ସମା ଓ ଶମା ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ୍ ।
ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ ...
🔶୧)ସମ୍ବତ୍ସର ଵା ଵର୍ଷ
ଏହାର ପ୍ରାକ୍ ଭାରତୀୟ ରୂପ *sámaH ଏଵଂ ପ୍ରାକ୍ ଭାରୋଇରାନୀୟ ରୂପ *sámaH ଥିଵା ଆଧୁନିକ ଭାଷାଵିଦ୍ ଅନୁମାନ କରିଅଛନ୍ତି । ଏହି ସମା ଶବ୍ଦର ପ୍ରାକ୍ ଭାରୋପୀୟ ଶବ୍ଦରୂପ *semH ଓ ପ୍ରାଚୀନ ସଂସ୍କୃତ ମୂଳ ଧାତୁ ସମ୍ ନିର୍ଣ୍ଣୟ କରାଯାଇଛି । ତେଣୁ ଵର୍ଷ ଓ ଗ୍ରୀଷ୍ମ ଋତୁ ଅର୍ଥରେ ଵ୍ଯଵହୃତ ପ୍ରାଚୀନ ସମା ଶବ୍ଦଟି ସଂସ୍କୃତର ଗ୍ରୀଷ୍ମ,ଆଵେସ୍ଥାନ 𐬵𐬀𐬨𐬀 (hama ଵର୍ଷ) ଓ 𐬴𐬀𐬨𐬀 (ṣ̌ama ଵର୍ଷ),ଆର୍ମେନୀୟ ամ (am, “ଵର୍ଷ”), ଇଂରାଜୀ summer(ଗ୍ରୀଷ୍ମ), ପାର୍ସୀ هامین(hamîn"ଗ୍ରୀଷ୍ମ"),ଓ୍ଵେଲ୍ସ୍ haf (“ଗ୍ରୀଷ୍ମ”) ଓ ଜର୍ମାନ Sommer(ଗ୍ରୀଷ୍ମ) ସହିତ ସମଦ୍ଧୃତ । ପ୍ରାଚୀନ ଵେଦରେ ଏ ଶବ୍ଦର ଵର୍ଷ ଓ ଗ୍ରୀଷ୍ମ ଅର୍ଥରେ ଵ୍ଯଵହାର ହୋଇଅଛି ।
🔶୨)ଵର୍ଷର ଅର୍ଦ୍ଧେକ ସମୟ;ଛମାସ ଅଵଧି
ଵିଜ୍ଞାନ ଦୃଷ୍ଟିରୁ ଗ୍ରୀଷ୍ମ ଓ ଶୀତ ଭେଦରେ ଦୁଇଗୋଟି ଋତୁ ହୋଇଥାଏ । ଵର୍ଷା କେଉଁଠି ଗ୍ରୀଷ୍ମ ଋତୁରେ ହୁଏ ତ କେଉଁଠି ଶୀତ ଋତୁରେ ହୋଇଥାଏ । ଏଣୁ ଵର୍ଷକୁ ଗ୍ରୀଷ୍ମ ଓ ଶୀତ ଭେଦରେ ଦୁଇଭାଗରେ ଵିଭକ୍ତ କରାଯାଇଛି । ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ସମୟଠାରୁ ଗ୍ରୀଷ୍ମ ଋତୁ ଏଵଂ ଦକ୍ଷିଣାୟନ ଗତିଠାରୁ ଶୀତଋତୁ ନିର୍ଣ୍ଣୟ କରାଯାଏ । ଏହି କଥା ଆମର ପ୍ରାଚୀନ ପୂର୍ଵଜଙ୍କୁ ଜଣାଥିଲା ତେଣୁ ସେମାନେ ଗ୍ରୀଷ୍ମ ଓ ଵର୍ଷ ଅର୍ଥରେ ଵ୍ଯଵହୃତ ସମା ଶବ୍ଦକୁ ଵର୍ଷର ଅର୍ଦ୍ଧେକ ଭାଗ ଅର୍ଥରେ ମଧ୍ୟ ଵ୍ଯଵହାର କରିଅଛନ୍ତି ।
🔶୩)ଋତୁ
