Showing posts with label ମୃତଶବ୍ଦ. Show all posts
Showing posts with label ମୃତଶବ୍ଦ. Show all posts

Saturday, December 11, 2021

ଖନ୍ଦ ~ କ୍ରମଶଃ ହଜିଯାଉଥିଵା ଓଡ଼ିଆ ଶବ୍ଦ


ଓଡ଼ିଆ ଭାଷାରେ ଖନ୍ଦ୍ ଓ ଖନ୍ଦ ଶବ୍ଦ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ସମ୍ବଲପୁରୀ ଭାଖାରେ ଖନ୍ଦ୍ ଶବ୍ଦ କାନ୍ଧ ଅର୍ଥରେ ଵ୍ୟଵହୃତ ହୋଇଥାଏ ଏଵଂ ଏହା ତତ୍ସ ସ୍କନ୍ଦ ସହିତ ସମୋଦ୍ଧୃତ ।

ସେହିପରି ଖନ୍ଦ ଶବ୍ଦର ଏକ ପାଖାପାଖି କ୍ରିୟା ଶବ୍ଦ ମଧ୍ୟ ନଵରଙ୍ଗପୁର ଜିଲ୍ଲାରେ ପ୍ରୟୋଗ କରାଯାଏ ଏଵଂ ଉକ୍ତ ଶବ୍ଦଟି ହେଲା ଖନ୍‌ଦିଵା । ଏହି ଖନ୍‌ଦିଵା ଶବ୍ଦଟି ଖଞ୍ଜିଵା ଶବ୍ଦର ଏକ ରୂପ ଅଟଇ ଏଵଂ ଖଞ୍ଜିଵା ଅର୍ଥରେ ହିଁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଖନ୍‌ଦିଵା କ୍ରିୟା ପ୍ରଚଳିତ ।

ତେବେ ଵୈଦେଶିକ ଫସଲ ଶବ୍ଦ ଵ୍ୟଵହାର ହେଵା ଆଗରୁ ଖନ୍ଦ ଶବ୍ଦଟି ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ପନିପରିଵା ଚାଷ,ଵର୍ଷକର ଫସଲ,ଫଳମୂଳାଦି ଶସ୍ଯାଦି ଫସଲ ଅର୍ଥରେ ଵ୍ୟଵହାର ହେଉଥିଲା ।

ଏହି ଅର୍ଥଜ ଖନ୍ଦ ଶବ୍ଦଟି ତତ୍ସମ କନ୍ଦ ଶବ୍ଦ ମୂଳଜ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମତପୋଷଣ ହୋଇଅଛି ।

ଵର୍ଷକର ଫସଲ କିଂଵା ଫସଲ ଅର୍ଥରେ କଵି ପୀତାମ୍ବର ଦାସ ତାଙ୍କ  ନୃସିଂହପୁରାଣରେ ଖନ୍ଦ ଶବ୍ଦ ପ୍ରୟୋଗ କରିଛନ୍ତି

“ପ୍ରଜାଙ୍କୁ ବୋଇଲା ଏ ବରଷ ଖନ୍ଦ
  ଖାଅ ଯେତେ ପାରିଵ ଚଷି ଘରକୁ ବୋହିନିଅ”
 
  ସେହିପରି ଆମ ଭାଷାରେ ଖନ୍ଦ ଉଜାଡ଼ିଵା ଶବ୍ଦ ମଧ୍ୟ ଫସଲ ନଷ୍ଟ କରିଵା ଅର୍ଥରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ।

ଗଞ୍ଜାମରେ ଆଜି ବି ଏହି ଖନ୍ଦ ଶବ୍ଦଟି କଥିତ ଭାଷାରେ ଜୀଵିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖିତ ଏକ ଗଞ୍ଜାମୀ ଶବ୍ଦ ଖନ୍ଦପୋଡି଼ରୁ ଜଣାପଡ଼େ । ଵର୍ଷା ଅଭାଵରୁ ଫସଲ ନଷ୍ଟ ହେଵାକୁ ଗଞ୍ଜାମରେ ଖନ୍ଦପୋଡି଼ କୁହନ୍ତି ।

