Showing posts with label ଢଗଢମାଳି. Show all posts
Showing posts with label ଢଗଢମାଳି. Show all posts

Sunday, May 9, 2021

ଆମ୍ବ, ହାଡ଼ି ଓ ଡମ

ପଶ୍ଚିମ ଓଡ଼ିଶାରେ ଢଗଟିଏ ଚଳୁଅଛି

“ଆମଗଛେ ଡ଼ମ୍ ରଜା
ଆମ ସରିଗଲେ ଟିମକି ବଜା”

ଠିକ୍ ସେହିପରି ପୂର୍ଵାଞ୍ଚଳରେ ସମ ଅର୍ଥରେ ଢଗଟିଏ ଚଳୁଅଛି

“ଆମ୍ବ କାଳେ ହାଡି଼ ରଜା
ଆମ୍ବ ସରିଗଲେ ବାଇଦ ବଜା”

ତେବେ ଏହି ଅର୍ଥରେ ଓଡ଼ିଶାରେ ଅନେକ ସମାର୍ଥକ ଢଗ ମିଳେ ଯଥା

(କ)ଆମ୍ବ କାଳେ ହାଡ଼ିକୁ ଜୁହାର
ଅର୍ଥାତ୍ ଵିପଦରେ ପଡି଼ଲେ ଗଧପାଦ ବି ଧରିଵାକୁ ହୁଏ ସହିତ ଏହା ସମାନ କଥା

(ଖ)ଆମ୍ବ ପାଚିଲେ ଡମ୍ବ ରାଜା,
ନଈ ବଢ଼ିଲେ କେଉଟ ରଜା |

ଆମ୍ବ ପାଚିଲେ ଡମ୍ବ  ଜାତୀୟ ଲୋକେ ବଗିଚା ଜଗିଵାର କାମ ପାଉଥିଲେ । ସେହିପରି ନଈବଢ଼ିରେ କେଉଟମାନଙ୍କର ଭଲ ରୋଜଗାର ହେଉଥିଲା ।

ଆମ ଦେଶରେ ଉଭୟ ହାଡ଼ି ଓ ଡମ ଜାତି ପୂର୍ବେ ଢୋଲ ବାଜା ବଜାଉଥିଲେ  । ଡମ୍ବ ଵା ଡମମାନଙ୍କ ନାମର ସମ୍ପର୍କ ଡମ୍ ଧାତୁ ସହିତ ରହିଛି ଏଵଂ ଏହି ଧାତୁରୁ ଶିଵଙ୍କ ଡମ୍ବରୁ ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହି ହାଡ଼ି ଜାତିରେ ଅନେକ ଵିଜ୍ଞ ଵିଦ୍ଵାନ ଜନ୍ମ ଲଭିଥିଵାର ମଧ୍ୟ ଭାରତୀୟ ଵାଗ୍ମୟ ଶାସ୍ତ୍ରର ଵିଭିନ୍ନ କଥାରୁ ଜଣାଯାଏ । ବୌଦ୍ଧ ସିଦ୍ଧାଚାର୍ଯ୍ୟ ହାଡି଼ପା ତନ୍ମଧ୍ୟରେ କଳିଙ୍ଗ ଦେଶର ଜଣେ ପ୍ରଶିଦ୍ଧ ସାଧକ ହୋଇଅଛନ୍ତି ।

ଅଦ୍ୟପି ବହୁତ ଦିନ ଧରି ଏମାନଙ୍କୁ ଆମ ସମାଜରେ ଅସ୍ପୃଶ୍ୟ ଜାତି ଭାବେ ଅଭିହିତ କରାଯାଇଛି କିନ୍ତୁ ସମାଜର ଶତ ଶତ ଵର୍ଷଧରି ସେଵାକରି ସର୍ଵାଧିକ ଉପକାର କରିଛନ୍ତି ଏହି ଜାତୀୟ ଲୋକେ...

🔷ନଗର ଓ ଗ୍ରାମର ଧନୀକମାନଙ୍କ ଗୃହରୁ ମଳମୂତ୍ର ସଫା କରିଵା ଓ ନିର୍ଦ୍ଧିଷ୍ଟ ସ୍ଥାନରେ ନେଇ ଫୋଫାଡି଼ଵା

