ଅପାଣ୍ଡୁକ ଶବ୍ଦଟି ନିର୍ବୁଦ୍ଧିଆ,ବୋକା, ଅଯୋଗ୍ୟ ଓ ଅପଦାର୍ଥ(ଵ୍ୟକ୍ତି) ଅର୍ଥରେ ପ୍ରୟୋଗ କରାଯାଏ ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ମୂର୍ଖ ଶବ୍ଦ ସହିତ ସହଚର ଶବ୍ଦ ଭାବେ ଯୁକ୍ତ ହୋଇ ମଧ୍ୟ କଥିତ ହୁଏ
ଯଥା - ମୂର୍ଖ ଅପାଣ୍ଡୁକ କୋଉଠିକାର...
ଅପାଣ୍ଡୁକ ଶବ୍ଦକୁ ନେଇ ଓଡ଼ିଆ ଢଗଟିଏ ଅଛି ...
“ଝିଅ ଦୋଚାରୁଣୀ ମାଇପ ଚଣ୍ଡ
ପୁଅ ଅପାଣ୍ଡୁକ ବାପର ଦଣ୍ଡ”
ଏ ଅପାଣ୍ଡୁକ ଶବ୍ଦଟିର ଅନ୍ୟ ଏକ ଓଡ଼ିଆ ଶବ୍ଦ ଅପାଣ୍ଡୁ ସହିତ ସମ୍ପର୍କ ଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉକ୍ତ ଅପାଣ୍ଡୁ ଶବ୍ଦର ଅର୍ଥ ଲେଖାଅଛି ଅଯୋଗ୍ୟ,ଅସଭ୍ୟ,ଯାହାର ଵ୍ୟଵହାର ମାର୍ଜିତ ନୁହେଁ, ଓ କୁଳାଙ୍ଗାର ।
”ଏଡ଼େକ ସମ୍ଭର୍ଵ କରି ହୋଇଲା ଅପାଣ୍ଡୁ”(ପୀତାମ୍ବର, ନୃସିଂହପୁରାଣ।)
ପୁଣି ଅପାଣ୍ଡୁକ ଓ ଅପାଣ୍ଡୁ ଶବ୍ଦର ସମ୍ପର୍କ ଅପାଣ୍ଡଵ ଓ ଅପାଣ୍ଡଵା ଶବ୍ଦ ସହିତ ଥାଇପାରେ ।
ଯେଉଁ ଦେଶରୁ ପାଣ୍ତବମାପେ ତାଡ଼ିତ ଵା ନିର୍ଵାସିତ ସେ ପାଣ୍ତଵଶୂନ୍ୟ ଦେଶ) ଅପାଣ୍ଡଵ ଦେଶ ବୋଲାଏ । ପାଣ୍ଡଵମାନେ ଧାର୍ମିକ,ସଦାଚାରୀ, ପରୋପକାରୀ ଥିଲେ ଓ ସମାଜ କଲ୍ୟାଣ ହେତୁକ କାର୍ଯ୍ୟ କରୁଥିଲେ ଫଳତଃ ଲକ୍ଷଣାର୍ଥ ପାଣ୍ଡଵଙ୍କ ଭଳି ଉତ୍ତମ ଲୋକ ଯେଉଁ ରାଜ୍ୟରୁ ଵିତାଡ଼ିତ ହୁଅନ୍ତି,ଦଣ୍ଡିତ ହୁଅନ୍ତି ସେ ଦେଶକୁ ଅପାଣ୍ଡଵ ଦେଶ କୁ଼ହାଯାଉଥିଲା ।
ପୁନଶ୍ଚ ଯେଉଁ ଦେଶକୁ ପାଣ୍ତବମାନେ ଯାଇ ନାହାନ୍ତି ସେ ଦେଶର ଆଚାର ଵ୍ୟଵହାର ମାର୍ଜିତ ନୁହେଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା ଫଳତଃ ସେଭଳି ଭୂଭାଗକୁ ଅପାଣ୍ତଵ ଵା ଅପଣ୍ଡଵା ଭୂମି କୁହାଯାଉଥିଲା ।
ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ଏହି ଅର୍ଥରେ ଅପାଣ୍ଡଵ ଶବ୍ଦ ପ୍ରୟୋଗ କରାଯାଇଛି
“ଯୁଦ୍ଧେ ସକଳ ବୀର ମାରି,
ଏ ଭୂମି ଅପାଣ୍ଡଵ କରି।”
ଆଗେ ଅପାଣ୍ଡବା ଶବ୍ଦ ଅଲାଜୁକ ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଉଥିଲା । ଅଵଶ୍ୟ ଅଧୁନା ଏ ଶବ୍ଦ ଆଉ ସେତେ ଶୁଣିଵାକୁ ମିଳୁନି । କେତେକ ଏହି ଅପାଣ୍ଡଵା ଶବ୍ଦକୁ ଭାଙ୍ଗିକିରି କହନ୍ତି - ଏଡ଼େ ଅଲାଜୁକଟାଏ , ତମ ଘରବାଟେ ଟିକେ ପାଣ୍ଡଵ ଯାଇ ନ ଥିଲେ ?
କଥା ପ୍ରସଙ୍ଗରେ ଏହା ଵ୍ୟଵହାର କରାଯାଏ । ଉଦାହରଣ ସ୍ୱରୂପ ଥରେ ଜଣେ ପିଲା ଦଶମ ଶ୍ରେଣୀର ଆଉ ଗୋଟିଏ ପିଲା ଉପରେ ଵିରକ୍ତ ହୋଇ ତାକୁ ଗାଳି ଦେଇ କହିଲା - “ଏଡ଼େ ଅଲାଜୁକଟା ତୁ , ତମ ଘର ବାଟେ ଟିକେ ପାଣ୍ଡଵ ଯାଇ ନ ଥିଲେ ?”
ସାଙ୍ଗେ ସାଙ୍ଗେ ଆଉ ଗୋଟିଏ ପିଲା ଠିଆ ହୋଇ କହିଲା- “ସାର୍ , ମୋ ବାପା ନାଁ ଵା ପାଣ୍ଡଵ , ତାଙ୍କ ଘରବାଟେ ସବୁବେଳେ ଯିଵାସିଵା କରୁଛନ୍ତି ।” ଏହିକଥା ଶୁଣି ସମସ୍ତେ ହସି ଉଠିଲେ ଯେ ଯୋଉ ପିଲାଟି “ତୁମ ଘର ଆଡ଼େ କ'ଣ ପାଣ୍ଡଵ ଯାଇନାହାନ୍ତି” ବୋଲି କହିଥିଲା ତା ରାଗ ବି ହସରେ ଉଭେଇ ଗଲା ।
ସେ ଯାହାହେଉ ବହୁତ ସମ୍ଭଵ ଏହି ଅପାଣ୍ଡ,ଅପାଣ୍ଡୁ,ଅପାଣ୍ଡକ,ଅପାଣ୍ଡୁକ,ଅପାଣ୍ଡୁକା ଇତ୍ୟାଦି ଅଯୋଗ୍ୟ,ଅସଭ୍ୟ ଓ ବୋକା ଆଦି ଅର୍ଥଯୁକ୍ତ ଶବ୍ଦଗୁଡି଼କ ଏହି ଅପାଣ୍ଡଵ ଵା ଅପାଣ୍ଡଵା ଶବ୍ଦ ମୂଳର ହୋଇଥାଇପାରେ ।
No comments:
Post a Comment