ତେବେ  ଵୈଦେଶିକ ଶବ୍ଦର ବହୁଳ ଵ୍ୟଵହର ଯୋଗୁଁ
ଖନ୍ଦ ଓ ଖନ୍ଦ ଭଳି ଅନ୍ୟ ଓଡ଼ିଆ ଶବ୍ଦର
ଵର୍ତ୍ତମାନ ସ୍ଥିତିକୁ ଆକଳନ କରି କୁହାଯାଇପାରେ ଯେ ଗୋଟିଏ ଵୈଦେଶିକ ଶବ୍ଦ ଗ୍ରହଣ କଲେ ଆମର ଏକ ଦେଶୀୟ ଶବ୍ଦକୁ ମରିଵାକୁ ଵା ମାରିଵାକୁ ହିଁ ହୋଇଥାଏ ।

Tuesday, May 12, 2020

କାଛି ~ ଏକ ଲୁପ୍ତ ଶବ୍ଦର କାହାଣୀ

ଭାଷାର ନିଜସ୍ଵ ଅଵ୍ଯୟ,ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ  ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି ।


ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି ?


ହଁ ଏଭଳି ଅନେକ ଉଦାହରଣ ରହିଛି !!!
ଏକଦା ଆମ୍ଭନ୍ତ ତୁମ୍ଭନ୍ତ ଲେଖୁଥିଵା ଓଡ଼ିଆମାନେ ଆଜି ସେ ଶୈଳୀ ସଂପୂର୍ଣ୍ଣ ଛାଡ଼ି ସାରିଛନ୍ତି ଏଵଂ ତତ୍ ପରିଵର୍ତ୍ତେ ଆମ୍ଭଙ୍କୁ ତୁମ୍ଭଙ୍କୁ ଲେଖିଥାନ୍ତି । 


ସେଇଭଳି ଆଉ ଗୋଟିଏ ଦେଶଜ ଓଡ଼ିଆ ଅଵ୍ୟୟ ହେଉଛି


“କାଛି”


ଏହି ଅଵ୍ଯୟଟି  “ଲାଗିଯାଇ”  ଵା “ଦେହକୁ ଦେହ ଲାଗି”
ଆଦି ଅର୍ଥରେ ଵ୍ଯଵହୃତ ହେଉଥିଲା  । ଏହା ସଂସ୍କୃତ ଶବ୍ଦ କକ୍ଷ ସହିତ ସମଦ୍ଧୃତ ହୋଇଥାଇପାରେ କାରଣ କକ୍ଷ ଶବ୍ଦର ଏକ ଅର୍ଥ ପାର୍ଶ୍ଵରେ; କଡ଼ରେ ଵା ପାଖରେ ଅଟେ ।


କଵି କୃଷ୍ଣ ସିଂହ କୃତ ମହାଭାରତରେ ଆମେ ଏହି ଅଵ୍ଯୟ ଵ୍ଯଵହାର ହୋଇଥିଵାର ଦେଖିଵାକୁ ପାଇଥାନ୍ତି ।


ଯଥା—


“ତୁମ୍ଭ ଲୋକମାନେ କର୍ଣ୍ଣଙ୍କୁ ଆଗକରି,
ଯୁଦ୍ଧ କରିଲେ କାଛି ଶସ୍ତ୍ରକୁ ପ୍ରହାରି।”
(କର୍ମପର୍ଵ, କୃଷ୍ଣ ମହାଭାରତ)





ସେଇଭଳି “କାଛେ କାଛେ” କ୍ରିୟା ଵିଶେଷଣ ଶବ୍ଦ ବି ଚଳୁଥିଲା ଆମ ଭାଷାରେ ...


ଏହା ଅତି ନିକଟରେ ଵା ପାଖେ ପାଖେ ଅର୍ଥରେ ଵ୍ଯଵହାର ହେଉଥିଲା ।


ଜଗନ୍ନାଥ ଦାସ କୃତ ଭାଗଵତରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାନ୍ତି
ଯଥା—


“ଗୋରୁଙ୍କ ଶିଙ୍ଗ ଧରି ନାଚେ
ବୁଲନ୍ତି ଅଗ୍ନି କାଛେ କାଛେ।”


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏ ଶବ୍ଦ ମେଦିନୀପୁରୀ ଓଡ଼ିଆ ଭାଷାରେ “କାଛା କାଛି” ହୋଇ ଏକ ଵିଶେଷଣ ଭାଵେ ଵ୍ଯଵହୃତ ହେଉଥିଲା ।


ମେଦିନୀପୁରିଆ ଏ ଶବ୍ଦକୁ ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ ଆଦି ଅର୍ଥରେ 
ଵ୍ଯଵହାର କରୁଥିଲେ ବୋଲି ଏ ଅଭିଧାନରେ ଉଲ୍ଲେଖ ରହିଛି ।


