ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର ମିଳିଯିଵେ ।
ଵିଚ୍ଛିନ୍ନାଞ୍ଚଳ ଵସ୍ତରରୁ ଆପଣ ଓଡ଼ିଶା ଆଡକୁ ଚାଲିଲେ । ଏଇ ତ ପିଜୁଳି ପାଚିଵା କାଳ ! ସେଠାକାର ଭତ୍ରୀ ଲୋକେ ବଡ଼ ସରଳ ସେମାନେ ଆଦର ସହକାରେ ଆପଣଙ୍କୁ ବେଲାତି ଖାଆନ୍ତୁ କହି ପିଜୁଳି ଖାଇଵାକୁ ଦେଵେ !!!
କ୍ରମଶଃ ଓଡ଼ିଶା ସୀମାରେ ପଶିଲେ ପିଜୁଳି ଫଳର ଶୁଣାଯିଵ ମେଓଆ,ମେଉଆ,ମଇଆ,ମୟା,ମାୟା,ମେଗୁଆ,ମେଘୁଆ,ଜମ୍ରୁଖ୍, ବିଦୁର ଆଦି ଅନେକ ନାଆଁ ! ସୁନ୍ଦରଗଡ଼ରେ ତାମରସ, ଓ ବଣାଇଁର ଲୋକେ ପିଜୁଳିକୁ ବଦାମ୍ କହୁଥିଵାର ଶୁଣିଵାକୁ ପାଇଵେ । ବାମଣ୍ଡାର ଗ୍ରାମାଞ୍ଚଳରେ ମଧ୍ୟ ତମରସ/ଟମରସ ନାମ ଶୁଣିଵେ । ବଲାଙ୍ଗୀରର କଥିତ ଓଡ଼ିଆରେ ପିଜୁଳିକୁ କେଉଁଠି କେଉଁଠି ବିହି,ପେରୁଆ,ପେରୁ ଆଦି ବି କହୁଥିଵା ଜାଣି ଆଚମ୍ବିତ ହେଵେ । ବୌଦ୍ଧ ଜିଲ୍ଲାର କେତେ ସ୍ଥାନରେ ମଧ୍ୟ ପିଜୁଳିକୁ 'ମେଗୁଆ' ହିଁ କହନ୍ତି । ଟିକିଏ ଉତ୍ତର ପୂର୍ଵକୁ ଆସିଲେ କେନ୍ଦୁଝରଗଡ଼ରେ ପିଜୁଳିକୁ ଲୋକେ ବଦାମ କହୁଥିଵାର ଶୁଣିଵାକୁ ମିଳିଥାଏ ପୁଣି ଆନନ୍ଦପୁର ଅଞ୍ଚଳର ଲୋକେ ପିଜୁଳିକୁ 'ଦରଖିଆ' ମଧ୍ୟ କହିଥାନ୍ତି ।
ଆଉଟିକିଏ ଉତ୍ତର ଆଡ଼କୁ ଗଲେ ମୟୂରଭଞ୍ଜ ଅଞ୍ଚଳରେ ପିଜୁଳିକୁ ପେଡା଼ କୁହାଯାଉଥିଵା ଶୁଣିଵାକୁ ପାଇଵେ ପୁଣି ପଡୋ଼ଶୀ ସିଂହଭୂମି ଵିଚ୍ଛିନ୍ନାଞ୍ଚଳ ଆଡୁ଼ ପିଜୁଳିର ଆଉ ଏକ ନାଆଁ ସୋଇତାମ୍ବ ଶୁଣାଯିଵ ।
ମେଦିନୀପୁର ଵିଚ୍ଛିନ୍ନାଞ୍ଚଳକୁ ଗଲେ ସେଠିକାର ଲୋକେ ପିଜୁଳି ଦେଇ ଆପଣଙ୍କୁ ପେରହା ଖାଅନ୍ତୁ ବୋଲି କହିଵେ । ଯଦି ସିଆଡୁ଼ ବାଲେଶ୍ଵର ଆଡ଼କୁ ଫେରନ୍ତି ଆପଣଙ୍କୁ ପିଜୁଳି ଫଳର କ୍ରମଶଃ ପେହେଡ଼ା ,ପେଡ଼ା ,ପେଢ଼ା ଓ ପେଜୁର ଆଦି ନାଆଁ ମିଳିଵ । ପାଖ ଭଦ୍ରକ ଜିଲ୍ଲାରେ ବି ପିଜୁଳି ଫଳର ପେହେଡା ,ପେଏଡା , ପିଜୁରି , ବିଦୁଡି ଆଦି ନାମ ଦେଖି ଆପଣ ଆହୁରି ଵିସ୍ମିତ ହେଵେ। କଟକ ଆଡେ଼ ଆସିଲେ ଲୋକେ କଟକରେ ପିଜୁଳି, ପିଜୁଡ଼ି ,କେଭୁଆ ଓ ବିଦୁଡ଼ୁ ମଧ୍ୟ କହୁଥିଵା ଶୁଣିଵାକୁ ପାଇଵେ । ଖୋର୍ଦ୍ଧା ଜିଲ୍ଲାରେ ଲୋକେ କହିଵେ ନିଅ ନିଅ ଚାଉଳିଆ,ବିଜୁଳଟିଏ ଖାଅ ପଥଶ୍ରାନ୍ତ ଲାଘଵ ହେଵ । ପୁଣି ଯଦି ନୟାଗଡ଼ ଆଡେ଼ ଯିଵେ
