ଏହାପରେ ଭାରତରେ ମୂଳ ଅର୍ଥକୁ ଓ ମୂଳ ନିରୁକ୍ତିକୁ ଭୁଲି ଲୋକେ ଦମ୍ପତି ଶବ୍ଦର ନିରୁକ୍ତି “ଜାୟା ଓ ପତି ଯୁକ୍ତ ହୋଇ ଦମ୍ପତି ” ଶବ୍ଦ ସୃଷ୍ଟି ହୋଇଛି ବୋଲି ଧରି ବସି ପଡ଼ିଲେ । ଏହା ଉପରେ ଆଉ କେହି ଅଧିକ ଗଵେଷଣା କଲେ ନାହିଁ କାରଣ ସେ ଯୁଗରେ ଭାରତ ବାହାରେ ଅନ୍ୟ ଭାରୋପୀୟ ଭାଷାଗୁଡ଼ିକରେ ଥିଵା ସଗୋତ୍ରୀୟ ଶବ୍ଦଗୁଡି଼କୁ ନେଇ ତୁଳନାତ୍ମକ ଵ୍ୟାଖ୍ୟାର ପରମ୍ପରା ନଥିଲା ।
ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ ଦମ୍ପତି ଶବ୍ଦର ନିରୁକ୍ତି ଲେଖାଅଛି “ଜାୟା ଚ ପତିଶ୍ଚ । ରାଜଦନ୍ତାଦିଗଣେ ପାଠାତ୍ ଜାୟାୟା ଦମ୍ଭାଵୋ ଵା ନିପାତ୍ଯତେ ।” ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ ଦ୍ୱନ୍ଦ୍ୱ ସମାସ ଅନୁସାରେ ନିପାତନସିଦ୍ଧ ହୋଇ ଜାୟା ଓ ପତିରୁ ଦମ୍ପତି ହେଇଛି ତଥା ଏହାର ଅନ୍ଯରୂପ ଜମ୍ପତି ଓ ଜାୟାପତି ଅଟେ ।
ତେବେ ଭାରୋପୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ଦମ୍ପତି ସହିତ ଅନେକ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ରହିଛି । ଆଧୁନିକ ପ୍ରାକ୍ ଭାରୋପୀୟ ଧାତୁ ଵ୍ୟାଖ୍ୟା ଦୃଷ୍ଟିରୁ ଦେଖିଲେ ଦମ୍ପତି ଵା ଦମ୍ପତୀ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ସମ୍ପୂର୍ଣ୍ଣ ଭିନ୍ନ ଜଣାପଡ଼ିଯାଏ ।
ଆଧୁନିକ ଭାଷାଵିଦମାନେ ଦମ୍ପତି ଶବ୍ଦର ପ୍ରାକ୍ ଇଣ୍ଡିକ୍ ରୂପ *dáms-patiṣ , ପ୍ରାକ୍ ଭାରୋଇରାନୀୟ ରୂପ *dáms-patiš ଓ ପ୍ରାକ୍ ଭାରୋପୀୟ ଶବ୍ଦରୂପ *déms pótis (“master of the house”) ନିର୍ଣ୍ଣୟ କରିଛନ୍ତି ।
ଦମ୍ପତି ଆଦି ଶବ୍ଦର ନିର୍ଣ୍ଣିତ ମୂଳ ଭାରୋପୀୟ ଶବ୍ଦ *déms pótisରେ ଦୁଇଗୋଟି ଶବ୍ଦ ଅଛି : *dṓm (“ଘର”) ଓ *pótis (“ପ୍ରଭୁ,କର୍ତ୍ତା”) ।
