Showing posts with label ଲୁପ୍ତଶବ୍ଦ. Show all posts
Showing posts with label ଲୁପ୍ତଶବ୍ଦ. Show all posts

Thursday, March 2, 2023

ହଜିଯାଇଥିଵା ଓଡ଼ିଆ ଶବ୍ଦ 'ଯିସ'

ହିନ୍ଦୀରେ जिस ବୋଲି ଏକ ଶବ୍ଦ ପ୍ରଚଳିତ ଏଵଂ ଏହାକୁ ହିନ୍ଦୀଭାଷୀ ହଳନ୍ତଵତ୍ ଜିସ୍ ଉଚ୍ଚାରଣ କରିଥାନ୍ତି । ହିନ୍ଦୀ ଭାଷାରେ ପ୍ରଚଳିତ ଏହି ଜିସ୍ ଶବ୍ଦଟି 'ଯାହା','ଯେଉଁ' ଅର୍ଥରେ ଵ୍ୟଵହାର କରାଯାଏ ।‌

ତେବେ ହାତଗଣତି ଓଡ଼ିଆଙ୍କୁ ହିଁ ଜଣାଥିଵ ଯେ ପ୍ରାଚୀନ ଓଡ଼ିଆ ଭାଷାରେ ପୂର୍ଵେ ସେହିପରି ଯିସ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । 

ପ୍ରାଚୀନ ରସଵାରିଧି,ଚାଟଇଛାଵତୀ ଓ ଶଶିସେଣା ଭଳି କାଵ୍ୟରେ ଏ ଶବ୍ଦଟି ଯାହା ଓ ଯେଉଁ ଅର୍ଥରେ ପ୍ରୟୋଗ କରାଯାଇଛି । 

ଷୋଡ଼ଶ ଶତାବ୍ଦୀର କଵି ଵୃନ୍ଦାଵନ ଦାସ ସଂସ୍କୃତ ଗୀତଗୋଵିନ୍ଦର ପ୍ରଥମ ଓଡ଼ିଆ ଅନୁଵାଦକ । ତାଙ୍କ ଦ୍ଵାରା ରଚିତ ରସଵାରିଧି କାଵ୍ୟରେ 'ଯାହା' ଅର୍ଥରେ ଯିସ ଶବ୍ଦ ଵ୍ୟଵହୃତ ହୋଇଅଛି। 

“ଏଥୁ ଅନନ୍ତରେ ଯିସ, 
କହିଵା ଗୋବିନ୍ଦ ରସ, 
ଜୟଦେଵ ଯେଉଁ ଭାଷା ପ୍ରକାଶ ଶୁଣ।”
( ଵୃନ୍ଦାଵନ ଦାସ, ରସଵାରିଧି)

କଵି ଵନମାଳୀ ଦାସଙ୍କ ଚାଟ ଇଚ୍ଛାଵତୀ କାଵ୍ୟରେ ମଧ୍ୟ 'ଯାହା' ଅର୍ଥରେ ଯିସ ଶବ୍ଦ ଵ୍ୟଵହାର ହୋଇଅଛି ।  

“ଯେ ଯିସ ବୋଲିବ ବୋଲୁ ମୁହିଂ ତୁମ୍ଭ ନାହା । ମନେ ଯାହା ଲୋଡ଼ୁଥିଲି ପାଇଲି ମୁଂ ତାହା ॥”
(ଚାଟ ଇଚ୍ଛାଵତୀ, ବନମାଳୀ ଦାସ)

କଵି ପ୍ରତାପ ରାୟ ପଞ୍ଚଶଖା ଯୁଗର ଶେଷଭାଗରେ ଶଶିସେଣା କାଵ୍ୟ ରଚନା କରିଥିଲେ ଏଵଂ ସେହି କାଵ୍ୟରେ ସେ ଯିସ ଶବ୍ଦକୁ ଯେଉଁ(Which) ଅର୍ଥରେ ପ୍ରୟୋଗ କରାଯାଇଛନ୍ତି । 

