Thursday, March 11, 2021

ଶିଵ ଶବ୍ଦ ଓ ଭଗଵାନ ସଦାଶିଵ

ସୃଷ୍ଟି ନଥିଲାବେଳେ ଶିଵ ଥିଲେ ସୃଷ୍ଟି ନାଶ ଗଲା ପରେ ମଧ୍ୟ ଶିଵ ରହିଵେ । ଶିଵ ସୃଷ୍ଟିର ଵିନାଶ କରି ନୂତନ ସୃଷ୍ଟି ପାଇଁ ପଥ ପରିଷ୍କାର କରନ୍ତି । ଵିନାଶକର୍ତ୍ତାଙ୍କୁ ଈଶ୍ଵର ଭାବେ ପୂଜା କରିଵାର ପରମ୍ପରା କେଵଳ ଭାରତଵର୍ଷରେ ହିଁ ଲୋକପ୍ରିୟ ହୋଇପାରିଛି । ଶିଵ ନାମର,ଶିଵ ଶବ୍ଦର ମହିମା ଏହି ଶବ୍ଦ ମଧ୍ୟରେ ହିଁ ଲୁକ୍କାୟିତ ରହିଛି ।




ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶିଵ ଶବ୍ଦର ଦୁଇଗୋଟି ନିରୁକ୍ତି ଉଲ୍ଲେଖ କରାଯାଇଛି

୧)ଶୀ ଧାତୁ=(ଅଣିମାଦି ଗୁଣ) ଶୋଇଵା,ଵିଶ୍ରାମ କରିଵା+ଅଧିକରଣ ଅ;

୨) ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ କ ଯେ ଅନିଷ୍ଟ ନାଶ କରନ୍ତି]

ଭଗଵାନ ଶିଵଙ୍କର ସହସ୍ର ନାମ ମହାଭାରତର ଅନୁଶାସନ ପର୍ଵରେ ପ୍ରଦାନ କରାଯାଇଛି । ଶିଵଙ୍କର  ଅନ୍ୟ ନାମମାନ ହେଲା-

ଶମ୍ବୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ବର, ଈଶ୍ବର, ଶର୍ବ୍ବ, ଈଶାନ, ମୃତ୍ଯୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ,ହର,ହରରୂପ, ଖଣ୍ଡପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିଵାସ, ପିନାକୀ, ଵିଶ୍ବେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଢ, ଧରଣୀଶ୍ଵର, କପାଳ, ଭୃତ୍, ଵାମଦେଵ, ସିଦ୍ଧଦେବ, ମହାଦେଵ, ଵିରୁପାକ୍ଷ, ତ୍ରିଲୋଚନ, ଵ୍ୟୋମଦେଵ, କୃଶାନୁରେତାଃ, ସର୍ଵଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ସ୍ମରହର ,ଭର୍ଗ, କଙ୍କାଳମାଳୀ, ତ୍ର୍ଯମ୍ବକ. ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକିରପୁ, କ୍ରତୁଧ୍ବଂସୀ, ବୃକ୍ଷଧ୍ବଜ, ଵ୍ୟୋମକେଶ, ଭୀରୁ, ଭଵ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃକ୍ଷପର୍ବା, ରେରିହାଣ, ଭଗାଳୀ, ଵରାକ, କଣ୍ଠେକାଳ, ପାଂଶୁଚନ୍ଦନ, ଦିଗମ୍ବର, ଅଟ୍ଟହାସ, ଵୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ବିଟ, ବୃଷାକପି, ମହାକାଳ, ଖଣ୍ଡ, ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ, ଭୂରି, କଟୂପ୍ରୂ, ଭୈରଵ, ଭୁତନାଥ, ତୀବ୍ର, ଧ୍ରୂଵ, ଶିଵିଵିଷ୍ଟି, ଗୁଡ଼ାକେଶ, ଦେଵଦେଵ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରାସାଦ, ବୃଷଭଧ୍ବଜ. ଚନ୍ଦ୍ରାପୀଡ଼, ଶିପିଵିଷ୍ଟି, ଵରେଶ୍ବର, ଵିଶ୍ବେଶ୍ବର, ଵିଶ୍ବନାଥ, କାଶୀନାଥ, କୁଳେଶ୍ବର, ଅସ୍ଥିମାଳୀ, ଵିଶାଳାକ୍ଷ, ପ୍ରିୟତମ, ଵିଷମାକ୍ଷା, ଊର୍ଦ୍ଧ୍ବରେତାଃ, ଯମାନ୍ତକ, ନନ୍ଦୀଶ୍ବର, ଅଷ୍ଟମୂର୍ତ୍ତି, ଅଧୀଶ, ଖୋଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧର, ମହାକାଳ, କୌଳାଶନିକେତନ ହିମାଦ୍ରିତନଯାପତି।




