Showing posts with label ଭାଷା. Show all posts
Showing posts with label ଭାଷା. Show all posts

Saturday, March 23, 2019

ଠିକ ଓ ଠିକ୍


ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି......
ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ ଓ ଠିକ୍ ଏ ଉଭୟ ଶବ୍ଦ ସହଜରେ ବାରିହୋଇପଡନ୍ତି
କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।
ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’  ରେ ହର୍ସ୍ଵ ଇ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ଈକାର ହୋଇ ठीक ଲେଖା ଯାଇଥାଏ ।
ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।
ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ ଓ ଠିକ୍ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।
→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା.....
●୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି;ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
●୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି;ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
●୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता  ଵା तुम्हारे लिये कहना ठीक नहीं है )
●୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
●୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ   ନାହିଁ)
●୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
●୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
●୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
●୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
●୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
●୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା;ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
●୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
●୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
●୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା;ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
●୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
●୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
●୧୭.ସୁବ୍ୟବସ୍ଥିତ — ୧୭
ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ ....
ଯଥା:::::-
■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
●୧. ସତ୍ୟରେ; ସତେ ସତେ
●୨. ସମ୍ପୂର୍ଣ୍ଣରୂପେ
●୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
●୪. ନିୟମିତରୂପେ
●୫. ପ୍ରକୃତିରେ
●୬. ଅବିକଳ
●୭. ନ୍ୟାୟତଃ
●୮. ଅବିକଳ
●୯. ଉପଯୁକ୍ତରୂପେ
●୧୦. ଅଭ୍ରାନ୍ତରୂପେ
●୧୧. କ୍ଷଣମାତ୍ର ଆଗପଛ ନକରି
●୧୨. ସମାନଭାବରେ
●୧୩. ସୁନ୍ଦରଭାବରେ
ସେହିପରି
ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।
ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର  ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି.......
ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ.....
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି   ସେଗୁଡ଼ିକ ହେଲା―
କ→ନିଶ୍ଚୟ
ଖ→ସମଷ୍ଟି
(ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ―କୃଷ୍ଣଚନ୍ଦ୍ର ମହାଭାରତ)
ଗ→ସ୍ଥିରତା
ଘ→ସାରକଥା;ସଂକ୍ଷିପ୍ତ
(ଯେତେ କହିଲ ଵେଦ ଠିକ―ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)
ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି-
ଯଥା―
କ―ସାର;ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ―ସୁନ୍ଦର; ମନୋହର
(ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି !―କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
(ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ―କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)
ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ....
➡ଦୁଃଖର ଵିଷୟ ଆଜିକାଲି
ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ
ଦୁଇଗୋ ଦୋଷ କରୁଅଛନ୍ତି
୧―ଅନେକ ଲୋକ ଠିକ ଓ ଠିକ୍ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ  ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ
ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି....
୨―ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି......

