Showing posts with label ଶବ୍ଦ ଵ୍ୟାଖ୍ୟା. Show all posts
Showing posts with label ଶବ୍ଦ ଵ୍ୟାଖ୍ୟା. Show all posts

Thursday, June 29, 2023

ଭଗଵାନଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରାଯାଉଥିଵା ଜୀଉ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ

ଏବେ ଦେଖୁଛି କିଛି ଲୋକ ଓଡ଼ିଆ ଭାଷାର ଜୀଉ ଶବ୍ଦକୁ ଵିଦେଶୀ ଓ ଅଣଓଡ଼ିଆ ଶବ୍ଦ ବୋଲି କହୁଛନ୍ତି । ଭାଷା ଓ ଶବ୍ଦ ଵିଷୟରେ ଵିଶେଷ ଜାଣି ନଥିଵାରୁ ଅନେକେ ଅନେକ କଥା କୁହନ୍ତି । 

କିଛି ଲୋକଙ୍କ ଅନୁସାରେ ଉତ୍ତରଭାରତୀୟ ଶ୍ରୀଜୀ ଶବ୍ଦରୁ ଶ୍ରୀଜୀଉ ହୋଇଅଛି । 

କିନ୍ତୁ ପ୍ରଶ୍ନ ଉଠେ ଶ୍ରୀଜୀଉ ଶବ୍ଦ ଶ୍ରୀଜୀରୁ କାହିଁକି ସୃଷ୍ଟି ହେଵ ? ଵରଂ ଶ୍ରୀଜୀଉ ଶବ୍ଦରୁ 'ଉ' ଲୋପ ପାଇ ଶ୍ରୀଜୀ ହୋଇଥିଵା ଅଧିକ ସମ୍ଭଵପର । 

ଯୋଉ ଠାକୁର କଳିଙ୍ଗୋଡ୍ରୋ଼ତ୍କଳର ଫଳମୂଳ,ପରିଵା ଓ ଖାଦ୍ୟ ଛଡ଼ା ଆଉ କିଛି ଭକ୍ଷଣ କରନ୍ତି ନାହିଁ,ଯୋଉ ଠାକୁର କଳିଙ୍ଗୋଡ଼୍ରୋତ୍କଳର ଵେଶ ଭୁଷା ଓ ପର୍ଵ ପର୍ଵାଣୀ ଛଡ଼ା ଆଉ କିଛି ଗ୍ରହଣ କରନ୍ତି ନାହିଁ ସେ କଳିଙ୍ଗ ବାହାରର ସମ୍ବୋଧନକୁ କେମିତି ଗ୍ରହଣ କରିବେ ? 


ନା, ଵରଂ ଜୀଉ ଶବ୍ଦଟି ଏକ କଳିଙ୍ଗୀ ଶବ୍ଦ,ଓଡ଼ିଆ ଶବ୍ଦ । 

କେହି କେହି କୁହନ୍ତି ଜୀଉ ଶବ୍ଦଟି ଦିଅଁ ଶବ୍ଦର ପରିଵର୍ତ୍ତିତ ରୂପ । ଦିଅଁ ଶବ୍ଦଟି ଠାକୁର ଵା ଭଗଵାନ ଅର୍ଥରେ ପ୍ରୟୋଗ କରାଯାଏ । ଏହି ଦିଅଁ ଶବ୍ଦଟି ଦିଵ୍ୟ ଓ ଦେଵ ଶବ୍ଦ ସହିତ ସମୋଦ୍ଧୃତ ଏଵଂ ଏହାର ମୂଳ ଭାରୋପୀୟ ଶବ୍ଦରୂପ *deywós (“god, the celestial one”) ଅଟେ । 

ଏହି ମୂଳ ଭାରୋପୀୟ *deywós ଶବ୍ଦରୁ Lycian ଭାଷାରେ 𐊈𐊆𐊇 (ziw),Eastern Mariରେ юмо (jumo),Western Mariରେ йымы (jymy),Erzya ଭାଷାରେ ён- (jon-) ଓ ёндол (jondol),ଫିନିକ୍ ଭାଷାରେ jumala(ଭଗଵାନ),ଆଲବାନିଆନରେ Zojz,ମେସ୍ସାପିକ୍‌ରେ
Zis ଓ ପ୍ରାଚୀନ ଗ୍ରୀକ୍ ଭାଷାରେ 
Ζεύς (Zeús) ଓ Ζήν (Zḗn) ଶବ୍ଦ ସୃଷ୍ଟି ହୋଇଥିଲା । ଏ ସମସ୍ତ ଶବ୍ଦ ଭଗଵାନ,ଆକାଶ ଓ ଦେଵତା ସମ୍ବନ୍ଧୀୟ । ତେଣୁ ସେହିପରି ଦିଵ୍ୟ,ଧ୍ୟୁ ଓ ଦେଵ ଆଦି ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ deywósରୁ ଗୋଟିଏ ଦିଗରେ ଓଡ଼ିଆ ଭାଷାରେ ଦିଅଁ ଓ ଦେଓ ତଥା ଅନ୍ୟ ଏକ ଦିଗରେ ଜୀଉ ଶବ୍ଦ ସୃଷ୍ଟି ହୋଇଥାଇପାରେ । 


ମତାନ୍ତରେ ଜୀଉ ଶବ୍ଦଟି ସଂସ୍କୃତ ଜୀଵ ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ । Sir Ralph lilley Turnerଙ୍କ ଦ୍ଵାରା ଲିଖିତ A comparative dictionary of the Indo Aryan Languages ପୁସ୍ତକ ଅନୁସାରେ ଜୀଵ ଶବ୍ଦରୁ ଜ୍ୟୁ,ଜିଉ,ଜୀ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ଏହି ପୁସ୍ତକରେ ଜୀଵ ଶବ୍ଦ ତଳେ ଯାହା ଲେଖାଅଛି ତାହା ଏଠାରେ ପ୍ରଦତ୍ତ ହେଲା...

jī́va² 'long live!'. [Imper. of jī́vati]

Sindhi. jīu 'yes, honorific particle added to names';

Lahndā and Punjabi—'particle of assent or respect'; 

Kumauni— jyū 'term of respectful address'; 

Nepali— jiu 'particle of assent or respect', 

Bengali— ji
Hindi,Gujrati, Marathi— jī.
As honorific particle added to names the above prob. < 3 sg. jīvatu.

ନେପାଳୀ ଓ କୁମାୟୁନୀ ଭାଷାରେ ଜ୍ୟୁ ଓ ଜିଉ ଶବ୍ଦ ସସମ୍ମାନ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ । ସେହି ଶବ୍ଦଗୁଡି଼କ ଜୀଵ ସହିତ ସମୋଦ୍ଧୃତ । ଠିକ୍ ସେହିପରି ଉତ୍ତରଭାରତୀୟ ସେହି ଜୀଵ ଶବ୍ଦରୁ ଜୀ କରି ନାମ ପରେ ସମ୍ମନାର୍ଥେ ଯୋଡ଼ନ୍ତି

ନେପାଳୀ ଓ କୁମାୟୁନୀରେ ଯେମିତି ଜୀଵ ଶବ୍ଦ ଜ୍ୟୁ ଓ ଜିଉ ହୋଇଛି ଓଡ଼ିଆ ଭାଷାରେ ବି ତାହା ସେହିପରି ଜୀଉ ହୋଇଅଛି । 

ଜୀଵ > ଜୀଉ 
ଅଵର୍ଗ୍ୟ ଵ ଵର୍ଣ୍ଣ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇଥାଏ । ତେଣୁ ଏହା ସମ୍ଭଵ । 

ଶ୍ରୀଜୀ ଶବ୍ଦରୁ ଜୀଉ ହୋଇଥିଲେ ଅତିରିକ୍ତ ଉ କୁଆଡ଼ୁ ଆସିଲା ? ଵରଂ ଜୀଵ ଶବ୍ଦରୁ ଜୀଉ ହୋଇଥିଵା ଅଧିକ ସମ୍ଭଵପର ।

ସବୁଠାରୁ ବଡ଼ କଥା ହେଲା ଶ୍ରୀଵିଷ୍ଣୁଙ୍କର ଏକ ନାମ ବି ଜୀଵ । ଓଡ଼ିଆମାନେ ତାହା ଜାଣିଥିଲେ ତେଣୁ ସେମାନେ କେଵଳ ଭଗଵାନଙ୍କୁ ଜୀଉ ସମ୍ବୋଧନ କରୁଥିଲେ କିନ୍ତୁ ଭାରତରେ ଅନ୍ୟତ୍ର ସମସ୍ତଙ୍କୁ ଜ୍ୟୁ,ଜିଉ ଓ ଜୀ ସମ୍ବୋଧନ କରାଯାଉଥିଲା । ଓଡ଼ିଆମାନେ ତାଙ୍କ ଭଗଵାନଙ୍କୁ ସମ୍ମାନ ପ୍ରଦାନ କରିଵାକୁ ଯାଇ ଜୀଉ ଶବ୍ଦକୁ ମନୁଷ୍ୟମାନଙ୍କୁ ସମ୍ମାନ ପ୍ରଦାନ ହେତୁ ଵ୍ୟଵହାର କଲେ ନାହିଁ ସେଥିପାଇଁ ଓଡ଼ିଶାରେ କେହି ଶିଶିର ଜୀ ଵା ଜୀଉ ,ଅମ୍ବିକା ଜୀ ଵା ଜୀଉ କହୁନଥିଲେ ଵରଂ ଆଜ୍ଞା ଅର୍ଥଜ ଜୀ ସ୍ଥାନରେ ଆମର ଆଜ୍ଞା ଵ୍ୟଵହାର କରାଗଲା ଆଉ ସମ୍ମାନ ତଥା ସ୍ନେହ ପ୍ରକାଶ ପାଇଁ ନାମ ପରେ ବାବୁ,ଭାଇ,ନାନୀ,ମହାଶୟ, ଆଜ୍ଞା ଇତ୍ୟାଦି ଶବ୍ଦ ଵ୍ୟଵହାର କରାଗଲା ...

