ଡାହାଣ ହାତରେ ଭୋଜନ କରାଯାଏ ବୋଲି ଆମ ଅଞ୍ଚଳରେ ଭୁଜନୀ ହାତ କୁହାଯାଏ ଆଉ ଵାମ ହାତରେ ଡିବିରି ଧରିଵାରୁ ଵାମହାତକୁ ଡେବରୀ ହାତ କୁହନ୍ତି । କିନ୍ତୁ ଡେବିରି ଶବ୍ଦ ସମ୍ବନ୍ଧୀୟ ତାଙ୍କର ମତ ଵ୍ୟୁତ୍ପତ୍ତି ଇତିହାସ ଦୃଷ୍ଟିରୁ ଠିକ୍ ନୁହେଁ ।
ଏ ପ୍ରକାରର ଵ୍ୟୁତ୍ପତ୍ତି ମତକୁ Folk Etymology କୁହାଯାଏ ଯାହା False Etymologyର ପକାର ଭେଦ ଅଟେ । ଏହି Folk etymology ସମ୍ବନ୍ଧୀୟ ଧାରଣା ପ୍ରଥମେ ଜର୍ମାନ୍ ଭାଷାଵିଜ୍ଞାନୀ Ernst Förstemann ଦ୍ୱାରା ୧୮୫୨ ମସିହାରେ ପ୍ରସ୍ତାଵିତ ହୋଇଥିଲା। ସେ ଜର୍ମାନ୍ ଭାଷାରେ “Volksetymologie” ଶବ୍ଦଟି ପ୍ରଥମେ ଵ୍ୟଵହାର କରିଥିଲେ। ଏହା ଇଂରାଜୀର “folk etymology”ର ସିଧା ଅନୁଵାଦ ଵା loan translation ଅଟେ। Förstemann ଏହାକୁ ଜର୍ମାନ୍ ଭାଷାର ଲୋକପ୍ରିୟ ଵ୍ୟୁତ୍ପତ୍ତି ସମ୍ପର୍କରେ ଆଲୋଚନା କରିଵା ପାଇଁ ଵ୍ୟଵହାର କରିଥିଲେ ଏଵଂ ଏହାକୁ Etymology(ଵ୍ୟୁତ୍ପତ୍ତି)ର ଏକ ନିମ୍ନସ୍ତରୀୟ ପ୍ରାଥମିକ ରୂପ ବୋଲି ଵିଵେଚନା କରିଥିଲେ।
ତେଣୁ କୌଣସି ଶବ୍ଦର ପ୍ରକୃତ ଵ୍ୟତ୍ପତ୍ତି ମୂଳ ନଜାଣି ଲୋକମାନେ ତାହାକୁ ଜଣାଶୁଣା ଶବ୍ଦ ସହିତ ତୁଳନା କରି ନୂତନ ଵ୍ୟାଖ୍ୟା ଦେଇଥାନ୍ତି। ହଳଧର ମଧ୍ୟ
ଡେବରୀ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଅନ୍ଧାରରେ ବାଡ଼ି ବୁଲେଇ ଡିବିରି ଧରାଯିଵାରୁ ଡେବିରି ହୋଇଛି ବୋଲି ମତ ଦେଇଛନ୍ତି ।
ତାହେଲେ ଡେବିରି ଵା ଡେଭିରି ଶବ୍ଦର ପ୍ରକୃତ ଵ୍ୟୁତ୍ପତ୍ତି ଇତିହାସ କ’ଣ ତାହା ମଧ୍ୟ ଆମ୍ଭମାନଙ୍କର ଜାଣିଵା ଆଵଶ୍ୟକ ।
ପ୍ରାକୃତ ଭାଷାରେ ‘ḍavva(ଡଵ୍ଵ)’ ବୋଲି ଗୋଟିଏ ଶବ୍ଦ ଥିଲା ଯାହାର ଅର୍ଥ ‘ଵାମ’ ବା ‘ଵାମପାର୍ଶ୍ଵ’ ଥିଲା । ଏଇ ଶବ୍ଦର ଆଧୁନିକ ଓଡ଼ିଆ ରୂପ ଡେବରି ଓ ଡେଭିରି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନର୍ଙ୍କ ଦ୍ଵାରା ସଂକଳିତ A comparative dictionary of Indo-Aryan languagesର ୩୧୧ତମ ପୃଷ୍ଠାରେ ଉଲ୍ଲେଖ ଅଛି। ତେବେ ସାର୍ ଟର୍ନର୍ ଵାମ,ଵାମହସ୍ତ ଅର୍ଥଜ ପ୍ରାକୃତ ଶବ୍ଦ 'ଡଵ୍ଵ'ର ଵ୍ୟୁତ୍ପତ୍ତି ଦ୍ରାଵିଡ଼ ଭାଷାରୁ ହୋଇଥିଵାର ଉଲ୍ଲେଖ କରିଛନ୍ତି ।
ପ୍ରକୃତରେ ଗୋଟିଏ ପ୍ରୋଟୋ ଦ୍ରାଵିଡ଼ ଶବ୍ଦ *èḍ- ଥିଲା ଯାହା ଵାମ ଓ ଵାମହସ୍ତ ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଏହା ପ୍ରୋଟୋ-ସାଉଥ ଦ୍ରାଵିଡ଼ରେ *Iḍ- ରୂପେ ବିକଶିତ ହୋଇଥିଲା। ଏହି ମୂଳ ଶବ୍ଦ କାଳକ୍ରମେ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଵିସ୍ତୃତ ରୂପ ଗ୍ରହଣ କରିଛି, ଯାହା ଏହାର ଧ୍ଵନିଗତ ଓ ଅର୍ଥଗତ ଵିଵିଧତାକୁ ପ୍ରତିଫଳିତ କରେ।