ପତି ଓ ପତ୍ନୀ ଗୋଟିଏ ଗୃହର ସବୁ କାର୍ଯ୍ୟକୁ କର୍ତ୍ତା-କର୍ତ୍ତୀ ଭାବେ ତୁଲାଇଥାନ୍ତି ବୋଲି ଭାରତର୍ଷରେ ଵିଵାହିତ ଯୁଗଳଙ୍କୁ ଦମ୍ପତି କୁହାଗଲା ।
ଯେମିତି ସଂସ୍କୃତ ଭାଷାରେ ଦମ ଶବ୍ଦର ଅର୍ଥ ଗୃହ ଵା ଘର ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ ବି ଆଗେ ଗୃହକୁ δόμος (dómos) କୁହାଯାଉଥିଲା । ପୁଣି ଭାରତରେ ପ୍ରଚଳିତ 'ପତି' ଭଳି ପ୍ରାଚୀନ ଗ୍ରୀକ୍ରେ πόσις (pósis) ଶବ୍ଦଟି ସ୍ଵାମୀ,ପତି ଅର୍ଥରେ ଚଳୁଥିଲା ।
ଭାରତରେ ଯେମିତି ଦମ ଓ ପତି ଶବ୍ଦ ମିଶି ଦମ୍ପତି ରୂପେ ପ୍ରଚଳିତ ହୋଇଥିଲା ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ ବି δεσπότης(despótēs) ଶବ୍ଦଟି ଗୃହକର୍ତ୍ତା ,ଶାସକ ଆଦି ଅର୍ଥରେ ପ୍ରୟୋଗ କରାଯାଉଥିଲା । ପରେ ଏହି ମୂଳ ଗ୍ରୀକ୍ ଶବ୍ଦରୁ ଲାଟିନ ଭାଷାରେ despota ଶବ୍ଦ ସୃଷ୍ଟି ହୋଇଥିଲା ପୁଣି ସେହି despota ଶବ୍ଦଟି ଫ୍ରେଞ୍ଜ୍ ଭାଷାରେ despote ରୂପେ ଚଳି ଶେଷରେ ଇଂରାଜୀ ଭାଷାରେ despot(ଶାସକ) ଭାବରେ ପ୍ରଚଳିତ ହେଲା ।
ଯେମିତି ସଂସ୍କୃତ ଭାଷାରେ ଦମ୍ପତି ଶବ୍ଦ ପ୍ରଚଳିତ ହୋଇଥିଲା ଠିକ୍ ସେହିପରି ଆଵେସ୍ତାନୀ ଭାଷାରେ ଆଗେ "𐬛𐬆𐬨𐬄𐬥𐬋.𐬞𐬀𐬚𐬥𐬍" (dəmąnō.paθnī) ଶବ୍ଦଟି ଗୃହ ପରିଚାଳିକା house keeper ଓ mistress ଅର୍ଥରେ ପ୍ରୟୋଗ କରାଯାଉଥିଲା । ସେହି ଆଵେସ୍ତାନୀ ଭାଷାରେ ପୁଣି 𐬛𐬇𐬧𐬔 𐬞𐬀𐬙𐬋𐬌𐬴 (də̄ṇg patōiṣ̌) ଶବ୍ଦଟି ଗୃହକର୍ତ୍ତା ଅର୍ଥରେ ଵ୍ୟଵହୃତ ହେଉଥିଲା । ଏମିତିକି ପ୍ରାଚୀନ ପାରସିକ ଭାଷାରେ ବି *damanfáti ବୋଲି ଏକ ଶବ୍ଦ ଗୃହକର୍ତ୍ତା ଅର୍ଥରେ ଚଳୁଥିଵା ଜଣାଯାଏ ।
ମଜାକଥା ହେଲା ପାରସ୍ୟ ଦେଶରେ ମହିଳାମାନଙ୍କୁ ଯେଉଁ ସମ୍ମାନଜନକ 'ବାନୁ' ସମ୍ବୋଧନ କରାଯାଏ (ଯଥା : ସାୟେରା ବାନୁ) ତାହାର ମଧ୍ୟ ଦମ୍ପତି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ।
