Wednesday, December 6, 2023

•Marriage ଓ Wedding ମଧ୍ୟରେ ପ୍ରଭେଦ•


ପ୍ରଥମତଃ "Marriage" ଓ "Wedding" ଶବ୍ଦଦ୍ଵୟର ଅର୍ଥ ଭିନ୍ନ ।‌ Marriage ହେଉଛି ଆଇନଗତ ଏଵଂ ସାମାଜିକ ଅନୁଷ୍ଠାନ ଯାହା ଵ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ ଦୁଇ ଜଣ ଵ୍ୟକ୍ତିଙ୍କୁ ଏକ କରେ । ଏହା ଦୁଇ ଜଣଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ପ୍ରତିବଦ୍ଧତା, ଯାହା ସାଧାରଣତଃ ଆଇନ ଦ୍ୱାରା ସ୍ୱୀକୃତିପ୍ରାପ୍ତ, ଯାହା ଜୀଵନସାଥୀଙ୍କ ମଧ୍ୟରେ ଅଧିକାର ଓ ଦାୟିତ୍ୱ ସୃଷ୍ଟି କରେ । Marriage ହେଉଛି ଏକ ଦୀର୍ଘମିଆଦୀ ପ୍ରତିଶ୍ରୁତି ଯେଉଁଥିରେ ଆଇନଗତ, ଭାବନାତ୍ମକ ଓ ଆର୍ଥିକ ଦିଗ ଅନ୍ତର୍ଭୁକ୍ତ । ଏହା ଦୁଇ ଜଣଙ୍କ ମଧ୍ୟରେ ଏକ ଭାଗିଦାରୀ ଓ ଅଂଶୀଦାର ଜୀଵନକୁ ସୂଚିତ କରେ । ଅପରପକ୍ଷରେ Wedding ହେଉଛି ସେହି ସମାରୋହ ଓ ଉତ୍ସଵ ଯାହା ଵିଵାହର ଆରମ୍ଭକୁ ଚିହ୍ନିତ କରିଥାଏ । ଏହା ଏକ ନିର୍ଦ୍ଦିଷ୍ଟ ଘଟଣା ଯେଉଁଥିରେ ସାଧାରଣତଃ ରୀତିନୀତି, ପରମ୍ପରା ଏଵଂ ଵୈଵାହିକ କର୍ମକାଣ୍ଡ ଅନ୍ତର୍ଭୁକ୍ତ ଯାହା ସଂସ୍କୃତି ଏବଂ ଧର୍ମରେ ଭିନ୍ନ ଭିନ୍ନ ହୋଇଥାଏ । Wedding ହେଉଛି ଦମ୍ପତିଙ୍କ ଵିଵାହ ନିଷ୍ପତ୍ତିର ସର୍ଵସାଧାରଣ ସ୍ୱୀକୃତିର ଉତ୍ସଵ । ଏଥିରେ ଅଧିକାଂଶ ସମୟରେ ପରିଵାର, ବନ୍ଧୁ ଓ ପ୍ରିୟଜନ ଯୋଗ ଦିଅନ୍ତି ଯେଉଁମାନେ ଦମ୍ପତିଙ୍କ ମିଳନକୁ ଦେଖିଵା ଓ ସେମାନଙ୍କୁ ଭଵିଷ୍ୟତର ସୁଖମୟ ଜୀଵନ ଲାଗି ଉପଦେଶ ଓ ଆଶିର୍ଵାଦ ଦେଵା ପାଇଁ ଏକତ୍ରିତ ହୁଅନ୍ତି ।

ପୁଣି Marriage ଓ Wedding ମଧ୍ୟରେ ଶବ୍ଦ ଵ୍ୟୁତ୍ପତ୍ତି ସମ୍ବନ୍ଧୀୟ ପାର୍ଥକ୍ୟ ମଧ୍ୟ ରହିଛି । 

ମଧ୍ୟଯୁଗରେ ଇଂରାଜୀ ଭାଷାରେ ଫ୍ରେଞ୍ଚ୍ ଭାଷାର mariage ଶବ୍ଦଟି ଆସି ପ୍ରଥମେ ପ୍ରଚଳିତ ହୋଇଥିଲା । ଫ୍ରେଞ୍ଚ୍ ଭାଷାର ସେହି mariage ଶବ୍ଦଟି ମଧ୍ୟ Latin marītō (“marry”, verb, literally “give in marriage”), marītus (“lover”, “nuptial”) ଓ mas (“male, masculine, of the male sex”) ସହିତ ସମ୍ବନ୍ଧିତ । ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵୈଦିକ ସଂସ୍କୃତ ମର୍ଯ(ଓଟ,ଘୋଡ଼ା,ପ୍ରେମିକ,ପୁରୁଷ,ଯୁଵକ,ଵିଵାହ ଆଶାୟୀ ଯୁଵକ ଓ ମର୍ତ୍ତ୍ୟ) ସହିତ Marriage ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି। ଇଂରାଜୀ ଭାଷା ଏକ ଜର୍ମାନିକ ଭାଷା ଏଵଂ ଇଂରେଜମାନେ ଜର୍ମାନିକ ଜାତି । ଵିଵାହ ଅର୍ଥରେ ଜର୍ମାନିକ ଭାଷା ଇଂରାଜୀରେ ଆଗେ ଜର୍ମାନିକ୍ ମୂଳର 
sinsċipe ଶବ୍ଦଟି ଵ୍ୟଵହୃତ ହେଉଥିଲା । ମଧ୍ୟଯୁଗରେ ଫ୍ରେଞ୍ଚ୍ ମୂଳର mariage ଶବ୍ଦଟି କ୍ରମେ Marriage ରୂପେ ଚଳିଵାରୁ ଇଂରାଜୀ ଭାଷା ତାହାର ମୂଳ ସମାର୍ଥକ sinsċipe ଶବ୍ଦ ହରାଇଲା । 

କିନ୍ତୁ wedding ଜର୍ମାନିକ୍ ମୂଳର ଶବ୍ଦ ତେଣୁ ଏହାକୁ ଇଂରାଜୀ ଭାଷାର ମୌଳିକ ଶବ୍ଦ ମଧ୍ୟ କୁହାଯାଇପାରିଵ । ମଧ୍ୟଯୁଗରେ ଇଂରାଜୀ ଭାଷାରେ ଏହା wedding ଓ weddynge ଇତ୍ୟାଦି ରୂପେ ପ୍ରଚଳିତ ଥିଲା ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ ଥିଲା weddung (“betrothal, espousal”) । Wedding ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଧାତୁରୂପ wedʰ- (“to bind, lead”) ନିର୍ଣ୍ଣୟ କରାଯାଇଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଅନୁସାରେ ଭାରତୀୟ ଵଧୂ ଓ ଵୋହୂ ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଅଛି । 


No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...