Showing posts with label ସଂସ୍କୃତି. Show all posts
Showing posts with label ସଂସ୍କୃତି. Show all posts

Tuesday, July 11, 2023

ତିନିମରକଟ,ତିନିକରକଟ ଓ ତିନିତିରିକଟ: ତିନି ସଂଖ୍ୟାକୁ ନେଇ ଓଡ଼ିଶାରେ ପ୍ରଚଳିତ ଲୋକଵିଶ୍ଵାସ

ଛୋଟବେଳେ ସାଙ୍ଗ ସାଥିଙ୍କ ସହିତ ଥିଵା ବେଳେ ପରସ୍ପରକୁ ବିଲାତିମିଠେଇ(ଚକୋଲେଟ୍), ବରକୋଳି ଆଦି ଵିଭିନ୍ନ କୋଳି, ପିଜୁଳି ଆମ୍ବ ଇତ୍ୟାଦି ଫଳ ଓ ଏହିପରି ଅନ୍ୟ ଖାଦ୍ୟଦ୍ରଵ୍ୟ ଦେଉଥିଲୁ ତେବେ ଦେଖାଯାଉଥିଲା ଗୋଟିଏ ଦୁଇଟି କି ତିନୋଟି ମିଠେଇ,ଫଳ କି କୋଳି ଦେଲେ ପିଲାଏ କହୁଥିଲେ 'ତିନି ମରକତ/ତିନି ମରକଟ' ଅଶୁଭ ଆଉ ଗୋଟେ ଦେ ନୋହିଲେ ଅଘଟଣ ଘଟିଵ । କେହି କେହି ତିନି ମରକଟ ବି କହୁଥିଲେ ‌‌। ଆମ ଅଞ୍ଚଳରେ ଏହାକୁ ନେଇ ଢଗଟିଏ ବି ଅଛି
“ତିନିମରକଟ ମଲାବେଳେ ହୁଏ ଛଟପଟ”

ପିଲାବେଳେ ଆମେ ସବୁ ସରଳ ଥିଲୁ ଅତଏଵ୍ ଏହି ଵାହାନା କରି ତିନିରୁ ଗୋଟିଏ ଅଧିକ କୋଳି,ଫଳ କି ମିଠା ପାଇଗଲେ ବହୁତ ଉଷତ ହୋଇ ଯାଉଥିଲୁ । 
 
ମରକତ ଏକ ଜାତୀୟ ମଣି ଏଵଂ ମର୍କଟ ବୋଇଲେ ଵାନର । ମରକତ ମଣି ଗୋଟିଏ ମୂଲ୍ୟଵାନ ଵସ୍ତୁ ତେଣୁ ତାକୁ ନେଇ ଏଭଳି ଲୋକପରମ୍ପରା ପ୍ରଚଳିତ ହେଵାର ସମ୍ଭାଵନା କମ୍ କିନ୍ତୁ ଵିଚାର କରାଯାଇପାରେ ଯେ ଲୋକମାନେ ତିନୋଟି ଵସ୍ତୁ ପାଇଲେ ତାକୁ ମରକତ ସହିତ ମୂଲ୍ୟଵାନ ବୋଲି ତୁଳନା କରି ତହିଁରୁ ଆଉ ଗୋଟିଏ ପାଇଵା ପାଇଁ ଏମିତି କହୁଥିବେ । 

ପୁଣି ସମ୍ଭଵତଃ ଆଗେ ଓଡ଼ିଶାରେ ତିନୋଟି ମାଙ୍କଡ଼ ଏକାଠି ହେଵାକୁ ଅଶୁଭ ମନେ କରାଯାଉଥିଲା ‌। ମାଙ୍କଡ଼ମାନେ ଏକାଠି ହେଲେ ଉଦ୍ଧତ ହୁଅନ୍ତି ଏଵଂ ତିନୋଟି ମାଙ୍କଡ଼ ଏକାଠି ହୋଇ ମନୁଷ୍ୟମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିପାରନ୍ତି ।‌
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ତିନି ମରକଟ କି ତିନ ମରକତ ଶବ୍ଦ ନାହିଁ କିନ୍ତୁ "ତିନି କରକଟ" ଶବ୍ଦ ଅଛି । ତିନି ସଂଖ୍ୟାକୁ ନେଇ ଏହି ତିନିକରକଟ ଶବ୍ଦ ଗଠିତ ହୋଇଥିଲା। ଏହାକୁ ନେଇ ଢଗ ଥିଲା 
“ତିନି କରକଟ ମରଣ ନିକଟ” । ବୋଧହୁଏ ମରକଟ ଶବ୍ଦର‌ ଏହା ଏକ ରୂପ କାରଣ ଏହି ଧରଣର ଆଉ ଏକ ଶବ୍ଦ ଆମ ଭାଷାରେ ଅଛି ତାହା ହେଲା 'କରକଟିଆ' । ଏହି କରକଟିଆ ଶବ୍ଦର ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି ମର୍କଟିଆ ଵା ଵାମନରୂପୀ । ତେଣୁ ବହୁତ ସମ୍ଭଵ ମରକଟ ଶବ୍ଦ କେତେକ ଅଞ୍ଚଳରେ କରକଟ ଓ କରକଟିଆ ରୂପ ଚଳୁଥିଲା । 

