Tuesday, November 4, 2025

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପଢ଼ନ୍ତି ସେମାନେ ତହିଁର ଅର୍ଥ ନଜାଣିପାରି ଅଭିଧାନ ଓ ଶବ୍ଦକୋଷରେ ଉଣ୍ଡନ୍ତି । କିନ୍ତୁ ଅନେକ ଅଭିଧାନ ଓ ଶବ୍ଦକୋଷରେ ପ୍ରାଚୀନ ଓ ଲୁପ୍ତ ଓଡ଼ିଆ ଶବ୍ଦ ସ୍ଥାନ ପାଇନଥାଏ ତେଣୁ ସେମାନେ ନିରାଶ ହୁଅନ୍ତି । ଏଇଭଳି ଗୋଟିଏ ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ହେଉଛି କଣୟ ଯାହାର ଅର୍ଥ ସୁନା ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ହଜାର ହଜାର ପ୍ରାଚୀନ ଲୁପ୍ତ ଓଡ଼ିଆ ଶବ୍ଦ ସ୍ଥାନ ପାଇଛି ତଥାପି କଣୟ ଭଳି ଅନେକ ଶବ୍ଦ ସେ ଭାଷାକୋଷରେ ମଧ୍ୟ ସ୍ଥାନ ପାଇ ପାରିନାହିଁ । 
ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’ର ଅର୍ଥ ସୁନା ଥିଲା ଏଵଂ ଏହା ଏକ ପ୍ରାକୃତ ମୂଳର ଶବ୍ଦ ତଥା ସଂସ୍କୃତ ଭାଷାର କନକ ଶବ୍ଦ ସହିତ ସଗୋତ୍ରୀୟ । ସାରଳା ମହାଭାରତରେ କଣୟ ଶବ୍ଦ ବହୁ ସ୍ଥାନରେ ପ୍ରୟୋଗ ହୋଇଛି ‌। ଯେମିତି ଆଦିପର୍ବରେ ଦେଖାଯାଏ:

“ନହ-ନଖ ହୃଦୟେ ଭୂଷଣ ତାର କଣୟ ପୁଷ୍ପମାଳ । 
ଶଉଚବନ୍ତ ପୁଷ୍ପ ସ୍ଥାପିଲେ ଗଣ୍ଡସ୍ଥଳ ॥
(ଆଦି,ସାରଳା ମହାଭାରତ)

ଏଠାରେ କଣୟ ଶବ୍ଦଟି ସୁନାର ଅଳଙ୍କାର ରୂପେ ଵର୍ଣ୍ଣିତ ହୋଇଛି, ଯାହା ରାଜକୀୟ ଶୃଙ୍ଗାରର ଅଂଶ। ସମାନଭାବେ ଗଦାପର୍ଵରେ ମଧ୍ୟ ଏହାର ଵ୍ୟଵହାର ଦେଖାଯାଏ:

ରସାଣ କଣୟ ପ୍ରାଏକ ଯାହାର ଲଲାଟ ପାଟି
ସୁସଞ୍ଚ ନିର୍ମଳ ବେନି ନୟନ ଗୋଟି ॥
(ଗଦା, ସାରଳା ମହାଭାରତ)

ଏଠାରେ କଣୟ ଶବ୍ଦଟି ଲଲାଟରେ ଧାରଣ କରାଯାଇଥିଵା ସୁନାର ଅଳଙ୍କାର ରୂପେ ଵର୍ଣ୍ଣିତ, ଯାହା ସୌନ୍ଦର୍ଯ୍ୟର ପ୍ରତୀକ ଅଟେ। ଆଉ ଏକ ସ୍ଥାନରେ ସାରଳା ଦାସ ଲେଖିଛନ୍ତି:

ବାବୁ ଅବିଚ୍ଛନ୍ନେ ମୂର୍ତ୍ତି ଦିଶୁ ଯେ ବାଳଅର୍କ ପ୍ରାୟେ
କଣୟ ତେଜରୁ ଅଧିକ ଦିଶଇ ତୋର କାୟେ ।(ସାରଳା ମହାଭାରତ)

