Showing posts with label ଶବ୍ଦ ଵ୍ୟୁତ୍ପତ୍ତି. Show all posts
Showing posts with label ଶବ୍ଦ ଵ୍ୟୁତ୍ପତ୍ତି. Show all posts

Saturday, March 28, 2026

ଡେବିରି ଵା ଡେଭିରି ଶବ୍ଦର ମୂଳ କ’ଣ ?

ପଣ୍ଡିତ ହଳଧର ନାଗ ଥରେ କହୁଥିଲେ 
ଡାହାଣ ହାତରେ ଭୋଜନ କରାଯାଏ ବୋଲି ଆମ ଅଞ୍ଚଳରେ ଭୁଜନୀ ହାତ କୁହାଯାଏ ଆଉ ଵାମ ହାତରେ ଡିବିରି ଧରିଵାରୁ ଵାମହାତକୁ ଡେବରୀ ହାତ କୁହନ୍ତି । କିନ୍ତୁ ଡେବିରି ଶବ୍ଦ ସମ୍ବନ୍ଧୀୟ ତାଙ୍କର ମତ ଵ୍ୟୁତ୍ପତ୍ତି ଇତିହାସ ଦୃଷ୍ଟିରୁ ଠିକ୍ ନୁହେଁ । 

ଏ ପ୍ରକାରର ଵ୍ୟୁତ୍ପତ୍ତି ମତକୁ Folk Etymology କୁହାଯାଏ ଯାହା False Etymologyର ପକାର ଭେଦ ଅଟେ । ଏହି Folk etymology ସମ୍ବନ୍ଧୀୟ ଧାରଣା ପ୍ରଥମେ ଜର୍ମାନ୍ ଭାଷାଵିଜ୍ଞାନୀ Ernst Förstemann ଦ୍ୱାରା ୧୮୫୨ ମସିହାରେ ପ୍ରସ୍ତାଵିତ ହୋଇଥିଲା। ସେ ଜର୍ମାନ୍ ଭାଷାରେ “Volksetymologie” ଶବ୍ଦଟି ପ୍ରଥମେ ଵ୍ୟଵହାର କରିଥିଲେ। ଏହା ଇଂରାଜୀର “folk etymology”ର ସିଧା ଅନୁଵାଦ ଵା loan translation ଅଟେ। Förstemann ଏହାକୁ ଜର୍ମାନ୍ ଭାଷାର ଲୋକପ୍ରିୟ ଵ୍ୟୁତ୍ପତ୍ତି ସମ୍ପର୍କରେ ଆଲୋଚନା କରିଵା ପାଇଁ ଵ୍ୟଵହାର କରିଥିଲେ ଏଵଂ ଏହାକୁ Etymology(ଵ୍ୟୁତ୍ପତ୍ତି)ର ଏକ ନିମ୍ନସ୍ତରୀୟ ପ୍ରାଥମିକ ରୂପ ବୋଲି ଵିଵେଚନା କରିଥିଲେ।

ତେଣୁ କୌଣସି ଶବ୍ଦର ପ୍ରକୃତ ଵ୍ୟତ୍ପତ୍ତି ମୂଳ ନଜାଣି ଲୋକମାନେ ତାହାକୁ ଜଣାଶୁଣା ଶବ୍ଦ ସହିତ ତୁଳନା କରି ନୂତନ ଵ୍ୟାଖ୍ୟା ଦେଇଥାନ୍ତି। ହଳଧର ମଧ୍ୟ 
ଡେବରୀ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଅନ୍ଧାରରେ ବାଡ଼ି ବୁଲେଇ ଡିବିରି ଧରାଯିଵାରୁ ଡେବିରି ହୋଇଛି ବୋଲି ମତ ଦେଇଛନ୍ତି ‌।‌

ତାହେଲେ ଡେବିରି ଵା ଡେଭିରି ଶବ୍ଦର ପ୍ରକୃତ ଵ୍ୟୁତ୍ପତ୍ତି ଇତିହାସ କ’ଣ ତାହା ମଧ୍ୟ ଆମ୍ଭମାନଙ୍କର ଜାଣିଵା ଆଵଶ୍ୟକ ।
ପ୍ରାକୃତ ଭାଷାରେ ‘ḍavva(ଡଵ୍ଵ)’ ବୋଲି ଗୋଟିଏ ଶବ୍ଦ ଥିଲା ଯାହାର ଅର୍ଥ ‘ଵାମ’ ବା ‘ଵାମପାର୍ଶ୍ଵ’ ଥିଲା । ଏଇ ଶବ୍ଦର ଆଧୁନିକ ଓଡ଼ିଆ ରୂପ ଡେବରି ଓ ଡେଭିରି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନର୍‌ଙ୍କ ଦ୍ଵାରା ସଂକଳିତ A comparative dictionary of Indo-Aryan languagesର ୩୧୧ତମ ପୃଷ୍ଠାରେ ଉଲ୍ଲେଖ ଅଛି। ତେବେ ସାର୍ ଟର୍ନର୍ ଵାମ,ଵାମହସ୍ତ ଅର୍ଥଜ ପ୍ରାକୃତ ଶବ୍ଦ 'ଡଵ୍ଵ'ର ଵ୍ୟୁତ୍ପତ୍ତି ଦ୍ରାଵିଡ଼ ଭାଷାରୁ ହୋଇଥିଵାର ଉଲ୍ଲେଖ କରିଛନ୍ତି । 

ପ୍ରକୃତରେ ଗୋଟିଏ ପ୍ରୋଟୋ ଦ୍ରାଵିଡ଼ ଶବ୍ଦ *èḍ- ଥିଲା ଯାହା ଵାମ ଓ ଵାମହସ୍ତ ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଏହା ପ୍ରୋଟୋ-ସାଉଥ ଦ୍ରାଵିଡ଼ରେ *Iḍ- ରୂପେ ବିକଶିତ ହୋଇଥିଲା। ଏହି ମୂଳ ଶବ୍ଦ କାଳକ୍ରମେ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଵିସ୍ତୃତ ରୂପ ଗ୍ରହଣ କରିଛି, ଯାହା ଏହାର ଧ୍ଵନିଗତ ଓ ଅର୍ଥଗତ ଵିଵିଧତାକୁ ପ୍ରତିଫଳିତ କରେ।

