Showing posts with label ମୌଳିକ ଶବ୍ଦ. Show all posts
Showing posts with label ମୌଳିକ ଶବ୍ଦ. Show all posts

Sunday, June 11, 2023

ବନ୍ଦରର ଓଡ଼ିଆ ପ୍ରତିଶବ୍ଦ

ପ୍ରାୟ ଛଅ ଵର୍ଷ ତଳେ ଦିନେଶ୍ ନାମକ ଜଣେ ଉତ୍ତର ପ୍ରଦେଶର ଛାତ୍ରକୁ ଓଡ଼ିଶାର ନୌଵାଣିଜ୍ୟ ଵିଷୟରେ କହୁଥିଲି । ସେ ହଠାତ୍ ପଚାରି ଦେଲା “ମୁଁ ଵର୍ଷେ ତଳେ ପାରାଦ୍ଵୀପରେ ଥିଲି । ସେଠି ସ୍ଥାନୀୟ ଲୋକେ ହିନ୍ଦୀ ଭଳି shipକୁ ଜାହାଜ ଆଉ Sea-portକୁ ବନ୍ଦର୍ କହୁଛନ୍ତି। 
 ଯଦି ତୁମ ପୂର୍ଵଜ ଆଗରୁ ନୌଵାଣିଜ୍ୟ କରୁଥିଲେ ତାହେଲେ ତୁମ ଭାଷାରେ Port ଵା Harbour ଆଉ Ship ପାଇଁ ମୌଳିକ ଶବ୍ଦ କାହିଁକି ନାହିଁ ? 

ସେଦିନ ମୁଁ ତାକୁ ଭଲରେ ଉତ୍ତର ଦେଇପାରିନଥିଲି କିନ୍ତୁ Ship ଵା ଜାହାଜ ଭଳି ଵୈଦେଶିକ ଶବ୍ଦ ପାଇଁ ଆମ ଭାଷାରେ ବୋଇତ ଏଵଂ ବନ୍ଦର୍ ପାଇଁ ମୁହାଣ ଶବ୍ଦ ଵ୍ୟଵହାର ହେଉଥିଲା ବୋଲି ତାକୁ କହିଥିଲି । ଏଇ ଘଟଣାର ବହୁତ ଦିନ ପରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ପୂର୍ଵେ ବନ୍ଦର ଅର୍ଥରେ ପ୍ରଚଳିତ ବୋଇତିଆ ଶବ୍ଦ 'ବାରା' ପାଇଲି ତେଣୁ ଏ ଘଟଣା ମୋର ପୁଣି ସୋର୍ ହେଲା(ମନେ ପଡ଼ିଗଲା)। 

ଆଜି ଅଧିକାଂଶ ଓଡ଼ିଆ Port ଓ Harbour ଅର୍ଥରେ ସାଧାରଣତଃ ପାର୍ସୀ ମୂଳର ବନ୍ଦର ଓ ଇଂରାଜୀ ମୂଳର ପୋର୍ଟ ଶବ୍ଦ ଵ୍ୟଵହାର କରୁଛନ୍ତି କିନ୍ତୁ ଓଡ଼ିଶାରେ ପାରମ୍ପରିକ ବୋଇତ ଚଳୁଥିଲା ବେଳେ ତତ୍କାଳୀନ ଓଡ଼ିଶାଵାସୀ ବନ୍ଦରକୁ ବାରା ଓ ଘାଟ କହୁଥିଲେ । ଆଗକାଳରେ ସାଧାରଣତଃ ନଦୀମୁଖକୁ ବନ୍ଦର ଭାବେ ଵ୍ୟଵହାର କରାଯାଉଥିଲା ।‌ ଓଡ଼ିଶାରେ ଦୁଇପ୍ରକାରର ବନ୍ଦର ଵ୍ୟଵହାର କରାଯାଉଥିଲା ନଦୀମୁଖ ଓ ପାଟଣା ।‌ ନଦୀମୁଖ ବନ୍ଦରକୁ ମୁହାଣ ମଧ୍ୟ କୁହାଯାଉଥିଲା । 