ପୁଣି ଆଉ କେତେକ ଅଞ୍ଚଳରେ ତିନି ତିରିକଟ ମଧ୍ୟ କୁହାଯାଉଥିଲା । ତିରିକଟ ଶବ୍ଦଟି ତିନି ସଂଖ୍ୟା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହି ଶବ୍ଦ ଆଧାରରେ କେହି କେହି ପୂର୍ଵୋକ୍ତ ଢଗକୁ "ତିନି ତିରିକଟ ମରଣ ନିକଟ" ବୋଲି ମଧ୍ୟ କହିଥାନ୍ତି । ତେବେ ମରକଟରୁ କରକଟ ହେଲା କି ତିରିକଟ ଶବ୍ଦଟି ପରଵର୍ତ୍ତୀ କାଳରେ କରକଟ ଓ ମରକଟ ହୋଇଅଛି ତାହା ଗଵେଷଣା ସାପେକ୍ଷ । 

ସେ ଯାହାହେଉ ସାଧାରଣଙ୍କର ଵିଶ୍ୱାସ ଯେ '୩' ସଂଖ୍ୟା ଅମଙ୍ଗଳକର ଏଣୁ ଲୋକେ କହନ୍ତି ' ତିନି ତିରିକଟ(କରକଟ ଵା ମରକଟ) ମରଣ ନିକଟ' ଏଵଂ ଜଣେ ବନ୍ଧୁ ଆଉ ଝଣେ ବନ୍ଧୁଙ୍କୁ ତିନି ସଂଖ୍ୟକ ପଦାର୍ଥ ଦିଅନ୍ତି ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ତିନୋଟି ମାଙ୍କଡ଼କୁ ଚୀନ ଆଦି କେତେକ ପୂର୍ଵ ଏସୀୟ ଦେଶଗୁଡ଼କରେ ଶୁଭ ମନେ କରାଯାଏ । ଭାରତରେ ବି ତିନିଠାକୁର ଶ୍ରୀମନ୍ଦିରରେ ଵିଦ୍ୟମାନ ଏଵଂ ଏହାଙ୍କୁ ଏକତ୍ର ଦେଖିଵା ସୌଭାଗ୍ୟ ମନେ କରାଯାଏ। ପୁଣି ତ୍ରିଦେଵ ବ୍ରହ୍ମା, ଶ୍ରୀଵିଷ୍ଣୁ ଓ ମେହଶ୍ବର ମଧ୍ୟ ଶୁଭ । କିନ୍ତୁ ଆଉ କେତେକ ଦେଶରେ ତିନୋଟି ମହମଵତୀ ଜଳିଵା,ପେଚା ତିନିଥର ବୋବାଇଵା ଆଦିକୁ ଅଶୁଭ ମନେ କରାଯାଏ । କିଛି ଦେଶରେ ମରିଵାକୁ ଯାଉଥିଵା ଲୋକର ଘର କବାଟକୁ ତିନିଥର ଠକ୍ ଠକ୍ କରିଵା ବି ଅଶୁଭ ମନେ କରାଯାଏ । ତିନୋଟି ପ୍ରଜାପତି ଗୋଟିଏ ପତ୍ରରେ ବସିଵାକୁ କେତେକ ଦେଶରେ ଲୋକେ ଅଶୁଭ ମନେ କରନ୍ତି । ଇଂରାଜୀରେ ମଧ୍ୟ କୁହାଯାଏ “three times a bridesmaid, never a bride” । 

ଏହି ତିନି ସଂଖ୍ୟା ଅଶୁଭ ବୋଲି ଆଉ ଏକ ଲୋକପ୍ରିୟ ଇଂରାଜୀ ଵାକ୍ୟ ଅଛି ”Three strikes of a match” । ଏହି ପ୍ରଵାଦଟି ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ କ୍ରିମିଅନ୍ ଯୁଦ୍ଧ ସମୟରେ ଚର୍ଚ୍ଚିତ ହୋଇଥିଲା । ସେତେବେଳେ ସୈନିକମାନେ ଵିଶ୍ଵାସ କରୁଥିଲେ ଯେ ତିନିଜଣ ସୈନିକ ଗୋଟିଏ ଦିଆସିଲି(ଡିଆସିଲି)ରରୁ ଵା ଗୋଟିଏ ଦିଆସିଲି କାଠିରୁ ସିଗରେଟ୍ ଟାଣିଵା ଅଶୁଭ ଏଵଂ ଏମିତି କଲେ ତୃତୀୟ ସୈନିକ ନିଶ୍ଚୟ 
ଗୁଳିର ଶିକାର ହୋଇଥାଏ । 

ଵିଶ୍ଵରେ ତିନି ସଂଖ୍ୟାକୁ କେତେକ ଅଞ୍ଚଳରେ ଶୁଭ ମନେ କରାଯାଏ ତ ଆଉ କେତେକ ଅଞ୍ଚଳରେ ଅଶୁଭ ମନେ କରାଯାଏ । ଓଡ଼ିଶାରେ ଆଗେ ସେହିପରି ତିନୋଟି ଵସ୍ତୁ ଦେଵାକୁ ଅଶୁଭ ମନେ କରାଯାଉଥିଲା ।

Saturday, June 11, 2022

ଢେଲାପିଟାଣି ଓ ରଜୋତ୍ସଵ

କୁହାଯାଏ ବାରମାସର ତେର ପରଵ କିନ୍ତୁ ସମଗ୍ର ଓଡ଼ିଶାରେ ବାର ମାସରେ ଶତାଧିକ ପର୍ଵ ପାଳିତ ହୋଇଥାଏ ।

