Tuesday, March 31, 2020

ବଡ଼ ଲୋକେର୍ ବେଟି ଲୋ ଲମ୍ବା ଲମ୍ବା ଚୁଲ୍ ! ଜାଣିଛନ୍ତି ଓଡ଼ିଆ ଭାଷାରେ ଏହି ଚୁଲ୍ ର ଅର୍ଥ କଣ୍ ?

ମାର୍କେଟକୁ ଏବେ ଗୋଟାଏ ହିନ୍ଦୀ ବଙ୍ଗଳା ମିଶା ଗୀତ ଆସିଛି ଗେଣ୍ଡା ଫୁଲ 🤗 ଏଥିରେ ଏକ ବଙ୍ଗଳା ଲୋକଗୀତରୁ ପଦେ ଦୁଇପଦ ନେଇ ଯୋଡା଼ଯାଇଛି...
“ବଡ଼ ଲୋକେର୍ ବେଟିଲୋ ଲମ୍ବା ଲମ୍ବା ଚୁଲ୍” 😂😂

ତେଵେ ଏଥିରେ ଥିଵା ଏଇ ଚୁଲ୍ ଶବ୍ଦଟି ପ୍ରମାଣ କରିଦିଏ ଯେ ବଙ୍ଗାଳୀ କେତେ ଗରିଵ ଭାଷା ଆଉ ଓଡ଼ିଆ କାହିଁକି ଶାସ୍ତ୍ରୀୟ ଓ ସମୃଦ୍ଧ ଭାଷା ଅଟଇ ।

ବଙ୍ଗଳାରେ ଚୁଲ୍ ଶବ୍ଦର ଅର୍ଥ କେଵଳ ବାଳ ଵା କେଶ ଏଵଂ ଅନ୍ୟ ଶବ୍ଦ ସହିତ ଏ ଶବ୍ଦ ଅତି ସୂକ୍ଷ୍ମ ଅର୍ଥରେ ଲାଗି ଯୌଗିକ ଶବ୍ଦ ଗଠନ ହୋଇଥାଏ ।
ଉଦାହରଣ ସ୍ଵରୂପ―
●ଚୁଲଚେରା ବିଚାର(ସୂକ୍ଷ୍ମାତିସୂକ୍ଷ୍ମ ଵିଚାର)
●ଚୁଲଚେରା ହିସାବ(ସୂକ୍ଷ୍ମ ଵା ଟିକିନିଖି ହିସାଵ)

ବଙ୍ଗଳାରେ ଏହି ଚୁଲ୍ ଶବ୍ଦ ସଂସ୍କୃତ ଚୁଳ ଶବ୍ଦର ହିଁ ତଦ୍ଭଵ ରୂପ ଅଟେ । ବଙ୍ଗଳାର ଚୁଲ୍ ଶବ୍ଦ ଭଳି ଓଡ଼ିଆ ଭାଷାରେ ରହିଛି ଚୁଳ ଵା ଚୂଳ ଶବ୍ଦ । ଆମ ଓଡ଼ିଆ ଭାଷାରେ ତତ୍ସମ ଚୁଳ/ଚୂଳ ଶବ୍ଦ ବାଳ ଵା କେଶ ଅର୍ଥରେ ପ୍ରୟୋଗ ହୋଇଛି ।
ଯଥା―

“ନାନା ସୁଗନ୍ଧ ଦିଵ୍ଯଫୁଲେ, ଲୁବୁଧେ ଭୃଙ୍ଗମାନେ ଚୂଳେ।”
(ଭୂପତି, ପ୍ରେମପଞ୍ଚାମୃତ।)

କିନ୍ତୁ ଓଡ଼ିଆ ଭାଷାରେ ଏହି ଚୁଳ ଵା ଚୂଳ ଶବ୍ଦର ଆହୁରି ଦଶରୁ ଅଧିକ ଅର୍ଥ ରହିଛି ଏଵଂ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏ ଶବ୍ଦ ନାନା ଅର୍ଥରେ ଵ୍ଯଵହାର ହୋଇଥାଏ । ନିମ୍ନରେ ଚୁଳ ଶବ୍ଦର କେତେକ ଅର୍ଥର ଉଲ୍ଲେଖ କରାଗଲା

୧)ଚୂଟି; ଶିଖା; ମୁଣ୍ଡରେ ଛଡ଼ାଇବା ଲମ୍ବ କେଶଗୁଚ୍ଛ

୨)ଲମ୍ବ ମୁକୁଟ(ମସ୍ତକର ନଳାକାର ଭୂଷଣ ଵିଶେଷ)

୩)ଜଟ(ଗଣ୍ଠି ଦିଆ ହୋଇ କପାଳ ଉପରେ ସଜ୍ଜିତ ହେଵା କେଶଗୁଚ୍ଛ)

୪)ମୁଣ୍ଡ ଉପରେ ବନ୍ଧା ୟାଇଥିବା ଦଣ୍ଡାୟମାନ ପୁଷ୍ପସଜ୍ଜା(ଯଥା—ଜଗନ୍ନାଥଙ୍କ ମାଳାଚୂଳ।)

୫)ଓଟ,ଷଣ୍ଢାଦିମାନଙ୍କ କାନ୍ଧ ଉପରେ ବାହାରିଥିଵା ମାଂସ ପିଣ୍ଡ ଯାହାକୁ କକୁଦ ମଧ୍ୟ କୁହାଯାଏ

୬)ଚୂଲୀ ଉପରେ ହାଣ୍ଡିକୁ ମୁଣ୍ଡଇଵା ନିମନ୍ତେ ବାହାରିଥିଵା ମାଟି ପିଣ୍ଡୁଳା ଯାହାକୁ ଓଡ଼ିଆରେ ଚୂଲିଝିଙ୍କା ବି କୁହନ୍ତି

