Sunday, January 16, 2022

ସବୁ ଅଣ୍ଡଜ ଜୀଵଙ୍କୁ ଦ୍ବିଜ କୁହାଯାଇପାରିଵ କି ?

ସବୁ ଅଣ୍ଡଜ ଜୀଵଙ୍କୁ ଦ୍ବିଜ କୁହାଯାଇପାରିଵ କି ?

ଏହି ପ୍ରଶ୍ନର ଉତ୍ତର ଜାଣିଵା ଆଗରୁ ଆମ୍ଭମାନଙ୍କୁ ଦ୍ଵିଜ କାହାକୁ କୁହାଯାଏ ତାହା ପ୍ରଥମେ ଜାଣିଵାକୁ ହେଵ ।

କଳ୍ପଦ୍ରୁମ ଅଭିଧାନରେ ଦ୍ଵିଜ ଶବ୍ଦର ନିରୁକ୍ତି ଉଲ୍ଲେଖ ଅଛି — “ଦ୍ଵିର୍ଜାୟତେ ଇତି  ଜନ + ଅନ୍ଯେଷ୍ଵପି ଦୃଶ୍ଯତେ ଇତି ଡଃ ।”
ଅର୍ଥାତ୍ ଯିଏ ଦୁଇଥର ଜାତ ହୁଏ ସେ ଦ୍ବିଜ ।

ବ୍ରାହ୍ମଣଙ୍କୁ ଦ୍ଵିଜ କୁହାଯାଏ । ସ୍ମୃତି ଶାସ୍ତ୍ର କହେ “ଜନ୍ମନା ବ୍ରାହ୍ମଣୋ ଜ୍ଞେୟଃ ସଂସ୍କାରୈର୍ଦ୍ଵିଜ ଉଚ୍ଯତେ । ” । ପୁନଶ୍ଚ  ସଦ୍ଵୃତ୍ତବ୍ରାହ୍ମଣଙ୍କୁ ଦ୍ଵିଜ କୁହାଯାଏ । ଵହ୍ନିପୁରାଣ ଵା ଅଗ୍ନିପୁରାଣର ପ୍ରେତୋପାଖ୍ଯାନ ଅଧ୍ୟାୟରେ ରାଜା ଅମ୍ବରୀଷଙ୍କୁ ଵଶିଷ୍ଠମୁନି ସଦ୍ଵୃତ୍ତବ୍ରାହ୍ମଣଙ୍କର ଲକ୍ଷଣ ଉଲ୍ଲେଖ କରିଛନ୍ତି ...

“—ଅମ୍ବରୀଷ ଉଵାଚ
“କୀଦୃଶାୟ ପ୍ରଦାତଵ୍ଯଂ ମହାଦାନଂ ଦ୍ଵିଜାତୟେ । ଵିଦୁଷେ ଵା ନିରାଧାରେ ସାଚାରେଽଵିଦୁଷେ ମୁନେ ! ॥  ଏତନ୍ମେ ସର୍ଵ୍ଵମାଖ୍ଯାହି ଯଥାତଥ୍ଯଂ ଦ୍ଵିଜୋତ୍ତମ ! । ଉତ୍ତାରୟତି ସଂଗୃହ୍ଯ ଦାତାରଂ ଦାନମେଵ ହି ॥”

“—ଵଶିଷ୍ଠ ଉଵାଚ ।
ଜାତ୍ଯା କୁଲେନ ଵୃତ୍ତେନ ସ୍ଵାଧ୍ଯାୟେନ ଶୁତେନ ଚ । ଏଭିର୍ଯୁକ୍ତୋ ହି ଯସ୍ତିଷ୍ଠେତ୍ ନିତ୍ଯଂ ସ ଦ୍ଵିଜ ଉଚ୍ଯତେ ॥ ନ ଜାତିର୍ନ କୁଳଂ ରାଜନ୍ ! ନ ସ୍ଵାଧ୍ଯାୟଃ ଶ୍ରୁତଂ ନ ଚ । କାରଣାନି ଦ୍ଵିଜତ୍ଵସ୍ଯ ଵୃତ୍ତମେଵ ତୁ କାରଣମ୍ ॥ ”

