Showing posts with label ମାଧଵ ଓ ଭଗିଆ ସମ୍ବାଦ. Show all posts
Showing posts with label ମାଧଵ ଓ ଭଗିଆ ସମ୍ବାଦ. Show all posts

Tuesday, August 20, 2024

ମାଧଵ ଭଗିଆ ସମ୍ବାଦ —୨(ଅଣ ଓ ତିଅଣର କଥା)

ମାଧଵ ଆଜି ରାଗିଛି,ତାକୁ ଫେସବୁକରେ କିଏ ବହେ ଶୋଦି ଦେଇଛି ତେଣୁ ତା'ର ଭାଆରି ମନଦୁଃଖ। ଭଗଵାନ ଦାଶ ଓରଫ୍ ଭଗିଆ ମାଧିଆଟାର ଶୁଖିଲା ମୁହଁ ଦେଖି କାରଣ କ'ଣ ପଚାରନ୍ତେ ସେ ଚଢ଼ାଗଳାରେ କହିଲା “ହଇବୋ... ଫେସବୁକରେ ଏବେ ସବୁ ମହା ମହା ପଣ୍ଡିତ ବୁଲୁଛନ୍ତି ହୋ , ମୁଁ ତରକାରୀର juiceକୁ ଆଉ ତରକାରୀ ଵା curryକୁ ଓଡ଼ିଆରେ କ'ଣ କୁହନ୍ତି ବୋଲି ଗୋଟିଏ ଗୃପ୍‌ରେ ପଚାରିଦେଲି ଯେ ଜଣେ ମୋତେ ଅଣଓଡ଼ିଆ ଆଖ୍ୟା ଦେଇ ଦେଲା । କହିଲା ହଇରେ ଅଳପେଇଶା ତୋତେ ଝୋଳ,ଅଣ ଓ ତିଅଣ ଜଣାନାହିଁ ଯେ curry ଆଉ juice କହୁଛୁ ? ହଇଏ ଭଗିଆ ଭାଇ ତମେ କୁହ ତ ମୋର ଭୁଲ୍ କ'ଣ? ତିଅଣ ଆଉ ଅଣ କ'ଣ ଖାଣ୍ଟି ଓଡ଼ିଆ ଶବ୍ଦ? 
 
ଭଗିଆ କହିଲା ନାଇଁ ଯେ ମୋତେ ଆଗେ କହ ଆମେ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ ଇଂରାଜୀ ଆରବୀ ପାର୍ସୀ ତୁର୍କ ପର୍ତ୍ତୁଗୀଜ୍ ଶବ୍ଦ କାହିଁକି ଵ୍ୟଵହାର କରିଵା ? ଶବ୍ଦ ନଥିଲେ ଅଲଗା କଥା, ଶବ୍ଦ ଥାଇ କାହିଁକି ଝୋଳ,ଅଣ କୁ juice ପୁଣି ତିଅଣକୁ curry କହୁଥିଲୁ ଶୁଣେ ? 

ମାଧଵ ଚିଡ଼ିଯାଇ କହିଲା “ଖୋରେ ! ସହର ସାରା ଲୋକେ ଜୁସ୍ କରୀ କହୁଛନ୍ତି ମୁଁ କହିଦେଲି ଯେ ଆକାଶ ଛିଡ଼ି ପଡ଼ିଲା ? ହେଇଟି ସେ ନିଆଁଲଗା କଥା ନକହି ମତେ ଆଗେ ତୁଣ ଓ ଅଣ କଥା କୁହ ! ଆମେ ଓଡ଼ିଆ ତ ପଖାଳଖିଆ ଜାତି , ପଖାଳ କଂସାକୁ ଲୁଣ ତୁଣ୍ଡପୋଡ଼ା,ଆଚାର,ବଡ଼ି,ମାଛ ଭଜା ,ଶାଗ ଭଜା ଓ ପୋଡ଼ା ପୋଡ଼ିରେ ଆମ ମନ । ତାହେଲେ ଆମ ପୂର୍ଵଜ କ'ଣ ତୁଣ ଖାଉଥିଲେ ନା ? 

