Wednesday, May 19, 2021

ଆମ ସ୍ଵାଭିମାନର ଅନ୍ୟ ନାମ ଉତ୍କଳ

ଓଡ଼ିଶାର ମୁଖ୍ୟତଃ ଉଡ୍ରରାଷ୍ଟ୍ର,ଉତ୍କଳ ଓ କଳିଙ୍ଗ ଏହି ତିନୋଟି ନାମ ରହିଛି ଏଵଂ ତନ୍ମଧ୍ୟରେ ଉତ୍କଳ ଏକ ପୁରାଣ ପ୍ରସିଦ୍ଧ ନାମ ।  ଵିଭିନ୍ନ ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ଉତ୍କଳ ଶବ୍ଦଟି ଅନେକ ଅର୍ଥରେ ଵ୍ୟଵହୃତ ହୋଇଅଛି । ଭାରତରେ ସଂକଳିତ ବିଭିନ୍ନ ଶବ୍ଦକୋଷରେ ତତ୍ସମ ଉତ୍କଳ ଶବ୍ଦର ଯେଉଁ ଅର୍ଥ ସବୁ ଉଲ୍ଲେଖ କରାଯାଇଛି ତାହା ଏଠାରେ ପ୍ରଦତ୍ତ ହେଲା...

🔰ଉତ୍କଳ{ନିରୁକ୍ତି:—“ଉତ୍+କଳ+ଅଚ୍(ଅ)”}
     (ଵିଶେଷ୍ୟ)
(୧)ଭାରତର ଏକ ଜନପଦ ଵର୍ତ୍ତମାନର ଓଡ଼ିଶା ପ୍ରଦେଶ
(୨)ପଞ୍ଚଗୌଡ଼ ମଧ୍ୟରୁ ଏକ ଦେଶ
(୩)ଓଡ଼ିଆ ଭାଷାଭାଷୀ ଲୋକ
(୪)ଉତ୍କଳ ଭାଷା ଵା ଓଡ଼ିଆ ଭାଷା
(୫)ମନୁ ନନ୍ଦନ ସୁଦ୍ଯୁମ୍ନଙ୍କର ତିନି ପୁତ୍ର ମଧ୍ୟରେ ଜଣେ
(୬)ଧ୍ରୁଵଙ୍କର ଜ୍ଯୈଷ୍ଠପୁତ୍ର ଉତ୍କଳ
(୭)ଭାରବାହକ ବା ବେହେରୀ{ନି:—ଉତ୍କ+ଲା ଧାତୁ)
(୮)ଵ୍ୟାଧ ଵା ଶିକାରୀ
(୯)ପକ୍ଷୀମରା ଲୋକ
(୧୦)ପୁରାଣ ଵର୍ଣ୍ଣିତ ରାକ୍ଷସ ଵିଶେଷ
(୧୧) ବ୍ରାହ୍ମଣମାନଙ୍କର ଏକ ଶାଖା; ଉତ୍କଳୀୟ ବ୍ରାହ୍ମଣ

🔰ଉତ୍କଳ(ଵିଶେଷଣ)
୭)ଉତ୍କଣ୍ଠିତ
୮)ବଡ଼ପାଟିଆ

ଭାରତୀୟ ସାହିତ୍ୟରେ ଉତ୍କଳ ଶବ୍ଦ ନାନା ଅର୍ଥରେ ପ୍ରୟୋଗ ହେଉଅଛି ଏଵଂ ସେହି ଆଧାରରେ ଶବ୍ଦକୋଷଗୁଡି଼କରେ ପ୍ରୋକ୍ତ ଅର୍ଥ ସବୁ ଯୋଡା଼ଯାଇଅଛି । ଉତ୍କଳ ଦେଶ ପଞ୍ଚଗୌଡ଼ ମଧ୍ୟରୁ ଅନ୍ୟତମ । ସ୍କନ୍ଦପୁରାଣ ସହ୍ଯାଦ୍ରିଖଣ୍ଡ ମତରେ ପାଞ୍ଚଗୋଟି ଦେଶକୁ ପଞ୍ଚଗୌଡ଼ କୁହାଯାଉଥିଲା ଓ ଏଠାକାର ବ୍ରାହ୍ମଣଙ୍କୁ ପଞ୍ଚଗୌଡୀୟ କୁହାଯାଏ ।

🔅ସାରସ୍ବତ🔅କାନ୍ୟକୁବ୍ଜ🔅ଗୌଡ଼🔅ମୈଥିଳ🔅ଉତ୍କଳ ।
ସେଥିପାଇଁ କପିଳ ସଂହିତାରେ ରହିଛି ...

“ସାରସ୍ଵତାଃ କାନ୍ଯକୁବ୍ଜା ଉତ୍କଳାଃ ମୈଥିଳାଶ୍ଚ ଯେ
ଗୌଡାଶ୍ଚ ପଞ୍ଚମା ଚୈଵ ପଞ୍ଚଗୌଡା ପ୍ରକୀର୍ତ୍ତିତାଃ” ।।”

ଏମିତି କୌଣସି ପ୍ରାଚୀନ ଶାସ୍ତ୍ର ନଥିଵ ଯେଉଁଥିରେ ଓଡ଼ିଶାର କଥା ନଥିଵ ଆଉ ଓଡ଼ିଶା କଥା ଆସିଲେ ଏହାର ତିନିଗୋଟି ନାମ ଉଡ୍ରଦେଶ, କଳିଙ୍ଗ ଓ ଉତ୍କଳର  ସେସବୁ ଗ୍ରନ୍ଥରେ ନାମୋଲ୍ଲେଖ ମିଳିଵା ସ୍ଵାଭାଵିକ କଥା । ତେଣୁ ଶାସ୍ତ୍ରରେ ଓଡ଼ିଶା ଵିଷୟରେ ସୁନ୍ଦର ଭାବରେ କୁହାଯାଇଛି

“ଵର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ ,
ଉତ୍କଳସ୍ଯ ସମୋଦେଶଃ ଦେଶୋ ନାସ୍ତି ମହୀତଳ ।।”

ଯଥାର୍ଥରେ ଉତ୍କଳ ଦେଶ ସେତିକି ଶ୍ରେଷ୍ଠ ଥିଲା ଓ ଅଛି ଯୋଉଥିପାଇଁ ପୂର୍ଵେ ଉଡ୍ରମାନଙ୍କୁ ମ୍ଲେଛ ବୋଲି କହିଥିଵା ଶାସ୍ତ୍ରକାର ମାନଙ୍କୁ ସେହି ଉଡ୍ରମାନଙ୍କ ଦେଶକୁ ଶ୍ରେଷ୍ଠ କହିଵାକୁ ହୋଇଥିଲା ।

“କିରାତା ବର୍ବରା ସିଦ୍ଧା ଵିଦେହା ସ୍ତାମ୍ରଲିପ୍ତକାଃ
ଉଡ୍ରାଃ ମ୍ଲେଛ୍ଛାଃ ସସେରିନ୍ଧ୍ରାଃ ପାର୍ଵତୀୟାଶ୍ଚ ମାରିଷ ।।”

କିଛି ଲୋକ ଅଵଶ୍ୟ ଓଡ୍ର, କଳିଙ୍ଗ ଓ ଉତ୍କଳକୁ ଭିନ୍ନ ଭିନ୍ନ ଦେଶ ଵିଚାର କରିଥାଆନ୍ତି କିନ୍ତୁ ସଂସ୍କୃତି,ମାନଵଜାତି ଓ ଭାଷା ଦୃଷ୍ଟିରୁ ଏ ସମସ୍ତ ଦେଶର ଅଧିଵାସୀ କେବେ ବି ଭିନ୍ନ ନଥିଲେ । ସଂସ୍କୃତ ଶାସ୍ତ୍ର ଲେଖାଗଲାବେଳେ ଆମ ଦେଶର ଲୋକେ ପୂର୍ଵୀ ପ୍ରାକୃତ ଓ ପରେ ପାଲୀ ଭାଷୀ ଥିଲେ । ସେହିଭଳି ଓଡ଼ିଶାର ସଂସ୍କୃତିକୁ ଉତ୍କଳୀୟ ସଂସ୍କୃତି କୁହାଯାଏ । ସାହିତ୍ୟରେ ଉତ୍କଳ ଶବ୍ଦ ସୁନ୍ଦର ଲାଗେ ବୋଲି କଵି ଏ ଦେଶକୁ ଉତ୍କଳ ଵିଚାର କରି ଗାଇଛନ୍ତି