ଏଠାରେ କଣୟର ତେଜ ସୂର୍ଯ୍ୟକାନ୍ତି ସହିତ ତୁଳନା କରାଯାଇଛି, ଯାହା ସୁନାର ଉଜ୍ଜ୍ୱଳତାର ପ୍ରତୀକ ।

ସାରଳା ଦାସଙ୍କ ସାରଳା ମହାଭାରତ ପରି ପ୍ରାଚୀନ କଵି ପ୍ରତାପ ରାୟଙ୍କ ଶଶିଶେଣା କାଵ୍ୟରେ ମଧ୍ୟ କଣୟ ଶବ୍ଦ ପ୍ରୟୋଗ ହୋଇଥିଵାର ଜଣାଯାଏ । ଯେମିତି ଏକ ସ୍ଥାନରେ ଲେଖାଅଛି:

“ବଳେ ବାହୁ ମୃଣାଳ ସାର, 
ନହେ ମୁକୁର ଜ୍ୟୋତି ।
କଣୟ ଲତାର ଶିଖରେ କି ବସେ ଭୃଙ୍ଗପତି ॥”

ଏଠାରେ କଣୟ ଲତାର ଶିଖରରେ ଭୃଙ୍ଗ ବସିଵାର ଉପମା ଦିଆଯାଇଛି ଏଵଂ ଏହା ସୁନାର ଚମକ ଓ ଆକର୍ଷଣକୁ ସୂଚିତ କରେ।

ଅଚ୍ୟୁତାନନ୍ଦ ଦାସଙ୍କ ହରିଵଂଶ ପ୍ରଥମଖଣ୍ଡରେ ମଧ୍ୟ କଣୟ ଶବ୍ଦ ଏକ ପର୍ଵତର ନାମ ରୂପେ ପ୍ରୟୋଗ କରାଯାଇ ଲିଖିତ ଅଛି:

“କଣୟ ନାମେ ପର୍ଵତ ଏ ନଦୀର ପାଶେ ଵସନ୍ତ ପଵନ ଏଥେ ବହେ ବାରମାସେ ।”

ଏଠାରେ କଣୟ ପର୍ଵତର ନାମ ସୁନାର ଚମକ ଓ ଉଜ୍ଜ୍ୱଳତାର ପ୍ରତୀକ ରୂପେ ଵ୍ୟଵହୃତ ହୋଇଛି, ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟର ଵର୍ଣ୍ଣନାରେ ସହାୟକ।

ପ୍ରାଚୀନ ଓଡ଼ିଆ ଚର୍ଯ୍ୟାଗୀତିକାରେ ମଧ୍ୟ କଣୟ ଶବ୍ଦ ପ୍ରୟୋଗ ହୋଇଥିଵା ଦେଖାଯାଏ। ଯେମିତି ଏକ ଚର୍ଯ୍ୟାପଦରେ ଲେଖାଅଛି:

“ତ‌ହିଂର ଉପରେ କଣୟ ଗିରିମାନ
ତ‌ହିଂ ପଶେ ଭ୍ରମର ଗୁମ୍ଫା ଵିଧାନ”

ଏଠାରେ କଣୟ ଗିରି ଅର୍ଥାତ୍ ସୁନାର ପର୍ଵତ ରୂପେ ଵର୍ଣ୍ଣିତ, ଯାହା ଆଧ୍ୟାତ୍ମିକ ଓ ପ୍ରକୃତିଗତ ସୌନ୍ଦର୍ଯ୍ୟର ମିଶ୍ରଣ।

ସାରଳା ମହାଭାରତରେ କନକ ଵା ସୁନାକୁ କଣୟ ତଥା ରଜନୀରୁ ରୟଣୀ ଶବ୍ଦ ରୂପେ ପ୍ରୟୋଗ କରାଯାଇଛି ଯାହା ପ୍ରାକୃତ ଭାଷାର ଵ୍ୟାକରଣ ଗୁଣ ଆଧାରରେ ସ୍ଵତଃ ଵିଵର୍ତ୍ତିତ । ଏହି ପରିବର୍ତ୍ତନ ଓଡ଼ିଆ ଭାଷାର ପ୍ରାକୃତିକ ବିକାଶର ଏକ ଜ୍ୱଳନ୍ତ ଉଦାହରଣ।