ତେଵେ ଭଗଵାନ ଶିଵଙ୍କୁ ହିଁ କେଵଳ ଶିଵ କୁହାଯାଏ ନାହିଁ ଵରଂ ଏ ଶବ୍ଦର ଆହୁରି ଚାଳିଶ ଗୋଟି ଅର୍ଥ ରହିଛି । ନିମ୍ନରେ ଉକ୍ତ ଅର୍ଥମାନ ଉଲ୍ଲେଖ କରାଗଲା

🔵ପରମେଶ୍ବର; ଭଗବାନ୍
🔵ଦେଵ
🔵ଶିଵଲିଙ୍ଗ(ଶିଵଙ୍କର ସାକ୍ଷାତ ସ୍ଵରୂପ)
🔵ଵେଦ(ଵେଦ ଅଜ୍ଞାନତା ନାଶ କରେ)
🔵ହିନ୍ଦୁ ଜ୍ଯୋତିଷୋକ୍ତ ବିଷ୍ଣୁମ୍ଭାଦି ଅନ୍ତର୍ଗତ ଯୋଗ ଵିଶେଷ
🔵ମୋକ୍ଷ; ମୁକ୍ତି(ମୁକ୍ତି ମିଳିଲେ ମୋହ ମାୟାର ନାଶ ହୁଏ)
🔵ପାରଦ
🔵ସୈନ୍ଧଵ ଲଵଣ(ପାକସ୍ଥଳୀର ପୀଡ଼ା ନାଶ କରେ)
🔵ଜଳ(ଜଳ ଅପଵିତ୍ରତା ନାଶ କରେ)
🔵ଶୁଭ୍ର; ମଙ୍ଗଳ
🔵ସୁଖ
🔵ଶଙ୍କୁ; ଖୁଣ୍ଟା
🔵ଗୁଗ୍ଗୁଳ
🔵କଳା ଧାତୁରା (ଦୁଦୁରା ଶିଵଙ୍କର ପଞ୍ଚ ପ୍ରିୟ ପୁଷ୍ପ ମଧ୍ୟରେ ଶ୍ରେଷ୍ଠ)
🔵 ଶୁଭଗ୍ରହ
🔵 କାଳ
🔵ଵସୁ ଦେଵତା
🔵ମୃଗ ଵିଶେଷ
🔵ଏକ ପ୍ରକାର ଗୌଡ଼ୀ ମଦିରା
🔵ପ୍ଳକ୍ଷ ଦ୍ବୀପ ଵା ଜମ୍ବୁ ଦ୍ବୀପର ଏକ ଵର୍ଷର ଅର୍ଥାତ୍ ଉପମହାଦେଶର ନାମ
🔵ନୃତ୍ଯ ଵିଶେଷ
🔵ଛନ୍ଦୋ ଵିଶେଷ
🔵ପଶୁ ବନ୍ଧନ କାଷ୍ଠ ଵା ସ୍ତମ୍ଭ (ପ୍ରକୃତିବାଦ)
🔵ଲିଙ୍ଗ; ମେଢ଼୍ର
🔵ସୋହାଗା (Borax)
🔵ଅଅଁଳା
🔵କଦମ୍ବ
🔵ଫିଟିକିରି
🔵ସିନ୍ଦୁର
🔵ମରିଚ
🔵ତିଳଫୁଲ
🔵ଚନ୍ଦନ
🔵ଲୁହା
🔵ବାଲି
🔵ନୀଳକଣ୍ଠ ପକ୍ଷୀ
🔵କାକ
🔵ବଉଳ ଗଛ
🔵କୁନ୍ଦଫୁଲ
🔵ଅଦ୍ବୈତ ବ୍ରହ୍ମ
🔵ବିଲୁଆ; ଶୃଗାଳ
⚫ଶୁଭଦ
🔵 ବିରାଡ଼ି
⚫ମଙ୍ଗଳମୟ
⚫ରମ୍ଯ; ରମଣୀୟ; ସୁନ୍ଦର
⚫ସୁଖପ୍ରଦ