“ବୋଲେ ଏ କିସ ଚରିତ । 
ଭିଆଇଲ ପ୍ରାଣନାଥ ।
ଆକୁଳ ସକଳ ଜନ । 
କହ ଵିଧାନ ୟେ । 
କୁମର ସକଳ କଥା । 
କ‌ହିଲା ଯିସ ଵେଵସ୍ଥା ।
ହସି ଶଶିସେଣା କହେ । 
ଭଲ ଉପାୟେ ୟେ ।”
(ଶଶିସେଣା,ପ୍ରତାପ ରାୟ)

ଏହି ଯାହା, ଯେଉଁ ଅର୍ଥଜ ଏହି ପ୍ରାଚୀନ ଓଡ଼ିଆ ଶବ୍ଦର ପ୍ରୟୋଗ ନୃସିଂହପୁରାଣ ଆଦି ଅନେକ ପୁରାତନ ଓଡ଼ିଆ କାଵ୍ୟରେ ଦେଖାଯାଏ, କିନ୍ତୁ ଵର୍ତ୍ତମାନ ଏହାକୁ ଏହି ଆକାରରେ କେହି ଵ୍ୟଵହାର କରିଵା ଦେଖାଯାଏ ନାହିଁ। 

ଏବେ କେହି ଏହି ଯିସ ଶବ୍ଦକୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦେଖିଲେ ଭାବିପାରନ୍ତି ଯେ ଏହା ସମ୍ଭଵତଃ ତତ୍କାଳୀନ ହିନ୍ଦୀ ଅନୁକୃତ ଶବ୍ଦ ହୋଇଥିଵ କିନ୍ତୁ ଏମନ୍ତ ଭାବିଵା ସର୍ଵଥା ଅନୁଚିତ୍ ଅଟଇ । ସଂସ୍କୃତ ଭାଷାରେ ପ୍ରଚଳିତ ଯଃ ଓ ଯତ୍ ଶବ୍ଦଟି ସହିତ ଓଡ଼ିଆ ଭାଷାର ଯିସ ତଥା ହିନ୍ଦୀର जिस ଶବ୍ଦ ସମୋଦ୍ଧୃତ ଅଟେ । ପୂର୍ଵୀ ପ୍ରାକୃତ ଭାଷାରେ 'ଯ' ଶବ୍ଦର ଅର୍ଥ ଯିଏ,ଯେ କେହି । 'ଯଇ'ର ଅର୍ଥ ଯେତିକି, ଯେଉଁ ସମୟରେ ,ଯଦି ଓ ଯେଉଁ । 'ଯଇଆ' ଶବ୍ଦର ଅର୍ଥ ଯଦା । ସେହିପରି ପ୍ରାକୃତ ଭାଷାରେ ପୂର୍ଵେ 'ଯଇସ' ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ଯାହାର ଅର୍ଥ ଥିଲା ଯାଦୃଶ, ଯେମିତି ଓ ଯେଉଁ ଭଳି । ପ୍ରାକୃତ ଭାଷାର ଏହି 'ଯଇସ' ଶବ୍ଦ ସହିତ ଓଡ଼ିଆ ଭାଷାରେ ପୂର୍ଵେ ପ୍ରଚଳିତ 'ଯିସ' ଏଵଂ ହିନ୍ଦୀରେ ଅଧୁନା ପ୍ରଚଳିତ जिस् ଶବ୍ଦର ସାମଞ୍ଜସ୍ୟ ସ୍ପଷ୍ଟ ଜଣାପଡ଼ୁଛି । ତେବେ ହିନ୍ଦୀଭାଷୀ ତାଙ୍କ जिस् ଶବ୍ଦକୁ ଆଜି ବି ଵ୍ୟଵହାର କରୁଥିଵା ବେଳେ ଓଡ଼ିଆମାନେ ନିଜର ଯିସ ଶବ୍ଦକୁ ଛାଡ଼ି ଦେଇଛନ୍ତି । 

