Wednesday, November 27, 2019

ମରାଜି― ହଜି ଯାଉଥିଵା ଶବ୍ଦଟିଏ

ଲୁଗାଦିର ମୁହୁଣ୍ଡାରେ ଲଗାଯାଇଥିବା ଝୁମ୍ପିକୁ ମରାଜି କୁହାଯାଏ । ଏହାକୁ ଝମ୍ପା ଓ ଝାଲର ମଧ୍ୟ କୁହାଯାଏ ।
ଇଂରାଜୀ ଭାଷାରେ ମରାଜିକୁ Tassel କୁହନ୍ତି । ଏହା ବସ୍ତ୍ରାଦିରେ ପାଟଫୁଲି ପରି ପେନ୍ଥା ପେନ୍ଥା ଓ କେରାକେରା ହୋଇ ତଳକୁ ଓହୋଳି ଥିବା ଅଳଙ୍କାର ସଦୃଶ୍ୟ ଦୃଶ୍ୟ ହୁଏ ବୋଲି ପେନ୍ଥା ଅର୍ଥରେ ବ୍ଯବହାର ହେଉଥିବା ଝୁମ୍ପା ଶବ୍ଦଟି ମରାଜି ପାଇଁ ମଧ୍ୟ ବ୍ଯବହୃତ ହୋଇଥାଏ । ଆଗକାଳରେ ବଟୁଆରେ ଝୁମ୍ପା ଲାଗୁଥିଲା ଆଉ ଟୋପିରେ ଲାଗୁଥିବା ଝୁମ୍ପାକୁ  ଝାଲର କୁହାଯାଉଥିଲା । ସେହିପରି ଆଗେ  ସ୍ତ୍ରୀମାନଙ୍କ ମୁଣ୍ଡର ଚଉଁରିଭୂଣ୍ଡିରେ ଯେଉଁ ଚନ୍ଦ୍ରାକାର ଝୁମ୍ପା ଲାଗୁଥିଲା ତାକୁ ଚନ୍ଦ୍ରଝୁମ୍ପା କୁହାଯାଉଥିଲା ।

କୃଷ୍ଣ ସିଂହ କୃତ ମହାଭାରତରେ ଏ ଶବ୍ଦର ଵ୍ଯଵହାର ହୋଇଛି ...

“କେ ବୋଲେ ଚନ୍ଦ୍ରଝୁମ୍ପା ମୁକୁତା ପ୍ରକାଶେ”

ଏଠାରେ କଵିସୂର୍ଯ୍ୟ ସଂଗୀତରେ ଝମ୍ପା ଶବ୍ଦର ଵ୍ଯଵହାର ମଧ୍ୟ
ଉଲ୍ଲେଖ ଯୋଗ୍ୟ ...

“ଝମ୍ପା ଝାଲରିଆ ଅଳକ ତିଳକ ଶୋଭିନୀର
କେଶବେଶେ ଝରା ଖଞ୍ଜି ବିମ୍ବ ଓଷ୍ଠେ
ଶତ ଚୁମ୍ବ ରଚିବି କେବେ ହରଷେ ।”

ଝରା ଶବ୍ଦ ମଧ୍ୟ କେଉଁଠି କେଉଁଠି ଟୋପିଆଦିରୁ ଏକପାଖୁରେ ଓହୋଳିଥିବା ଜରି ବା ରେଶମ ଡ଼ୋରର ଝୁମ୍ପା ବା ଗୁଚ୍ଛ ପାଇଁ ଵ୍ଯଵହୃତ ହେଉଥିଵାଵେଳେ ଅନ୍ୟ କେତେକ ଅଞ୍ଚଳରେ  ଜୁଡ଼ାର ଅଳଙ୍କାର  ଵା ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ ଅର୍ଥରେ ପ୍ରୟୋଗ ହୋଇଥାଏ ।

ଘର ଛାତତଳେ କେରି କେରି ହୋଇ ଝୁଲୁଥିବା ଚକଚକିଆ ଝୁମ୍ପାକୁ ଝରିଝୁମ୍ପା କୁହାଯାଉଥିଲା । ବ୍ରହ୍ମନିରୂପଣଗୀତା କାଵ୍ଯରେ ଏ ଶବ୍ଦର ଵ୍ଯଵହାର ଦୃଶ୍ୟ ହୁଏ...

“ଶୋଳକ ସୁମୁତି ହୋଇଛନ୍ତି ଝରିଝମ୍ପା।”

ଏଇଭଳି ଝୁମ୍ପା ଶବ୍ଦର ଅନେକ ଓଡ଼ିଆ ଗ୍ରନ୍ଥରେ ବହୁଳ ଵ୍ଯଵହାର ହୋଇଛି ।

ଝାଲର ଜାତୀୟ ମରାଜି ସାଧାରଣତଃ  ତରଙ୍ଗ ବା ଜାଲ ଆକାରର କାରୁକାର୍ଯ୍ୟ ବିଶିଷ୍ଟ ହେଉଥିଲା ଏବଂ ଏହା ବସ୍ତ୍ରଖଣ୍ଡ ବା ଟୋପି ଇତ୍ୟାଦିରେ ଜାଲଜାଲିଆ ମଶାରି ଭଳି ଦେଖାଯାଉଥିଲା । ଚାନ୍ଦୁଆ ଆଦିର ଝଡ଼ିରେ ଝାଲର ସବୁ  ଓହଳି ଥିଲା । କଵିଵର ରାଧାନାଥ ରାୟ ଏଇ ଅର୍ଥରେ ଝାଲର ଶବ୍ଦର ପ୍ରୟୋଗ ଚିଲିକା ଖଣ୍ଡକାଵ୍ୟରେ କରିଛନ୍ତି
ଯଥା―
“ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ
ଝାଲର ପରାଏ ପତ୍ର ସଙ୍ଗେ ଫୁଲ”

ମୟୁର ଚନ୍ଦ୍ରିକାକୁ ମଧ୍ୟ ଝାଲର କୁହାଯାଏ ପୁଣି ଵିଚ୍ଛିନ୍ନାଞ୍ଚଳ ସିଂହଭୂମିର କଥିତ ଓଡ଼ିଆ ଭାଷାରେ ଏକପ୍ରକାର ଦେଶୀୟ ଧାନକୁ ଝାଲର କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଢେଙ୍କାନାଳ ଗଡ଼ଜାତରେ ପୂଜାପାର୍ଵଣ ସମୟେ ରଙ୍ଗୀନ କାଗଜରେ ପତକା ସହିତ ଵିଭିନ୍ନ ଆକାରର ଆକର୍ଷଣ ଜାଲଜାଲିଆ ଝାଲର ତିଆରି କରି ଲଗାଯାଇଥାଏ ଏଵଂ ତାକୁ ଝାଲର କୁହାଯାଏ ।

ତେଵେ ଏହି ମରାଜି/ଝୁମ୍ପା ଓ ଝାଲର ପାଇଁ ଆଉ କୌଣସି ଶବ୍ଦ ଚଳୁଥିଲେ ନିଶ୍ଚୟ ଜଣାଇଵାକୁ ଅନୁରୋଧ ରହିଲା ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...