ଭଗିଆ ତା କଥା ଶୁଣି ଅଳ୍ପ ହସି କହିଲା ନାଇଁରେ ପାଗଳା ଓଡ଼ିଆ ଜାତି ପ୍ରକୃତରେ ତିଅଣଖିଆ ଜାତି । ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ଏବେ ବି ତବତ ଭାତ ଖାଇଲାବେଳେ ଥାଳିଏ ଭାତକୁ ବେଲାଏ ତୁଣ ଲୋଡ଼ନ୍ତି। 
 ତବତ ଭାତ ହେଉ କି ଚକୁଳି ଏଣ୍ଡୁରି ପିଠା ଅବା କ୍ଷୀରି ଜାଉ ଆଦି ମିଷ୍ଟାନ୍ନ ହେଉ ସବୁ ଦରଵ ସହିତ ଓଡ଼ିଆଏ ତୁଉଣ ଵା ତିଅଣ ଟିକେ ଲୋଡ଼ନ୍ତି । ଓଡ଼ିଆମାନଙ୍କର ତୁଣ ପ୍ରତି ଆଦର ଏତେ ଯେ ଭୁଜା,ଚୁଡ଼ା,ହୁରୁମ ଓ ଲିଆ ଆଦି ଭ୍ରୁଷ୍ଟ ତଣ୍ଡୁଳ ସହିତ ମଧ୍ୟ ତିଅଣ ମିଶାଇ ଖାଇଵାକୁ ବଡ଼ ସୁଖ ପାଆନ୍ତି । ବାକି ସବୁ ଭାରତୀୟ କେଵଳ ଡାଲି ଖାଉଥିଲାବେଳେ ଓଡ଼ିଆ ଏମିତି ଏକ ଜାତି ଯେ ନିଜର ତିଅଣପ୍ରେମ ଯୋଗୁଁ ଡାଲି ମଧ୍ୟରେ ପରିବା ମିଶାଇ ଡାଲମା କରି ଖାଏ । ତେଣୁ ଓଡ଼ିଆଙ୍କ ପାଇଁ ତିଅଣ ବଡ଼ ଗୁରୁତ୍ବପୂର୍ଣ୍ଣ । 

ମାଧଵ କଥା କାଟି କହିଲା ଆଉ ଆଉ ସେ ଅଣ କାହାକୁ କୁହନ୍ତି? ତୁଣ ଓ ଅଣ ଗୋଟିଏ ନା ଭିନ୍ନ ଭିନ୍ନ? 

ଭଗିଆ କହିଲା ହଁ ତିଅଣ କଥା ପଡ଼ିଲେ ଅଣ କଥା ବି ଆପେ ଚର୍ଚ୍ଚାକୁ ଚାଲିଆସେ ‌। "ତିଅଣ ଓ ଅଣ"ର ସମ୍ପର୍କ ନିଵିଡ଼ । ତିଅଣରୁ ଅଣକୁ ଵିଚ୍ଛିନ୍ନ କରିଦେଲେ ତିଅଣର ସ୍ଵରୂପ ସଂହରିଯାଏ(ବଦଳିଯାଏ) ପୁଣି ସେ ଅଣହୀନ ଜୁକୁଜୁକିଆ ତିଅଣର ସ୍ଵାଦ ବି କିଛିଟା ପରିଵର୍ତ୍ତିତ ହୁଏ । ଓଡ଼ିଶାରେ ନାନା ଜାତୀୟ ତିଅଣ କରନ୍ତି । ବଡ଼ଓଷାରେ ଅଟକାଳି ଓ ଗୋଟାପିଠା ସହିତ ଘାଣ୍ଟ ତିଅଣ ହୁଏ । ଖଟାଯୁକ୍ତ ଆମ୍ବିଳ ତୁଣ ଵା ଖଟେଇ ତିଅଣଠାରୁ ତେଲ ଵ୍ୟଵହୃତ ହେଉନଥିଵା ଆଣ୍ଟାନି ତିଅଣ ଯାଏଁ,ଭଲ ଭାବେ ସିଜିନଥିଵା ପରିଵାଯୁକ୍ତ ଅସଙ୍ଘଡ଼ ତିଅଣଠାରୁ ବାଉଁଶ ଗଜାର କରଡ଼ି ତିଅଣ ପର୍ଯ୍ୟନ୍ତ ଓଡ଼ିଶାରେ ଶତ ସହସ୍ରାଧିକ ତିଅଣ କରାଯାଏ ‌। ତେବେ ତୁଉଣ ଵା ତିଅଣ ଓ ଅଣ ସହିତ ଆମେ ଓଡ଼ିଶାଵାସୀ ଯେତିକି ପରିଚିତ ତିଅଣ ଓ ଅଣ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ସେତେ ସଚେତନ ନୁହନ୍ତି। ନଗରାଞ୍ଚଳର ଲୋକେ Curry କିମ୍ବା ତରକାରୀ ଓ juice, Soup ଓ ଝୋଳ ଶବ୍ଦ ହିଁ ଅଧିକ ଵ୍ୟଵହାର କରନ୍ତି ଫଳତଃ ତନ୍ମଧ୍ୟରୁ କିଛି ଲୋକଙ୍କୁ ତିଅଣ ଓ ଅଣ ମଧ୍ୟରେ ପ୍ରଭେଦ ତଥା ଅର୍ଥ ହିଁ ଜଣାନାହିଁ। ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ତିଅଣ ଵା ତୁଉଣକୁ ତରକାରୀ ଵା Curry ଅର୍ଥରେ ପ୍ରୟୋଗ କରୁଥିଲାବେଳେ ଝୋଳ ଵା Soup ଅର୍ଥରେ ଅଣ ଶବ୍ଦ ଵ୍ୟଵହାର କରନ୍ତି । 