ସେହିପରି ଏକ ପର୍ଵ ହେଉଛି ଢେଲାପିଟାଣି ପରଵ୍ । ଏହା ଦେଶିଆ ସମାଜ ମଧ୍ୟରେ ସୀମିତ ଏକ ପର୍ଵ ଵିଶେଷ । ଵର୍ଷାମାସ ପୂର୍ଵରୁ ଏହା ପାଳନ କରାଯାଏ ।

ଢେଲାପିଟାଣି ପରଵ୍‌ରେ ଗାଁର ଧାଙ୍ଗଡ଼ା ଧାଙ୍ଗିଡ଼ୀମାନେ ନୂତନ ଵସ୍ତ୍ର ପରିଧାନ କରି ଜମିକୁ ଯାଇ ଚାଷ କରାଯାଇଥିଵା ଜମିକୁ ପୂଜାର୍ଚ୍ଚନା କରନ୍ତି । ପୂଜାପରେ ଜମିର ମାଟିକୁ କୋଡ଼ଣ ଦ୍ବାରା ଗୁଣ୍ଡ କରାଯାଏ । ଲଟାବୁଟା କଟାଯାଏ । ମାଟିକୁ ଗୁଣ୍ଡ କରିଵାବେଳେ ସେମାନେ ସେମାନଙ୍କର ଗୋଷ୍ଠୀ ନୃତ୍ୟର ଆଶ୍ରା ନିଅନ୍ତି । ମାଟିର ଉର୍ଵରତା କାମନା କରନ୍ତି ଓ ଆନନ୍ଦରେ ଢୋଲ ମହୁରୀର ତାଳେତାଳେ ଗାଇ ଉଠନ୍ତି

“ମାଟିମା ମାଟିମା ଜୁହାର ଆମର ଢୋକେ ପରୁର୍ କାଜେ, ଶାଗ୍ ଭାତ ଦେ’ ନଇଲେ ମରିବୁ ଭୁକେ ।”

ପୂର୍ଵ, ଦକ୍ଷିଣ, ମଧ୍ୟ ତଥା ଉତ୍ତର ଓଡ଼ିଶାରେ ପାଳିତ ହେଉଥିଵା ରଜପର୍ଵ ସହିତ ଏହି ଢେଲାପିଟାଣି ପରଵ୍‌ର ସମ୍ପର୍କ ଥାଇପାରେ କାରଣ...

(କ)ଉଭୟ ପର୍ଵ ଵର୍ଷା ଆଗମନ ପୂର୍ଵରୁ ହୋଇଥାଏ

(ଖ)ଉଭୟ ପର୍ଵରେ ଵର୍ଷା ଆଗମନ ପୂର୍ଵରୁ ଓଡ଼ିଶାଵାସୀମାନେ ପୃଥିଵୀ ମାତାଙ୍କୁ ଆରାଧନା କରନ୍ତି

(ଗ)ଉଭୟ ପର୍ଵରେ ଓଡ଼ିଶାଵାସୀ କୃଷକ କୃଷିକ୍ଷେତ୍ରକୁ ଯାଇ ଧରିତ୍ରୀମାତାର ପୂଜାର୍ଚ୍ଚନା କରେ ।

(ଘ) ରଜ ପରଵ ପୂର୍ଵରୁ ଭୂମିରେ ହଳ କରି ମାଟି ପିଟି ସମତୁଲ କରାଯାଏ ଏଵଂ ପର୍ଵ ପାଳନ ଉତ୍ତାରୁ ଵର୍ଷା ହେଵା ପରେ ପରେ ଵିହନ ଶୁଣାଯାଏ (ଅଵଶ୍ୟ ଆଜିକାଲି ଵିଶ୍ଵତାପନ ଯୋଗୁଁ ଵର୍ଷା ଅନିୟମିତତା ଲାଗି କୃଷକ ଵର୍ଷା ଅଧିକ ହେଵା ପରେ ହିଁ ମଞ୍ଜି ବୁଣନ୍ତି) ।

"ଢେଲାପିଟାଣି ପରଵ୍"‌ ନାମକରଣ "ଢେଲା ଓ ପିଟିଵା" ଏହି ଦୁଇ ଶବ୍ଦକୁ ନେଇ କରାଯାଇଛି ।

ଆମ ଭାଷାରେ
ଢେଲା ଶବ୍ଦଟି  ବଡ଼ ଟେକା ଵା ଟେଳା, ବଡ଼ ବଡ଼ ମାଟି ପିଣ୍ଡୁଳା ଓ ଢେଗା(ବର୍ତ୍ତୁଳ ଓ ବଡ଼, ଡିମ୍ବାକୃତି,ଗୋଟିକିଆ କାଠି, ବଡ଼ କଉଡ଼ି) ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ ସେହିପରି କୋବା(ଭୂଇଁ ପିଟି ସମତୁଲ କରିଵାର ମୁଗୁର) ତଥା  ମାଡ଼ ଵା ପ୍ରହାରକୁ ପିଟଣା/ପିଟଣି କୁହାଯାଏ ।

ଢେଲାପିଟାଣି ଆଉ ରଜ ପର୍ଵ ଉଦାହରଣ ମାତ୍ର, ଏହିପରି ଅନେକ ପର୍ଵ ପର୍ଵାଣୀ ଚାଲିଚଳଣି ରହିଛି । ପାର୍ଵତ୍ୟାଞ୍ଚଳର କଳିଙ୍ଗୀଲୋକଙ୍କ ସହିତ ଉପକୂଳ ଓଡ଼ିଶାର କଳିଙ୍ଗୀମାନଙ୍କ ସାଂସ୍କୃତିକ ସମ୍ପର୍କ ପ୍ରାଚୀନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