🔷ଵିଵାହାଦି ମଙ୍ଗଳ ଉତ୍ସଵରେ ବାଜା ବାଜା ବଜାଇଵା

🔷ଯେଉଁ ଵ୍ୟକ୍ତିର ଶଵ ଉଠାଇ ନେଵାକୁ କେହି ନ ଥାନ୍ତି ତାଙ୍କ ଶଵ ଉଠାଇଵା

🔷 ଶୂକର ଵା ଘୁଷୁରୀ ପାଳନ କରିଵା

🔷ତାଳ ଗଛରୁ ତାଳ କାଟିଵା ଓ ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଵା

🔷ହାଡିଆଣୀମାନେ ନଵଜାତ ଶିଶୁର ନାହିନାଡ଼ କାଟିଵା

🔷ସବାରି କାନ୍ଧିଆ ଭାବେ କାର୍ଯ୍ୟ ତୁଲାଇଵା

🔷ବାଉଁଶପାତିଆରେ କୁଲା, ବାଉଁଶିଆ, ଇତ୍ୟାଦି ବୁଣିଵା

ଆଦି ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ଯେଉଁମାନେ ପୂର୍ଵେ ହାଡି଼ମାନଙ୍କୁ କର୍ମ ଆଧାରରେ ନୀଚ ବୋଲି ଅଭିହିତ କରିଯାଇଛନ୍ତି ସେମାନେ ବି ପ୍ରତିଦିନ ଆପଣା ଟିରିକି ଧୋଉଥିଲେନ ଅର୍ଥାତ୍ ନିଜ ପିଚାରେ ପାଣି ଲଗେଇ ମଳ ସଫା କରୁଥିଲେ । ଏ ଦୃଷ୍ଟିରୁ ଆମେ ସମସ୍ତେ ଜଣେ ଜଣେ ହାଡ଼ି ନୁହେଁ କି ? ବାହା ହେଲାପରେ ପରିଵାର ରୂପକ ସଵାରୀକୁ ମଲାଯାଏଁ କାନ୍ଧେଇ ବୁଲୁଥିଵା ମଣିଷଟି ହାଡ଼ି ପଦଵାଚ୍ୟ ନୁହେଁ କି ? ଯେଉଁ ଡାକ୍ତରଟି ରୋଗୀଙ୍କ ମଳମୂତ୍ର ସଫାକରେ ସଦ୍ୟଜାତ ଶିଶୁର ନାହିନାଡ଼ କାଟେ ତାକୁ ବହୁତ ସମ୍ମାନ ମିଳୁଛି କିନ୍ତୁ ପୂର୍ଵେ ସେହି କାର୍ଯ୍ୟ କରି ବି ହାଡ଼ିମାନେ ଅନେକ ଅପମାନ ପାଉଥିଲେ । ଏଭଳି ପାତର ଅନ୍ତର କାହିଁକି ?

Thursday, May 6, 2021

ଜେନା ଓ ଜେନାଘର ଶବ୍ଦଦ୍ଵୟର ପ୍ରକୃତ ଅର୍ଥ କ'ଣ ?

ଢେଙ୍କାନାଳରେ ଢଗଟିଏ ଚଳୁଅଛି

ଜେନାଘର ଛେନାପିଠା
            ରାତି ପାହିଲେ ବାଡି଼ଆପିଟା”

ଯାଜପୁର ଜିଲ୍ଲାରେ ଏ ଢଗଟି ସାମାନ୍ୟ ଭିନ୍ନ ରୂପେ ଚଳୁଅଛି

ଜେନାଘର ଛେନାପାଣି
              ଖଣ୍ଡେ ଛେନାକୁ ଟଣାଟଣି”

ତେବେ ଏ ଉଭୟ ଢଗରେ ଵ୍ୟଵହୃତ ଜେନା ଵା ଜେନାଘରର ପ୍ରକୃତ ଅର୍ଥ କ'ଣ ହୋଇଥିଵ ?

ପ୍ରଥମେ ବୁଝିଵାକୁ ହେଵ ଏଠାରେ ଜେନା  ବୋଇଲେ କିଏ ?ପ୍ରକୃତରେ ରାଜପୁତ୍ରକୁ ଆମ ଭାଷାରେ ଜେନା କୁହାଯାଏ ।  ଏହି ଜେନା ଶବ୍ଦଟି ସଂସ୍କୃତର ଜି ଧାତୁ(ଜୟକରିଵା) ଓ ଜେତା(ଵିଜେତା) ଆଦି ତତ୍ସମ ଶବ୍ଦ ସହ ସମଦ୍ଧୃତ ଅଟଇ ।

କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ରାଜପୁତ୍ର ଅର୍ଥରେ  ଜେନା ଶବ୍ଦର ଵ୍ୟଵହାର କରିଛନ୍ତି ।

“ଏହିରୂପେ ତୁମ୍ଭର ଦୁଃଶାସନ ଜେନା”
(ଵନପର୍ଵ,କୃଷ୍ଣ ମହାଭାରତ)

ସେହିପରି ଜେନାମଣି ଶବ୍ଦ ମଧ୍ୟ ରାଜପୁତ୍ର ତଥା ଯୁଵରାଜ ଅର୍ଥରେ ଆମ ଭାଷାରେ ଏହି କଵିଙ୍କ ଦ୍ଵାରା ତାଙ୍କ ମହାଭାରତ ଗ୍ରନ୍ଥରେ ପ୍ରୟୋଗ କରାଯାଇଛି ।

