Tuesday, September 29, 2026

ଆଭିଜାତ୍ୟମୂଳକ ଶବ୍ଦଗ୍ରହଣ ଓ ଓଡ଼ିଆ ଭାଷାର ସ୍ୱାଭିମାନ

ହିନ୍ଦୀରେ ଆରବୀ, ପାର୍ସୀ ଓ ତୁର୍କୀ ଶବ୍ଦର ପ୍ରୟୋଗ କଲେ ଲେଖାର ଗାମ୍ଭୀର୍ଯ୍ୟ ବୃଦ୍ଧି ପାଇଥାଏ, ସେହିପରି ଓଡ଼ିଆ ଭାଷାରେ ସଂସ୍କୃତ (ତତ୍ସମ) ଶବ୍ଦ ମିଶାଇ ଲେଖିଲେ ଲେଖାର ମାନ ବଢ଼ିଥାଏ। ଏହି ପାର୍ଥକ୍ୟର ମୂଳ କାରଣ ହେଉଛି ଉଭୟ ଭାଷାର ସ୍ୱତନ୍ତ୍ର ଐତିହାସିକ ପୃଷ୍ଠଭୂମି, ରାଜନୈତିକ ପ୍ରଭାଵ ଏଵଂ ସାହିତ୍ୟିକ ଵିଵର୍ତ୍ତନ। ଉତ୍ତର ଭାରତରେ ଶତାବ୍ଦୀ ଶତାବ୍ଦୀ ଧରି ଦିଲ୍ଲୀ ସୁଲତାନ ଓ ମୋଗଲ ସାମ୍ରାଜ୍ୟର ଶାସନ ରହିଥିଲା। ସେହି ଦୀର୍ଘ ସମୟ ଧରି ପାର୍ସୀ ଥିଲା ରାଜକାର୍ଯ୍ୟ, ଆଇନ ଓ ପ୍ରଶାସନର ସରକାରୀ ଭାଷା। ପାର୍ସୀରେ ଆରବୀ ଓ ତୁର୍କ ଶବ୍ଦ ମଧ୍ୟ ଥିଲା । ସେସବୁ ଶବ୍ଦଗୁଡ଼ିକ ତେଣୁ ପାର୍ସୀ ଦେଇ ହିନ୍ଦୀରେ ପଶିଗଲା ଏଵଂ ଉକ୍ତ ଵିଦେଶୀ ଶବ୍ଦଗୁଡ଼ିକ କ୍ଷମତା, ସମ୍ଭ୍ରାନ୍ତ ଶ୍ରେଣୀ ଓ ଗାମ୍ଭୀର୍ଯ୍ୟର ପ୍ରତୀକ ପାଲଟିଗଲା।
ଉର୍ଦ୍ଦୁ ଓ ହିନ୍ଦୁସ୍ତାନୀ କଵିତା, ଗଜଲ୍ ଓ ସୁଫୀ ସାହିତ୍ୟରେ ପାର୍ସୀ ଓ ଆରବୀ ଶବ୍ଦର ବହୁଳ ପ୍ରୟୋଗ ହେଉଥିଲା। ଏହି କାରଣରୁ ଆଜି ବି ହିନ୍ଦୀ ଲେଖାରେ ଏହି ଶବ୍ଦଗୁଡ଼ିକର ପ୍ରୟୋଗ କଲେ ତାହା ଏକ ସ୍ବତନ୍ତ୍ର କାଵ୍ୟିକ ଆଵେଦନ, ସୌଖୀନତା ଓ ଓଜନ ସୃଷ୍ଟି କରିଥାଏ।

କିନ୍ତୁ ଓଡ଼ିଆ ଏକ ପ୍ରାଚୀନ ଆର୍ଯ୍ୟ ଭାଷା ହିନ୍ଦୀ ଭଳି ଅର୍ଵାଚୀନ ଭାଷା ନୁହେଁ । ପ୍ରାକୃତରୁ ଉଡ଼୍ରପ୍ରାକୃତ ଏଵଂ ଉଡ଼୍ରପ୍ରାକୃତରୁ ଉଡ଼୍ରଭାଷା ଏଵଂ ଶେଷରେ ଓଡ଼ିଆ ଭାଷା ରୂପେ ଦୀର୍ଘ 5000ରୁ 3000 ଵର୍ଷ ଧରି ଏ ଭାଷା ତିଷ୍ଠି ରହିଛି । ଯେତେବେଳେ ଉତ୍ତର ଭାରତୀୟ ଵିଦେଶୀ ଶକ୍ତି ଆଗରେ ହାରି ନଇଁ ଯାଇଥିଲେ ସେତେବେଳେ ଓଡ଼ିଶା ଥିଲା ସ୍ଵାଧୀନ । ଦୀର୍ଘ 600 ଵର୍ଷ ଧରି ଵିଦେଶୀ ମଜହବୀ ଆକ୍ରମଣକାରୀଙ୍କଠାରୁ ଓଡ଼ିଶା ସୁରକ୍ଷିତ ଥିଵାରୁ ଏହି ମାଟିର ପ୍ରାଚୀନ ଓ ପ୍ରଧାନ ଭାଷା 'ଓଡ଼ିଆ'ରେ ଵିଦେଶୀ ଭାଷା 'ପାର୍ସୀ'ର ପ୍ରଭାବ ହିନ୍ଦୀ ଭଳି ପଡ଼ିନଥିଲା ‌। ଷୋଡ଼ଶ ଶତାବ୍ଦୀ ପରେ ପାର୍ସୀ ଭାଷାର ପ୍ରଭାଵ ଅଳ୍ପ କାଳ ପାଇଁ ଦେଖା ଦେଇଥିଲା ତେଣୁ କେତେକ ଅଦାଲତିଆ ଶବ୍ଦ ତଥା ଓଜନ,କମ୍ ଓ ବଦଳିଵା ଭଳି ଅଳ୍ପ କିଛି ପାର୍ସୀ ମୂଳର ଶବ୍ଦ ହିଁ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ପାରିଥିଲା । ହିନ୍ଦୀ ତୁଳନାରେ ଏହା ବହୁତ କମ୍ ଥିଲା । ଅପରପକ୍ଷରେ ଵୈଦେଶିକ ଭାଷାର ପ୍ରଭାଵ ନଥିଵାରୁ ଓଡ଼ିଶାରେ ସଂସ୍କୃତ ଭାଷାର ପ୍ରଭାଵ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ରହିଥିଲା । ଫଳତଃ ପ୍ରାଚୀନ ଓଡ଼ିଆ ସାହିତ୍ୟ ଏଵଂ ଵିଶେଷକରି 'ରୀତିଯୁଗ'ରେ କଵିମାନେ ନିଜର ବୌଦ୍ଧିକତା ତଥା କାଵ୍ୟିକ ପାରଦର୍ଶିତା ଦେଖାଇଵା ପାଇଁ ବହୁ ଜଟିଳ ସଂସ୍କୃତ ଶବ୍ଦ ଓ ଅଳଙ୍କାରର ଵ୍ୟଵହାର କରୁଥିଲେ। ହିନ୍ଦୁ ଧର୍ମଗ୍ରନ୍ଥ ଓ ଆଧ୍ୟାତ୍ମିକତାର ମୂଳ ଭାଷା ସଂସ୍କୃତ ହୋଇଥିଵାରୁ, ଏହି ତତ୍ସମ ଶବ୍ଦଗୁଡ଼ିକୁ ପଵିତ୍ର, ଶାସ୍ତ୍ରୀୟ ଓ ଉଚ୍ଚକୋଟୀର ବୋଲି ଵିଚାର କରାଯାଉଥିଲା।

ଫଳତଃ ଆଜି ଓଡ଼ିଆ ଭାଷାରେ ଯେତେ ସଂସ୍କୃତ ଶବ୍ଦ ଵ୍ୟଵହାର କରାଯାଏ ଓଡ଼ିଆ ଭାଷା ସେତେ ସୁନ୍ଦର ଲାଗେ ଆଉ ହିନ୍ଦୀ ଭାଷାରେ ଯେତେ ଆରବୀ ପାର୍ସୀ ତୁର୍କ ଇଂରାଜୀ ଇତ୍ୟାଦି ଵିଦେଶୀ ଭାଷାର ଶବ୍ଦ ମିଶାଇଲେ ମଧ୍ୟ ତାହା ଶୁଣିଵାକୁ ଅଖାଡ଼ୁଆ ଲାଗେ ନାହିଁ । ଏହା ଵିପରୀତରେ ଯଦି ଆଧୁନିକ ହିନ୍ଦୀ ଭାଷାକୁ ତତ୍ସମ ଶବ୍ଦବହୁଳ କରି ଲେଖାଯାଏ ତାହା ପଢ଼ିଵାକୁ ଓ ଶୁଣିଵାକୁ ସୁଖ ଲାଗେ ନାହିଁ। ଜଣେ ଗୋରୀ ସ୍ତ୍ରୀଲୋକ ଭାରତୀୟ ମହିଳାଙ୍ଖ ଵେଶପୋଷକ ଧାରଣ କଲା ଭଳି ହୃଦବୋଧ ହୁଏ । 