“ବନ୍ଦେ ଉତ୍କଳ ଜନନୀ !
ଚାରୁ ହାସମୟୀ
ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ”

ସେହିପରି ଯେତେବେଳେ ଆମ ଇତିହାସ କଥା ପଡ଼େ ଆମ ପ୍ରାଚୀନ ପୂର୍ଵଜଙ୍କ ଵୀରତ୍ଵ ଓ ନୌଵାଣିଜ୍ୟ କଥା ପଡ଼େ ମନ କର୍ଣ୍ଣରେ  ସ୍ଵତଃ ଝଙ୍କୃତ ହୁଏ “କଳିଙ୍ଗା ସାହସିକାଃ” ପଦ ।  ଆମ ଉଡ୍ର ଜାତିର ନାମରୁ ତ ପୁଣି ଆମ ଦେଶର ନାମ ଓଡ଼ିଶା ହୋଇଅଛି । ଏହି ତିନୋଟି ନାମ ତିନୋଟି ଭିନ୍ନ ଦେଶର ନୁହେଁ ଵରଂ ଏକ ଵିଶାଳ ଭୂଖଣ୍ଡର ତିନୋଟି ନାମ ଅଟଇ ।
ନିରୁକ୍ତି ଦୃଷ୍ଟିରୁ ଦେଖିଲେ ଉତ୍କଳ ଓ କଳିଙ୍ଗ ଏ ଉଭୟ ଶବ୍ଦ ମଧ୍ୟରେ “କଳ” ଶବ୍ଦ ରହିଛି । “କଳା ଭାସ୍କର୍ଯ୍ୟ ଓ ପ୍ରତିଭା ଯାହାର ଅଙ୍ଗେ ଅଙ୍ଗେ ରହିଛି ସେ କଳିଙ୍ଗ” ଆଉ “ଉତ୍କୃଷ୍ଟ କଳାର ଦେଶ ଯେଉଁ ଦେଶ ସେ ଦେଶର ନାମ ଉତ୍କଳ” ଏ ଉଭୟ ନାମ ମଧ୍ୟରେ ଭିନ୍ନତା ନୁହେଁ ଵରଂ ସମାନତା ହିଁ ଦୃଶ୍ୟ ହୋଇଥାଏ । ସେହିପରି ସଂସ୍କୃତ ଶବ୍ଦ ନିରୁକ୍ତି ପରିଵର୍ତ୍ତେ ଜନଜାତୀୟ ଶବ୍ଦଗୁଡ଼ିକ ଆଧାରରେ ମଧ୍ୟ ଉଡ୍ର, ଉତ୍କଳ ଓ କଳିଙ୍ଗ ଶବ୍ଦ ସମ୍ବନ୍ଧରେ ଆଲୋଚନା କରି ଦେଖିଲେ ଅନେକ ସମାନତା ମିଳେ ।  ଓଡ଼ିଶାର ଚଷା ଜାତିକୁ ଵିଭିନ୍ନ ନାମରେ ନାମିତ କରାଯାଇଥିଲା ।

ଦ୍ରାଵିଡ଼ଭାଷାରେ ଚଷାକୁ 'ଓକ୍କଳ' କହନ୍ତି ତେଣୁ ଦ୍ରାଵିଡ଼ ଗୋଷ୍ଠୀର କିଛି ଲୋକ ପାହାଡ଼ରୁ ଓହ୍ଲେଇ ପ୍ରଥମେ ସ୍ଥଳଭାଗରେ ଚାଷକରୁଥିଵା ଲୋକଙ୍କୁ ଉକ୍କଳୀ ଅଭିହିତ କରିଥିଵେ ।

କାନେରି ଭାଷାରେ ଚଷାକୁ 'ଓଡିଶୁ' କହନ୍ତି ପୁଣି ମୂଳ ଦ୍ରାଵିଡ଼ ଧାତୁଶବ୍ଦ "ଓଡ଼"ର ଅର୍ଥ ଚାଷ କରିଵା । କେତେକ ଅଞ୍ଚଳରେ ଦ୍ରାଵିଡ଼ ଲୋକେ ପ୍ରଥମ ସମତଳଭୂମି ଚାଷୀଙ୍କୁ ଓଡ଼ କହିଥିଵେ ।

ସେହି ଦ୍ରାଵିଡ଼ ଭାଷାପରିଵାରର କୁଈଭାଷାରେ ଧାନକୁ ଆଜି ବି 'କୁଳିଙ୍ଗ' କୁହାଯାଉଛି । ତେଣୁ ସମ୍ଭଵତଃ ପ୍ରଥମ ସମତଳଭୂମି ଚାଷୀଙ୍କୁ ଧାନ୍ୟର ଆଦ୍ୟ କୃଷକ ହୋଇଥିଵାରୁ 'କଳିଙ୍ଗ ' କୁହାଯାଉଥିଲା । କୁଭି ଭାଷାରେ ଧାନର ଚଷୁକୁ କୁଲିଙ୍ଗା କୁହାଯାଏ ଆଉ ଧାନକୁ କୁଲି । ଆଜି ବି ଗଞ୍ଜାମ ଜିଲ୍ଲାରେ ଏକ ଚଷାଜାତିକୁ କାଳିଞ୍ଜୀ କୁହାଯାଏ ଏଵଂ କ୍ରମେ ତେଲୁଗୁଭାଷୀ ହୋଇଯାଇଥିଵା ଏହି ଜାତିର ଆନ୍ଧ୍ରଭାଷୀ କାଳିଙ୍ଗୀ ଚଷା ମଧ୍ୟ ଅଛନ୍ତି ।

ବୋଧହୁଏ ଓଡ଼ିଶାରେ ଶାନ୍ତି ସମୟରେ ଚଷା ଓ ଯୁଦ୍ଧ ସମୟରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଵା ପାଇକ-ଚଷା ଜାତିମାନଙ୍କୁ  ତିନୋଟି ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା । ପରେ ଯେତେଵେଳେ ଭାରତରେ ସବୁ ପ୍ରାକୃତ ଭାଷାଗୁଡି଼କର ମାନକୀକରଣରୁ ସଂସ୍କୃତ ଭାଷା ସୃଷ୍ଟି ହେଲା ସେତେଵେଳେ ପୁରାଣଗ୍ରନ୍ଥ ରଚନା ସମୟରେ ଓଡ଼ିଶାର ସଂଖ୍ଯାଗରିଷ୍ଠ ଚଷାଜାତି ସେହି ଉଡ୍ରମାନଙ୍କର ତିନିଗୋଟି ନାମକୁ ଗ୍ରହଣ କରିନେଇ ଉଡ୍ର,ଉଡ୍ରରାଷ୍ଟ୍ର,କଳିଙ୍ଗ ଓ ଉତ୍କଳ ଆଦି ନାମ ରଖାଯାଇଥିଵା ସମ୍ଭଵ ।

ଓଡ଼ିଶାର ଅନେକ ଲୋକ ଅଛନ୍ତି କୁହନ୍ତି ପ୍ରାଚୀନ ଓଡି଼ଆ ଗ୍ରନ୍ଥଗୁଡି଼କରେ ଓଡି଼ଶାକୁ କେଉଁଠି ବି ଉତ୍କଳ କୁହାଯାଇ ନାହିଁ । ପ୍ରକୃତରେ ସେମାନେ ଓଡ଼ିଆ ସାହିତ୍ୟକୁ ଠିକ୍'ରେ ପାଠ ହିଁ କରିନାହାନ୍ତି । କେଵଳ ଓଡ଼ିଆ ଭାଷା କ'ଣ ଆମ ଦେଶର ଅନେକ ଭାଷାର ପ୍ରାଚୀନ ସାହିତ୍ୟରେ ଆମ୍ଭର ଏହି ଓଡ଼ିଶାକୁ କଳିଙ୍ଗ,ଉଡ୍ରରାଷ୍ଟ୍ର ତଥା ଉତ୍କଳ କୁହାଯାଇଛି ।

ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗଵତରେ ଦ୍ଵାଦଶ ସ୍କନ୍ଧର ନଵମ ଅଧ୍ଯାୟରେ ଜଗନ୍ନାଥ ଦାସ ଓଡ଼ିଶାକୁ ଉତ୍କଳ ଅଭିହିତ କରିଵା ସହ ପୁରୁଷୋତ୍ତମ ପୁରୀ କ୍ଷେତ୍ରର ମଧ୍ୟ ଵର୍ଣ୍ଣନା କରିଅଛନ୍ତି ।

