Monday, June 12, 2023

Busyର ଓଡ଼ିଆ ପ୍ରତିଶବ୍ଦ

Busy ପାଇଁ ଓଡ଼ିଆ ପ୍ରତିଶବ୍ଦ ରୂପେ ମୁଖ୍ୟତଃ #ଵ୍ୟସ୍ତ ଶବ୍ଦ ଵ୍ୟଵହାର କରାଯାଏ । ଓଡ଼ିଶାର ପୂର୍ଵାଞ୍ଚଳର କଥିତ ଓଡ଼ିଆ ଭାଷାରେ ଏ ଶବ୍ଦ #ବେସ୍ତ‌ ରୂପେ ମଧ୍ୟ କଥିତ ହୋଇଥାଏ । 

ଅତି କାର୍ଯ୍ୟଵ୍ୟସ୍ତ ହେଵାକୁ ଆମ ଭାଷାରେ #ଝଜକା କୁହାଯାଏ ତେବେ ଝଜକା ଶବ୍ଦଟି ଏକ ବହୁଅର୍ଥଵାଚକ ଓଡ଼ିଆ ଶବ୍ଦ ଏଵଂ ଏହା ଧନ୍ଦକା,ଛାନିଆ,କିଂକର୍ତ୍ତବ୍ଯବିମୂଢ଼ ଓ ଭୟତ୍ରସ୍ତ ଅର୍ଥରେ ବି ପ୍ରୟୋଗ କରାଯାଏ ।
ତଡ଼୍ ତଡ଼୍ ଓ ତଡ଼୍ ବଡ଼ି ମଧ୍ୟ କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଵ୍ୟଵହୃତ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଗଞ୍ଜାମଵାସୀ ତଡ଼ାତାବୁଡ଼ ଶବ୍ଦ busy,ଧନ୍ଦା ଓ କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଵ୍ୟଵହାର କରୁଥିଲେ । କାର୍ଯ୍ୟଵ୍ୟସ୍ତତା ଅର୍ଥରେ ଓଡ଼ିଆ ଭାଷାରେ ଧନ୍ଦା ଓ ଧନ୍ଦକି ହେଵା ଭଳି କ୍ରିୟା ଶବ୍ଦ ବି ରହିଛି । ଅତି କାର୍ଯ୍ୟଵ୍ୟସ୍ତତାକୁ ଧନ୍ଦାଳି ହେଵା ମଧ୍ୟ କୁହାଯାଏ । ପ୍ରାଚୀନ ସାହିତ୍ୟରେ ଏ ଶବ୍ଦର କାର୍ଯ୍ୟ ଵ୍ୟସ୍ତ ଅର୍ଥରେ ପ୍ରୟୋଗ କରାଯାଇଛି । 

“ହୀନଭାଗ୍ୟ ଲୋକ ବିହି କି ମିଛେ ନିନ୍ଦି
ଏ ସଂସାର ମାୟାରେ ହେଉଥାଏ ଧନ୍ଦି।” (କୃଷ୍ଣସିଂହ. ମହାଭାରତ. ଶାନ୍ତି।)

ପୁଣି କୌଣସି କାର୍ଯ୍ୟରେ ଵା ଚିନ୍ତାରେ ସର୍ବଦା ମଗ୍ନ ରହିଵାକୁ ଲକ୍ଷଣାର୍ଥ ବୁଡ଼ିରହିଵା ବି କୁହାଯାଏ । ଅର୍ଥାତ୍ ବୁଡ଼ି ରହିଵା କ୍ରିୟାଟି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ busy ଵା ଵ୍ୟସ୍ତ ଅର୍ଥରେ ପ୍ରୟୋଗ କରାଯାଏ । 