ପାଶ୍ଚାତ୍ୟ ଭାଷାଵିତମାନଙ୍କ ଅନୁସାରେ ଶୀ ଧାତୁ ଓ ଶିଵ ଶବ୍ଦ ,ପ୍ରାକ୍ ଭାରୋପୀୟ ଶବ୍ଦରୂପ   *ḱey ଓ *ḱew ସହିତ ସମଦ୍ଧୃତ । ଵିଭିନ୍ନ ଭାରୋପୀୟ ଭାଷାରେ ଶିଵ ଶବ୍ଦ ସହିତ ସମଦ୍ଧୃତ ଶବ୍ଦ ଚଳୁଅଛି । ଯଥା—

🌸ସେଲଟିକ୍ ଭାଷାରେ  *kēdoti ଶବ୍ଦର ଅର୍ଥ ପଡି଼ଵା ଯାହା ଶୀ ଧାତୁର ଶୟନକରିଵା ଅର୍ଥର ନିକଟତର । ପୁନଶ୍ଚ ସେଲଟିକ୍ ଭାଷାର
*koimos ଶବ୍ଦ ମଧ୍ୟ ଶୀ ଧାତୁ ଶବ୍ଦ ସହିତ ସମଦ୍ଧୃତ ଯାହାର ଅର୍ଥ ପ୍ରିୟ ଓ ଭଲ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ସହିତ ଏହି ଅର୍ଥର ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।

🌸 ପ୍ରାକ୍ ଭାରୋ ଇରାନୀୟ ଭାଷାର ćáyuš ଶବ୍ଦଟି ଶିଵ ଶବ୍ଦ ସହିତ ସମଦ୍ଧୃତ ଏହାର ଅର୍ଥ ଅନାଥ । ସଂସ୍କୃତର ଶୟୁ ଶବ୍ଦ ମଧ୍ୟ ଏହା ସହିତ ସମଦ୍ଧୃତ ଓ ଏକାର୍ଥବୋଧକ ଏଵଂ ଶୟୁ ଶବ୍ଦକୁ ଶିଵ ଶବ୍ଦ ଭଳି ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି ।

🌸ଲାଟଭିଆନ୍ ଭାଷାରେ siẽva ବୋଲି ଏକ ଶବ୍ଦ ରହିଛି ଯାହାର ଦୁଇଗୋଟି ଅର୍ଥ ପତ୍ନୀ ଓ ନାରୀ । ଏହି siẽva ଶବ୍ଦଟି ଶୀ ଧାତୁ ସହିତ ସମଦ୍ଧୃତ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ପୁଣି ସଂସ୍କୃତରେ ଶେଵ ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ଏଵଂ ଏହାର ଅର୍ଥ ପ୍ରିୟ ଵା ପ୍ରିୟା । ପତ୍ନୀଙ୍କୁ ପ୍ରିୟା ଵା dear ଡାକିଵାର ଚଳଣି ଵିଶ୍ଵରେ ଚଳୁଅଛି ।

🌸 ପ୍ରାକ୍ ଜର୍ମାନ୍ ଭାଷାରେ hīwōnō ଶବ୍ଦ ଦମ୍ପତି ଅର୍ଥରେ ଚଳୁଥିଲାବେଳେ *hīwą ଶବ୍ଦ ଵିଵାହ ଅର୍ଥରେ ଵ୍ୟଵହୃତ ହେଉଥିଲା।  ଏ ଉଭୟ ଶବ୍ଦ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମଦ୍ଧୃତ । ଵିଵାହ ଏକ ମଙ୍ଗଳକାର୍ଯ୍ୟ ଏଵଂ ଶିଵ ଶବ୍ଦର ଶୁଭ,ମଙ୍ଗଳମୟ ଓ ସିନ୍ଦୂର ଇତ୍ୟାଦି ଶବ୍ଦାର୍ଥ ସହିତ ଏହାର ସାମଞ୍ଜସ୍ୟ ବାରି ହୋଇ ପଡ଼େ ।