"ଵିଷ୍ଣୁର ମାୟାମୋହେ ପୁଣି । ଭାସନ୍ତି ମାରକଣ୍ଡ ମୁନି ।।୬୯।।
ଵିଷ୍ଣୁମାୟାରେ ଏକଦିନେ । ଭାସି ଲାଗିଲେ ଉଚ୍ଚସ୍ଥାନେ ।।୭ ୦।।
ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପ । ନଵଖଣ୍ଡରେ ସେ ସଂକ୍ଷେପ ।।୭୧।।
ଭାରତଵରଷ ମଧ୍ୟରେ । ଆର୍ଯ୍ୟାଵର୍ତ୍ତ ନାମ ବିସ୍ତାରେ ।।୭୨।।
ଉତ୍କଳ ନାମକ ଦେଶରେ । ଆର୍ଯ୍ୟାଵର୍ତ୍ତ ଅଗ୍ନିକୋଣରେ ।।୭୩।।
ଦକ୍ଷିଣ ମହୋଦଧି ତଟ । ସମୁଦ୍ର ଉତ୍ତରେ ପ୍ରକଟ ।।୭୪।।
ନାମ ଯା' ଶ୍ରୀପୁରୁଷୋତ୍ତମ । ସକଳ କ୍ଷେତ୍ର ଯହୁଁ ଜନ୍ମ ।।୭୫।।
ନୀଳାଚଳ ଗିରି ଶିଖରେ । ଅକ୍ଷୟ କଳ୍ପଵଟ ପରେ ।।୭୬।।
କ୍ଷେତ୍ରଵଟ ସମେତ ହୋଇ । ପ୍ରଳୟ ଜଳରେ ଭାସଇ ।।୭୭।।
ପବନ ବଳରେ ନ ଚଳେ । ସଳଖେ ଜନଲୋକେ ମିଳେ ।।୭୮।।
ପଞ୍ଚକୋଶ ଵିସ୍ତାର ହୋଇ । ବେଢିଣ ଜ୍ୟୋତିର୍ମୟ ଦେହୀ ।।୭୯।।
ଜଳ ଉପରେ ତା ପଲ୍ଲଵ । ଫଳ ପଲ୍ଲଵେ ଶୋଭା ଦିଵ୍ୟ ।।୮୦।।
ସେ ଯେଉଁ ଵୃକ୍ଷ ତିନିଡ଼ାଳ । ପୂର୍ଵ ଐଶାନ୍ୟ ଯେ ଉତ୍ତର ।।୮୧।।
ପୂର୍ଵ ଉତ୍ତର ମଧ୍ୟେ ଶାଖା । ଐଶାନ୍ୟ ଡ଼ାଳ ମଧ୍ୟେ ଦେଖା ।।୮୨।।
ନଵ ପଲ୍ଲଵ ଵଟପୁଟେ । ଏକ ପୁରୁଷ ଜଵାଙ୍ଗୁଷ୍ଠେ ।।୮୩।।
ସେ ଵଟପୁଟରେ ଶୟନ । ମାର୍କଣ୍ଡ କଲେ ତା' ଦର୍ଶନ ।।୮୪ ।।”

ସେହିପରି ସାରଳା ମହାଭାରତରେ ମଧ୍ୟ ଓଡ଼ିଶା ଦେଶକୁ ସାରଳା ଦାସ ଉତ୍କଳ ଵିଵେଚିତ କରିଛନ୍ତି ଏଵଂ ଏ ଦେଶରେ ପଵିତ୍ର ଓ ପୁରାଣ ପ୍ରସିଦ୍ଧ ଵୈତରଣୀ ନଦୀ ପ୍ରଵାହିତ ହୋଇଥିଵା ମଧ୍ୟ ଉଲ୍ଲେଖ କରିଅଛନ୍ତି ।

“ବାବନ ସମ୍ବାଦ କରଇ ଅମୃତରସ ଵାଣୀ’
ଉତ୍କଳ ଦେଶେ ବହଇ ନଦୀ ଵୈତରଣୀ ।।
ଵାରାହୀ ବୋଲି କରି ଅଟଇ ୟେକଇ ଶାସନେ
ମନୋହର ନଗ୍ର ଚଇତନ ପାଟଣା ସନ୍ନିଧାନେ ।।
ନିରାକୁଳ ଵଂଶୀ ଆମ୍ଭେ ଜଳଧର ଗୋତ୍ରୀ
ନାମ ଆମ୍ଭର ବାବନ ପଣ୍ଡା ଶୂନ୍ୟସାଧନ ମୂରତି ।।”

ସେହି ଉତ୍କଳ ଦେଶର ଲୋକଙ୍କୁ ମଧ୍ୟ ସଂସ୍କୃତରେ ଉତ୍କଳ,ଔତ୍କଳ ଓ ଆମ ଓଡି଼ଆ ଭାଷାରେ ଉତ୍କଳୀ, ଉତ୍କଳୀୟ ତଥା ଉତ୍କଳଭାଷୀ ଆଦି ବୋଲାଯାଇଥାଏ । ଓଡ଼ିଆ ବ୍ରାହ୍ମଣ ଵା ଓଡ଼ିଶା ଦେଶର ବ୍ରାହ୍ମଣମାନଙ୍କୁ ଏହି ଆଧାରରେ ଉତ୍କଳୀୟ ବ୍ରାହ୍ମଣ ଏଵଂ ସଂସ୍କୃତ ଗ୍ରନ୍ଥରେ କେଵଳ ଉତ୍କଳ କୁହା ହୋଇଅଛି । ତେବେ ଓଡ଼ିଆ ସଂସ୍କୃତ ଛଡ଼ା ବଙ୍ଗଳା ସାହିତ୍ୟରେ ସୁଦ୍ଧା ଓଡ଼ିଆ ଭାଷାକୁ ଉତ୍କଳ ଭାଷା ବୋଲାଯାଇଥିଵା ଦୃଷ୍ଟିଗୋଚର ହୁଏ ।

ଓଡ଼ିଆ ଭାଗଵତ ରଚନାର ୧୫୮ ଵର୍ଷ ପରେ ଅର୍ଥାତ୍ ୧୬୫୮ ମସିହାରେ ସନାତନ ଚକ୍ରଵର୍ତ୍ତୀ ବଙ୍ଗଳାରେ ଭାଗଵତ ରଚନା କରି ମଧ୍ଯ ଏହି ଦୂରୁହ କାର୍ଯ୍ୟରେ ସଫଳ ହୋଇ ନପାରି ଵିଶେଷ କରି ଦଶମ ସ୍କନ୍ଦ ଭାଗଵତ ରଚନା ବେଳକୁ ନିଜର ଅକ୍ଷମତା ପ୍ରକାଶ କରି ଓଡ଼ିଆ ଭାଗଵତର ଆଶ୍ରୟ ଗ୍ରହଣ କରିଥିଲେ । ନିଜେ ସନାତନ ଚକ୍ରବର୍ତ୍ତୀ ଏ କଥା ସ୍ୱୀକାର କରି କହିଛନ୍ତି

"ଶୁନ ଶୁନ ଶ୍ରୋତାଗନ କରି  ନିବେଦନ,
ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।
ଦଶମର ଶେଷ ଖଣ୍ଡ ଭାଷା ନ ପାଇଲ,
ଅନେକ ପାଶି ଗ୍ରାମେ ଗ୍ରାମେ ବେଡାଇଲ।
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ,
ଜଗନ୍ନାଥ ଦାସ କୃତ ଅପୂର୍ଵ ଵର୍ଣ୍ଣନ ।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା,
ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା।
ଇଥେ ସାଧୁ ଜନ ମୋର ଦୋଷ ନ ଲାଇବେ,
ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ।"

ପ୍ରୋକ୍ତ ପଦଗୁଡି଼କ ମଧ୍ୟରେ ବଙ୍ଗଳାର ପ୍ରାଚୀନ ସାହିତ୍ୟିକ ସନାତନ ଚକ୍ରଵର୍ତ୍ତୀ “ଉତ୍କଳ ଭାଷା କରିଲ ଲିଖନ” ଓ “ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା” ଆଦି ପଦ ମଧ୍ୟରେ ଓଡ଼ିଆ ଭାଷାକୁ ଉତ୍କଳ ଭାଵେ ଅଭିହିତ କରିଅଛନ୍ତି ।‌

