Tuesday, January 21, 2020

ଖୋଟ୍ଟା ,ଖୋରଠା ଓ ହିନ୍ଦୀଭାଷାର କାହାଣୀ

ଓଡ଼ିଆଭାଷାରେ ହିନ୍ଦୀ ଶବ୍ଦ ଵା ଵାକ୍ୟମାନ ଵ୍ୟଵହାର କରିଵାକୁ ‛ଖୁରାଣ୍ଟି ଚଲେଇଵା’ କୁହାଯାଏ। କାଳିଙ୍ଗ୍ୟ ଜାତୀୟତାହୀନ ଅନେକ ଓଡ଼ିଆଲୋକେ ରାଗିଗଲେ ଵା ତେଜରେ କଥା କହିଲେ ହିନ୍ଦୀ ଶବ୍ଦ ଓ ଭାଷି ଵ୍ଯଵହାର କରିଵା ଦେଖାଯାଏ ।

ଯେଉଁମାନେ ନିଜକୁ ଉତ୍କଳୀ,ଓଡ଼ିଆ କି କଳିଙ୍ଗୀ କହିଵାକୁ ଲାଜ କରନ୍ତି ପୁଣି ଯେଉଁମାନେ ହିନ୍ଦୀଭାଷାରେ କଥା କହି ଅନ୍ଯ ସାମ୍ନାରେ ଆପଣାକୁ ଶ୍ରେଷ୍ଠ ଦେଖେଇ ହୁଅନ୍ତି ସେଭଳି ଲୋକ ଏମନ୍ତ କାର୍ଯ୍ୟ କରିଥାନ୍ତି । 

କିଛି ଦିନ ତଳେ ମୁକ୍ତିଲାଭ କରିଥିଵା ‛ଚିର୍କୁଟ୍’ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ମଧ୍ୟ ରାଗିଯାଇ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ହିନ୍ଦୀ ବୋଲୁଥିଵା ଚିତ୍ରିତ ହୋଇଛି । ସେଇଥିପାଇଁ ଓଡ଼ିଆଭାଷାରେ ପ୍ରଵାଦ ବି ରହିଛି “ଓଡ଼ିଆ ରାଗିଲେ ହିନ୍ଦୀ କୁହନ୍ତି” ।

ତେବେ ଓଡ଼ିଶା ମାଟିର ଐତିହାସିକ କଵି ବ୍ରଜନାଥ ବଡ଼ଜେନାଙ୍କ ସମୟରେ ଉତ୍ତରଭାରତରେ କନୌଜୀ,ବ୍ରଜଭାଷା,ଅଵଧୀ,ମଗହୀ,ମୈଥିଳୀ,ଭୋଜପୁରୀ,ମରାଠୀ,ଗୁଜରାଟୀ ଓ ପଞ୍ଜାଵୀ ଆଦି ଵିଭିନ୍ନ ଭାଷାର ନାମ ଚଳୁଥିଲେ ହେଁ ‛ହିନ୍ଦୀ’ ବୋଲି କୌଣସି ଭାଷାର ନାମ ଶୁଣାଯାଇନଥିଲା ।

ତେଣୁ ଭାରତୀୟ ପ୍ରାଚୀନ ସାହିତ୍ୟରେ ବ୍ରଜଭାଷା,କନୌଜୀ,ଅଵଧି
ଓ ମୈଥିଳି ଆଦିର ନାମୋଲ୍ଲେଖ ଥିଲେ ହେଁ ହିନ୍ଦୀ ନାମରେ କୌଣସି ଭାଷାର ଉଲ୍ଲେଖ ଥିଵା ଦୃଶ୍ୟ ହୁଏ ନାହିଁ । ଅତଏଵ ଓଡ଼ିଶାରେ “ଓଡି଼ଆ ରାଗିଲେ ହିନ୍ଦୀ କୁହେ" ପ୍ରଵାଦଟି ଅତ୍ୟଳ୍ପରେ ଅଠରଶହ ଶତାବ୍ଦୀ ପରଵର୍ତ୍ତୀକାଳରୁ ଚଳୁଥାଇପାରେ ।

