ସଂସ୍କୃତ ଶବ୍ଦସାଗରରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ ଓ ମୋ ସମାନ (ଈଶ୍ଵର) ଲେଖାଅଛି । କେପେଲର୍ଙ୍କ ଅଭିଧାନରେ ମନ୍ମୟର ଅର୍ଥ ମୋରୁ ଉତ୍ପନ୍ନ, ମୋରୁ ନିର୍ମିତ ଉଲ୍ଲେଖ ଅଛି । ୟେଟ୍ସ୍ଙ୍କ ସଂସ୍କୃତ କୋଷରେ ମନ୍ମୟର ଅର୍ଥ ମୋରୁ ପୂର୍ଣ୍ଣ (ଈଶ୍ଵର) ଉଲ୍ଲେଖ ଅଛି । ଉଇଲ୍ସନ୍ ମଧ୍ୟ ତାଙ୍କର ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ, ମୋ ସମାନ (ଈଶ୍ଵର) ଲେଖିଛନ୍ତି । ମୋନିଅର୍ ଉଇଲିୟମ୍ସ୍ କୋଲୋନ୍ଙ୍କ ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ନିର୍ମିତ, ମୋରୁ ଉତ୍ପନ୍ନ, ମୋରୁ ପୂର୍ଣ୍ଣ, ମୋ ସମାନ ଆଦି ଲେଖାଯାଇଛି । ବେନ୍ଫେଙ୍କ ସଂସ୍କୃତ କୋଷରେ ମନ୍ମୟ ଶବ୍ଦର ଅର୍ଥ ମୋରୁ ପୂର୍ଣ୍ଣ, ମୋ ସହିତ ସଂଲଗ୍ନ ଲେଖାଯାଇଛି ।
ଅଧିକାଂଶ ଶବ୍ଦକୋଷରେ ମନ୍ମୟ ଶବ୍ଦର ନିରୁକ୍ତି — ମତ୍ (ମୋରୁ, ପ୍ରଥମ ପୁରୁଷ ସର୍ଵନାମ) ଓ ମୟଟ୍ (ମୟ) ପ୍ରତ୍ୟୟର ସଂଯୋଗ ରୂପେ ଉଲ୍ଲେଖ କରାଯାଇଛି।
ତେଣୁ “ମନ୍ମୟ” ଶବ୍ଦଟି ଦୁଇଟି ଉପାଦାନରୁ ଗଠିତ ବୋଲି ଧାରଣା ସ୍ପଷ୍ଟ ହୁଏ ।
ମତ୍ ଏକ ସର୍ଵନାମ ଏଵଂ “ମଦ୍” (ମୁଁ)ର ଷଷ୍ଠୀ ଵିଭକ୍ତି ରୂପ (ମୋର) ଅଟେ। ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ, ସର୍ଵନାମର ଵିଭକ୍ତି ଗଠନ ସୂତ୍ର ୭.୨.୮୮–୭.୨.୧୧୫ (“ସର୍ଵାଦୀନି ସର୍ଵନାମାନି”) ଅନୁସାରେ ହୁଏ। ଏଠାରେ “ମଦ୍”ରୁ “ମତ୍” ଷଷ୍ଠୀ ଏକଵଚନରେ ଗଠିତ ହୋଇଛି ।
ସେହିପରି ମୟଟ୍ ଏକ ତଦ୍ଧିତ ପ୍ରତ୍ୟୟ,
ଯାହା ପାଣିନୀଙ୍କ ସୂତ୍ର ୫.୩.୫୫ (“ମୟଟ୍ଚ”) ଅନୁସାରେ ଯୋଗ ହୁଏ। ଏହି ପ୍ରତ୍ୟୟ “ପ୍ରାଚୁର୍ଯ୍ୟ” (ପୂର୍ଣ୍ଣତା), “ସାଦୃଶ୍ୟ” (ସମାନତା), କିମ୍ବା “ଉତ୍ପତ୍ତି” (ସମ୍ବନ୍ଧ) ଅର୍ଥ ପ୍ରକାଶ କରେ। “ମୟଟ୍” ପ୍ରତ୍ୟୟ ଯୋଗ ହେଲେ ଶବ୍ଦଟି ଵିଶେଷଣ (ଅଦନ୍ତ) ହୁଏ, ଯାହା ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ଓ ନପୁଂସକଲିଙ୍ଗରେ ଵ୍ୟଵହୃତ ହୁଏ (ମନ୍ମୟଃ, ମନ୍ମୟା, ମନ୍ମୟଂ)।
ଅଷ୍ଟାଧ୍ୟାୟୀର ସୂତ୍ର ୪.୧.୮୩ (“ପ୍ରାଗ୍ଦୀଵ୍ୟତୋ ଽଣ୍”) ଓ ୫.୩.୫୫ ଅନୁସାରେ, “ମୟଟ୍” ପ୍ରତ୍ୟୟ ଯୋଗ ଦ୍ୱାରା “ମନ୍ମୟ” ଶବ୍ଦ ଗଠିତ ହୁଏ । “ମନ୍ମୟ” ଶବ୍ଦଟି ଵିଭିନ୍ନ ସଂସ୍କୃତ ଶାସ୍ତ୍ର ଓ କୋଶ (ଅମରକୋଶ, ମୋନିଅର-ୱିଲିୟମ୍ସ, କେପେଲର ଆଦି) ଅନୁସାରେ ମୁଖ୍ୟତଃ ତିନୋଟି ଅର୍ଥରେ ପ୍ରୟୋଗ କରାଯାଏ : ମୋରେ ପୂର୍ଣ୍ଣ,ମୋ ସାଦୃଶ୍ୟ ଓ ଓ ମୋଠାରୁ ଉତ୍ପନ୍ନ ।