Friday, November 26, 2021

ଦକ୍ଷିଣ ପଶ୍ଚିମ ଓଡ଼ିଶାର ମାଣ୍ଡ୍ କିନ୍ଦିରା ଵିଵାହ ରୀତି ଓ ମାଣ୍ଡ୍ କୁଲେନ୍ ପର୍ଵ


ଓଡ଼ିଆ ଲୋକଙ୍କର ବାହାଘର ରୀତିନୀତି ଅଞ୍ଚଳ ଭେଦରେ କିଛିମାତ୍ରାରେ ଭିନ୍ନ ଭିନ୍ନ ହୋଇଥାଏ । ଭତରା ଓଡ଼ିଆମାନଙ୍କର ଵିଵାହ ଉତ୍ସଵ ମଧ୍ୟରେ ଦରମ୍ ପାନି ରୀତିଟି ତହିଁର ଏକ ଉଦାହରଣ । ଭତରା ଵା ଭୋତାର୍‌ମାନେ ଅଵିଭକ୍ତ କୋରାପୁଟ ତଥା ଵିଚ୍ଛିନ୍ନାଞ୍ଚଳ ଵସ୍ତର ଜିଲ୍ଲାରେ ଵସଵାସ କରନ୍ତି ଓ ସେମାନଙ୍କର କଥିତ ଭାଷା ହେଉଛି  ଭତ୍ରୀ ଓଡ଼ିଆ ଶୈଳୀ । ଉତରା ଵା ଭୋତାରମାନଙ୍କ ଵିଵାହ ସମୟରେ ଵ୍ୟଵହାର କରାଯାଉଥିଵା ଧରମ ପାଣି ଵା ପଵିତ୍ର ପାଣିକୁ ସେମାନେ ଦରମ୍ ପାନି କହିଥାନ୍ତି ।‌

ଝିଅକୁ ଗାଧୋଇ, ନୂଆ ହଳଦିଆ ଲୁଗା ପିନ୍ଧାଇ “କଟନି ଗୀତ" ଗାଇଗାଇ କନ୍ୟାର ମା, ବରର ମା ଓ ଗାଁର ଅନ୍ୟ ସ୍ତ୍ରୀ ଲୋକମାନେ ନୂଆ ମାଠିଆରେ ଗାଁ ପାଖ ନଈ କିମ୍ବା ନାଳରୁ ବଡ଼ି ଭୋରରୁ ଯେଉଁ ପାଣି ସଂଗ୍ରହ କରିଆସନ୍ତି ତାକୁ ଦରମ୍ ପାନି କୁହାଯାଏ ।

ଏହି ପାଣି, ଵିଵାହ ବେଦୀରେ ଗୋଟିଏ ନୂଆ ଶିକାରେ ଓହଳାଇ ରଖାଯାଏ ଏବଂ ଵିଵାହ କାର୍ଯ୍ୟର ଏକ ପର୍ଯ୍ୟାୟ, ପୁଅ ଝିଅଙ୍କ ଲଗ୍ନ ଗଣ୍ଠି ପଡ଼ିଲା ପରେ ବେଦୀରେ ପୋତା ଯାଇଥିଵା ମହୁଲଡାଳ  ଚାରିପଟେ ସାତଥର ପରିକ୍ରମା କରିଵା ପରେ ବରକନ୍ୟାକୁ ବେଦୀରେ ବସାଇ ପୂର୍ବରୁ ଶିକାରେ ଓହଳାଯାଇ ରଖାଯାଇଥିବା  ଦରମ୍ ପାନିକୁ ଉଭୟଙ୍କ ଉପରେ ଇଡ଼ି ଦିଆଯାଏ ଏବଂ ଲଗିନ୍ କାରିଆ କନ୍ୟାର କାଣି ଆଙ୍ଗୁଠିକୁ ବରହାତରେ ଧରାଇ ଦିଅନ୍ତି । ମହୁଲଡାଳ ପଵିତ୍ର ଓ ଶୁଭଫଳଦାୟୀ ବୋଲି ଭତରା ଓଡ଼ିଆମାନଙ୍କ ମଧ୍ୟରେ ଲୋକ ଵିଶ୍ଵାସ ପ୍ରଚଳିତ । ସେଥିପାଇଁ ଏହାର ଵ୍ୟଵହାର ସେମାନେ ଵିଵାହ ଆଦି ମଙ୍ଗଳ ଉତ୍ସଵରେ ମଧ୍ୟ କରିଥାନ୍ତି ।  ସେହିପରି ବେଦୀରେ ପୋତାଯାଇଥିଵା ମହୁଲଡାଳ ଚାରିପଟେ ବରକନ୍ୟା ସାତଥର ପ୍ରଦକ୍ଷିଣ କରିଵାକୁ ଭତରାମାନେ ‘ମାଣ୍ଡ କିନ୍ଦରା’ ବୋଲି କହିଥାନ୍ତି ।