ବ୍ରଜନାଥ ବଡ଼ଜେନାଙ୍କ ଅମର କୃତି ସମରତରଙ୍ଗରେ ଆମେ ହିନ୍ଦୀଭାଷାକୁ 
‛ଖୋରଠା ବୋଲି’ କୁହାଯାଇଥିଵାର ଉଲ୍ଲେଖ ଦେଖିଥାଉ । 
ଏ ଶବ୍ଦର ପ୍ରୟୋଗ କରିଵାକୁ ଯାଇ କଵି ଲେଖିଛନ୍ତି ―
“ସଂସ୍କୃତ ପରାକୃତ ଖୋରଠା ବୋଲୀ
ନାନା ଭାଷାରେ ଗୀତ କଵିତା କଲି।”
(ବ୍ରଜନାଥ . ସମରତରଙ୍ଗ)

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖୋରଠା ଶବ୍ଦକୁ 
ଓଡ଼ିଆ ଦେଶଜ ଖୋଟ୍ଟା ଶବ୍ଦ ସହିତ ସମଦ୍ଧୃତ ବୋଲି ଉଲ୍ଲେଖ କରାଯାଇଛି । ସେହିପରି ଖୋଟ୍ଟା ଶବ୍ଦକୁ ସଂସ୍କୃତ କୂଟ ଓ ହିନ୍ଦୀଭାଷାର ଖୋଟା ଶବ୍ଦ ସହିତ ତୁଳନୀୟ ବୋଲି କୁହାଯାଇଛି । ହିନ୍ଦୀରେ ଖୋଟାର ଅର୍ଥ ବେକାର,ଦୁଷ୍ଟ । ଭାଷାକୋଷରେ ଖୋଟ୍ଟା ଶବ୍ଦର ଦୁଇଟି ଅର୍ଥ ଉଲ୍ଲେଖ ରହିଛି

୧★ ହିନ୍ଦୁସ୍ଥାନୀ; ପଶ୍ଚିମା(ବ୍ଯକ୍ତି)
୨★ବିହାରର ଏକଶ୍ରେଣୀୟ ଲୋକ

ତେଵେ ଆଜି ଖୋରଠା ଝାଡ଼ଖଣ୍ଡର ଏକ ମୁଖ୍ୟଭାଷା ଭାଵେ ଜଣାଶୁଣା । ୨୦୦ ଵର୍ଷ ତଳେ ହିନ୍ଦୀ ବୋଲି କୌଣସି ଭାଷା ନଥିଲା ବୋଲି ବୋଧହୁଏ କଵି ବ୍ରଜନାଥ ବଡ଼ଜେନା ହିନ୍ଦୀ ଅର୍ଥରେ ଖୋରଠା ନାମ ପ୍ରୟୋଗ କରିଅଛନ୍ତି ।

ଏକଦା ଉତ୍ତର ଭାରତରେ  ବ୍ରଜଭାଷା(ବ୍ରଜ),ଅଵଧି(ଅଯୋଧ୍ୟା), ମଗହୀ(ମଗଧ),ମୈଥିଳୀ(ମିଥିଳା) ଓ କୌନୋଜୀ(କୌନୋଜ) ଭଳି ବଡ଼ବଡ଼ ଭାଷାଗୁଡ଼ିକ ସ୍ଵତନ୍ତ୍ର ଥିଲେ ।

ମୁସଲମାନମାନେ ଭାରତକୁ ଆସି ଏ ଦେଶର ଶାସକ ହେଲେ । ସେତେଵେଳେ ସମସ୍ତ ଉତ୍ତରଭାରତୀୟ କଥିତ ଭାଷାରେ ଗୋଟାଏ ଭୟଙ୍କର ପରିଵର୍ତ୍ତନ ଦେଖାଦେଲା । ଆକ୍ରାନ୍ତାମାନଙ୍କ ଭାଷାରୁ ଲକ୍ଷ ଲକ୍ଷ ଆରବୀ ,ପାର୍ସୀ ଓ ତୁର୍କ୍ ଶବ୍ଦ ଆସି ଉତ୍ତରଭାରତୀୟ ଭାଷାଗୁଡି଼କରେ ମିଶିଵାକୁ ଲାଗିଲା ।