T Burrow, T ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryର ପୃଷ୍ଠା ୪୪ ଅନୁସାରେ ଏହି ମୂଳ ଶବ୍ଦରୁ ତାମିଳରେ iṭai, iṭam (ବାମପାର୍ଶ୍ଵ), iṭattai ଓ iṭavaṉ (ବାମ ପାଖିଆ ବଳଦ) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ମଲୟାଲମରେ : iṭam, eṭam (ଵାମପାର୍ଶ୍ଵ),କନ୍ନଡ଼ରେ eḍa (ଵାମ, ଵାମପାର୍ଶ୍ଵ), eḍacu(ଵାମହାତିଆ ଅଵସ୍ଥା) ଶବ୍ଦ ବି ଏହି ମୂଳ ଦ୍ରାଵିଡ଼ ଶବ୍ଦରୁ ସୃଷ୍ଟି ହୋଇଛି । ତେଲୁଗୁ ଭାଷାର eḍama (ଵାମ, ଵାମପାର୍ଶ୍ଵ) ମଧ୍ୟ ଏହି ମୂଳର ଶବ୍ଦ ଅଟେ । 

ତେବେ ମୂଳ ପ୍ରାକ୍ ଦ୍ରାଵିଡ଼ ଶବ୍ଦ èḍଟି ଦକ୍ଷିଣ ମଧ୍ୟ ଦ୍ରାଵିଡ଼ ଭାଷାଗୁଡି଼କରେ ଆହୁରି ପରିଵର୍ତ୍ତିତ ହୋଇ Naikṛi ଭାଷାରେ ḍāva,ପରଜୀରେ ḍebri,ଗଦବାରେ ḍebri,ଗୋଣ୍ଡିରେ ḍema, demar ଓ ḍāvā,କୁଈ ଭାଷାରେ deba, debe ଓ debo ଓ କୁଵିଭାଷାରେ tebri,tēbri ଓ ṭebri ଇତ୍ୟାଦି ହୋଇଛି ତଥା ଡାହାଣ ଓ ଦକ୍ଷିଣ ହସ୍ତ ଅର୍ଥରେ ପ୍ରୟୋଗ କରାଯାଉଛି ।‌ 

ତେଣୁ କୁଈ,କୁଵି,ଗଦବା ଓ ପରଜୀ ଇତ୍ୟାଦି କଳିଙ୍ଗୀ ଦ୍ରାଵିଡ଼ ଭାଷାଗୁଡି଼କର ପ୍ରଭାଵରେ ଓଡ଼ିଆ ଭାଷାରେ ଵାମହସ୍ତକୁ ଡେବ୍ରି (ସମ୍ବଲପୁରୀ ଓଡ଼ିଆ) ଓ ଡେଭିରି(କଟକୀ ଓଡ଼ିଆ) କୁହାଯାଇଛି ।‌ ତେଣୁ ଡିବିରି ଧରିଵା ଯୋଗୁଁ ଵାମହସ୍ତର ନାଆଁ ଡିବିରି ହୋଇନାହିଁ ଵରଂ ଏହା ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଯାହା ଭାରତର ଵିଭିନ୍ନ ଭାଷାରେ ଵ୍ୟାପିଛି । 

ଆମେରକୀୟ ଭାଷାଵିତ Edward Sapirଙ୍କ ଭାଷାରେ “The history of a word is not a straight line but a tangled web, and those who guess at its path without evidence often weave fables.” ଅର୍ଥାତ୍ "ଗୋଟିଏ ଶବ୍ଦର ଇତିହାସ ଏକ ସରଳ ରେଖାରେ ଅଙ୍କିତ ହୋଇନପାରେ ବରଂ ଏହା ଏକ ଜଟିଳ ଜାଲ ଅଟେ । ଯେଉଁମାନେ ବିନା ପ୍ରମାଣରେ ଗୋଟିଏ ଶବ୍ଦର ମାର୍ଗ (ଵା ଵ୍ୟୁତ୍ପତ୍ତି ଇତିହାସ) ଅନୁମାନ କରନ୍ତି ସେମାନେ ଅନେକ ସମୟରେ କଳ୍ପନାର ଜାଲ ବୁଣନ୍ତି ।”

 ଶବ୍ଦରେ ପାରଙ୍ଗମ ଵ୍ୟକ୍ତି ଏକ ଶବ୍ଦକୁ ଚାରି ପ୍ରକାରେ ଜାଣିଵା ଉଚିତ: ଏହା କିପରି ଉଚ୍ଚାରିତ ହୁଏ ନାହିଁ, ଏହା କିପରି ଉଚ୍ଚାରିତ ହୁଏ, ଏହା ପ୍ରସଙ୍ଗ ଅନୁସାରେ କିପରି ଵ୍ୟଵହୃତ ହୁଏ ଏଵଂ ଏହାର ଉତ୍ପତ୍ତି ଇତିହାସ କ'ଣ ।”

ଯିଏ ଏହି ଚାରୋଟି ପ୍ରକାରର ସିଦ୍ଧି ଲଭିନାହିଁ ସେ ଶବ୍ଦ ଵ୍ୟୁତ୍ପତ୍ତି ଭଳି ଗଭୀର ଵିଷୟକୁ ଧରି ଭୁଲ୍ ଵ୍ୟୁତ୍ପତ୍ତି ମତ ସମ୍ବନ୍ଧୀୟ ଟିପ୍ପଣୀ ନରଖିଵା ଉଚିତ୍ । 

Friday, January 23, 2026

କାହିଁକି ନିର୍ଦ୍ଧିଷ୍ଟ ପରିମାଣର ମଦକୁ Peg କୁହାଯାଏ ?