ଓଡ଼ିଆ ଜାତି, ଶ୍ରୀଜଗନ୍ନାଥଙ୍କୁ ଜୀଉ ଶବ୍ଦଟି ଉତ୍ସର୍ଗ କରିଦେଇଛି ଏହା ହିଁ ଏ ଜାତିର ମହାନତା...

Monday, May 22, 2023

Oxଠାରୁ ଔକ୍ଷ ଯାଏଁ

ଛୋଟପିଲା ଇଂରାଜୀ ଶିଖିଲାବେଳେ ଇଂରାଜୀ ଭାଷାର ବଳଦ ଅର୍ଥରେ ଵ୍ୟଵହୃତ Ox ସହିତ ପରିଚିତ ହୋଇଥାନ୍ତି ‌। ବହୁତ ଛୋଟିଆ ଶବ୍ଦଟିଏ ହୋଇଥିଵାରୁ ପିଲାମାନଙ୍କୁ ଏହି ଶବ୍ଦଟି ପ୍ରଥମେ ଶିଖା ଯାଇଥାଏ । Ox ଶବ୍ଦଟି ଛୋଟିଆ ଦେଖାଯାଉଥିଲେ ବି ଏହାର ନିରୁକ୍ତି ଇତିହାସ ବଡ଼ ଗହନ । ଭାରତଠାରୁ ତୁର୍କୀ ଯାଏଁ ଇଂଲଣ୍ଡଠାରୁ ଜର୍ଜିଆ ଆଉ ତୁର୍କୀ ପର୍ଯ୍ଯନ୍ତ ଅଞ୍ଚଳରେ ଏହା ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଅନେକ ଶବ୍ଦ ଚଳୁଅଛି । 

ଆଧୁନିକ ଇଂରାଜୀ Ox ଶବ୍ଦର ମଧ୍ୟଯୁଗୀୟ ଇଂରାଜୀରେ ରୂପ ଥିଲା oxe ଏଵଂ ପ୍ରାଚୀନ ଇଂରାଜୀରେ ଏହା oxa ରୂପେ ପ୍ରଚଳିତ ଥିଲା । ଇଂରେଜମାନେ ପ୍ରାଚୀନ ଜର୍ମାନିକ୍ ଜାତି ଏଵଂ ଇଂଲଣ୍ଡକୁ ଜର୍ମାନୀର ସମୁଦ୍ର ଉପକୂଳରୁ ଗଲାବେଳେ ନିଜ ସହିତ ସେମାନେ ଏହି ଶବ୍ଦଟିକୁ ମଧ୍ୟ ସାଥିରେ ନେଇଯାଇଥିଲେ । ତେଣୁ କେଵଳ ଇଂରାଜୀ ହିଁ ନୁହେଁ ଵରଂ ଜର୍ମାନିକ୍ ଭାଷା ମୂଳର ଅନେକ ଭାଷାରେ ବଳଦର Ox ସହିତ ସମୋଦ୍ଧୃତ ଥିଵା ପ୍ରତିଶବ୍ଦ ଵ୍ୟଵହାର କରାଯାଏ। ଯଥା Frisian ଭାଷାରେ ବଳଦକୁ oksen, ଡଚ୍ ଭାଷାରେ os ଓ ଆଧୁନିକ ଜର୍ମାନ୍ ଭାଷାରେ Ochse କୁହାଯାଏ । ଇଂରାଜୀ ଭଳି ସ୍କଟିସ୍ ଭାଷାରେ ବି ox ଶବ୍ଦଟି ବଳଦ ଅର୍ଥରେ ପ୍ରୟୋଗ କରାଯାଏ। ବଳଦକୁ ଆଇଶଲ୍ୟାଣ୍ଡିକରେ oxi ଓ uxi,
Faroese ଭାଷାରେ oksi,
Norwegian ଭାଷାରେ okse ଓ ukse, ସ୍ବିଡିସ୍ ଭାଷାରେ oxe,ଡାନିସ୍ ଭାଷାରେ okse ଓ Yiddish ଭାଷାରେ אָקס‎ (oks) କୁହାଯାଏ । ଏ ସମସ୍ତ ଶବ୍ଦର ପ୍ରାକ୍ ଜର୍ମାନିକ୍ ମୂଳଶବ୍ଦ *uhsô ନିର୍ଣ୍ଣୟ କରାଯାଇଛି । 

ଭାରୋପୀୟ ଭାଷାପରିଵାରରେ ଜର୍ମାନିକ୍ ଶାଖା ଛଡ଼ା ପ୍ରାକ୍ ୟୁରାଲିକ୍ ଶାଖାର
Mari ଭାଷାରେ ӱшкӱж (üšküž) ଓ ӱшкӹж (üškÿž) ତଥା Udmurt ଭାଷାରେ ош (oš) ଶବ୍ଦଗୁଡି଼କର ମୂଳ ପ୍ରାକ୍ ୟୁରାଲିକ୍ ରୂପ *uškɜ ଏଵଂ ଏହି ଶବ୍ଦଗୁଡି଼କ ପ୍ରାୟତଃ ଷଣ୍ଢ ଓ ଵୃଷ ଅର୍ଥରେ ପ୍ରୟୋଗ କରାଯାଏ ।

ସେହିପରି କେଲ୍ଟିକ୍ ଭାଷା ଶାଖାର ଓ୍ଵେଲ୍ସ ଭାଷାରେ ych ଓ ychain , କୋର୍ନିସ୍ ଭାଷାରେ ohen,ବ୍ରେଟୋନ୍ ଭାଷାରେ oc'hen ଓ ଆଇରିଶ୍ ଭାଷାରେ os (ହରିଣ) ଇତ୍ୟାଦି ଶବ୍ଦ ଚଳୁଅଛି ଏଵଂ ଏହିସବୁ ଶବ୍ଦଗୁଡ଼ିକର ମଧ୍ୟ ଇଂରାଜୀ ox ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ଏଵଂ ଏସବୁ ଶବ୍ଦଗୁଡି଼କର ପ୍ରାକ୍ କେଲ୍ଟିକ୍ ରୂପ *uxsū ନିର୍ଣ୍ଣୟ କରାଯାଇଛି । 

ଭାରୋଇରାନୀୟ ଶାଖାରେ ଆଵେସ୍ତାନରେ 
ଷଣ୍ଢ ଵା ବୃଷ ଅର୍ଥରେ 𐬎𐬑𐬱𐬀𐬥‎ (uxšan) ଶବ୍ଦ ଵ୍ୟଵହୃତ ହେଉଥିଲା । 
ଅନ୍ୟତମ ଭାରୋଇରାନୀୟ ଭାଷା ସଂସ୍କୃତରେ ଉକ୍ଷନ୍,ଉକ୍ଷା,ଉକ୍ଷଣଃ,
ଉକ୍ଷତର,ଔକ୍ଷ ତଥା ମହୋକ୍ଷ ଇତ୍ୟାଦି ଶବ୍ଦ 
ବୃଷ,ବଳଦ ଅର୍ଥରେ ଵ୍ୟଵହୃତ ହେଉଥିଲା। ଏମନ୍ତକି ପାଲୀ ତଥା ପ୍ରାକୃତ ଭାଷାରେ ବି ଯଥାକ୍ରମେ ukkhā ଓ ଉଚ୍ଛ ଶବ୍ଦ ପୂର୍ଵେ କଥିତ ଭାଷାରେ ଚଳୁଥିଲା ‌। ଏସବୁ ଶବ୍ଦର ପ୍ରାକ୍ ଭାରୋଇରାନୀୟ ଶବ୍ଦରୂପ *(H)ukšā́ ନିର୍ଣ୍ଣୟ କରାଯାଇଛି ଏଵଂ ଏହି ଆନୁମାନିକ ମୂଳ ଶବ୍ଦଟି ବଳଦ ଅର୍ଥରେ ସଂସ୍କୃତ ଭାଷାରେ ଵ୍ୟଵହୃତ ଉକ୍ଷା ଶବ୍ଦର ନିକଟତର ଜଣାପଡ଼େ । 