🌸ଲାଟିନ୍ ର cīvis ଶବ୍ଦର ଅର୍ଥ ନାଗରିକ ଏହି ଶବ୍ଦ ସହ civil, civics ଇତ୍ୟାଦି ଶବ୍ଦର ସମ୍ପର୍କ ରହିଛି । ଏ ଶବ୍ଦ ମଧ୍ୟ ଶିଵ ଓ ଶୀ ଧାତୁ ସହିତ ସମଦ୍ଧୃତ ବୋଲି ପାଶ୍ଚାତ୍ୟ ଭାଷାଵିତମାନଙ୍କ ମତ।

🌸Breton ଭାଷାରେ kuñv ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ sweet ଵା ସୁନ୍ଦର,ଭଲ । ଏହି ଅର୍ଥଟି ମଧ୍ୟ ଶିଵ ଶବ୍ଦର ପ୍ରିୟତମ ଅର୍ଥ ସହିତ ସାମଞ୍ଜସ୍ୟ ରଖେ । Cornish ଭାଷାର kuv ଓ cueff ତଥା
Welsh ଭାଷାର cu ଇତ୍ୟାଦି ଶବ୍ଦର ଅର୍ଥ ମଧ୍ୟ sweet ଅଟେ ଏଵଂ ଏ ସମସ୍ତ ଶବ୍ଦଗୁଡ଼ିକ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମଦ୍ଧୃତ ।

🌸 ପ୍ରାଚୀନ ଗ୍ରୀକ୍ ଭାଷାରେ κοιμάω • (koimáō) ଶବ୍ଦର ଅର୍ଥ ଶୋଇଵା ସମୟ ଓ ଶୋଇଵା ସେହିପରି ଆମ ଭାଷାରେ ଵ୍ୟଵହୃତ ଶୟନ କରିଵା ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ସେହି ଶୀ ଧାତୁରୁ ଏକ ଅକ୍ଷର ଵିଶିଷ୍ଟ "ଶ" ଶବ୍ଦ ନିଷ୍ପନ୍ନ ହୋଇଅଛି । ଉଭୟ ଶିଵ ଓ ଵିଷ୍ଣୁଙ୍କର ଏକ ନାମ ଶ ଅଟେ । ଅଜଗର ସାପର ଏକ ନାମ ଶୀଵା, ଏ ଜୀଵ ଶୋଇରହେ ପଡି଼ରହେ ବୋଲି ଏଭଳି ନାମକରଣ ।




ଏହିପରି ଭାବେ ଶିଵ ଶବ୍ଦ ଓ ଶୀ ଧାତୁ ସହିତ ସମଦ୍ଧୃତ ଶତ ଶତ ଶବ୍ଦ ଵିଭିନ୍ନ ଭାରୋପୀୟ ଭାଷାରେ ଚଳୁଅଛି । ଯାହାଙ୍କ ପାଇଁ ଜୀଵ ସୁଖ ଶାନ୍ତିରେ ଶୟନ କରେ ଓ ତା ଜୀଵନ ମଙ୍ଗଳମୟ ହୋଇଥାଏ ସେ ପରମେଶ୍ବର ହେଉଛନ୍ତି ଭଗଵାନ ଶିଵ। ଏଥିଯୋଗୁଁ ଶିଵତାଣ୍ଡଵ ସ୍ତୋତ୍ରମ୍ ରେ କୁହାଯାଇଛି “ତନୋତୁ ନଃ ଶିଵଃ ଶିଵମ୍” ଅର୍ଥାତ୍ ଶିଵ ଆମ ମଙ୍ଗଳକୁ ବଢା଼ନ୍ତୁ । ପୁଣି ଯାହାଙ୍କ ମଧ୍ୟରେ ଅଣିମାଦି ଅଷ୍ଟଗୁଣ ଶୟନ କରନ୍ତି ଵା ଅଵସ୍ଥିତ ସେ ହେଉଛନ୍ତି ଶିଵ । ଆତ୍ମାକୁ  ପୁରୁଷ କୁହାଯାଏ ଯିଏ ଜୀଵ ମଧ୍ୟରେ ଶୟନ କରିଥାଏ । ଏହି ପୁରୁଷ ଶବ୍ଦକୁ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି ।