"Peg" ଶବ୍ଦଟି ମୂଳତଃ ଏକ କାଠ କିମ୍ଵା ଧାତୁର ଛୋଟ ଖୁଣ୍ଟି କିମ୍ଵା ପିନ୍‌କୁ ବୁଝାଏ, ଯାହା ଜିନିଷକୁ ଟାଙ୍ଗିଵା କିମ୍ଵା ଅଟକାଇଵା ପାଇଁ ଵ୍ୟଵହାର ହୁଏ। ଉଦାହରଣ ସ୍ୱରୂପ, "Hang your coat on the peg" (ନିଜ କୋଟ୍‌କୁ ଖୁଣ୍ଟିରେ ଟାଙ୍ଗ)। 

ଏହି ଶବ୍ଦଟି Middle English "pegge" ରୁ ଆସିଛି, ଯାହା Middle Dutch "pegge" (ଅର୍ଥାତ୍ ପିନ୍ କିମ୍ଵା ଖୁଣ୍ଟି) ରୁ ଆସିଛି। ଏହାର ମୂଳ Proto-Germanic ଭାଷାର pig- କିମ୍ଵା pag- (ଅର୍ଥାତ୍ ଖୁଣ୍ଟି କିମ୍ଵା ମୁଣ୍ଡା ଵାଡ଼ି) ଏଵଂ ଆହୁରି ପୁରୁଣା Proto-Indo-European ଭାଷାର bak- (ଅର୍ଥାତ୍ ଲାଠି, ମୁଣ୍ଡା ବାଡ଼ି) ରେ ମିଳେ।

କିନ୍ତୁ ଗିଲାସେ ମଦ (ଵିଶେଷତଃ ହାର୍ଡ ଡ୍ରିଙ୍କ୍ ଯେପରି ୱିସ୍କି, ବ୍ରାଣ୍ଡି ଇତ୍ୟାଦି) କୁ "peg" କାହିଁକି କୁହାଯାଏ? ଏହାର କାରଣ ବ୍ରିଟିଶ୍ ଶାସନ କାଳରେ ଭାରତରେ ପ୍ରଚଳିତ ଏକ ଵିଶେଷ ମାପ ପ୍ରଣାଳୀ ଅଟେ।

ଭାରତରେ, ଵିଶେଷକରି ବ୍ରିଟିଶ୍ ରାଜ୍ ସମୟରୁ, ମଦର ମାପକୁ ସ୍ଥିର କରାଯାଇଥିଲା:

- Small Peg (ଛୋଟ ପେଗ୍) = ପ୍ରାୟ 30 ml (ମିଲିଲିଟର)
- Large Peg (ଵଡ଼ ପେଗ୍) = ପ୍ରାୟ 60 ml
- Patiala Peg = ପ୍ରାୟ 120 ml (ପଞ୍ଜାବର ପଟିଆଲା ରାଜାମାନଙ୍କ ପରମ୍ପରା ଅନୁଯାୟୀ ଏକ ବଡ଼ ମାପ)

ଆଜି ବି ଭାରତରେ ଲୋକମାନେ କୁହନ୍ତି: "ଏକ ପେଗ୍ ୱିସ୍କି ଦିଅ" (Give me one peg of whisky), ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ମାପର ମଦ।

କିନ୍ତୁ ମୂଳ ଅର୍ଥରୁ ଦୂରେଇ ଯାଇ Peg ଶବ୍ଦର ଏଭଳି ଅର୍ଥ କାହିଁକି ହେଲା?

ଏହାର କାରଣ ହେଉଛି ମାପର ସ୍ଥିରତା। ଯେପରି ଏକ ଖୁଣ୍ଟି (peg) କୌଣସି ଜିନିଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକାଇ ରଖେ, ସେହିପରି "peg" ଶବ୍ଦଟି ମଦର ଏକ ସ୍ଥିର, ନିର୍ଦ୍ଦିଷ୍ଟ ମାପକୁ ବୁଝାଏ। 

ଅଵଶ୍ୟ ଗୋଟିଏ ଲୋକପ୍ରିୟ କାହାଣୀ ଅନୁଯାୟୀ, ଵ୍ରିଟେନରେ କୋଇଲା ଖଣିର ଶ୍ରମିକମାନେ ଦିନର କଠିନ ପରିଶ୍ରମ ପରେ ବେତନ ସହ ଏକ ଛୋଟ ଗିଲାସ ବ୍ରାଣ୍ଡି ପାଉଥିଲେ। ଏହାକୁ "Precious Evening Glass" (ମୂଲ୍ୟଵାନ ସନ୍ଧ୍ୟା ଗିଲାସ) କୁହାଯାଉଥିଲା, ଯାହା ପରେ ସଂକ୍ଷିପ୍ତରେ "PEG" ହୋଇଗଲା। ତେବେ ଏହା ଏକ ଲୋକକଥା ଏଵଂ ଏହା ଶବ୍ଦର ଲୋକପ୍ରିୟତାକୁ ଭଲ ଭାଵରେ ବୁଝାଏ କିନ୍ତୁ ଏହା ଶବ୍ଦର ପ୍ରକୃତ ପ୍ରାମାଣିକ ଏଵଂ ଭାଷାଵିଦମାନଙ୍କ ଦ୍ଵାରା ଅନୁମୋଦିତ ଵ୍ୟୁତ୍ପତ୍ତି ମତ ନୁହେଁ । Peg ଶବ୍ଦର ମୂଳ ଓ ପ୍ରକୃତ ଵ୍ୟୁତ୍ପତ୍ତି ଇତିହାସ ଏଵଂ ଏହାର କେମିତି ଯୁକ୍ତିଯୁକ୍ତ କାରଣ ଯୋଗୁଁ ଅର୍ଥାନ୍ତର ଘଟି ଲକ୍ଷଣାର୍ଥକ ଅର୍ଥରେ ପ୍ରୟୋଗ ହୋଇଥିଲା ତାହା ଭାଷାଵିଦମାନେ ଵିଭିନ୍ନ ଆଲୋଚନା ଏଷଣା ଗଵେଷଣା ଦ୍ଵାରା ସ୍ଥିର କରିଛନ୍ତି । ବ୍ରିଟିଶ୍ ରାଜ୍ ସମୟରେ ଭାରତରେ ମଦ ପରିଵେଷଣର ମାନକୀକରଣ ହୋଇଥିଲା ଏଵଂ ଏହି "peg" ପ୍ରଣାଳୀ ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇଗଲା। ଅନ୍ୟ ଦେଶମାନଙ୍କରେ ଏହାକୁ "shot" କୁହାଯାଏ, କିନ୍ତୁ ଭାରତରେ "peg" ଆଜି ଵି ପ୍ରଚଳିତ।

ଏହିପରି, ଏକ ସରଳ ଖୁଣ୍ଟି ଵା Pin ଅର୍ଥଜ ଶବ୍ଦ କିପରି ମଦର ମାପ ହୋଇଗଲା - ଏହା ଇତିହାସ, ଭାଷା ଏଵଂ ସଂସ୍କୃତିର ଏକ ମଜାଳିଆ ସଂଯୋଗ !

