Friday, May 20, 2022

ହଜିଯାଇଛି "ଠାକୁ ଯିଵା/ଠାଆକୁ ଯିଵା" ଭଳି ଅନେକ ନିଆରା ଓଡ଼ିଆ ଶବ୍ଦ

ଲିଖିତ ଓଡ଼ିଆ ଭାଷା ଵା ବହିଭାଷାରେ ଅତ୍ୟଧିକ ତତ୍ସମ ଶବ୍ଦ ପ୍ରୟୋଗ ଯୋଗୁଁ ଏଵଂ ସାମିଲ୍, ମୁସ୍କିଲ,ଖୋଜ୍ ,ଦିୱାନା ଓ ଦିଲ୍ ଭଳି ସହସ୍ର ସହସ୍ର ଵୈଦେଶିକ ଶବ୍ଦ ପ୍ରୟୋଗ ଯୋଗୁଁ ଓଡ଼ିଆ ଭାଷାରେ ପୂର୍ଵେ ପ୍ରଚଳିତ ଥିଵା ଦେଶଜ ଶବ୍ଦଗୁଡ଼ିକ କ୍ରମଶଃ ହଜି ଯାଉଛି ‌ ।

ଲିଖିତ ଓଡ଼ିଆ ଭାଷା ଵା ବହିଭାଷାକୁ ଶବ୍ଦ ଯୋଗାଉଥିଵା କଥିତ ଶୈଳୀର ଵିଶାଳ ଶବ୍ଦ ସମ୍ଭାରକୁ ଆଞ୍ଚଳିକ ,ଅସଭ୍ୟ ଵା ଅଶ୍ଳୀଳ ତଥା ଅଶୁଦ୍ଧ ଵିଚାର କରି ଵର୍ତ୍ତମାନର ଓଡ଼ିଆ ଭାଷାଭାଷୀମାନେ ନିଜ ମାନକ ଓଡ଼ିଆ ଭାଷାର କଳେଵରକୁ ସୀମିତ ଓ ଶୁଷ୍କ କରିଦେଇଛନ୍ତି ।

ତେବେ ଆଜକୁ ଦୁଇଶହ ଅଢ଼େଇଶହ ଵର୍ଷ ତଳେ ଫକୀରମୋହନ ସେନାପତି ଏହି ଭାଵଧାରାର ଵିପରୀତ ଵିଚାର କରି କେତେକ ଦେଶୀୟ ଶବ୍ଦକୁ ସାହିତ୍ୟ କ୍ଷେତ୍ରରେ ପ୍ରୟୋଗ କରିଥିଲେ ।

ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠ ଉପନ୍ୟାସରେ ଗୋଟିଏ ଓଡ଼ିଆ କ୍ରିୟା "ଠାକୁ ଯିଵା/ଠାଆକୁ ଯିଵା" ଵ୍ୟଵହାର କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ।  "ଠାକୁ ଯିଵା/ଠାଆକୁ ଯିଵା" କ୍ରିୟାର ଅର୍ଥ ଭୋଜନ କରିଵାକୁ ଯିଵା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ।

ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ ଛମାଣ ଆଠଗୁଣ୍ଠ ଉପନ୍ୟାସରେ ଏହି କ୍ରିୟାର ଏମନ୍ତ ପ୍ରୟୋଗ କରିଯାଇଛନ୍ତି...

"ସପ୍ତମୀ ଦିନ ଏକବାର ରାନ୍ଧ ବେଳବୁଡ଼େ ଠାକୁ ଯାଉଥିଲେ।"

ଆଗକାଳରେ ଏତେ ଭୋଜନାଳୟ ନଥିଲା ଲୋକେ ଗୃହ ଵା ବସା ଆଦି "ଠାକୁ ଵା ଠାଆ"କୁ ଭୋଜନାର୍ଥ ଯାଉଥିଲେ। ଏଠାରେ ଠାଆର ଅର୍ଥ ଭୋଜନସ୍ଥଳ ଅଟେ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠା/ଠାଆ ଶବ୍ଦର
ନିମ୍ନୋକ୍ତ ଅର୍ଥଗୁଡ଼ିକ ଲେଖାଅଛି

(କ)ସ୍ଥାନ

(ଖ)ଯାଗା; ଵ୍ୟଵଧାନ

(ଗ)ଭୋଜନସ୍ଥଳ

(ଘ)(ରାଜା ଆଦିଙ୍କ) ଭୋଜନ

(ଙ)ଭୋଜନ ସ୍ଥାନରେ ଭୋଜନ ପାତ୍ର ରଖାଯିଵା ପୂର୍ଵରୁ ଭୂମିରେ ମୁରୁଜ ଦ୍ବାରା ଅଙ୍କିମ ଚିତ୍ର

(ଚ)ଭୋଜନ ନିମନ୍ତେ ସ୍ଥାନ ଓ ଆସନ ଆଦି ପ୍ରସ୍ତୁତ କରିଵା

ଏହି ଶବ୍ଦ ଅନ୍ୟ ଶବ୍ଦ ଅନ୍ୟ ସଙ୍ଗରେ (ଯଥା—ଏ, ଏହି, ସେ, ସେହି, ତା, ତାହା, ମୋ, ତୁମ୍ଭ) ଵ୍ୟଵହୃତ ହେଲେ ସ୍ଥାନ,ପାଖ,ସମ୍ପର୍କ ଆଦି ଅର୍ଥ ବୁଝାଇଥାଏ।

