Showing posts with label ଶବ୍ଦ ବିଶ୍ଳେଷଣ. Show all posts
Showing posts with label ଶବ୍ଦ ବିଶ୍ଳେଷଣ. Show all posts

Monday, February 19, 2024

ଶାଳାଵୃକ ଶବ୍ଦର ମର୍କଟ ଵା ଵାନର ଅର୍ଥଟି ଠିକ୍ ନା ଭୁଲ୍ ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସଂସ୍କୃତ କଳ୍ପଦ୍ରୁମ ଇତ୍ୟାଦିରେ ଶାଳାମୃଗ ଓ ଶାଳାଵୃକ ଶବ୍ଦର ଗୋଟିଏ ଅର୍ଥ 
ମର୍କଟ ଵା ଵାନର ଲେଖାଅଛି । ନିକଟରେ ଦୁଇ ପକ୍ଷଙ୍କ ମଧ୍ୟରେ 'ଶାଳାଵୃକ' ଶବ୍ଦର ମର୍କଟ ଵା ଵାନର ଅର୍ଥକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଘମାଘୋଟ ତର୍କ ଵିତର୍କ ହୋଇଗଲା । ଗୋଟିଏ ପକ୍ଷ ଏହି ଶାଳାଵୃକ ଶବ୍ଦଟି ଠିକ୍ କହୁଥିଵାବେଳେ ଆଉ ଗୋଟିଏ ପକ୍ଷ ଏହା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଏକ ଭୁଲ୍ ଶବ୍ଦ ବୋଲି ମତ ଦେଇ ନିଜ ମତରେ ଅଟଳ ରହିଲା । ତେବେ ଏହି ଵିତର୍କର ସମାଧାନ କରିଵାକୁ ହେଲେ ପ୍ରଥମେ ଵୃକ ଓ ଶାଳା ଶବ୍ଦକୁ ଜାଣିଵାକୁ ହେଵ । ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ 
'ଵୃକ' ଏକ ଅତି ପ୍ରାଚୀନ ଭାରୋପୀୟ ଶବ୍ଦ ବୋଲି ସହଜେ ଗୃହୀତ ହୋଇସାରିଛି । ପ୍ରାଚୀନ ୟୁରେସିଆରେ ଏ ଶବ୍ଦର ମୂଳ ରୂପ wĺ̥kʷos ଥିଵା ଆଧୁନିକ ଭାଷାଵିଦମାନେ ଵିଭିନ୍ନ ଭାରୋପୀୟ ଭାଷାଗୁଡ଼ିକର ଅନୁଶୀଳନ ପରେ ଅନୁମାନ କରିଅଛନ୍ତି । ଏହାର ଅନ୍ୟତମ ଆନୁମାନିକ ରୂପ *lúkʷos ମଧ୍ୟ ଆଧୁନିକ ଭାଷାଵିଦମାନଙ୍କ ଦ୍ଵାରା ଗୃହୀତ ହୋଇଛି । wĺ̥kʷos ଓ *lúkʷosର ମୂଳ ଅର୍ଥ 'ଶୃଗାଳ' ଥିଲା ବୋଲି ଆଧୁନିକ ଭାଷାଵିଦମାନଙ୍କ ମତ । ପରେ ଵିଭିନ୍ନ ଭାଷାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷos ଶବ୍ଦରୁ ନାନା ଶବ୍ଦ ଵିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି । ଋକଵେଦରେ ଵୃକ ଶବ୍ଦଟି ଵିଶେଷତଃ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଇଛି । ପରଵର୍ତ୍ତୀ କାଳର ସଂସ୍କୃତ ତଥା ଦେଶୀୟ ସାହିତ୍ୟରେ 'ଵୃକ' ଶବ୍ଦ ଏହାର ସଂସ୍କୃତ ନିରୁକ୍ତି ଆଧାରରେ ନାନା ଅର୍ଥରେ ପ୍ରୟୋଗ କରାଗଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତ ଵୃକ ଶବ୍ଦର ଦୁଇଗୋଟି ନିରୁକ୍ତି ମଧ୍ୟରେ ଗୋଟିଏ ହେଲା ଵୃକ୍ ଧାତୁ ଓ ଅନ୍ୟଟି ଵୃ ଧାତୁ । ଵୃକ୍ ଧାତୁରୁ ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ସେହିପରି ଵୃ ଧାତୁରୁ ଆଵରଣ କରିଵା,ବାଛିଵା, ପସନ୍ଦ କରିଵା,ପ୍ରାର୍ଥନା କରିଵା,ପୋଷଣ କରିଵା ଓ ସମର୍ଥନ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ । କେତେକ ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଯେ ଵୃକ୍ ଧାତୁର ମୂଳ ଅର୍ଥ ଥିଲା କନ୍ଦାଇଵା,ଦୁଃଖ ଦେଵା,କଷ୍ଟ ଦେଵା ପୁଣି ସେମାନେ ଵୃକ୍ ଧାତୁର ମୂଳ ପ୍ରାଚୀନ ରୂପ ଵ୍ରଶ୍ଚ୍ ଧାତୁ ବୋଲି ମଧ୍ୟ ଦେଇଥିଵା କଥା ଇଂରାଜୀ ୱିକ୍ସନରୀରୁ ଜଣାଯାଏ । ଵ୍ରଶ୍ଚ୍ ଧାତୁର ପ୍ରାଚୀନ ଅର୍ଥ ଥିଲା 
ଭାଙ୍ଗିଵା,କାଟିଵା,ଗଛକୁ କାଟି ଵା ଭାଙ୍ଗି ପକାଇ ଦେଵା ଇତ୍ୟାଦି । 
 
ତେଣୁ ଵୈଦିକ ଭାଷାରେ ପ୍ରଥମେ ଦୁଃଖ ଦେଉଥିଵା ଜୀଵ 'ଶୃଗାଳ' ଅର୍ଥରେ ଵୃକ ଶବ୍ଦଟି ଵ୍ୟଵହାର ହେଲାପରେ ପରଵର୍ତ୍ତୀ କାଳର ସଂସ୍କୃତ ଭାଷାରେ ଵୃକ ଶବ୍ଦଟି 
ହେଟା,ଲେଙ୍କଡ଼ା ବାଘ, ଗଧିଆ, କ୍ଷତ୍ରିୟ,ଵାୟସ ଵା କୁଆ,ଜଠରାନଳ,ଗନ୍ଧଵିରିଜା,ବଳିଆକୁକୁର,ଵଜ୍ର ଓ ଚୋର ଆଦି ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା । 

ସେହିପରି ଅନ୍ୟାନ୍ୟ ଭାରୋପୀୟ ଭାଷାଗୁଡ଼ିକରେ ମଧ୍ୟ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷosରୁ ପରେ ଅନେକ ଭାଷାରେ ନୂତନ ଶବ୍ଦ ସୃଷ୍ଟି ହୋଇଛି ଏଵଂ ଶୃଗାଳ ତଥା ଅନ୍ୟାନ୍ୟ ଅର୍ଥରେ ପ୍ରୟୋଗ କରାଯାଇଛି । ଇରାନର ପ୍ରାଚୀନ ଆଵେସ୍ତାନୀ ଭାଷାରେ 𐬬𐬆𐬵𐬭𐬐𐬀⁩ (vəhrka) ଶବ୍ଦ ସୃଷ୍ଟି ହେଲା ଏଵଂ ଶୃଗାଳ ଅର୍ଥରେ ଵ୍ୟଵହୃତ ହୋଇ ପରଵର୍ତ୍ତୀ କାଳରେ ପାର୍ସୀ ଭାଷାରେ گرگ⁩ (gorg) ହୋଇଅଛି । ପ୍ରାକ୍ ଆଲବାନିଆ ଭାଷାରେ ସେହି ମୂଳ ଶବ୍ଦରୁ *ulka ଶବ୍ଦ ଶୃଗାଳ ଅର୍ଥରେ ସୃଷ୍ଟି ହୋଇ ଆଜି ଆଧୁନିକ ଆଲବେନିଆ ଭାଷାରେ ujk ଓ ulk ରୂପେ ମୂଳ ଅର୍ଥ ଘେନି ପ୍ରଚଳିତ । ସେଇ ମୂଳ ଭାରୋପୀୟ ଶବ୍ଦରୁ ଅନ୍ୟ ଏକ ଦିଗରେ ପ୍ରାକ୍ ଆନାତୋଲୀୟ ଭାରୋପୀୟ ଭାଷା ହିଟାଇଟ୍ସରେ 𒉿𒀠𒆪𒉿𒀸 (wa-al-ku-wa-aš) ଶବ୍ଦ ନକାରାତ୍ମକ ଶକ୍ତି ତଥା Luwian ଭାଷାରେ 𔑪, 𒌨𒈤 (walwa/i) ଶବ୍ଦ ସିଂହ ଅର୍ଥରେ ଵ୍ୟଵହୃତ ହେଲା । ଏହି ଭାଷାଶାଖାର ଲିଡିଆନ୍ ଭାଷାରେ ମଧ୍ୟ 𐤥𐤠𐤩𐤥𐤤⁩ (walwe) ଶବ୍ଦ ସିଂହ ଅର୍ଥରେ ଚଳୁଥିଵା ଜଣାଯାଏ । ଭାରୋପୀୟ ଭାଷା ପରିଵାରର ପ୍ରାକ୍ ବାଲ୍ଟୋ ସାଲ୍ବିକ୍ ଭାଷାଶାଖାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି *wilkás ହୋଇ ପରେ ଆଧୁନିକ ଲିଥୁଆନିଆରେ vil̃kas ହୋଇଛି ଏଵଂ ମୂଳ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଛି । ଅଉ ଏକ ଦିଗରେ ଭାରୋପୀୟ ଭାଷା ଶାଖା ପ୍ରାକ୍ କେଲଟିକ୍ ଭାଷାରେ ଶୃଗାଳ ଅର୍ଥଜ wĺ̥kʷos ଶବ୍ଦ *ulkos ହେଲା ଏଵଂ ମନ୍ଦ, ଦୁଷ୍ଟ ଅର୍ଥରେ ଵ୍ୟଵହାର କରାଗଲା ଫଳତଃ ଆଜି ଆଧୁନିକ କେଲଟିକ୍ ଭାଷା ଆଇରିଶରେ ଏହି ଶବ୍ଦଟି olc ତଥା Manx ଭାଷାରେ olk ହୋଇ ମନ୍ଦ,ଦୁଷ୍ଟ ଓ ଠକ ଆଦି ଅର୍ଥରେ ଵ୍ୟଵହୃତ ହେଉଅଛି । ଶୃଗାଳର ମନ୍ଦଗୁଣ ଆଧାରରେ ମୂଳ ଶବ୍ଦରୁ ଏଭଳି ଅର୍ଥ ଘେନି ଏ ଶବ୍ଦଗୁଡ଼ିକ ସୃଷ୍ଟି ହୋଇଛି ବୋଲି ଏଠାରେ ବୁଝିଵାକୁ ହେଵ । ପୁନଶ୍ଚ ଅନ୍ୟତମ ଲୋକପ୍ରିୟ ଭାରୋପୀୟ ଭାଷା ଶାଖା ଜର୍ମାନିକରେ ଶୃଗାଳ ଅର୍ଥଜ ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ *wĺ̥kʷos କ୍ରମେ *wúlkʷos ହେଲା ଏଵଂ କାଳାନ୍ତରରେ ଏହି ଶବ୍ଦରୁ ଜର୍ମାନିକ୍ ଭାଷା ଇଂରାଜୀରେ wolf ତଥା ସ୍ବେଡିଶ୍ ଓ ଡାନିଶ୍ ଭାଷାରେ ulv ହୋଇଅଛି । ଭାରୋପୀୟ ଭାଷାପରିଵାରର ପୁରାତନ ଭାଷାଶାଖା ମଧ୍ୟରେ ଅନ୍ୟତମ ହେଲେନିକ୍ ଭାଷାଶାଖାର ଗ୍ରୀକ୍ ଭାଷା ସହିତ ଅନେକେ ପରିଚିତ ଥିବେ । ଶୃଗାଳ ଅର୍ଥଜ ମୂଳ ଭାରୋପୀୟ *wĺ̥kʷos ଶବ୍ଦଟି ହେଲେନିକ୍ ଭାଷା ଶାଖାରେ ଯାଇ ସାମାନ୍ୟ ପରିଵର୍ତ୍ତିତ ହୋଇ *lúkos ରୂପେ ଚଳିଵାକୁ ଲାଗିଲା ଯାହା ପରେ ଗ୍ରୀକ୍ ଭାଷାରେ λύκος (lúkos) ଓ λύκος (lýkos) ହୋଇଅଛି । ଗ୍ରୀସ୍ ଦେଶର ପଡ଼ିଶାରେ ପ୍ରାକ୍ ଇଟାଲିକ୍ ଭାରୋପୀୟ ଭାଷା ଶାଖାର ରୋମାନ୍ ଭାଷା ବୋଲାଯାଏ । ପ୍ରାଚୀନ କାଳରେ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ମୂଳ ଭାରୋପୀୟ ଶବ୍ଦ *wĺ̥kʷos ରୋମରେ ଯାଇ ପ୍ରାକ୍ ଇଟାଲିକ୍ ଭାଷାରେ *lukʷos ହୋଇ ପରେ ଲାଟିନ ଭାଷାରେ lupus ହୋଇଛି ପୁଣି ଶୃଗାଳମାନଙ୍କର ଵୈଜ୍ଞାନିକ ନାମ ଭାବରେ ଏହି lupus ଶବ୍ଦ ଇଂରାଜୀ ଆଦି ଭାଷାରେ ମଧ୍ୟ ପ୍ରୟୋଗ କରାଯାଉଛି । ଭାରୋପୀୟ ଭାଷାପରିଵାରର ସବୁଠାରୁ ବଡ଼ ଭାଷାଶାଖା ଭାରୋଇରାନୀୟ ଭାଷାଶାଖାରେ ସେହିପରି ଶୃଗାଳ ଅର୍ଥଜ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି ପ୍ରଥମେ *wŕ̥kas ହେଲା ଏଵଂ ପରେ ଏହି ଶବ୍ଦଟି ସଂସ୍କୃତ ଭାଷାରେ ଵୃକ ହୋଇଛି, ପାକିସ୍ତାନର ଗିଲଗିଟ୍ ବଲ୍ଟିସ୍ଥାନର ଦାର୍ଦିକ ଭାଷା shinaରେ उरुक ହୋଇଛି, ଉତ୍ତର ପୂର୍ଵ ଭାରତର ଭାରୋପୀୟ ଭାଷା ଚକମାରେ 𑄤𑄇𑄴 (wāk) ହୋଇଛି,ସିନ୍ଧୀ ଭାଷା କଚ୍ଛୀରେ વરુ (vəru) ହୋଇଛି,ପାଲିରେ ଵକ(vəkə ; ବଗ ପାଇଁ ବକ) ଓ ପ୍ରାକୃତରେ ଵୟ(vəyə) ହୋଇଅଛି । 

ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵିଚାର କଲେ ଵୃକ ଶବ୍ଦର ମୂଳ ଅର୍ଥ ଥିଲା ଶୃଗାଳ କିନ୍ତୁ ସଂସ୍କୃତ ଭାଷାରେ ନିରୁକ୍ତଶାସ୍ତ୍ର ଆଧାରରେ ଶବ୍ଦ ନିଷ୍ପନ୍ନ ପରମ୍ପରା ବହୁ ପ୍ରାଚୀନ । ସାରା ପୃଥିଵୀର ଭାରୋପୀୟ ଭାଷାଗୁଡ଼ିକରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟିରୁ ଶୃଗାଳ ଅର୍ଥରେ ନାନା ରୂପରେ ଶବ୍ଦ ସୃଷ୍ଟି ହେଲା କିନ୍ତୁ ଶୃଗାଳ ଓ ସିଂ‌ହ(ହିଟାଇଟ୍ସ,ଲିଡିଆନ୍) ଆଦି ସୀମିତ ଅର୍ଥରେ ପ୍ରୟୋଗ କରାଗଲା । ତେବେ ଭାରତରେ ସଂସ୍କୃତ ଭାଷାରେ ଅତି ଉନ୍ନତମାନର ସାହିତ୍ୟ ସର୍ଜନା ହେଵା ଯୋଗୁଁ ଵୃକ ଭଳି ଅନେକ ପ୍ରାଚୀନ ଭାରୋପୀୟ ଶବ୍ଦଗୁଡ଼ିକର ଭିନ୍ନ ଅର୍ଥରେ ମଧ୍ୟ ଵ୍ୟଵହାର ଚଳିଵାକୁ ଲାଗିଲା । ସଂସ୍କୃତ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ପୂର୍ଵକ ନିରୁକ୍ତଶାସ୍ତ୍ର ପ୍ରଣୟନ ଯୋଗୁଁ ଏହା ସମ୍ଭଵ ହେଲା । ଅର୍ଥାତ୍ ଭାରତ ବାହାରେ ଭାରୋପୀୟ ଶବ୍ଦଗୁଡ଼ିକର ଅର୍ଥ ସୀମିତ ଥିଲାବେଳେ ତାକୁ ସଂସ୍କୃତ ନିରୁକ୍ତି ଆଧାରରେ ଭାରତୀୟମାନେ ନାନା ଅର୍ଥରେ ପ୍ରୟୋଗ କରି ସାହିତ୍ୟ ସର୍ଜନା କରିଲେ । ଏଥିପାଇଁ ସଂସ୍କୃତ ହୋଇଗଲା ଶାସ୍ତ୍ରୀୟ ଭାଷା । ସଂସ୍କୃତ ଭାଷାର ଏହି ନିରୁକ୍ତଶାସ୍ତ୍ର ଆଧାରରେ ହିଁ ଆଜକୁ ଦୁଇଶହ ତିନିଶହ ଵର୍ଷ ତଳେ ଆଧୁନିକ ଭାଷାଵିଦମାନେ ଗୋଟିଏ ଭାଷାପରିଵାରର ଵିଭିନ୍ନ ଭାଷାରେ ପ୍ରଚଳିତ ସମୋଦ୍ଧୃତ ଶବ୍ଦଗୁଡ଼ିକର ମୂଳ ପ୍ରାଚୀନ ରୂପ ନିର୍ଣ୍ଣୟ କରିଵାରେ ସଫଳ ହେଉଛନ୍ତି ।