ମାଣ୍ଡ୍ ଵା ମାଣ୍ଡର ଅର୍ଥ ମଣ୍ଡପ ଏଵଂ କିନ୍ଦରା ଅର୍ଥ ବୁଲିଵା , ପ୍ରଦକ୍ଷିଣା କରିଵା(କିନ୍ଦିରିଵା ଶବ୍ଦ କେନ୍ଦ୍ର ଶବ୍ଦ ସହିତ ସମୋଦ୍ଧୃତ) । ଵିଵାହ ବେଦୀକୁ ଅଵିଭକ୍ତ କୋରାପୁଟରେ ମାଣ୍ଡ୍ କୁହାଯାଏ ।‌ ଏହା ତତ୍ସମ ମଣ୍ଡପ ସହିତ ସମୋଦ୍ଧୃତ ହୋଇଥାଇପାରେ । ତେବେ ମନଡ୍ ଶବ୍ଦର ଅର୍ଥ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଗଣ୍ଠି ତେଣୁ କେହି କେହି କୁହନ୍ତି ମନଡ୍ ଵା ଗଣ୍ଠି ପଡି଼ଲାପରେ କନ୍ଦିରା ଯାଉଥିଵାରୁ ଏହାକୁ ମାଣ୍ଡ୍ କିନ୍ଦରା କୁହାଯାଏ ।

ଭୋତାରମାନଙ୍କର ଵିଵାହ ଲଗ୍ନ ପରେ ଵର-ଵଧୂ ଆଗପଛ ହୋଇ ବେଦୀ ମଝିରେ ପୋତା ଯାଇଥିଵା ମହୁଲ ଡାଳ ଚାରିପଟେ ସାତଥର ବୁଲିବାର ପ୍ରକ୍ରିୟାକୁ ‘ମାଣ୍ଡକିଞ୍ଜୁର’ ବା ମାଣ୍ଡ କିନ୍ଦରା (କିନ୍ଦରା = ଘୁରିଵା) କୁହାଯାଏ । ଏହା ଏକ ସନାତନୀ ପ୍ରଥା ହୋଇଥିଵାରୁ ଭୋତାର ଭଳି ଓଡ଼ିଆ ଜାତି ଛଡ଼ା ଅନ୍ୟାନ୍ୟ ଜନଜାତୀୟ ସଂପ୍ରଦାୟରେ ମଧ୍ୟ ଦେଖାଯାଏ ।

ଏହି ମାଣ୍ଡ୍ କିନ୍ଦରା ବେଳେ ଏଠାକାର ସ୍ଥାନୀୟ ମହିଳାମାନେ ଯୋଉ ଗୀତ ବୋଲନ୍ତି ତାକୁ  ମାଣ୍ଡ୍ କିନ୍ଦରା ଗୀତ କୁହନ୍ତି ।

“ଆଟିର ଟିରଟାର ବାଟିର ଭଅଁରା
ଧୋତ୍‌ରା ନେଇ କେନେ ଗାଲା ।
ଆତେ ଦରିକରି ଫୁଲର ବିଚନା
ଭଅଁର ବୁଲକେ ଗାଲା ।।”

 
ଅଵିଭକ୍ତ କୋରାପୁଟ ଅଞ୍ଚଳରେ ମାଣ୍ଡ୍ କୁଲେନ୍  ବୋଲି ଏକ ପର୍ଵ ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ଏହା ଚୈତ୍ର ମାସରେ ପାଳିତ ଦୁରୁଆମାନଙ୍କର ଏକ ସାମୂହିକ ପର୍ଵ । ଏହାକୁ ପୁଅ ଝିଅଙ୍କ ମଧ୍ୟରେ ଦେଖା ସାକ୍ଷାତ୍, ମିଳନ ଓ ଵିଵାହ ପ୍ରସ୍ତୁତିର ପର୍ଵ ଭାବେ ଅଭିହିତ କରାଯାଇପାରେ । ଦୁରୁଆମାନଙ୍କ ମଧ୍ୟରେ ସ୍ଵଗୋତ୍ରୀୟ ଵିଵାହ ହୁଏ ନାହିଁ । ସେମିତି ଆଵଶ୍ୟକ ହେଲେ ସଗୋତ୍ରୀୟ ପୁଅଟିକୁ ଅନ୍ୟ ଏକ ଗୋତ୍ରର କେହି ଲୋକ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ଵିଵାହ କାର୍ଯ୍ୟ ସମ୍ପନ୍ନ କରାଇଥାନ୍ତି । ପୁଅ ଓ ଝିଅ ନିଜ ରାଜିରେ ନିଜ ଜୀବନସାଥୀ ବାଛିଥାଆନ୍ତି । ଚୈତ୍ର ମାସରେ ଅନୁଷ୍ଠିତ ମାଣ୍ଡ୍ କୁଲେନ୍‌ ଵାର୍ଷିକ ଉତ୍ସଵରେ ପୁଅ ଝିଅ ପରସ୍ପରକୁ ଇଲେସିଲ୍ (ଧାଙ୍ଗଡ଼ିବସା) ଓ ଇଲେନ୍‌କୁଲା (ଧାଙ୍ଗଡ଼ା ବସା)ଠାରେ ମିଶିଥାନ୍ତି । ତହିଁ ପରଵର୍ଷ ସାମାଜିକ ସ୍ବୀକୃତି କ୍ରମେ ସେମାନେ ଵିଵାହ କରିଥାଆନ୍ତି ।

🔵🔵🔵🔵🔵🔵🔵🔵🔵🔵🔵🔵
ତଥ୍ୟ — ଦେଶିଆ ଜ୍ଞାନକୋଷ
(ସଂକଳକ— ଡ଼ ରାଜେନ୍ଦ୍ର ପାଢ଼ୀ ଓ ଶ୍ରୀ ଵିଜୟ ଉପାଧ୍ୟାୟ)
ସମ୍ପାଦନା— ଶିଶିର ସାହୁ ମନୋଜ
🔵🔵🔵🔵🔵🔵🔵🔵🔵🔵🔵🔵