ତେଵେ ଓଡ଼ିଆ ଭାଷାରେ କାଛି ଶବ୍ଦର ଏକ ଵିଶେଷ୍ଯ ଶବ୍ଦ ଭାଵେ ମଧ୍ୟ ଵ୍ଯଵହାର ରହିଥିଲା ଏଵଂ ସମ୍ଭଵତଃ ଏହା ମଧ୍ୟ କକ୍ଷ ଶବ୍ଦ ସହ ସମଦ୍ଧୃତ ହୋଇଥିଵା ସମ୍ଭଵ କାରଣ କକ୍ଷ ଶବ୍ଦର ଆଉ ଏକ ଅର୍ଥ କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ ପୁଣି ସଂସ୍କୃତରେ କଚ୍ଛ ଶବ୍ଦ ସହିତ ବି ସମଦ୍ଧୃତ ହୋଇଥିଵା ସମ୍ଭଵ ଯେହେତୁ ଏହା ମଲ୍ଲମାନଙ୍କ ଵ୍ଯଵହାର୍ଯ୍ୟ ଲେଙ୍ଗୁଟୀ; କର୍ପଟୀକୁ କଚ୍ଛ କୁହାଯାଉଥିଲା ।




କାଛି ସାଧାରଣତଃ କ୍ଷୁଦ୍ର ପତଳା ରଙ୍ଗୀନ୍ ପରିଧାନ ବସ୍ତ୍ର ଯାହାକୁ କରିଆ ମଧ୍ୟ କୁହାଯାଇଥାଏ । ଏହାକୁ ଓଡ଼ିଶାରେ କେଉଁଠି କେଉଁଠି କଚ୍ଛା ,କାଚ୍ଛ,କାଚ୍ଛଟା ଓ କାଛ ଆଦି ମଧ୍ୟ କୁହାଯାଏ ।


ଜଗନ୍ନାଥ ଦାସ ଏହି ଅର୍ଥରେ କାଛ ଶବ୍ଦର ପ୍ରୟୋଗ କରି ଲେଖିଯାଇଛନ୍ତି...


“କୁତ ପଲ୍ଲବ ଶିଖିପୁଚ୍ଛ, 
କଟୀରେ ନୀଳ ପୀତ କାଛ। ”


ସେଇଭଳି ଭକ୍ତଦାସ କୃତ ମଥୁରା ମଙ୍ଗଳରେ 
କାଛି ଶବ୍ଦର ଵ୍ଯଵହାର ଉଲ୍ଲେଖ ଯୋଗ୍ୟ


“କାହାକୁ ପିନ୍ଧାଇବି କାଛିରେ”


ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିଵା ଅର୍ଥରେ 
କଵିସୂର୍ଯ୍ୟ ବଳଦେଵ ରଥ ଏ ଶବ୍ଦର ଵ୍ଯଵହାର  କରି ଲେଖିଛନ୍ତି—


“ବିଶଥ ହୋଇଛିରେ, 
            ବାସ ପିନ୍ଧିଥାଉ ପରି କାଛି ।”




ଓଡ଼ିଆ ଭାଷାରେ କାଛି ଶବ୍ଦର ଆଧାରରେ ଦୁଇଗୋଟି କ୍ରିୟାଶବ୍ଦ ବି ଚଳୁଥିଲା 
ଯଥା—
୧)କାଛିଵା— କାଛା ପିନ୍ଧିବା; କାଛା ଭିଡ଼ିବା,କ୍ଷୁଦ୍ର ଵସ୍ତ୍ର ପିନ୍ଧିଵା


୨)।କାଛି ହେବା—ଛୋଟ ଲୁଗା ବଡ଼ ଶରୀରକୁ କସାକସ୍ ହେବା, କାଛା ପିନ୍ଧିଲା ଭଳିଆ କସିକାସି ଭିଡ଼ିଭାଡ଼ି ଲୁଗାକୁ ପିନ୍ଧିବା,କଛା ମାରି ଲୁଗା ପିନ୍ଧିବା


ତେଵେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ପ୍ରଚଳିତ ଏ କାଛି ଶବ୍ଦ ଉଭୟ ଅଵ୍ଯୟ ଓ ଵିଶେଷ୍ଯ ଅର୍ଥରେ ଵ୍ଯଵହାର ହେଉଥିଲେ ହେଁ ଆଜି କାହିଁକି ଲୁପ୍ତ ହୋଇଯାଇଅଛି ?