Thursday, December 5, 2024

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?



ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପା ଅର୍ଥଜ ଅସରପା ଶବ୍ଦଟି ଅସ୍ଥିରପାଦ ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ଉଲ୍ଲେଖ ଅଛି । ତେବେ ଭାଷାକୋଷରେ Cockroach ଅର୍ଥଜ ଅସରପା ଶବ୍ଦଟି ଅସ୍ରପା ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମତ ଦିଆଯାଇଛି । କିନ୍ତୁ ଭାଷାକୋଷ,ଶବ୍ଦକଳ୍ପଦ୍ରୁମ ଇତ୍ୟାଦି ଅନେକ ଅଭିଧାନରେ ଅସ୍ରପ ଓ ଅସ୍ରପା ଶବ୍ଦର ଅର୍ଥ ରାକ୍ଷସ, ରାକ୍ଷସୁଣୀ ଓ ଜୋକ ହିଁ ଲେଖା ହୋଇଛି। କୌଣସି ପୁରାତନ ସଂସ୍କୃତ ଅଭିଧାନରେ ଅସ୍ରପା ଶବ୍ଦର ଅର୍ଥ Cockroach ଲେଖାଥିଵା ଜଣାଯାଏ ନାହିଁ । ତେବେ ବହୁତ ସମ୍ଭଵ Cockroachକୁ ଶାସ୍ତ୍ରୀୟ ଓଡ଼ିଆ ନାଆଁଟିଏ ଦେଵା ପାଇଁ ସଂସ୍କୃତର ଅସ୍ର ଓ ପା/ପାଦ ଶବ୍ଦକୁ ଯୋଡ଼ି ଓଡ଼ିଶାରେ ସ୍ବତନ୍ତ୍ର ଭାଵେ ଅସ୍ରପା ଶବ୍ଦଟି ସୃଷ୍ଟି କରାଯାଇଥାଇପାରେ । ଭାରତରେ ଆଉ କୋଉଠି ବି କୌଣସି ଭାଷାରେ ଅସରପା କି ଅସ୍ରପା ସମସାଦୃଶ୍ୟ ଶବ୍ଦ ଦେଖାଯାଏ ନାହିଁ । କେଵଳ ବଙ୍ଗାଳୀରେ ହିଁ ଅସରପାକୁ আরশুলা (arśula) କୁହାଯାଏ । ମୂଳ ଅସ୍ରପା ଶବ୍ଦର ଵର୍ଣ୍ଣଵିପର୍ଯ୍ୟୟରେ ବଙ୍ଗାଳୀ ଭାଷାରେ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି ବୋଲି ଜ୍ଞାନେନ୍ଦ୍ର ମୋହନ ଦାସଙ୍କ "ବାଙ୍ଗ୍ଲା ଭାଷାରୋ ଅଭିଧାନରେ" ଉଲ୍ଲେଖ ଅଛି। 


ତେଣୁ ବହୁତ ସମ୍ଭଵ ଅସ୍ରପା ଵା ଅସ୍ରପାଦ ଶବ୍ଦରୁ ହିଁ ଅସରପା ଶବ୍ଦ ଭାରତର ପୂର୍ଵ ଭାଗସ୍ଥ କଳିଙ୍ଗ ଦେଶରେ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଭାରତର ସର୍ଵାଧିକ ସଂସ୍କୃତନିଷ୍ଠ ଭାଷା ତେଣୁ ଏଭଳି ହେଵା ସାଧାରଣ କଥା । ତେବେ ଅସ୍ର ଆଉ ପା ଶବ୍ଦର ଅର୍ଥ ଆଲୋଚନା କରିଦେଲେ ସ୍ପଷ୍ଟ ହୋଇଯିଵ ଯେ Cockroachକୁ ଅସ୍ରପା ଵା ଅସରପା ନାଆଁ କାହିଁକି ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ର ଶବ୍ଦର ଅର୍ଥ କୋଣ,ରକ୍ତ,କେଶ ଓ ଅଶ୍ରୁ । ସେହିପରି ‘ପା’ ଵା ‘ପାଆ’ ଶବ୍ଦର ଅର୍ଥ ଗୋଡ଼( Leg) ଓ ପାଦ(foot) । ତେଣୁ ସ୍ପଷ୍ଟ ହୋଇଯାଏ ଯେ ଅସରପାର ପାଦଟି ଵା ଗୋଡ଼ଟି ଅସ୍ରକାର ଵା କୋଣାକାର ପୁଣି ଏହାର ପାଦରେ ଏକାଧିକ ଅସ୍ର ଵା କେଶ ବାହାରି ଥାଏ ତେଣୁ ତାକୁ ଅସ୍ରପା କୁହାଗଲା । ପରେ ସେହି ଶବ୍ଦଟି ଅସରପା ହେଲା,ଅସଲା ହେଲା,ଅସରଲା ଓ ଅସରଡ଼ା ହେଲା । ବଙ୍ଗାଳୀ ଭାଷାରେ ଏହି ମୂଳ କଳିଙ୍ଗୀ ଶବ୍ଦ ଅସ୍ରପାରୁ ହିଁ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି। 

କ୍ରମଶଃ...

Tuesday, August 20, 2024

ମାଧଵ ଭଗିଆ ସମ୍ବାଦ —୨(ଅଣ ଓ ତିଅଣର କଥା)

ମାଧଵ ଆଜି ରାଗିଛି,ତାକୁ ଫେସବୁକରେ କିଏ ବହେ ଶୋଦି ଦେଇଛି ତେଣୁ ତା'ର ଭାଆରି ମନଦୁଃଖ। ଭଗଵାନ ଦାଶ ଓରଫ୍ ଭଗିଆ ମାଧିଆଟାର ଶୁଖିଲା ମୁହଁ ଦେଖି କାରଣ କ'ଣ ପଚାରନ୍ତେ ସେ ଚଢ଼ାଗଳାରେ କହିଲା “ହଇବୋ... ଫେସବୁକରେ ଏବେ ସବୁ ମହା ମହା ପଣ୍ଡିତ ବୁଲୁଛନ୍ତି ହୋ , ମୁଁ ତରକାରୀର juiceକୁ ଆଉ ତରକାରୀ ଵା curryକୁ ଓଡ଼ିଆରେ କ'ଣ କୁହନ୍ତି ବୋଲି ଗୋଟିଏ ଗୃପ୍‌ରେ ପଚାରିଦେଲି ଯେ ଜଣେ ମୋତେ ଅଣଓଡ଼ିଆ ଆଖ୍ୟା ଦେଇ ଦେଲା । କହିଲା ହଇରେ ଅଳପେଇଶା ତୋତେ ଝୋଳ,ଅଣ ଓ ତିଅଣ ଜଣାନାହିଁ ଯେ curry ଆଉ juice କହୁଛୁ ? ହଇଏ ଭଗିଆ ଭାଇ ତମେ କୁହ ତ ମୋର ଭୁଲ୍ କ'ଣ? ତିଅଣ ଆଉ ଅଣ କ'ଣ ଖାଣ୍ଟି ଓଡ଼ିଆ ଶବ୍ଦ? 
 