Saturday, March 23, 2019

“ନାଲେ ଵା ଏଵଂ ଓଡି଼ଶା”


୧୯୯୦ ଦଶକରେ ଦକ୍ଷିଣ ଭାରତ ଵିଶେଷତଃ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏକ ପିଶାଚିର ଭୟରେ ଲୋକ ସନ୍ଧ୍ୟା ହେଲେ ଘରୁ ବାହାରିବା ଛାଡ଼ି ଦେଇଥିଲେ । ବାଙ୍ଗାଲୋର ନଗର ନିକଟଵର୍ତ୍ତୀ ଅଞ୍ଚଳରେ ଭୟଙ୍କର ଅଵସ୍ଥା ସୃଷ୍ଟି ହୋଇଥିଲା । ଏ ସମୟରେ ଗୁଡାଏ ମୃତ୍ୟୁ ମଧ୍ଯ ଏ ଭୟକୁ ଆହୁରି ତ୍ବରାନ୍ବିତ କରିଦେଇଥିଲା । ପିଶାଚିର ଭୟ ଏତେ ବଢିଲା ଯେ ତାହା କେଵଳ ଏଇ ଦୁଇରାଜ୍ୟ ହିଁ ନୁହେଁ ଵରଂ କେରଳ,ତାମିଳନାଡୁ,ମହାରାଷ୍ଟ୍ର,ଓଡ଼ିଶା ଏମିତିକି ଉତ୍ତର ଭାରତ ଯାଏଁ ଵ୍ୟାପିଗଲା । ସାରା ଵିଶ୍ଵରେ ଭାରତର ଏ ପିଶାଚି ଵିଷୟରେ ଚର୍ଚ୍ଚା ହେଉଥାଏ ଏଣେ ଲୋକ ଵିଶେଷତଃ ପୁରୁଷ ମାନେ ବହୁ ସଂଖ୍ୟାରେ ମରିବା ଆରମ୍ଭ ହୋଇଯାଇଥିଲା । କିଛି ଦିନ ପରେ ସେ ପିଶାଚିକୁ କାବୁ କରିବା ପାଇଁ ଲୋକମାନେ ଗୋଟାଏ ବାଟ ପାଇଯାଇଥିଲେ । କୁହାଯାଏ ସେଇଦିନିଆ ଥରେ ଜଣେ ସ୍ତ୍ରୀ ଲୋକ ଶୋଇବାକୁ ଯାଉଥାଏ କି ତା ପତିକୁ ବାହାରୁ କିଏ ଡାକ ପକାଉଥିବା ସେ ଶୁଣିବାକୁ ପାଇଲା । କଣ୍ଠଟା ତା ଶାଶୁଙ୍କର ବୋଲି ଅନୁଭଵ କରି ସ୍ତ୍ରୀ ଲୋକଟି ଡରିଗଲା କାରଣ ତା ଶାଶୁ ଦି ଵର୍ଷ ପୂର୍ବରୁ ମରିସାରିଥିଲେ । ଡରି ଡରି ସେ ଯେତେବେଳେ ଯାଇ ଝରକାର ଏକ କଣା ଦେଇ ବାହାରକୁ ଦେଖିଲା ସେଠି କେହି ନଦେଖି ଆଚମ୍ବିତ ହେଲା । ସେ ଶୋଇବାକୁ ଯାଉଥାଏ ପୁଣି ସେଇମିତି କିଏ ଡାକିଲା । ସ୍ତ୍ରୀ ଲୋକଟି ଜାଣିଗଲା ଏ ସବୁ ସେହି ପିଶାଚିର କାମ । ତାପରେ ତା ପାଟିରୁ ବାହାରିଗଲା “ନାଲେ ଵା” ମାନେ “କାଲି ଆ” । ତାପରେ ଆଉ କାହାର ପାଟି ଶୁଣିବାକୁ  ମିଳିନଥିଲା । କିନ୍ତୁ ତତ୍ପରଦିନ ପୁଣି ସେହିଭଳି କଣ୍ଠସ୍ଵର ଶୁଣିବାକୁ ମିଳିଲା । ଏଵଂ ପୂର୍ବ ପରି ସ୍ତ୍ରୀ ଲୋକଟି ନାଲେ ଵା କହିଦେବାରୁ ଡକା ବନ୍ଦ ହେଇଗଲା ।
ଏ ଘଟଣାଟା ସେ ଅଞ୍ଚଳ ସାରା ଖୁବ୍ ଅଳ୍ପ ସମୟ ମଧ୍ୟରେ ରାଷ୍ଟ୍ର ହୋଇଗଲା । ଲୋକେ ନିଜ ଘର କାନ୍ଥରେ,କବାଟରେ ଏମନ୍ତକି ଗ୍ରାମର ନାମଫଳକ ବୋର୍ଡରେ ସୁଦ୍ଧା ନାଲେ ଵା ଲେଖିବା ଆରମ୍ଭ କରିଦେଲେ । କନ୍ନଡ଼ ଲୋକଙ୍କ ଦେଖାଦେଖି ଆନ୍ଧ୍ରପ୍ରଦେଶର ଲୋକେ ‛ଓ ସ୍ତ୍ରୀ ! ରେପୁ ରା’ ଲେଖିପକେଇଲେ ।(ସେ ପିଶାଚିଟା ନିଶ୍ଚେଁ ବହୁଭାଷୀ ହେଇଥିବ 😀😀😀 ମାନେ ଅତିକମ୍ ରେ ଦକ୍ଷିଣ ଭାରତର ଅଧିକାଂଶ ଭାଷା ବୁଝୁଥିବ ପଢି ବି ପାରୁଥିବ । ଈଶ୍ୱରଙ୍କ ପରି ଅଶରୀରୀ ମାନେ ବି ତ୍ରିକାଳଦର୍ଶୀ ହୋଇଥାଇପାରନ୍ତି 😂😂😂)
ସେଦିନିଆ ଓଡ଼ିଶାରେ କିନ୍ତୁ ପିଶାଚି ନିଵାରଣାର୍ଥେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା । ଓଡ଼ିଶାର ଲୋକେ ଘର ସମ୍ମୁଖସ୍ଥ କୁଢ଼ ଵା କାନ୍ଥରେ ପକଉଥିବା ଚିତା(କାନ୍ଥ ଝୋଟି) ପକେଇବା ଛାଡ଼ିଦେଲେ ଆଉ ଯାହାର ଚିତା ପଡି଼ଥିଲା ତାକୁ ଲିଭେଇ ପକେଇଲେ କିମ୍ବା ତା ଉପରେ ମାଟି ଲିପିଦେଲେ(ବୋଧହୁଏ ଏହି ଗୁଜବ ଯୋଗୁଁ ଓଡ଼ିଶାର ବହୁତ ଅଞ୍ଚଳ ଵିଶେଷତଃ ଗ୍ରାମାଞ୍ଚଳରେ କାନ୍ଥରେ ଚିତା ପକେଇବା ସଂସ୍କୃତି ଲୁପ୍ତ ପାଇବା ଆରମ୍ଭ କରିଥିଲା) ତେବେ
ପିଶାଚିର ଭୟ ଚାରିଆଡେ଼ ଦାଵାନର ଭଳି ମାଡି଼ଯାଇ ଲିଭିଗଲା ସତ କିନ୍ତୁ ବାଙ୍ଗାଲୋରର କେତେକ ଅଞ୍ଚଳରେ ଆଜି ବି ତାହାର ଭୟ ଊଣା ଅଧିକେ ରହିଅଛି ।
ମାନବ ସମାଜରେ ଏଭଳି ଘଟଣାକୁ Urban legend କୁହାଯାଏ । ଏ ଵର୍ଷ ନବ୍ବେ ଦଶକର ସେଇ ପିଶାଚିର କାହାଣୀ ଆଧାରରେ ଗୋଟାଏ ହିନ୍ଦୀ ଫିଲ୍ମ ‛ସ୍ତ୍ରୀ’ ମଧ୍ଯ ନିର୍ମାଣ ହୋଇ ପ୍ରଦର୍ଶିତ ହୋଇଥିଲା ।
ଆସ୍ଥାର ଦେଶ ଭାରତରେ ଗୁଜବକୁ ବି ସହଜରେ  ଵିଶ୍ଵାସ କରିନିଆଯାଏ  । କିନ୍ତୁ ଗୁଜବ ଯେ ସଂସ୍କୃତି ଓ ତହିଁର କୌଣସି ପ୍ରଥାକୁ ସୁଦ୍ଧା ପ୍ରଭାଵିତ କରିପାରେ ତାହାର ଗୋଟାଏ ଉଦାହରଣ ହେଉଛି ନାଲେ ଵା ଭୟରେ ଓଡ଼ିଆ ଲୋକଙ୍କ ପାରମ୍ପରିକ ଚିତାପକା ପ୍ରଥା କିଛି ଦିନ ପାଇଁ(କେଉଁଠି କେଉଁଠି ସବୁଦିନ ପାଇଁ)ବନ୍ଦ ହୋଇଯିବା.....