ପୁଣି ପୁରାଣରେ ଧ୍ରୁଵଙ୍କର ଏକ ପୁତ୍ରର ନାମ  ଉତ୍କଳ  ବୋଲି ଉଲ୍ଲେଖ କରାଯାଇଛି ।  ଉଦାହରଣ ସ୍ଵରୂପ ଓଡ଼ିଆ ଭାଗଵତ ଚତୁର୍ଥ ସ୍କନ୍ଧ ପଞ୍ଚଦଶ ଅଧ୍ଯାୟରେ ଧ୍ରୁଵଙ୍କ ଜ୍ୟୈଷ୍ଠପୁତ୍ର ଉତ୍କଳ ବୋଲି ଲେଖାଥିଵା ଦେଖାଯାଏ ।

“ତୁ ଯେ ପ୍ରାର୍ଥନା କଲୁ ମୋତେ ।
ଶୁଣ ବିଦୁର କହୁ ତୋତେ ।। ୧୨
ଧ୍ରୁଵର ପୁତ୍ର ଗୁଣଧାମ ।
ଜ୍ୟେଷ୍ଠ ଉତ୍କଳ ତାର ନାମ ।। ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ ।
ଧ୍ରୁଵ ଯେ ଗଲା ଵନେ ତପେ ।। ୧୪”

ସଂସ୍କୃତ ଭାଗଵତରେ ଧ୍ରୁଵଙ୍କ ଚରିତ ଥିଵାରୁ ତାହା ଓଡ଼ିଆ ଭାଗଵତରେ ମଧ୍ୟ ସ୍ଥାନ ପାଇଛି । ସଂସ୍କୃତ ଭାଗଵତରେ ମଧ୍ୟ ଧ୍ରୁଵପୁତ୍ର ଉତ୍କଳଙ୍କ ନାମ ରହିଛି ।

“ପ୍ରଜାପତେର୍ଦୁହିତରଂ ଶିଶୁମାରସ୍ଯ ଵୈ ଧ୍ରଵଃ।
ଉପୟେମେ ଭ୍ରମିଂ ନାମ ତତ୍ସୁତୌ କଳ୍ପଵତ୍ସରୌ।। ଇଡାୟାମପିଭାର୍ଯ୍ଯାୟାଂ ଵାୟୋଃ ପୁତ୍ର୍ଯାଂ ମହାବଳଃ !। ପୁତ୍ରମୁତ୍ଫଳନାମାନଂଯୋଷିଦ୍ରତ୍ନଭଜୀଜନତ୍ ।।”

ପୁନଶ୍ଚ ଓଡ଼ିଆ ଭାଗଵତରେ ନଵମ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ମଧ୍ୟ ଉତ୍କଳ ନାମକ ଜଣେ ରାଜପୁତ୍ରର କଥା ରହିଛି । କିନ୍ତୁ ନଵମ ସ୍କନ୍ଧରେ ଥିଵା ଭାଗଵତର କଥନକ ଅନୁସାରେ ଏ ଉତ୍କଳ ଧ୍ରୁଵପୁତ୍ର ଉତ୍କଳ ନୁହନ୍ତି ଵରଂ ସେ ମନୁନନ୍ଦନ ସୁଦ୍ୟୁମ୍ନଙ୍କର ଜନୈକ ପୁତ୍ର ତଥା ଦକ୍ଷିଣପଥର ଶାସକ ଥିଲେ ।

ଓଡ଼ିଆ ଭାଗଵତ ଅନୁସାରେ ମନୁନ୍ଦନନ ସୁଦ୍ୟୁମ୍ନ ପ୍ରଥମେ ଯଜ୍ଞଦ୍ଵାରା ମନୁଙ୍କର ଇଳା ନାମ୍ନୀ କନ୍ୟା ରୂପେ ଉଦ୍ଭଵ ହୋଇଥିଲେ । ମନୁଙ୍କର ପତ୍ନୀ କନ୍ୟାରତ୍ନଟିଏ ଚାହୁଁଥିଲେ ତେଣୁ ସେ ହୋତାମାନଙ୍କୁ କନ୍ୟାରତ୍ନ ହେତୁକ ଯଜ୍ଞ କରିଵାକୁ ପ୍ରଵର୍ତ୍ତାଇଲେ । ଫଳତଃ ଯଜ୍ଞକୁଣ୍ଡରୁ ଇଳା ନାମ୍ନୀ କନ୍ୟା ଜାତ ହେଲା ।

“ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥୫୪।।
ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥୫୫।।”

ମାତ୍ର ମନୁ ପରେ ଵଶିଷ୍ଠ ଋଷିଙ୍କ ଦ୍ଵାରା ଶ୍ରୀଵିଷ୍ଣୁଙ୍କୁ ଯଜ୍ଞରେ ସନ୍ତୁଷ୍ଟ କରାଇ ଉକ୍ତ ଇଳା ନାମ୍ନୀ କନ୍ୟାକୁ ପୁରୁଷ କରାଇଦେଲେ । ଉକ୍ତ ମନୁପୁତ୍ରର ନାମ ସୁଦ୍ୟୁମ୍ନ ରଖାଗଲା । ଥରେ ସଦାଶିଵଙ୍କଦ୍ଵାରା ଶାପିତ ଏକ ଜଙ୍ଗଲ ମଧ୍ୟରେ ପ୍ରଵେଶ ହେଵାରୁ ସୁଦ୍ଯୁମ୍ନ ପୁନଃ ନାରୀ ରୂପ ଲଭିଲେ ।

“ଅଶ୍ଵ ସହିତେ ସର୍ଵ ଜନେ । ତକ୍ଷଣେ ସୁକୁମାର ଵନେ ॥୮୭।।
ସର୍ଵେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥୮୮।।”

ସୁଦ୍ୟୁମ୍ନ ପୁନଃ ଇଳା ନାମ୍ନୀ ନାରୀ ହେଵାରୁ ଉକ୍ତ ଵନ ଛାଡ଼ି ଅନ୍ୟ ଏକ ଵନକୁ ଚାଲିଗଲେ । ସେ ଵନରେ ଚନ୍ଦ୍ରସୁତ ବୁଧ ତପସ୍ୟା କରୁଥିଲେ । ଇଳାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ସେ ତାଙ୍କ ସହ  ବଳାତ୍ ସମ୍ପର୍କ ସାଧିଲେ ଫଳରେ ଏକ ପୁତ୍ର ଜାତ ହେଲା ତାହାର ନାମ ପୁରରଵା ରଖାଗଲା ।

“ତାହାଙ୍କ ମଧ୍ୟେ ଇଳା ଦେଖି ।
ସେ ବୁଧ ତପସ୍ୟା ଉପେକ୍ଷି ॥୧୧୭।।
ମନ କଳ୍ପିଲା କାମଭୋଳେ ।
ତକ୍ଷଣେ ଧରି ତା'କୁ କୋଳେ ॥୧୧୮।।
ବଳେ ରମିଲା ଚନ୍ଦ୍ରସୁତ ।
ତକ୍ଷଣେ ହେଲା ପୁତ୍ର ଜାତ ॥୧୧୯।।
ତାହାକୁ ଦେଖି ଗୁଣଧାମ ।
ଦେଲେ ସେ ପୁରୁରଵା ନାମ ॥୧୨୦।।”

ଵଶିଷ୍ଠ ଋଷିଙ୍କୁ ଭେଟି ଇଳା ତାଙ୍କର ସମସ୍ତ ଦୁଃଖ ଜଣାଇଲେ । ଋଷି ଦୟା ବହି ସଦାଶିଵଙ୍କର ଘୋର ତପସ୍ୟା କଲେ । ପ୍ରଭୁ ସନ୍ତୁଷ୍ଟ ହୋଇ ଋଷିଙ୍କୁ ଆଶିର୍ଵାଦ ଓ ଵର ଦେଲେ ଯେ ଏହି ଵ୍ୟକ୍ତି ମାସେ ଇଳା ନାମକ ନାରୀ ଏଵଂ ଆନ ମାସରେ ସୁଦ୍ୟୁମ୍ନ ନାମକ ପୁରୁଷ ହୋଇ ରହିଵ ।

“ମାସେ ଏ ହୋଇଵ କାମିନୀ ।
ପୂର୍ଵେ ଵିଷ୍ଣୁର ଵାକ୍ୟ ଘେନି ॥୧୨୯।।
ମାସେ ଏ ପୁରୁଷ ହୋଇଵ ।
ଜୀଵନ୍ତେ ଯେତେକାଳ ଥିଵ ॥୧୩୦।।