ଭଗିଆ କହିଲା ନାଇଁ ଯେ ମୋତେ ଆଗେ କହ ଆମେ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ ଇଂରାଜୀ ଆରବୀ ପାର୍ସୀ ତୁର୍କ ପର୍ତ୍ତୁଗୀଜ୍ ଶବ୍ଦ କାହିଁକି ଵ୍ୟଵହାର କରିଵା ? ଶବ୍ଦ ନଥିଲେ ଅଲଗା କଥା, ଶବ୍ଦ ଥାଇ କାହିଁକି ଝୋଳ,ଅଣ କୁ juice ପୁଣି ତିଅଣକୁ curry କହୁଥିଲୁ ଶୁଣେ ? 

ମାଧଵ ଚିଡ଼ିଯାଇ କହିଲା “ଖୋରେ ! ସହର ସାରା ଲୋକେ ଜୁସ୍ କରୀ କହୁଛନ୍ତି ମୁଁ କହିଦେଲି ଯେ ଆକାଶ ଛିଡ଼ି ପଡ଼ିଲା ? ହେଇଟି ସେ ନିଆଁଲଗା କଥା ନକହି ମତେ ଆଗେ ତୁଣ ଓ ଅଣ କଥା କୁହ ! ଆମେ ଓଡ଼ିଆ ତ ପଖାଳଖିଆ ଜାତି , ପଖାଳ କଂସାକୁ ଲୁଣ ତୁଣ୍ଡପୋଡ଼ା,ଆଚାର,ବଡ଼ି,ମାଛ ଭଜା ,ଶାଗ ଭଜା ଓ ପୋଡ଼ା ପୋଡ଼ିରେ ଆମ ମନ । ତାହେଲେ ଆମ ପୂର୍ଵଜ କ'ଣ ତୁଣ ଖାଉଥିଲେ ନା ? 

ଭଗିଆ ତା କଥା ଶୁଣି ଅଳ୍ପ ହସି କହିଲା ନାଇଁରେ ପାଗଳା ଓଡ଼ିଆ ଜାତି ପ୍ରକୃତରେ ତିଅଣଖିଆ ଜାତି । ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ଏବେ ବି ତବତ ଭାତ ଖାଇଲାବେଳେ ଥାଳିଏ ଭାତକୁ ବେଲାଏ ତୁଣ ଲୋଡ଼ନ୍ତି। 
 ତବତ ଭାତ ହେଉ କି ଚକୁଳି ଏଣ୍ଡୁରି ପିଠା ଅବା କ୍ଷୀରି ଜାଉ ଆଦି ମିଷ୍ଟାନ୍ନ ହେଉ ସବୁ ଦରଵ ସହିତ ଓଡ଼ିଆଏ ତୁଉଣ ଵା ତିଅଣ ଟିକେ ଲୋଡ଼ନ୍ତି । ଓଡ଼ିଆମାନଙ୍କର ତୁଣ ପ୍ରତି ଆଦର ଏତେ ଯେ ଭୁଜା,ଚୁଡ଼ା,ହୁରୁମ ଓ ଲିଆ ଆଦି ଭ୍ରୁଷ୍ଟ ତଣ୍ଡୁଳ ସହିତ ମଧ୍ୟ ତିଅଣ ମିଶାଇ ଖାଇଵାକୁ ବଡ଼ ସୁଖ ପାଆନ୍ତି । ବାକି ସବୁ ଭାରତୀୟ କେଵଳ ଡାଲି ଖାଉଥିଲାବେଳେ ଓଡ଼ିଆ ଏମିତି ଏକ ଜାତି ଯେ ନିଜର ତିଅଣପ୍ରେମ ଯୋଗୁଁ ଡାଲି ମଧ୍ୟରେ ପରିବା ମିଶାଇ ଡାଲମା କରି ଖାଏ । ତେଣୁ ଓଡ଼ିଆଙ୍କ ପାଇଁ ତିଅଣ ବଡ଼ ଗୁରୁତ୍ବପୂର୍ଣ୍ଣ । 

ମାଧଵ କଥା କାଟି କହିଲା ଆଉ ଆଉ ସେ ଅଣ କାହାକୁ କୁହନ୍ତି? ତୁଣ ଓ ଅଣ ଗୋଟିଏ ନା ଭିନ୍ନ ଭିନ୍ନ? 

