Wednesday, July 12, 2023

ଏକ କୋଶ କେତେ କିଲୋମିଟର ?

ସଂସ୍କୃତ କ୍ରୋଶ ଶବ୍ଦର ଓଡ଼ିଆ ରୂପ କୋଶ । କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ ସହସ୍ରଧନୁ ଦୈର୍ଘ୍ୟ ଵା ୪୦୦୦ ହାତ ଦୈର୍ଘ୍ୟକୁ ଏକ କୋଶ କୁହାଯାଏ । କେହି କେହି ଏକ କୋଶକୁ ଆଠ ହଜାର ହାତ ସଂଜ୍ଞା କରନ୍ତି । ଏକ କୋଶ ଯଦି ୪୦୦୦ ହାତ ହୁଏ ତେବେ ତାହା ଏକ ମାଇଲ ପାଖାପାଖି ଏଵଂ ୮୦୦୦ ହାତ ହେଲେ ଦୁଇମାଇଲ ହେଵ । ଉଲ୍ଲେଖଯୋଗ୍ୟ ଯେ ଏକ ମାଇଲ୍‌ର ପରିମାଣ ୧.୬୦୯ କି.ମି ଏଵଂ ଦୁଇମାଇଲ୍ ୩.୨୧୯ କିମି ଅଟେ । 

ଆଜିକାଲି ସାଧାରଣତଃ ଇଂରାଜୀ ଦୁଇ ମାଇଲ୍‌ରେ ଏକ କୋଶ ବୋଲି ଧରାଯାଏ। ଇଂରାଜି ଦୁଇ ମାଇଲ୍= ୧୭୬୦ ଗଜx୨x୨=୭୦୪୦ ହାତ। ତେଣୁ ଏକକୋଶକୁ ପ୍ରାୟ ଦୁଇ ମାଇଲ୍ କହିଵା ସଙ୍ଗତ। ଆଗେ ଏ ଦେଶରେ ରାଜଦାଣ୍ଡ ପାର୍ଶ୍ୱରେ ଦୂରତ୍ୱଜ୍ଞାପକ କୈଣସି ଚିହ୍ନ ନ ଥିଲା, ପଥିକମାନେ ଗୋଟିଏ ଗଛର ଡାଳ ଭଙ୍ଗି ହାତରେ ଧରି ବାଟ ଚାଲୁଥିଲେ, ଯେଉଁଠାରେ ସେ ଡାଳର ପତ୍ର ଝାଉଁଳି ପଡ଼ୁଥିଲା, ସେଠାରେ ଏକ କୋଶ ହେଲା ବୋଲି ଜଣା ଯାଉଥିଲା, ଏହିଭଳି କୋଶକୁ 'ଡାଳଭଙ୍ଗା' କୋଶ କହନ୍ତି। ଡାଳଭଙ୍ଗା କୋଶକ ପ୍ରାୟ ଇଂରାଜି ତିନି ମାଇଲ୍ । 

ତେଣୁ ଏକ କୋଶ ଯଦି ଚାରିସହସ୍ର ହାତ ଵା ଏକସହସ୍ର ଧନୁ ହୁଏ ତେବେ ତାହାର କିଲୋମିଟରରେ ପରିମାଣ ୧.୬୦୯ ଵା ତାଠାରୁ କେତେ ମିଟର ଅଧିକ ହେଵ ।   
ଏକ କୋଶ ଯଦି ୮୦୦୦ ହାତ ହୁଏ ତେବେ ତାହା କିଲୋମିଟର ପରିମାପ ଦୃଷ୍ଟିରୁ ୩.୨୧୯ କିମ୍ଵା ସାଢ଼େ ତିନି କିଲୋମିଟର ହେଵ ।‌ ଡାଳଭଙ୍ଗା କୋଶ କ୍ଷେତ୍ରରେ ଯେହେତୁ ତିନି ମାଇଲରେ ଗୋଟିଏ ଡାଳ ଝାଉଁଳି ଯାଏ ତେଣୁ ତାହା ପ୍ରାୟ ୪.୮୨୮ ଵା ପାଞ୍ଚ କିଲୋମିଟର ପରିମାପ ଵିଶିଷ୍ଟ ହେଵ । 
••••••••••••••••••••••
ତଥ୍ୟ— ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ସଂସ୍କୃତ କଳ୍ପଦ୍ରୁମ ଅଭିଧାନ

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...