ସେହି ସୁଦ୍ୟୁମ୍ନ ଵା ଇଳାଙ୍କର ପରେ ତିନିପୁତ୍ର ଜାତ ହେଲେ । ଗୟ , ଉତ୍କଳ ଓ ଵିମଳ । ଏ ତିନି ରାଜା ଦକ୍ଷିଣପଥର ଶାସକ ଥିଲେ ବୋଲି ପୁରାଣରେ ଵର୍ଣ୍ଣିତ ହୋଇଛି । ଭାଗଵତରେ ମଧ୍ୟ ଏକଥା ଏମନ୍ତ କୁହାଯାଇଛି ।

“ତା'ର ହୋଇଲେ ତିନିସୁତ ।
ଶୁଣ ରାଜନ ପରୀକ୍ଷିତ ॥୧୩୫।।
ଗୟ ଉତ୍କଳ ପୁତ୍ରଵେନି ।
ଵିମଳ ନାମେ ହୋଏ ତିନି ॥୧୩୬।।
ଦକ୍ଷିଣ ପଥେ ତିନି ରାଜା ।
ଧର୍ମେ ପାଳନ୍ତି ଜନପ୍ରଜା ॥୧୩୭।।”

ହରିଵଂଶପୁରାଣ ଅନୁସାରେ ସୁଦ୍ୟୁମ୍ନଙ୍କ ପୁତ୍ର ଉତ୍କଳ ପୂର୍ଵଭାଗର ଉତ୍କଳ ଦେଶର ଶାସକ ହେଲେ ସମ୍ଭଵତଃ ତାଙ୍କ ନାମାନୁସାରେ ଉତ୍କଳ ଦେଶର ନାମ ହେଲା ବୋଲି ପରୋକ୍ଷରେ କୁହାଯାଇଛି । ଗୟ ମଧ୍ୟ ଗୟାପୁରର ଶାସକ ହେଲେ ଏଵଂ ଓଡ଼ିଆ ଭାଗଵତରେ ଯାହାଙ୍କୁ ଵିମଳ କୁହାଯାଇଛି ତାଙ୍କୁ ହରିଵଂଶପୁରାଣରେ ଵିନତାଶ୍ଵ ବୋଲି ଉଲ୍ଲେଖ କରାଯାଇଛି । ଏହି ଗ୍ରନ୍ଥ ଅନୁଯାଇ ସେ ପଶ୍ଚିମ ଅଞ୍ଚଳର ଶାସକ ହେଲେ ।

“ସୁଦ୍ଯୁମ୍ନସ୍ଯ ଚ ଦାୟାଦାସ୍ତ୍ରୟଃ ପରମଧାର୍ମିକାଃ। ଉତ୍କଳଶ୍ଚଗୟଶ୍ଚୈଵ ଵିନତାଶ୍ଵଶ୍ଚ ଭାରତ!।।
ଉତ୍କଳସ୍ଯୋତ୍କଳା ରାଜନ୍! ଵିନତାଶ୍ଵସ୍ଯ ପଶ୍ଚିମା।
ଦିକ୍ ପୂର୍ଵ୍ଵା ଭରତଶ୍ରେଷ୍ଠ ଗୟସ୍ଯ ତୁ ଗୟପୁରୋ ।।”

ସଂସ୍କୃତ ଵାଚସ୍ପତ୍ୟ,ଶବ୍ଦ କଳ୍ପଦ୍ରୁମ,ବଙ୍ଗାଳୀ ଵିଶ୍ବକୋଷ ଓ ସଂସ୍କୃତ ଶବ୍ଦମାଳା ଆଦି କିଛି ଅଭିଧାନରେ ଉତ୍କଳ ଶବ୍ଦର ଏକ ଅର୍ଥ ଭାରବାହକ ବା ବେହେରୀ ଉଲ୍ଲେଖ ଥିଵା ଦେଖାଯାଏ । ଏହି ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡ଼ିଵାରୁ ଶ୍ରୀପ୍ରହରାଜଙ୍କୁ ତତ୍କାଳୀନ ଓଡ଼ିଶାର ଅନେକ ବୁଦ୍ଧିଜୀଵୀଙ୍କଠାରୁ ନାନା ନିନ୍ଦା ଅପମାନସୂଚକ କଥା ଶୁଣିଵାକୁ ପଡି଼ଥିଲା । ସେ ସମୟରେ ଓଡ଼ିଆ ସାହିତ୍ୟ ସମାଜ ନୂତନ ଓ ପୁରାତନ ସାହିତ୍ୟ ଆଧାରରେ ଦୁଇଗୋଟି ଗୋଷ୍ଠୀରେ ଵିଭକ୍ତ ହୋଇଥିଲା । ଏହାକୁ ଵିଜୁଳି ଇନ୍ଦ୍ରଧନୁ ଵିଵାଦ ଵା କଳି କୁହାଯାଏ । ଅଦ୍ୟପି ଜଣେ ଶବ୍ଦ ସଂଗ୍ରାହକ ଭାବେ ଵିଭିନ୍ନ ଶବ୍ଦକୋଷ ତଥା ଅଞ୍ଚଳରୁ ଶବ୍ଦ ସଂଗ୍ରହ କରିଵା ଶ୍ରୀପ୍ରହରାଜଙ୍କର କର୍ତ୍ତଵ୍ଯ କର୍ମ ଥିଲା ଅତଃ ଶବ୍ଦମାଳା ଓ ଵିଶ୍ଵକୋଷ ଆଦିରେ ଥିଵା ଉତ୍କଳ ଶବ୍ଦର ଭାରଵାହକ ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡି଼ ସେ କୌଣସି ଭୁଲ୍ କରିନାହାନ୍ତି ଵରଂ ସେ ଯାହା ଲେଖାଥିଲା ତାକୁ ହିଁ ଯୋଡି଼ଅଛନ୍ତି ।

ମାତ୍ର ଉତ୍କଳ ଶବ୍ଦର ଏଇ ଗୋଟିଏ ନୁହେଁ ଆହୁରି ଦୁଇ ତିନୋଟି ନକାରାତ୍ମକ ଅର୍ଥ ମଧ୍ୟ ରହିଛି ଏଵଂ ସେ ସମସ୍ତ ଅର୍ଥରେ ଉତ୍କଳ ଶବ୍ଦର ପ୍ରୟୋଗ ଗ୍ରନ୍ଥାଦିରେ ମଧ୍ୟ ହୋଇଅଛି । କେତେକ ଅଭିଧାନରେ ଉତ୍କଳ ଶବ୍ଦର ଵ୍ୟାଧ ଵା ଶିକାରୀ ଓ ପକ୍ଷୀମରା ଲୋକ ଅର୍ଥ ଯୋଡା଼ଯାଇଥିଵା ଦେଖାଯାଏ ପୁଣି କେତେକ ପୁରାଣରେ ବଳୀ ଇନ୍ଦ୍ର ଯୁଦ୍ଧ ସମୟରେ ଉତ୍କଳ ନାମକ ଏକ ରାକ୍ଷସର ମଧ୍ୟ ଉଲ୍ଲେଖ କରାଯାଇଛି । ଆମ ଓଡି଼ଆ ଭାଗଵତରେ ମଧ୍ୟ ଏହି ଅର୍ଥରେ ଉତ୍କଳ ଶବ୍ଦର ଦୁଇ ଦୁଇ ଥର ଵ୍ୟଵହାର ହୋଇଥିଵା ଦୃଶ୍ୟହୁଏ ।

ଓଡ଼ିଆ ଭାଗଵତରେ ଷଷ୍ଠ ସ୍କନ୍ଧର  ଦଶମ ଅଧ୍ଯାୟରେ  ଅନେକ ରାକ୍ଷସଙ୍କ ନାମୋଲ୍ଲେଖ ମଧ୍ୟରେ ଉତ୍କଳର ନାମ ମଧ୍ୟ ଉଲ୍ଲେଖ କରାଯାଇଛି ।

“ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ଵା ଋଷଭ-ଅସୁର ।। ୪୩।।
ହୟଗ୍ରୀଵ ଯେ ଵିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ।। ୪୪।।
ଶଙ୍କୁଶିରା ଯେ ଵୃଷପର୍ଵ । ଉତ୍କଳ ପୁଲୋମା-ଦାନଵ ।। ୪୫।।
ଦାନଵ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ।। ୪୬।।”