ଅଵ୍ୟୟ


★::::::: ଅଵ୍ୟୟ ଶବ୍ଦର ଶାବ୍ଦିକ ଅର୍ଥ :::::::★
ଯାହା ଵ୍ୟୟ ହୁଏନାହିଁ(lndeclinable words,not liable to change) ତାହା ଅଵ୍ୟୟ ଅଟେ
    ★:::::::::ଅଵ୍ୟୟର ସଂଜ୍ଞା ::::::::::★
ଵ୍ୟାକରଣରେ ଯାହାର ପ୍ରୟୋଗ ସବୁ ଲିଙ୍ଗ, ସମସ୍ତ ଵିଭକ୍ତି ଓ ସବୁ ଵଚନରେ ସମାନ ରୂପେ ହୋଇଥାଏ.......
【•】ଏହାର ଲିଙ୍ଗ, ଵଚନ, ପୁରୁଷ, କାରକ ଓ କାଳ ଇତ୍ୟାଦି ଯୋଗୁଁ କୌଣସି ପରିଵର୍ତ୍ତନ ପରିଲକ୍ଷିତ ହୁଏନାହିଁ
【•】ଯେକୌଣସି ସ୍ଥିତିରେ ସୁଦ୍ଧା ଆପଣା ମୂଳରୂପ ଧାରଣ ପୂର୍ଵକ ରହିଥାନ୍ତି
【•】ରୂପାନ୍ତର ହୁଏ ନାହିଁ ତେଣୁ ଅଵିକାରୀ ପରିଗଣିତ ହୋଇଥାନ୍ତି 
【•】ଅଵ୍ୟୟର ସଂଜ୍ଞା ନିରୂପଣ କରିବାକୁ ହେତୁରୁ ଏକ ଶ୍ଲୋକ ରହିଛି
“ସଦୃଶଂ ତ୍ରିଷୁ ଲିଙ୍ଗେଷୁ ସର୍ଵାଷୁ ଚ ଵିଭକ୍ତିଷୁ ।
ଵଚନେଷୁ ଚ ସର୍ଵେଷଃ ଯନ୍ନଵ୍ୟେତି ତଦଵ୍ୟୟଂ ।।
【•】ସବୁପ୍ରକାରର ଉପସର୍ଗ, ଵିସ୍ମୟସୂଚକ ଶବ୍ଦ, ସମ୍ବୋଧନ ସୂଚକ ଶବ୍ଦ,ଧ୍ଵନ୍ୟାତ୍ମକ ଶବ୍ଦ ମାନ ଅଵ୍ୟୟ ପଦଵାଚ୍ୟ ହୋଇଥାନ୍ତି ।”
  ★::::::: ଅଵ୍ୟୟର ପ୍ରକାର ଭେଦ :::::::★
→ଅଵ୍ୟୟ ମୁଖ୍ୟତଃ ପାଞ୍ଚ ପ୍ରକାରର........
●୧●―କ୍ରିୟା ଵିଶେଷଣ―●୧●
ଯେଉଁ ଵିଶେଷଣମାନ କ୍ରିୟାର ଵିଶେଷତା ପ୍ରକାଶ କରନ୍ତି ତାହାକୁ କ୍ରିୟା ଵିଶେଷଣ ଅଵ୍ୟୟ କୁହାଯାଏ......
       ★::::: ଏହା ଚାରିପ୍ରକାରର :::::★
【■】(କ)କାଳଵାଚକ କ୍ରାୟାଵିଶେଷଣ:
―ଯେଉଁ ଅଵ୍ୟୟ ଗୁଡି଼କ ଦ୍ଵାରା କାଳସମ୍ଵନ୍ଧୀ କ୍ରିୟାର ଵିଶେଷତା ବୋଧ ହୋଇଥାଏ
ଉଦାହରଣ ସ୍ୱରୂପ:-ଆଜି, କାଲି, ପରଦିନ, ଯେବେ, ତେବେ, ଏବେ ଇତ୍ୟାଦି
【■】(ଖ) ସ୍ଥାନଵାଚକ କ୍ରିୟା ଵିଶେଷଣ:
―ଯେଉଁ କ୍ରିୟା ଵିଶେଷଣ ଅଵ୍ୟୟ କ୍ରିୟାର ହେବା / ନ ହେବାର ସ୍ଥାନ ବୋଧ କରାଇଥାଏ ।
ଉଦାହରଣ ସ୍ୱରୂପ ― ଏଠି, ସେଠି, ଏପଟେ, ସେପଟେ, ଆଗରେ, ପଛରେ, ସାମ୍ନାରେ, ଇଆଡେ଼, ସିଆଡେ଼, ଏକାନି, ସେକାନି ଇତ୍ୟାଦି