ତେଣୁ ସଂସ୍କୃତ ଭାଷାରେ ଵୃକ ଶବ୍ଦଟି ଵୃକ୍ ଧାତୁରୁ ନିଷ୍ପନ୍ନ ହୋଇଥିଵାରୁ ଵୃକ୍ ଧାତୁର ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା,ଦୁଃଖ ଦେଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥ ଘେନି ପରେ ଵୃକ ଶବ୍ଦର ଅର୍ଥ ହୋଇଗଲା କ୍ଷତ୍ରିୟ,ଵାୟସ,ଜଠରାନଳ,ଵଜ୍ର ଓ ଚୋର । ଵାୟସ ଵା କାକ ଚୋରେଇ ନେଵା ଵା ଛଡ଼ାଇ ନେଵା ପାଇଁ ଜଣାଶୁଣା। ଚୋର ମଧ୍ୟ ଅନ୍ୟ କାହା ଘରୁ ଦରଵ ନେଇଯାଏ ଓ ଲୋକଙ୍କର ଅର୍ଥାଭାଵ ଘଟାଇ ଦୁଃଖ ଦେଇଥାଏ । କ୍ଷତ୍ରିୟମାନେ ଵିଭିନ୍ନ ସ୍ଥାନ ଉପରେ ଚଢ଼ାଉକରି ତାକୁ ଅକ୍ତିଆର କରନ୍ତି,ଛଡ଼ାଇ ନିଅନ୍ତି ଏଵଂ ଏହି କାର୍ଯ୍ୟକଲାବେଳେ ଅନେକଙ୍କୁ ଦୁଃଖ ଦିଅନ୍ତି । ଜଠରାନଳ ମଧ୍ୟ ଵ୍ୟକ୍ତିକୁ କଷ୍ଟ ଦେଇଥାଏ । ପୃଥିଵୀ ଉପରେ ଵଜ୍ର ପଡ଼ିଲେ ସେଥିରେ କୌଣସି ଵ୍ୟକ୍ତିର ମୃତ୍ୟୁ ଘଟେ ଫଳତଃ ଵଜ୍ର ଵ୍ୟକ୍ତିଙ୍କ ଜୀଵନ ଛଡ଼ାଇ ନେଇ ତାହାର ପରିଵାରଜନଙ୍କ ଦୁଃଖର କାରଣ ହୋଇଥାଏ । ଅତଃ ଭାରତୀୟ ପାରମ୍ପରିକ ନିରୁକ୍ତଶାସ୍ତ୍ର ଅନୁସାରେ ଵୃକର ଚୋର,ଵଜ୍ର,ଵାୟସ ଓ କ୍ଷତ୍ରିୟ ଆଦି ଅର୍ଥ ଆଦୌ ଭୁଲ୍ ନୁହେଁ । 

ଏବେ ଶାଳା ଶବ୍ଦର ଅର୍ଥକୁ ବି ଜାଣିନେଵା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଶାଳା ଶବ୍ଦଟି ଆଳୟ ଵା ଗୃହ,ଗୃହୈକଦେଶ ଵା ଗୃହର ଅଂଶ(room),ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଵା ଉଦ୍ଦେଶ୍ୟରେ ଵ୍ୟଵହୃତ ଗୃହ,ଘରର ଶାହାଲା ଓ (ଗଛର)ବଡ଼ଡାଳ ଅର୍ଥରେ ପ୍ରୟୋଗ କରାଯାଇଥାଏ । 
ସଂସ୍କୃତ 'ଶାଳା' ଶବ୍ଦଟି ମଧ୍ୟ 'ଵୃକ' ଶବ୍ଦ ଭଳି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଏଵଂ ଆଧୁନିକ ଭାଷାଵିଦମାନେ ଏହାର ମୂଳ ଭାରୋପୀୟ ଧାତୁରୂପ ḱel- (“ଆଵରଣ କରିଵା, ରକ୍ଷା କରିଵା”) ନିର୍ଣ୍ଣୟ କରିଛନ୍ତି । ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ଅନ୍ୟ ଏକ ଦିଗରେ ଲାଟିନ ଭାଷାରେ cella (“room”) ହୋଇଛି ପୁଣି ଇଂରାଜୀ ଭାଷାରେ ଯାଇ cell ରୂପେ ଚଳୁଅଛି ସେହିପରି ପ୍ରାଚୀନ ଇଂରାଜୀ ଭାଷାର heall ତଥା ଆଧୁନିକ ଇଂରାଜୀ ଶବ୍ଦ hall ମଧ୍ୟ ଜର୍ମାନିକ ଭାଷାଶାଖା ଦେଇ ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ସୃଷ୍ଟି ହୋଇଛି । 

ତେବେ ଭାରତର ପାରମ୍ପରିକ ଭାଷାଵିଦମାନେ ଶାଳା ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ପୋଷଣ କରିଛନ୍ତି । 

ଭାଷାଵିଦ Macdonellଙ୍କ ଅନୁସାରେ ଶାଳା ଶବ୍ଦର ମୂଳ ଧାତୁରୂପ ହେଉଛି √śṛ ଧାତୁ । ଭାଷାଵିଦ Monier Williamଙ୍କ ଅନୁଯାୟୀ 
√ଶୃ(śṛ) ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା ସେହିପରି 
√ସୃ(sṛ) ଧାତୁର ଅର୍ଥ ଯିଵା ,ଗତି କରିଵା । 

ଆପ୍ଟେ ଆଦି ଭାଷାଵିଦମାନେ ଶାଳା ଶବ୍ଦଟି ଶାଳ୍ ଧାତୁ(ଗମନ କରିଵା) ଓ ଅଚ୍ ପ୍ରତ୍ୟୟ ଯୁକ୍ତ ହୋଇ ସୃଷ୍ଟି କରାଯାଇଛି ବୋଲି ଲେଖିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ କୁହାଯାଇଛି ଯେ ଶାଳ୍ ଧାତୁରୁ ଗମନ କରିଵା ଅର୍ଥରେ ଅ ଓ ଆ(ଅଚ୍) ଯୁକ୍ତ ହୋଇ ଶାଳା ଶବ୍ଦ ସୃଷ୍ଟି ହୋଇଛି । ଅର୍ଥାତ୍ ଯେଉଁଠାକୁ ଵିଶ୍ରାମାର୍ଥେ ଗମନ କରାଯାଏ ତାହା ଶାଳା । 

କିନ୍ତୁ ସଂସ୍କୃତ କଳ୍ପଦ୍ରୁମରେ ଶାଳା ଶବ୍ଦର ନିରୁକ୍ତି ଲେଖାଅଛି "√ଶୋ + “ବାହୁଳକାତ୍ ଶ୍ଯତେରପି କାଳନ୍ ।" । √ଶୋ(śo) ଧାତୁରୁ ତୀକ୍ଷ୍ଣ କରିଵା,କ୍ଷୁଦ୍ର କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।  
ଜଣେ ଵ୍ୟକ୍ତି,ପରିଵାର ଵା କୁଟୁମ୍ବକୁ ଗୋଟିଏ ଥାନରେ ବାନ୍ଧି ରଖିପାରେ ବୋଲି ବୋଧହୁଏ ଏଭଳି ଏକ ନିରୁକ୍ତି କେହି ଵିଚାର କରିଛନ୍ତି । 

