍ର :—ଏହି "ଓଡ଼ିଆ ସ୍ଵଦେଶ ଶବ୍ଦ ସୂଚୀ"ରେ ପରିଵର୍ତ୍ତନ ସମ୍ବନ୍ଧୀୟ ଆପଣଙ୍କର କୌଣସି ମତ ଥିଲେ ଜଣାଇଵାକୁ ଅନୁରୋଧ । ଏଥିରେ କେତେକ ଶବ୍ଦର ବନ୍ଧନୀ ମଧ୍ୟରେ ଅତିରିକ୍ତ ପ୍ରତିଶବ୍ଦ ମଧ୍ୟ ଉଲ୍ଲେଖ କରାଯାଇଛି । ଓଡ଼ିଆ ଏକ ଶବ୍ଦ ସମୃଦ୍ଧ ଭାଷା ହୋଇଥିଵାରୁ ଏହାର ଗୋଟିଏ ଶବ୍ଦର ପାଞ୍ଚରୁ ଅଧିକ ପ୍ରତିଶବ୍ଦ ମିଳିଥାଏ । ଫଳତଃ ଏ ଭାଷାରେ ସ୍ଵଦେଶ ଶବ୍ଦ ସୂଚୀ କରିଵା କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହେଵା ସ୍ଵାଭାଵିକ କଥା ଅଟେ । ଓଡ଼ିଆ ଭାଷା ପାଇଁ ପୂର୍ଵରୁ କେହି ଏହିପରି ସ୍ଵଦେଶ ଶବ୍ଦ ସୂଚୀ ପ୍ରସ୍ତୁତ କରିଥିଵା ଜାଣିଥିଲେ ଜଣାଇଵାକୁ ଅନୁରୋଧ 🙏)

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...