ସୁସାର


ଦକ୍ଷିଣାଞ୍ଚଳରେ ଏକ ଶବ୍ଦ ସୁସଂସ୍କାରୀ ବା ସାଧୁ ଅର୍ଥରେ ବ୍ଯବହାର ହୁଏ-ସୁସାର (ଯେ ସୁସାର ସେ ସୁସାରିଆ) !

 ବହୁତ ସମ୍ଭବ ସୁସାର ଶବ୍ଦଟି ସୁସଂସ୍କାର ଶବ୍ଦ ସହିତ ସମଧୃତ ହୋଇଥାଇପାରେ ! ଅନୁମାନ କରାଯାଏ ଯେ

ସୁସଂସ୍କାର ଶବ୍ଦର ପରିବୃତ୍ତିଗତ ସରଳିକରଣରୁ ଏ ଶବ୍ଦ ଚଳୁଅଛି ! ସୁସଂସ୍କାର ଶବ୍ଦରେ ସଂ ଲୋପ ହୋଇ

 ସୁ(ସଂ)ସା(କ)ର ଶବ୍ଦ ହୋଇଥିବା ଅନୁମାନ କରାଯାଏ ! ଆଉ କେତେକଙ୍କ ଅନୁସାରେ ସୁଧାର ଶବ୍ଦର ଭିନ୍ନ ରୂପ

 ସୁସାର ହୋଇପାରେ ଯଦି ଧା ଓ ସା ମଧ୍ଯରେ ବର୍ଣ୍ଣ ପରିବୃତ୍ତି ସମ୍ଭବପର ତେବେ ! ଓଡ଼ିଆରେ ସୁଧାର ଶବ୍ଦର ଦକ୍ଷିଣାଞ୍ଚଳର

 ସୁସାର ଭଳି ବ୍ଯବହାର ଦେଖାଯାଏ ଯଥା-ସୁଧାର ଗାଈ,ସୁଧାର ଲୋକ ଇତ୍ଯାଦି ! କେଉଁଠି କେଉଁଠି ସୁଧାର,ସୁସାର ଅର୍ଥେ

 ସଜରି(ଆ) ଶବ୍ଦର ମଧ୍ଯ (ସଜରି(ଆ) ଗାଈ) ବ୍ଯବହାର ହେଉଥିବା ଦେଖାଯାଏ !