Wednesday, May 6, 2020

ଆଟିକାଚୁହାଁ ~ ମୁମୂର୍ଷୁ ଓଡ଼ିଆ ଶବ୍ଦଟିଏ

ଓଡ଼ିଆ ଭାଷାରେ ଅନେକ ନିଆରା ଶବ୍ଦ ରହିଛି । କିଛି ଶବ୍ଦ ଏଵେ ବି ଚଳୁଥିଲାଵେଳେ ଆଉ କିଛି ଶବ୍ଦ କାଳ ଆଗରେ ପରାସ୍ତ ହୋଇ ମୁର୍ମୂଷୁ ଅଵସ୍ଥାରେ ପହଞ୍ଚିଗଲେଣି ।

ଆଟିକାଚୁହାଁ ଶବ୍ଦଟି ଆଧୁନିକ ଅଭିଧାନଗୁଡ଼ିକରେ ଦେଖାଯାଏ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୨୭ତମ ପୃଷ୍ଠାରେ ଏ ଶବ୍ଦଟି ଥିଵା ଦୃଷ୍ଟିଗୋଚର ହୁଏ ।

ଆଟିକାଚୁହାଁ ଶବ୍ଦଟି ଵ୍ଯଙ୍ଗ୍ଯ ଓ ନିନ୍ଦାର୍ଥ ଵ୍ଯଵହୃତ ହେଉଥିଲା ଏଵଂ ଏ ଶବ୍ଦର ସ୍ତ୍ରୀଵାଚକରୂପ ଆଟିକାଚୁହୀଁ ଅଟେ ।

ସାଧାରଣତଃ ଯେଉଁ ଵ୍ଯକ୍ତି ରୋଷେଇଶାଳର ପାକପାତ୍ରରେ ଥିଵା ରନ୍ଧା ଖାଦ୍ଯଦ୍ରଵ୍ଯ ପ୍ରତି ସର୍ଵଦା ତୀକ୍ଷ୍ଣ ଦୃଷ୍ଟି ରଖେ ଓ ତାହା ଯେପରି ଵ୍ଯୟିତ ନ ହୁଏ ସେଥିପାଇଁ ସାବଧାନ ଥାଏ ସେଭଳି ଲୋକଙ୍କୁ ଆଟିକାଚୁହାଁ କୁହାଯାଉଥିଲା ।

ଏ ଶବ୍ଦଟି ସମ୍ଭଵତଃ ଲୋକଭାଷାର ଶବ୍ଦ ବୋଲି ସାହିତ୍ୟରେ ସେତେ ଵ୍ଯଵହୃତ ହୋଇନଥିଵା ଦେଖାଯାଏ କିନ୍ତୁ ଓଡ଼ିଆ ଢଗଢମାଳିରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାଉ...

ଯଥା―
"ଖଣ୍ଡିଗଣିଆର ଦିଗୁଣ ସରେ
ଆଟିକାଚୁହାଁର ମାଇପ ମରେ"

ଆଟିକାଚୁହାଁ ଶବ୍ଦଟି ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ଗଠିତ; ଆଟିକା ଓ ଚୁହାଁ ।

ଆଧୁନିକ ଯୁଗର ଲୋକେ ଆଟିକା କଣ୍ ଜାଣିନଥିଵେ କିନ୍ତୁ ଏକଦା ଏଇ ଆଟିକା ପାତ୍ର ଘରେ ଘରେ ଦିଶିଯାଉଥିଲା । ଛୋଟ ମାଟି ହାଣ୍ଡିକୁ ଆଟିକା କୁହାଯାଏ । ଆଗକାଳରେ ଆଟିକା ବସାଇ ଲୋକେ ରୋଷେଇ କରୁଥିଵା କୃଷ୍ଣସିଂହଙ୍କ ମହାଭାରତରୁ ଜଣାଯାଏ...

"ଅଗ୍ନିରେ ପାକ କଲା ବସାଇ ଆଟିକାଟି !"
(ଆଦିପର୍ଵ)

ଓଡ଼ିଆ ଲୋକେ ଆଜି ଆଉ ଆଟିକା ଵ୍ଯଵହାର କରୁନାହାନ୍ତି କିନ୍ତୁ ଜାତିର ଈଶ୍ବର  ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏଵେ ବି ଅନ୍ନଆଦି ରଖିଵା  ନିମନ୍ତେ ଏଇ ଛୋଟ ମାଟି ହାଣ୍ଡି "ଆଟିକା" ଵ୍ଯଵହୃତ ହେଉଅଛି ।