ସେ ଯାହାହେଉ ଯଦି √ଶୃ ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା;√ସୃ ଧାତୁର ଅର୍ଥ ଯିଵା ,ଗତି କରିଵା ଏଵଂ ଶାଳ୍ ଧାତୁର ଗମନ କରିଵା ଆଦି ଅର୍ଥକୁ ମହତ୍ତ୍ଵ ଦିଆଯାଇ ଵିଚାର କରାଯାଏ ତେବେ ଶାଳାଵୃକ ଶବ୍ଦଟି କେମିତି ନିରୁକ୍ତି ଦୃଷ୍ଟିରୁ ମର୍କଟ ଵା ଵାନର ହେଵ ତାହା ସ୍ପଷ୍ଟ ହୋଇଯିଵ । 
 
ଵୃକ ଶବ୍ଦର ଗୋଟିଏ ଅର୍ଥ ଚୋର ଏଵଂ ଆମେ ସମସ୍ତେ ଜାଣନ୍ତି ଵାନରମାନେ ଖାଦ୍ୟ ପାଇଁ ଘରୁ ବାଡ଼ିରୁ ଫଳମୂଳ ଓ ଖାଦ୍ୟ ଚୋରାଇଥାଆନ୍ତି । ଅର୍ଥାତ୍ ଵାନରମାନେ ପେଟପାଟଣା ପାଇଁ ଚୋରି କରିଵାକୁ ବି ପଛାଇ ନଥାନ୍ତି ‌। ସେହିପରି √ଵୃକ୍ ଧାତୁର ଅର୍ଥ ଦୁଃଖ ଦେଵା ତେଣୁ ଯେମିତି ଶୃଗାଳ ମନୁଷ୍ୟ ଘରେ ବାଡ଼ିରେ ପଶିଯାଇ ଛୋଟଛୁଆଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନଙ୍କୁ ଚୋରାଇ ନେଇ ଦୁଃଖ ଦିଏ ଠିକ୍ ସେହିପରି ଵାନରମାନେ ମଧ୍ୟ ମନୁଷ୍ୟମାନଙ୍କ ପିଲାଙ୍କୁ ଘରୁ ଉଠାଇ ନେଵାର ଦେଖାଯାଏ, ବେଳେବେଳେ ଵାନରମାନେ ମନୁଷ୍ୟମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି ଏଵଂ ଘର ଉପରେ ଡିଆଁ ଡେଇଁ କରି ଭଙ୍ଗାରୁଜା କରିଥାନ୍ତି । ଵାନରମାନେ ଗାଆଁ ନଗରରେ ପଶିଯାଇ ମନୁଷ୍ୟମାନଙ୍କ ଘର ବାଡ଼ିକୁ ନିଜ ଅକ୍ତିଆରକୁ ନେଇଯାଇ ଖଣ୍ଡପ୍ରଳୟ କରିପକାନ୍ତି । ଵାନରମାନେ ମନୁଷ୍ୟମାନଙ୍କ ଶାଳା(ଘର) ଭିତରକୁ ଓ ଶାଳା(ଘର) ଉପରେ ରହି ନାନା ଦୁଃଖ ଦିଅନ୍ତି ପୁଣି ଶାଳା(ଗଛର ବଡ଼ ଡାଳ) ଉପରେ ଵାସ କରନ୍ତି। ତେଣୁ ଵୃକ୍ ଧାତୁର ଅର୍ଥ ଘେନି ତଥା ଶାଳା ଶବ୍ଦର ବଡ଼ଡାଳ ଓ ଗୃହ ଆଦି ଅର୍ଥକୁ ଵିଚାର କରି ଦେଖିଲେ ନିରୁକ୍ତି ଦୃଷ୍ଟିରୁ ଵାନରକୁ ଶାଳାଵୃକ କୁହାଯିଵାରେ କୌଣସି ଦୋଷ ନାହିଁ । 

ଶାଳାଵୃକ ଶବ୍ଦର କୁକ୍କୁର,ବିଡ଼ାଳ, ଶୃଗାଳ,ହରିଣ ,ଶାଳିଆପତନି ଓ କୋକିଶିଆଳି ଆଦି ଅର୍ଥକୁ ଏହି ଆଧାରରେ ଵିଚାର କରାଯାଇପାରେ । ଶାଳାରେ(ଘରେ) ରହୁଥିଵା ଵୃକ ହେଲା କୁକୁର ଯାହାର ଵୈଜ୍ଞାନିକ ନାମ Canis familiaris ଅଟେ । ଘରେ(ଶାଳାରେ) ପଶି ଖାଦ୍ୟ ଚୋରି କରୁଥିଵା(ଵୃକ୍ ଧାତୁ) ଜୀଵ ମଧ୍ୟରେ ବିରାଡ଼ି ଅନ୍ୟତମ ପୁଣି ଏହା ଶାଳାରେ(ଗଛର ବଡ଼ଡାଳ,ଡାଳରେ) ଚଢ଼ିପାରିଵାର କ୍ଷମତା ମଧ୍ୟ ଲଭି ପାରିଛି । ବିରାଡ଼ିର ଵୈଜ୍ଞାନିକ ନାମ felis catus ଅଟେ ।‌ ହରିଣ ଜୀଵଟି ଶାଳା(ଶାଳା ଶବ୍ଦର ଵୃକ୍ଷର ଡାଳ ଅର୍ଥ )ରୁ ପତ୍ରାଦି ଛିଣ୍ଡାଇ(ଶୃ ଧାତୁର ଆଘାତ ଦେଵା) ଖାଇ ଜୀଵନଯାପନ କରେ ଏଵଂ ଲକ୍ଷଣାର୍ଥ ଵୃକ୍ଷକୁ ବଢ଼ିଵାରେ ବାଧା ଦେଇଥାଏ ଅର୍ଥାତ୍ ଵୃକ୍ଷର ଦୁଃଖର କାରଣ ହୋଇଥାଏ(ଵୃକ୍ ଧାତୁର ଦୁଃଖ ଦେଵା) । ଶାଳିଆପତନୀ ମଧ୍ୟ ବିରାଡ଼ି ପରି କିନ୍ତୁ ମନୁଷ୍ୟମାନଙ୍କ ଗୃହରେ ଅଳ୍ପ କିନ୍ତୁ ବାଡ଼ିର ଫଳଗଛରୁ ଫଳ ଚୋରେଇ ଖାଉଥିଵାର ଦେଖାଯାଏ । ସେହିପରି ଶୃଗାଳ (canis lupus) ଓ କୋକିଶିଆଳି(Canis indicus) ମାନେ ମନୁଷ୍ୟମାନଙ୍କ ଶାଳା(ଘର ଓ ବାଡ଼ି)ରୁ ଶିଶୁ ଓ ଗୃହପାଳିତ ଜୀଵଙ୍କୁ ଚୋରାଇ ନେଇ ମାରି ଖାଇଥାନ୍ତି । ଅତଃ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହୁଏତ ମୂଳ ଭାରୋପୀୟ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଶାଳା ଓ ଵୃକ ଶବ୍ଦର ପ୍ରାରମ୍ଭିକ ଅର୍ଥ ଘେନି ଶାଳାଵୃକ ଶବ୍ଦର ହରିଣ, ଶାଳିଆପତନି, ବିରାଡ଼ି ଓ ଵାନର ଆଦି ଅର୍ଥଗୁଡ଼ିକ ଭ୍ରମାତ୍ମକ ଵିଚାର୍ଯ୍ୟ ଲାଗିପାରେ କିନ୍ତୁ ଭାରତୀୟ ନିରୁକ୍ତଶାସ୍ତ୍ର ଦୃଷ୍ଟିରୁ ଵିଚାର କଲେ ଏହି ସବୁ ଅର୍ଥଗୁଡ଼ିକ ଯୁକ୍ତିଯୁକ୍ତ ଵିଵେଚିତ ହୋଇଥାଏ । 

(ଦ୍ର : ଶବ୍ଦ ଵ୍ୟୁତ୍ପତ୍ତିର ଅର୍ଥ word etymology କିନ୍ତୁ ନିରୁକ୍ତିର ଅର୍ଥ ଭାରତୀୟ ନିରୁକ୍ତଶାସ୍ତ୍ର ଆଧାରିତ ଧାତୁପ୍ରତ୍ୟୟ ପ୍ରୟୋଗ ପୂର୍ଵକ ଗୋଟିଏ ଶବ୍ଦର କ୍ଷୁଦ୍ରରୂପ ନିର୍ଣ୍ଣୟ । ) 














Friday, February 16, 2024

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ?

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ? 