ମୁସଲମାନଙ୍କ ଆଗମନ ପୂର୍ଵରୁ ଭାରତର ରାଷ୍ଟ୍ରଭାଷା ଥିଲା ସଂସ୍କୃତ କିନ୍ତୁ ଆକ୍ରାନ୍ତାମାନେ ଆସିଵାପରେ ତାଙ୍କ ମାତୃଭାଷାକୁ ସେମାନେ ଏ ଦେଶରେ ରାଜଭାଷା କରିଦେଲେ । ସେମାନେ ସଂସ୍କୃତ ଓ ଭାରତୀୟ ସଂସ୍କୃତିର ଵିଲୁପ୍ତି ପାଇଁ ଯଥେଷ୍ଟ ଚେଷ୍ଟା କଲେ । ସେମାନଙ୍କ ଆଗମନ ଉତ୍ତାରୁ ଭାରତୀୟମାନେ ଶିକ୍ଷାକ୍ଷେତ୍ରରେ ଅନେକାଂଶରେ ପଛାଇଗଲେ । ସେମାନେ ଆଗେ ସଂସ୍କୃତର ଆଵଶ୍ୟକତା ଥିଵାରୁ ତାକୁ ଶିଖୁଥିଲେ କିନ୍ତୁ ଏଵେ ଶିଖିଵାର କୌଣସି ସାଧନ ନଥିଵାରୁ ଭାରତରେ ସର୍ଵପ୍ରଚଳିତ ସଂସ୍କୃତ ଭାଷା ପ୍ରାୟ ଲୋକଙ୍କ ପାଇଁ ଅବୋଧଗମ୍ଯ ହୋଇଗଲା । 

ଅଵଶ୍ଯ କେତେଶହ ଵର୍ଷ ପରେ ଉତ୍ତରଭାରତରେ ଗୋଟିଏ ସଂକର କଥିତ ଭାଷା ମୁଣ୍ଡ ଟେକିଲା ଯାହାକୁ ମୁସଲମାନ ପଣ୍ଡିତ #ରେଖ୍ତା କହୁଥିଲେ ।

ଇଂରେଜ ଶାସନକାଳରେ ମୁସଲମାନଙ୍କର ଶାସନ ନରହିଵାରୁ ଅନେକ ହିନ୍ଦୁ ପଣ୍ଡିତ ଏହି ରେଖ୍ତା ଭାଷାକୁ ଶୁଦ୍ଧ କରିଵା ଵିଷୟକ ମତ ଦେଵାକୁ ଲାଗିଲେ ।

ସେତେଵେଳେ ହିନ୍ଦୁ ଓ ମୁସଲମାନଙ୍କର କଥିତ ରେଖ୍ତା ଭାଷା ଭିନ୍ନ ଭିନ୍ନ ଥିଲା କାରଣ ଉତ୍ତର ଭାରତୀୟମାନେ ନିଜ ନିଜର ମାତୃଭାଷା ସହ ଆରବୀ ପାର୍ସୀ ଓ ତୁର୍କଭାଷାରୁ ଅପେକ୍ଷାକୃତ କମ୍ ଶବ୍ଦ ମିଶେଇ କଥା ହେଉଥିଲେ । କିନ୍ତୁ ତତ୍କାଳୀନ ଭାରତୀୟ ମୁସଲମାନଙ୍କର ଭାଷା ଅଧିକ ଵୈଦେଶିକ ଶବ୍ଦଯୁକ୍ତ ହେଉଥିଲା ।

ହିନ୍ଦୁ ପଣ୍ଡିତମାନେ ନିଜ କଥିତ ଭାଷାକୁ ହିନ୍ଦୁଙ୍କ ଭାଷା ଆଧାରରେ ହିନ୍ଦୀ ନାମ ଦେଲେ । ତତ୍କାଳୀନ ଉତ୍ତରଭାରତୀୟ ମୁସଲମାନମାନେ ତାଙ୍କ ଵୈଦେଶିକ ଶବ୍ଦବହୁଳ କଥିତଭାଷାର ଉର୍ଦ୍ଦୁ ନାମକରଣ କଲେ ।
ଏଇମିତି ରେଖ୍ତା ଭାଷାରୁ ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ଜନ୍ମ ହୋଇଥିଲା । ତେଵେ ଯୋଉଦିନ ରେଖ୍ତା ଭାଷା ଦିଭାଗ ହେଲା ସେଇଦିନ ହିଁ ଭାରତଵିଭାଜନର ଭଵିଷ୍ଯତ ଆପେ ଆପେ ଲେଖା ହୋଇଯାଇଥିଲା ।

ଅସ୍ତୁ ସବୁଵେଳେ ମନେ ରଖନ୍ତୁ Bollywoodର ଭାଷା ୯୯% ଉର୍ଦ୍ଦୁ ଅଟେ ହିନ୍ଦୀ ନୁହେଁ । ପ୍ରକୃତ ହିନ୍ଦୀ ଅଧୁନା କେଵଳ ହିନ୍ଦୀ ସାହିତ୍ଯିକ,ଭାଷାପ୍ରେମୀ ତଥା ଭାଷାଵିଦ ହିଁ କହି ଲେଖି ପାରନ୍ତି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...