【■】(ଗ)ପରିମାଣଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
- ଯେଉଁ ଅଵ୍ୟୟ ଦ୍ଵାରା କ୍ରିୟାର ପରିମାଣ/ମାତ୍ରା ଆଦି ଵିଶେଷତାର ବୋଧ ହୋଇଥାଏ
-ଟିକେ, କିଛି, ଅଧିକ, ଅଳ୍ପ, କେଵଳ ଇତ୍ୟାଦି
【■】(ଘ)ରୀତିଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
ଏହି ଅଵ୍ୟୟ ଗୁଡିକ ଦ୍ଵାରା କ୍ରିୟା ର ଢଙ୍ଗ ଜଣାପଡି଼ଥାଏ
ଜ଼ୋର୍ ରେ, ଧୀରେ ଧୀରେ, ଏମିତି, ସହସା, ନାହିଁ, କେମିତି, ସେମିତି, ଯେମିତି ଇତ୍ୟାଦି
●୨●―ସମ୍ଵନ୍ଧବୋଧକ ଅଵ୍ୟୟ―●୨●
―ଯେଉଁ ଅଵିକାରୀ ଶବ୍ଦ ସଂଜ୍ଞା ଅଥଵା ସର୍ଵନାମ ଶବ୍ଦ ସହିତ ଯୋଡି଼ହୋଇ ଅନ୍ୟ ଶବ୍ଦ ସହିତ ସେମାନଙ୍କ ସମ୍ପର୍କ ପ୍ରକାଶ କରନ୍ତି ସେହି ଅଵ୍ୟୟ ଗୁଡି଼କୁ ସମ୍ଵନ୍ଧବୋଧକ ଅଵ୍ୟୟ କୁହାଯାଏ ।
ପରେ, ଉପରେ, କାରଣେ, ନେଇ, ଯାଏଁ, ଅନୁସାରେ, ଭିତରେ, ପାଇଁ, ବିନା ଇତ୍ୟାଦି
●୩●―ସମୁଚ୍ଚୟବୋଧକ ଅଵ୍ୟୟ―●୩●
―ଦୁଇଟି ଶବ୍ଦ, ଵାକ୍ୟାଂଶ ଵା ଵାକ୍ୟକୁ ପରସ୍ପର ସହ ଯୋଡୁ଼ଥିବା ଅଵିକାରୀ ଶବ୍ଦ  ଗୁଡି଼କୁ ସମୁଚ୍ଚୟବୋଧକ ଅଵ୍ୟୟ କୁହାଯାଏ ।
ଯେ, ଆଦି, ଏବଂ, ଓ, ଅଥଵା, ଅର୍ଥାତ୍, ଏଥିପାଇଁ, କିନ୍ତୁ, ତଥାପି, ଯେହେତୁ ଇତ୍ୟାଦି l
●୪●―ଵିସ୍ମୟାଦିବୋଧକ ଅଵ୍ୟୟ―●୪●
―ଯେଉଁ ଅଵିକାରୀ ଶବ୍ଦ ଆମ୍ଭ ମନର ହର୍ଷ, ଵିଷାଦ, ଘୃଣା, ପ୍ରଶଂସା, ଵିସ୍ମୟ ଆଦି ଭାଵ ଗୁଡି଼କୁ ଵ୍ୟକ୍ତ କରନ୍ତି ସେଗୁଡ଼ିକୁ ଵିସ୍ମୟାଦିବୋଧକ ଅଵ୍ୟୟ କୁହାଯାଏ ।
ଉଦାହରଣ ସ୍ୱରୂପ:::-
ଆ ! ଓ ! ହାୟ !  ହେ ! ଇତ୍ୟାଦି ....
        ●୫●―ନିପାତ―●୫●
―ଯେଉଁ ଅଵିକାରୀ ଶବ୍ଦ କୌଣସି ଶବ୍ଦ ଵା ପଦରେ ଯୋଡ଼ି ହେଲେ ତାହାର ଅର୍ଥରେ ଵିଶେଷ ପ୍ରକାରର ବଳ ବଢା଼ଇ ଦିଅନ୍ତି ସେଗୁଡି଼କୁ ନିପାତ ଅଵ୍ୟୟ ପଦ କୁହାଯାଏ ।
ହିଁ,ବି,ତ,ଯାଏଁ,କେଵଳ,ମାତ୍ର ଇତ୍ୟାଦି......!
●●●●●●●●●●●●●●●●
-------ଶାସ୍ତ୍ରୀୟ ସଂସ୍କୃତଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