ବୋଉ,ନନା,ଦଦା,ବାଣ,ନାନୀ ଓ ମମା ଭଳି କିଛି ଵିଚ୍ଛିନ୍ନତାଵାଦୀ କଟକିଆ/ଉପକୂଳିଆଙ୍କୁ 'ଗୁଡ଼ି' ଶବ୍ଦ କେନୁ ଆଣିଲ ବୋଲି ପ୍ରୋକ୍ତ ପ୍ରଶ୍ନଟି ପଚାରନ୍ତି । 

ଆମେ ସମସ୍ତେ ଜାଣନ୍ତି ଓଡ଼ିଆ ଭାଷାରେ Paper kiteକୁ ଗୁଡ଼ି ଓ ଘୁଡ଼ି କୁହାଯାଏ । ମାତ୍ର ପତଙ୍ଗ ଅର୍ଥଜ ଏହି 'ଗୁଡ଼ି' ଶବ୍ଦ ଯେ ଦିନେ କିଛି ଲୋକଙ୍କ ହୀନ ମାନସିକତା ଯୋଗୁଁ ଵିଵାଦୀୟ ହେଇଯିଵ କେହି ଭାବିନଥିବେ । ଯଦି ପତଙ୍ଗ ଅର୍ଥଜ 'ଗୁଡ଼ି' ଶବ୍ଦଟି ଉପକୂଳିଆମାନେ କୁଆଡ଼ୁ ଆଣିଛନ୍ତି ;ଏହି ପ୍ରଶ୍ନର ଉତ୍ତର ଉଣ୍ଡାଯାଏ ତେବେ ତହିଁର ଅନେକ ସମ୍ଭାଵିତ ଉତ୍ତର ମିଳିଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ "ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ" ମହାଶୟ 'କାଗଦଚକି' ଅର୍ଥଜ ଏହି 'ଗୁଡ଼ି' ଵା 'ଘୁଡି଼' ଶବ୍ଦଟି 
'ଗୁରୁଉଡ୍ଡୀନ'ରୁ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । 

ତେବେ Sir. Ralph Lilley Turner ତାଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତି କୋଷରେ ଲେଖିଛନ୍ତି ଯେ 
ଗୋଟିଏ ମୂଳ ଭାରତୀୟ ଶବ୍ଦ *guḍḍaରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଛି । *guḍḍa ଶବ୍ଦର ମୂଳ ଅର୍ଥ ଥିଲା କଣ୍ଢେଇ ଵା କୌଣସି ଵ୍ୟକ୍ତିର କଣ୍ଢେଇ ସଦୃଶ ପୁତ୍ତଳିକା। ଏହି ଶବ୍ଦରୁ ସିନ୍ଧୀ ଭାଷାରେ guḍ̠o ଶବ୍ଦ ହୋଇଛି ଯାହାର ଅର୍ଥ ପୁରୁଷ ଵସ୍ତ୍ରଯୁକ୍ତ କଣ୍ଢେଇ । ପଞ୍ଜାବର ଲହଣ୍ଡା ଭାଷାରେ ଓଡ଼ିଆ ଭାଷା ଭଳି guḍḍī ଶବ୍ଦର ଅର୍ଥ ପତଙ୍ଗ ବୋଲି ମଧ୍ୟ ସେଠାରେ ଉଲ୍ଲେଖ ରହିଛି । ପଞ୍ଜାବୀ ତଥା ହିନ୍ଦୀରେ ମଧ୍ୟ ପୂର୍ଵେ ଗୁଡ୍ଡି ଶବ୍ଦର ପତଙ୍ଗ ଅର୍ଥରେ ପ୍ରୟୋଗ ଥିଵା ଏହି ଵ୍ୟୁତ୍ପତ୍ତି କୋଷରୁ ଜଣାଯାଏ । 
ହିନ୍ଦୀ ଶବ୍ଦସାଗରରୁ ଜଣାଯାଏ ଯେ ଉତ୍ତର ଭାରତୀୟମାନେ ବଡ଼ ଆକାରର 'ଗୁଡ଼ି'କୁ 'ଗୁଡ୍ଡା' ତଥା ସାନ ଆକାରର 'ଗୁଡ଼ି'କୁ 'ଗୁଡ୍ଡି' କହୁଥିଲେ ତେବେ ଆଜିକାଲି ସାଧାରଣତଃ ପୁରୁଷରୂପ କଣ୍ଢେଇକୁ ଉତ୍ତର ଭାରତୀୟମାନେ ଗୁଡ୍ଡା ତଥା ସ୍ତ୍ରୀରୂପ କଣ୍ଢେଇକୁ ଗୁଡ୍ଡୀ କହୁଛନ୍ତି । Sir. Ralph Lilley Turnerଙ୍କ A comparative and etymological dictionary of the Nepali language ଵ୍ୟୁତ୍ପତ୍ତି କୋଷ ଅନୁସାରେ ନେପାଳୀ ଭାଷାରେ ବି ପତଙ୍ଗକୁ गुड्डि(guḍḍi) କୁହାଯାଉଥିଲା । 

 ତେବେ ଏହା ସ୍ପଷ୍ଟ ନୁହେଁ ଯେ କିଭଳି କଣ୍ଢେଇ ଓ ପୁତ୍ତଳିକା ଅର୍ଥଜ ମୂଳ ଭାରତୀୟ *guḍḍa ଶବ୍ଦଟି ପଞ୍ଜାବୀ,ହିନ୍ଦୀ, ଓଡ଼ିଆ ତଥା ଲହଣ୍ଡା ଭାଷାରେ ପତଙ୍ଗ ଵା Paper kite ଅର୍ଥରେ ପ୍ରୟୋଗ କରାଗଲା । ହୁଏତ ଏହି ଶବ୍ଦର ଅନ୍ୟ କୌଣସି ଶବ୍ଦ ମୂଳ ଥାଇପାରେ । ହୁଏତ ଓଡି଼ଆ ଭାଷାରେ ଗୁଡ଼ି ଶବ୍ଦର ଅନ୍ୟାନ୍ୟ ଅର୍ଥ ମଧ୍ୟରେ ଏହାର ଉତ୍ତର ଲୁଚି ରହିଥାଇପାରେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଓଡ଼ିଶାର କେତେକ ଅଞ୍ଚଳରେ “ସ୍ତ୍ରୀଲୋକମାନଙ୍କ ପିନ୍ଧିଵା ଲୁଗାର କାନି ପଣନ୍ତରେ ଦିଆଯିଵା ଗଣ୍ଠିକୁ ଗୁଡ଼ି କୁହାଯାଏ ଏଵଂ ଏହି ଗୁଡ଼ି ଶବ୍ଦଟି ତତ୍ସମ 'ଗୁଡ଼ି' ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ତତ୍ସମ 'ଗୁଡ଼ି' ଓ 'ଗୁଡ଼ିକା' ଶବ୍ଦର ଅର୍ଥ ଗୋଲକ । ତେଣୁ ସମ୍ଭଵତଃ 
ଏହି ଗୋଲକ ଅର୍ଥଜ ତତ୍ସମ 'ଗୁଡ଼ି'
ଶବ୍ଦରୁ ପରେ 'ପତଙ୍ଗ' ଅର୍ଥରେ ଗୁଡ଼ି ଶବ୍ଦଟି ପ୍ରୟୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆକାଶରେ ଗୁଡ଼ି ଗୋଲକାର ଢଙ୍ଗରେ ଉଡ଼ିଥାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଓଡ଼ିଆ କ୍ରିୟା 'ଗୁଡ଼ାଇଵା'ରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଥିଵ । ଭାଷାକୋଷରେ ଗୁଡ଼ି ଶବ୍ଦର ଅନ୍ୟ ଏକ ଓଡ଼ିଆ ଅର୍ଥ ଏହି ସମ୍ଭାଵନାକୁ ସମର୍ଥନ ମଧ୍ୟ କରିଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ “ମସିଣା ଵା ମୁନ୍ଦୁରାର ଗୋଟା ଯାଇଥିଵା ଅଂଶକୁ ଗୁଡ଼ି କୁହାଯାଉଥିଲା” । 
ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ଗୁଡ଼ି ଶବ୍ଦର ଅନ୍ୟ ଅନେକ ଅର୍ଥରେ ପ୍ରୟୋଗ ରହିଛି । ଗଡ଼ଜାତର କେତେକ ଅଞ୍ଚଳରେ
ଗଛରୁ ଫଳ ତୋଳିଵା ପାଇଁ ଵ୍ୟଵହୃତ ଆଙ୍କୁଡ଼ିକୁ ଗୁଡ଼ି କୁହନ୍ତି ଏଵଂ ଏହା ସେହି ଆଙ୍କୁଡ଼ା ଵା ଆଙ୍କୁଡ଼ି ଶବ୍ଦର ପରିଵର୍ତ୍ତିତ ରୂପ । ସେହିପରି ପତଙ୍ଗ ଡୋରିକୁ ମଧ୍ୟ ଗଡ଼ଜାତରେ ଗୁଡ଼ି କୁହାଯାଏ ଏଵଂ ଏହି ଅର୍ଥଟି ଗୁଡ଼ାଇଵା କ୍ରିୟା ଶବ୍ଦ ସହିତ ସମ୍ପର୍କିତ ହୋଇଥିଵା ସମ୍ଭଵ କାରଣ ଗୁଡ଼ିର ଡୋରି ସବୁବେଳେ ଗୁଡ଼େଇ ହୋଇ ରହିଥାଏ ଏଵଂ ଗୁଡ଼ି ଉଡ଼ାଉଥିଵା ଵ୍ୟକ୍ତି ନିଜ ଇଚ୍ଛା ଅନୁସାରେ ସେହି ଗୁଡ଼ା ହୋଇଥିଵା ଡୋରିକୁ ଫିଟାଏ କିମ୍ବା ଗୁଡ଼ାଇଥାଏ । 

