ପଶ୍ଚିମ ଓଡ଼ିଶାରେ ଢଗଟିଏ ଚଳୁଅଛି
“ଆମଗଛେ ଡ଼ମ୍ ରଜା
ଆମ ସରିଗଲେ ଟିମକି ବଜା”
ଠିକ୍ ସେହିପରି ପୂର୍ଵାଞ୍ଚଳରେ ସମ ଅର୍ଥରେ ଢଗଟିଏ ଚଳୁଅଛି
“ଆମ୍ବ କାଳେ ହାଡି଼ ରଜା
ଆମ୍ବ ସରିଗଲେ ବାଇଦ ବଜା”
ତେବେ ଏହି ଅର୍ଥରେ ଓଡ଼ିଶାରେ ଅନେକ ସମାର୍ଥକ ଢଗ ମିଳେ ଯଥା
(କ)ଆମ୍ବ କାଳେ ହାଡ଼ିକୁ ଜୁହାର
ଅର୍ଥାତ୍ ଵିପଦରେ ପଡି଼ଲେ ଗଧପାଦ ବି ଧରିଵାକୁ ହୁଏ ସହିତ ଏହା ସମାନ କଥା
(ଖ)ଆମ୍ବ ପାଚିଲେ ଡମ୍ବ ରାଜା,
ନଈ ବଢ଼ିଲେ କେଉଟ ରଜା |
ଆମ୍ବ ପାଚିଲେ ଡମ୍ବ ଜାତୀୟ ଲୋକେ ବଗିଚା ଜଗିଵାର କାମ ପାଉଥିଲେ । ସେହିପରି ନଈବଢ଼ିରେ କେଉଟମାନଙ୍କର ଭଲ ରୋଜଗାର ହେଉଥିଲା ।
ଆମ ଦେଶରେ ଉଭୟ ହାଡ଼ି ଓ ଡମ ଜାତି ପୂର୍ବେ ଢୋଲ ବାଜା ବଜାଉଥିଲେ । ଡମ୍ବ ଵା ଡମମାନଙ୍କ ନାମର ସମ୍ପର୍କ ଡମ୍ ଧାତୁ ସହିତ ରହିଛି ଏଵଂ ଏହି ଧାତୁରୁ ଶିଵଙ୍କ ଡମ୍ବରୁ ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହି ହାଡ଼ି ଜାତିରେ ଅନେକ ଵିଜ୍ଞ ଵିଦ୍ଵାନ ଜନ୍ମ ଲଭିଥିଵାର ମଧ୍ୟ ଭାରତୀୟ ଵାଗ୍ମୟ ଶାସ୍ତ୍ରର ଵିଭିନ୍ନ କଥାରୁ ଜଣାଯାଏ । ବୌଦ୍ଧ ସିଦ୍ଧାଚାର୍ଯ୍ୟ ହାଡି଼ପା ତନ୍ମଧ୍ୟରେ କଳିଙ୍ଗ ଦେଶର ଜଣେ ପ୍ରଶିଦ୍ଧ ସାଧକ ହୋଇଅଛନ୍ତି ।
ଅଦ୍ୟପି ବହୁତ ଦିନ ଧରି ଏମାନଙ୍କୁ ଆମ ସମାଜରେ ଅସ୍ପୃଶ୍ୟ ଜାତି ଭାବେ ଅଭିହିତ କରାଯାଇଛି କିନ୍ତୁ ସମାଜର ଶତ ଶତ ଵର୍ଷଧରି ସେଵାକରି ସର୍ଵାଧିକ ଉପକାର କରିଛନ୍ତି ଏହି ଜାତୀୟ ଲୋକେ...
🔷ନଗର ଓ ଗ୍ରାମର ଧନୀକମାନଙ୍କ ଗୃହରୁ ମଳମୂତ୍ର ସଫା କରିଵା ଓ ନିର୍ଦ୍ଧିଷ୍ଟ ସ୍ଥାନରେ ନେଇ ଫୋଫାଡି଼ଵା
🔷ଵିଵାହାଦି ମଙ୍ଗଳ ଉତ୍ସଵରେ ବାଜା ବାଜା ବଜାଇଵା
🔷ଯେଉଁ ଵ୍ୟକ୍ତିର ଶଵ ଉଠାଇ ନେଵାକୁ କେହି ନ ଥାନ୍ତି ତାଙ୍କ ଶଵ ଉଠାଇଵା
🔷 ଶୂକର ଵା ଘୁଷୁରୀ ପାଳନ କରିଵା
🔷ତାଳ ଗଛରୁ ତାଳ କାଟିଵା ଓ ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଵା
🔷ହାଡିଆଣୀମାନେ ନଵଜାତ ଶିଶୁର ନାହିନାଡ଼ କାଟିଵା
🔷ସବାରି କାନ୍ଧିଆ ଭାବେ କାର୍ଯ୍ୟ ତୁଲାଇଵା
🔷ବାଉଁଶପାତିଆରେ କୁଲା, ବାଉଁଶିଆ, ଇତ୍ୟାଦି ବୁଣିଵା
ଆଦି ଵିଭିନ୍ନ କାର୍ଯ୍ୟ କରୁଥିଲେ ।
ଯେଉଁମାନେ ପୂର୍ଵେ ହାଡି଼ମାନଙ୍କୁ କର୍ମ ଆଧାରରେ ନୀଚ ବୋଲି ଅଭିହିତ କରିଯାଇଛନ୍ତି ସେମାନେ ବି ପ୍ରତିଦିନ ଆପଣା ଟିରିକି ଧୋଉଥିଲେନ ଅର୍ଥାତ୍ ନିଜ ପିଚାରେ ପାଣି ଲଗେଇ ମଳ ସଫା କରୁଥିଲେ । ଏ ଦୃଷ୍ଟିରୁ ଆମେ ସମସ୍ତେ ଜଣେ ଜଣେ ହାଡ଼ି ନୁହେଁ କି ? ବାହା ହେଲାପରେ ପରିଵାର ରୂପକ ସଵାରୀକୁ ମଲାଯାଏଁ କାନ୍ଧେଇ ବୁଲୁଥିଵା ମଣିଷଟି ହାଡ଼ି ପଦଵାଚ୍ୟ ନୁହେଁ କି ? ଯେଉଁ ଡାକ୍ତରଟି ରୋଗୀଙ୍କ ମଳମୂତ୍ର ସଫାକରେ ସଦ୍ୟଜାତ ଶିଶୁର ନାହିନାଡ଼ କାଟେ ତାକୁ ବହୁତ ସମ୍ମାନ ମିଳୁଛି କିନ୍ତୁ ପୂର୍ଵେ ସେହି କାର୍ଯ୍ୟ କରି ବି ହାଡ଼ିମାନେ ଅନେକ ଅପମାନ ପାଉଥିଲେ । ଏଭଳି ପାତର ଅନ୍ତର କାହିଁକି ?
No comments:
Post a Comment