ଅକସ୍ମାତ,ଅଗ୍ରତଃ,ଅଗ୍ରେ,ଅଜ୍ଞାନତଃ,ଅନ୍ତର୍,ଅତଃ,ଅତୀଵ,ଅତ୍ର,ଅଦ୍ୟ,ଅଧଃ,ଅଧୁନା,ଅନ୍ୟତ୍ର,ଅପି,ଅରେ,ଅଳମ୍,ଅଵଶ୍ୟମ୍,ଆମ୍,ଇତଃ,ଇତଃସ୍ଥତଃ,ଇଦାନୀମ୍,ଇଵ,ଇହ,ଉଚୈଃ,ଉଭୟତଃ,ଋତେ(ବିନା),ଏକତ୍ର,ଏକଦା,ଏଵ,ଏଵମ୍,କତି,କଥମ୍,କଥମପି,କଦା,କଦାଚିତ୍,କଶ୍ଚିତ୍,କିନ୍ତୁ,କିମ୍,କିମର୍ଥମ୍,କିଳ୍(ନିଶ୍ଚୟ),କୁତଃ,କୁତ୍ର,କୁତ୍ରଚିତ୍,କେଵଳମ୍,କ୍ଵଚିତ,ଖଳୁ(ନିଶ୍ଚୟ),ଚ,ଚେତ୍(ତ,ତେଣୁ)ନୋ ଚେତ୍(ନାହିଁ ତ),ଝଟତି,ତତଃ,ତଥା,ତଦର୍ଥମ୍,ତଦା,ତଦ୍ବତ୍,ତସ୍ମାତ୍,ତର୍ହି(ତେଣୁ),ତାଵତ୍(ଯାଏଁ),ତୁଷ୍ଣୀମ୍(ଚୁପ୍),ଦୂରମ୍,ଧିକ୍,ନ,ନନୁ,ନୁ,ନମଃ,ନାମ,ନୀଚୈଃ,ପରନ୍ତୁ, ପରଶ୍ଵଃ,ପରିତଃ,ପର୍ଯ୍ୟାପ୍ତମ୍,ପଶ୍ଚାତ୍,ପୁନଃ, ପୁରତଃ,ପୃଥକ୍,ପ୍ରତି,ପ୍ରତିଦିନମ୍,ପ୍ରାକ୍,ପ୍ରାତଃ,ବଲାତ୍,ବହିଃ,ଭୂୟଃ,ମା,ଯତ୍,ଯତଃ,ଯତ୍ର,ଯଥା,ତଥା,ଯଦା,ଯଦ୍ୟପି,ଯାଵତ୍,ଵା,ଵିନା,ଵିଶେଷତଃ, ଶନୈଃ,ଶୀଘ୍ରମ୍,ଶ୍ଵଃ,ସତତମ୍,ସଦା,ସତ୍ୟମ୍,ସମୀପମ୍,ସମୀଚୀନମ୍,ସମ୍ୟକ୍,ସର୍ଵତଃ,ସର୍ଵତ୍ର,ସର୍ଵଦା,ସହ,ସହିତମ୍,ସାକ୍ଷାତ୍,ସାମାନ୍ୟତଃ,ସାୟମ୍,ସ୍ଵୟମ୍,ହି,ହ୍ୟ.........
●●●●●●●●●●●●●●●●
-------କଳିଙ୍ଗ ଭାଷା/କୁଈ ଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
→ହୁଁ,ହାଁଆଁ(ହଁ)
→ଆ’ଏ(ନା)
→କି,କିଡା଼(କି ?)
→କା’ଏ(କି ନାହିଁ)
→ଏ(ଏଵଂ)
→ତଅଲେ(ସହିତ)
→ନୈଲେ(ନହେଲେ)
→ଯକା(ବି ମଧ୍ଯ)
→ମାତ୍ର(କିନ୍ତୁ)
→ଇଚେଏଁ(ଯଦି)
→ପତା,ପତ୍ତା(ପର୍ଯ୍ୟନ୍ତ)
→ଓଡେ଼,ଓଡ଼ନେଏ(ପୁନଶ୍ଚ)
→ଓଡେ଼ଏନି(ତଥାପି)
→ଆତେ(ହେଲା)
→ପିସାନା(ହିଁ)ଈ(ଛାଡ଼ି, ଛଡା଼)
→ଏଟ୍କେ,ଏଟ୍କେ(ଅନ୍ୟାନ୍ୟ)
→ଏଚି,ଏଚାକା,ଏଚଣା(କେତେ)
→ଇଚାକା,ଇଚଣ(ଏତିକି)
→ଏଚାକା(ସେତିକି)
→ଇଚି(ସାନ)
→କାଜ୍ଜା,କାଜ୍ଜାତାୟୁଁ(ବଡ଼)
→ଗାଟ୍ଟି,ଗାଟ୍ଟିଦିଁ(ବହୁତ)
→ନି’ଏ(ଏବେ,ବର୍ତ୍ତମାନ)
→ନିଞ୍ଜୁ(ଆଜି)
→ରେ’ଏନି,ରେ’ଏଲା(ଗତକାଲି)
→ଵି(ଓ୍ଵି)ଏ(ଆସନ୍ତାକାଲି)
→ମା’ଏ(ପହରଦିନ)

