ଓଡ଼ିଶାର ସବୁ ଜିଲ୍ଲାର ଗ୍ରାମୀଣ ଉଚ୍ଚାରଣରେ
ଓ<—>ଉ ପରିଵୃତ୍ତି ପରିଲକ୍ଷିତ ହୁଏ ଯାହା ଵାସ୍ତଵରେ ଉଚ୍ଚାରଣ ଵିଧିସମ୍ମତ l
ଉଦାହରଣ ସ୍ୱରୂପ
କୋରାପୁଟରେ କୁହନ୍ତି : —
“ଗୋଡ଼ ଧୋଇକି ପୋଛିକି ଶୋଇଲା” → “ଗୁଡ଼ ଧୁଇକି ପୁଛିକି ଶୁଇଲା”
ବାଲେଶ୍ୱରରେ କୁହନ୍ତି : —
“ପୋଲ ଉପରେ ଲୋକଟେ ଭୋଗ ଖାଉଛି” → “ପୁଲ ଉପରେ ଲୁକଟେ ଭୁଗ ଖାଉଛି”
କେନ୍ଦୁଝରରେ କୁହନ୍ତି:—
“ଗୋଳିଆ ପୋଖରୀରେ ପୋକ ଜୋକ” → “ଗୁଳିଆ ପୁଖୁରୀରେ ପୁକ ଜୁକ”
କଟକର ନରସିଂହପୁରରେ କୁହନ୍ତି :—
“ଗୋଇଠି ମୋଡ଼ି ହୋଇ ଘୋଳୁଛି → ଗୁଇଠି ମୁଡ଼ି ହୋଇ ଘୁଳୁଛି”
ସମ୍ବଲପୁରରେ କୁହନ୍ତି:—
"ମୁଇଁ ଇସ୍କୁଲକୁ ଯାଉଛି" → "ମୁଇଁ ଇସ୍କୁଲକେ ଯାଉଛେଁ"
କଟକର ଆଠଗଡ଼ରେ କୁହନ୍ତି :—
"ଏଠି ଏମିତି ହେଲେ କେମିତି ହେବ" → "ଏଠେ ଏମେତେ ହେଲେ କେମେତେ ହେବ"
କଥିତ ଓଡ଼ିଆରେ ସ୍ଵରଵର୍ଣ୍ଣ ପରିବୃତ୍ତି ଶବ୍ଦ ପ୍ରଥମରେ 'ଓ' କାର ଥିଲେ ତାହା 'ଉ' କାରରେ ପରିଣତ ହୁଏ
ଯଥା—
ଗୋଟେ = ଗୁଟେ
ଗୋଳିଆ = ଗୁଳିଆ
ପୋଖରୀ = ପୁଖୁରି
ପୋଲ = ପୁଲ
ଗୋଡ଼ = ଗୁଡ଼
ଲୋକ = ଲୁକ
ଗୋଇଠି = ଗୁଇଠି
ମୋଡ଼ି = ମୁଡି଼
ଘୋଳି ହେଵା = ଘୁଳିହେଵା
ଇତ୍ୟାଦି...
ସେହିପରି ଶବ୍ଦ ଶେଷରେ ‘ଇ’କାର ଥିଲେ ତାହା 'ଏ' କାରରେ ପରିଣତ ହୁଏ ।
ଉଦାହରଣ ସ୍ୱରୂପ ସମ୍ବଲପୁରରେ କୁହନ୍ତି
ଯାଉଛି = ଯାଉଛେ ଵା ଯାଉଛେଁ
ଅଛି = ଅଛେ/ଅଛେଁ
କଟକର ଆଠଗଡ଼ରେ ମଧ୍ୟ ଏଭଳି ଶବ୍ଦ ପରିଵୃତ୍ତି ଦୃଶ୍ୟ ହୁଏ । ଯଥା—
ଏମିତି = ଏମେତେ
କୋରାପୁଟ, ସମ୍ବଲପୁର, କଟକ, ବାଲେଶ୍ବର ଓ ଅନ୍ୟ ସବୁ ଜିଲ୍ଲାର ଲିଖିତ ଓ କଥିତ ଶୈଳୀରେ (ଓ/ଉ, ଏ/ଇ) ଵ୍ୟଵହାରିକ ଭିନ୍ନତା ଥାଏ । ଧ୍ବନିତତ୍ତ୍ବରେ ଇ-ଏ, ଉ-ଓ ପ୍ରାୟ ଏକସ୍ଥାନୀୟ (homorganic) ।
ଉପରୋକ୍ତ ଵର୍ଣ୍ଣଗୁଡି଼କର ଏଭଳି ପାରସ୍ପରିକ ପରିଵୃତ୍ତି ଧ୍ବନିତତ୍ତ୍ବସମ୍ମତ ।
ଇଂରାଜୀରେ SO = ସୋ କିନ୍ତୁ DO = ଡୁ ହୋଇଥାଏ ପୁନଶ୍ଚ ଆରବିକରେ ମଧ୍ୟ ଉଭୟ ଉ, ଓ ପାଇଁ ମାତ୍ର ଗୋଟିଏ ଅକ୍ଷର ( ُ ) ରହିଛି ।
ସବୁ ଜିଲ୍ଲାର ଆଞ୍ଚଳିକ ଉଚ୍ଚାରଣରେ ଭିନ୍ନତା ରହିଵା ସ୍ବାଭାଵିକ ଓ ଏହା ଆମ୍ଭ ଭାଷାର ଅନ୍ୟତମ ଵୈଶିଷ୍ଟ୍ୟ ଅଟେ । ଏହା ଭାଷାର ଗତ୍ୟାତ୍ମକ (dynamic) ହେଵାର ନିଦର୍ଶନ ତେଣୁ ଅଶୁଦ୍ଧ କିଂବା ଅଣଓଡ଼ିଆ ନୁହେଁ ।
ଭାଷା ଏକ ଵହମାନ ସ୍ରୋତ ଯାହା କେଵେ ସ୍ଥିର ନୁହେଁ ତେଣୁ ଏଥିରେ ଅନେକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ନିରନ୍ତର ସକ୍ରିୟ ଥାଏ l
ଏହି ଧ୍ୱନିତତ୍ତ୍ୱକୁ ବୁଝୁ ନଥିଵା ଲୋକେ ହିଁ ଉଚ୍ଚାରଣର ଭିନ୍ନତାକୁ ନେଇ ତାକୁ ଅଶୁଦ୍ଧ ଵିଵେଚନା କରନ୍ତି କେଵେ କେଵେ ହସନ୍ତି , ହୀନମନ୍ୟତା ଆଣନ୍ତି, କେଵେ ସମାନ ଭାଷାର ଭିନ୍ନ ଶୈଳୀକୁ ଭିନ୍ନ ଏକ ଭାଷା ବୋଲି ଦାବି କରି ଉଗ୍ର ଵିଚ୍ଛିନ୍ନତାଵାଦର ଆୟୁଧ କରିଦିଅନ୍ତି l ଏହା ଦୁର୍ଭାଗ୍ୟଜନକ ନୁହେଁ କି ?
🟤--------------------------------------------------
ଆଲେଖ୍ୟ — ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ
ସମ୍ପାଦନା — ଶିଶିର ସାହୁ ମନୋଜ
------------------------------------------------------🟤
No comments:
Post a Comment