ଵେଦରେ ସାଧାରଣତଃ ଗ୍ରୀଷ୍ମ ଋତୁ ଅର୍ଥରେ ଏ ଶବ୍ଦର ପ୍ରୟୋଗ ଥିଵା ଜଣାଯାଏ । ତେଵେ କ୍ରମଶଃ ସମା ଶବ୍ଦର ତୁଲ୍ୟାର୍ଥେ ଵ୍ଯଵହାର ଲୋକପ୍ରିୟ ହୋଇଥିଵା ଜଣାଯାଏ ।ଅଥର୍ଵ ଵେଦର କେତେକ ଛନ୍ଦରେ ଗ୍ରୀଷ୍ମ ଋତୁ ଅର୍ଥରେ ସମା ଶବ୍ଦର ପ୍ରୟୋଗ ହୋଇଥିଵା ଜଣାଯାଏ । ସମ୍ଭଵତଃ ଗ୍ରୀଷ୍ମ ଋତୁରୁ ଏ ଦେଶରେ ଵର୍ଷଗଣନାର ପରମ୍ପରା ବହୁ ପ୍ରାଚୀନ ବୋଲି ଏହା ଏକ ପ୍ରକୃଷ୍ଟ ପ୍ରମାଣ ହୋଇପାରେ ।
🔶୪)ସୋମନାଥ ନାମକ ଵ୍ଯକ୍ତିର ଡାକ ନାଆଁ ସମା
ଓଡ଼ିଶାରେ ଡାକନାମ ରଖିଵାର ପରମ୍ପରା ବହୁ ପ୍ରାଚୀନ । ଯମ ଭୟରେ ଓ ସ୍ନେହାର୍ଥେ ଏଭଳି ନାମକରଣ କରାଯାଉଥିଵା ଜଣାଯାଏ । ସୋମନାଥ ନାମକ ଵ୍ଯକ୍ତିକୁ ଏହି କାରଣରୁ ସମା ଡକାଯାଇଥାଏ ।
🔶୫)ସମାଇଵା/ସମେଇଵା କ୍ରିୟାର ମୂଳ ରୂପ ସମା ଵା ସମ୍ଭା
ଏ କ୍ରିୟାର ଅନ୍ୟ ରୂପ ସମ୍ଭାଇଵା । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭାଇଵା କ୍ରିୟାର ବହୁଳ ଵ୍ଯଵହାର ହୋଇଅଛି । ଏହି ସମ୍ଭାଇଵା ଶବ୍ଦର ଆଧୁନିକ ରୂପ ସମାଇଵା ଅଟେ ।
ସଂସ୍କୃତ ସଂମାତି ଓ ପ୍ରାକୃତ ସଂମାଦି ସହିତ ଏହି ସମାଇଵା କ୍ରିୟାଟି ସମଦ୍ଧୃତ । ପ୍ରକୃତରେ ଓଡ଼ିଆ ଭାଷାରେ ସମ୍ଭାଇଵା କ୍ରିୟାଟି ଦୁଇଟି ଭିନ୍ନ ଭିନ୍ନ ମୂଳରୁ ଆସିଅଛି ଗୋଟିଏ ହେଲା ସମ୍ଭଵ ଅନ୍ଯଟି ସଂମାତି ।
ଓଡ଼ିଆ ଭାଷାରେ ସମ୍ଭାଇଵା କ୍ରିୟାର ଵିଭିନ୍ନ ଅର୍ଥ ...
୧)ସମ୍ଭଵ ଜଣା ହେଵା,
୨)ପ୍ରତିଷ୍ଠା ହେଵା
୩)ପ୍ରବେଶ କରିଵା,ପଶିଵା(ଏହାର ଆଧୁନିକ ରୂପ ସମାଇଵା ଓ ସଂସ୍କୃତ ରୂପ ସଂମାତି)
୪)ଭର୍ତ୍ତି ହୋଇଯିଵା
୫)ଯଥେଷ୍ଟ ହେଵା ଅର୍ଥାତ୍ କୌଣସି ପାତ୍ରର ଆକାରକୁ ଚାହିଁ ଯଥେଷ୍ଟ ହେଵା । ଉଦାହରଣ ସ୍ୱରୂପ "ଏ ଟୋକେଇରେ ୫ଗୌଣୀ ଧାନ ସମ୍ଭାଇଵ, ଆଉ ବେଶୀ ଧାନ ସମ୍ଭାଇଵ ନାହିଁ।"
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭାଇଵା କ୍ରିୟା ଵ୍ଯଵହାରର କେତେକ ଉଦାହରଣ...