ପ୍ରାକୃତ ଵ୍ୟାକରଣରେ 'କାଦିନ୍ତରଵର୍ତ୍ତୀୟ ଵ୍ୟଞ୍ଜନ ଯଦେଶ' (kādi-antarvarttīya vyajjana yadeśa) ନିୟମ ଅନୁସାରେ 'କ, ଗ, ଚ, ଜ' ଆଦି ଵର୍ଣ୍ଣ ଅନ୍ତର୍ବର୍ଣ୍ଣୀୟ ଅବସ୍ଥାନ ଵା Intervocalic Positionରେ ‘ୟ’ ଭଳି ଦ୍ଵିସ୍ଵରରେ,ଵର୍ଣ୍ଣ ଲୋପ ପାଏ କିମ୍ବା ଲ, ବ ଭଳି ଅଵର୍ଗ୍ୟ ଵ୍ୟଞ୍ଜନରେ ପରିଵର୍ତ୍ତିତ ହୋଇଥାଏ। କନକ ଶବ୍ଦଟି ଧ୍ଵନିତତ୍ତ୍ଵ ଦୃଷ୍ଟିରୁ ପ୍ରକୃତରେ ଦେଖିଵାକୁ କ୍‌ଅ‌ନ୍‌ଅକ୍‌ଅ ଅଟେ ତେଣୁ ଦ୍ଵିତୀୟ 'କ' ଦୁଇ ସ୍ଵର(ଅ) ଵର୍ଣ୍ଣ ମଧ୍ୟରେ ରହେ । ଫଳତଃ ପ୍ରାକୃତ ଭାଷାର ଵ୍ୟାକରଣ ନିୟମ ଅନୁସାରେ କନକ ଶବ୍ଦ ପ୍ରାକୃତ ଭାଷାରେ କଣୟ ହୋଇଅଛି (ପ୍ରାକୃତ ଭାଷାରେ ନ ଵର୍ଣ୍ଣ ଅନେକ ସମୟରେ ଣ ହୁଏ ତେଣୁ କନକରେ ଥିଵା ନ ଵର୍ଣ୍ଣ ଣ ହୋଇଅଛି) ।‌ କନକରେ କଣୟ(ୟ),ଲୋକରୁ ଲୋଅ(∅),ପକ୍ବରୁ ପଇଅ(ଇଅ ଵା ୟ),ମଧ୍ୟକରୁ ମଜ୍ଝ(∅),ଅଳ୍ପକରୁ ଅପ୍ପଅ(∅) ଇତ୍ୟାଦି ଶବ୍ଦ ଏହିପରି ଭାବେ ପ୍ରାକୃତ ଭାଷାରେ ସୃଷ୍ଟି ହୋଇଛି। ଏହି ନିୟମ ଅନୁସାରେ ଆଉ କିଛି ଉଦାହରଣ ଯେମିତି ସୁକୃତରୁ ସୁଇଅ, ଵିକଳରୁ ବିଅଳ, ନକୁଳରୁ ଣଅଳ ଇତ୍ୟାଦି ମଧ୍ୟ ପ୍ରାକୃତରେ ଦେଖାଯାଏ।
ପ୍ରାକୃତ ଭାଷାରେ କଣୟ ଶବ୍ଦ ସୁନା ଅର୍ଥରେ ହିଁ ଚଳୁଥିଲା , ଓଡ଼ିଆ ଏକ ପ୍ରାକୃତିକ ଵା ପ୍ରାକୃତ ଭାଷା ହୋଇଥିଵାରୁ ଏଵଂ ୩୦୦୦ ଵର୍ଷ ପୂର୍ଵର ଭାଷା ହୋଇଥିଵାରୁ ଏ ଭାଷାରେ ମଧ୍ୟ କଣୟ ଶବ୍ଦ ଚଳୁଥିଲା । ସିଂହଳୀ ଭାଷାରେ ସେହି ଶବ୍ଦ କାଳକ୍ରମେ kanā ହୋଇଅଛି ଏଵଂ ସୁନା ଅର୍ଥରେ ଚଳୁଅଛି। 