ଠିକ୍ ସେହିପରି ଇଂରାଜୀ Oxଠାରୁ ଭାରତୀୟ ଔକ୍ଷ ଶବ୍ଦ ଯାଏଁ ପ୍ରୋକ୍ତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *uksḗn ନିର୍ଣ୍ଣୟ କରାଯାଇଛି ଏଵଂ ଏହି ମୂଳ ଶବ୍ଦଟି ଅନେକାଂଶରେ ଭାରତୀୟ ଉକ୍ଷନ୍ ଵା ଉକ୍ଷଣଃ ଶବ୍ଦର ନିକଟତର ଜଣାପଡ଼ିଥାଏ ।

ତେବେ ପୂର୍ଵେ ସଂସ୍କୃତ ଭାଷାରେ ଉକ୍ଷା,ଉକ୍ଷଣଃ,ଉକ୍ଷନ୍,ଔକ୍ଷ ତଥା ପାଲୀ ଭାଷାର ଉଖ୍ଖା ଆଉ ପ୍ରାକୃତ ଭାଷାରେ ଉଚ୍ଛ ଇତ୍ୟାଦି ଶବ୍ଦ ପ୍ରଚଳିତ ଥିଲେ ବି ସମୟ ସହିତ ଏସବୁ ଶବ୍ଦ କେଵଳ ଭାରତୀୟ ପ୍ରାଚୀନ ଶାସ୍ତ୍ର ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି । ମୋଟ ଉପରେ କହିଵାକୁ ଗଲେ ଜର୍ମାନିକ୍ ଭାଷାଗୁଡି଼କରେ ମୂଳ ଭାରୋପୀୟ ଶବ୍ଦରୂପ *uksḗnରୁ ସୃଷ୍ଟି ହୋଇଥିଵା ox,os ଭଳି ଶବ୍ଦ ଅଧିକ ଵ୍ୟାପିପାରିଛି ଏଵଂ ଆଜି ବି ପ୍ରଚଳିତ ଅଛି କିନ୍ତୁ ଆମ୍ଭ ଦେଶରେ ସେହି ମୂଳ ଶବ୍ଦରୁ ସୃଷ୍ଟି ହୋଇଥିଵା ଶବ୍ଦଗୁଡି଼କ ସାହିତ୍ୟ ତଥା କଥିତ ଭାଷାରୁ ଲୁପ୍ତ ହୋଇଯାଇଛି । 

ଆମ ଦେଶରେ ଉକ୍ଷା, ଉକ୍ଷଣଃ,ଉକ୍ଷନ୍,ଉଚ୍ଛ ଓ ଉଖ୍ଖା ଭଳି ଶବ୍ଦ ଲୋପ ପାଇଯିଵାର କାରଣ କ'ଣ ?

Monday, May 1, 2023

ଗାତ୍ର ଓ ଗା କେଵଳ ବଙ୍ଗାଳୀ ଶବ୍ଦ କାହିଁକି ?

ଗାଧୋଇଵା ଏକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ ଏଵଂ ଏହା ଅନ୍ୟ ଭାଷାରେ ପ୍ରାୟତଃ ଦେଖାଯାଏ ନାହିଁ । 
ଗା+ଧୋଇଵା = ଗାଧୋଇଵା ସେହିପରି 
ପାଆ+ଧୋଇଵା = ପାଧୋଇଵା 

'ଗା' ମାନେ 'ଗାତ୍ର' ଅର୍ଥାତ୍ ଶରୀର । ଆଜି ବି ଓଡ଼ିଶାର କେତେକ ଶୈଳୀରେ ଶରୀରକୁ 'ଗା' କୁହାଯାଏ ‌। ସେହି 'ଗା' ଶବ୍ଦ ସହିତ 'ଧୋଇଵା' ଶବ୍ଦ ଯୋଡ଼ି ହୋଇ ଗାଧୋଇଵା ଶବ୍ଦ ସୃଷ୍ଟି କରାଯାଇଛି । ଏହି 'ଗା' ଶବ୍ଦ ପୁଣି ଗାମୁଛା ଶବ୍ଦରେ ବି ଅଛି । ଯେଉଁ ପୋଛାରେ ଗା ଅର୍ଥାତ୍ ଶରୀର ପୋଛାପୋଛି ହେଉଥିଲା ତାକୁ ଗାପୋଛା କୁହାଯାଉଥିଲା ଯାହା ପରେ ଗାମୁଛା ହୋଇଛି ।ମତାନ୍ତରେ ଗା ମଜା ଵା ଵା ଗା ମୁଜାରୁ ଗାମୁଛା ଶବ୍ଦ ସୃଷ୍ଟି ହୋଇଛି । 

 ସେହି ଧରଣର ଆଉ ଏକ ଶବ୍ଦ ପାଧୋଇଵା ଏଵଂ ଏହା ସହଚର ଶବ୍ଦ ଭାବେ ଗାଧୋଇଵା ଶବ୍ଦ ସହିତ ଯୁକ୍ତ ହୋଇ ଵ୍ୟଵହାର କରାଯାଏ । ଯଥା : 

“ମୁଁ ଗାଧୋଇ ପାଧୋଇ (ଅନ୍ୟ ରୂପ :ଗାଧେଇ ପାଧେଇ) ପାଟଣାଗଡ଼କୁ ଯାଉଛି ତମେ ବାଟରେ ମତେ ଭେଟ !” 

ଅନେକେ ଭାଵନ୍ତି ଗାଧୋଇଵା ଶବ୍ଦ ସହିତ ସହଚର ଶବ୍ଦ ଭାବେ ଯୁକ୍ତ ହେଉଥିଵା ପାଧୋଇଵା ଶବ୍ଦଟି ଏକ ନିରର୍ଥକ ଶବ୍ଦ କିନ୍ତୁ ଏହା ଠିକ୍ ନୁହେଁ । ପାଧୋଇଵା ଶବ୍ଦରେ ଯେଉଁ ପା ଵା ପାଆ ଶବ୍ଦ ଅଛି ତାହାର ଅର୍ଥ ପାଦ ଅଟେ । ଆମେ ତଳିପା କହିଲା ବେଳେ ସେଥିରେ ମଧ୍ୟ ଏହି ପାଆ ଶବ୍ଦ ରହିଛି ବୋଲି ଜାଣିପାରନ୍ତି ନାହିଁ ।‌ ପାଆ ଧୋଇଵା ମାନେ ପାଦ ଧୋଇଵା । ତେଣୁ ଗାଧୋଇଵା ପାଧୋଇଵାର ସାଧାରଣ ଅର୍ଥ ସମ୍ପୂର୍ଣ୍ଣ ଭାବରେ ସ୍ନାନ କରିଵା । 

ଅନେକେ ଏହି ମୂଳ ଓଡ଼ିଆ ଶବ୍ଦଗୁଡି଼କର ଅଯଥା ସଂସ୍କୃତ ମୂଳ ଦେଖାଇଵାକୁ ଗାତ୍ରମାର୍ଜନୀ,ଗାତ୍ରପ୍ରୋଚ୍ଛନୀ ଭଳି ଶବ୍ଦର ଉଲ୍ଲେଖ କରନ୍ତି କିନ୍ତୁ ଓଡ଼ିଶା ଛଡ଼ା ଅନ୍ୟତ୍ର ଗାଧୋଇଵା,ପାଧୋଇଵା ଓ ଗାମୁଛା ଭଳି ଶବ୍ଦ ଅପ୍ରଚଳିତ ତେଣୁ ଏସବୁ ଶବ୍ଦ ଓଡ଼ିଆ ଭାଷାର ଶବ୍ଦ ସମ୍ଭାର ଵ୍ୟଵହାରରେ ସୃଷ୍ଟି ହୋଇଛି । 

ଆଗେ ଗାତ୍ର ପ୍ରୋଚ୍ଛନୀ କି ଗାତ୍ରମାର୍ଜନୀ ଭଳି କୌଣସି ଶବ୍ଦ ପ୍ରାଚୀନ ସଂସ୍କୃତ ସାହିତ୍ୟରେ ନଥିଲା ଵରଂ ଏ ସବୁ ଶବ୍ଦ ଓଡ଼ିଆରେ ଗାମୁଛା ଓ ଗାଧୋଇଵା ଭଳି ଶବ୍ଦ ସୃଷ୍ଟି ହେଲାପରେ ତହିଁର ସଂସ୍କୃତ ପ୍ରତିଶବ୍ଦ ସୃଷ୍ଟି କରିଵା ପ୍ରଚେଷ୍ଟାରେ ଗଢ଼ାଯାଉଛି ଯେମିତି ଉତ୍କଳୀୟ କଵି ଜୟଦେଵଙ୍କ ଦ୍ଵାରା ଓଡ଼ିଆ ବୋଇତ ଶବ୍ଦ ସଂସ୍କୃତ ଭାଷାରେ ଯାଇ ଵହୀତ୍ର ହୋଇଅଛି । 

