ଆଗକାଳରେ ଵିଶେଷତଃ ମଧ୍ୟଯୁଗରେ ଵିଧଵା ଵିଵାହ ପ୍ରଥା ଉପରେ ଅନେକ କଟକଣା ରହିଥିଲା କିନ୍ତୁ ଵୈଦିକ ଯୁଗରେ ଏତେ କଡା଼ ଵ୍ଯଵସ୍ଥା ନଥିଲା ।
ସେତେଵେଳେ ଯେଉଁ ଵିଧଵା, ଵିଵାହ କରୁଥିଲା ତାକୁ ପୁନର୍ଭୂ କୁହାଯାଉଥିଲାଵେଳେ ତାହାର ସନ୍ତାନ ସନ୍ତତି 'ପୌନର୍ଭଵ' କଥିତ ହେଉଥିଲେ । ଏଥିପାଇଁ ଆଉ ଏକ ଶାସ୍ତ୍ରୀୟ ଶବ୍ଦ “ଦିଧିଷୁ(ଷୂ)” ମଧ୍ୟ ରହିଛି ।
ଓଡ଼ିଆ ଭାଷାରେ ଵିଧଵା କିମ୍ବା ଛାଡୁ଼ରୀ ଵା ପତିପରିତ୍ଯକ୍ତା ସ୍ତ୍ରୀର ଦ୍ଵିତୀୟଥର ଵିଵାହକୁ ରାଣ୍ଡ ଵିଭା,ଦିତୀୟା ହେଵା ଆଦି କୁହାଯାଉଥିଵାଵେଳେ ଦ୍ବିତୀୟ ଥର ଵିଵାହ କରିଥିଵା ମହିଳାଙ୍କୁ ଦିରୁଢା଼ ମଧ୍ୟ କୁହାଯାଏ ।
ସେଇଭଳି ଆଉ ଦୁଇଗୋଟି ନିଆରା ନିଜସ୍ଵ ଓଡ଼ିଆ ଶବ୍ଦ ହେଉଛି ଠାୟାଁ ଓ ଠାୟାଁଣି । ଆଗେ କୌଣସି ଵିଧଵା ନାରୀକୁ ଯେଉଁ ପୁରୁଷ ପୁନର୍ଵିଵାହ କରୁଥିଲା ତାକୁ ଠାୟାଁ କୁହାଯାଉଥିଲା ।
ସେଇଭଳି ଠାୟାଁର ପତ୍ନୀକୁ ଠାୟାଁଣି ମଧ୍ୟ କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଠାୟାଁ ― ଠାୟାଁଣୀଙ୍କ ଔରସ ଜାତ ପୁତ୍ରକୁ “ଗଜମନ ଠାୟାଁ” ଓ କନ୍ୟାକୁ “ଗଜମନ ଠାୟାଁଣୀ” ବୋଲାଯାଉଥିଲା ।
ଆମ ଦେଶରେ ମୋଗଲ-ମରାଠା ଶାସନକାଳରେ ଵିଧଵା ଵିଵାହକୁ ହୀନକାର୍ଯ୍ୟ ଵିଚାର କରାଯାଉଥିଵା ହେତୁରୁ ତତ୍କାଳୀନ ଅନେକ ଶାସ୍ତ୍ରରେ ଵିଧଵା ଵିଵାହକୁ ପଶୁଧର୍ମ ଘୋଷଣା କରାଯିଵା ସହ ସତୀଦାହ ପ୍ରଥାର ବହୁଳ ପ୍ରଚାର କରାଯାଇଥିଲା ବୋଲି ଵିଚାର କରି କିଂଵା ଅନୁସନ୍ଧାନ କରି ଅଭିଧାନକାର ଆପ୍ଟେ ପଶୁଧର୍ମ ଶବ୍ଦର ଏକ ଅର୍ଥ ଵିଧଵା ଵିଵାହ ଯୋଡି଼ଅଛନ୍ତି ।
ତେଵେ ଆଜି ଵିଧଵା ଵିଵାହ ସାଧାରଣ କଥା ହୋଇଗଲାଣି, ଆଉ ଏସବୁ ଶବ୍ଦ ସମାଜ ଆଵଶ୍ଯକ କରୁନି ତେଣୁ ଏବେକାର ଯୁଗରେ ଏ ସମସ୍ତ ଶବ୍ଦଗୁଡି଼କୁ କେଵଳ ଅଭିଧାନମାନଙ୍କରେ ନିଜକୁ ସୀମିତ ରଖିଦିଆଯାଇଛି ।

No comments:
Post a Comment