ସେହିମତେ ଓଡ଼ିଆ ଭାଗଵତର ଅଷ୍ଟମ ସ୍କନ୍ଧସ୍ଥ ଦଶମ ଅଧ୍ଯାୟରେ ମଧ୍ୟ କେତେକ ଅସୁରଙ୍କ ନାଆଁ ମଧ୍ୟରେ ଉତ୍କଳର ନାମ ଥିଵା ଦେଖାଯାଏ ।

“ହୟଗ୍ରୀଵ ଯେ ଶଙ୍କୁଶିରା ।
କପିଳ ନାମେ ମହାଵୀରା । ।୫୨।।
ଜୀମୂତ ଦୁନ୍ଦୁଭି ଅଦ୍ଭୁତ ।
ତାରକା ପୁଣି ଚକ୍ରଜିତ । ।୫୩।।
ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ ।
ଅରିଷ୍ଟନେମି ପୁଣି ଜମ୍ଭ । ।୫୪।।
ତ୍ରିପୁରାଧିପ ଯେଉଁ ମୟ ।
ପୌଲମ ଅରିଷ୍ଟ କାଳେୟ । ।୫୫।।”

କେଵଳ ଯେ ଉତ୍କଳ ଶବ୍ଦର ଵିଶେଷ୍ୟ ଵ୍ୟଵହାର ରହିଛି ତାହା ନୁହେଁ ସାହିତ୍ୟକାରମାନେ ଉତ୍କଳ ଶବ୍ଦକୁ ଏକ ଵିଶେଷଣ ଶବ୍ଦ ଭାବେ ଉତ୍କଣ୍ଠିତ ଓ ବଡ଼ପାଟିଆ ଅର୍ଥରେ ମଧ୍ୟ ପ୍ରୟୋଗ କରିଛନ୍ତି ।

ପ୍ରେମ ସୁଧାନିଧିରେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉତ୍କଣ୍ଠିତ ଅର୍ଥରେ ଉତ୍କଳ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି...
“ଉତ୍କଳ ଉତ୍କଳ ରାମା ବିରହେ ହେଲେ।”

କିନ୍ତୁ ଆମ ଓଡ଼ିଶା ଵା କଳିଙ୍ଗଦେଶର ଏହି ଉତ୍କଳ ନାମ କ'ଣ ସତରେ ଏକ ଯଥାର୍ଥ ନାମ ଅଟଇ ? କ'ଣ ଏହା ଆମ ଦେଶର  ଏକ ଵୈଜ୍ଞାନିକ ନାମକରଣ ଅଟେ? ଏହି ନାମ କି ଆମ ମହାନ କଳିଙ୍ଗ ଦେଶକୁ ଯଥାର୍ଥ ପରିଭାଷିତ କରିପାରେ ?

ତତ୍ସମ ‘ଉତ୍କଳ’ ଶବ୍ଦର ସଂସ୍କୃତ ନିରୁକ୍ତି ଵ୍ୟାଖ୍ୟା ଵିଶ୍ଲେଷଣରୁ ଉତ୍କଳ ଶବ୍ଦ କୌଣସି  ଅଞ୍ଚଳ ଵା  ଦେଶ ପାଇଁ ଗୋଟିଏ ସୁନ୍ଦର ଓ ଶ୍ରେଷ୍ଠତମ ନାମ ବୋଲି ଜଣାପଡି଼ଥାଏ । ଵିଶେଷତଃ କଳା ସଂସ୍କୃତି ସ୍ଥାପତ୍ୟ ଭାଷା ନୃତ୍ୟଠାରୁ ସଂସ୍କୃତି ଯାଏଁ ସବୁ କଥାରେ ଅଗ୍ରଣୀ ଥିଵା କଳିଙ୍ଗ ଵା ଉଡ୍ରଦେଶର ନାମ ଭାଵେ ଏହା ସର୍ଵୋତ୍ତମ ଅଟଇ ।

ଅଧିକାଂଶ ଅଭିଧାନରେ ଉତ୍ ଉପସର୍ଗ ସହ କଳ ଶବ୍ଦ ଓ  ଅଚ୍(ଅ) ପରପ୍ରତ୍ୟୟ ଯୁକ୍ତ ହୋଇ ଉତ୍କଳ ଶବ୍ଦ ନିଷ୍ପନ୍ନ ହୋଇଅଛି ବୋଲି ଉଲ୍ଲେଖ କରାଯାଇଛି ।

ଆମ୍ଭେମାନେ ଜାଣନ୍ତି ଯେ ଉତ୍ ଏକ ଉପସର୍ଗ (ଉ+କ୍ବିପ୍)
ଏଵଂ ଏହି ଉପସର୍ଗଟି ଊର୍ଦ୍ଧ୍ଵେ,ସମ୍ୟକ ଭାବେ,ଇତସ୍ତତଃ,ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି ଅର୍ଥରେ ଅନ୍ୟ ଶବ୍ଦ ପୂର୍ଵରୁ ଲାଗିଥାଏ । ସେହିପରି କଳ ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରଯୁକ୍ତ ହୋଇଥାଏ ।

୧.ଅତ୍ୟନ୍ତ ମଧୁର ଧ୍ବନୀ,
୨.ଭ୍ରମର ଆଦିର ଗୁଞ୍ଜନ,
୩.ଶାଳବୃକ୍ଷ,
୪.ଶୁକ୍ର,
୫.ଅଙ୍କୁର,
ଗଜା,
୬.ଅଜୀର୍ଣ୍ଣ,
୭.ଯନ୍ତ୍ର,
କୌଶଳ,
୮.ସୁବିଧା,
୯.କନ୍ଦର,
୧୦.ଖୁଞ୍ଜ,
୧୧.ବଶ୍ୟତା,
୧୨.ଅଧିକତା,
୧୩.ସୁଯୋଗ
ଏବଂ
ମୁହଁ ର କଳ ତଥା କାମୁଡ଼ ଥର ବା ପୁଳା ଆଦି......

ଏହାଛଡା଼ ଏକ ସଂସ୍କୃତ ଧାତୁ ଶବ୍ଦ “କଳ୍ ଧାତୁ” ମଧ୍ୟ ରହିଛି
ଯାହା ତିନୋଟି ମୂଳ ଅର୍ଥରେ ଵ୍ୟଵହୃତ ହୋଇଥାଏ

୧.ଗମନ କରିଵା
୨.ଗଣନା କରିଵା
୩.ଶବ୍ଦ କରିଵା

ତେବେ ଯଦି ଏହି ଶବ୍ଦଦ୍ବୟର ଅର୍ଥ ସବୁକୁ ନେଇ
ଉତ୍କଳ ଶବ୍ଦର ଵ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?

🔵ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗମନ କରିଵା)
ଯେଉଁ ଅଞ୍ଚଳର ଅଧିଵାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ଵା ଗମନ କରନ୍ତି,ଯେଉଁ ଜାତିର ଲୋକଙ୍କ ମନରେ ଜାତି,ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ ଅର୍ଥାତ୍ କାହାକୁ ନୀଚ ନୁହେଁ ସମସ୍ତଙ୍କୁ ଉର୍ଦ୍ଧ୍ବ ଵା ଶ୍ରେଷ୍ଠ ଗଣନା କରିଥାଆନ୍ତି ।

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗଣନା କରିଵା)
ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତି ମାନଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ​ ଵା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ  ଅର୍ଥାତ୍ ଭୂସ୍ବର୍ଗ ଥିଲା ଅଛି ଓ ରହିଵ ।

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଶବ୍ଦ କରିଵା ଵା ଗର୍ଜନା କରିଵା)
ଯେଉଁ ଅଞ୍ଚଳର ଅଧିଵାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦେଉଥିଲେ ସେଇଥିପାଇଁ ତ କଳିଙ୍ଗୀମାନଙ୍କ ପାଇଁ କୁହାଯାଇଛି କଳିଙ୍ଗା ସାହାସିକାଃ !