*dáms-páθnīH-kah ଶବ୍ଦଟି *dbámspáynīka ହୋଇ ତତ୍ପରେ *bemoβáynak ରୂପ ଧାରଣ କରି ଶେଷକୁ *benowáynak ହେଲା ଏଵଂ କାଳାନ୍ତରରେ Ossetian ଭାଷାରେ бинойнаг (binojnag, “ମହିଳା”) ରୂପେ ପ୍ରଚଳିତ ହେଲା । ସୋଗୋଡ଼ିଆନ୍ ଭାଷାରେ ମଧ୍ୟ ଏହି ମୂଳରୁ βāman ଓ dβāmm(b)an/ ଶବ୍ଦ ସ୍ତ୍ରୀ ଓ ମହିଳା ଅର୍ଥରେ ଚଳିଲା ।
ଏପଟେ ପ୍ରାଚୀନ ଇରାନରେ ଦମ୍ପତି ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ମୂଳ ଇରାନୀୟ ଶବ୍ଦ *māna-pašnīଟି bānbišn(ରାଣୀ),bānūg(ମହିଳା) ଓ ଶେଷରେ بانو (bānū, “ମହିଳା”) ରୂପେ ଚଳିଵାକୁ ଲାଗିଲା ।
ତେଣୁ ହୁଏତ ସଂସ୍କୃତ ଭାଷାର ପରଵର୍ତ୍ତୀ କାଳୀନ ଵ୍ୟାକରଣରେ ଦମ୍ପତି ଶବ୍ଦର ନିରୁକ୍ତି ଜାୟା ଓ ପତିରୁ ଦମ୍ପତି ଲେଖାଯାଇଥାଇପାରେ କିନ୍ତୁ ଶବ୍ଦ ଵ୍ୟୁତ୍ପତ୍ତି ଵିଜ୍ଞାନ ଦୃଷ୍ଟିରୁ ଦମ ଓ ପତି ଶବ୍ଦରୁ ଦମ୍ପତି ଶବ୍ଦ ଗଠନ ହୋଇଅଛି ବୋଲି ସ୍ପଷ୍ଟ ହୋଇଯାଏ । ଅତି ପ୍ରାଚୀନ କାଳରେ ହେଲେନିକ୍ ଓ ଇରାନୀୟ ଶାଖାରେ ଏ ଶବ୍ଦ ଚଳୁଥିଵାରୁ ଦମ୍ପତି ବହୁତ ପୁରାତନ ଶବ୍ଦ ବୋଲି ମଧ୍ୟ ସ୍ପଷ୍ଟ ହୋଇଯାଏ । ଦମ୍ପତି ଶବ୍ଦ ଭଳି ଦମ ଓ ପତି ଶବ୍ଦ ମଧ୍ୟ ବହୁତ ପ୍ରାଚୀନ ଭାରୋପୀୟ ଶବ୍ଦ।
ସଂସ୍କୃତ ଭାଷାରେ ଘରକୁ 'ଦମ',ଗ୍ରୀକ୍ରେ δόμος (dómos),ଆଵେସ୍ତାନୀର 𐬛𐬀𐬨- (dam-),ପ୍ରାକ୍ ସ୍ଲାଵିକ୍ରେ *dȍmъ, ପ୍ରାକ୍ କେଲ୍ଟିକ୍ ଭାଷାରେ *dāmā କୁ଼ହାଯାଉଥିଲା ।
ଆଜି ବି ପୃଥିଵୀର ଵିଭିନ୍ନ ଭାଷାରେ ଘରକୁ 'ଦମ' ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଶବ୍ଦ ଵ୍ୟଵହାର ପୂର୍ଵକ ଅଭିହିତ କରାଯାଉଛି।
ଉଦାହରଣ ସ୍ୱରୂପ ...