T Burrow, T ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryର ପୃଷ୍ଠା ୪୪ ଅନୁସାରେ ଏହି ମୂଳ ଶବ୍ଦରୁ ତାମିଳରେ iṭai, iṭam (ବାମପାର୍ଶ୍ଵ), iṭattai ଓ iṭavaṉ (ବାମ ପାଖିଆ ବଳଦ) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ମଲୟାଲମରେ : iṭam, eṭam (ଵାମପାର୍ଶ୍ଵ),କନ୍ନଡ଼ରେ eḍa (ଵାମ, ଵାମପାର୍ଶ୍ଵ), eḍacu(ଵାମହାତିଆ ଅଵସ୍ଥା) ଶବ୍ଦ ବି ଏହି ମୂଳ ଦ୍ରାଵିଡ଼ ଶବ୍ଦରୁ ସୃଷ୍ଟି ହୋଇଛି । ତେଲୁଗୁ ଭାଷାର eḍama (ଵାମ, ଵାମପାର୍ଶ୍ଵ) ମଧ୍ୟ ଏହି ମୂଳର ଶବ୍ଦ ଅଟେ ।
ତେବେ ମୂଳ ପ୍ରାକ୍ ଦ୍ରାଵିଡ଼ ଶବ୍ଦ èḍଟି ଦକ୍ଷିଣ ମଧ୍ୟ ଦ୍ରାଵିଡ଼ ଭାଷାଗୁଡି଼କରେ ଆହୁରି ପରିଵର୍ତ୍ତିତ ହୋଇ Naikṛi ଭାଷାରେ ḍāva,ପରଜୀରେ ḍebri,ଗଦବାରେ ḍebri,ଗୋଣ୍ଡିରେ ḍema, demar ଓ ḍāvā,କୁଈ ଭାଷାରେ deba, debe ଓ debo ଓ କୁଵିଭାଷାରେ tebri,tēbri ଓ ṭebri ଇତ୍ୟାଦି ହୋଇଛି ତଥା ଡାହାଣ ଓ ଦକ୍ଷିଣ ହସ୍ତ ଅର୍ଥରେ ପ୍ରୟୋଗ କରାଯାଉଛି ।
ତେଣୁ କୁଈ,କୁଵି,ଗଦବା ଓ ପରଜୀ ଇତ୍ୟାଦି କଳିଙ୍ଗୀ ଦ୍ରାଵିଡ଼ ଭାଷାଗୁଡି଼କର ପ୍ରଭାଵରେ ଓଡ଼ିଆ ଭାଷାରେ ଵାମହସ୍ତକୁ ଡେବ୍ରି (ସମ୍ବଲପୁରୀ ଓଡ଼ିଆ) ଓ ଡେଭିରି(କଟକୀ ଓଡ଼ିଆ) କୁହାଯାଇଛି । ତେଣୁ ଡିବିରି ଧରିଵା ଯୋଗୁଁ ଵାମହସ୍ତର ନାଆଁ ଡିବିରି ହୋଇନାହିଁ ଵରଂ ଏହା ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଯାହା ଭାରତର ଵିଭିନ୍ନ ଭାଷାରେ ଵ୍ୟାପିଛି ।
ଆମେରକୀୟ ଭାଷାଵିତ Edward Sapirଙ୍କ ଭାଷାରେ “The history of a word is not a straight line but a tangled web, and those who guess at its path without evidence often weave fables.” ଅର୍ଥାତ୍ "ଗୋଟିଏ ଶବ୍ଦର ଇତିହାସ ଏକ ସରଳ ରେଖାରେ ଅଙ୍କିତ ହୋଇନପାରେ ବରଂ ଏହା ଏକ ଜଟିଳ ଜାଲ ଅଟେ । ଯେଉଁମାନେ ବିନା ପ୍ରମାଣରେ ଗୋଟିଏ ଶବ୍ଦର ମାର୍ଗ (ଵା ଵ୍ୟୁତ୍ପତ୍ତି ଇତିହାସ) ଅନୁମାନ କରନ୍ତି ସେମାନେ ଅନେକ ସମୟରେ କଳ୍ପନାର ଜାଲ ବୁଣନ୍ତି ।”
ଶବ୍ଦରେ ପାରଙ୍ଗମ ଵ୍ୟକ୍ତି ଏକ ଶବ୍ଦକୁ ଚାରି ପ୍ରକାରେ ଜାଣିଵା ଉଚିତ: ଏହା କିପରି ଉଚ୍ଚାରିତ ହୁଏ ନାହିଁ, ଏହା କିପରି ଉଚ୍ଚାରିତ ହୁଏ, ଏହା ପ୍ରସଙ୍ଗ ଅନୁସାରେ କିପରି ଵ୍ୟଵହୃତ ହୁଏ ଏଵଂ ଏହାର ଉତ୍ପତ୍ତି ଇତିହାସ କ'ଣ ।”
ଯିଏ ଏହି ଚାରୋଟି ପ୍ରକାରର ସିଦ୍ଧି ଲଭିନାହିଁ ସେ ଶବ୍ଦ ଵ୍ୟୁତ୍ପତ୍ତି ଭଳି ଗଭୀର ଵିଷୟକୁ ଧରି ଭୁଲ୍ ଵ୍ୟୁତ୍ପତ୍ତି ମତ ସମ୍ବନ୍ଧୀୟ ଟିପ୍ପଣୀ ନରଖିଵା ଉଚିତ୍ ।
No comments:
Post a Comment