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ = ମଧୁର ଧ୍ଵନୀ)
ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ । ଉଡ୍ର ଶବ୍ଦ ମଧ୍ୟ ଏହି ଜାତିର ଗୁଣକୁ ଧ୍ୟାନରେ ରଖି ଉଡ୍ ଧାତୁର ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି ।

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ =ଉତ୍କର୍ଷ, ଭ୍ରମରର ଗୁଞ୍ଜନ ଓ ଶାଳ ଆଦି ଵୃକ୍ଷରେ ପୂର୍ଣ୍ଣ)
ଯେଉଁ ଅଞ୍ଚଳ ସ୍ବର୍ଗ ସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମରମାନେ ମଧୁର କଳ କଳ ଗୁଞ୍ଜନ କରନ୍ତି । ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ । ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ । ଭାରତର ଅନ୍ୟ ରାଜ୍ୟ ସହ ଓଡ଼ିଶାର ଵନଭୂମିର ତୁଳନା କରି ଦେଖାଯାଉ । ଏଠାକାର ଵନଭୂମି କେତେ ଵିସ୍ତୃତ ଓ ସୌନ୍ଦର୍ଯ୍ୟଶାଳୀ ତାହା କହିଵା ଵାହୁଲ୍ୟ ମାତ୍ର ହେଵ ।
🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଶୁକ୍ର ଗ୍ରହ)
ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଅର୍ଥାତ୍ ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି । ଆମେ ଜାଣିଛୁ ଯେ ଆମ କଳିଙ୍ଗର ଅତୀତ କେତେ ଗାରିମାମୟ । ଏ ଜାତି ଏକଦା ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଠାରୁ ଆରମ୍ଭ କରି ବ୍ରହ୍ମଦେଶ, ଶ୍ରୀଲଙ୍କା ଓ ମାଳଦ୍ଵୀପ ଯାଏଁ ନିଜର ପ୍ରଭାଵ ଵିସ୍ତାର କରିଥିଲା । ଏ ସମସ୍ତ ଭୂଭାଗରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ସହ ସାଂସ୍କୃତିକ ରାଜନୈତିକ ଓ ଆର୍ଥିକ ଉପନିଵେଶ ସ୍ଥାପନରେ କଳିଙ୍ଗ ଦେଶର ଲୋକ ଅଗ୍ରଣୀ ଭୂମିକା ଵହନ କରିଥିଲେ । ଶୁକ୍ର ଗ୍ରହର ଶୁଭ୍ରାଲୋକ ପରି ଆଜି ବି ସେ ସବୁ ଐତିହ୍ୟ ଆମ ମନରେ ସ୍ଵାଭିମାନର ଵୀଜ ଵପନ କରିଥାଏ ।

🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଆଙ୍କୁର ଵା ଗଜା )
ଯେଉଁ ଉତ୍କର୍ଷ କଳାର ଦେଶରେ ସନାତନ,ବୌଦ୍ଧ,ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ,ଛଉ ନୃତ୍ୟ,ଵିଭିନ୍ନ ଵସ୍ତ୍ରକଳା,ପଟ୍ଟଚିତ୍ର, ରସଗୋଲା,ରସବରା,ରସାବଳି ଓ କ୍ଷୀରମୋହନ ଆଦି ଖାଦ୍ୟଵସ୍ତୁ ଏଵଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି । ଯେଉଁ କଳିଙ୍ଗ ଦେଶର ଅଵିଭକ୍ତ କୋରାପୁଟରେ ଆଜକୁ ପ୍ରାୟ ଷାଠିଏ ହଜାର ଵର୍ଷ ପୂର୍ଵେ ତିନୋଟି ମାନଵ ଜାତି ଆଷ୍ଟ୍ରିକ,ଭାରୋପୀୟ ଓ ଦ୍ରାଵିଡ଼ ଜାତିଗୁଡି଼କର ମିଳିତ ସହାଵସ୍ଥାନରେ ପ୍ରାଥମିକ ମହାଭାରତୀୟ ସଂସ୍କୃତିର ଜନ୍ମ ହୋଇଥିଲା, ଯେଉଁ କଳିଙ୍ଗ ଦେଶର ପୂର୍ଵୀ ପ୍ରାକୃତ ସମସ୍ତ ପ୍ରାକୃତ ଭାଷା ମଧ୍ୟରେ ସର୍ଵପୁରାତନ । ଯେଉଁଠି ପୃଥିଵୀର ପ୍ରଥମ ପ୍ରସ୍ତର ଵିଦ୍ୟମାନ ସେ ମହାନ ଦେଶ କଳିଙ୍ଗ ହିଁ ତ ଉତ୍କଳ ଦେଶ ନାମରେ ପୁରୁଣ ପ୍ରସିଦ୍ଧ ଅଟଇ ।

🔴(ଯଦି ଉତ୍ = ଉତ୍କଟ ଓ ବହୁତ ଏଵଂ କଳ ଶବ୍ଦ =ଅଜୀର୍ଣ୍ଣ )
ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଅନେକ ଓ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ । ଯେଉଁ ଜାତିକୁ ଶତ୍ରୁ ମଧ୍ଯ ବାଧ୍ୟ ହୋଇ
କଳିଙ୍ଗା ସାହାସିକାଃ କହିଯାଇଛି । ଶହ ଶହ ଵର୍ଷ ଧରି ପ୍ରଵଳ ପ୍ରତାପୀ ମୁସଲମାନ ଶକ୍ତି ଯେଉଁ ଦେଶକୁ ସମ୍ପୂର୍ଣ୍ଣ ଜିତିପାରିନଥିଲା । ଯେଉଁ ଦେଶର ଅଧିଵାସୀ ସର୍ଵପ୍ରଥମେ ଓ ସର୍ଵାଧିକ ଶତଵର୍ଷଧରି ଇଂରେଜମାନଙ୍କ ଵିପକ୍ଷରେ ସ୍ଵାଧୀନତା ସଂଗ୍ରାମ ଚଳାଇଛନ୍ତି ସେ ଜାତିର ମହାନ ଦେଶ ଏଇ ଆମ କଳିଙ୍ଗୋତ୍କଳ ।

🔴(ଯଦି ଉତ୍ = ସମ୍ୟକ ଭାବେ ଏଵଂ କଳ ଶବ୍ଦ = ଯନ୍ତ୍ର, କୌଶଳ)
ଯେଉଁ ମାଟି ସମ୍ୟକ୍ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ ଥିଲା । ଯେଉଁ ଦେଶର ଶହ ଶହ ପ୍ରକାରର ବୋଇତ ନିର୍ମିତ ହେଇଥିଲା ଯେଉଁ ଦେଶରେ ଶତାଧିକ ଅସ୍ତ୍ରଶସ୍ତ୍ରର ଵ୍ୟଵହାର ଓ ନିର୍ମାଣ ହେଉଥିଲା । ଯେଉଁ ଦେଶର ଜନତା ଏହି ଯାନ୍ତ୍ରିକ କ୍ରାନ୍ତି ଯୋଗୁଁ କୋଣାର୍କ,ନଵତାଳପ୍ରାସାଦ ଭଳି ଅନନ୍ୟ ସ୍ଥାପତ୍ୟ ଗଢି଼ଥିଲେ ସେହି ଏକ କଳାରେ ଉତ୍କର୍ଷ ଦେଶ କଳିଙ୍ଗୋତ୍କଳ ।

🔴(ଯଦି ଉତ୍ = ସର୍ଵାଧିକ ଏଵଂ କଳ ଶବ୍ଦ =ସୁଯୋଗ,ସୁଵିଧା)
ଯେଉଁ ଭୂମିରେ ଜୀଵନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି । ଯେଉଁ ଦେଶ ଅନେକାନେକ ନଦନଦୀ,ହ୍ରଦ ପର୍ବତ ,ଗିରି କନ୍ଦର ଓ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗ ସମ ଶୋଭାପାଇଥାଏ  ସେ ଦେଶ ଉତ୍କଳ ଅଟଇ ।  ଆଜି ଓଡ଼ିଆମାନେ ଦରିଦ୍ର କଥିତ ହୁଅନ୍ତି ସତ କିନ୍ତୁ ଓଡ଼ିଆଲୋକେ ଗରିଵ ହୋଇ ପାରନ୍ତି ହେଲେ ପ୍ରକୃତି ଏ ଦେଶକୁ ସର୍ଵଦା ଧନଧାନ୍ୟରେ ପରିପୂର୍ଣ୍ଣ କରିଵାର ସୁଯୋଗ ଦେଇଅଛି । ଵନ୍ୟାଵାତ୍ୟା ମରୁଡ଼ି ପ୍ରପୀଡ଼ିତ ଓଡ଼ିଶା କେଵଳ ଵର୍ତ୍ତମାନର ଓଡ଼ିଆଙ୍କ ଅପାରଗତା ଯୋଗୁଁ ଦରିଦ୍ରତାର କଷଣ ସହୁଛି ଅନ୍ୟଥା ଏ ମାଟି ସୁନା ଥିଲା ଓ ଅଛି ।

🔴(ଯଦି ଉତ୍ = ସମୁଚ୍ଚୟ ଏଵଂ କଳ ଶବ୍ଦ = କନ୍ଦର)
ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର ।
ଯେଉଁ ଦେଶରେ​ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଆମ ଉତ୍କଳ ।

🔴(ଯଦି ଉତ୍ = ପ୍ରଶ୍ନ, ବିତର୍କ, ଅଧିକ,ଉତ୍କଟ ଏଵଂ କଳ ଶବ୍ଦ = ଵଶ୍ୟତା)
ଭ୍ରାନ୍ତପ୍ରଶ୍ନକାରୀ ବିତର୍କ ପ୍ରେମୀ ଏଵଂ କେଵଳ ନିଜକୁ ହିଁ ଶ୍ରେଷ୍ଠ ଵିଚାର କରି ବସିଥିଵା ଆନ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ ।  ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ । ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଆମ କଳିଙ୍ଗୋଡ୍ରତ୍କଳ ।

ସେହିଭଳି ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯେମିତି କି...