ପୁଣି ଢେଙ୍କାନାଳ ଆଦି ଗଡ଼ଜାତ ଜିଲ୍ଲା ସମୂହ, ମୟୂରଭଞ୍ଜ ଓ ବାଲେଶ୍ଵର ଇତ୍ୟାଦି ଜିଲ୍ଲାରେ ‘ଗୋଡ଼ି’ ଶବ୍ଦଟି ‘ଗୁଡି଼’ ରୂପେ ପ୍ରଚଳିତ । ଏହି ଗୁଡ଼ି ଓ ଗୋଡ଼ି ଶବ୍ଦଦ୍ଵୟ ତତ୍ସମ ଗୁଟିକା ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 
ଓଡ଼ିଆ ପ୍ରତ୍ୟୟ ‘ଗୁଡ଼ା’ର ଏକ ରୂପ 'ଗୁଡ଼ି' ବୋଲି ଭାଷାକୋଷରେ ଲେଖାଯାଇଛି । 
ତେବେ ଭାଷାକୋଷରୁ ଜଣାଯାଏ ଯେ ଗଡ଼ଜାତ ଵିଶେଷତଃ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ‘ଗୁଡ଼ି’ ଶବ୍ଦଟି ଆଉ ଦୁଇଗୋଟି ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ କରାଯାଏ । ପ୍ରଥମତଃ ‘ସଭା,ଆଲୋଚନାଚକ୍ର’କୁ ଗୁଡ଼ି କୁହାଯାଏ ଏଵଂ ଗ୍ରାମର ଯେଉଁ ଗୃହରେ ଏହି ସଭା କରାଯାଏ ତାକୁ ଗୁଡି଼ଘର କହିଥାଅନ୍ତି । ”ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି” କହିଵାର ଅର୍ଥ ଆଜି ଗ୍ରାମପଞ୍ଚମାନଙ୍କର ସଭା ବସିଅଛି ‌। ଏହି ‘ଗୁଡ଼ି’ ଶବ୍ଦଟି ତତ୍ସମ 'ଗୋଷ୍ଠୀ' ସହିତ ସମୋଦ୍ଧୃତ ଯହିଁରୁ ଅନ୍ୟ ଏକ ଦିଗରେ ଗୋଠ,ଗୁଠ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି । 
ବହୁଲୋକଙ୍କ ସମାଗମସ୍ଥାନ,ସଭାସ୍ଥଳ,
ଦଳ,ପରିଵାରବର୍ଗ,ଜ୍ଞାତି,ଜାତି; ବଂଶ; କୁଳ,ମିଳନ ସଭା; ମେଳା ଓ ସଂଳାପ ଅର୍ଥରେ ଗୋଷ୍ଠୀ ଶବ୍ଦର ପ୍ରୟୋଗ କରାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ପୁନଶ୍ଚ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ମଧ୍ୟ ଗୁଡ଼ି କୁହାଯାଏ । ସମ୍ବଲପୁରୀ ଶୈଳୀ ଛଡ଼ା ଓଡ଼ିଶାର ଗଡ଼ଜାତରେ ପ୍ରଚଳିତ ଦ୍ରାଵିଡ଼ ଭାଷାଗୋଷ୍ଠୀର ଖଡ଼ିଆ ଭାଷାରେ ମନ୍ଦିରକୁ 'ଗୁଡି଼' ,ଗୋଣ୍ଡୀ ଭାଷାରେ ଗୁଡ୍ଡି଼,ବିନଝାଲ୍ ଭାଷାରେ ଗୁଁଡି଼ ଓ କୋୟା ଭାଷାରେ 'ଗୁଡ଼ଇ' କୁହାଯାଏ । 

ପ୍ରକୃତରେ ମନ୍ଦିର ଅର୍ଥଜ ଏହି ‘ଗୁଡ଼ି’ ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟଇ । ଅଵଶ୍ୟ ଭାରୋପୀୟ ଭାଷାପରିଵାରର ଜର୍ମାନିକ୍ ଭାଷାସମୂହର ଭାଷା Gothic ଭାଷାରେ ଆଗେ ଦେଵସ୍ଥଳୀକୁ 𐌲𐌿𐌳𐌷𐌿𐍃 n (gudhus) କୁହାଯାଉଥିଲା ଏଵଂ ଏହାର ମୂଳ ଭାରୋପୀୟ ଧାତୁରୂପ ǵʰutós ଅଟେ ଯହିଁ ସହିତ ଭାରତୀୟ ହୁତ, ଆହୁତି ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି ।‌ କିନ୍ତୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ବୁଝାଉଥିଵା 'ଗୁଡି଼' ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ହୋଇଥିଵାର ସମ୍ଭାଵନା ଅଧିକ କାରଣ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ମନ୍ଦିରକୁ 'ଗୁଡ଼ି' ଇତ୍ୟାଦି କୁହାଯାଇଥାଏ ।‌

T. Burrow, ଓ B. Emeneauଙ୍କ ଦ୍ଵାରା ସଂକଳିତ “A Dravidian etymological dictionary”ରୁ ଜଣାଯାଏ ଯେ ତାମିଳ ଭାଷାରେ ମନ୍ଦିରକୁ kuṭikai କୁହାଯାଏ । 
ଅନ୍ୟ ଏକ ଦ୍ରାଵିଡ଼ ଭାଷା ‘Kota ଵା କୋଟା’ରେ ସେହିଭଳି ମନ୍ଦିରକୁ kuṛjl ଓ guṛy କୁହାଯାଉଛି ।‌ ଦ୍ରାଵିଡ଼ ଭାଷା todaରେ ମଧ୍ୟ ହିନ୍ଦୁ ମନ୍ଦିରକୁ kuṛy କୁହାଯାଏ ବୋଲି ଏ ଅଭିଧାନରେ ଉଲ୍ଲେଖ ଅଛି । କନ୍ନଡ଼ ଭାଷାଭାଷୀ ଗୃହ ଓ ମନ୍ଦିରକୁ guḍi କହୁଥିଵା ଏ ଅଭିଧାନରେ ଲେଖାଅଛି । ତାମିଲନାଡୁର ସୀମାନ୍ତ ଅଞ୍ଚଳରେ ବୋଲାଯାଉଥିଵା ତୁଲୁ ଭାଷାରେ ବି ମନ୍ଦିରକୁ guḍi କୁହାଯାଏ । ଅନ୍ୟତମ ଦ୍ରାଵିଡ଼ ଭାଷା କୋଲାମୀ(kolami)ରେ ମନ୍ଦିରକୁ guḍī,guḍi,guṛi ଓ guḍḍī କୁହାଯାଏ ବୋଲି ଏହି ଅଭିଧାନରେ ଲେଖାଯାଇଛି । 