ପୁଣି ଦେଖାଯାଏ କିଛି ଲୋକ ଆପଣାର ଅଜ୍ଞାନତା ଯୋଗୁଁ "ଗା ଆଉ ପାଆ" ଓଡ଼ିଆ ଶବ୍ଦଦ୍ଵୟକୁ ବଙ୍ଗଳା ଭାଷାର ଶବ୍ଦ ମନେ କରନ୍ତି କିନ୍ତୁ ଏହା ଏକ ଉଦ୍ଭଟ ଚିନ୍ତାଧାରା । ପ୍ରାଚୀନ ଓଡ଼ିଆ ଭାଷାରେ ଆଜ ଶବ୍ଦ ଵ୍ୟଵହାର ହୋଇଅଛି ଏଵଂ ଆଜିକାଲି ହିନ୍ଦୀରେ ଆଜ୍ ଶବ୍ଦ ପ୍ରୟୋଗ କରାଯାଉଛି ତା ବୋଲି ପ୍ରାଚୀନ ଓଡ଼ିଆ 'ଆଜ' ଶବ୍ଦକୁ ହିନ୍ଦୀ ଅନୁକୃତ ବୋଲିଵା ସମୁଚିତ ହେଵ କି ? 

ଆମର‌ ତଳିପା, ଦେହପାଆ, ପାଆତଳ,ପାଆତଳିଆ,ପାଆଧୂଆ,ପାଆପଦ୍ମ,ପାଆଫିଆ,ପାଆଭାଗ,ପାତଳି,ପାମ୍ପଡ଼ି ଶୋଇଵା ଓ ପାଇକ ଆଦି ଅନେକ ଶବ୍ଦରେ ପାଦ ଅର୍ଥଜ ପାଆ ଶବ୍ଦ ଅଛି । ପ୍ରାଚୀନ ସାହିତ୍ୟରେ ପାଆ ଶବ୍ଦ ପ୍ରୟୋଗ କରାଯାଇଛି । 

“ଦ୍ୱିତୀୟ ସଙ୍ଗ ଥିବାଯାଏ, 
ମନ ନ ପଶେ ତୋର ପାଏ”
(ଭୂପତି, ପ୍ରେମପଞ୍ଚାମୃତ।)

ସେହିପରି ଗା,ଗାତ୍ର ଶବ୍ଦ ମୂଳଜ ଗାଧୋଇଵା,ଗାଧେଇଵା,ଗାଧପାଧ,
ଅଗାଧୁ,ଅଗାଧୁଆ,ଗାତ୍ରା(ପରିଷ୍କାର -ଗଞ୍ଜାମ),ଗାଧୁଆ,ଗାଗର(ଦେହ),ଗାଧୁଆଗାଧି,ଗାଧୁଆପାଧୁଆ,ଗାଧୁଆବେଳ,ବୁଡ଼ାଗାଧୁଆ,ସଗା(କୋଡି଼ର ବେଣ୍ଟ),ଗତର(ଶରୀର),ଗତରପୋଷା,ଗାଣ୍ଡି,ଗାଲୁ(ଗଲୁ),ଗାବିଵା,ଗୁବିଵା,ଗେବିଵା(ଦେହରେ ଫୋଡି଼ଵା) ,ଗୋର ଦେଵା(ମୃତ ଶରୀରକୁ ପୋତିଵା) ଓ ଘୋଡ଼(ଗାତ୍ରାଵରଣ) ଭଳି ଅନେକ ଶବ୍ଦ ରହିଛି । 

ଏଠାରେ ବୁଝିଵାକୁ ହେଵ ଯେ ଉତ୍ତର, ପଶ୍ଚିମ ଓ ପୂର୍ଵ ଭାରତରେ ଓଡ଼ିଆ ଭାଷା ହେଉଛି ଵୟସ ଦୃଷ୍ଟିରୁ ଜ୍ୟୈଷ୍ଠ ଭାଷା । ଯେତେବେଳେ ବଙ୍ଗାଳୀ ହିନ୍ଦୀ ଆଦି ଭାଷାର ଅସ୍ତିତ୍ବ ନଥିଲା ସେତେବେଳେ ବି ଆମ ଓଡ଼ିଆ ଭାଷା ଥିଲା । 

ସେମିତି ଦେଖିଲେ ସାରଳା ମହାଭାରତରେ ଶରୀର ଅର୍ଥଜ ଗାତ୍ର ଶବ୍ଦ ଵ୍ୟଵହାର ହୋଇଅଛି 

“ଦଣ୍ଡ କମଣ୍ଡଳ କଷା କଉପୁନୀ ଶୀତାଂସୁ ତାମ୍ର ବର୍ଣ୍ଣ ଗାତ୍ର ଅଙ୍ଗେଣ ଲେପନ ପାଂଶୁ ।”

ସାରଳା ମହାଭାରତ ସାରା ଉତ୍ତର , ପଶ୍ଚିମ ଓ ପୂର୍ଵ ଭାରତର ପ୍ରଥମ ଅସଂସ୍କୃତ ପୌରାଣିକ କାଵ୍ୟଗ୍ରନ୍ଥ । ସେତେବେଳେ କୋଉ ବଙ୍ଗଳା କି ହିନ୍ଦୀ ଗ୍ରନ୍ଥ କିଏ ଲେଖିଥିଵା ଜଣାଯାଏ ନାହିଁ । ତେଣୁ ଗା ଓ ପା ଶବ୍ଦଦ୍ଵୟକୁ ବଙ୍ଗାଳୀ ଶବ୍ଦ ମନେ କରିଵା ହିଁ ଭୁଲ୍ ଅଟେ ।

ତେବେ ଏହାର ପ୍ରାକ୍ ଭାରୋପୀୟ ଶବ୍ଦରୂପ ଵିଷୟରେ ମଧ୍ୟ ଆଲୋଚନା ଆଵଶ୍ୟକ। ଆମେ ଦେଖୁ କେଵଳ ଓଡ଼ିଆ, ସଂସ୍କୃତ କି ବଙ୍ଗାଳୀ ନୁହେଁ ଅନେକ ଭାରତୀୟ ଭାଷାରେ ଗାତ୍ର ଓ ଗାଆ ସହିତ ସମୋଦ୍ଧୃତ ସଗୋତ୍ରୀୟ ଶବ୍ଦ ଅଛି ।

ଓଡ଼ିଶାର ପ୍ରାଚୀନ ଭାଷା ପାଲୀରେ ଶରୀରକୁ ଲୋକେ gatta କହୁଥିଲେ । ଓଡ଼ିଶାର ଅନ୍ୟତମ ପ୍ରାଚୀନ କଥିତ ଭାଷା ଅର୍ଦ୍ଧମାଗଧୀ ଵା ଉଡ୍ରମାଗଧୀରେ ଶରୀରକୁ 𑀕𑀸𑀅 (gāa) କୁହାଯାଉଥିଲା ଯାହା ଓଡ଼ିଆ ଭାଷାରେ ଗତର,ଗାତ୍ରା,ଗା ରୂପେ ଏବେ ବି ପ୍ରଚଳିତ । ଆଜି ବି ଓଡ଼ିଶାର ଗଡ଼ଜାତରେ ଶରୀରକୁ ଗାଗର୍ କୁହାଯାଏ । 

ପ୍ରାଚୀନ ଅହମିଆରେ গাৱ (gawo) ଓ ଆଧୁନିକ ଅହମିଆରେ গা (ga) ଶବ୍ଦର ପ୍ରଚଳନ ରହିଛି । ଆସାମର ବୋଡ଼ୋ ଭାଷାରେ ଶରୀରକୁ गाव (gao) କୁହାଯାଏ । ବଙ୍ଗାଳୀରେ
 গা (ga),କାମତାପୁରୀରେ 
 গাও (gaö),ରୋହିଙ୍ଗ୍ୟାରେ gaa ଓ ସିଅଲହଟୀରେ ꠉꠣ (ga) ଶବ୍ଦ ଚଳୁଅଛି । 

ମହାରାଷ୍ଟ୍ରୀ ପ୍ରାକୃତରେ ଶରୀରକୁ 𑀕𑀢𑁆𑀢 (gatta) କୁହାଯାଉଥିଲା କିନ୍ତୁ ପରେ ମରାଠୀରେ ଏହା ଭିନ୍ନ ଅର୍ଥ ସହ gāta ରୂପରେ ପ୍ରଚଳିତ ଅଛି । ହିନ୍ଦୀର ପୁରୁଣା ସାହିତ୍ୟରେ ମଧ୍ୟ ଶରୀର ଅର୍ଥରେ ଗାତ ଶବ୍ଦ ଵ୍ୟଵହାର ହୋଇଅଛି । ଭାରତର ପ୍ରାୟ ସବୁ ଭାଷାର ସାହିତ୍ୟରେ ଶରୀର ଅର୍ଥଜ ସର୍ଵଭାରତୀୟ ଗାତ୍ର ଶବ୍ଦ ଵ୍ୟଵହାର ହୋଇଅଛି ,ହେଉଅଛି । ଏମନ୍ତକି ମଳୟାଳ଼ମରେ ഗാത്രം (gātraṃ) ଓ ତେଲୁଗୁରେ గాత్రము (gātramu) ରୂପରେ ଏ ଶବ୍ଦ ପ୍ରୟୋଗ କରାଯାଇଛି । 

