ଓଡ଼ିଆ ଭାଷାରେ ଅନେକ ନିଆରା ଶବ୍ଦ ରହିଛି । କିଛି ଶବ୍ଦ ଏଵେ ବି ଚଳୁଥିଲାଵେଳେ ଆଉ କିଛି ଶବ୍ଦ କାଳ ଆଗରେ ପରାସ୍ତ ହୋଇ ମୁର୍ମୂଷୁ ଅଵସ୍ଥାରେ ପହଞ୍ଚିଗଲେଣି ।
ଆଟିକାଚୁହାଁ ଶବ୍ଦଟି ଆଧୁନିକ ଅଭିଧାନଗୁଡ଼ିକରେ ଦେଖାଯାଏ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୨୭ତମ ପୃଷ୍ଠାରେ ଏ ଶବ୍ଦଟି ଥିଵା ଦୃଷ୍ଟିଗୋଚର ହୁଏ ।
ଆଟିକାଚୁହାଁ ଶବ୍ଦଟି ଵ୍ଯଙ୍ଗ୍ଯ ଓ ନିନ୍ଦାର୍ଥ ଵ୍ଯଵହୃତ ହେଉଥିଲା ଏଵଂ ଏ ଶବ୍ଦର ସ୍ତ୍ରୀଵାଚକରୂପ ଆଟିକାଚୁହୀଁ ଅଟେ ।
ସାଧାରଣତଃ ଯେଉଁ ଵ୍ଯକ୍ତି ରୋଷେଇଶାଳର ପାକପାତ୍ରରେ ଥିଵା ରନ୍ଧା ଖାଦ୍ଯଦ୍ରଵ୍ଯ ପ୍ରତି ସର୍ଵଦା ତୀକ୍ଷ୍ଣ ଦୃଷ୍ଟି ରଖେ ଓ ତାହା ଯେପରି ଵ୍ଯୟିତ ନ ହୁଏ ସେଥିପାଇଁ ସାବଧାନ ଥାଏ ସେଭଳି ଲୋକଙ୍କୁ ଆଟିକାଚୁହାଁ କୁହାଯାଉଥିଲା ।
ଏ ଶବ୍ଦଟି ସମ୍ଭଵତଃ ଲୋକଭାଷାର ଶବ୍ଦ ବୋଲି ସାହିତ୍ୟରେ ସେତେ ଵ୍ଯଵହୃତ ହୋଇନଥିଵା ଦେଖାଯାଏ କିନ୍ତୁ ଓଡ଼ିଆ ଢଗଢମାଳିରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାଉ...
ଯଥା―
"ଖଣ୍ଡିଗଣିଆର ଦିଗୁଣ ସରେ
ଆଟିକାଚୁହାଁର ମାଇପ ମରେ"
ଆଟିକାଚୁହାଁ ଶବ୍ଦଟି ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ଗଠିତ; ଆଟିକା ଓ ଚୁହାଁ ।
ଆଧୁନିକ ଯୁଗର ଲୋକେ ଆଟିକା କଣ୍ ଜାଣିନଥିଵେ କିନ୍ତୁ ଏକଦା ଏଇ ଆଟିକା ପାତ୍ର ଘରେ ଘରେ ଦିଶିଯାଉଥିଲା । ଛୋଟ ମାଟି ହାଣ୍ଡିକୁ ଆଟିକା କୁହାଯାଏ । ଆଗକାଳରେ ଆଟିକା ବସାଇ ଲୋକେ ରୋଷେଇ କରୁଥିଵା କୃଷ୍ଣସିଂହଙ୍କ ମହାଭାରତରୁ ଜଣାଯାଏ...
"ଅଗ୍ନିରେ ପାକ କଲା ବସାଇ ଆଟିକାଟି !"
(ଆଦିପର୍ଵ)
ଓଡ଼ିଆ ଲୋକେ ଆଜି ଆଉ ଆଟିକା ଵ୍ଯଵହାର କରୁନାହାନ୍ତି କିନ୍ତୁ ଜାତିର ଈଶ୍ବର ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏଵେ ବି ଅନ୍ନଆଦି ରଖିଵା ନିମନ୍ତେ ଏଇ ଛୋଟ ମାଟି ହାଣ୍ଡି "ଆଟିକା" ଵ୍ଯଵହୃତ ହେଉଅଛି ।
ସେଇଭଳି ଚୁହାଁ ଶବ୍ଦର ଅର୍ଥ ଚାହିଁବା,ଦେଖିଵା ଵା ଅଵଲୋକନ କରିଵା ଅଟେ । ଏ ଶବ୍ଦ ସାହିତ୍ୟରେ ବହୁଳ ଵ୍ଯଵହାର ହୋଇଅଛି
ଯଥା―
ଚନ୍ଦ୍ର ଚୁହାଁ ସୁଖ ବଡ଼?
କି ତା ମୁଖ ଦେଖା ବଡ଼?
(କବିସୂର୍ଯ୍ୟ. ସଙ୍ଗୀତ)
ଅସ୍ତୁ ! ଯେଉଁ ଵ୍ଯକ୍ତି କୃପଣ ସ୍ଵଭାଵର ଓ ମନୁଷ୍ଯ ଜୀଵନଠାରୁ ଖାଦ୍ଯଦ୍ରଵ୍ଯାଦିକୁ ଅଧିକ ମହତ୍ତ୍ଵ ଦିଏ ,ଯିଏ ଟିକିଏ ଖାଦ୍ୟ ନଷ୍ଟ ହେଲେ ନିଜ ସ୍ତ୍ରୀକୁ ଅପମାନିତ କରେ,ମାଡ଼ଗାଳୀ ଦିଏ ସେଇଭଳି ଲୋକଙ୍କ ପାଇଁ ଏଵେ ବି ଆଟିକାଚୁହାଁ ଶବ୍ଦ ଵ୍ଯଵହାର ହୋଇପାରେ । ତେଵେ ସମ୍ଭଵତଃ ଆଟିକା ସହ ଆଟିକାଚୁହାଁ ଶବ୍ଦ ବି ଧୀରେ ଧୀରେ ଲୋପ ପାଇଯିଵ ଏମନ୍ତ ସମ୍ଭାଵନା ଅଧିକ ଲାଗୁଛି ।
ଏ ଵିଷୟରେ ଆପଣଙ୍କ ମତ ନିଶ୍ଚୟ ଉଲ୍ଲେଖ କରନ୍ତୁ ! ଆପଣଙ୍କ ଅଞ୍ଚଳରେ ଏ ଶବ୍ଦଟି ଏଵେ ବି ଵ୍ଯଵହାର ହେଉଅଛି କି ?
No comments:
Post a Comment