🔸"ବ୍ରହ୍ମାଣ୍ଡ ଯାହା ଉଦରେ ପ୍ରଳୟେ ସମ୍ଭାଇ।"
(ଵୈଦେହୀଶ ଵିଳାସ, ଉପେନ୍ଦ୍ର ଭଞ୍ଜ)
🔸"ସେ ବ୍ରହ୍ମା ସୁଭଦ୍ରା ହୋଇଲେ,
ରାଧାଙ୍କ ସଙ୍ଗେ ସମ୍ଭାଇଲେ। "
(ପ୍ରେମଭକ୍ତି ବ୍ରହ୍ମଗୀତା, ଯଶୋଵନ୍ତ)
🔸ଉଦେଗିରି ଅସ୍ତଗିରି ଶୂନ୍ୟଗିରି ମେଳା
ହସ୍ତୀ ଚରାଵନ୍ତି ପାର୍ଵତମାଳା
ଯେଵଣ ସେ ହସ୍ତୀ ମାହାରସ ଖାଇ
ବେନି ପକ୍ଷେ ଜଗିଲେ ଗଗନେ ସମ୍ଭାଇ । ୬ ।
(ଶ୍ରୀଶିଶୁଵେଦ, ଅଜ୍ଞାତ ପ୍ରାଚୀନ କଵି)
🔸ମୋର କର୍ଣ୍ଣେ ସେ ଡାକ ସମ୍ଭାଇ ।
ପୁଣି ଶତଧନୁ ଦେଲା କହି ।
ଶରେ ଶର ଭେଦି ରଖିଲି ଆଛାଦି ନ ପାରିଲା
ଆଉ ଦୈତ୍ୟ ଯାଇ ଗୋ । ୭ ।
(କପଟପାଶା,ଭୀମା ଧୀଵର)
🔸ଷୋଳ ଅକ୍ଷର ଲୀନ ପାଇ ।
ଅକ୍ଷର ଵାୟୁରେ ସମ୍ଭାଇ ॥୪୧
ଵାୟୁ ପାର୍ଵତୀ ସଙ୍ଗେ ମିଶି ।
ପାର୍ଵତୀ ସଙ୍ଗରେ ଵିକାଶି ॥୪୨
(ତ୍ରୟୋଦଶ ସ୍କନ୍ଧ,ଭାଗଵତ, ଜଗନ୍ନାଥ ଦାସ)
🔶୬) ପୁଷ୍କର ଦ୍ଵୀପର ଜନଵହୁଳ ମଧ୍ୟ ଭାଗକୁ ପୁରାଣରେ ସମା କୁହାଯାଇଛି । ମହାଭାରତର ଭୀଷ୍ମପର୍ଵ ଅନ୍ତର୍ଗତ ଦ୍ଵାଦଶ ଅଧ୍ୟାୟ ୩୨ତମ ଶ୍ଲୋକରେ ଏ ସ୍ଥାନର ଉଲ୍ଲେଖ ରହିଛି ।
ପୌରାଣିକ କଥାନୁସାରେ ଵାମନ,ଐରାଵତ,ସୁପରିତକ,
ଅଞ୍ଜନା ଇତ୍ୟାଦିଙ୍କର ନିଵାସସ୍ଥାନ ଏଇ ଅଞ୍ଚଳ ଅଟେ ।
🔶୭)ସମ ଶବ୍ଦର ସ୍ତ୍ରୀ ଵାଚକ ରୂପ; ସମାନ, ସଦୃଶ
କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵିଭିନ୍ନ କାଵ୍ଯରେ ସମ ଶବ୍ଦର ସ୍ତ୍ରୀ ଵାଚକ ରୂପ ଭାବେ ଏହି ସମା ଶବ୍ଦର ବହୁଳ ଵ୍ଯଵହାର ଦୃଶ୍ୟ ହୋଇଥାଏ । ଯଥା—
🔸ବଳାରାତିର ଅବଳା ଉମା ରମା ।
ବହି ଏକ ମୂରତି ନୋହିବେ "ସମା" ।।୩୯।।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔸"ତଥାପି ସୁଷମା ସମା ପ୍ରତିମା ତ ନୋହି ।
ଶୋଭାକୁ ଵର୍ଣ୍ଣନ୍ତି କବି ଵୃତ୍ତ କରି ତହିଁଯେ ।।୬୪।।"