ଭଗିଆ କହିଲା ହଁ ତିଅଣ କଥା ପଡ଼ିଲେ ଅଣ କଥା ବି ଆପେ ଚର୍ଚ୍ଚାକୁ ଚାଲିଆସେ ‌। "ତିଅଣ ଓ ଅଣ"ର ସମ୍ପର୍କ ନିଵିଡ଼ । ତିଅଣରୁ ଅଣକୁ ଵିଚ୍ଛିନ୍ନ କରିଦେଲେ ତିଅଣର ସ୍ଵରୂପ ସଂହରିଯାଏ(ବଦଳିଯାଏ) ପୁଣି ସେ ଅଣହୀନ ଜୁକୁଜୁକିଆ ତିଅଣର ସ୍ଵାଦ ବି କିଛିଟା ପରିଵର୍ତ୍ତିତ ହୁଏ । ଓଡ଼ିଶାରେ ନାନା ଜାତୀୟ ତିଅଣ କରନ୍ତି । ବଡ଼ଓଷାରେ ଅଟକାଳି ଓ ଗୋଟାପିଠା ସହିତ ଘାଣ୍ଟ ତିଅଣ ହୁଏ । ଖଟାଯୁକ୍ତ ଆମ୍ବିଳ ତୁଣ ଵା ଖଟେଇ ତିଅଣଠାରୁ ତେଲ ଵ୍ୟଵହୃତ ହେଉନଥିଵା ଆଣ୍ଟାନି ତିଅଣ ଯାଏଁ,ଭଲ ଭାବେ ସିଜିନଥିଵା ପରିଵାଯୁକ୍ତ ଅସଙ୍ଘଡ଼ ତିଅଣଠାରୁ ବାଉଁଶ ଗଜାର କରଡ଼ି ତିଅଣ ପର୍ଯ୍ୟନ୍ତ ଓଡ଼ିଶାରେ ଶତ ସହସ୍ରାଧିକ ତିଅଣ କରାଯାଏ ‌। ତେବେ ତୁଉଣ ଵା ତିଅଣ ଓ ଅଣ ସହିତ ଆମେ ଓଡ଼ିଶାଵାସୀ ଯେତିକି ପରିଚିତ ତିଅଣ ଓ ଅଣ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ସେତେ ସଚେତନ ନୁହନ୍ତି। ନଗରାଞ୍ଚଳର ଲୋକେ Curry କିମ୍ବା ତରକାରୀ ଓ juice, Soup ଓ ଝୋଳ ଶବ୍ଦ ହିଁ ଅଧିକ ଵ୍ୟଵହାର କରନ୍ତି ଫଳତଃ ତନ୍ମଧ୍ୟରୁ କିଛି ଲୋକଙ୍କୁ ତିଅଣ ଓ ଅଣ ମଧ୍ୟରେ ପ୍ରଭେଦ ତଥା ଅର୍ଥ ହିଁ ଜଣାନାହିଁ। ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ତିଅଣ ଵା ତୁଉଣକୁ ତରକାରୀ ଵା Curry ଅର୍ଥରେ ପ୍ରୟୋଗ କରୁଥିଲାବେଳେ ଝୋଳ ଵା Soup ଅର୍ଥରେ ଅଣ ଶବ୍ଦ ଵ୍ୟଵହାର କରନ୍ତି । 

ସେଇଠୁ ମାଧଵ ପଚାରିଲା ଆଚ୍ଛା ତୁଣ, ତରକାରୀ ଓ curry ମଧ୍ୟରେ ପାର୍ଥକ୍ୟ କ'ଣ ?

ଭଗିଆ କହିଲା,
ତିଅଣ , ତରକାରୀ ଓ curry ଗୋଟିଏ ଖାଦ୍ୟ ଦରଵର ଅଲଗା ଅଲଗା ଭାଷାର ନାଆଁ । ତିଅଣ ଵା ତୁଉଣ ଓଡ଼ିଆ, ତରକାରୀ ପାର୍ସୀ ଆଉ curry ହେଲା ଇଂରାଜୀ। ହେଲେ କେତେକ ଅଞ୍ଚଳରେ ତରକାରୀ, curry ଓ ତିଅଣ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ଥିଵା ଜଣାଯାଏ ଏଵଂ ସେଇ ନିର୍ଦ୍ଧିଷ୍ଟ ଅଞ୍ଚଳର ଲୋକମାନେ ଆମିଷ ଜାତୀୟ ଵ୍ୟଞ୍ଜନକୁ ତରକାରୀ ତଥା curry କୁହନ୍ତି ଆଉ ନିରାମିଷ ଵ୍ୟଞ୍ଜନକୁ ତୁଉଣ ଵା ତିଅଣ କହିଥାନ୍ତି। ଅର୍ଥାତ୍ ଅଣ୍ଡା କରୀ ଵା ଅଣ୍ଡା ତରକାରି ଆଉ ପୋଇ ତିଅଣ ଏହିପରି କୁହାଯାଏ। 

ଉତ୍ତର ଶୁଣି ମାଧଵ ମନରେ କ'ଣ ଭାବି ପଚାରିଲା ଆଚ୍ଛା ଏଇ ତିଅଣ ଓ ଅଣ କ'ଣ ଗୋଟାଏ ଶବ୍ଦରୁ ସୃଷ୍ଟି ହୋଇଛି ନା ଭିନ୍ନ ଭିନ୍ନ ଶବ୍ଦରୁ ସୃଷ୍ଟି ହୋଇଛି ? 

ଭଗିଆ କହିଲା ବୁଝିଲୁ ମାଧିଆ ଆମ ଓଡ଼ିଶାରେ କେଵଳ ତିଅଣ ଓ ଅଣ ଶବ୍ଦର ଅର୍ଥ ହିଁ ନୁହେଁ ଵରଂ ଏ ଶବ୍ଦଦ୍ଵୟର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଭରି ରହିଛି ଫଳତଃ ଉଭୟ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଅନେକେ ଭ୍ରମାତ୍ମକ ମତ ରଖନ୍ତି। କେହି କେହି କୁହନ୍ତି ତୁଉଣ ଓ ଅଣ ମିଶି ତିଅଣ ‌ଶବ୍ଦ ହୋଇଛି ପୁଣି ଆଉ କିଛି ଲୋକେ କୁହନ୍ତି ତିଅଣ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ଆହୁରି ମଧ୍ଯ କେହି କେହି ଅନୁମାନ କରନ୍ତି ଯେ ଵ୍ୟଞ୍ଜନ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ତେବେ ପ୍ରକୃତରେ ତୁଉଣ ଵା ତିଅଣ ତଥା ଅଣ ଶବ୍ଦଦ୍ଵୟ ଭିନ୍ନ ଭିନ୍ନ ଶବ୍ଦ ମୂଳରୁ ସୃଷ୍ଟି ହୋଇଛି ଏଵଂ ଅଣ ଶବ୍ଦର କୌଣସି ସଗୋତ୍ରୀୟ ସମ୍ପର୍କ 'ଵ୍ୟଞ୍ଜନ' ଶବ୍ଦ ସହିତ ନାହିଁ। 

ତାହେଲେ ତିଅଣ ଆଉ ଅଣ ଶବ୍ଦ କୁଆଡ଼ୁ ଆସିଲା ? ମାଧଵ ଅଥୟ ହୋଇ ପଚାରିଲା !