ସଂସ୍କୃତ ଯଃ ଓ ଯଦ୍ ; ଓଡ଼ିଆ ଭାଷାର ଯିସ,ଯିଏ ,ଯେ ; ପ୍ରାକୃତ ଭାଷାର ଯଇସ,ଯ ଓ ଯଇଆ ତଥା ହିନ୍ଦୀର जो,जिस, जिसे ଆଦି ଏ ସମସ୍ତ ଶବ୍ଦର ମୂଳ ପ୍ରାକ୍ ଭାରତୀୟ ଶବ୍ଦରୂପ Hyás,ମୂଳ ପ୍ରାକ୍ ଭାରୋ-ଇରାନୀୟ ଶବ୍ଦରୂପ Hyás ତଥା ମୂଳ ଭାରୋପୀୟ ଶବ୍ଦରୂପ *Hyós ବୋଲି ଆଧୁନିକ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ମଜା କଥା ହେଲା ଲିଥୁଆନିଆ ଭାଷାରେ ମଧ୍ୟ jis ବୋଲି ଏକ ଶବ୍ଦ ପ୍ରଚଳିତ ଏଵଂ ଏହାର ଓଡ଼ିଆ ଶବ୍ଦ 'ଏହା', ସଂସ୍କୃତ 'ଏଷଃ' ଓ ହିନ୍ଦୀ 'इस्' ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ମଧ୍ୟ ରହିଛି ତଥା ଏହି ଶବ୍ଦଟି ଲିଥୁଆନୀ ଭାଷାରେ 'ଇଏ,ଏହା(He,it)' ଅର୍ଥରେ ପ୍ରୟୋଗ କରାଯାଏ । 

କେହି କେହି ମନେ କରିପାରନ୍ତି ଯେ ଉତ୍ତର ଭାରତୀୟଙ୍କ ତତ୍କାଳୀନ ଭାଷା ଦ୍ଵାରା ପ୍ରଭାଵିତ ହୋଇ କିଛି ଓଡ଼ିଆ କଵି ସେ ସମୟରେ ଯିସ ଶବ୍ଦ ଵ୍ୟଵହାର କରିଥାଇପାରନ୍ତି କିନ୍ତୁ ଏଭଳି ଵିଚାର କରିଵା ଠିକ୍ ନୁହେଁ କାରଣ ଯେତେବେଳେ ଉତ୍ତର ଭାରତରେ ସଂସ୍କୃତ ଭିନ୍ନ କୋୖଣସି ଭାଷାରେ ମହାଭାରତ ଲିଖିତ ହୋଇନଥିଲା ସେତେବେଳେ ଓଡ଼ିଶାରେ ସାରଳା ମହାଭାରତ ଲେଖା ସରିଥିଲା । ସେହି 
ସାରଳା ମହାଭାରତର ଅନେକ ସ୍ଥାନରେ ଯିସ ଶବ୍ଦଟି "ଯାହା ଓ ଯେଉଁ" ଅର୍ଥରେ ପ୍ରୟୋଗ କରାଯାଇଛି । 

“ଦୁଇ ପର୍ଵତ ମଧ୍ୟେକ ସର୍ପେକ ଅଛି ପଡି଼ । 
ଦୁତୀ ପର୍ଵତପ୍ରାୟେକ ଯେ ପ୍ରଳମ୍ବ କୋଶଚାରି ॥
ତିନି ମାସରେ ଲାଙ୍ଗୁଡ଼ ସେ ଆଣଇ ଗୁଡ଼ିଆଇ । 
ଯିସ ଜୀଵ ପଡ଼ଇ ଭକ୍ଷପାନ କରଇ ସେହି ॥”
(ସାରଳା ମହାଭାରତର ସଭାପର୍ଵ)

ତେବେ ରୀତିଯୁଗ ପରଵର୍ତ୍ତୀ ଓଡ଼ିଆ ଭାଷାରେ "ଶେଷ ମାନକୀକରଣ" ସମୟରେ "ଯେ, ଯେଉଁ ,ଯାହା" ଶବ୍ଦର ପ୍ରଚଳନ ଵୃଦ୍ଧି ପାଇଵାରୁ 'ଯିସ' ଭଳି ପ୍ରାଚୀନ ଓଡ଼ିଆ ଶବ୍ଦ ଉଭୟ କଥିତ ଓ ଲିଖିତ ଓଡ଼ିଆ ଭାଷାରୁ ଵିଲୁପ୍ତ ହୋଇଗଲା । 





