Tuesday, July 6, 2021

ଡିବି ଶବ୍ଦ ଗୋଟିଏ ଅର୍ଥ ଅନେକ

ଡିବି ଛୋଟିଆ ଶବ୍ଦଟିଏ ମାତ୍ର ଏହାର ଅନେକ ଅର୍ଥ ।  ଵିଭିନ୍ନ ଅଞ୍ଚଳରେ ଏ ଶବ୍ଦର  ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । ସାଧାରଣତଃ  କିରାସିନି ତେଲ ଜଳିଵାର ଧାତୁମୟ ପ୍ରଦୀପକୁ ଡିବି କୁହାଯାଏ ଏଵଂ ଏହା ତତ୍ସମ ଦୀପ ସହିତ ସମଦ୍ଧୃତ ।

ସେହିପରି ଡିବିଆ ଶବ୍ଦ ଭଳି ଡିବି ଶବ୍ଦଟି ଆମ ଭାଷାରେ ଡବା ଅର୍ଥରେ ମଧ୍ୟ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ । ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଛୋଟ ମାଟିହାଣ୍ଡିକୁ ଡିବି କୁହାଯାଏ ।

କେତେକ ଅଞ୍ଚଳରେ  ସକାଳଓଳି ଶ୍ରମିକମାନେ ଵା କୃଷକମାନେ ବିଲରେ ଖାଉଥିଵା ବାସିପଖାଳକୁ ଡିବିଭାତ କୁହାଯାଏ । ସେହିପରି କଳାହାଣ୍ଡି ଜିଲ୍ଲାରେ  ସକାଳ ଜଳଖିଆ ସମୟରେ ଶିଶୁମାନଙ୍କୁ ଛୋଟ ପାତ୍ରରେ ଖୁଆ ଯାଉଥିଵା ସଜଭାତକୁ ଡିବିଖିଆ କୁହାଯାଇଥାଏ ।

କିନ୍ତୁ ଅନୁଗୋଳ ଜିଲ୍ଲାରେ ଡିବି ଶବ୍ଦ ସହ ଦେଵା କ୍ରିୟା ଯୁକ୍ତ ହୋଇ ଯେଉଁ ଡିବିଦେଵା କ୍ରିୟାଶବ୍ଦ ଵ୍ୟଵହାର ହୁଏ ତାହାର ଅର୍ଥ ଫୋଡ଼ିଦେଵା ଅଟେ ।

ଡିବି ଶବ୍ଦକୁ ଦ୍ଵିତକରି  ଡିବିଡିବି ଲେଖିଲେ ମଧ୍ୟ ତାହାର ଅର୍ଥ ଆମ ଭାଷାରେ ଭିନ୍ନ ହୋଇଥାଏ । ନାଗରା, ଡମ୍ବରୁ ବାଜିବାର ଶବ୍ଦ, ଡିଣ୍ଡିମ ଶବ୍ଦକୁ ଡିବିଡିବି କୁହାଯାଏ ସେହିପରି ଚାରିତ୍ରିକ ଅପପ୍ରଚାର ଵା ଦୋଷଗୁଣ ପ୍ରଚାର ହେଵା, ଦୁର୍ନାମ ପ୍ରଚାରିତ ହେଵାକୁ ଆମ ଭାଷାରେ ଡିବିଡିବି ହେଵା କହିଥାନ୍ତି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...