ଆର୍ମେନିଅନ୍: տուն(tun)
ବେଲାଋଷିଅନ୍: дом(dom)
ବୁଲଗେରିଅନ୍: дом(dom)
ଚେକ୍: dům
ଏସପ୍ରାନ୍ତୋ : domo
କାଶୁଵିଅନ୍: dóm
ଲାଟିନ: domus
ଲାଟଵିଅନ୍: nams
ଲିଥୁଆନିଆ: namas
ସିରିଲିକ୍: домъ (domŭ)
ଗ୍ଲାଗୋଲିଟିକ୍: ⰴⱁⰿⱏ (domŭ)
ପୋଲିଶ୍: dom
ଋଷିଅନ୍: дом(dom)
ସାର୍ଡିନିଅନ୍: domu
ସ୍ଲୋଵାକ୍: dom
ସର୍ବିଅନ୍: dom
ୟୁକ୍ରେନିଅନ୍: дім(dim)
ଵୋଲାପୁକ୍: dom
ତେଣୁ ପ୍ରାଚୀନ ଭାରତରେ ଘରକୁ ଦମ କୁହାଯାଉଥିଲେ ବି ତାହାର ଉତ୍ସଟି ଭାରତୀୟ ଭାଷାଗୁଡି଼କରେ ସୀମିତ ହୋଇଯାଇଛି କିନ୍ତୁ ଅନେକ ୟୁରୋପୀୟ ଭାଷାରେ ଏ ଶବ୍ଦ ସାଧାରଣ କଥୋପକଥନରେ ଵ୍ୟଵହାର ହୋଇ ବଞ୍ଚି ରହିଛି ।
ସେହିପରି ସଂସ୍କୃତ 'ପତି' ଶବ୍ଦର ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ *pótis ନିର୍ଣ୍ଣୟ କରାଯାଇଛି। ଯେମିତି ଭାରତରେ 'ପତି' ଶବ୍ଦ ଅଛି ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ 'πόσις (pósis)' ଶବ୍ଦ ଚଳୁଥିଲା । ଆଵେସ୍ତାନୀ ଭାଷାରେ ମଧ୍ୟ ଆଗେ 𐬞𐬀𐬌𐬙𐬌 (paiti) ଶବ୍ଦଟି ସ୍ବାମୀ ଓ ମାଲିକ ଅର୍ଥରେ ଵ୍ୟଵହାର କରାଯାଉଥିଲା । ଲାଟିନ ଭାଷାର
possum,possō ଓ potis ଶବ୍ଦତ୍ରୟ ଏହି ମୂଳର ସଗୋତ୍ରୀୟ। ୟୁରୋପର ଅନ୍ୟତମ ଶୁଦ୍ଧ ଭାରୋପୀୟ ଭାଷା ଲିଥୁଆନିଆ ଭାଷାରେ ଆଜି ବି ସ୍ବାମୀ ଅର୍ଥରେ 'pàts' ଶବ୍ଦ ପ୍ରୟୋଗ କରାଯାଉଛି । ପୁଣି ସ୍ଵାମୀ,ପ୍ରଭୁ(ମାଲିକ) ଅର୍ଥଜ ମୂଳ ଭାରୋପୀୟ
ଶବ୍ଦ *pótisରୁ ହିଁ ଆର୍ମେନିଅନ୍ ଭାଷାରେ պետ (pet) ଶବ୍ଦଟି ମୁଖ୍ୟ ଓ ସେନାପତି ଅର୍ଥରେ ପ୍ରୟୋଗ କରାଯାଉଥିଲା । ପାର୍ସୀ ଭାଷାରେ ବି بد (-bad, -bed, -bod) ଶବ୍ଦଟି ପ୍ରଭୁ ଵା ମାଲିକ ଅର୍ଥରେ ପ୍ରୟୋଗ କରାଯାଏ ।
ମୋଟ ଉପରେ କହିଵାକୁ ଗଲେ ଦମ,ପତି ଓ ଦମ୍ପତି, ଏହି ତିନୋଟି ଯାକ ଶବ୍ଦ ପ୍ରାଚୀନ ଏଵଂ ଵିଭିନ୍ନ ଭାରୋପୀୟ ଭାଷାରେ ଏହି ଶବ୍ଦତ୍ରୟ ସହିତ ସମୋଦ୍ଧୃତ ଅନେକ ସଗୋତ୍ରୀୟ ଶବ୍ଦ ଚଳୁଥିଲା ଏଵଂ ଏବେ ବି ଚଳୁଅଛି ।
••••••••••••••••••••••••••
ଡ. କାଳିପ୍ରସନ୍ନ ଶତପଥୀଙ୍କର ଟିପ୍ପଣୀରୁ ଦମ୍ପତି ଶବ୍ଦର ଭାରତୀୟ ପାରମ୍ପରିକ ନିରୁକ୍ତି ମତଟି ଗୃହୀତ ହୋଇଛି 🙏
•••••••••••••••••••••••••••
No comments:
Post a Comment