ହିନ୍ଦୀ ଭାଷାରେ କଣୟ ଶବ୍ଦ ନଥିଲେ ବି ଏହା ସହିତ ସଗୋତ୍ରୀୟ कनै ଶବ୍ଦ ଚଳୁଥିଲା ବୋଲି ପ୍ରାଚୀନ ହିନ୍ଦୀ ସାହିତ୍ୟରୁ ଜଣାଯାଏ 

“वै जो मेघ गढ़ लाग अकासाँ । 
बिजरी कनै कोटि चहुँ पासा ।”
—जायसी ग्रं॰, पृ॰ २२९ ।

ଏଠାରେ कनै ଶବ୍ଦଟି ସୁନାର ଚମକ ଓ ବିଜୁଳିର ଉଜ୍ଜ୍ୱଳତାର ଉପମା ରୂପେ ଵ୍ୟଵହୃତ ହୋଇଛି, ଯାହା କଣୟର ସମାନ ଅର୍ଥ ଵହନ କରେ।

ଓଡ଼ିଆ ଭାଷାରେ ପ୍ରଚଳିତ ପ୍ରାକୃତ କଣୟ ଶବ୍ଦଟି ସଂସ୍କୃତ ଭାଷାର କନକ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଭାଷାଵିଦମାନେ ମତ ଦିଅନ୍ତି । ଥାଇ ଭାଷାରେ ଏଇ କନକ ଶବ୍ଦ ଯାଇ กนก (gà-nòk) ହୋଇଅଛି । ଏହା ଵ୍ୟତୀତ ମାଲୟ ଭାଷାରେ ସୁନାକୁ ‘ଏମାସ୍’ (emas) କୁହାଯାଏ, ଯାହା ସଂସ୍କୃତର ‘ହେମ’ରୁ ଆସିଛି, କିନ୍ତୁ କଣୟର ପ୍ରଭାବ ଇଣ୍ଡୋନେସିଆରେ ‘କେମାସ୍’ (kemas) ରୂପେ ରହିଛି।

ଏହି ସମସ୍ତ ଉଦାହରଣ ପ୍ରମାଣ କରେ ଯେ କଣୟ ଶବ୍ଦଟି କେଵଳ ଓଡ଼ିଆରେ ନୁହେଁ, ଵରଂ ଇଣ୍ଡୋ-ଆର୍ଯ୍ୟ ଭାଷାପରିଵାରର ଅନେକ ଶାଖାରେ ଵିଭିନ୍ନ ରୂପରେ ବଞ୍ଚି ରହିଛି। ଓଡ଼ିଆ ଭାଷାର ପ୍ରାଚୀନତ୍ୱ ଓ ପ୍ରାକୃତ ମୂଳକୁ ଏହା ଏକ ଜୀଵନ୍ତ ସାକ୍ଷ୍ୟ ରୂପେ ଉଭା ହୋଇଛି। ଆଜିର ଓଡ଼ିଆ ଅଭିଧାନଗୁଡ଼ିକରେ ଯଦି ଏଭଳି ଲୁପ୍ତ ଶବ୍ଦକୁ ସ୍ଥାନ ଦେଇ ସେଗୁଡ଼ିକର ପ୍ରାକୃତ ମୂଳ ଓ ସାହିତ୍ୟିକ ପ୍ରୟୋଗ ସହିତ ସଂରକ୍ଷଣ କରାଯାଏ, ତେବେ ଆଗାମୀ ପିଢ଼ି ଓଡ଼ିଆ ଭାଷାର ଐତିହ୍ୟକୁ ଅଧିକ ଗଭୀରଭାବେ ବୁଝିପାରନ୍ତେ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...