ଭଗିଆ କହିଲା ଶୁଣେ ସଂସ୍କୃତ ଭାଷାରେ ତେମନ ବୋଲି ଶବ୍ଦଟିଏ ଅଛି। ତିମ୍ ଧାତୁରୁ ଭାଵାର୍ଥେ ଆର୍ଦ୍ର କରିଵା ଅର୍ଥରେ ଲ୍ୟୂଟ ପ୍ରତ୍ୟୟ(ଅନ) ଯୁକ୍ତ କରି ତେମନ ଶବ୍ଦ ନିଷ୍ପନ୍ନ କରାଯାଇଛି। ଓଦା କରିଵା ଵା 
ଆର୍ଦ୍ରକରଣକୁ ତେମନ କୁହନ୍ତି,ଵ୍ୟଞ୍ଜନକୁ ତେମନ କୁହନ୍ତି ,ରନ୍ଧା ଯାଇଥିଵା ଖାଦ୍ୟକୁ ବି ତେମନ କୁହାଯାଏ। ଏଇ ତେମନ ଶବ୍ଦଟି ଓଡ଼ିଆ ଭାଷାରେ ତିଅଣ ରୂପରେ ଚଳୁଅଛି । ସେହିପରି ଅଣ ଶବ୍ଦଟି ତିଅଣରୁ ଆସିନାହିଁ ଵରଂ ଏହା ପ୍ରାକୃତ ମୂଳର ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଅଟେ । ପ୍ରାଚୀନ କାଳରେ ଭାରତରେ ଜଳକୁ ଅନସ୍,ଅର୍ଣ୍ଣସ୍ ଓ ଅଣ୍ଣ କୁହାଯାଉଥିଲା। ଜଳ ଅର୍ଥଜ ପ୍ରାକୃତ ଅଣ୍ଣ ଶବ୍ଦଟି କାଳକ୍ରମେ ଓଡ଼ିଆ ଭାଷାରେ ତିଅଣର ଜଳୀୟ ଅଂଶ ଅର୍ଥରେ ପ୍ରୟୋଗ ହେଉଅଛି ।

ଉତ୍ତର ଶୁଣି ମାଧଵ ଆହୁରି କ'ଣ ପଚାରିଵ ବୋଲି ଉଦ୍ୟତ ହୁଅନ୍ତେ ଭଗିଆ ତାକୁ ପୁଣି କେବେ ଭେଟିଲେ କଥା ହେଵା କହି ସେଠାରୁ ଚାଲିଗଲା...

 

Monday, July 29, 2024

ବିଲାତ ଵା ବିଲାତି ଶବ୍ଦଟି କେଉଁ ଭାଷାର ଶବ୍ଦ?

ଦକ୍ଷିଣ ଆମେରିକୀୟ ମୂଳର ଗୋଲ ଆଳୁକୁ କେହି କେହି ବିଲାତି ଆଳୁ କୁହନ୍ତି ଠିକ୍ ସେହିପରି ଉତ୍ତର ଆମେରିକୀୟ ମୂଳର ଟମାଟୋକୁ ଅନେକେ ବିଲାତି ବାଇଗଣ ଅଥଵା କେଵଳ ବିଲାତି କୁହନ୍ତି । ଏ ଉଭୟ ପରିବା ଵୈଦେଶିକ ହୋଇଥିଵାରୁ ବିଲାତି କୁହାଗଲା କିନ୍ତୁ ଏ ବିଲାତି ଶବ୍ଦଟିର ଵ୍ୟୁତ୍ପତ୍ତି ଇତିହାସ କ'ଣ ? 
ଭାରତରେ ପାରସ୍ୟ ଦେଶର ପାର୍ସୀ ଭାଷାର ପ୍ରଚଳନ ମୋଗଲକାଳରେ ପ୍ରଶାସନିକ ଭାଷା ଭାବେ ହୋଇଥିଲା । ଏହି ସମୟରେ ପାର୍ସୀ ଭାଷାର ଗୋଟିଏ ଶବ୍ଦ ولایت (wilāyat) ଆସି ଵିଦେଶୀ ଵା ଵୈଦେଶିକ ଶବ୍ଦ ଅର୍ଥରେ ଚଳିଵାକୁ ଲାଗିଲା । ଏହି ଶବ୍ଦ ଓଡ଼ିଆ ଭାଷାରେ ବିଲାତ ହେଲା ବେଳେ ହିନ୍ଦୀରେ विलायती ହେଲା । କିନ୍ତୁ ପ୍ରକୃତରେ ପାର୍ସୀର ଏହି ولایت(wilāyat)ଶବ୍ଦଟି ବି ମୂଳତଃ ପାର୍ସୀ ଶବ୍ଦ ନୁହେଁ ଵରଂ ଆରବୀ ଭାଷାରୁ ଗୃହୀତ ହୋଇଛି । ଆରବୀ ଭାଷାରେ وِلَايَة(wilāya) ବୋଲି ଏକ ଶବ୍ଦ ପଡ଼ୋଶୀ ଓ ବନ୍ଧୁ ଆଦି ଅର୍ଥରେ ଚଳୁଥିଲା ଯାହା ପାର୍ସୀ ଭାଷାରେ ଆସି ପଡ଼ୋଶୀ ଅର୍ଥରେ ଚଳୁ ଚଳୁ ଏହା କ୍ରମଶଃ ولایت(wilāyat) ରୂପେ ପରିଵର୍ତ୍ତିତ ହୋଇ ବିଦେଶୀ ଅର୍ଥରେ ଚଳିଵାକୁ ଲାଗିଲା । ତେଣୁ ଯେମିତି ବିଲାତି ଶବ୍ଦଟି ମୂଳତଃ ଵିଦେଶୀ ଶବ୍ଦ ଠିକ୍ ସେହିପରି ବିଲାତି ଆଳୁ ଓ ବିଲାତି ବାଇଗଣ ବି ଵିଦେଶୀ ପରିବା ।