ପୁଣି ରଞ୍ଜାଳିଆ ଶବ୍ଦଟି ‘କ୍ଷୁଧାର୍ତ୍ତ’ ଛଡ଼ା “କାର୍ଯ୍ୟରେ ଅତି ଵ୍ୟସ୍ତ” ଅର୍ଥରେ ବି ଵ୍ୟଵହାର କରାଯାଏ । ଆମ ଭାଷାରେ ଯେତେବେଳେ ମନୁଷ୍ୟ ନାନା କାର୍ଯ୍ୟରେ ବ୍ୟସ୍ତ ଥାଏ ସେହି ସମୟକୁ ରଞ୍ଜାଳିଆ ବେନ କୁହାଯାଏ । ଵ୍ୟତିଵ୍ୟସ୍ତ ହେଵା, ଦହଗଞ୍ଜ ହେଵା, ଅତ୍ୟନ୍ତ କାର୍ଯ୍ୟଵ୍ୟସ୍ତ ହେଵା ଓ ଵ୍ୟସ୍ତ ହୋଇ ଖୋଜିଵାକୁ ରଞ୍ଜାଳି ହେଵା କୁହାଯାଏ । ଏତଦଵ୍ୟତୀତ ଅର୍ଦଉଳି,ଉଠିଆ(ବେପାରରେ ଵ୍ୟସ୍ତ ସମୟ),କାର୍ଯ୍ୟଵ୍ୟସ୍ତ,କାମରେ ଲାଗିଵା,କାମରେ ଥିଵା,ଗଞ୍ଜି ହେଵା,ଆକୁଳ,ଆତୁରିଆ,ଆଲ୍ରା(ଗଞ୍ଜାମ; ଵ୍ୟସ୍ତତା), ଉଚ୍ଛନ୍ନ,କଚ୍କଚ୍ ହେଵା,କାଉଳା,କିଲିବିଲି,ଘିଚି ହେଵା,ଝଞ୍ଜଟ,ଝଞ୍ଜଟିଆ,ତରସ୍ତ,ତ୍ୟକ୍ତ ଵିରକ୍ତ(ଅତ୍ୟନ୍ତ ଵିରକ୍ତ ଓ ଵ୍ୟସ୍ତ),ଦହଗଞ୍ଜ,ଧନ୍ଦୋଳ,ନିରଵସର,ପରିଦୀନ,ପିତି ପିତେଇଵା(କ୍ଷୁଧାତୁର ହୋଇ ଅତି ଵ୍ୟସ୍ତ ହେଵା),ପ୍ରାଣ ଖାଇଵା(ଵ୍ୟସ୍ତ କରିଵା),ଵିକଳ,ଵିକଳ ହେଵା,ଵିଥେଇ,ଵିହସ୍ତ,ଵ୍ୟଗ୍ର,ଵ୍ୟାକୁଳ ହେଵା, ଭାରାକ୍ରାନ୍ତ(ଗୁରୁ ଭାର ଦ୍ୱାରା ଆକ୍ରାନ୍ତ ଵା ଵ୍ୟସ୍ତ),ରୁବୁରୁଵା ହେଵା(ମନ ଵ୍ୟସ୍ତ ହେଵା), ହନ୍ତସନ୍ତ ,ହରବର,ହାଇଁ ପାଇଁ,ହାଉଜାଉ,ହାଙ୍କପାଙ୍କ ଓ ହାପୁ ହାପୁ ହେଵା ଭଳି ଵ୍ୟସ୍ତ ଓ ଵ୍ୟସ୍ତତାକୁ ପ୍ରକାଶ କରୁଥିଵା ଅନେକ ଓଡ଼ିଆ ଶବ୍ଦ ରହିଛି ‌। 

କିନ୍ତୁ ଆଜିର ଯୁଵପିଢ଼ି ନିଜ ଭାଷାର ଶହେ ଶବ୍ଦକୁ ଛାଡ଼ି ଇଂରାଜୀ ଭାଷାର busy ଭଳି ଏକ ଅଜ୍ଞାତକୁଳଶୀଳ(ଯେହେତୁ ଅନ୍ୟ ଭାରୋପୀୟ ଭାଷାରେ ଏହାର ସଗୋତ୍ରୀୟ ରୂପ ନାହିଁ) ଶବ୍ଦକୁ ଗଳାମାଳି କରି ରଖିଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...