ଅନାଥ ପିଲାକୁ ଗଡ଼ଜାତରେ ଅଲାର/ଅଲରା ପିଲା କୁହାଯାଏ ! ତେବେ ଦକ୍ଷିଣ ଓଡ଼ିଶାରେ #ଅଲରା ଶବ୍ଦଟି ଅପରିଷ୍କାର,ଏଣେତେଣେ ଵିକ୍ଷିପ୍ତ ଅଵସ୍ଥା,ଅସ୍ତଵ୍ଯସ୍ତ,ଇତସ୍ତତଃ,ଅଡ଼ୁଆ,ଅସନା ଓ ଅପରିଷ୍କୃତ ଅର୍ଥରେ ଵ୍ଯଵହୃତ ହେଉଥିଲା ବେଳେ #ଅଲାର ଶବ୍ଦ-ଅସହାୟା,ନିଃସ୍ବ ଓ ସମ୍ବଳହୀନ ଅର୍ଥରେ ଵ୍ଯଵହାର କରାଯାଏ !
ଜଣେ ଅନାଥ ହେଲେ ଅଵିଭାଵକର ଅଭାଵରୁ ଭଲରେ ପାଳନ ପୋଷଣ ନହେଵା ଯୋଗୁଁ ଅପରିଚ୍ଛନ ଅପରିଷ୍କାର ରହିଵ,ତା ବସାରେ ସବୁ ପଦାର୍ଥ ଏଣେତେଣେ ପଡ଼ି ରହିଵ,ଜୀଵନଯାପନରେ ଅଡ଼ୁଆ ଵା ବାଧା ଅନୁଭଵ କରିଵ ଏବଂ ଅନାଥ ହେଲେ ଅସହାୟ,ସମ୍ବଳହୀନ ଓ ନିଃସ୍ବ ହୋଇଯିଵ !
ଆଗେ ଏବେର ଭଳି ଏତେ ଅନାଥାଶ୍ରମ ନଥିଲା ! ବାପ ମା ଛେଉଣ୍ଡ ଛୁଆ ସମ୍ପର୍କୀୟଙ୍କ ଦ୍ବାରା ପାଳିତ ହେଉଥିଲେ କିମ୍ବା ଭିକ୍ଷାବୃତ୍ତି ଆଦି କରି ଚଳୁଥିଲେ ! ସମ୍ପର୍କୀୟଙ୍କ ଦ୍ବାରା ପାଳିତ ଅନାଥ ପିଲାଙ୍କୁ ନାନାଦି ଯାତନା ଦେଇ ଗାଭି ଓ ଛାଗ ଆଦି ଚରେଇଵା ଠାରୁ ଅନ୍ଯାନ୍ଯ ଗୃହର କାର୍ଯ୍ଯ ଯାଏଁ ସେମାନଙ୍କ ଦ୍ଵାରା ସବୁ କାମ କରାଯାଉଥିଲେ ହେଁ ତାଙ୍କୁ ସମାଜରେ ଜୀବନ ନିର୍ଵାହ କଲାଭଳିଆ ଶିକ୍ଷା(ପାଠ ଓ ଶାଠ) ମିଳିପାରୁନଥିଲା !
ଅନାଥ ପିଲାଙ୍କ ମଧ୍ଯରେ ତେଣୁ ଅଳ୍ପବୁଦ୍ଧିଆ ଛୁଆ ଅଧିକାଂଶରେ ଦେଖାଗଲେ ! ଉପରୋକ୍ତ ଶବ୍ଦଗୁଡ଼ିକ ସହ ଅଲା,ଉଲା ଓ ଓଲା ଆଦି ଶବ୍ଦର ସଂପର୍କ ଅଛି କି ନାହିଁ ତାହା ସ୍ପଷ୍ଟଭାଵେ କୁହାନଯାଇପାରେ ତେବେ ଏସବୁ ଶବ୍ଦ ଵ୍ଯଵହାର ହୋଇ ତହିଁରୁ ପୁଣି ଆହୁରି ଅନେକ ଶବ୍ଦ ହୋଇ ଚଳିଵାକୁ ଲାଗିଲା !
ଯଥା----
🔵ଅଲବଲ ଓ ଅଲବଲିଆ —ଦାୟିତ୍ବହୀନ କାର୍ଯ୍ଯକରିଵା ଅର୍ଥରେ ଏ ଶବ୍ଦଟି ଵ୍ଯଵହାର ହୁଏ । ଅଵିଭାଵକ ବିନା ପିଲା ଉତ୍ସୁଙ୍ଖଳ ହୋଇ ଦାୟିତ୍ବହୀନ ହୋଇପାରନ୍ତି !
🔵ଅଲାବଲି—ଦାୟିତ୍ବହୀନ ସ୍ତ୍ରୀ କୁ ବୋଲାଯାଏ । ଯିଏ କି ଅନାଥ ହେଲାରୁ ଉତ୍ତମ ସଣ୍ଠଣା ଶିଖିପାରିନଥିଲା !
🔵ଅଲାପାନ୍ତିଆ—ବିବେକହୀନ ଵ୍ଯକ୍ତିକୁ କୁହାଯାଏ । ଅନାଥପିଲା ସମାଜର ଦ୍ବେଷ ଓ ଘୃଣାର ଶିକାର ହୋଇ କଠୋର ହୃଦୟର ହୋଇଯାଏ !
🔵ଅଲାବଲ—ଅସ୍ତଵ୍ଯସ୍ତ,ଏଣୁତେଣୁ ଓ ଟାଣ ଟାଣ ଅର୍ଥରେ ଵ୍ଯଵହାର କରାଯାଏ । ଅନାଥପିଲା ଅଵିଭାଵକଙ୍କ ଶାସନରେ ନରହିଵା ହେତୁ ବସାଘର ଠାରୁ ପୋଷାକ ପତ୍ର ଯାଏଁ ଆଉଁଳୁ ଦାଉଁଳୁ କରି ପକାଇରଖେ !
🔵ଅଲାରି—ବୋକି । ମାତାପିତାଙ୍କ ବିନା ଘରକରଣା ଓ ଜୀବନଶୈଳୀରେ ଅନଭିଜ୍ଞତା ଯୋଗୁଁ ଅନାଥକନ୍ଯା ବୋକି ହୁଏ ଏବଂ ଗଞ୍ଜଣା ସହେ ।
🔵ଅଲେର୍-ଅଯୋଗ୍ଯ । ଅଵିଭାଵକଙ୍କ ବିନା ପାଳନପୋଷଣରେ ବାଳକ ପାଠ ଶାଠ ନଜାଣି ଅଯୋଗ୍ଯ ହୁଏ ! ଓଡ଼ିଶାରେ ବୋକା ଅର୍ଥରେ *ଅଲାଣ୍ଡୁ ଓ *ଅଲାଣ୍ଡି ଶବ୍ଦ ବି ଚଳୁଅଛି ।
ଆପଣଙ୍କ ଅଞ୍ଚଳରେ ପ୍ରୋକ୍ତ ଶବ୍ଦ ଗୁଡ଼ିକ ଚଳେ କି ?
ଯଦି ଚଳେ କେଉଁ ଅର୍ଥରେ ଚଳେ ?
No comments:
Post a Comment