Monday, January 10, 2022

କାର୍ପଣ୍ୟ ଶବ୍ଦ କୃପଣ ଶବ୍ଦଜ ହୋଇ ମଧ୍ୟ ଏହାର ଏକ ଵିନୟ କେମିତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗଵତର ପଦ

ଧନ କାର୍ପଣ୍ଯ ସେଵା ଫଳେ
କିବା ଅସାଧ୍ଯ ମହୀ ତଳେ।”

ଏଠାରେ କାର୍ପଣ୍ୟ ଶବ୍ଦ “ଵିନୟ” ଅର୍ଥରେ ଵ୍ୟଵହୃତ ହୋଇଅଛି । କିନ୍ତୁ କାର୍ପଣ୍ୟ ଶବ୍ଦଟି
ଏକ କ୍ଲୀଵ ଲିଙ୍ଗୀ ଶବ୍ଦ  ତଥା “କୃପଣସ୍ଯ ଭାଵଃ । କୃପଣ + ଷ୍ଯଞ୍ = କାର୍ପଣ୍ୟ ” ବୋଲି କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଉଲ୍ଲେଖ ଅଛି ।

କାର୍ପଣ୍ୟ ଶବ୍ଦର ଦୁଇଗୋଟି ଅର୍ଥ କଳ୍ପଦ୍ରୁମ ଅଭିଧାନରେ ଦିଆଯାଇଛି
୧)କୃପଣତା
୨)ଦୈନ୍ଯମ୍

ସଂସ୍କୃତ ଭାଗଵତରେ କାର୍ପଣ୍ୟ ଶବ୍ଦର‌ ପ୍ରୟୋଗ ଉଦାହରଣ ସ୍ୱରୂପ ପ୍ରଦାନ କରାଯାଇଛି ଏହି ଶବ୍ଦକୋଷରେ
“କାର୍ପଣ୍ଯଦୋଷୋପହତସ୍ଵଭାଵଃ
  ପୃଚ୍ଛାମି ତ୍ଵାଂ ଧର୍ମ୍ମସଂମୂଢଚେତାଃ” ॥

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
କାର୍ପଣ୍ୟ ଏକଵିଶେଷ୍ୟ ଶବ୍ଦର‌ ଏଵଂ ଏହାର ନିରୁକ୍ତି  “କୃପଣ+ଭାବେ. ଯ(ଘଞ୍) ”

ଓଡ଼ିଆ ଭାଷାକୋଷ ଅନୁଯାୟୀ ଵିଶେଷ୍ୟ କାର୍ପଣ୍ୟ ଶବ୍ଦର‌ ଅର୍ଥଗୁଡ଼ିକ ହେଲା...
କୃପଣତା,ଵ୍ୟୟକୁଣ୍ଠତା,ଦାରିଦ୍ର୍ଯ,ଦୀନତା,ହୃଦୟହୀନତା,ଅଵିଵେଚକତ୍ବ,କାତରତା; ଅଵସାଦ,  କିଂକର୍ତ୍ତଵ୍ୟଵିମୂଢ଼ତା ଓ ଵିନୟ ଇତ୍ୟାଦି ।

ତତ୍ସମ କୃପଣ ଶବ୍ଦର ଅର୍ଥଗୁଡ଼ିକ ହେଲା...

କାମ୍ପୀ,ଶୁଣ୍ଠା ଵା ଚେଣ୍ଡା,ଲୋଭୀ, ନିର୍ଦ୍ଧନ, ଦୀନ,ନିଷ୍ଠୁର,କାତର,ନିଃସହାୟ,ନୀଚ, କୁଣ୍ଠିତ ଓ ଏହାର ଵିଶେଷ୍ୟ ଶବ୍ଦ ଭାବେ ଅର୍ଥ  “ଵ୍ୟୟକୁଣ୍ଠିତ ଵ୍ୟକ୍ତି”

କୃପଣ ଶବ୍ଦକୁ କୃପ୍ ଧାତୁରୁ ନିଷ୍ପନ୍ନ କରାଯାଇଛି
କୃପ୍ ଧାତୁରୁ  ଦୟା କରିଵା ଓ ପାରଗ ହେଵା ଅର୍ଥ ଘେନି କୃପା ଶବ୍ଦ ନିଷ୍ପନ୍ନ ହୋଇଛି । କୃପ୍ ଶବ୍ଦରୁ ଦୁର୍ଵଳ ହେଵା,ଦୁଃଖ କରିଵା,ଶୋକ କରିଵା ଆଦି ଅର୍ଥ ଆଧାରରେ କୃପଣ ଶବ୍ଦ ନିଷ୍ପନ୍ନ କରାଯାଇଛି ।