(ଲାଵଣ୍ଯଵତୀ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔶୮)ସମା ନାମକ କଳିଙ୍ଗ ଦେଶୀୟ ଜନଜାତିର ନାମ । ଏହି ଜାତୀୟ ଲୋକ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଓଡ଼ିଶାରେ ଅଳ୍ପ ସଂଖ୍ୟାରେ ରହୁଛନ୍ତି । ଏମାନଙ୍କ ଵିଷୟରେ ଵିଶେଷ ତଥ୍ୟ ମିଳେନାହିଁ ।
ଵିଭିନ୍ନ ଭାରତୀୟ ଭାଷାଗୁଡି଼କରେ ସମା ଶବ୍ଦର ଅନ୍ୟ କେତେକ ଅର୍ଥରେ ଵ୍ଯଵହାର ପ୍ରଚଳିତ । ଯଥା—
🔷କନ୍ନଡ଼ରେ ସମୟକୁ ସମା କୁହାଯାଏ
🔷ହିନ୍ଦୀ ସାହିତ୍ୟରେ ଆକାଶ ଅର୍ଥରେ ସମା ଶବ୍ଦର ଵ୍ଯଵହାର ଥିଵା ହିନ୍ଦୀ ଶବ୍ଦସାଗରର ଉଲ୍ଲେଖରୁ ଜଣାଯାଏ । ହିନ୍ଦୀରେ ପୁଣି ଉର୍ଦ୍ଦୂର "ସମାଁ" ଶବ୍ଦଟି "ସମା" ହୋଇ ପ୍ରଚଳିତ ହେଲାଣି ।
"ସମାଁ ହେଁ ସୁହାନା ସୁହାନା ନଶେ ମେଁ ଜହାଁ ହୈ" ଏ ଗୀତରେ ଵ୍ଯଵହୃତ ସମା ଵା ସମାଁ ଶବ୍ଦର ଅର୍ଥ (ସୁନ୍ଦର)ଦୃଶ୍ୟ, ଵତାଵରଣ ଅଟେ ।
🔷ମରାଠୀ ଭାଷାରେ ଓଡ଼ିଆ ଭଳି ସମା ଶବ୍ଦର ଵିଭିନ୍ନ ଅର୍ଥ ରହିଛି । ମହାରାଷ୍ଟ୍ରରେ ପ୍ରଚଳିତ ଲୋକକଥାର ଏକ ପିଶାଚ ଦେଵତାଙ୍କୁ ସମା କୁହାଯାଏ । ସମା ଶବ୍ଦର ମରାଠୀରେ ସମ୍ବନ୍ଧ,ଡିମ୍ବିରି,ଜୁଆର,ମତୈକ୍ଯ,ମେଳ ଓ ଆକାଶ ଇତ୍ୟାଦି ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ।
ତେବେ ସମା ଶବ୍ଦଠାରୁ ଭିନ୍ନ ଶମା ଶବ୍ଦର ଆଉ କେତେକ ଅର୍ଥରେ ପ୍ରଚଳନ ଥିଵା ଜଣାଯାଏ । ପ୍ରାଚୀନ ସଂସ୍କୃତ ଶାସ୍ତ୍ରରେ ଶମା ଶବ୍ଦଟି "ଦିଵ୍ଯା ମାନଵୀ" ଅର୍ଥରେ ଵ୍ଯଵହାର ହେଉଥିଵା କେତେକ ସଂସ୍କୃତ ଭାଷାକୋଷରୁ ଜଣାଯାଏ । ସେହିପରି ହିନ୍ଦୀରେ ଆରବୀ ଭାଷାର "ଶମଅ" ଶବ୍ଦଟି ଶମା ହୋଇ ଵ୍ଯଵହୃତ ହୋଇଥାଏ ଏଵଂ ଏ ଭାଷାରେ ଶମାର ଅର୍ଥ ମହମଵତୀ ଓ ଦୀପ ଅଟେ ।
ତେବେ ଓଡ଼ିଆ ଭାଷାରେ ଶମା ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି...