ପୁନଶ୍ଚ "ଠା ଵା ଠାଆ" ଶବ୍ଦ ଏକ ଦେଶଜ ଅଵ୍ୟୟ ଭାବରେ ମଧ୍ୟ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ "(ଅମୁକ) ସ୍ଥାନର" ଅର୍ଥରେ ପ୍ରୟୋଗ ହୋଇଥାଏ ।

ତେବେ ମନରେ ପ୍ରଶ୍ନ ଆସେ ଠା ଵା ଠାଆ କାହିଁକି କୁହାଯାଉଥିଲା ?

ଏ ଦେଶରେ ଆଗେ ରାଜା ଆଦିଙ୍କୁ ଭୋଜନ ଦେଵା ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ 'ଠ' ଆକାରର ଗୋଲାକାର ଵୃତ୍ତ ମୁରୁଜ ଆଦି କାଟି ତହିଁ ମଧ୍ୟରେ ଖାଦ୍ୟ ପରଶା ଯାଉଥିଲା । ଆଜି ମଧ୍ୟ ଗ୍ରାମାଞ୍ଚଳରେ ଦେଵୀମାନଙ୍କୁ ଵିଶେଷତଃ ମଙ୍ଗଳା ଠାକୁରାଣିଙ୍କୁ ଭୋଗ ଅର୍ପଣ ସମୟରେ ଗୋଵରଦ୍ଵାରା ମାଆମାନେ ଠ ଆକାରର ଠାଆ ପ୍ରସ୍ତୁତ କରିଥାନ୍ତି । ରାଜା ଗଲେ ରାଜଶାସନ ମଧ୍ୟ ଧୀରେ ଧୀରେ ଶେଷ ହୋଇଗଲା । ତେବେ ଅନେକ ଵର୍ଷ ଯାଏଁ ଠା ଵା ଠାଆ ଶବ୍ଦଟି ଭୋଜନସ୍ଥଳ ଅର୍ଥରେ ପ୍ରୟୋଗ ହେଉଥିଲା ।

ଆଧୁନିକ ଯୁଗରେ ହୋଟେଲ ଭଳି ଶବ୍ଦ ପ୍ରୟୋଗ ହେଵା ଯୋଗୁଁ ପୁଣି ତହିଁର ଶାସ୍ତ୍ରୀୟ ଶବ୍ଦ ଭାବେ ଭୋଜନାଳୟ ଭଳି ଶବ୍ଦର ସୃଷ୍ଟି ହେଵା ଯୋଗୁଁ ଏକଦା ଓଡ଼ିଆ ଭାଷାରେ ଭୋଜନସ୍ଥାନ ଅର୍ଥରେ ପ୍ରଚଳିତ "ଠା ଵା ଠାଆ" ଶବ୍ଦ ଆଜି ଅପ୍ରଚଳିତ ହୋଇଯାଇଛି...

ଏହି ଜାତୀୟ ଦେଶଜ ଓଡ଼ିଆ ଶବ୍ଦଗୁଡ଼ିକୁ ଅଲୋଡ଼ା ଅନାଵଶ୍ୟକ ମନେ କରି ଓଡ଼ିଆ ଲୋକେ ଛାଡ଼ି ଦେଵା ଯୋଗୁଁ ସଂସ୍କୃତନିଷ୍ଠ ହିନ୍ଦୀ ତଥା ସଂସ୍କୃତନିଷ୍ଠ ଓଡ଼ିଆ ମଧ୍ୟରେ ସମାନତା ବଢି଼ଵା ଦେଖି ଓଡ଼ିଶାର ଯୁବପିଢ଼ି ଓଡ଼ିଆ ଭାଷାକୁ ହିନ୍ଦୀ ଭଳି ଏକ ସାଧାରଣ ଭାଷା ବୋଲି ଧରିନିଅନ୍ତି । ଏଣେ ହିନ୍ଦୀଭାଷୀ ତଥା ଓଡ଼ିଶାର ଵିଚ୍ଛିନ୍ନତାଵାଦୀମାନେ ମଧ୍ୟ ଓଡ଼ିଆ ଭାଷାକୁ ଏହି ଆଧାରରେ ଏକ ସାଧାରଣ ଭାଷା ବୋଲି ଜ୍ଞାନ କରୁଅଛନ୍ତି । ଓଡ଼ିଆ ଭାଷାର ଦେଶୀୟ ଶବ୍ଦଗୁଡ଼ିକୁ ବଞ୍ଚାଇଵାକୁ ହେଲେ ସେସବୁ ଶବ୍ଦସମ୍ଭାରକୁ ଅଧିକରୁ ଅଧିକ ସାହିତ୍ୟ ତଥା କଥିତ ଭାଷାରେ ପ୍ରୟୋଗ କରାଯିଵା ଆଵଶ୍ୟକ ।

© ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...