ସିଂହଳୀ ଏକ Insular Indo-Aryan ଭାଷା । ଭାରତକୁ ଲାଗିକରି ଥିଵା ଦ୍ଵୀପ ଯଥା ମାଳଦ୍ଵୀପ ଓ ଶ୍ରୀଲଙ୍କାରେ ବୋଲାଯାଉଥିଵା ଇଣ୍ଡିକ୍ ଭାଷାଗୁଡି଼କୁ insular ଵା ଦ୍ଵୀପୀୟ ଆର୍ଯ୍ୟଭାଷା କୁହାଯାଏ ।
ଦ୍ଵୀପୀୟ ଆର୍ଯ୍ୟଭାଷା ସମୂହ ଅତି ଛୋଟ ଏଵଂ ଦୁଇଭାଗରେ ଵିଭକ୍ତ ।
(କ)ସିଂହଳୀ
(ଖ)ମାଳଦ୍ଵୀୟୀୟ ଭାଷା ଯଥା— Dhivehi ଓ Mahl ଇତ୍ୟାଦି
ସିଂହଳୀର ପ୍ରାରମ୍ଭିକ ରୂପ ଥିଲା ଇଲୁ ଭାଷା ଏଵଂ ଏହା ଓଡ଼ିଶାର ପାଲୀ ଭାଷାଦ୍ଵାରା ଵିଶେଷ ଭାବରେ ପ୍ରଭାଵିତ ହୋଇଥିଲା । କେହି କେହି ଗଵେଷକ ପାଲୀ ଭାଷାର ପରିଵର୍ତ୍ତିତ ରୂପ ଇଲୁ ଭାଷା ବୋଲି ମତ ଦିଅନ୍ତି ।
ତେବେ ଏହି ସିଂହଳୀ ଭାଷାରେ ଥିଵା ଅଧିକାଂଶ ଶବ୍ଦର କୌଣସି ନା କୌଣସି ସମୋଦ୍ଧୃତ ରୂପ ଓଡ଼ିଶାରେ ପ୍ରଚଳିତ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଦୃଶ୍ୟ ହୋଇଯାଏ ।
ଉଦାହରଣ ସ୍ୱରୂପ ସିଂହଳୀରେ ଶବ୍ଦଟିଏ ଅଛି බුත්(න)/ବୁତ୍(ନ) ଏଵଂ ଏହାର ତିନୋଟି ମଧ୍ୟରେ ଗୋଟିଏ ମୁଖ୍ୟ ଅର୍ଥ ହେଉଛି ଵୃକ୍ଷ ମୂଳ ଵା ଚେର ।
ସଂସ୍କୃତ ଭାଷାର ବୁଧ୍ନ ଶବ୍ଦ ସହିତ ଏହି ଶବ୍ଦଟି ସମୋଦ୍ଧୃତ । ସଂସ୍କୃତ ଭାଷାର ବୁଧ୍ନ ଶବ୍ଦକୁ ବୁଧ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ବୁଧ୍ନ ଶବ୍ଦର ଦୁଇଟି ଅର୍ଥ
(କ)ଵୃକ୍ଷ ମୂଳ
(ଖ)ଶିଵ
ଯେମିତି ଵୃକ୍ଷର ମୂଳ ଆରମ୍ଭ ଚେରରୁ ଠିକ୍ ସେହିପରି ସଂସାରର ସମସ୍ତ ଜ୍ଞାନର ମୂଳ ଶିଵ ଭଗଵାନ ବୋଲି ଏହାଙ୍କୁ ସଂସାରମୂଳ ଵିଚାର କରି ବୁଧ୍ନ କୁହାଯାଏ ।
ଏହି ତତ୍ସମ ବୁଧ୍ନ ଶବ୍ଦଟି ପଶ୍ଚିମ ଓଡ଼ିଶାରେ
ବୁନ୍ଦ,ବୁନ(ମୂଳ),ବୁନ୍ଧ ଓ ବୁଂଧ ଆଦି ରୂପରେ ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରଚଳିତ ।