Wednesday, December 6, 2023

•Marriage ଓ Wedding ମଧ୍ୟରେ ପ୍ରଭେଦ•


ପ୍ରଥମତଃ "Marriage" ଓ "Wedding" ଶବ୍ଦଦ୍ଵୟର ଅର୍ଥ ଭିନ୍ନ ।‌ Marriage ହେଉଛି ଆଇନଗତ ଏଵଂ ସାମାଜିକ ଅନୁଷ୍ଠାନ ଯାହା ଵ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ ଦୁଇ ଜଣ ଵ୍ୟକ୍ତିଙ୍କୁ ଏକ କରେ । ଏହା ଦୁଇ ଜଣଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ପ୍ରତିବଦ୍ଧତା, ଯାହା ସାଧାରଣତଃ ଆଇନ ଦ୍ୱାରା ସ୍ୱୀକୃତିପ୍ରାପ୍ତ, ଯାହା ଜୀଵନସାଥୀଙ୍କ ମଧ୍ୟରେ ଅଧିକାର ଓ ଦାୟିତ୍ୱ ସୃଷ୍ଟି କରେ । Marriage ହେଉଛି ଏକ ଦୀର୍ଘମିଆଦୀ ପ୍ରତିଶ୍ରୁତି ଯେଉଁଥିରେ ଆଇନଗତ, ଭାବନାତ୍ମକ ଓ ଆର୍ଥିକ ଦିଗ ଅନ୍ତର୍ଭୁକ୍ତ । ଏହା ଦୁଇ ଜଣଙ୍କ ମଧ୍ୟରେ ଏକ ଭାଗିଦାରୀ ଓ ଅଂଶୀଦାର ଜୀଵନକୁ ସୂଚିତ କରେ । ଅପରପକ୍ଷରେ Wedding ହେଉଛି ସେହି ସମାରୋହ ଓ ଉତ୍ସଵ ଯାହା ଵିଵାହର ଆରମ୍ଭକୁ ଚିହ୍ନିତ କରିଥାଏ । ଏହା ଏକ ନିର୍ଦ୍ଦିଷ୍ଟ ଘଟଣା ଯେଉଁଥିରେ ସାଧାରଣତଃ ରୀତିନୀତି, ପରମ୍ପରା ଏଵଂ ଵୈଵାହିକ କର୍ମକାଣ୍ଡ ଅନ୍ତର୍ଭୁକ୍ତ ଯାହା ସଂସ୍କୃତି ଏବଂ ଧର୍ମରେ ଭିନ୍ନ ଭିନ୍ନ ହୋଇଥାଏ । Wedding ହେଉଛି ଦମ୍ପତିଙ୍କ ଵିଵାହ ନିଷ୍ପତ୍ତିର ସର୍ଵସାଧାରଣ ସ୍ୱୀକୃତିର ଉତ୍ସଵ । ଏଥିରେ ଅଧିକାଂଶ ସମୟରେ ପରିଵାର, ବନ୍ଧୁ ଓ ପ୍ରିୟଜନ ଯୋଗ ଦିଅନ୍ତି ଯେଉଁମାନେ ଦମ୍ପତିଙ୍କ ମିଳନକୁ ଦେଖିଵା ଓ ସେମାନଙ୍କୁ ଭଵିଷ୍ୟତର ସୁଖମୟ ଜୀଵନ ଲାଗି ଉପଦେଶ ଓ ଆଶିର୍ଵାଦ ଦେଵା ପାଇଁ ଏକତ୍ରିତ ହୁଅନ୍ତି ।

ପୁଣି Marriage ଓ Wedding ମଧ୍ୟରେ ଶବ୍ଦ ଵ୍ୟୁତ୍ପତ୍ତି ସମ୍ବନ୍ଧୀୟ ପାର୍ଥକ୍ୟ ମଧ୍ୟ ରହିଛି । 

ମଧ୍ୟଯୁଗରେ ଇଂରାଜୀ ଭାଷାରେ ଫ୍ରେଞ୍ଚ୍ ଭାଷାର mariage ଶବ୍ଦଟି ଆସି ପ୍ରଥମେ ପ୍ରଚଳିତ ହୋଇଥିଲା । ଫ୍ରେଞ୍ଚ୍ ଭାଷାର ସେହି mariage ଶବ୍ଦଟି ମଧ୍ୟ Latin marītō (“marry”, verb, literally “give in marriage”), marītus (“lover”, “nuptial”) ଓ mas (“male, masculine, of the male sex”) ସହିତ ସମ୍ବନ୍ଧିତ । ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵୈଦିକ ସଂସ୍କୃତ ମର୍ଯ(ଓଟ,ଘୋଡ଼ା,ପ୍ରେମିକ,ପୁରୁଷ,ଯୁଵକ,ଵିଵାହ ଆଶାୟୀ ଯୁଵକ ଓ ମର୍ତ୍ତ୍ୟ) ସହିତ Marriage ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି। ଇଂରାଜୀ ଭାଷା ଏକ ଜର୍ମାନିକ ଭାଷା ଏଵଂ ଇଂରେଜମାନେ ଜର୍ମାନିକ ଜାତି । ଵିଵାହ ଅର୍ଥରେ ଜର୍ମାନିକ ଭାଷା ଇଂରାଜୀରେ ଆଗେ ଜର୍ମାନିକ୍ ମୂଳର 
sinsċipe ଶବ୍ଦଟି ଵ୍ୟଵହୃତ ହେଉଥିଲା । ମଧ୍ୟଯୁଗରେ ଫ୍ରେଞ୍ଚ୍ ମୂଳର mariage ଶବ୍ଦଟି କ୍ରମେ Marriage ରୂପେ ଚଳିଵାରୁ ଇଂରାଜୀ ଭାଷା ତାହାର ମୂଳ ସମାର୍ଥକ sinsċipe ଶବ୍ଦ ହରାଇଲା । 

କିନ୍ତୁ wedding ଜର୍ମାନିକ୍ ମୂଳର ଶବ୍ଦ ତେଣୁ ଏହାକୁ ଇଂରାଜୀ ଭାଷାର ମୌଳିକ ଶବ୍ଦ ମଧ୍ୟ କୁହାଯାଇପାରିଵ । ମଧ୍ୟଯୁଗରେ ଇଂରାଜୀ ଭାଷାରେ ଏହା wedding ଓ weddynge ଇତ୍ୟାଦି ରୂପେ ପ୍ରଚଳିତ ଥିଲା ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ ଥିଲା weddung (“betrothal, espousal”) । Wedding ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଧାତୁରୂପ wedʰ- (“to bind, lead”) ନିର୍ଣ୍ଣୟ କରାଯାଇଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଅନୁସାରେ ଭାରତୀୟ ଵଧୂ ଓ ଵୋହୂ ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଅଛି । 


ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...