ଦେଶିଆ ଓଡ଼ିଆ ଶୈଳୀ ଓ କିଛି ନିଆରା ଶବ୍ଦ


ଦେଶିଆ ଓଡ଼ିଆ ଶୈଳୀ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଓଡ଼ିଆଭାଷା ଅଟେ । ବିଭିନ୍ନ ଜନଜାତୀୟ ଲୋକଙ୍କର ଏହା ଅବିଭକ୍ତ କୋରାପୁଟ ତଥା ଦକ୍ଷିଣ ଓଡ଼ିଶାରେ(ପ୍ରାଚୀନ କଳିଙ୍ଗର) ଏକପ୍ରକାରର ଜନସଂପର୍କର ଭାଷାଶୈଳୀ ଅଟେ । ଏହି ଦେଶିଆ ଓଡ଼ିଆ ଶୈଳୀ ଦ୍ବାରା ଆମ ସମ୍ବଲପୁରୀ ଶୈଳୀ ବହୁମାତ୍ରାରେ ପ୍ରଭାବିତ ! ନିମ୍ନରେ ଦେଶିଆ ଓଡ଼ିଆ ଶୈଳୀର କିଛି ନିଆରା ଶବ୍ଦ ଉଲ୍ଲେଖ କରାଗଲା -
 (କ)ଅଖ-ଇରୁଷୁ
 (ଖ)ଅଟ୍ଟାଳିକା-ମେଡ଼ଘର
 (ଗ)ଅନାଥ-ଟୁରା
 (ଘ)ଆଖୁ-ଡାଣ୍ଡା
 (ଙ)ଉଇ-ଉଲମା 
(ଚ)ଉର୍ବର-ଉଶାସ୍
 (ଛ)ଓଠ-ଚଣ୍ଡି,ଥମ୍ନି(ଥୋମଣୀ)
 (ଜ)ଓଧ-ବାୟଁକା
 (ଝ)କଜଳପାତି-ଘଲିଆ
 (ଞ)କଢ଼-ତୁଣ୍ଡି
 (ଟ)କପୋତ-ପାଣ୍ଡକା
 (ଠ)କମ୍ବଳ-ରାଗୁ
 (ଡ)କାଣ୍ଡ-ଖେନ୍ଦା(କେଣ୍ଡା)
 (ଢ)କୋଇଲି-କୁମାଟି 
(ଣ)କୋକିଶିଆଳ-କେଣ୍ଡରା,କୁଲିଆ(କୁଲ୍ହିଆ)
 (ତ)ଖୁଡ଼ି-ନିନିମା 
(ଥ)ଖୁସି-ସାର୍'ଦା 
(ଦ)ଗାଡ଼ିଆ-ଡବରା 
(ଧ)ଗୁଳଗୁଳି-ଘୁମାଘୁମା 
(ନ)ଗେଣ୍ଡା-ଗୁଲି 
(ପ)ଗୋଧି-ଗିରନା
 (ଫ)ଘଟ-ପାତଲି(ଜଗନ୍ନାଥଙ୍କ ପାତଳି ? )
 (ବ-B)ଘାଇଲା-କାବରା(ଖାବରା)
(ଭ)ଚାକର-କାବାଡ଼ି 
 (ମ)ଚାଖଣ୍ଡ-ବିତା
 (ଯ)ଠେକୁଆ-ଖାରା[ଡ଼ା]
(ୟ)ଥଳି-ମୁନା(ମୁଣା)
 (ର)ଦାଆ-ଇଲା 
(ଲ)ନିମନ୍ତ୍ରଣ-ନିଉତା
 (ଳ)ସୈନିକ-ପାଇକ୍
 (ବ-V)ପ୍ରହରି-ପାଉରା
 (ୱ)ପଥର-ପଗଡ଼ି(ପ=ବ/ବଡ଼ ଓ ଗଡ଼ି=ଗୋଡ଼ି ?)
 (ଶ)ପାହାଡ଼-ପାବ୍'ଲି 
(ଷ)ପଦ୍ମ-ପୁରନି,ପଦୁଅ 
(ହ)ବଧିର-ବଇରା ... (କ୍ରମଶଃ)