ବିଭିନ୍ନ ବାରର ଭିନ୍ନ ଭାନ୍ନ ନାମ


ସପ୍ତାହକ ସାତଦିନ ପୁଣି ସେଇ ସାତଦିନର ଅନେକ ନାମ ରହିଛି
। ନିମ୍ନରେ ପ୍ରତ୍ଯେକ ବାରର ବିଭିନ୍ନ ନାମ ଦିଆଗଲା
(କ)ରବିବାର---ଅର୍କବାର,ଆଦିତ୍ଯବାର,ସୂର୍ଯ୍ଯବାର,ସୂର୍ଯ୍ଯାୟଣବାର,ଭାନୁବାର,ଗଭାସ୍ତିବାର,ଭଟ୍ଟାରକବାର,(କୁଈ-ଆଦିବାରା) 

(ଖ)ସୋମବାର---ଚନ୍ଦ୍ରବାର,ଚନ୍ଦ୍ରାୟଣବାର,ଶଶିବାର(କୁଈ-ସମବାରା) 

(ଗ)ମଙ୍ଗଳବାର---ଅଙ୍କାରକବାର,କୁଜବାର,କୁଳବାର,ଭୌମବାର(କୁଈ-ମଙ୍ଗଡ଼ା(ବା)ରା)

 (ଘ)ବୁଧବାର---ପଣ୍ଡିତବାର,ସୌମ୍ଯବାର(କୁଈ-ପୁଦାରା)

 (ଙ)ଗୁରୁବାର---ବୃହସ୍ପତିବାର,ଲକ୍ଷ୍ମୀବାର,ମାଣବସାବାର,ଅଙ୍ଗାରବାର,ବାକ୍ପତିବାର(କୁଈ-ଲୋଚିବାରା) 

(ଚ)ଶୁକ୍ରବାର---ଅନୁକୁଳବାର,ଭୃଗୁବାର(କୁଈ-ଶୁକ୍ରବାରା) (ଛ)ଶନିବାର---କୃତାନ୍ତବାର,ଶୌରିବାର,ସୂର୍ଯ୍ଯସୂତବାର,ଶନୈଶ୍ଚରବାର,ପଙ୍ଗୁବାର(କୁଈ-ଶନିବାରା). . . . . . . . . . . . . . . . . . . . . . . . . . . . . . . . . . . ପୁରୁଷ,ସ୍ତ୍ରୀ ଓ କୁଳବାର. . . . . . . . . ରବି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ବାର,ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏବଂ ମଙ୍ଗଳ ଓ ଶୁକ୍ର କୁ କୁଳବାର ବୋଲି ବିଭିନ୍ନ ଜ୍ଯୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି . . . . . . . . . . . . . . . . . . . . . . . . . . . .

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିବା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୂ ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଏକ ଚଳଣି ଵିଷୟରେ ଜାଣିବାକୁ ଉଣ୍ଡିଲି ଏଵଂ
ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର
ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା
→ଛାଡ଼ଖାଇ
→ସଭାଖାଈ(ସଵାଖାଇ,ସବାଖାଈ)
ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ । ସଭାଖାଈ ଶବ୍ଦଟି ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।
★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:- 
“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିବା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି. ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”
★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:-
‛ଛାଡ଼ଖାଇ; କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ ଭୋଜନ) କରୁଥିବା ବ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିବା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇବା ରୂପକ ଉତ୍ସଵ’
ଏଠାରେ ଧ୍ୟାନ ଦେଲାଭଳିଆ ଦିଗ
ଯଥା:-
■→କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ସେମାନେ ଏହି ମାସରେ ଛାଡ଼ କରିଥିବା ଖାଦ୍ୟ ଭକ୍ଷଣ କରିଥାନ୍ତି ।
■→ଏହି ଦିନ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ସମସ୍ତ ପ୍ରକାରର ଖାଦ୍ୟ ଖାଅନ୍ତି ।
◆◆◆ଉଭୟ ଦ୍ରଷ୍ଟଵ୍ୟର ନିଷ୍କର୍ଷ―
■→ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।
■→ହବିଷିଆଳମାନେ  ତତକାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ  ବ୍ରାହ୍ମଣ ଆଦି ଉଚ୍ଚପରିବାରର ହେଉଥିବା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିବା ଜୀଵଙ୍କର ମାଂସଭକ୍ଷଣ କରିବାକୁ କୁଣ୍ଠାଵୋଧ କରୁନାହାନ୍ତି)
■→ସେତେବେଳେ ନୂଆଖାଈରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ  ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିରେ ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।
■→ ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିବା ଆରମ୍ଭ କରିଦେଇଥିବେ ।
ଏ ଵିଷୟରେ ଆପଣଙ୍କ ମତ କଣ୍ ?
ଆପଣଙ୍କ ବୟୋଜ୍ୟେଷ୍ଠ ମାନେ ଛାଡ଼ଖାଇ ଵିଷୟରେ କଣ ମତପ୍ରକାଶ କରନ୍ତି ?

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...