ସେଇଭଳି ଚୁହାଁ ଶବ୍ଦର ଅର୍ଥ ଚାହିଁବା,ଦେଖିଵା ଵା ଅଵଲୋକନ କରିଵା ଅଟେ । ଏ ଶବ୍ଦ ସାହିତ୍ୟରେ ବହୁଳ ଵ୍ଯଵହାର ହୋଇଅଛି
ଯଥା―

ଚନ୍ଦ୍ର ଚୁହାଁ ସୁଖ ବଡ଼?
କି ତା ମୁଖ ଦେଖା ବଡ଼?
(କବିସୂର୍ଯ୍ୟ. ସଙ୍ଗୀତ)

ଅସ୍ତୁ ! ଯେଉଁ ଵ୍ଯକ୍ତି କୃପଣ ସ୍ଵଭାଵର ଓ ମନୁଷ୍ଯ ଜୀଵନଠାରୁ ଖାଦ୍ଯଦ୍ରଵ୍ଯାଦିକୁ ଅଧିକ ମହତ୍ତ୍ଵ ଦିଏ ,ଯିଏ ଟିକିଏ ଖାଦ୍ୟ ନଷ୍ଟ ହେଲେ ନିଜ ସ୍ତ୍ରୀକୁ ଅପମାନିତ କରେ,ମାଡ଼ଗାଳୀ ଦିଏ ସେଇଭଳି ଲୋକଙ୍କ ପାଇଁ ଏଵେ ବି ଆଟିକାଚୁହାଁ ଶବ୍ଦ ଵ୍ଯଵହାର ହୋଇପାରେ । ତେଵେ ସମ୍ଭଵତଃ ଆଟିକା ସହ ଆଟିକାଚୁହାଁ ଶବ୍ଦ ବି ଧୀରେ ଧୀରେ ଲୋପ ପାଇଯିଵ ଏମନ୍ତ ସମ୍ଭାଵନା ଅଧିକ ଲାଗୁଛି ।

ଏ ଵିଷୟରେ ଆପଣଙ୍କ ମତ ନିଶ୍ଚୟ ଉଲ୍ଲେଖ କରନ୍ତୁ ! ଆପଣଙ୍କ ଅଞ୍ଚଳରେ ଏ ଶବ୍ଦଟି ଏଵେ ବି ଵ୍ଯଵହାର ହେଉଅଛି କି ?

Saturday, April 25, 2020

ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦ ଟଙ୍କି

ଓଡ଼ିଶାର କେତେଜଣ ରାଜା ଅତୀତରେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣମାନଙ୍କ ନିମିତ୍ତ କିଛି ଭୂ-ସଂପତ୍ତି ଦାନ କରିଥିଲେ l

ଏଇ ସମ୍ପତ୍ତି ଉପରେ ସେମାନେ ନାମକୁ ମାତ୍ର ସାଧାରଣ କର ବ୍ରାହ୍ମଣମାନଙ୍କ ଉପରେ ଧାର୍ଯ୍ୟ କରୁଥିଲେ ।

ଉକ୍ତ କରକୁ ଆଗେ ଟଙ୍କି କୁହାଯାଉଥିଲା l ଏହା ବାଟି ଟଙ୍କି, ବାହେଲି ଟଙ୍କି, ଦେବୋତ୍ତର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇତ୍ୟାଦି ବିଭିନ୍ନ ଭାଗରେ ବିଭକ୍ତ ଥିଲା l

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଓଡ଼ିଆ ଟଙ୍କି ଶବ୍ଦ ସହିତ ତତ୍ସମ ଟଙ୍କା ଶବ୍ଦ ସମଦ୍ଧୃତ ବୋଲି ଉଲ୍ଲେଖ ରହିଛି ।

ପୁଣି ଟଙ୍କାର ପରିମାଣ ଵିଶେଷକୁ ବି ଆମ ଭାଷାରେ ଟଙ୍କି କୁହାଯାଏ ଏଵଂ କେଉଁଠି କେଉଁଠି ଏ ଶବ୍ଦ ଟଙ୍କିଆ ହୁଏ  ଯଥା ―
●ଏକ ଟଙ୍କି(ଆ)
●ଦୁଇ ଟଙ୍କି(ଆ)
●ତିନି ଟଙ୍କି(ଆ)