୭)ମୟୁର, ଚୂଳିଆ ଚଢ଼େଇ ଓ  ଅଣ୍ଡିରା କୁକୁଡ଼ା ଇତ୍ୟାଦିଙ୍କର  ମୁଣ୍ଡ ଉପରେ ବାହାରି ଥିବା ପକ୍ଷଗୁଚ୍ଛ

୮)ପର୍ବତ ଶିଖର―ଏହା ତତ୍ସମ ଚୂଡ଼ ଶବ୍ଦ ସହିତ ସମଦ୍ଧୃତ
ଭାର୍ଗଵୀ ପୁଳିନୁଁ ହଁସରାଳ
ଉଡ଼ି ଗଲେ ଖଣ୍ଡଗିରି ଚୂଳେ।”
(ରାଧାନାଥ—ପାର୍ଵତୀ)

୯)ଅଗ୍ରଭାଗ(ଚୂଡା଼)
“ଆଜ ରାତ୍ରେ ପୁଣି ପେଚକ ରାବିଲା
ଚନ୍ଦ୍ରମାଳା ଚୂଳେ ବସି।”
(ରାଧାନାଥ—ପାର୍ଵତୀ)

୧୦)କଣା ଵା ଘରା କରାଯାଇଥିଵା କାଠର ଛିଦ୍ରରେ ପୂରାଯିଵା କାଠର ଅଂଶ । ଏହାକୁ ଇଂରାଜୀରେ Tennon କୁହାଯାଏ ।

୧୧)କଠଉର ଆଗ ପାଖରେ ଛିଦ୍ର ହୋଇ ତହିଁରେ ଠିଆ ବାଗରେ ଥିଵା ଛତ୍ରାଗ୍ର କାଷ୍ଠଖଣ୍ଡ । ଯାହାକୁ ବୁଢ଼ାଆଙ୍ଗୁଠି ଓ ବିଶିଆଙ୍ଗୁଠିର ସନ୍ଧିରେ ରଖି ଲୋକେ କଠଉ ମାଡ଼ନ୍ତି । କେଉଁଠି କେଉଁଠି ଏହାକୁ ଚୂଳି କୁହାଯାଏ(ସମ୍ବଲପୁରୀ =ଚୁଲି)

୧୨)ଝୁଣ୍ଟିଆ ଆଦି ଅଳଙ୍କାର ଉପରେ ବସାଯାଇଥିଵା ଗୋବ

ଇତ୍ୟାଦି ଇତ୍ୟାଦି...

ତେଵେ କିଛି ଲୋକ କହିପାରନ୍ତି ଚୁଳ ଓ ଚୂଲ୍ ଶବ୍ଦଦ୍ଵୟ  ଭିନ୍ନ ଭିନ୍ନ ଆଉ ତମ ଓଡ଼ିଆଭାଷାରେ ଏଇ ତଦ୍ଭଵ ଚୁଲ୍ ଶବ୍ଦର କେତେଟା ଅର୍ଥ ଅଛି କୁହ ତ 🙄

ତେଵେ ବାବୁମାନେ ଜାଣିରଖନ୍ତୁ ଓଡ଼ିଆ ଭାଷାରେ ତଦ୍ଭଵ ଚୁଲ୍ ଶବ୍ଦର ମଧ୍ୟ ତିନୋଟି ଅର୍ଥ ରହିଛି । ଯଥା―
୧)ନୂଆପଡ଼ା ଜିଲ୍ଲାରେ ଅଳ୍ପ ଆଘାତକୁ ଚୁଲ୍ କୁହାଯାଏ
୨)କନ୍ଧମାଳରେ ଚୁଲିକୁ ଚୁଲ୍ କୁହାଯାଏ ।
୩)ମୟୂରଭଞ୍ଜ ଜିଲ୍ଲାରେ ଚୁଲ୍ ର ଅର୍ଥ ବାଳ,କେଶ

ପୁଣି  ଯଦି ଚୁଲ୍ ଶବ୍ଦକୁ ଦିଥର “ଚୁଲ୍ ଚୁଲ୍” ଲେଖାଯାଏ  ତାହାର ଅର୍ଥ ଆମ ସମ୍ବଲପୁରୀ ଓଡ଼ିଆରେ ହୁଏ ଚଞ୍ଚଳ ସ୍ଵଭାଵ 😀

କିଛି ଲୋକ ଭାଵନ୍ତି ଵିଶେଷତଃ ଉତ୍ତର ଭାରତୀୟ ଭାଵନ୍ତି ଯେ ଓଡ଼ିଆ ଭାଷାଟା ମାହୁଳିଆ ଶାସ୍ତ୍ରୀୟ ଭାଷା ପାହ୍ଯା ପାଇଯାଇଛି କିନ୍ତୁ ସେ ଅହଂକାରୀମାନେ ଓଡ଼ିଆ ଭାଷାର ଶବ୍ଦଭଣ୍ଡାର ଵିଶାଳତା ହୃଦୟଙ୍ଗମ କରିନାହାନ୍ତି । ସେମାନେ ଜାଣିଛନ୍ତି ଯେ ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦର ଵିଭିନ୍ନ ଅର୍ଥ ଥାଏ କିନ୍ତୁ ସେମାନେ ଜାଣିନାହାନ୍ତି ଯେ ଭାରତରେ ସଂସ୍କୃତ ଭଳି ଓଡ଼ିଆ ଭାଷାରେ ମଧ୍ୟ ଏଇଗୁଣ ଅନ୍ୟ ଭାଷାପେକ୍ଷା ସର୍ଵାଧିକ ଓ ସମୃଦ୍ଧିଶାଳୀ ହୋଇଅଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...