“ଅରଜୁନଙ୍କୁ ଦୁଃଶାସନ ଜେନାମଣି
ତୁମ୍ଭର ଆଗୁଳି ବିନ୍ଧିଲେ ଶରଶ୍ରେଣୀ
(ଭୀଷ୍ମ ପର୍ଵ, କୃଷ୍ଣ ମହାଭାରତ)

କ୍ଷତ୍ରିୟ, ଖଣ୍ଡାୟତ ତଥା ଵିଭିନ୍ନ ଜାତିର ଯୋଦ୍ଧାମାନଙ୍କର ଵଂଶଧର  ଏହି ଜେନା ଶବ୍ଦକୁ ଆପଣା ଉପନାମ ଭାବେ ଵ୍ୟଵହାର କରି ସ୍ବୟଂକୁ ରାଜପୁତ୍ର ପରିଚୟ ଦେଇଛନ୍ତି । ଆଜି ଖଣ୍ଡାୟତ,ଵୈଶ୍ୟ ଓ ଶୂଦ୍ରମାନଙ୍କ ମଧ୍ୟରେ ଜେନା ଓ ବଡ଼ଜେନା ଆଦି ଵଂଶୋପାଧି ଦୃଷ୍ଟିଗୋଚର ହୋଇଥାଏ । ମେଦିନୀପୁରର ଜନ ଉପନାମ ବି ପ୍ରକୃତରେ ଜେନା ଉପନାମର ଏକ ଶବ୍ଦରୂପ ମାତ୍ର ଅଟଇ ।

ତାହେଲେ  ଢଗରେ  ଉଲ୍ଲେଖିତ ଜେନାଙ୍କ ଘର ଅର୍ଥାତ୍ ରାଜାଘର ହୋଇଥିଵା ସମ୍ଭଵ ଆଉ ରାଜାଘରେ ଛେନାପିଠା କୁହାଯିଵାର ତାତ୍ପର୍ଯ୍ୟ ଆଡ଼ମ୍ବରପୂର୍ଣ୍ଣ ଵିଳାସ ଵ୍ୟସନର ଜୀଵନ ହୋଇଥାଇପାରେ । ରାଜାଘରେ ଛେନାପିଠା ସୁଲଭ କିନ୍ତୁ ସେଠି ରାତିପାହିଲେ ବାଡି଼ଆପିଟା ଲାଗିଯିଵାର ମଧ୍ୟ ସମ୍ଭାଵନା ରହିଛି ।

ରାଜ ଉଆସକୁ ରାଜା ଓ ତାଙ୍କ ପରିଵାରକୁ ଗୃହଶତ୍ରୁ ଓ ଵାହ୍ଯଶତ୍ରୁ ଉଭୟଙ୍କ ଆଡ଼ୁ ସବୁଵେଳେ ଵିପଦ ରହିଥାଏ । ଏଣୁ ଜେନାଘର ଵା ରାଜଉଆସରେ ଯେକୌଣସି ସମୟରେ ମଧ୍ୟ ଵିଵାଦ ସୃଷ୍ଟି ହୋଇପାରଇ ଵା ରାଜ ଉଆସ ଉପରକୁ ଵାହ୍ୟଶତ୍ରୁର ଆକ୍ରମଣ ମଧ୍ୟ ହୋଇପାରେ ।

ପୁନଶ୍ଚ ଓଡ଼ିଆ ଭାଷାରେ ପ୍ରଵଚନ ଵାକ୍ୟ ରହିଛି “ଝିମିଟି ଖେଳରୁ ମହାଭାରତ” ! ପାଣ୍ଡଵ କୌରଵମାନେ ସର୍ଵେ ଜେନା ଵା ରାଜପୁତ୍ର ଥିଲେ ଏଵଂ ଗୃହକଳହ ଘଟିଵା ପୂର୍ଵରୁ ଛେନାପିଠା ରୂପକ ଵିଳାସ ଵ୍ୟସନକୁ ମହା ଆନନ୍ଦରେ ଭୋଗ କରୁଥିଲେ । ତେବେ ଯେଉଁଦିନ ତାଙ୍କ ମଧ୍ୟରେ ଵିଵାଦ ଦେଖାଦେଲା ସେମାନଙ୍କ ବାଡି଼ଆପିଟା ସମୟକ୍ରମେ ମହାଭାରତ ଯୁଦ୍ଧରେ ପରିଣତ ହେଲା ।

ତେଣୁ ଏହା ସ୍ପଷ୍ଟ ହୁଏ ଯେ ଜେନାଘରେ ଵା ରାଜଘରେ ଛେନାପିଠାର ଅଭାଵ ନଥାଏ କିନ୍ତୁ ଅନିଶ୍ଚିତ କାଳେ ବାଡି଼ଆପିଟା ବି ହୋଇଯାଏ ।

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...