ଉତ୍ତର ଓଡ଼ିଶାରେ ଡାବଲପୁଆର 'ପୁଆ' ଵା 'ପିଲ'କୁ ଟଙ୍କି ଓ ଟେଙ୍କି କୁହାଯାଏ । ତେଵେ ଆଜିକାଲି ଏ ଖେଳ ଲୁପ୍ତ ହେଵାକୁ ବସିଥିଵାରୁ ଟଙ୍କି ଓ ଟେଙ୍କି ଶବ୍ଦ ବି ଅଭିଧାନ ମଧ୍ୟରେ ସୀମିତ ହେଵାକୁ ବସିଛି ।

ହିନ୍ଦୀରେ କିନ୍ତୁ ଵୈଦେଶିକ tankକୁ ଟଙ୍କୀ କୁହାଯାଏ  ତେଵେ ଆମ ଓଡ଼ିଆ ଭାଷାରେ ଆମେ ଟଙ୍କି ନକହି ଏହାକୁ ଟାଙ୍କି କହିଥାଉ । 

ଏଠାରେ ଉଲ୍ଲେଖଯୋଗ୍ଯ ଯେ ଟଙ୍କି ଭଳି ଆମ ଭାଷାରେ ଟଙ୍କୀ ଵୋଲି ଆଉ ଏକ ଶବ୍ଦ ମଧ୍ୟ ରହିଛି ଏଵଂ ଶ୍ରୀରାଗର ଏକ ରାଗିଣୀ ଵିଶେଷକୁ ଟଙ୍କୀ କୁହାଯାଏ । ଏ ଶବ୍ଦ ମଧ୍ୟ ତତ୍ସମ ଟଙ୍କ ଶବ୍ଦ ସହିତ ସମଦ୍ଧୃତ ଅଟେ ।

ସମୟ ,ସଂସ୍କୃତିରେ ପରିଵର୍ତ୍ତନ ସହ ଶବ୍ଦର ଅର୍ଥ ବଦଳିଥାଏ ଏଵଂ ଅନେକ ଶବ୍ଦ ଅପ୍ରଚଳିତ ହୋଇ କେଵଳ ଅଭିଧାନ ମଧ୍ୟରେ ହିଁ ସୀମିତ ରହିଯାଏ ।

ଆମ ଭାଷାରେ ଥିଵା ଟଙ୍କି ଶବ୍ଦଟିର ସେଇ ଅଵସ୍ଥା ହୋଇଯାଇଛି । ପୁରୁଣା ଯୁଗ ଓ ପୁରୁଣା ଲୋକଙ୍କ ସହିତ ଵେଳେ ଵେଳେ ଅନେକ ଶବ୍ଦ ମଧ୍ୟ ଏଇମିତି ମରି ହଜିଯାଆନ୍ତି ।

ଏହା ଏକ ସ୍ଵାଭାଵିକ ପ୍ରକ୍ରିୟା ଏଵଂ ସବୁ ଭାଷାରେ ଊଣା ଅଧିକେ ଏହା ହିଁ ହେଉଅଛି ଆଗକୁ ମଧ୍ୟ ହେଉଥିଵ ଯେତେଦିନ ଯାଏଁ ମାନଵ ସଭ୍ଯତା ତିଷ୍ଠି ରହିଥିଵ।

Friday, January 17, 2020

ଘାନ୍ତି, ଘାନ୍ତେ ଓ ଏଘାନ୍ତି ~ ଓଡ଼ିଆ ଭାଷାରେ କ୍ରମେ ଅଵ୍ଯଵହୃତ ହୋଇଯାଇଥିଵା ଲୋକପ୍ରିୟ ଶବ୍ଦ

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଘାନ୍ତି,ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ଵ୍ଯଵହାର ହୋଇଥିଵା ଦେଖାଯାଏ ।

ଓଡ଼ିଆ ଭାଷାରେ ଏଘାନ୍ତି ଶବ୍ଦଟି ଏଥରକ,ଏକ୍ଷଣି, ଵର୍ତ୍ତମାନ ଓ ଏକାଥରକେ ଇତ୍ୟାଦି ଅର୍ଥରେ ଏକ ଦେଶଜ ଅଵ୍ଯୟ ଭାଵେ ଵ୍ଯଵହାର ହେଉଥିଲା ।

ଏତତ୍ ଓ ଘାତ  ଶବ୍ଦ ଯୁକ୍ତ ହୋଇ ଏଘାନ୍ତି ଶବ୍ଦର ସୃଷ୍ଟି । କେତେକ ପୁରାତନ ଗ୍ରନ୍ଥରେ ଏ ଶବ୍ଦଟି ୟେଘାନ୍ତି ଲେଖା ହୋଇଥିଵା ଦୃଶ୍ଯହୁଏ ।

ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ଵ୍ଯଵହାରର  ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ...