ତେବେ ପ୍ରକୃତରେ ଏହା ଏକ ଭାରୋପୀୟ ମୂଳର ଶବ୍ଦ । ଗା(ଗତି କରିଵା) ଓ ତ୍ର ଶବ୍ଦ ଯୁକ୍ତ ହୋଇ ଗାତ୍ର ଶବ୍ଦ ସୃଷ୍ଟି ହୋଇଛି । ଏହାର ମୂଳ ଭାରୋପୀୟ ଧାତୁରୂପ ନିର୍ଣ୍ଣୟ କରାଯାଇଛି 
 *gʷeh₂- (“to step”) । ଏ ଦୃଷ୍ଟିରୁ ଦେଖିଲେ ଭାରତୀୟ ଶରୀର ଅର୍ଥଜ ଗାତ୍ର ଶବ୍ଦ ସହିତ ପ୍ରାଚୀନ ଗ୍ରୀକ୍ βῆμᾰ • (bêma ; ଚାଲିଵା,ଗତି) , ଆଵେସ୍ତାନୀ 𐬔𐬁𐬝‎ (gāt̰),ଆର୍ମେନୀୟ կամ (kam ଛିଡ଼ା ହେଵା ଅପେକ୍ଷା କରିଵା),ଆଇରିଶ୍ bath(ମୃତ୍ୟୁ) ଓ ପାର୍ସୀ گام (gâm ପାହୁଣ୍ଡ) ଆଦି ଅନେକ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଵିଭିନ୍ନ ଭାରୋପୀୟ ଭାଷାଗୁଡି଼କରେ ପ୍ରଚଳିତ ଅଛି । 

ତାହେଲେ ଗାତ୍ର କେଵଳ ବଙ୍ଗାଳୀମାନଙ୍କର ଶବ୍ଦ କେମିତି ହୋଇଗଲା ?

Thursday, March 30, 2023

ବୋଉ : ଶବ୍ଦ ଗୋଟିଏ କଥା ଅନେକ


ବୋଉ ଶବ୍ଦ ଗୋଟିଏ ଵିରଳ ନିଆରା ସୁନ୍ଦର ଭାଵପୂର୍ଣ୍ଣ ଶବ୍ଦ । ତେବେ କିଛି ଵର୍ଷ ହେଲା ବୋଉ ଶବ୍ଦକୁ ନେଇ ଅଯଥା ଵିଵାଦ ସୃଷ୍ଟି କରିଵାକୁ ଚେଷ୍ଟା କରାଯାଉଛି ‌। ଧ୍ଵନିତତ୍ତ୍ଵ ଓ ଶବ୍ଦତତ୍ତ୍ଵ ଵିଷୟରେ କିଛି ନଜାଣି କେତେକ ମୂର୍ଖ ଲୋକ କଟକିଏ ଉପକୂଳିଏ 'ବୋଉ' ଶବ୍ଦଟି କୁଆଡ଼ୁ ଆଣିଲେ ବୋଲି ପଚାରୁଛନ୍ତି । ସେମାନଙ୍କ ଅନୁସାରେ ପୃଥିଵୀରେ ସମସ୍ତେ ନିଜ ମାତାଙ୍କୁ ମାଆ,ମାମା,ଅମ୍ମି ସମ୍ବୋଧନ କରନ୍ତି ଏଵଂ ଏହା ସଂସ୍କୃତ ଭାଷାର ଶବ୍ଦ। ହେଲେ କଟକିଏ ବୋଉ ଶବ୍ଦ କୁଆଡ଼ୁ ଆଣିଲେ ? 

ତେବେ ପୃଥିଵୀରେ ସବୁ ଅଞ୍ଚଳରେ ସବୁ ଭାଷାରେ ମାଆମାନଙ୍କୁ ପିଲାଏ ମାଆ,ମାତା ସମ୍ବୋଧନ କରନ୍ତି ନାହିଁ । ଅନେକ ଭାଷାରେ ଭିନ୍ନ ଭିନ୍ନ ଵର୍ଣ୍ଣ ଆଦ୍ୟରୁ ମାତା ସମ୍ବୋଧନ ପାଇଁ ଶବ୍ଦ ରହିଛି । ତନ୍ମଧ୍ୟରୁ ଵର୍ଗ୍ୟ 'ବ' ଵର୍ଣ୍ଣ ଆଦ୍ୟରେ ମାତାଙ୍କୁ ସମ୍ବୋଧନ କରାଯିଵା ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ପ୍ରଚଳିତ । 

ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । 

ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ 
Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ 
କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ bimaa ଓ bąą ସମ୍ବୋଧନ କରିଥାନ୍ତି । 

ଋଷିଆ ଓ ଏହାର ଆଖପାଖ ଦେଶରେ ପ୍ରଚଳିତ Northeast Caucasian ଭାଷା ପରିଵାରର ଅନ୍ୟତମ ଭାଷା Avar ଭାଷାରେ ମାଆଙ୍କୁ ପିଲାଏ эбел (ebel), баба (baba) ଓ буба (buba) ସମ୍ବୋଧନ କରିଥାନ୍ତି । 

ଭାରତୀୟ ରାଜ୍ୟ ଆସାମର ସିନୋ ତିବତ୍ତୀୟ ଭାଷା ପରିଵାରର ବୋଡ଼ୋ ଭାଷା ବୋଲୁଥିଵା ଲୋକେ ନିଜ ମାଆଙ୍କୁ 
आइ ଓ बिमा ସମ୍ବୋଧନ କରନ୍ତି ।‌

Austronesian ଭାଷା ପରିଵାରର 
Brunei Malay ଭାଷାରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 

ସିନୋ ତିବତ୍ତୀୟ ଭାଷା ପରିଵାରର 
Min Nan ଭାଷାରେ ମାଆଙ୍କୁ ପିଲାଏ 母親/母亲 (bó-chhin, bú-chhin) ଓ 阿母 (a-bó) ଡାକିଥାନ୍ତି ‌ ।

Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ସେହିପରି ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । 

ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । 

Austroasiatic ଭାଷା ପରିଵାରର Vietnamese ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái ସମ୍ବୋଧନ କରାଯାଇଥାଏ ।

ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganର 
Turrbal ଭାଷାର ଗୋଟିଏ ଶୈଳୀ 
Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । 

Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ । 

ଭାରୋପୀୟ ଭାଷାପରିଵାରରେ ଓଡ଼ିଆ ଏମିତି ଏକ ଭାଷା ଯା ପାଖରେ ଵର୍ଗ୍ୟ ’ବ’ ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରିଵା ପାଇଁ ନିଆରା ଶବ୍ଦଟିଏ ଅଛି ’ବୋଉ’ । ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ ବୋଲି ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ତମ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ଅଵଶ୍ୟ ଓଡ଼ିଆ ଓ ଅହମିଆରେ ବୋଉ ତଥା ବୌ ଶବ୍ଦ ପ୍ରଚଳନ ହେଉ ଵା ପୃଥିଵୀର ପ୍ରୋକ୍ତ ଭାଷାଗୁଡି଼କରେ ପ୍ରଚଳିତ ଵର୍ଗ୍ୟ ’ବ’ ଵର୍ଣ୍ଣ ଆଦ୍ୟର ମାତାଙ୍କୁ ସମ୍ବୋଧନ କରାଯିଵା ଵିରଳ,ନିଆରା ଓ ସ୍ଵତନ୍ତ୍ର ପଦଵାଚ୍ୟ ହୋଇପାରେ । 

ଓଡ଼ିଆ ଭାଷାରେ ବୋଉ ଶବ୍ଦ ପ୍ରଚଳନ ତେଣୁ ଅତ୍ୟନ୍ତ ଵିରଳ କହିଲେ ଅତ୍ୟୁକ୍ତି ହେଵ ନାହିଁ । କିନ୍ତୁ କଳିଙ୍ଗର କେଵଳ ଓଡ଼ିଆ ଭାଷାରେ ହିଁ ଲୋକମାନେ ମାଆଠାରୁ ସ୍ଵତନ୍ତ୍ର ବୋଉ ଭଳି ଏକ ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରୁଛନ୍ତି ବୋଲି ଭାବିଵା ଠିକ୍ ନୁହେଁ କାରଣ ଆମ ଓଡ଼ିଶାର ଅନେକ ଦେଶୀୟ ଜନଜାତୀୟ ଭାଷାରେ ମାତାଙ୍କୁ ଆହୁରି କେତେକ ସ୍ଵତନ୍ତ୍ର ସମ୍ବୋଧନଵାଚକ ଶବ୍ଦ ଦ୍ଵାରା ପିଲାଏ ଡାକିଥାନ୍ତି । 

ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।ଓରାଓଁରେ ଆୟାଙ୍ ,କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ,କୁଈ ତଥା କୁଭି ଭାଷାରେ ଆଜି ଓ କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା ଡକାଯାଏ। ଗୋଣ୍ଡୀ ଭାଷାରେ ୟାୟା,ଦେଶିଆ ଓଡ଼ିଆରେ ଆୟା,ବଣ୍ଡା ଭାଷାରେ ୟଂ ଓ ଇୟଂ,ଭୁଂଜିଆରେ ଓୟା 
,ସଉରାରେ ୟାଙ୍,ସାଦ୍ରୀରେ ଆୟୋ,
ସାନ୍ତାଳୀରେ ଏଙ୍ଗା ଓ ଅୟୋ,ଡିଡାୟୀରେ ଇଆଁଙ୍ଗ୍,ପରଜୀ ଭାଷାରେ ଇୟ୍'ୟା 
ତଥା ଭତ୍ରୀ- ହଲଵୀ ଓଡ଼ିଆଶୈଳୀରେ ମାତାଙ୍କୁ ଆୟା ସମ୍ବୋଧନ କରାଯାଇଥାଏ ‌ । ନିଜ ମାତାକୁ ମାଆ ଶବ୍ଦ ନକରି ଏକ ସ୍ଵତନ୍ତ୍ର ମୌଳିକ ଶବ୍ଦ ଦ୍ବାରା ଡାକିଵାରୁ ଏମାନେ ହୀନ ହୋଇଗଲେ କି ? 

'ବୋଉ' କ'ଣ ଓଡ଼ିଆ ଭାଷାରେ ଆଗେ ମାଆଙ୍କୁ ଆସାମୀ ଓ ମରାଠୀ ଭାଷା ଭଳି ଆଈ ମଧ୍ୟ ସମ୍ବୋଧନ କରାଯାଉଥିଲା ବୋଲି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ମାତା ଅର୍ଥରେ ପ୍ରୟୋଗରୁ ସ୍ପଷ୍ଟ ହୋଇଥାଏ । ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଏହି ଆଈ ଶବ୍ଦଟି ସମ୍ଭଵତଃ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷା ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଏଇ ଯେମିତି...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ ଏହି ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ ତେଣୁ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । ଏ ସମସ୍ତ ସମ୍ବୋଧନ ସ୍ନେହ ସମ୍ବୋଧନ ଏଥିରେ କୌଣସି ଅଶ୍ଳୀଳତା ଅଛି ବୋଲି ଵିଚାର କରିଵା କେଵଳ ନିଜର ମାନସିକ ଵିକଳାଙ୍ଗତାକୁ ପ୍ରଚ୍ଛନ୍ନ ଭାବେ ପ୍ରକାଶ କରିଵା ଛଡ଼ା ଆଉ କିଛି ନୁହେଁ । 

ବୋଉ ଶବ୍ଦକୁ ନେଇ ଉପକୂଳଵାସୀଙ୍କୁ ଏ ପ୍ରଶ୍ନ କରାଯିଵାରୁ ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ । ତହିଁପରେ ବୋଉ ଶବ୍ଦର ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କେତେକଙ୍କ ମତରେ ବୋଉ ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଶବ୍ଦ ଏଵଂ ଅନେକ ଵର୍ଷ ଯାଏଁ ଏହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥିଲା କିନ୍ତୁ ସାହିତ୍ୟରେ ସ୍ଥାନ ପାଇ ଲୋକପ୍ରିୟ ହୋଇଅଛି । ଆଷ୍ଟ୍ରୋଏସୀୟ ମୂଳର ଭାଷା ଇଣ୍ଡୋନେସିଆ,ଜାଭାଭାଷା ଓ ମାଳୟ ଭାଷାରେ ଏବେ ବି ବୁ,ବୋ,ଇବୋ ଭଳି ଶବ୍ଦ ମାଆଙ୍କୁ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ ।‌ ଆଉ କେତେକଙ୍କ ଅନୁସାରେ ବୋଉ ଶବ୍ଦଟି ଵୋହୂ ଶବ୍ଦର ରୂପାନ୍ତରଣ ମାତ୍ର । ପିଲାଟିଏ ଆଗରେ ଶାଶୁ ନିଜ ଵୋହୂକୁ ଵହୂ,ଵଉ ଡାକିଵା ଶୁଣି ପିଲାଟି ତହିଁର ଅନୁକରଣରେ ବଉ ଓ ବୋଉ ଡାକିଵା ଆରମ୍ଭ କରିଛି । ଆଉ କିଛି ଲୋକେ ସଂସ୍କୃତ ଭାଷାରେ ଏ ବୋଉ ଶବ୍ଦର ଉତ୍ସ ଉଣ୍ଡିଵାକୁ ଯାଇ ଏହାକୁ ତତ୍ସମ ବନ୍ଧୁ ଶବ୍ଦର ଅପଭ୍ରଂଶ ରୂପ ବୋଲି ମଧ୍ୟ ପ୍ରମାଣିତ କରିଵାକୁ ଚେଷ୍ଟା କରିଛନ୍ତି । ଏ ଦେଶରେ ସାଧାରଣତଃ ସଂସ୍କୃତକୁ ବ୍ରାହ୍ମଣମାନେ ନିଜର ଵେଦପାଠ, ଶାସ୍ତ୍ରରଚନା ଓ ଧାର୍ମିକ କର୍ମକାଣ୍ଡ ମଧ୍ୟରେ ହଜାର ହଜାର ଵର୍ଷ ଧରି ବଞ୍ଚାଇ ରଖିଛନ୍ତି । ସଂସ୍କୃତ ଦିନେ ଏ ଦେଶର ରାଷ୍ଟ୍ରଭାଷା ଥିଲା ଏଵଂ ଓଡ଼ିଶାର ବ୍ରାହ୍ମଣମାନଙ୍କ ମଧ୍ୟରେ ଵିଶେଷତଃ ବୋଉ ତଥା ନନା ଡାକ ପ୍ରଚଳିତ । ତେଣୁ ହୁଏତ ବ୍ରାହ୍ମଣ ପରିଵାର ମଧ୍ୟରେ ଆଗେ ମାଆଙ୍କୁ ବନ୍ଧୁ ଡାକୁଥିବେ ଏଵଂ ଏହି ଶବ୍ଦରୁ ପରେ ବୋଉ ଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ମହାଶୟଙ୍କ ଅନୁସାରେ ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର ଏକ ଵିଶେଷ ଧ୍ଵନିତାତ୍ତ୍ଵିକ କାରଣ ରହିଛି ଯାହାକୁ ଅନେକେ ବୁଝିନପାରି ପ୍ରୋକ୍ତ ସମସ୍ତ ମତ ପ୍ରଦାନ କରିଛନ୍ତି। ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିଵାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । 

ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g(ଗୋସେଇଁ ମାଆ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■h (ହା ହା ―ଜାପାନୀ; ମାଆ)
■j (ଯା= ମାତା(ସଂ), ଜେଜେ,ଜେଜି/ଜେଈ/ଜେପା/ଜେଜ)

ପୁଣି ଫୋନୋଲୋଜିକାଲ୍ ଵିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ,fu(ମାତା-ହଙ୍ଗେରୀ),S,W, v(ଵାଲଦେନ୍), θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ । ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ତଥା ତ ଵର୍ଗର ତ,ଦ,ନ ଆଦି ଵର୍ଣ୍ଣ ହୋଇଥାଏ । 

ବୋଉ ଶବ୍ଦଟି Child babblingରୁ ସୃଷ୍ଟି ହୋଇଥିଵାର ଅନେକ ପ୍ରମାଣ ରହିଛି ।‌ ପ୍ରଥମତଃ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଵର୍ଗ୍ୟ ❝ବ❞ ଓ ❝ମ❞ ଵର୍ଣ୍ଣ ଆଦ୍ୟର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଏଵଂ ପିଲାମାନେ ଦୁଗ୍ଧପାନ ସମୟରେ child babbling ଯୋଗୁଁ ସର୍ଵାଧିକ ମ ଓ ବ ଧ୍ଵନି ହିଁ ଉତ୍ପନ୍ନ କରିଥାନ୍ତି । ଫଳତଃ ଏହି ଦୁଇଗୋଟି ଵର୍ଣ୍ଣରେ ସର୍ଵାଧିକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ହୋଇଅଛି । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l
 ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ‌। ଆମ ଭାଷାରେ ଵର୍ଗ୍ୟ 'ବ' ଆଦ୍ଯର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯହିଁର ସୂଚୀଟିଏ ଏଠାରେ ପ୍ରଦାନ କରିଦିଆଗଲା । 

•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
•ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...