🔶୧)ଢିଙ୍କିର ଥୋର ଵା ପାହାରର ଅଗରେ ଲାଗିବା ଲୌହ ଵଳୟ
ଦେ ସମକେଇ ଲୋ ! ଶମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ !
ଦି ସଉତୁଣୀ ଢ଼ିଙ୍କି ଲାଞ୍ଜିରେ ଖାଆନ୍ତି ବଙ୍ଗଳା ପାନ... (ଢେଙ୍କିକୁଟା ଗୀତ ।)
🔶୨)ମୂଷଳର ଵା ମୃଦ୍ଗରର ଵା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିଵା ଲୌହ ଵଳୟ
🔶୩)ଚିତ୍ରକରମାନଙ୍କର ପଶାର ଗୋଟୀ ଵା ସାର କାଟିଵା ଅସ୍ତ୍ର ଵିଶେଷ
🔶୪)ଶଗଡ଼ ଚକର ମଧ୍ଯପିଣ୍ଡ ସ୍ଥିତ କଣା ଚାରିପାଖେ ଲାଗିଵା ଲୁହା ଵଳୟ
🔶୫)ଗଞ୍ଜପା ସାର ପାଇଁ ଛାଞ୍ଚରେ କାଟିଵା ଵସ୍ତୁ
🔶୬)କାଠ ବେଣ୍ଟ
🔶୭)ମୁଦିଆ
"ଅକର୍ମଶୀଳା କୁଣ୍ଡିକି ସମାଲଗା ପାହାର।"(ଢଗ)
ଆଜିକାଲି ଓଡ଼ିଆ ଲୋକେ ପ୍ରୋକ୍ତ "ସପ୍ତଗୋଟି" ଅର୍ଥରେ ଵ୍ଯଵହୃତ ଶମା ଶବ୍ଦକୁ ଭୁଲ୍ ଵଶତଃ ସମା ଲେଖିଦିଅନ୍ତି ।
ଢିଙ୍କି ଓ ଶଗଡ଼ର ଲୌହ ଵଳୟ ଅର୍ଥରେ ଵ୍ଯଵହୃତ ଶମା ଶବ୍ଦଟି ସଂସ୍କୃତର ଶମ୍ଵ ଶବ୍ଦ ଓ ଶମ୍ବ୍ (ଧାତୁ) ସହିତ ସମଦ୍ଧୃତ ।
ଶମ୍ବ ଶବ୍ଦର ଅନେକ ଅର୍ଥ ଯଥା ଅଶନି ଵା ଵଜ୍ର, ଢିଙ୍କିର ଶମା,ଲୌହଵଳୟ,ଵେଷ୍ଟିତାଗ୍ର ମୁଦ୍ଗର,ଲୌହମୟ କାଞ୍ଚି, ଅଣ୍ଟାରେ ପିନ୍ଧିବା ଲୁହା ଶିକୁଳି,ଭୂମିକୁ ଦ୍ବିତୀୟଵାର ଚଷିଵା ଵା ଦୋଓଡ଼ ଚାଷ, ଅନୁଲୋମ କର୍ଷଣ,ଦରିଦ୍ରଵ୍ଯକ୍ତି,
ଭାଗ୍ଯଵାନ ଵ୍ଯକ୍ତି,ସୁଖୀ ଇତ୍ୟାଦି ଇତ୍ୟାଦି । ତେଣୁ ପ୍ରାଚୀନ ପରମ୍ପରା ଓ ଷତ୍ଵଵିଧାନ ନିୟମ ରକ୍ଷା ହେତୁକ ଢ଼ିଙ୍କି ଓ ଶଗଡ଼ ସମ୍ବନ୍ଧୀୟ ଶମା ଶବ୍ଦକୁ ସମା ଲେଖିଵା ଅନୁଚିତ୍ ଅଟଇ । ସେମିତି ବି ଆଜି ଢିଙ୍କି ଓ ଶଗଡ଼ର ଵ୍ଯଵହାର ନାହିଁ କହିଲେ ଚଳେ । ଶଗଡ଼ ଢିଙ୍କି ସହ ଶମା ଶବ୍ଦ ମଧ୍ୟ ଲୁପ୍ତ ହେଵାକୁ ବସିଲାଣି ।
No comments:
Post a Comment