ଆଧୁନିକ ସମାଜ-ଭାଷାଵିଜ୍ଞାନ ଵା Sociolinguistics ତଥା ଐତିହାସିକ ଭାଷାଵିଜ୍ଞାନରେ ଏହି ସ୍ଥିତିକୁ 'ଆଭିଜାତ୍ୟମୂଳକ ଶବ୍ଦଗ୍ରହଣ' ଵା Prestige Borrowing ଏଵଂ 'ମର୍ଯ୍ୟାଦାଭିତ୍ତିକ ଶବ୍ଦ-ସ୍ତରୀକରଣ' ଵା Lexical Stratification for Prestige ବୋଲି କୁହାଯାଏ। ଯେତେବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ଶାସକ ଵର୍ଗ, ଵିଜେତା ଗୋଷ୍ଠୀ ଅଥଵା ବୌଦ୍ଧିକ ଏକାଧିକାର ଥିଵା ଶ୍ରେଣୀ ଏକ ଵିଶେଷ ଭାଷା ଵ୍ୟଵହାର କରନ୍ତି, ସେତେବେଳେ ସେହି ଭାଷାର ଶବ୍ଦଗୁଡ଼ିକ କ୍ଷମତା, ଶିକ୍ଷା ଓ ପ୍ରଶାସନର ମାନଦଣ୍ଡ ପାଲଟିଯାଏ। ଏହି ପ୍ରକ୍ରିୟାକୁ ଭାଷାଵିଜ୍ଞାନୀମାନେ ଉଚ୍ଚସ୍ତରୀୟ ଭାଷିକ ଶୈଳୀ ଵା High Register କହିଥାନ୍ତି। ସାଧାରଣ ଲୋକେ ନିଜର ଦୈନନ୍ଦିନ କଥାଵାର୍ତ୍ତାରେ ସ୍ଥାନୀୟ ଓ ସରଳ ଶବ୍ଦ ଵ୍ୟଵହାର କରୁଥିଵା ବେଳେ, ସାହିତ୍ୟ, ଆଇନ, ଧର୍ମ ଓ ରାଜକାର୍ଯ୍ୟରେ ସେହି ଆଭିଜାତ୍ୟପୂର୍ଣ୍ଣ ଵିଦେଶୀ ଵା ପ୍ରାଚୀନ ଶାସ୍ତ୍ରୀୟ ଭାଷାର ଶବ୍ଦ ପ୍ରୟୋଗ କରିଵାକୁ ଶ୍ରେୟ ମଣନ୍ତି। ଓଡ଼ିଶାରେ ଦୀର୍ଘକାଳ ଧରି ସନାତନ ଧର୍ମ, ପଣ୍ଡିତ ଓ ସନାତନ ପରମ୍ପରାର ପ୍ରଭାଵ ଥିଵାରୁ ଏଠାରେ ସଂସ୍କୃତ ହିଁ କ୍ଷମତା ଓ ଜ୍ଞାନର ସର୍ଵୋଚ୍ଚ ଭାଷା ଥିଲା। ତେଣୁ ଓଡ଼ିଆରେ ସଂସ୍କୃତର ମିଶ୍ରଣ ପ୍ରାକୃତିକ ତଥା ଗମ୍ଭୀର ଲାଗେ। ଅପରପକ୍ଷରେ, ଉତ୍ତର ଭାରତରେ ସୁଲତାନୀ ଓ ମୋଗଲ ଶାସନ କାଳରେ ଇସଲାମୀୟ ରାଜଶକ୍ତି ଓ ପାର୍ସୀ ଅଦାଲତର ସାମ୍ରାଜ୍ୟଵାଦୀ ଆଧିପତ୍ୟ ଥିଵାରୁ, ହିନ୍ଦୀର ଆଭିଜାତ୍ୟ ପାର୍ସୀ ଓ ଆରବୀ ଶବ୍ଦ ଦେଇ ନିର୍ଦ୍ଧାରିତ ହେଲା। ଏହି ଐତିହାସିକ ପ୍ରକ୍ରିୟା ଯୋଗୁଁ ହିଁ ଗୋଟିଏ ଭାଷାରେ ଯାହା ସ୍ୱାଭାଵିକ ଲାଗେ, ଅନ୍ୟ ଭାଷାରେ ତାହା କୃତ୍ରିମ ଵା ଅଖାଡ଼ୁଆ ମନେହୁଏ।