“ଆଇଲେ ବାବା ଅମିନ ବଚା 
କର ଚରଚା ଦେ ଖରଚା ନେ ପାରଚା। 
ଅଇଲେ ଅମିନ ମାଇଲେ ମେଖ 
ବାରହାଣ୍ଡିଆଙ୍କୁ କରୁଛି ଭୋକ। 
ଅମିନ ଗାଆଁରେ ମାଇଲେ ମେଖ 
ପୋଲା ଖିଆଙ୍କର ମଲାଟି ଭେକ।”

ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗ ହେଉଥିଵା ଦେଖାଯାଏ । 

•ବଡ଼୍‌ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ । 
•ବା/ବାଆ— ବାପା
•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ 
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ‌।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଢ଼ୀ,ବୁଡ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ । 
ଯଥା 
“ଘରେ ନ ଥାଏ ଭୁର୍ଭୁଜା 
ବେଟା କରୁଥାଏ ଦୁର୍ଗାପୂଜା ॥”

କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ 
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...

“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା 
ରହ ରହ ବୋଇଲେ ମେଲିଣ ଗଳାଟା” । 

ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ । 

•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ 
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ ।  

ବୋପା—ବାପା
ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା ଶବ୍ଦ ପ୍ରୟୋଗ କରିଥାନ୍ତି । ଏହି ଶବ୍ଦଟି ଓଡ଼ିଶାର ପଶ୍ଚିମାଞ୍ଚଳରେ ଯାଇ ବୁଆ ରୂପେ ପ୍ରଚଳିତ ହୋଇଥିଵାର ମତ ରହିଛି ସେହିପରି ଢେଙ୍କାନାଳୀ ଓଡ଼ିଆରେ ବୋପା ଶବ୍ଦଟି ବୁପା ରୂପେ ଚଳୁଅଛି । ପ୍ରୋକ୍ତ ସମ୍ବନ୍ଧଵାଚକ ଶବ୍ଦ ସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ଵର୍ଗ୍ଯ 'ବ'ରୁ ସ୍ତ୍ରୀଲୋକଙ୍କୁ ସମ୍ବୋଧନ କରାଯିଵା ବେଇ,ବାଇ ଓ ବୁଇ ଭଳି ଶବ୍ଦ ରହିଛି ତେଣୁ ବୋଉ ଶବ୍ଦ ମଧ୍ୟ ରହିଵା ଅସମ୍ଭଵ ନୁହେଁ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ 'ମ' ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

 Finnish ଭାଷାରେ “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ “Anne,” “Ana” “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି । ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି । ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane ( ننه ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ 'ମ' ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ପୁଣି ଯଦି ଘରର ଵୋହୂକୁ ମାତୃଵତ୍ ଵିଚାର କରି ତାହାର କେହି କେହି ଶଶୁର,ଦିଅର ”ଵଉ ,ଵଉମାଆ” ସମ୍ବୋଧନ କରିଦେଲା ତାହା ଏକ ସମ୍ମାନ ସୂଚକ ସ୍ନେହ ସମ୍ବୋଧନ ବୋଲାଯିଵ ନା ଅଶ୍ଳୀଳ ସମ୍ବୋଧନ ଵିଦିତ ହେଵ ? ଘରର ଵୋହୂ ଅର୍ଥାତ୍ ବଡ଼ଭାଇଙ୍କର ସ୍ତ୍ରୀ ଦିଅର ପାଇଁ ଏଵଂ ପୁତ୍ରର ପତ୍ନୀ ଶଶୁର ପାଇଁ ମାତା ସମାନ ନୁହେଁ କି ? 

କେଵଳ ଭାରତରେ ହିଁ ନୁହେଁ ଚୀନ ଦେଶରେ ମାତାଙ୍କୁ ଵିଭିନ୍ନ ଭାଷାରେ 
母親 (móuhchàn),媽媽 (màhmà) ,阿母 (a mā) ,母親 (mu1-cin1),媽媽 (ma5-ma3),阿母 (a1-me1),母親 (mǔqīn), 
妈妈 [媽媽] (māma) ,母親 (bó-chhin),阿母 (a-bó) ଓ 俺娘 (án-niâ) ଆଦି ସମ୍ବୋଧନ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ପୁଣି ଚୀନଦେଶୀୟ ଭାଷାଗୁଡି଼କରେ ପ୍ରଚଳିତ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । ଯଥା—

•ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 
•Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 
•Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 
•ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଓଡ଼ିଆଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

ତାପରେ ଆମ ମହାକଵି ସଂସ୍କୃତଭାଷା କାନ୍ଧରେ ବନ୍ଧୁକ ରଖି ଓଡ଼ିଆ ଭାଷା ଉପରେ ବୋଉ ଶବ୍ଦ ଘେନି ଆକ୍ରମଣ କରିଥିଲେ । ସେ କହିଥିଲେ ସଂସ୍କୃତ ଭାଷାରେ ମାତା,ମାତୃ ଶବ୍ଦ ଅଛି କିନ୍ତୁ ବୋଉ ଶବ୍ଦ ନାହିଁ । ହେଲେ ସଂସ୍କୃତ ଭାଷା ଏତେ ସଂକୀର୍ଣ୍ଣ ନିକୃଷ୍ଟ ଭାଷା ନୁହେଁ ଯେ କେଵଳ ମାତୃ ଶବ୍ଦ ମଧ୍ୟରେ ଏହାର ଶବ୍ଦର ଶବ୍ଦ ସମ୍ଭାର ସୀମିତ । 

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି । ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଵୈଜ୍ଞାନିକ ମାନକ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବୋଉ,ବୌ,ବାଈ,ବୁଈ ଓ ବେଈ ଭଳି ସମ୍ବୋଧନଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

ଯୋଉମାନେ କହୁଛନ୍ତି କଟକିଆ ଉପକୂଳିଆଙ୍କ ବୋଉ ଶବ୍ଦ ଅଶାଳୀନ ସେମାନେ ନିଜେ ଅଶାଳୀନ । ଓଡ଼ିଶାରେ ଉଭୟ ମାଆ ଆଉ ବୋଉ ଶବ୍ଦର ପ୍ରଚଳନ ଅଛି ଵରଂ ଉପକୂଳିଆ ମାଆ ଶବ୍ଦକୁ ଯେତିକି ସମ୍ମାନର ସହିତ ଵ୍ୟଵହାର କରନ୍ତି ସାରା ଵିଶ୍ଵରେ କେହି କରୁନଥିବେ ।‌ ଷୋଡ଼ଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 
ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଛଡ଼ା ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।
ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା 'ବୋଉ' ଭଳି ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 
       •••••••ו••••••

Thursday, January 19, 2023

ଶବ୍ଦ ନିରୁକ୍ତି ଓ ଶବ୍ଦର ଇତିହାସ

ଶବ୍ଦର ଇତିହାସ ଓ ଶବ୍ଦର ନିରୁକ୍ତି ସମ୍ବନ୍ଧରେ ଗୋଟିଏ ଭ୍ରମ ଧାରଣା ଅନେକଙ୍କ ମଧ୍ୟରେ ଦୃଶ୍ୟ ହୋଇଥାଏ । ଅନେକେ ମନେ କରନ୍ତି ଯେ ତତ୍ସମ ଶବ୍ଦର ନିରୁକ୍ତି ମତ ହିଁ ସେ ଶବ୍ଦର ସୃଷ୍ଟି ଇତିହାସ କିନ୍ତୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ଦ୍ଵାରା ଗୃହୀତ କେତେକ ଦ୍ରାଵିଡ଼ ଆଷ୍ଟ୍ରିକ ଓ ଵୈଦେଶିକ ଶବ୍ଦ କ୍ଷେତ୍ରରେ ତଥା ପ୍ରାକୃତ ମୂଳଜ ଦେଶୀୟ ଶବ୍ଦ କ୍ଷେତ୍ରରେ ଏଭଳି ଵିଚାର ଯୁକ୍ତିଯୁକ୍ତ ନୁହେଁ । କେତେକ ଶବ୍ଦର ଆଲୋଚନା ଦ୍ଵାରା ଆମେ ଏହି କଥାକୁ ଭଲରେ ବୁଝିପାରିଵା । 

ହିନ୍ଦୁ ଶବ୍ଦର‌ ସୃଷ୍ଟି ସିନ୍ଧୁ ଶବ୍ଦରୁ ହୋଇଛି ଏଵଂ ଏହା ହିନ୍ଦୁ ଶବ୍ଦର ଲୋକପ୍ରିୟ ଐତିହାସିକ ମତ । ପରେ ଯେତେବେଳେ ଏହି ପାର୍ସୀ ଶବ୍ଦ 'ହିନ୍ଦୁ' ଭାରତକୁ ଆସିଲା ଓ ବହୁ ପ୍ରଚଳିତ ହେଲା ତାକୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ଦ୍ଵାରା ଗୃହୀତ କରାଗଲା । 

