ପଶ୍ଚିମ ଓଡ଼ିଶାରେ ଗୋଟିଏ ଅଘରିଆ ଜାତି ରହିଛି । ସ୍ଥଳଵିଶେଷରେ ଏ ଜାତିକୁ
✓ଅଗ୍ରିଆ
✓ଆଗ୍ରିଆ
✓ଅଘ୍ରିଆ
✓ଆଘ୍ରିଆ
ଆଦି କୁହାଯାଏ ।
ଅଘରିଆ ଜାତି ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ଟୀକା ଏଠାରେ ଉଦ୍ଧାର କରାଗଲା...
“ଏହି #ଉଗ୍ରକ୍ଷତ୍ରିୟ'ମାନେ ଆକବରଙ୍କ ସମୟରେ ଆସି କାଳକ୍ରମେ ଓଡ଼ିଆ ହୋଇଯାଇ ଅଛନ୍ତି । ରାୟଗଡ, ଶାରଙ୍ଗଗଡ, ଗାଙ୍ଗପୁର, ବାମଣ୍ଡା, ସମ୍ବଲପୁର ପ୍ରଭୃତି ଅଞ୍ଚଳରେ ଏମାନେ ଗୋଟିଏ ପ୍ରଧାନ ଜାତି । ଏମାନଙ୍କର ସ୍ବାଵଲମ୍ବନଶୀଳତା ଆଦର୍ଶସ୍ଥାନୀୟ । ଏମାନେ ରିତିମତ କପା ଚଷନ୍ତି ଓ ସୂତା କାଟନ୍ତି । ସମ୍ବଲପୁରରେ ଏମାନେ 'ଚୌରାଅଶୀ ଘର' ନାମରେ ଖ୍ଯାତ, କାରଣ ପ୍ରଥମେ ଆଗ୍ରାରୁ ୮୪ଟି ପରିଵାର ଏଠାକୁ ଆସି ରହିଥିଲେ। ଏମାନଙ୍କର ଆଚାର ଵ୍ଯଵହାର ଵୈଶ୍ଯମାନଙ୍କ ଆଚାର ଵ୍ଯଵହାର ପରି କିନ୍ତୁ ଏମାନଙ୍କର ପଇତା ପିନ୍ଧା ଵ୍ଯଵସ୍ଥା ନାହିଁ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଘରିଆ ଶବ୍ଦର ମୂଳ ସଂସ୍କୃତ #ଅଗ୍ରଵଣ ବୋଲି ଉଲ୍ଲେଖ ଅଛି । ବୋଧହୁଏ ଏହି ନାମଟି ପରେ ଆଗ୍ରା ହୋଇ ଆଗ୍ରିଆ ଏଵଂ ପରଵର୍ତ୍ତୀ ପର୍ଯ୍ୟାୟରେ ଅଘରିଆ ହୋଇଅଛି । ଏଣୁ ଯେଉଁମାନେ କୁହନ୍ତି #ଅଘରିଆର ଅର୍ଥ ଯାହାର ଘର ନାହିଁ ଵା ଯେଉଁମାନେ #ଯାଯାଵର ଥିଲେ ଓ ପରେ ଗୃହଵାସୀ ହୋଇଛନ୍ତି ଏ ମତଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ ଅନୁଯାୟୀ ଯୁକ୍ତିଯୁକ୍ତ ଲାଗୁନାହିଁ ।
ଅଘରିଆ ଶବ୍ଦକୁ ନେଇ ସଂଶୟ ଉପୁଜିଵାର କାରଣ ରହିଛି । ସମ୍ବଲପୁରୀ ଓଡ଼ିଆ ଅଭିଧାନ ଅନୁସାରେ
#ଅଘ୍ରିଆ ଶବ୍ଦର ତିନୋଟି ଅର୍ଥ ରହିଛି
✓ଗୃହହୀନ ଵ୍ଯକ୍ତି(ଵିଶେଷଣ)
✓ଆଖୁର ଉପର ଅଂଶ(ଵିଶେଷ୍ଯ;ଅଗ୍ର)
✓ଜାତି ଵିଶେଷ
ଯେହେତୁ ଅଘ୍ରିଆ ଶବ୍ଦର ଏକ ଅର୍ଥ ଗୃହହୀନ ଵ୍ଯକ୍ତି ତେଣୁ ଲୋକେ ଦ୍ବନ୍ଦରେ ପଡି଼ଯାଆନ୍ତି ତେଵେ ପ୍ରକୃତରେ
ଅଘରିଆ ଶବ୍ଦର ମୂଳ ଅଗ୍ରଵଣ ଓ ଆଗ୍ରା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସ୍ପଷ୍ଟ ହୋଇଯାଏ ।
No comments:
Post a Comment