ତତ୍ସମ ଶବ୍ଦ ଭିତରେ ଓଡ଼ିଆ ଭାଷାରେ ସାଧାରଣତଃ ପୋତାଶ୍ରୟ ଶବ୍ଦ ଵ୍ୟଵହୃତ ହୋଇଥାଏ । ଏତଦଵ୍ୟତୀତ ନୌକାଶ୍ରୟ,କ୍ଷୟଣ ଓ କୋଳ ଶବ୍ଦ ମଧ୍ୟ ଅଛି। 

ତେବେ ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ ହେଲା ବାରା ଓ ଘାଟ କିନ୍ତୁ ପାର୍ସୀର ବନ୍ଦରଗାହ୍‌ରୁ ବନ୍ଦର ଓ 
ଲଙ୍ଗରଗାହରୁ ଲଙ୍ଗର୍ଗା ଶବ୍ଦ ଓଡ଼ିଆରେ ଆସି ଚଳିଲାପରେ ଲୋକେ ନିଜର ଶବ୍ଦ ଛାଡ଼ି ଦେଲେ । ଏହାପରେ ଇଂରାଜୀ ଭାଷାର Harbour ଓ Port ଶବ୍ଦକୁ ଲୋକେ ହାଡ଼ୁବାହାର(ବାଲେଶ୍ଵର) ଓ ପୋର୍ଟ୍ ଭାବେ ଵ୍ୟଵହାର କଲେ । 



ଗୋଟିଏ ଵୈଦେଶିକ ଶବ୍ଦ ଯୋଗୁଁ ଏକ ଦେଶୀୟ ଶବ୍ଦ ମରିଯାଏ । ଏହା ହିଁ ବାରା ଶବ୍ଦ କ୍ଷେତ୍ରରେ ଘଟିଛି ‌। ସେହିପରି ଘାଟ ଶବ୍ଦଟି କେଵଳ ନଦୀଘାଟ କ୍ଷେତ୍ରରେ ଵ୍ୟଵହୃତ ହୋଇ ଏହାର ଅର୍ଥ ସଂକୁଚିତ ହୋଇଗଲା । ଓଡ଼ିଆ ଭାଷାରେ ବାରା,ଘାଟ ଓ ମୁହାଣ ଶବ୍ଦ ଅଛି ପୁଣି ପୋତାଶ୍ରୟ ଭଳି ତତ୍ସମ ଶବ୍ଦ ମଧ୍ୟ ବ୍ୟଵହାର ହେଉଛି । ତେବେ ଅଧିକାଂଶ ଭାରତୀୟ ଭାଷାରେ ବନ୍ଦର୍ ,Port ଓ Harbour ମୂଳର ଶବ୍ଦ ହିଁ ଵ୍ୟଵହାର କରାଯାଉଛି । ଓଡ଼ିଆ ଛଡ଼ା ମଳୟାଳ଼ମରେ തുറമുഖം (tuṟamukhaṃ), କନ୍ନଡ଼ରେ ರೇವು(rēvu),ସିଂହଳୀରେ ගමන්ලීලාව(gamanlīlāwa), ତେଲୁଗୁରେ ఓడరేవు (ōḍarēvu) ଓ ତାମିଳରେ 
துறைமுகம்(tuṟaimukam) ଭଳି ଶବ୍ଦ ଵ୍ୟଵହାର କରାଯାଏ । 

ଆଜି ଓଡ଼ିଶାର ଲୋକେ ନିଜ ଭାଷାର ବାରା,ଘାଟ ଓ ମୁହାଣ ଭଳି ଶବ୍ଦଗୁଡି଼କୁ ଛାଡି଼ ଦେଇ ବନ୍ଦର୍ ଭଳି ଵୈଦେଶିକ ଶବ୍ଦ ଵ୍ୟଵହାର କରି ଭାଷା ସମୃଦ୍ଧ କରୁଛନ୍ତି । ଗୋଟିଏ ଵୈଦେଶିକ ଶବ୍ଦ ଵ୍ୟଵହାର ଯୋଗୁଁ ସମାର୍ଥକ ଦେଶୀୟ ଶବ୍ଦଟିଏ ମରି ହଜିଯାଏ । ଏତଦ୍ଵାରା କିପରି କେମିତି ଭାଷା ସମୃଦ୍ଧ ହେଉଛି କେଜାଣି ?

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...