ଵିଶ୍ୱ ଇତିହାସରେ ଏହି 'ଆଭିଜାତ୍ୟମୂଳକ ଶବ୍ଦଗ୍ରହଣ'ର ସବୁଠାରୁ ବଡ଼ ଓ ପ୍ରାମାଣିକ ଉଦାହରଣ ହେଉଛି ଇଂରାଜୀ ଭାଷା। ଏକାଦଶ ଶତାବ୍ଦୀରେ ଫରାସୀମାନେ ନର୍ମାନ୍ ଆକ୍ରମଣ ଜରିଆରେ ଇଂଲଣ୍ଡକୁ ଦଖଲ କଲା ପରେ ଦୀର୍ଘ ତିନିଶହ ଵର୍ଷ ଧରି ଫରାସୀ ଓ ଲାଟିନ୍ ଭାଷା ଇଂଲଣ୍ଡର ରାଜଦରବାର, ଆଇନ ଓ ସମ୍ଭ୍ରାନ୍ତଵର୍ଗର ଭାଷା ହୋଇ ରହିଲା। ଫଳସ୍ୱରୂପ, ଆଜିର ଇଂରାଜୀ ଭାଷାରେ ଯେତେବେଳେ ସାଧାରଣ କଥାଵାର୍ତ୍ତା ହୁଏ, ତାହା ମୂଳ ଆଙ୍ଗ୍ଲୋ-ସାକ୍ସନ୍ (ଜର୍ମାନିକ୍) ଶବ୍ଦରେ ହୋଇଥାଏ, କିନ୍ତୁ ଯେତେବେଳେ କୌଣସି ଆଇନଗତ, ଵିଜ୍ଞାନସମ୍ମତ ଵା ସାହିତ୍ୟିକ ଲେଖା ଲେଖାଯାଏ, ସେଥିରେ ଫରାସୀ ଓ ଲାଟିନ୍ ଶବ୍ଦର ପ୍ରୟୋଗ ହିଁ ତାହାର ଓଜନ ବଢ଼ାଇଥାଏ। ଉଦାହରଣସ୍ୱରୂପ, ସାଧାରଣ ଇଂରାଜୀରେ ଯାହା Ask, ଉଚ୍ଚକୋଟୀର ଇଂରାଜୀରେ ତାହା ଲାଟିନ୍ ମୂଳରୁ ଆସିଥିଵା Inquire, ସାଧାରଣ ଲୋକେ ଗାଈକୁ 'Cow,' କହୁଥିବା ବେଳେ ରାଜକୀୟ ଖାଦ୍ୟ ଟେବୁଲରେ ପରିଵେଷଣ ବେଳେ ତାହା ଫରାସୀ ପ୍ରଭାଵରୁ 'Beef' ହୋଇଯାଏ। ସେହିପରି ପୂର୍ଵ ଏସିଆର ଜାପାନୀ ଓ କୋରିଆନ୍ ଭାଷାର କଥନିକା ଏଵଂ ନିଜସ୍ୱ ଵ୍ୟାକରଣ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ହୋଇଥିଲେ ମଧ୍ୟ, ଦୀର୍ଘକାଳ ଧରି ଚୀନ୍ ସେହି ଭୂଖଣ୍ଡର ସାଂସ୍କୃତିକ ଓ ବୌଦ୍ଧିକ କେନ୍ଦ୍ର ଥିଵାରୁ, ଆଜି ବି ଜାପାନୀ ଓ କୋରିଆନ୍ ଭାଷାରେ ଵିଜ୍ଞାନ, ଦର୍ଶନ ତଥା ପ୍ରଶାସନିକ ସ୍ତରରେ ପ୍ରାଚୀନ ଚୀନୀ ମୂଳର