ଏସମସ୍ତ ମନ୍ଦିର ଅର୍ଥଜ ‘ଗୁଡ଼ି’ ସମାର୍ଥକ ସଗୋତ୍ରୀୟ ଦ୍ରାଵିଡ଼ ଶବ୍ଦଗୁଡି଼କର ମୂଳ ଦ୍ରାଵିଡ଼ ଧାତୁରୂପ ହେଉଛି ‘kō’ ଯହିଁର ମୂଳ ଅର୍ଥ ଥିଲା ରାଜା,ଦେଵତା,ଘର,ମୁଖିଆ ଓ ପର୍ଵତ । ଏହି ମୂଳ ପ୍ରାକ୍ ଦ୍ରାଵିଡ଼ ‘kō’ ଶବ୍ଦରୁ ଗୋଟିଏ ପଟେ ଗୁଡ଼ି ଭଳି ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ 
ତାମିଳରେ கோயில்(kōyil), ତେଲୁଗୁରେ కోవెల (kōvela) ଓ కోయిల (kōyila), ମଳୟାଳ଼ମରେ കോയിൽ (kōyil) ଓ കോവിൽ (kōvil) ଆଦି ଶବ୍ଦ ସୃଷ୍ଟି ହୋଇଛି ଏଵଂ ମନ୍ଦିର ଅର୍ଥରେ ପ୍ରୟୋଗ କରାଯାଉଛି। 
ପୁଣି ଆଉ ଏକ ଦିଗରେ ସଂସ୍କୃତ ଭାଷାରେ ଏହି ମୂଳ ଦ୍ରାଵିଡ଼ ଶବ୍ଦଟି କୁଟୀ, କୁଟୀର, କୁଟୁମ୍ବ ରୂପେ ଯଥାକ୍ରମେ ଗୃହ,କୁଳ ଅର୍ଥରେ ଗୃହୀତ ହୋଇଥିଲା ବେଳେ ଓଡ଼ିଆଭାଷାରେ କୁଡ଼ିଆ ଓ କୁର୍ହିଆ(ଢେଙ୍କାନାଳୀ) ରୂପେ ମଧ୍ୟ ପ୍ରଚଳିତ ହୋଇଅଛି । ହିନ୍ଦୀ ଭାଷାରେ ମଧ୍ୟ ପ୍ରଚଳିତ କୁନଵା ଶବ୍ଦଟି ମୂଳତଃ ଦ୍ରାଵିଡ଼ ଭାଷା ପରିଵାରର ମୂଳ ଧାତୁରୂପ ‘kō’ ସହିତ ସମୋଦ୍ଧୃତ କୁଟୁମ୍ବ ଶବ୍ଦର ଏକ ଆଧୁନିକ ରୂପ ଅଟଇ ‌। କୁଈଭାଷାରେ ମଧ୍ୟ ଗୃହର ମଧ୍ୟଭାଗ, କ୍ଷୁଦ୍ର ଵାସଗୃହକୁ guḍi କୁହାଯାଏ,ଛୋଟ ପାହାଡ଼କୁ କୂପ୍ଡା କୁହାଯାଏ, ପତ୍ନୀକୁ କୁଡ଼ା ଓ କୁକୁଡ଼ା ବତକ ତଥା କୁକୁର ଆଦି ରଖିଵା ପାଇଁ କରାଯାଉଥିଵା ଛୋଟ ଘରକୁ ଗୁଡ଼ା କୁହାଯାଏ। ତେବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଖଡ଼ିଆ,ଗୋଣ୍ଡୀ,ବିନଝାଲ ଓ କୋୟା ଭଳି ଦ୍ରାଵିଡ଼ ଭାଷାରେ ଯଥାକ୍ରମେ 'ଗୁଡି଼' , 'ଗୁଡ୍ଡି଼','ଗୁଁଡି଼' ଓ 'ଗୁଡ଼ଇ' ଆଦି ଶବ୍ଦ ମନ୍ଦିର ଅର୍ଥରେ ଵ୍ୟଵହାର କରାଯାଉଥିଵାରୁ ତଥା କର୍ଣ୍ଣାଟକ,ତାମିଳନାଡ଼ୁ ,କେରଳ ଓ ଆନ୍ଧ୍ରପ୍ରଦେଶର ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଗୁଡ଼ି ଶବ୍ଦ ସହିତ ସମୋଦ୍ଧୃତ ମନ୍ଦିର ଅର୍ଥଜ ଶବ୍ଦ ପ୍ରଚଳିତ ଥିଵାରୁ ସ୍ପଷ୍ଟ ହୁଏ ଯେ ଏହି ଦେଉଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ଗୁଡ଼ି ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟେ । 

ଅସ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ମନ୍ଦିର ଉପରେ ଯେଉଁ ନେତ ଵା ବାନା ଉଡ଼େ ତାହା କନାର ହୋଇଥାଏ ଏଵଂ ଆକାଶରେ ଉଡ଼ୁଥିଵା ଗୁଡ଼ିର ଲାଞ୍ଜ ଭଳି ଏହାର ମଧ୍ୟ ଲାଞ୍ଜ ରହିଥାଏ । ତେଣୁ ହୁଏତ ପତଙ୍ଗ ଅର୍ଥରେ ଵ୍ୟଵହୃତ ଗୁଡ଼ି ଶବ୍ଦଟି ଏହି ମନ୍ଦିର ଅର୍ଥଜ 'ଗୁଡ଼ି'ରୁ ସୃଷ୍ଟି ହୋଇଥାଇପାରେ ବୋଲି ମଧ୍ୟ ଗୋଟିଏ ଅନୁମାନ କରାଯାଇପାରେ ‌।

ସେ ଯାହାହେଉ ଓଡ଼ିଶାରେ Paper kite ଵା ପତଙ୍ଗ ଅର୍ଥରେ ଅନେକ ଶବ୍ଦ ଵିଭିନ୍ନ ଅଞ୍ଚଳର କଥିତ ଭାଷାରେ ତଥା ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରାଯାଏ । ଉଦାହରଣ ସ୍ୱରୂପ ଓଡ଼ିଆ ସାହିତ୍ୟରେ Paper kite ପାଇଁ କାଗଜ ଚକି ଓ 
କାଗତଚକି ଶବ୍ଦ ପ୍ରୟୋଗ କରାଯାଇଛି। କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାଵଣ୍ୟଵତୀ କାଵ୍ୟରେ କାଗତଚକି ଶବ୍ଦର ପ୍ରୟୋଗ କରିଵାକୁ ଯାଇ ପଦେ ଲେଖିଛନ୍ତି 

“ସପ୍ରେମ ନୟନ ସେହି ଦିଗକୁ ଟେକି,
ନିରେଖେ କାଗତଚକି ଯଥା କୁତୁକୀ।”

ଚକ୍ର ଶବ୍ଦ ମଧ୍ୟ ଓଡ଼ିଆ ସାହିତ୍ୟରେ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଇଛି ବୋଲି ଭାଷାକୋଷରେ ଉଲ୍ଲେଖ କରାଯାଇଥିଵା ଏହି ପଦରୁ ଜଣାଯାଏ

“ଚକ୍ର ପ୍ରାୟ ମୋତେ ଉଡ଼ାଇ ଗଗନେ,
 ଛାଡ଼ି ଦେଇ କଲୁ ହେଳା ଗୋ।” (ଲାଵଣ୍ୟନିଧି)

ସେହିପରି ଓଡ଼ିଆ ସାହିତ୍ୟରେ ପତଗ, ପତଙ୍ଗ,ଶଲାଙ୍କୀ

ପୁରୀ ଓ ଏହାର ଆଖପାଖ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଗୁଡ଼ିକୁ ଚକି କୁହାଯାଏ ଏଵଂ ଏହା ସେହି ଚକ୍ର ଶବ୍ଦ ସହିତ ସମୋଦ୍ଧୃତ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।ଗଞ୍ଜାମର କଥିତ ଓଡ଼ିଆ ଭାଷାରେ ଗାଲିପାଗଡ଼ା ଓ ଘିଁ ଶବ୍ଦଦ୍ଵୟ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ । ସିଂହଭୂମିରେ ଆଗେ Paper kiteକୁ ଚଙ୍ଗ ତଥା କଟକାଞ୍ଚଳରେ ଲମ୍ବ କୁବ୍ଜପୃଷ୍ଠ କାଗଜର ଏକ ଜାତୀୟ ଗୁଡ଼ିକୁ ଚେଙ୍ଗ କୁହାଯାଉଥିଲା ବୋଲି ମଧ୍ୟ ଭାଷାକୋଷରୁ ଜଣାଯାଏ । ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପୁଣି ଓଡ଼ିଶାର ପଶ୍ଚିମାଞ୍ଚଳରେ ପତଙ୍ଗ ଶବ୍ଦ ମୂଳର ପତାଙ୍ଗି ଶବ୍ଦଟି ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ରହିଛି । 
ଓଡ଼ିଶାର ଗଡ଼ଜାତରେ ସଭା,ସଭାଗୃହ,ଗୋଡ଼ି(ଗୁଟିକା), ମନ୍ଦିର ଓ ଆଙ୍କୁଡ଼ି ଆଦି ଅର୍ଥରେ 'ଗୁଡ଼ି' ଶବ୍ଦର ପ୍ରୟୋଗ ରହିଥିଵାରୁ ଵିଶେଷତଃ ମନ୍ଦିର ଅର୍ଥରେ ଗୁଡ଼ି ଶବ୍ଦର ଵ୍ୟଵହାର ପ୍ରଚଳନ ଥିଵାରୁ ହୁଏତ ସ୍ଥାନୀୟ ଲୋକେ Paper Kite ଵା ପତଙ୍ଗ ଅର୍ଥରେ ପତଙ୍ଗ ଶବ୍ଦର ଵ୍ୟଵହାର କରିଥିବେ ଯାହା ପରେ ପତାଙ୍ଗି ହୋଇଅଛି । 