ଶିଵ ଶବ୍ଦର ଆଉ କେତେକ ନିରୁକ୍ତି ନିର୍ଣ୍ଣୟ ହୋଇଅଛି । ନିମ୍ନରେ ସେ ଵିଷୟରେ ଆଲୋଚନା କରାଗଲା ।

🍁ଶୋ ଧାତୁ — ଶୋ ଧାତୁର ଅର୍ଥ କ୍ଷୀଣ କରିଵା । କେତେକ ପ୍ରାଚୀନ ଭାରତୀୟ  ଏଥିରେ ଵନ୍ ପ୍ରତ୍ୟୟ ଯୁକ୍ତ କରି ଶିଵ ଶବ୍ଦ ନିଷ୍ପନ୍ନ କରିଛନ୍ତି । ଯିଏ ଅଶୁଭକୁ କ୍ଷୀଣ କରନ୍ତି ସେହି ମଙ୍ଗଳମୟ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁 ଶ୍ = ନିତ୍ୟ ସୁଖ ଓ ଆନନ୍ଦ ,ଇ = ପୁରୁଷ ଓ ଵ = ଶକ୍ତି ଵା ଅମୃତ । ନିତ୍ୟ ସୁଖ,ଆନନ୍ଦ, ପୁରୁଷ ଓ ଶକ୍ତିର ମୂଳସ୍ରୋତ ଓ ଏକୀଭୂତ ରୂପ ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଅର୍ଥ ପାପନାଶକାରୀ ଓ ଵ ଶବ୍ଦର ଅର୍ଥ ମୁକ୍ତିଦାତା । ଯିଏ ମନୁଷ୍ୟଙ୍କର ପାପନାଶ କରି ମୁକ୍ତି ପ୍ରଦାନ କରନ୍ତି ସେ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଏକ ଅର୍ଥ ମଙ୍ଗଳ ଓ ଵ ଶବ୍ଦର ଅର୍ଥ ଦାତା ଯିଏ ମଙ୍ଗଳ ପ୍ରଦାୟକ ସିଏ ହେଉଛନ୍ତି ଭଗଵାନ ଶିଵ

ଶିଵ ଶବ୍ଦର ଏହିଭଳି ଆହୁରି ଅନେକ ନିରୁକ୍ତି ଵ୍ୟାଖ୍ୟା ରହିଛି ଏଵଂ ଏ ଶବ୍ଦ ମଧ୍ୟରେ ଭଗଵାନ ଶିଵଙ୍କର ଯେଉଁ ମହିମା ଵର୍ଣ୍ଣନା କରାଯାଇଛି ତାହା ଆହୁରି ଗହନ ଅଟଇ । ଵସ୍ତୁତଃ ଶିଵ ମାତ୍ର ଏକ ଶବ୍ଦ ନୁହେଁ ଜଗତର ସମ୍ପୂର୍ଣ୍ଣ ଇତିହାସ ,ଵିଜ୍ଞାନ ସୃଷ୍ଟି ଓ ଅନ୍ତ ଏହି ଶବ୍ଦ ମଧ୍ୟରେ ସମାହିତ । କୁହାଯାଏ ନିରୁକ୍ତି ଵ୍ୟାଖ୍ୟାର ଆଦ୍ୟ ଉଦ୍ଭାଵକ ସଦାଶିଵ ପୁଣି ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କଦ୍ଵାରା ସଂସାରକୁ ପ୍ରାପ୍ତ ହୋଇଅଛି ।

“ଜୟ ସଦାଶିଵ ଜୟ ଦେଵ ଦେଵ
ଜୟ ଵିଶ୍ଵେଶ୍ଵର ପରମେଶ୍ଵର
ଏ ଅକିଞ୍ଚନର ତ୍ରୁଟି ଥିଲେ ପ୍ରଭୁ ତୁମ୍ଭେ କ୍ଷମା କର”

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...