Tuesday, December 27, 2022

ହଜିଯାଉଥିଵା ଓଡ଼ିଆ ଶବ୍ଦ ଯୁଗବୁଡ଼୍





ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ ଅତ୍ୟନ୍ତ ଵିପନ୍ନ ଵା ଆକ୍ରାନ୍ତ ଅଵସ୍ଥା; ଅସମ୍ଭାଳ ଅଵସ୍ଥାକୁ ଯୁଗବୁଡ୍ କୁହାଯାଏ ‌ ।
ଯୁଗାନ୍ତ ଖଣ୍ଡ ପ୍ରଳୟକୁ ବି ଯୁଗବୁଡ଼୍ କୁହାଯାଏ । 

ଏ ଶବ୍ଦ ଅଧୁନା ଉଭୟ କଥିତ ଓ ଲିଖିତ ଓଡ଼ିଆ ଭାଷାରୁ ଧିରେ ଧିରେ ହଜି ହଜି ଯାଉଛି । ତେବେ ପ୍ରାଚୀନ ଢଗଢମାଳିରେ ଏ ଶବ୍ଦର ପ୍ରୟୋଗ ଥିଵା ଜଣାଯାଏ । 

ଓଡ଼ିଆ ଭାଷାରେ ଢଗ ଅଛି

“ରଜାଙ୍କୁ ଘାଏ ଘାଏ,
 ରାଣୀଙ୍କୁ ଯୁଗବୁଡ଼୍”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଢଗର ଅର୍ଥ ଲେଖାଅଛି

“ଅତ୍ୟାଚାର କରିଵା ଵ୍ୟକ୍ତି ଦଣ୍ଡର ଗୁରୁତା ବୁଝି ପାରେ ନାହିଁ, ଅତ୍ୟାଚାରିତ ଵ୍ୟକ୍ତି ଦଣ୍ଡର ଗୁରୁତାକୁ ଅନୁଭଵ କରେ।” 

ଆଗକାଳରେ ରାଜାମାନେ ଯୁଦ୍ଧରେ ପରାସ୍ତ ଓ ନିହତ ହେଉଥିଲେ କିନ୍ତୁ ଏହାର କୁଫଳ ପାଉଥିଲେ ତାଙ୍କ ରାଣୀମାନେ, ସେମାନେ ଵିଜୟୀ ରାଜାଙ୍କ ଦ୍ଵାରା ଅତ୍ୟାଚାରିତ ହେଉଥିଲେ ‌।‌

ଯୁଗବୁଡ଼୍ ଶବ୍ଦର ଆହୁରି ଦୁଇ ତିନୋଟି ଓଡ଼ିଆ ଶବ୍ଦ ରୂପ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଯଥା— ଯୁଗବୁଡ଼ୁ,ଯୁଗୁବୁଡ଼୍ ଓ ଯୁଗୁବୁଡୁ଼ ଇତ୍ୟାଦି ।

ଯୁଗବୁଡ଼କୁ ନେଇ ଆଉ ଏକ ଓଡ଼ିଆ ଢଗ ମଧ୍ୟ ଶୁଣାଯାଏ ...

“ଆପେ ମଲେ ଯୁଗବୁଡ଼୍, 
ପର ମଲେ ପାଣି ବୁଡ଼୍”

ଅର୍ଥାତ୍ ନିଜେ ମଲେ ଯୁଗ ଯୁଗ ଯାଏଁ ସଂସାର ଜନ୍ମଚକ୍ର ମଧ୍ୟରେ ଜୀଵ ଘୂରୁଥିଵ ଵା ବୁଡୁ଼ଥିଵ ଆଉ ଆନ କିଏ ମଲେ ମୃତକର ମୃତ୍ୟୁ ତଥା ଶ୍ରାଦ୍ଧ ଦିନ ପୋଖରୀ ଓ ନଦୀ ଗାଡି଼ଆରେ ବୁଡି଼ ଆସିଵ ! ଏହାର ଭାଵାର୍ଥ ବୋଧହୁଏ ନିଜେ ଦୁଃଖ ଭୋଗିଲେ ଜଣାପଡ଼େ ପର ଦୁଃଖ ଜାଣିହୁଏ ନାହିଁ ଵା ଅନୁଭଵ କରିଵା ସହଜ ନୁହେଁ ।