●ଏଥରକ କୂଳକୁ ଚାହିଁ କେ ବୋଲନ୍ତି
ମରଣ ହୋଇଲା ଏ ଘାନ୍ତି
(ଜଗନ୍ନାଥ, ଭାଗବତ)

●“ବଡ଼ ଵଳଵନ୍ତା ଏ ଘାନ୍ତି ପୁତ୍ର ଗୋଟିୟେ
ୟେଘାନ୍ତି ପ୍ରତ ଗୋଟିଏ ମାରିବି ।।”
(ସାରଳା ମହାଭାରତ)

●ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁ
ୟେଘାନ୍ତି ସହିବ ଯେ ଆଶାବତୀର ତନୁ । ୧୫୯ ।
(ସମ୍ଭଵ ପର୍ଵ,ସାରଳା ମହାଭାରତ)

●ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ
ପାଞ୍ଚ ବରଷ ହୋଇଲା ତୋର ରାଜ୍ୟରେ ରହିଲୁ ।
(କର୍ଣ୍ଣ ଜନ୍ମ ଉପାଖ୍ୟାନ,ସାରଳା ମହାଭାରତ)

●ବ୍ରହ୍ମାଣ୍ଡ ଭିତରେ ନ ଥିଲା ୟେଡେ କଥା।
ଏହି ଘାନ୍ତି ଲଘୁ ହୋଇଲା ଦଶମଥା ।।
(ରାବଣ ଛତ୍ରଭଙ୍ଗ,ଦାଣ୍ଡି ରାମାୟଣ)

●“ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ ,କପିଳାସ କନ୍ଦର ନ ରହିବ ଏ ଘାନ୍ତି Ι
(ଗଦାପର୍ଵ,ମହାଭାରତ)

●ଏଠାକୁ କେମନ୍ତେ ଅଇଲା। ଦଇବ ଯୋଗେ ନନ୍ଦବଳା ।।
କୂଳକୁ ଚାହିଁଣ ବୋଲନ୍ତି। ମରଣ ହୋଇଲା ଏ ଘାନ୍ତି ।।
(ଶ୍ରୀମଦ୍ ଭାଗଵତ,ଦଶମ ସ୍କନ୍ଧ)

ସେଇଭଳି ଓଡ଼ିଆ ଭାଷାରେ ଘାନ୍ତି ଶବ୍ଦଟି କ୍ଷଣମାତ୍ର,ବା ଵା ଥର ଅର୍ଥରେ ଵ୍ଯଵହୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ସେଇଭଳି କଥିତ ଓଡ଼ିଆ ଶବ୍ଦକୋଷରେ ଘାନ୍ତି ବୋଲି ଶବ୍ଦଟିଏ ଢେଙ୍କାନାଳ ଗଡ଼ଜାତରେ ଥରକୁ ଥର ଅର୍ଥରେ ଵ୍ୟଵହୃତ ହେଉଥିଵା ଉଲ୍ଲେଖ ରହିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଘାନ୍ତି ଶବ୍ଦଟି ତତ୍ସମ ଘାତା ସହ ସମଦ୍ଧୃତ ଅଟେ ।

ଘାନ୍ତେ ବୋଲି ଆଉ ଏକ ଶବ୍ଦ ମଧ୍ୟ ଓଡ଼ିଆ ସାହିତ୍ୟରେ କ୍ଷଣକେ, ଥରେ ଓ ଥରେ ମାତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵା ଉଲ୍ଲେଖ ହୋଇଛି ।

କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖ ଅନୁଯାୟୀ ଘାନ୍ତେ ଶବ୍ଦଟି ଆଜି ବି କଳାହାଣ୍ଡି ଅଞ୍ଚଳର କଥିତ ଭାଷାରେ ଘାଁତେ ଭାଵେ ଥରେ ଓ ଥରେ ମାତ୍ର ଅର୍ଥରେ ଚଳୁଅଛି ।