ପାଶ୍ଚାତ୍ୟ ଭାଷାଵିଦମାନେ ବୁଧ୍ନ ଶବ୍ଦକୁ ପ୍ରାକ୍ ଭାରୋ ଇରାନୀୟ *bʰudʰnás (“bottom”) ଓ ପ୍ରାକ୍ ଭାରୋପୀୟ *bʰudʰ-nó-s (“bottom”) ସହିତ ସମୋଦ୍ଧୃତ ବୋଲି ମତ ଦିଅନ୍ତି । ଏ ଦୃଷ୍ଟିରୁ Avestan ଭାଷାର 𐬠𐬏𐬥𐬀 (būna), ପାର୍ସୀ ଭାଷାର بن (bon, “bottom”), ପ୍ରାଚୀନ ଗ୍ରୀକ୍ ଭାଷାର πυθμήν (puthmḗn, “bottom”), ଲାଟିନ୍ ଭାଷାର fundus (“bottom”) ଓ ପ୍ରାଚୀନ ଇଂରାଜୀ ଭାଷାର botm, bodan ତଥା ଆଧୁନିକ ଇଂରାଜୀ ଭାଷାର bottom ଶବ୍ଦ ସହିତ ଏହି ବୁଧ୍ନ ଶବ୍ଦର ସମ୍ପର୍କ ରହିଛି ।
ଆମେ ସମସ୍ତେ ଇଂରାଜୀ bottom ଶବ୍ଦର
ଅର୍ଥ ଜାଣନ୍ତି ଯେ ଏ ଶବ୍ଦଟି ମୂଳ,ତଳ,ନିମ୍ନଭାଗ ତଥା ଆଧାର ଅର୍ଥରେ ପ୍ରୟୋଗ ହୋଇଥାଏ । ତେଣୁ ଇଂରାଜୀଠାରୁ ଆରମ୍ଭ କରି ପ୍ରାଚୀନ ଗ୍ରୀକ୍ ଯାଏଁ ପ୍ରାୟ ଅଧିକାଂଶ ଭାରୋପୀୟ ଭାଷାରେ ବୁଧ୍ନ ଶବ୍ଦ ସହିତ ସମୋଦ୍ଧୃତ ଶବ୍ଦ ଚଳୁଅଛି ।
ଅସ୍ତୁ ଚେର ଶବ୍ଦଟି ଓଡ଼ିଶାରେ ଲୋକପ୍ରିୟ ହେଇଥିଵାରୁ ଓଡ଼ିଶାର ଅନେକ ଅଂଶର କଥିତ ଶୈଳୀରେ ତତ୍ସମ ବୁଧ୍ନ ଶବ୍ଦକୁ ସେତେ ଗୁରୁତ୍ବ ଦିଆଯାଇନି । କିନ୍ତୁ ସମୋଦ୍ଧୃତ ରୂପ ହେଲେହେଁ ବୁନ୍ଦ,ବୁନ(ମୂଳ),ବୁନ୍ଧ ଓ ବୁଂଧ ଇତ୍ୟାଦି ଶବ୍ଦକୁ ଅଵିଭକ୍ତ ସମ୍ବଲପୁର ଵା ହୀରାଖଣ୍ଡଵାସୀ ବଞ୍ଚେଇ ରଖିଛନ୍ତି ।
ଏହା ତ ଉଦାହରଣ ମାତ୍ର ସମ୍ବଲପୁରୀ ଶୈଳୀରେ ଏହିପରି ସହସ୍ରାଧିକ ପ୍ରାଚୀନ ଶବ୍ଦ ରହିଛି ଏଵଂ ସମ୍ବଲପୁରୀ କାହିଁକି ଶାସ୍ତ୍ରୀୟ ଓଡ଼ିଆ ଭାଷାର ସମସ୍ତ ଶୈଳୀରେ ରହିଛି ପ୍ରାଚୀନ ଓଡ଼ିଆ ଶବ୍ଦ ଯେଉଁ ଶବ୍ଦଗୁଡ଼ିକୁ ଆଧୁନିକ କଵି ଲେଖକମାନେ ସାହିତ୍ୟରେ ପ୍ରୟୋଗ କରିଵାକୁ କୁଣ୍ଠାବୋଧ କରନ୍ତି ।
©ଶିଶିର ସାହୁ ମନୋଜ
No comments:
Post a Comment