ଲୋକେ ଆପଣଙ୍କୁ ପିଜୁଳିର ଫୁଗୁଡି଼,ଜାମି,ଦାଳିଖିଆ,ଡାଳିଖିଆ ଆଦି ନାଆଁ ସବୁ ଶୁଣେଇଵେ ।
ହିନ୍ଦୋଳଗଡ଼ରେ ପଶିଲାଵେଳକୁ ପିଜୁଳିର ନାଆଁ ନେହୁଆ ହେଇଯାଇଥିଵ ପୁଣି ଢେଙ୍କାନାଳ ଗଡ଼ଜାତର ଲୋକେ ପିଜୁଳିକୁ ବିଜୁଳି କହୁଥିଵାର ଶୁଣିଲେ ଆପଣଙ୍କର ଵର୍ଷାରାଣୀ
ଓ ଇର୍ମଦ କଥା ମନେ ପଡି଼ଯିଵ । ସେଇଭଳି ମଢି଼ ଵା ଆଧୁନିକ କାମାକ୍ଷାନଗରର ନିପଟ ମଫସଲିଆ ଗାଆଁରେ ଶୁଣାଯିଵ ପିଜୁଳିର ଲୋକପ୍ରିୟ ନାଆଁ ପିଆରା ।
ସେଠାରୁ ଆଗକୁ ଅନୁଗୋଳ ଆଡକୁ ଗଲେ ଲୋକେ ପିଜୁଳିର ପିଚୁଡ଼,ଲକାମ ଆଦି ନାଆଁ କହିଵେ ପୁଣି ଯଦି
ଆପଣ ଗଞ୍ଜାମ,ଗଜପତି ଓ ଅଵିଭକ୍ତ କୋରାପୁଟ ଆଡ଼କୁ ଯଦି ଯାଆନ୍ତି ତେଵେ ସେ ଅଞ୍ଚଳରେ ପିଜୁଳିକୁ ଜାମୁ,ଜାମି,ଜାହ୍ମି,ଜାହ୍ମ,ଜାମ୍ବ,ନେଉଆ ଓ ପିଦୁରି ଆଦି ନାଆଁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇ ଭାଵିଵେ ଗୋଟିଏ ଫଳର ଏତେ ନାଆଁ ?
କିନ୍ତୁ ଆପଣ କଣ୍ ଓଡ଼ିଶାର ସବୁ ଗାଆଁକୁ ଯାଇପାରିଵେ ? ଯଦି ଯାଇପାରନ୍ତେ ତ ପିଜୁଳିର ଆହୁରି ଶତାଧିକ ନାଆଁ ଦେଖି କେତେ ଅଭିଭୂତ ନହୁଅନ୍ତେ ସତେ !!!
ହେଲେ ଏ ତ ଭାରତଵର୍ଷର କେଵଳ ପୂର୍ଵାଞ୍ଚଳର କଥା ସାରା ଭାରତରେ ପିଜୁଳି ପାଇଁ ସହସ୍ର ସହସ୍ର ନାଆଁ ଚଳୁଅଛି । ଆଜି କଳିଙ୍ଗ ଦେଶଟା ସାରା ବୁଲି ବୁଲି କେତେ ନାଆଁରେ ପିଜୁଳି ଖାଇଲେଣି । ଆଉ ଦିନେ ଭାରତ ସାରା ବୁଲି ବୁଲି କି ପିଜୁଳି ଖାଇଵା ।
ଓଡ଼ିଶାଟା ବହୁତ ବଡ଼ ଆମ କଣ୍ ସବୁ ଅଞ୍ଚଳ ବୁଲାପାରିଥାନ୍ତୁ ? ଯେଉଁ ଅଞ୍ଚଳକୁ ଯାଇପାରିନାହୁଁ ସେଠିକା ଲୋକ ତାଙ୍କ ଅଞ୍ଚଳରେ ପିଜୁଳିଫଳକୁ କଣ୍ କୁହନ୍ତି ଜଣାନ୍ତେ ବୋଲେ ବି ସେପଟରୁ ଗୋଟିଏ ପିଜୁଳି ମିଳିଲା ବୋଲି ଵିଚାର କରନ୍ତୁ !!!
ନା କଣ୍ ସାଙ୍ଗମାନେ ଠିକ୍ କହିଲୁ ନା ?
No comments:
Post a Comment