କ୍ଷତ୍ତ୍ରିୟ ଓ ଵୈଶ୍ଯମାନଙ୍କୁ ମଧ୍ୟ ଦ୍ଵିଜ କୁହାଯାଏ।ଏମାନେ ଥରେ ମାତ୍ର ଗର୍ଭରୁ ଜନ୍ମ ହୁଅନ୍ତି ଓ ଉପନୟନରୂପ ସଂସ୍କାର ଦ୍ବାରା ଆଉ ଥରେ ଜନ୍ମିଵାର କଳ୍ପିତ ହୁଅନ୍ତି ।  ଯାଜ୍ଞଵଲ୍କ୍ଯ ଅନୁସାରେ ।
“ମାତୁର୍ୟଦଗ୍ରେ ଜାୟନ୍ତେ ଦ୍ଵିତୀୟଂ ମୌଞ୍ଜିବନ୍ଧନାତ୍ ।
ବ୍ରାହ୍ମଣକ୍ଷତ୍ତ୍ରିୟଵିଶସ୍ତସ୍ମାଦେତେ
ଦ୍ଵିଜାଃ ସ୍ମୃତାଃ ॥”

ଦାନ୍ତକୁ ଦ୍ଵିଜ କୁହାଯାଏ କାରଣ ଜନ୍ମପରେ ଶିଶୁର ଦାନ୍ତ ଉଠେ ଓ କିଛିଦିନ ପରେ ତାହା ପଡ଼ିଯାଇ ଆଉ ଥରେ ଦାନ୍ତ ଉଠିଥାଏ । ଫଳତଃ ଦୁଇଥର ଜାତ ହେଉଥିଵାରୁ ଦାନ୍ତକୁ ଦ୍ଵିଜ କୁହାଯାଏ । ଚରକ ସଂହିତାରେ ସେଥିପାଇଁ କୁହାଯାଇଛି
“ନ ଚ୍ଛିତ୍ଵା ଦ୍ଵିଜୈର୍ଭକ୍ଷୟେତ୍ ॥ ”
(ଚରକ ସୂତ୍ରସ୍ଥାନେଽଷ୍ଟମେଽଧ୍ଯାୟ)

ଅଣ୍ଡଜ ଵା ଅଣ୍ଡାରୁ  ପକ୍ଷିସର୍ପାଦି ଜୀଵଙ୍କୁ ଦ୍ଵିଜ କୁହାଯାଏ ବୋଲି ଅମରକୋଷରେ ଉଲ୍ଲେଖ ଅଛି ।
ରଘୁବଂଶମ୍ କାଵ୍ୟରେ ଏହି ଅର୍ଥରେ ଦ୍ଵିଜ ଶବ୍ଦ ପ୍ରୟୋଗ କରାଯାଇଥିଵା କଳ୍ପଦ୍ରୁମ ଅଭିଧାନରେ କୁହାଯାଇଛି ।
“ଐନ୍ଦ୍ରିଃ କିଳ ନଖୈସ୍ତସ୍ଯା ଵିଦଦାର ସ୍ତନୌଦ୍ଵିଜଃ ॥ ”

ଅଣ୍ଡଜମାନେ ଡିମ୍ବରୂପରେ ମାତୃଗର୍ଭରୁ ପ୍ରଥମେ ଜନ୍ମ ହୁଅନ୍ତି ଓ ପରେ ଡିମ୍ବ ଫୁଟି ତହିମଧ୍ୟରୁ ଜୀଵ ଆକାର ଧାରଣ କରି ଜନ୍ମନ୍ତି ଫଳତଃ ଅଣ୍ଡଜମାନଙ୍କୁ ଦ୍ଵିଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି । ସେହିପରି ରାଜନିର୍ଘଣ୍ଟରେ ତୁମ୍ବୁରୁଵୃକ୍ଷକୁ ଦ୍ଵିଜ କୁହାଯାଇଛି  ।

ଏବେ ପ୍ରଶ୍ନକୁ ଫେରିଵା ସବୁ ଅଣ୍ଡଜମାନଙ୍କୁ ଦ୍ଵିଜ କୁହାଯାଇପାରେ କି ?

ଶାବ୍ଦିକ ଅର୍ଥ ଦୃଷ୍ଟିରୁ ସବୁ ଅଣ୍ଡଜ ଦ୍ଵିଜ ପଦଵାଚ୍ୟ । ସେଥିପାଇଁ ତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସର୍ପରାଜ ଅନନ୍ତ ଵା ଵାସୁକୀଙ୍କୁ ଦ୍ଵିଜପତି ଓ ଦ୍ଵିଜରାଜ କୁହାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଶ୍ରେଷ୍ଠ ବ୍ରାହ୍ମଣ,ଚନ୍ଦ୍ର, ପକ୍ଷୀରାଜ ଗରୁଡ଼ ଓ କର୍ପୂରକୁ ଦ୍ଵିଜପତି  କୁହାଯାଏ । ଵାସୁକୀ ଵା ଅନନ୍ତ ସର୍ପମାନଙ୍କ ରାଜା ଏଵଂ ପକ୍ଷୀମାନଙ୍କ ପରି ସର୍ପମାନେ ମଧ୍ୟ ଅଣ୍ଡଜ ‌।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...