ଯୁଗ ଶବ୍ଦ ସହିତ ବୁଡ଼ିଵା ଧାତୁର ବୁଡ଼୍ ରୂପ ଯୁକ୍ତ ହୋଇ ଯୁଗବୁଡ଼ ଶବ୍ଦ ସୃଷ୍ଟି କରାଯାଇଛି । ବୁଡି଼ଵା ଶବ୍ଦର ସାଧାରଣ ଅର୍ଥ ଜଳରେ ନିମଜ୍ଜିତ ହେଵା କିନ୍ତୁ ଏତଦଵ୍ୟତୀତ ବୁଡି଼ଵା କ୍ରିୟାଟି ଗାଧୋଇଵା, ଅସ୍ତ ହେଵା,ଲୋପ ହେଵା ,ନଷ୍ଟ ହେଵା,ଅନ୍ୟ ଵସ୍ତୁ ମଧ୍ୟରେ ମିଶିଯିଵା,ନିଷ୍ଫଳ ହେଵା,ମଜ୍ଜିଵା, ଅଦୃଶ୍ୟ ହେଵା,ଆଚ୍ଛନ୍ନ ହେଵା,ବଦନାମ୍ ହେଵା ଓ(କଥା)ଗୁପ୍ତ ରହିଵା ଆଦି ଅନେକ ଅର୍ଥରେ ପ୍ରୟୋଗ କରାଯାଉଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବୁଡି଼ଵା କ୍ରିୟାର‌ ୨୧ତମ ଅର୍ଥ ଲେଖାଅଛି “ଋଣ, ନିଶା, ଦୁଃଖ, ଵିପଦ, ଚିନ୍ତା, ନିରାଶା ଆଦି ଦ୍ୱାରା ଵିପନ୍ନ ହେବା; ଜଡ଼ିତ ବା ଗ୍ରସ୍ତ ହେଵା; ଅଭିଭୂତ ହେଵା”

(ଉ— ତାହା ଜାଣି ବୁଡ଼ିଗଲି ମୁଁ ଭୟ ଶୋକେ। କୃଷ୍ଣସିଂହ. ମହାଭାରତ ବନ।)

ସେହିପରି ଭାଷାକୋଷରେ ବୁଡି଼ଵା କ୍ରିୟାର ୨୨ତମ ଅର୍ଥ ଲେଖାଅଛି ଵିପଦ୍ଗ୍ରସ୍ତ ହେଵା; ଵିପନ୍ନ ହେଵା ଏଵଂ ଏହି ଅର୍ଥ ତଳେ “ଆପେ ବୁଡ଼ିଲେ ଯୁଗବୁଡ଼।” ଢଗଟି ଉଦାହରଣ ସ୍ୱରୂପ ପ୍ରଦାନ କରାଯାଇଛି । 

ଏସବୁଥିରୁ ସ୍ପଷ୍ଟ ହୁଏ ଯେ ଯୁଗବୁଡ଼ ଶବ୍ଦରେ ବୁଡି଼ଵା କ୍ରିୟାର ହିଁ ବୁଡ଼୍ ରୂପ ଯୁକ୍ତ ହୋଇଅଛି । ଯୁଗ ବୁଡି଼ଗଲା ବେଳେ ଵା ଲୋପ ପାଇଵା ବେଳେ ଯେମିତି ପ୍ରଳୟ ଆସେ ଠିକ୍ ସେହିପରି ଭୟଙ୍କର ଵିପଦ ସହିତ ତୁଳନା କରିଵା ପାଇଁ ଯୁଗବୁଡ଼୍ ଶବ୍ଦ ପ୍ରୟୋଗ କରାଯାଏ ‌ । 





ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...