Monday, December 23, 2019

हेरना ଓ ହେରା

ହିନ୍ଦିବେଲ୍ଟର ବିଭିନ୍ନ ଭାଷାରେ (ବିଶେଷତଃ ଭୋଜପୁରୀରେ) ଦେଖିବା ଅର୍ଥରେ ताकना,लुकना ଓ हेरना ଆଦି ଶବ୍ଦ ଚଳେ ଯାହାର ସମଧୃତ ଓଡ଼ିଆଶବ୍ଦ ଗୁଡ଼ିକ ପୁରାତନକାଳରେ ବ୍ଯବହାର ହେଉଥିଲେ ହେଁ ଏବେ ମାତ୍ର ସାହିତ୍ୟରେ ହିଁ ସୀମିତ ରହିଯାଇଛି ! ଭୋଜପୁରୀର ହେରନା ଶବ୍ଦ ପରି ହେରଣ,ହେରଣା ଓ ହେରା ଆଦି ଶବ୍ଦ ଯେ ଓଡ଼ିଆ ଭାଷାର ପ୍ରାଚୀନ ପଦ୍ଯରେ ବ୍ଯବହାର ହେଉଥିଲା ତାହା ବହୁତ କମ୍ ଓଡ଼ିଆଙ୍କୁ ଜଣାଥିବ ! ଏଠାରେ ହେରା ଶବ୍ଦକୁ ଉଦାହରଣ ଭାବରେ ନିଆଯାଇପାରେ ! ରଥଯାତ୍ରା ପରେ ହେରାପଞ୍ଚମୀ ହୁଏ ! ଲକ୍ଷ୍ମୀଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କୁ ଲୁଚି ଦେଖିବାକୁ ଯାଅନ୍ତି ବୋଲି ଏହି ଦିନକୁ ହେରାପଞ୍ଚମୀ କୁହାଯାଏ ! ତାକନା ଶବ୍ଦ ଭଳି ଓଡ଼ିଆଭାଷାରେ ବହୁ ପୁରାତନକାଳରୁ ତକାଇବା ଶବ୍ଦ ଚଳିଆସୁଛି ! ସେହିଭଳି ଭୋଜପୁରୀର ଲୋକନା ଶବ୍ଦର କିଛି ସମଧୃତ ଓଡ଼ିଆ ଶବ୍ଦ  ହେଲା :- ଲୋକନ,ଲୋକିବା,ଲୋକିତ,ଲୋକାଲୋକ ଇତ୍ଯାଦି ! ଇଂରାଜୀର look ଶବ୍ଦ ସହିତ ଲୋକ୍ ଧାତୁ ତଥା ଲୋକିବା ଓ ଲୋକନା ଆଦି ଶବ୍ଦର ସମଧୃତଗତ ସଂପର୍କ ଥାଇପାରେ ! ଏ ଶବ୍ଦ ସହିତ ସମଧୃତ ଆଉକିଛି ଶବ୍ଦ ହେଲା:-ସମାଲୋକ(ଉତ୍ତମ ରୂପେ ଦେଖିବା),ବିଲୋକନ କରିବା,ଅବଲୋକନ କରିବା,ଲୋକ କରିବା ଓ ଆଲୋକନ ଇତ୍ଯାଦି ।  ତେବେ ଓଡ଼ିଆଭାଷାରେ ଦେଖିବା ଅର୍ଥରେ କ୍ରିୟା ଶବ୍ଦର ଆଦୌ ଅଭାବ ନାହିଁ ! ଆମେ କଥିତ ହେଉ କି ଲିଖିତ ଭାଷା ଦେଖିବା କ୍ରିୟା ଶବ୍ଦର ବହୁଳ ବ୍ଯବହାର କରନ୍ତି ! ଏହି ଦେଖିବା ଶବ୍ଦଟି ଦୃଶ୍ ଧାତୁ ସହ ସମଧୃତ ବୋଲି ମତ ଦିଆଯାଏ । ଏଣୁ ନିମ୍ନଲିଖିତ ଓଡ଼ିଆ କ୍ରିୟା ଶବ୍ଦ ଗୁଡ଼ିକୁ ଦେଖିବା ଶବ୍ଦ ସମ୍ପର୍କିତ ମାନାଯାଇପାରେ;ଦରଶ(ର୍ଶ)ନ କରିବା(ପାଇବା),ଦୃଷ୍ଟି କରିବା(ଦେବା),ଦୃଷ୍ଟିପାତ କରିବା,ଦେଖୁଣି,ସମ୍ଯକ ଦୃଷ୍ଟି ଇତ୍ଯାଦି ! ଦେଖିବା ଶବ୍ଦ ପରେ (ଓଡ଼ିଆଭାଷାରେ) ସେଇ ଅର୍ଥରେ ଚାହିଁବା ଶବ୍ଦଟି ଚଳୁଛି ! ଏହା ଶାସ୍ତ୍ରୀୟ ଚାୟ୍ ଧାତୁ ସହ ସମଧୃତ ବୋଲି ଭାଷାକୋଷରୁ ଜଣାଯାଏ !  ଆଖିରେ ଦେଖାଯାଏ ବୋଲି ଦେଖିବା ଅର୍ଥରେ ଆଖେଇବା ଓ ଆଖି ପକେଇବାର ବ୍ଯବହାର ଦେଖାଯାଏ ! ଓଡ଼ିଆ ଭାଷାରେ ଅନା,ଅନେଇବା ଓ ହନେଇବା ଆଦି ଶବ୍ଦ ଦେଖିବା ଅର୍ଥରେ ବହୁଳ ବ୍ଯବହାର ସମସ୍ତେ କରିଥିବେ !  ଦେଖିବା ଅର୍ଥରେ ଆଉକିଛି ନିଆରା କ୍ରିୟା ଶବ୍ଦ ରହିଛି ଯେଉଁଗୁଡ଼ିକ ସାହିତ୍ଯ କ୍ଷେତ୍ରରେ ବହୁଳ ବ୍ଯବହାର ହୋଇଥାଏ ! ଯଥା:-ନିଫାଳନ,ବିଲକ୍ଷିବା,ପ୍ରେକ୍ଷଣା,ନିରୀକ୍ଷଣ କରିବା,ପ୍ରମାଣିବା,ନେତ୍ର ଗୋଚର କରିବା,ପ୍ରତାଳିବା,ଡୋଳା ବୁଲାଇବା,ଅବଲୋକିବା ଓ ସନ୍ଦର୍ଶନ ଇତ୍ଯାଦି !  ଅତି ସୂକ୍ଷ୍ମ ଦୃଶ୍ଟିରେ କୌଣସି ପଦାର୍ଥ ବା ବ୍ଯକ୍ତିକୁ ଦେଖିବା ପାଇଁ ମଧ୍ଯ ଓଡ଼ିଆଭାଷାରେ ଅନେକ ଶବ୍ଦ ଚଳୁଅଛି ଯେମିତିକି:-ନିଖାରିବା,ନିରିଖିବା,ପ୍ରତାଳ ବା ପ୍ରତାଳିବା,ଲକ୍ଷିବା ଓ ଚିହ୍ନିବା  ଇତ୍ଯାଦି ! ସେହିପରି ଲୁଚି କି ଦେଖିବା ପାଇଁ ଓଡ଼ିଆକ୍ରିୟା ଶବ୍ଦଟେ ଚଳେ-ଉଙ୍କିବା ! ସୂଚନା ଥାଉ କି ଉପରୋକ୍ତ ଶବ୍ଦ ଗୁଡ଼ିକ କେବଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ନିଆଯାଇଛି କିନ୍ତୁ ଓଡ଼ିଆଭାଷାର ବିଶାଳ ଶବ୍ଦ ଭଣ୍ଡାରରେ ଦେଖିବା ଅର୍ଥ ସମ୍ବନ୍ଧିତ ଆହୁରି ଅନେକ  କ୍ରିୟା ଶବ୍ଦ ଥାଇପାରେ !

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...