⚫ଉତ୍କଣ୍ଠିତ
ଜ୍ଞାନ ତଥା କଳା ପାଇଁ ଆମ ଦେଶର ଲୋକ ଆଜି ବି  ଉତ୍କଣ୍ଠିତ ଅଛନ୍ତି ଆଗେ ବି ଥିଲେ ।  ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମଧ୍ୟ ଏଠାରେ ଅନେକ ଜ୍ଞାନୀ ଵିଦ୍ଵାନ କଳାକାର ପୃଥିଵୀ ଵିଖ୍ୟାତ ହୋଇଛନ୍ତି । ଭାରତଵର୍ଷରେ ଉତ୍କଳଭାଷୀମାନଙ୍କୁ ଅଧିକ ସୁଵିଦା ସୁଯୋଗ ମିଳିଲେ ସେମାନେ ନିଜର ଆହୁରି ଅଧିକ ପାରଦର୍ଶିତା ଦେଖାନ୍ତେ ।

⚫ଶିକାରୀ,ବ୍ୟାଧ
ସାହାସିକ କଳିଙ୍ଗୀ ଜାତି ଶତ୍ରୁଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ ଏ ଦେଶକୁ ସହଜରେ ଶତ୍ରୁ ହରାଇ ପାରୁନଥିଲେ ଏଵଂ ଯଦିଚ କିଛି ଶହ ଵର୍ଷ ଏ ଦେଶ ଵିଦେଶୀ ଶକ୍ତି ଦ୍ଵାରା ପରାଜିତ ହୋଇଛି ମଥା ନୁଆଁଇ ନାହିଁ ଵରଂ ସୁଯୋଗ ଉଣ୍ଡି ପ୍ରତି ଆକ୍ରମଣ କରିଵାକୁ ପଛାଇ ନାହିଁ ।

⚫କର୍କଷ ଗର୍ଜନ
ସିଂହ ହିଁ ଗର୍ଜନ କରନ୍ତି ଭୀରୁ ନୁହେଁ, କଳିଙ୍ଗୀମାନେ ସିଂହପରି ଶତଶତ ଵର୍ଷ ଧରି ଶକ୍ତିଶାଳୀ ମୁସଲମାନ ଶାସକଙ୍କ ସାମ୍ନା କରିଛନ୍ତି  ପୁଣି ଆଧୁନିକ ଯୁଗରେ ମସିଯୁଦ୍ଧ ଚଳାଇ  ହିନ୍ଦିଆ, ତେଲେଙ୍ଗା ଓ ବଙ୍ଗାଳୀମାନଙ୍କଠାରୁ ଆପଣା ଭୂମି ଐ ଭାଷାକୁ ବଞ୍ଚାଇ ପାରିଵାରେ ସଫଳ ହୋଇଛନ୍ତି । ଏଜାତିର ଵୀରୋଚ୍ଚିତ୍ତ ଇତିହାସ ସମସ୍ତ ମାନଵ ଜାତି ପାଇଁ ପ୍ରେରଣାର ଉତ୍ସ ଅଟେ । 

⚫ଭାରଵାହକ
ଉତ୍ତର ଭାରତୀୟମାନେ ସଂସ୍କୃତ ଶବ୍ଦମାଳା ଅଭିଧାନରେ ଏଵଂ ବଙ୍ଗଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ​ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା । ଓଡ଼ିଆ ମାନେ ପରାଧୀନ ହୋଇ ନିଜର ସ୍ଵତନ୍ତ୍ର୍ଯ  ହରାଇ ବଙ୍ଗଳୀଙ୍କ ଗାଆଁ ସହରରେ ଖଟୁଥିଲେ...

ତଥାପି ଆମେ ସେହି ଭାରବାହକ ଶବ୍ଦ ମଧ୍ଯ ସାଦରେ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି ହଁ ଠିକ୍ ଅଛି ଆମେ  ଉତ୍କଳୀୟ ମାନେ ଭାରବାହକ ...

କାରଣ ଉତ୍କଳୀୟ ମାନେ ହିଁ ତ ଭାରତୀୟ ସଂସ୍କୃତିକୁ ଆପଣା ବୋଇତଦ୍ଵାରା ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ ...
ଜାଭା,ବୋର୍ଣ୍ଣିଓ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଆଫ୍ରିକା ଓ  ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆ ମାନଙ୍କୁ ଭାରବାହକ କହି ଵରଂ ଆମ ହିନ୍ଦିଆ, ଵଙ୍ଗାଳୀ ଭାଇ ମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆ ମାନେ ସେମାନଙ୍କ ନିକଟରେ ଚିର କୃତଜ୍ଞ ରହିବେ ।

ଅତଃ ଉତ୍କଳ ପରି ଶ୍ରେଷ୍ଠ ,ଉତ୍କୃଷ୍ଟ ଵୈଜ୍ଞାନିକ ପୁରାଣ ପ୍ରସିଦ୍ଧ ନାମକୁ ଯେଉଁ ଓଡ଼ିଶାଵାସୀ ଲୋକମାନେ ଅପସନ୍ଦ କରୁଛନ୍ତି, ଯେଉଁ ଓଡ଼ିଶାଵାସୀ ଲୋକ ଆପଣା ଅଜ୍ଞାନତା ଯେତୁ ଏଭଳି ଏକ ସୁନ୍ଦର ନାମକୁ ନେଇ ଆଞ୍ଚଳିକ ଭେଦଭାଵ ସୃଷ୍ଟି କରିଵାକୁ ଚେଷ୍ଟା କରୁଛନ୍ତି ସେମାନେ ଥରେ ନିଜ DNA ପରୀକ୍ଷା  କରିନିଅନ୍ତୁ । ହୁଏତ ତାଙ୍କ ଡିଏନଏରେ କଳିଙ୍ଗୀ ରକ୍ତ ପ୍ରଭାଵିତ ହେଉନାହିଁ । ସମ୍ଭଵତଃ ତା ପୂର୍ଵଜ ବହିରାଗତ କିଂଵା ମୁସଲମାନ,ଵର୍ଗୀ ଓ ଇଂରେଜମାନଙ୍କ ଚାଟୁକାର ଗୋଡ଼ଚଟା ଥିଲେ, କାଳିଙ୍ଗ୍ୟ ଜାତୀୟତା ଵିହୀନ ଲୋକ ଥିଲେ । ଉତ୍କଳ କେଵଳ ଗୋଟିଏ ଶବ୍ଦ ନୁହେଁ କି ସାଧାରଣ ନାମ ମାତ୍ର ନୁହଁଇ ଏହା ଆମ ଜାତୀୟ ସ୍ଵାଭିମାନର ପ୍ରତୀକ । ଏକଥାକୁ ଯିଏ ହୃଦୟଙ୍ଗମ ନକରିପାରୁଛି ସେ ଦୟାକରି ଆମ ଦେଶରୁ ଚାଲିଯାଇ ନିଜ ପୈତୃକ ଭୂମିରେ ସୁଖରେ ରହୁ । ସେ ଓଡ଼ିଶାରେ ଓଡ଼ିଆ ଜାତିରେ ଜନ୍ମ ହୋଇ ମଧ୍ୟ ହୃଦୟରୁ କେବେବି ଓଡ଼ିଆ ନୁହଁଇ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...