ସେଇଠୁ ମାଧଵ ପଚାରିଲା ଆଚ୍ଛା ତୁଣ, ତରକାରୀ ଓ curry ମଧ୍ୟରେ ପାର୍ଥକ୍ୟ କ'ଣ ?

ଭଗିଆ କହିଲା,
ତିଅଣ , ତରକାରୀ ଓ curry ଗୋଟିଏ ଖାଦ୍ୟ ଦରଵର ଅଲଗା ଅଲଗା ଭାଷାର ନାଆଁ । ତିଅଣ ଵା ତୁଉଣ ଓଡ଼ିଆ, ତରକାରୀ ପାର୍ସୀ ଆଉ curry ହେଲା ଇଂରାଜୀ। ହେଲେ କେତେକ ଅଞ୍ଚଳରେ ତରକାରୀ, curry ଓ ତିଅଣ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ଥିଵା ଜଣାଯାଏ ଏଵଂ ସେଇ ନିର୍ଦ୍ଧିଷ୍ଟ ଅଞ୍ଚଳର ଲୋକମାନେ ଆମିଷ ଜାତୀୟ ଵ୍ୟଞ୍ଜନକୁ ତରକାରୀ ତଥା curry କୁହନ୍ତି ଆଉ ନିରାମିଷ ଵ୍ୟଞ୍ଜନକୁ ତୁଉଣ ଵା ତିଅଣ କହିଥାନ୍ତି। ଅର୍ଥାତ୍ ଅଣ୍ଡା କରୀ ଵା ଅଣ୍ଡା ତରକାରି ଆଉ ପୋଇ ତିଅଣ ଏହିପରି କୁହାଯାଏ। 

ଉତ୍ତର ଶୁଣି ମାଧଵ ମନରେ କ'ଣ ଭାବି ପଚାରିଲା ଆଚ୍ଛା ଏଇ ତିଅଣ ଓ ଅଣ କ'ଣ ଗୋଟାଏ ଶବ୍ଦରୁ ସୃଷ୍ଟି ହୋଇଛି ନା ଭିନ୍ନ ଭିନ୍ନ ଶବ୍ଦରୁ ସୃଷ୍ଟି ହୋଇଛି ? 