ଵୈଦେଶିକ ମ୍ଲେଚ୍ଛମାନେ ଭାରତୀୟଙ୍କୁ ହିନ୍ଦୁ କହୁଥିଲେ ସେହି ସିନ୍ଧୁ ନଦୀ ଆଧାରରେ ପୁଣି ପରଵର୍ତ୍ତୀ କାଳରେ ଭାରତକୁ ଇଣ୍ଡିଆ ତଥା ଭାରତୀୟମାନଙ୍କୁ ଇଣ୍ଡିଆନ୍ ପରିଚୟ ମିଳିଲା । 

ସଂସ୍କୃତ ଭାଷାରେ କାଗଜ(ଆରବୀ),ଆତ(ପର୍ତ୍ତୁଗୀଜ) ଭଳି ଶବ୍ଦକୁ ଧାତୁ ପ୍ରତ୍ୟୟ ପ୍ରୟୋଗ କରି ଯଥାକ୍ରମେ "କାଗଦ ଓ ଆତୃପ୍ୟ" ରୂପେ ଗ୍ରହଣ କରାଯାଇଛି । ଏହିପରି ଭାବେ ମର୍କଟ(ଦ୍ରାଵିଡ଼),ମୟୂର(ମୁଣ୍ଡା) ଓ ଵହିତ୍ର(ବୋଇତ-ଓଡ଼ିଆ) ଆଦି ଶବ୍ଦ ମଧ୍ୟ ସଂସ୍କୃତ ଭାଷାରେ ଗୃହୀତ ହୋଇଛି । 

ସଂସ୍କୃତ ଭାଷାରେ ଯେକୌଣସି ଵୈଦେଶିକ ଶବ୍ଦ ମିଶ୍ରଣ ପୂର୍ଵରୁ ତାହାର ପରିଶୋଧନ କରାଯାଇଥାଏ ଏଵଂ ଉକ୍ତ ଶବ୍ଦ ସଂସ୍କୃତ ଭାଷାର ଧାତୁପ୍ରତ୍ୟାଦି ଦ୍ଵାରା ଶୋଧିତ ହୋଇ ଏହି ଭାଷାର ଅଙ୍ଗ ପାଲଟି ଯାଏ । 

ହିନ୍ଦୁ ଶବ୍ଦର ନିରୁକ୍ତି ଵିଷୟରେ ପ୍ରଶ୍ନ ଆସିଲେ "ହୀନମନ୍ୟତାକୁ ଯିଏ ଦୂର କରେ ସେ ହିନ୍ଦୁ" ଏହି ପଦଟି ଅନେକେ କୁହନ୍ତି ତେବେ ହିନ୍ଦୁ ଶବ୍ଦର ଏହି ନିରୁକ୍ତି ଆଧାରରେ ହିଁ ସଂସ୍କୃତ ଭାଷାରେ ହିନ୍ଦୁ ଶବ୍ଦ ଗୃହୀତ ହୋଇଛି ବୋଲି ବୁଝିଵାକୁ ହେଵ । ସେହି ନିରୁକ୍ତିଟି ହେଲା...

"ହୀନଂ ଦୂଷୟତୀତି । ଦୁଷ + ଡୁଃ । = ହିନ୍ଦୁଃ (ପୃଷୋଦରାଦିତ୍ଵାତ୍ ସାଧୁଃ )”

ଗୋଟିଏ ତତ୍ସମ ଶବ୍ଦର ସଂସ୍କୃତ ଧାତୁପ୍ରତ୍ୟାଦି ନିରୁକ୍ତମତ ଅର୍ଵାଚୀନ ମଧ୍ୟ ହୋଇପାରେ ଯଦି ଶବ୍ଦଟି ଵୈଦେଶିକ ମୂଳର ହୋଇଥାଏ । ଶବ୍ଦର ଇତିହାସ ଓ ତତ୍ସମ ଧାତୁ ପ୍ରତ୍ୟୟ ନିରୁକ୍ତିମତ ଭିନ୍ନ ଭିନ୍ନ କଥା । ସଂସ୍କୃତ ଧାତୁପ୍ରତ୍ୟୟ ନିରୁକ୍ତୀ ପ୍ରଣାଳୀ ଏକ ଵୈଜ୍ଞାନିକ ପ୍ରଣାଳୀ ,ଏହି ପ୍ରଣାଳୀ ଦ୍ଵାରା କୌଣସି ଶବ୍ଦର ମୂଳ ରୂପକୁ କଳ୍ପନା କରାଯାଇଥାଏ । ଉଦାହରଣ ସ୍ୱରୂପ ଓଡ଼ିଆ ଲୋକଙ୍କୁ ଉଡ୍ର କୁହାଯାଏ ତେବେ ଏହି ଉଡ୍ର ଶବ୍ଦର ଇତିହାସ ଓ ନିରୁକ୍ତି ଦୁଇଟି ଭିନ୍ନ ଭିନ୍ନ ଵିଷୟ । 

ପ୍ରଥମେ ଓଡ଼ିଶାର ପାର୍ଵତ୍ୟାଞ୍ଚଳରେ ଵସଵାସ କରୁଥିଵା କୁଈ ଆଦି ଦ୍ରାଵିଡ଼ ଲୋକେ ଓଡ଼ିଶାର ନଦୀ ଓ ସମୁଦ୍ରକୂଳରେ ଵସତି ସ୍ଥାପନ ପୂର୍ଵକ ଚାଷଵାସ କରୁଥିଵା ଲୋକଙ୍କୁ 'ଓଡ଼' କହୁଥିଲେ । ଏହି ଓଡ଼ ଶବ୍ଦଟି ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଏଵଂ ଏହାର ମୂଳ ଅର୍ଥ ଚାଷ କରିଵା । ଓଡ଼ ଶବ୍ଦ ପରେ ଓଡ଼ିଶାର ପ୍ରଥମେ ଚାଷକାର୍ଯ୍ୟ କରିଥିଵା ଚାଷୀଜାତି ଓଡ଼ିଆ ଜାତିର ସଂଜ୍ଞା ହୋଇଥିଲା । ଯେତେବେଳେ ଓଡ଼ିଶାର ଏହି ଚାଷୀମାନଙ୍କର ନାମକୁ ସଂସ୍କୃତ ଭାଷାରେ ଗୃହୀତ କରିଵାର ସମୟ ଓ ଅଵସର ଉପସ୍ଥିତ ହେଲା ସେତେବେଳେ ସଂସ୍କୃତ ଭାଷାର ଧାତୁ ପ୍ରତ୍ୟୟ ପ୍ରୟୋଗ କରାଗଲା ଏଵଂ ଏ ଶବ୍ଦ ସଂସ୍କୃତ ଭାଷାରେ ଚଳିଵାକୁ ଲାଗିଲା । 

“ଆ=ସମ୍ୟକ+ଉଡ୍ ଧାତୁ(ଆଲିଙ୍ଗନ କରିଵା)+ସଂଜ୍ଞାର୍ଥ. ର”

ଅର୍ଥାତ୍ ଯେଉଁ ଜାତୀୟ ଲୋକେ ସର୍ଵଦା ଭାତୃଭାବରେ ଅନ୍ୟଜାତୀୟ ଵ୍ୟକ୍ତିକୁ ଆଲିଙ୍ଗନ କରନ୍ତି ସେମାନେ ଓଡ୍ର । 

ଏଠାରେ ଧ୍ୟାନ ଦେଲା ଭଳି ଦୁଇଟି କଥା ହେଲା
ମୂଳ ଦ୍ରାଵିଡ଼ 'ଓଡ଼' ଶବ୍ଦର ମୂଳ ଅର୍ଥ ଥିଲା ଚାଷ କରିଵା କିନ୍ତୁ ଯେତେବେଳେ ସଂସ୍କୃତ ଭାଷାରେ ଏ ଶବ୍ଦ ଗୃହୀତ ହେଵାର ସମୟ ଉପନୀତ ହେଲା ସେତେବେଳେ ଏହି ଓଡ଼ ଶବ୍ଦଟି ସଂସ୍କୃତ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ସମ୍ଭାର ଆଧାରରେ ଭିନ୍ନ ଆଧାର ଅର୍ଥାତ୍ ଆଲିଙ୍ଗନ କରିଵା ଅର୍ଥ ଘେନି ଗୃହୀତ ହେଲା । ଫଳତଃ ଵୈଦେଶିକ ତଥା ଅଗୋତ୍ରୀୟ ଭାଷାରୁ ଗୃହୀତ ହୋଇଥିଲେ ବି ସଂସ୍କୃତ ଭାଷାରେ ଏସବୁ ଵୈଦେଶିକ /ଅଗୋତ୍ରୀୟ ଶବ୍ଦ ସେ ଭାଷାକୁ କେବେବି କଳୁଷିତ କରିପାରେ ନାହିଁ ।

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...