କିନ୍ତୁ ଭାରତ ଛଡ଼ା ଆଉ କେତେକ ଭାଷାରେ ବି Paper kiteକୁ ଗୁଡ଼ି କୁହାଯାଏ ବୋଲି ଅନ୍ତର୍ଜାଲରୁ ଜଣାପଡ଼ିଛି । ଉଦାହରଣ ସ୍ୱରୂପ ମାଲେସିଆ ଓ ଇଣ୍ଡୋନେସିଆର Iban ଭାଷାରେ ପତଙ୍ଗକୁ gudi ଓ gegudi କୁହନ୍ତି। ରୋହିଙ୍ଗ୍ୟା ଭାଷାରେ ସେହିପରି ପତଙ୍ଗକୁ góndhi କୁହାଯାଏ । ମାଲେସିଆ ଇଣ୍ଡୋନେସିଆ ଓ ଫିଲିପାଇନସରେ ବୋଲାଯାଉଥିଵା sama-Bajaw ଭାଷାରେ ପତଙ୍ଗକୁ saligundi' ଓ selegundi' କୁହାଯାଏ । ତେବେ ପତଙ୍ଗ ଅର୍ଥରେ ଏହି ଭାଷାଗୁଡ଼ିକରେ ଵ୍ୟଵହୃତ ଶବ୍ଦଗୁଡ଼ିକର ଭାରତୀୟ ଗୁଡ଼ି ଵା ଗୁଡ୍ଡି ଶବ୍ଦ ସହିତ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସ୍ପଷ୍ଟ । ମୋଟ୍ ଉପରେ କହିଵାକୁ ଗଲେ ଗୁଡ଼ି ଶବ୍ଦଟି ଵିଵାଦୀୟ ନୁହେଁ କି କେବେ ନଥିଲା । ଵରଂ ଗୁଡ଼ି ଶବ୍ଦଟି ଗୋଟିଏ ବହୁ ଅର୍ଥଜ ଓଡ଼ିଆ ଶବ୍ଦ । କିଛି ଲୋକ ଅଯଥା 'ଗୁଡ଼ି' ଭଳି ଶବ୍ଦକୁ ଧରି ଆଞ୍ଚଳିକ ଦ୍ଵେଷ ଵିଦ୍ଵେଷ ସୃଷ୍ଟି କରିଵାକୁ ଚେଷ୍ଟା କରନ୍ତି ତେବେ ସେମାନେ ଜାଣିରଖିଵା ଉଚିତ୍ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ସବୁବେଳେ ପ୍ରାଥମିକ ମହତ୍ତ୍ଵ ରଖେ । ତେଣୁ ଦେଶୀୟ ଶବ୍ଦକୁ ଧରି ଆମର ତମର ନକରି ସେହି ଶବ୍ଦଗୁଡ଼ିକୁ ଵ୍ୟଵହାର କରି ତାକୁ ଆପଣାଇ ନୂତନ ସାହିତ୍ୟ ସର୍ଜନା କରିଵା ସର୍ଵୋତ୍ତମ ଅଟେ । 
 
•••••••••••••••••••••••••••
ତଥ୍ୟ ଉତ୍ସ : 
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ)
• A comparative dictionary of Indo-Aryan languages(Sir. Ralph Lilley Turner)
•हिन्दी शब्दसागर(श्यामसुंदर दास)
•A comparative and etymological dictionary of the Nepali language(Sir. Ralph Lilley Turner)
•A Dravidian etymological dictionary(T. Burrow, ଓ B. Emeneau)
•କଥିତ ଓଡ଼ିଆ ଶବ୍ଦ କୋଷ (ଓଡ଼ିଆ ଭାଷା ପ୍ରତିଷ୍ଠାନ)
•କୁଈ ଓଡ଼ିଆ ଶବ୍ଦକୋଷ (ଭାରତ ସରକାରଙ୍କ ଦ୍ଵାରା ପ୍ରକାଶିତ)
କୁଈ ଭାଷା ଵିଷୟରେ ସାହାଯ୍ୟ: Simanchal Rana ଭାଇ 
••••••••••••••••••••••••••

Wednesday, July 12, 2023

ଏକ କୋଶ କେତେ କିଲୋମିଟର ?

ସଂସ୍କୃତ କ୍ରୋଶ ଶବ୍ଦର ଓଡ଼ିଆ ରୂପ କୋଶ । କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ ସହସ୍ରଧନୁ ଦୈର୍ଘ୍ୟ ଵା ୪୦୦୦ ହାତ ଦୈର୍ଘ୍ୟକୁ ଏକ କୋଶ କୁହାଯାଏ । କେହି କେହି ଏକ କୋଶକୁ ଆଠ ହଜାର ହାତ ସଂଜ୍ଞା କରନ୍ତି । ଏକ କୋଶ ଯଦି ୪୦୦୦ ହାତ ହୁଏ ତେବେ ତାହା ଏକ ମାଇଲ ପାଖାପାଖି ଏଵଂ ୮୦୦୦ ହାତ ହେଲେ ଦୁଇମାଇଲ ହେଵ । ଉଲ୍ଲେଖଯୋଗ୍ୟ ଯେ ଏକ ମାଇଲ୍‌ର ପରିମାଣ ୧.୬୦୯ କି.ମି ଏଵଂ ଦୁଇମାଇଲ୍ ୩.୨୧୯ କିମି ଅଟେ । 

ଆଜିକାଲି ସାଧାରଣତଃ ଇଂରାଜୀ ଦୁଇ ମାଇଲ୍‌ରେ ଏକ କୋଶ ବୋଲି ଧରାଯାଏ। ଇଂରାଜି ଦୁଇ ମାଇଲ୍= ୧୭୬୦ ଗଜx୨x୨=୭୦୪୦ ହାତ। ତେଣୁ ଏକକୋଶକୁ ପ୍ରାୟ ଦୁଇ ମାଇଲ୍ କହିଵା ସଙ୍ଗତ। ଆଗେ ଏ ଦେଶରେ ରାଜଦାଣ୍ଡ ପାର୍ଶ୍ୱରେ ଦୂରତ୍ୱଜ୍ଞାପକ କୈଣସି ଚିହ୍ନ ନ ଥିଲା, ପଥିକମାନେ ଗୋଟିଏ ଗଛର ଡାଳ ଭଙ୍ଗି ହାତରେ ଧରି ବାଟ ଚାଲୁଥିଲେ, ଯେଉଁଠାରେ ସେ ଡାଳର ପତ୍ର ଝାଉଁଳି ପଡ଼ୁଥିଲା, ସେଠାରେ ଏକ କୋଶ ହେଲା ବୋଲି ଜଣା ଯାଉଥିଲା, ଏହିଭଳି କୋଶକୁ 'ଡାଳଭଙ୍ଗା' କୋଶ କହନ୍ତି। ଡାଳଭଙ୍ଗା କୋଶକ ପ୍ରାୟ ଇଂରାଜି ତିନି ମାଇଲ୍ । 

ତେଣୁ ଏକ କୋଶ ଯଦି ଚାରିସହସ୍ର ହାତ ଵା ଏକସହସ୍ର ଧନୁ ହୁଏ ତେବେ ତାହାର କିଲୋମିଟରରେ ପରିମାଣ ୧.୬୦୯ ଵା ତାଠାରୁ କେତେ ମିଟର ଅଧିକ ହେଵ ।   
ଏକ କୋଶ ଯଦି ୮୦୦୦ ହାତ ହୁଏ ତେବେ ତାହା କିଲୋମିଟର ପରିମାପ ଦୃଷ୍ଟିରୁ ୩.୨୧୯ କିମ୍ଵା ସାଢ଼େ ତିନି କିଲୋମିଟର ହେଵ ।‌ ଡାଳଭଙ୍ଗା କୋଶ କ୍ଷେତ୍ରରେ ଯେହେତୁ ତିନି ମାଇଲରେ ଗୋଟିଏ ଡାଳ ଝାଉଁଳି ଯାଏ ତେଣୁ ତାହା ପ୍ରାୟ ୪.୮୨୮ ଵା ପାଞ୍ଚ କିଲୋମିଟର ପରିମାପ ଵିଶିଷ୍ଟ ହେଵ । 
••••••••••••••••••••••
ତଥ୍ୟ— ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ସଂସ୍କୃତ କଳ୍ପଦ୍ରୁମ ଅଭିଧାନ

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...