ଶବ୍ଦ ପ୍ରୟୋଗ କଲେ ତାହାକୁ ଅଧିକ ମର୍ଯ୍ୟାଦାସମ୍ପନ୍ନ ବୋଲି ଧରାଯାଏ। ଅନ୍ୟ ଏକ ଉଦାହରଣ ହେଉଛି ତୁର୍କୀ ଭାଷା। ତୁର୍କୀର ମୂଳ ଢାଞ୍ଚା ମଧ୍ୟ-ଏସିଆର ହୋଇଥିଲେ ସୁଦ୍ଧା ଅଟୋମାନ୍ ସାମ୍ରାଜ୍ୟ ସମୟରେ ଇସଲାମୀୟ ଦର୍ଶନ ଓ ପ୍ରଶାସନିକ ଗାମ୍ଭୀର୍ଯ୍ୟ ଆଣିଵା ପାଇଁ ସେଥିରେ ଆରବୀ ଓ ପାର୍ସୀ ଶବ୍ଦକୁ ଏତେ ମାତ୍ରାରେ ଭରି ଦିଆଯାଇଥିଲା ଯେ, ସାଧାରଣ ତୁର୍କୀ ଲୋକଙ୍କ ପାଇଁ ନିଜ ସାହିତ୍ୟ ପଢ଼ିଵା କଷ୍ଟକର ହୋଇପଡ଼ିଥିଲା।
ମଣିଷର ଵିଵର୍ତ୍ତନ ଇତିହାସକୁ ଯଦି ଆମେ ଟିକିଏ ଗଭୀର ଭାବେ ଅନୁଧ୍ୟାନ କରିଵା, ତେବେ ଆମେ ବୁଝିପାରିଵା ଯେ ଭାଷା କେଵଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ ଵରଂ ଏହା ହେଉଛି ହୋମୋ ସାପିଏନ୍ସ ସୃଷ୍ଟି କରିଥିଵା ସବୁଠାରୁ ଵିଶାଳ ଓ ସଫଳ କଳ୍ପନା। ଏକଦା ଆଫ୍ରିକାର ଜଙ୍ଗଲରେ ଶିକାର କରୁଥିଵା ଏହି Homo sapiens ଜୀଵଜାତି ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ବଡ଼ ବଡ଼ ସାମ୍ରାଜ୍ୟ, ସଭ୍ୟତା ଓ ଧର୍ମ ପ୍ରତିଷ୍ଠା କଲା, ସେତେବେଳେ ଏତେ ବଡ଼ ସମାଜକୁ ଶୃଙ୍ଖଳିତ କରିଵା ପାଇଁ ଏକ ଅଦୃଶ୍ୟ କ୍ଷମତା-ସଂରଚନାର ଆଵଶ୍ୟକତା ପଡ଼ିଲା। କିଏ ରାଜା ଆଉ କିଏ ପ୍ରଜା, କିଏ ଜ୍ଞାନୀ ଆଉ କିଏ ଅଜ୍ଞାନୀ—ଏହି ଭେଦଭାବକୁ ମଣିଷ ମନରେ ଏକ ଚିରନ୍ତନ ସତ୍ୟ ଭାବରେ ଛାପି ଦେଵା ପାଇଁ ଭାଷାର ଶବ୍ଦଭଣ୍ଡାର ହିଁ ସର୍ଵଶ୍ରେଷ୍ଠ ଅସ୍ତ୍ର ପାଲଟିଲା। ମାନଵଵାଦୀମାନେ କୁହନ୍ତି ଯେ ସଂସ୍କୃତ ହେଉ, ପାର୍ସୀ ହେଉ କିମ୍ବା ଲାଟିନ୍—କୌଣସି ବି ଶବ୍ଦ ନିଜର ପ୍ରାକୃତିକ ଗୁଣ କାରଣରୁ ମହାନ ଵା ପଵିତ୍ର ନୁହେଁ। ଵରଂ ଆମେ ମଣିଷମାନେ ନିଜର ରାଜନୈତିକ ଓ ଐତିହାସିକ ଆଵଶ୍ୟକତା