ଏଘାନ୍ତି ଵା ୟେଘାନ୍ତି,ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ସମ୍ବନ୍ଧୀୟ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଆଗେ ଓଡ଼ିଶାରେ ଓଡ଼ିଆ ଭାଷାର ଅଧିକାଂଶ ନିଜସ୍ୱ ଶବ୍ଦ ହିଁ ପ୍ରଚଳିତ ରହିଥିଲା କିନ୍ତୁ ସମୟ ସହ ଓଡ଼ିଆ ଭାଷା ଅଧିକ ସଂସ୍କୃତନିଷ୍ଠ ଅଳ୍ପ ବହୁତେ ଵୈଦେଶିକ ଶବ୍ଦଯୁକ୍ତ ହେଵାରୁ  ଅନେକ ନିଆରା ଶବ୍ଦ ଲୁପ୍ତ ହେଵାକୁ ବସିଛି ।

ତେଵେ ଗଡ଼ଜାତରେ ଆଜି ବି ଅନେକ ନିଜସ୍ୱ ଓଡ଼ିଆ ଶବ୍ଦ ବଞ୍ଚିରହିଛି କିନ୍ତୁ ଆଧୁନିକ ସାହିତ୍ୟିକଙ୍କ ଦ୍ଵାରା ସେସବୁ ଓଡ଼ିଆ ଶବ୍ଦଗୁଡି଼କୁ ଆଞ୍ଚଳିକ ଆଖ୍ଯା ଦିଆଯିଵା ଯୋଗୁଁ ଆମ ଭାଷା ଗୋଟାଏ ପଟେ ଵୈଦେଶିକ ଶବ୍ଦମୟ ହେଉଥିଲାଵେଳେ ଅନ୍ୟଦିଗରେ ଆପଣର ନିଜସ୍ୱ ଶବ୍ଦ ହରାଇଵା ଆରମ୍ଭ କରିଛି ...


Tuesday, December 17, 2019

ଆମ ଭାଷାର ଵିସ୍ମୃତ ଶବ୍ଦ ନହନା

ଓଡ଼ିଆ ଭାଷାରେ କ୍ରମଶଃ ହଜିଵାକୁ ବସିଥିଵା ଶବ୍ଦଟିଏ ହେଉଛି ନହନା । ଏ ଶବ୍ଦଟି ସାଧାରଣତଃ ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

ଏଇ ନହନା ଶବ୍ଦଟି ଜୁଆଳି ମଝିରେ ଲଙ୍ଗଳ ଈଶକୁ ବାନ୍ଧିଵା ଚମ ଦଉଡ଼ି, ଚମଡ଼ାର ଲଙ୍ଗଳ ଦଉଡ଼ି ଵା ଆନ୍ଧ ଦଉଡ଼ି ଇତ୍ୟାଦି ଅର୍ଥରେ ଵ୍ଯଵହାର ହେଉଥିଲା ।

ସଂସ୍କୃତ ଶବ୍ଦ ନହନ ସହିତ ଏଇ ନହନା ଶବ୍ଦଟି ସମଦ୍ଧୃତ ।

ତେଣୁ ଏ ଉଭୟ ଶବ୍ଦର ମୂଳ କ୍ଷୁଦ୍ର ଧାତୁରୂପ ନହ୍ ଧାତୁ ଏଵଂ ନହ୍ ଧାତୁର ଅର୍ଥ ବାନ୍ଧିଵା ।

ଶାସ୍ତ୍ରୀୟ ନହନ ଶବ୍ଦର ଅର୍ଥ ବାନ୍ଧନ,ବନ୍ଧନ ରଜ୍ଜୁ ଅଟେ ।

ଓଡ଼ିଶାର ପଶ୍ଚିମାଞ୍ଚଳରେ ବାରମ୍ବାର ଗର୍ଭସ୍ରାଵକୁ ମଧ୍ୟ ନହନା କୁହାଯାଉଥିଵା ଜଣାଯାଏ ।

ଆଗେ ଯାହାର ଗର୍ଭ ରହୁନଥିଲା ତାକୁ ଏଇ ନହନା ଚମଡ଼ା ଦଉଡି଼ ପିନ୍ଧେଇଦେଲେ ମଙ୍ଗଳ ହେଵ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା ।

ସମ୍ଭଵତଃ ପରେ ଏଥିପାଇଁ ନହନା ଶବ୍ଦଟି ଏଭଳି ଅର୍ଥରେ ଵ୍ଯଵହାର ହୋଇଥିଵା ସମ୍ଭଵ ।

ମତାନ୍ତରେ ନାଇଁ ହୁଏନା ଵା ରୁହେନା ଗର୍ଭ ଯାହା ଯୋଗୁଁ ତାହା ନହନା = ଗର୍ଭସ୍ରାଵ ବୋଲି ମତ ମତ ପ୍ରକାଶ ପାଇଥାଏ ।



ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...