ମନ୍ମୟ ଶବ୍ଦଟି “ମୋରେ ପୂର୍ଣ୍ଣ” (Full of me) ଅର୍ଥରେ ଭଗଵଦ୍ଗୀତା (୪.୧୦)ରେ ପ୍ରୟୋଗ ହୋଇଛି । ଭଗଵଦ୍ଗୀତା (୪.୧୦)ରେ ଭକ୍ତିଯୋଗ ସମ୍ବନ୍ଧରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି:
"ଵୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ।
ବହଵୋ ଜ୍ଞାନତପସା ପୂତା ମଦ୍ଭାଵମାଗତାଃ।।"
ଅର୍ଥାତ୍ ଯେଉଁମାନେ ରାଗ, ଭୟ ଓ କ୍ରୋଧରୁ ମୁକ୍ତ, ମୋ’ ଚିନ୍ତାରେ ନିମଗ୍ନ, ମୋ’ ଉପରେ ନିର୍ଭରଶୀଳ ଏଵଂ ଜ୍ଞାନ ଓ ତପସ୍ୟା ଦ୍ୱାରା ଶୁଦ୍ଧ ହୋଇଛନ୍ତି, ସେମାନେ ମୋ’ ଭାବରେ (ମଦ୍ଭାବ) ପ୍ରାପ୍ତ ହୋଇଛନ୍ତି। ଏହି ଶ୍ଲୋକରେ "ମନ୍ମୟ" ଶବ୍ଦର ଅର୍ଥ ହେଉଛି "ମୋ’ ଚିନ୍ତାରେ ନିମଗ୍ନ" ଵା "ଈଶ୍ୱରଙ୍କ ଚିନ୍ତା ଓ ଭାବନାରେ ପୂର୍ଣ୍ଣ"। ଏହା ସୂଚାଏ ଯେ ଭକ୍ତଙ୍କର ମନ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କୁ ସମର୍ପିତ ଏଵଂ ସେମାନେ ତାଙ୍କର ସ୍ମରଣ, ଭକ୍ତି ଓ ସେଵାରେ ଲୀନ ହୋଇଥାଆନ୍ତି।
ଏତଦଵ୍ୟତୀତ ମୋ ପରି ଓ ମୋରୁ ଉତ୍ପନ୍ନ ଅର୍ଥରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଏ ।
ଅଷ୍ଟାଧ୍ୟାୟୀର ସୂତ୍ର ୫.୩.୫୫ (“ମୟଟ୍ଚ”) ଅନୁସାରେ “ମୟଟ୍” ପ୍ରତ୍ୟୟ ପ୍ରାଚୁର୍ଯ୍ୟ, ସାଦୃଶ୍ୟ, ଓ ସମ୍ବନ୍ଧ ଅର୍ଥ ପ୍ରକାଶ କରେ। ତେଣୁ “ମନ୍ମୟ”ର ତିନୋଟି ଅର୍ଥ (ପୂର୍ଣ୍ଣତା, ସମାନତା, ଉତ୍ପତ୍ତି) ଵ୍ୟାକରଣିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ। ସୂତ୍ର ୧.୧.୬୬ (“ତସ୍ମାଦିତ୍ୟୁତ୍ତରଂ କର୍ମ”) ଅନୁସାରେ, “ମତ୍” (ମୋର) ଏକ ସର୍ଵନାମ ଭାବେ ଈଶ୍ୱରଙ୍କୁ ସୂଚାଏ, ଯାହା ଶବ୍ଦର ଅର୍ଥକୁ ଆଧ୍ୟାତ୍ମିକ ସନ୍ଦର୍ଭରେ ସ୍ଥାପନ କରେ। ସୂତ୍ର ୫.୪.୫୦ (“ତଦ୍ଭାବୋଽପ୍ରତ୍ୟୟେ”) ସାଦୃଶ୍ୟ ଓ ପ୍ରାଚୁର୍ଯ୍ୟ ଅର୍ଥକୁ ସମର୍ଥନ କରେ ତେଣୁ “ମନ୍ମୟ” ଶବ୍ଦ ଈଶ୍ୱରଙ୍କ ସହ ସାମଞ୍ଜସ୍ୟ ଵା ପୂର୍ଣ୍ଣତା ଦର୍ଶାଏ।
ଭଗଵଦ୍ଗୀତାରେ ପ୍ରୟୋଗ ହୋଇଥିଲେ ମଧ୍ୟ ଏ ଶବ୍ଦ ଏହାର ଉଚ୍ଚ ଆଧ୍ୟାତ୍ମିକ ଅର୍ଥ ଯୋଗୁଁ ଅନ୍ୟାନ୍ୟ ସାହିତ୍ୟରେ ବହୁତ କମ୍ ପ୍ରୟୋଗ ହୋଇଅଛି । ପ୍ରସିଦ୍ଧ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ପ୍ରୟୋଗ ହୋଇଥିଵାର ପ୍ରମାଣ ମିଳେ ନାହିଁ । ତଥାପି ଆଜିକାଲି ଲୋକେ ଏ ଶବ୍ଦ ଵ୍ୟଵହାର କରି ନିଜ ସନ୍ତାନମାନଙ୍କର ନାମକରଣ କରୁଅଛନ୍ତି ।
No comments:
Post a Comment