ମେଣ୍ଟାଇଵାକୁ ଯାଇ ଏହି ନିର୍ଦ୍ଦିଷ୍ଟ ଧ୍ୱନିଗୁଡ଼ିକୁ କ୍ଷମତା ଓ ଆଭିଜାତ୍ୟର ମୂଲ୍ୟ ଦେଇଛୁ ଏଵଂ ପରସ୍ପରର ଵିଶ୍ୱାସ ଦ୍ୱାରା ତାହାକୁ ଵାସ୍ତଵତାର ରୂପ ଦେଇଛୁ। କିନ୍ତୁ ଭାଷାଵିଦମାନେ ଜାଣନ୍ତି ଯେ ଗୋଟିଏ ଭାଷାରେ ଅଗଣିତ ଵିଦେଶୀ ଶବ୍ଦ ମିଶିଲେ ସେ ଭାଷା ନିଜ ମୂଳ ଭାଷାଗତ ଉତ୍ସରୁ ଦୂରେଇ ଯାଏ ତଥା ନିଜ ମୂଳ ଗୁଣ ଛାଡ଼ି ଅନେକ ଵୈଦେଶିକ ଗୁଣ ଆନ ଭାଷାରୁ ଗ୍ରହଣ କରେ । ହିନ୍ଦୀ ଭାଷାରେ ଆରବୀ ପାର୍ସୀ ତୁର୍କ ଶବ୍ଦାଧିକ୍ୟ ଯୋଗୁଁ ସେ ଭାଷା ନିଜର ଶାସ୍ତ୍ରୀୟ ସ୍ବରୂପ ହରାଇ ଏକ ମିଶ୍ରିତ କିମ୍ଭୁତକିମାକାର ଭାଷାରେ ପରିଣତ ହୋଇଯାଇଅଛି । ଅପରପକ୍ଷରେ ଓଡ଼ିଆ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ମିଶିଵାରୁ ଓଡ଼ିଆ ଭାଷାରେ ଵର୍ଣ୍ଣଦ୍ଵିତକରଣ ଓ ଷତ୍ବଵିଧିଠାରୁ ଆରମ୍ଭ କରି ଅକାରାନ୍ତ ଉଚ୍ଚାରଣ ଯାଏଁ ଅନେକ ଆର୍ଯ୍ୟଭାଷା ମୂଳର ଗୁଣ ଆଜି ମଧ୍ୟ ଦୃଢ଼ ରୂପେ ବଞ୍ଚି ରହିଛି । ସଗୋତ୍ରୀୟ ମୂଳର ଶବ୍ଦ ମିଶିଲେ ଭାଷା ଶାସ୍ତ୍ରୀୟ ହୁଏ ଏଵଂ ଅଗୋତ୍ରୀୟ ମୂଳର ମାତ୍ରାଧିକ ଶବ୍ଦ ମିଶିଲେ ଭାଷା କଳୁଷିତ ହୋଇଥାଏ । 
ଏହି ଶାସ୍ତ୍ରୀୟତା ଓ ଭାଷିକ ପଵିତ୍ରତାର ଏକ ସ୍ପଷ୍ଟ ପ୍ରମାଣ ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକରେ ଲିପିବଦ୍ଧ ହୋଇ ରହିଛି। ବିଶିଷ୍ଟ କୋଷଗ୍ରନ୍ଥ 'ଶବ୍ଦକଳ୍ପଦ୍ରୁମ'ରେ 'ଭାଷା' ଶବ୍ଦର ଵ୍ୟାଖ୍ୟା କରିଵାକୁ ଯାଇ ପ୍ରାକୃତଲଙ୍କେଶ୍ୱର ଵ୍ୟାକରଣ ଆଧାରରେ ଭାରତଵର୍ଷର ଅଷ୍ଟାଦଶ ଶାସ୍ତ୍ରୀୟ ଭାଷାର ଉଲ୍ଲେଖ କରାଯାଇଛି। ସେହି ସୂଚୀପତ୍ରଟି ହେଉଛି— "ସଂସ୍କୃତମ୍ ପ୍ରାକୃତା ଉଦୀଚୀ ମହାରାଷ୍ଟ୍ରୀ ମାଗଧୀ ମିଶ୍ରାର୍ଦ୍ଧମାଗଧୀ ଶକାଭୀରୀ ଶ୍ରଵନ୍ତୀ ଦ୍ରାଵିଡ଼ୀ ଓଡ୍ରୀୟା ପାଶ୍ଚାତ୍ୟା ପ୍ରାଚ୍ୟା ବାହ୍ଲୀକା ରନ୍ତିକା ଦାକ୍ଷିଣାତ୍ୟା ପୈଶାଚୀ ଆଵନ୍ତୀ ଶୌରସେନୀ।" ଏହି ଅଷ୍ଟାଦଶ ଶାସ୍ତ୍ରୀୟ ଭାଷା ମଧ୍ୟରେ ଦଶମ ସ୍ଥାନରେ ଥିଵା 'ଓଡ୍ରୀୟା' ଵା ଓଡ଼ିଆ କୌଣସି ସାଧାରଣ ଉପଭାଷା ନଥିଲା ଵରଂ ଏହା ଥିଲା ଏକ ମର୍ଯ୍ୟାଦାସମ୍ପନ୍ନ ଓ ସ୍ୱୀକୃତ ପ୍ରାଚୀନ ଆର୍ଯ୍ୟ ଭାଷା। ତେଣୁ ସଂସ୍କୃତ ସହିତ ଏହାର ଆଦାନପ୍ରଦାନ ଅତ୍ୟନ୍ତ ସ୍ୱାଭାଵିକ ଥିଲା ଏଵଂ ସଗୋତ୍ରୀୟ ହୋଇଥିଵା କାରଣରୁ ଉଭୟ ଭାଷାର ମୂଳ ଢାଞ୍ଚାରେ ଏକ ସୁମଧୁର ତାଳମେଳ ରହିଆସିଛି।
ଆଧୁନିକ ସମାଜ-ଭାଷାଵିଜ୍ଞାନ ଯେଉଁ 'ମର୍ଯ୍ୟାଦାଭିତ୍ତିକ ଶବ୍ଦ-ସ୍ତରୀକରଣ' ବା Prestige Boring କଥା କହୁଛି, ତାହାର ସର୍ଵଶ୍ରେଷ୍ଠ ନିଦର୍ଶନ ମଧ୍ୟ ଏହି 'ଶବ୍ଦକଳ୍ପଦ୍ରୁମ'ରେ ଉଦ୍ଧୃତ 'ସାହିତ୍ୟ ଦର୍ପଣ'ର ଷଷ୍ଠ ପରିଚ୍ଛେଦରୁ ସ୍ପଷ୍ଟ ହୋଇଯାଏ। ପ୍ରାଚୀନ କାଳରେ ସମାଜରେ ତଥା ନାଟକ ଆଦିରେ କିଏ କେଉଁ ଭାଷା କହିଵ, ତାହା ସେମାନଙ୍କର ସାମାଜିକ ସ୍ଥିତି ଏଵଂ ବୌଦ୍ଧିକ ସ୍ତର ଉପରେ ନିର୍ଭର କରୁଥିଲା। ଗ୍ରନ୍ଥରେ ଉଲ୍ଲେଖ ଅଛି—
"ପୁରୁଷାଣାମନୀଚାନାଂ ସଂସ୍କୃତଂ ସ୍ୟାତ୍ କୃତାତ୍ମନାମ୍ ।
ଶୌରସେନୀ ପ୍ରଯୋକ୍ତଵ୍ୟା ତାଦୃଶୀଵାଞ୍ଚ ଯୋଷିତାମ୍ ॥"

ଅର୍ଥାତ୍ ଉଚ୍ଚଵର୍ଗର, ଶିକ୍ଷିତ ତଥା ସମ୍ଭ୍ରାନ୍ତ ପୁରୁଷମାନେ ସଂସ୍କୃତ ଭାଷା ଵ୍ୟଵହାର କରିଵା ଉଚିତ ଏଵଂ ସେହି ସ୍ତରର ମହିଳାମାନେ ଶୌରସେନୀ ପ୍ରାକୃତ ଵ୍ୟଵହାର କରିବେ। ସେହିପରି ରାଜପୁତ୍ର ଓ ଶ୍ରେଷ୍ଠୀମାନଙ୍କ ପାଇଁ ଅର୍ଦ୍ଧମାଗଧୀ ଵ୍ୟଵହାରର ନିୟମ ଥିଵାବେଳେ, ଉତ୍ତମ ଶ୍ରେଣୀର ମହିଳା ତଥା ରାଜକନ୍ୟାଙ୍କ ପାଇଁ ସ୍ଥଳବିଶେଷରେ ସଂସ୍କୃତର ପ୍ରୟୋଗ ("ସଂସ୍କୃତଂ ସଂପ୍ରଯୋକ୍ତବ୍ୟଂ ଲିଙ୍ଗିନୀଷୂତ୍ତମାସୁ ଚ") କରିଵାର ନିର୍ଦ୍ଦେଶ ରହିଥିଲା। ଅନ୍ୟପକ୍ଷରେ ଦାସଦାସୀ, ଚଣ୍ଡାଳ କିମ୍ବା ଜଙ୍ଗଲରେ କାଠ ପତ୍ର ଉପରେ ନିର୍ଭର କରୁଥିଵା ଶଵରମାନଙ୍କ ପାଇଁ ପୈଶାଚୀ, ଶାବରୀ ଵା ମାଗଧୀ ଆଦି ଭାଷାର ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଵ୍ୟଵସ୍ଥାରୁ ପ୍ରମାଣିତ ହୁଏ ଯେ ଭାରତଵର୍ଷରେ ସଂସ୍କୃତ ଭାଷା ଆଵହମାନ କାଳରୁ ଉଚ୍ଚକୋଟୀର ବୌଦ୍ଧିକତା, ପ୍ରଶାସନିକ କ୍ଷମତା ଓ ଆଭିଜାତ୍ୟର ସର୍ଵୋଚ୍ଚ ପ୍ରତୀକ ହୋଇ ରହିଆସିଛି। ତେଣୁ ଓଡ଼ିଆ ଭାଷା ଯେତେବେଳେ ସଂସ୍କୃତରୁ ଶବ୍ଦାଵଳୀ ଗ୍ରହଣ କରେ, ତାହା କେଵଳ ଏକ ଐତିହାସିକ ପ୍ରକ୍ରିୟା ନୁହେଁ ଵରଂ ନିଜର ପ୍ରାଚୀନ ଶାସ୍ତ୍ରୀୟ ମୂଳଦୁଆକୁ ଅଧିକ ସୁଦୃଢ଼ କରିଵାର ଏକ ସ୍ୱାଭାଵିକ ପ୍ରୟାସ। 

ଉତ୍ତର ଭାରତୀୟ ଭାଷାଗୁଡ଼ିକ ଦୀର୍ଘକାଳୀନ ଵିଦେଶୀ ଶାସନର ପ୍ରଭାବରେ ପଡ଼ି ଆରବୀ, ପାର୍ସୀ ଓ ତୁର୍କ ଭଳି ଅଗୋତ୍ରୀୟ ଶବ୍ଦ ଆପଣାଇ ନିଜର ଆର୍ଯ୍ୟ ସ୍ୱରୂପ ହରାଇଥିଵା ବେଳେ, ଓଡ଼ିଶାର ସ୍ୱାଧୀନତା ଏଵଂ ସାଂସ୍କୃତିକ ନିଷ୍ଠା ଓଡ଼ିଆ ଭାଷାକୁ ଏକ ମିଶ୍ରିତ ସ୍ଥିତିରୁ ରକ୍ଷା କରିପାରିଛି। ସଂସ୍କୃତ ତତ୍ସମ ଶବ୍ଦର ପ୍ରୟୋଗ ଓଡ଼ିଆ ଲେଖାକୁ କଦାପି କୃତ୍ରିମ କରେ ନାହିଁ ଵରଂ ଏହା ଲେଖାର ଗାମ୍ଭୀର୍ଯ୍ୟ ବୃଦ୍ଧି କରିଵା ସହ ଭାଷାକୁ ଏକ ଗଭୀର ମର୍ଯ୍ୟାଦା, ପଵିତ୍ରତା ତଥା କାଳଜୟୀ କାଵ୍ୟିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ଭାଷାଵିଜ୍ଞାନ ଓ ଇତିହାସର ଏହି ନିରଵଚ୍ଛିନ୍ନ ଧାରାରେ ଓଡ଼ିଆ ଭାଷାର ଏହି ଶାସ୍ତ୍ରୀୟ ଉତ୍ତରାଧିକାର ହିଁ ତାହାର ସର୍ଵଶ୍ରେଷ୍ଠ ସ୍ବାଭିମାନ ଅଟେ।








No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...