ଏହି ନିଦର୍ଶନାଳଙ୍କାର ଦ୍ୱିଵିଧ ଯଥା—ସମ୍ଭଵଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ଓ ଅସମ୍ଭଵଦ୍ବସ୍ତୁସମ୍ବନ୍ଧ ନିଦର୍ଶନା।
ଯେଉଁଠାରେ ପ୍ରସ୍ତୁତ ପଦାର୍ଥର ଵର୍ଣ୍ଣନାରେ ଅପ୍ରସ୍ତୁତ ପଦାର୍ଥର ଗୁଣ ଓ କ୍ରିୟାଦି ତୁଲ୍ୟରୂପେ ଜ୍ଞାପିତ ହୁଏ, ସେଠାରେ ସମ୍ଭଵଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ହୁଏ।
ଯଥା—
“ପରପୀଡ଼ାକାରୀ କେଉଁ ଜନ ଏ ସଂସାରେ ଚିରଦିନ ସୁଖଭୋଗ କରିଣ ନ ପାରେ; ଜଣାଇ ଏ ଭାବ ସନ୍ଧ୍ୟା ମୁଖେ ଦିବାକର ଆଶ୍ରୟ କରନ୍ତି ଅସ୍ତ ପର୍ବତଶିଖର।”
ଯେଉଁଠାରେ ଯଥାଶ୍ରୁତ ଅର୍ଥର ଅନ୍ୱୟ ଅସମ୍ଭଵ ଦେଖି ଗୋଟିଏ ଉପମା କଳ୍ପନା କରାଯାଏ ସେଠାରେ ଅସମ୍ଭଵଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ହୁଏ।
ଯଥା—
„ରବିକରେ ଦର ଫୁଲ୍ଲଅରଵିନ୍ଦେ ଯେଉଁ ଆଭା କରେ କ୍ରୀଡ଼ା ସେ ଆଭା ସଘନେ ଵ୍ରୀଡ଼ାଵତୀ ଗଣ୍ଡେ ବୋଳି ଦେଇଥିଲା ଵ୍ରୀଡ଼ା”(ରାଧାନାଥ, ଯଯାତିକୋଶରୀ)
ନିଦର୍ଶନା ଓ ଦୃଷ୍ଟାନ୍ତର ଭେଦ—
ନିଦର୍ଶନାରେ ଉପମାନ ଓ ଉପମେୟର ଵିମ୍ବ ପ୍ରତିଵିମ୍ବ ଭାବ ଵ୍ୟତୀତ ଵାକ୍ୟାର୍ଥ ପର୍ଯ୍ୟଵେସିତ ହୁଏ ନାହିଁ; ମାତ୍ର ଦୃଷ୍ଟାନ୍ତରରେ ସାମର୍ଥ୍ୟଵଶତଃ ପର୍ଯ୍ୟଵେସିତ ଵାକ୍ୟାର୍ଥଦ୍ୱାରା ଵିମ୍ବ ପ୍ରତିଵିମ୍ବ ଭାବ ପ୍ରତ୍ୟାନୀତ ହୁଏ । (କୁଳମଣି .ଅଳଙ୍କାରତରଙ୍ଗିଣୀ)
ଯେଉଁ ଅଳଙ୍କାରରେ ପରି, ତୁଲ୍ୟ ସଦୃଶ ଆଦି ଶବ୍ଦର ପ୍ରୟୋଗ ନ କରି ପ୍ରସଙ୍ଗ ଵିଷୟକୁ ଅନ୍ୟ ସମ୍ଭଵ ଵା ଅସମ୍ଭଵ ଵିଷୟର ନିଦର୍ଶନଦ୍ୱାରା ଵାକ୍ୟାର୍ଥ ସମାପ୍ତ ହେଵା ପୂର୍ଵରୁ ଵିମ୍ବ ପ୍ରତିଵିମ୍ବ ଭାବଦ୍ୱାରା ବୁଝାଇ ଦିଆଯାଏ ତାହାକୁ ନିଦର୍ଶନା ଅଳଙ୍କାର ବୋଲା ଯାଏ।
କିନ୍ତୁ ଯଦି ଏହା ଏକାଧିକ ଵାକ୍ୟରେ ବୁଝାଇ ଦିଆଯାଏ ତେବେ ଦୃଷ୍ଟାନ୍ତ ଅଳଙ୍କାର ହୁଏ। ପ୍ରତିଵସ୍ତୁପମା, ଦୃଷ୍ଟାନ୍ତ ଓ ନିଦର୍ଶନା ଏ ତିନିଗୋଟି ଅଳଙ୍କାର ଏକଜାତୀୟ ।
କାଳିଦାସ ରଘୁବଂଶ କାଵ୍ୟର ପ୍ରଥମ ସର୍ଗ ୨ୟ ଶ୍ଲୋକରେ କହିଅଛନ୍ତି
'କାହୁଁ ସୂର୍ଯ୍ୟପ୍ରଭବ ରଘୁବଂଶ? କାହିଁ ବା ମୋର ସ୍ୱଳ୍ପ ବୁଦ୍ଧି? ମୋହ ବଶତଃ ମୁଁ ଭେଳାଦ୍ୱାରା ଦୁସ୍ତର ସାଗର ପାର ହେଵାକୁ ଇଚ୍ଛା କରୁଅଛି ସିନା।'
ଏଠାରେ କାଳିଦାସଙ୍କ ରଘୁବଂଶ ଵର୍ଣ୍ଣନେଚ୍ଛା ଓ ଭେଳାଧାରୀ ଵ୍ୟକ୍ତିର ସମୁଦ୍ରତରଣେଚ୍ଛା ଏହି ଦୁଇ ବିଷୟର ସାମ୍ୟ ଵିମ୍ବାନୁଵିମ୍ବଭାବରେ ପ୍ରଣିଧାନଯୋଗ୍ୟ ଥିଵାରୁ ଏଠାରେ ନିଦର୍ଶନା ଅଳଙ୍କାର ହୋଇଅଛି ।
*****************