ଭଗିଆ କହିଲା ବୁଝିଲୁ ମାଧିଆ ଆମ ଓଡ଼ିଶାରେ କେଵଳ ତିଅଣ ଓ ଅଣ ଶବ୍ଦର ଅର୍ଥ ହିଁ ନୁହେଁ ଵରଂ ଏ ଶବ୍ଦଦ୍ଵୟର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଭରି ରହିଛି ଫଳତଃ ଉଭୟ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଅନେକେ ଭ୍ରମାତ୍ମକ ମତ ରଖନ୍ତି। କେହି କେହି କୁହନ୍ତି ତୁଉଣ ଓ ଅଣ ମିଶି ତିଅଣ ‌ଶବ୍ଦ ହୋଇଛି ପୁଣି ଆଉ କିଛି ଲୋକେ କୁହନ୍ତି ତିଅଣ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ଆହୁରି ମଧ୍ଯ କେହି କେହି ଅନୁମାନ କରନ୍ତି ଯେ ଵ୍ୟଞ୍ଜନ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ତେବେ ପ୍ରକୃତରେ ତୁଉଣ ଵା ତିଅଣ ତଥା ଅଣ ଶବ୍ଦଦ୍ଵୟ ଭିନ୍ନ ଭିନ୍ନ ଶବ୍ଦ ମୂଳରୁ ସୃଷ୍ଟି ହୋଇଛି ଏଵଂ ଅଣ ଶବ୍ଦର କୌଣସି ସଗୋତ୍ରୀୟ ସମ୍ପର୍କ 'ଵ୍ୟଞ୍ଜନ' ଶବ୍ଦ ସହିତ ନାହିଁ। 

ତାହେଲେ ତିଅଣ ଆଉ ଅଣ ଶବ୍ଦ କୁଆଡ଼ୁ ଆସିଲା ? ମାଧଵ ଅଥୟ ହୋଇ ପଚାରିଲା !

ଭଗିଆ କହିଲା ଶୁଣେ ସଂସ୍କୃତ ଭାଷାରେ ତେମନ ବୋଲି ଶବ୍ଦଟିଏ ଅଛି। ତିମ୍ ଧାତୁରୁ ଭାଵାର୍ଥେ ଆର୍ଦ୍ର କରିଵା ଅର୍ଥରେ ଲ୍ୟୂଟ ପ୍ରତ୍ୟୟ(ଅନ) ଯୁକ୍ତ କରି ତେମନ ଶବ୍ଦ ନିଷ୍ପନ୍ନ କରାଯାଇଛି। ଓଦା କରିଵା ଵା 
ଆର୍ଦ୍ରକରଣକୁ ତେମନ କୁହନ୍ତି,ଵ୍ୟଞ୍ଜନକୁ ତେମନ କୁହନ୍ତି ,ରନ୍ଧା ଯାଇଥିଵା ଖାଦ୍ୟକୁ ବି ତେମନ କୁହାଯାଏ। ଏଇ ତେମନ ଶବ୍ଦଟି ଓଡ଼ିଆ ଭାଷାରେ ତିଅଣ ରୂପରେ ଚଳୁଅଛି । ସେହିପରି ଅଣ ଶବ୍ଦଟି ତିଅଣରୁ ଆସିନାହିଁ ଵରଂ ଏହା ପ୍ରାକୃତ ମୂଳର ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଅଟେ । ପ୍ରାଚୀନ କାଳରେ ଭାରତରେ ଜଳକୁ ଅନସ୍,ଅର୍ଣ୍ଣସ୍ ଓ ଅଣ୍ଣ କୁହାଯାଉଥିଲା। ଜଳ ଅର୍ଥଜ ପ୍ରାକୃତ ଅଣ୍ଣ ଶବ୍ଦଟି କାଳକ୍ରମେ ଓଡ଼ିଆ ଭାଷାରେ ତିଅଣର ଜଳୀୟ ଅଂଶ ଅର୍ଥରେ ପ୍ରୟୋଗ ହେଉଅଛି ।

ଉତ୍ତର ଶୁଣି ମାଧଵ ଆହୁରି କ'ଣ ପଚାରିଵ ବୋଲି ଉଦ୍ୟତ ହୁଅନ୍ତେ ଭଗିଆ ତାକୁ ପୁଣି କେବେ ଭେଟିଲେ କଥା ହେଵା କହି ସେଠାରୁ ଚାଲିଗଲା...

 

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...