ତେବେ ଜଣେ କୃପଣ କାହିଁକି ହୁଏ ?
ମାନସିକ ଓ ଆର୍ଥିକ ଭାବେ ଦରିଦ୍ର ଜନ କୃପଣ ହୁଏ । ସମାଜରେ ଅନେକ ଅଛନ୍ତି ଟଙ୍କା ତାଙ୍କ ପାଖରେ ବହୁତ କିନ୍ତୁ ସେମାନେ ମାନସିକ ସ୍ତରରେ ଦରିଦ୍ର ଅର୍ଥାତ୍ ଏତେ ନିଷ୍ଠୁର(କୃପଣର ଏକ ଅର୍ଥ ନିଷ୍ଠୁର) ଯେ କିଏ ତାଙ୍କ ଆଗରେ ମୁଣ୍ଡ ପିଟି କାନ୍ଦିଲେ ବି ଚାରଣାଟେ ଦିଅନ୍ତି ନାହିଁ ।
ପୁଣି ଦରିଦ୍ର ଜନ ଯାହାର ଦୈନିକ ଆୟ ୧୦୦ ଟଙ୍କା ତା କଥା ଵିଚାର କରାଯାଉ । ଲୋକଟା ପାଖରେ ମାତ୍ର ଶହେ ଟଙ୍କା ଥିଵ ସେ ତାକୁ ନିଜର ଵ୍ୟୟ ହେତୁକ ଜଗି ରଖି ଚଳିଵ ଦାନ ଧର୍ମ କରିଵା ଵା କାହାକୁ ଋଣ ଦେଵା ଆଗରୁ ଶହେ ଥର ଭାଵିଵ ।

ତେଣୁ ନିଷ୍ଠୁର ହୃଦୟ ଲୋକଙ୍କୁ କୃପଣ କୁହାଗଲା ପୁଣି ଦରିଦ୍ରଜନ ଲୋକଙ୍କୁ ବି କୃପଣ କୁହାଗଲା ।
ଉଭୟ ଧର୍ମ ଓ ସମାଜ ମଙ୍ଗଳ ହେତୁକ ଵ୍ୟୟକୁଣ୍ଠିତ ହେଵାରୁ ସମାଜ ତାଙ୍କୁ ନୀଚଗଣରେ ଗଣିଲା । ଫଳତଃ କୃପଣ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ନୀଚ ।

କିନ୍ତୁ ଧନୀକ କୃପଣ ନିଷ୍ଠୁର ହୃଦୟର ହୋଇଥିଵାବେଳେ ଧନ ଅଭାଵ ଯୋଗୁଁ ଟଙ୍କାକୁ ଜଗିରଖି ଚଳୁଥିଵା ଦରିଦ୍ର କୃପଣ ଵିନୟୀ ହେଲା । ଧନୀକ ଲୋକେ ଵିପୁଳ ଧନ ଲାଭ କରି ଅହଂକାରୀ ହୁଅନ୍ତି କିନ୍ତୁ ଦରିଦ୍ର ଜନଟିଏ ନାନା ଦୁଃଖ ଭୋଗୀ ପ୍ରାୟତଃ ଗର୍ଵ କରିନଥାଏ ଵରଂ ନିଜକୁ ଦୀନ ହୀନ ମନେ କରି ଅନ୍ୟଜନଙ୍କ ଆଗରେ ଵିନୟୀ ଗୁଣ ପ୍ରକଟ କରିଥାଏ ।

ଫଳତଃ କାର୍ପଣ୍ୟ ଶବ୍ଦଟି ପ୍ରାୟତଃ କାମ୍ପୀ ଵା ଲୋଭୀ ଅର୍ଥରେ ପ୍ରୟୋଗ ହେଉଥିଲେ ହେଁ ସେହି କୃପଣ ଶବ୍ଦର ଦୀନ;ଦରିଦ୍ର ଅର୍ଥକୁ ଭାଵାର୍ଥକ ଵିନୟୀ ରୂପେ ଗ୍ରହଣକରି କାର୍ପଣ୍ୟ ଶବ୍ଦର ଏକ ଅର୍ଥ ଵିନୟ ରୂପେ ପ୍ରକାଶ ପାଇଛି ଓଡ଼ିଆ ଭାଗଵତ ମଧ୍ୟରେ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...