ଭାଷା logos language


ଭାଷା ଆମକୁ ପରସ୍ପର ସହିତ ଯୋଡ଼ି ରଖିଛି । ଭାଷାର ବହୁବିଧ ଶକ୍ତିକୁ ଉପଲବ୍ଧି କରି ହିଁ ବେଦରେ ଏହାକୁ ଈଶ୍ବରଦତ୍ତ କୁହାଯାଇଛି ! ଭାଷା ଶବ୍ଦର ନିରୁକ୍ତି=>ଭାଷ୍ ଧାତୁ+ଆ ପ୍ରତ୍ଯୟ ---ବ୍ଯକ୍ତବାଣୀ ! ଭାଷ୍ଯତେ ବ୍ଯକ୍ତ ବାଗ୍ ରୂପେଣ ଅଭିବ୍ଯଜ୍ଯତେ ଇତି ଭାଷା ଅର୍ଥାତ୍ ବ୍ଯକ୍ତବାଗ୍ ରୂପରେ ଯାହାର ଅଭିବ୍ଯକ୍ତି କରାଯାଏ ତାହା ଭାଷା । 
କପିଳମୁନିଙ୍କ ମତରେ
 "ସ୍ଫୁଟବାକ୍କରଣୋପାତ୍ତୋ ଭାବାଭିବ୍ଯକ୍ତିସାଧକଃ | 
ସଂକେତିତୋ ଧ୍ବନିବ୍ରାତଃ ଭାଶେତ୍ଯୁଚ୍ଯତେ ବୁଧୈଃ ||" 

ଏହି ପରିଭାଷାରେ ଭାଷାର ଚାରୋଟି ଲକ୍ଷଣ ସ୍ପଷ୍ଟ କରିଦିଆଯାଇଛି ଯଥା:- 
ବାକ୍(ବାଣୀ)କୁ ସ୍ଫୁଟ କରିବାର ଶକ୍ତି,ଭାବକୁ ବ୍ଯକ୍ତ କରିବାର ସାମର୍ଥ୍ଯ,ବାଗ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ବନିସମୂହ ଓ ଏଗୁଡ଼ିକର ସାଂକେତିକତା ! 

ଭାଷାର ଗ୍ରୀକ ପ୍ରତିଶବ୍ଦ ହେଉଛି lo'gos ଏବଂ ଏହାର ଅର୍ଥ ଚିନ୍ତାଶକ୍ତି ଓ ଜ୍ଞାନ । ଭାଷା ଦ୍ବାରା ହିଁ ଜଣେ ନିଜର ବିଚାର ଓ ଜଣାକଥା ବାଣ୍ଟେ ।

 ଇଂରାଜୀର language ଶବ୍ଦର ମୂଳ ହେଉଛି ଲାଟିନ୍ ଶବ୍ଦ lingua ଯାହାର ଆକ୍ଷରିକ ଅର୍ଥ ହେଲା ଜିହ୍ବା !

 ଜିହ୍ବା ହେଉଛି ଧ୍ବନି ଊତ୍ପାଦନକ୍ଷମ ମନୁଷ୍ଯର ବାଗ୍ ଯନ୍ତ୍ର ର ଶ୍ରେଷ୍ଠ ଅଂଶ ! ତେଣୁ LANGUAGE ଶବ୍ଦ ସୂଚିତ କରିଥାଏ ଯେ ଭାଷା ସୃଷ୍ଟିର ମୂଳରେ ମନୁଷ୍ଯର ବାଗ୍ ଯନ୍ତ୍ରର ଭୂମିକା ରହିଛି। ©ଶବ୍ଦଭେଦ

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...