କିଛି ଲୋକ କୁହନ୍ତି ଅନ୍ୟ ଭାଷାରୁ ଶବ୍ଦ ଆଣି ଵ୍ଯଵହାର ହେଵା ଉଚିତ ଆମ ଭାଷା ସମୃଦ୍ଧ ହେଵ ।
ଯେଉଁ ଭାଷାରେ ଶବ୍ଦ ନଥାଏ ସେ ସିନା ବାହାରୁ ଶବ୍ଦ ଆଣିଲେ ସମୃଦ୍ଧ ହେଵ କିନ୍ତୁ ଯେଉଁ ଭାଷା ପାଖରେ କୋଟି କୋଟି ଶବ୍ଦ ଥିଵ,ଯେଉଁ ଭାଷା ପାଖରେ ନୂତନ ଵୈଜ୍ଞାନିକ ଶବ୍ଦ ସୃଷ୍ଟିର ଅତୁଳନୀୟ ସାମର୍ଥ୍ୟ ଥିଵ ସେ ବି ଯଦି ଅନ୍ୟଠାରୁ ଶବ୍ଦ ଆଣେ ତାହେଲେ କଣ୍ ହଵ ?
ଆଜିକାଲି ଯେଉଁ ଭଳି ଭାଵେ ଗଣମାଧ୍ୟମରେ ଵୈଦେଶିକ ଶବ୍ଦ ଵ୍ଯଵହାର ହେଉଛି ତାହା ଭଵିଷ୍ଯତରେ ଓଡ଼ିଆ ଭାଷାର ବହୁତ କ୍ଷତି କରିଵ । ଏଇଭଳି ଭାଵେ ଵୈଦେଶିକ ଶବ୍ଦକୁ ଗୁରୁତ୍ୱ ଦେଇ ଆମେ ଆମ ନିଜ ଶବ୍ଦଗୁଡି଼କର ତଣ୍ଟି ଚିପି ନିଜେ ନିଜ ହାତରେ ମାରି ଦେଉଛନ୍ତି ମାରିଦେଇଛନ୍ତି ।
ଆଇନା/ଅଇନା ଯୋଗୁଁ ଓଡ଼ିଶାର ଆରସି ଶବ୍ଦଟି ସଂପୂର୍ଣ୍ଣ ମରି ହଜିଗଲା କିଂଵା ଏମନ୍ତ କହିଲେ ଆହୁରି ଭଲ ଶୁଭିଵ ଯେ ଆମେ ହିଁ ତାହାର ଗଳା ଚିପି ତାକୁ ମାରିଦେଇଛନ୍ତି । ସେମିତି ଆମେ ସାହିତ୍ୟରେ ସୀମିତ କରିଦେଲେ ଦର୍ପଣ,ମୁକୁର ଇତ୍ୟାଦି ତତ୍ସମ ଶବ୍ଦ । ତେଵେ ଓଡ଼ିଶାର କେତେକ ଗ୍ରାମାଞ୍ଚଳରେ ଦର୍ପଣ ଵା ଦରପଣ ଶବ୍ଦ ଆଜି ବି ଅଳ୍ପ ବହୁତେ ଚଳୁଅଛି ହେଲେ କେତେ ଦିନ ? ଵର୍ତ୍ତମାନ ଯୁଗର ଲୋକେ ତ ଇଂରାଜୀ ମିରର୍ ଶବ୍ଦ ବହେ ଵ୍ଯଵହାର କରୁଥିଵା ଦେଖାଯାଉଛି ! ଦିନ ଆସିଵ ଦର୍ପଣ ଶବ୍ଦ ବି ଲୋକମୁଖରୁ ହଜିଯାଇ ପ୍ରାଚୀନ ସାହିତ୍ୟ ଓ ଅଭିଧାନରେ ପଡି଼ରହିଵ ...
ତେଵେ ଏଇ ଆରସି ଶବ୍ଦଟି ସଂସ୍କୃତ ଆଦର୍ଶ ଶବ୍ଦ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀପ୍ରହରାଜ ଉଲ୍ଲେଖ କରିଅଛନ୍ତି ।
ଆ ଶବ୍ଦରେ ଦୃଶ୍ ଧାତୁକୁ ଦେଖିଵା ଅର୍ଥରେ ଆଦର୍ଶ ଶବ୍ଦକୁ ନିଷ୍ପନ୍ନ କରାଯାଇଛି । ଯହିଁରେ କୌଣସି ବସ୍ତୁ ଦେଖାଯାଏ ତାହା ଆଦର୍ଶ । ଏହି ଆଦର୍ଶ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ଆରସି ।
ଆଦର୍ଶ ଭଳି ଦର୍ପଣ ପାଇଁ ଆମ ଦେଶରେ ଅନେକ ଶବ୍ଦ ଵ୍ଯଵହୃତ ହେଉଥିଲା । ନିମ୍ନରେ କେତୋଟି ଶବ୍ଦର ଉଦାହରଣ ଦିଆଗଲା...
ଦର୍ପଣ ଶବ୍ଦ ସାରା ଭାରତରେ ଆଇନା ଵା mirror ଭଳି ଵୈଦେଶିକ ଶବ୍ଦର ସର୍ଵତ୍ର ବହୁପ୍ରଚଳିତ ହେଵାର ମୁଖ୍ୟ ଵାଧକ ହୋଇପାରିଛି । ଏଇ ଲୋକପ୍ରିୟ ଭାରତୀୟ ଶବ୍ଦକୁ ଦୃପ୍ ଧାତୁରୁ ଦୀପ୍ତି କରିଵା ଅର୍ଥରେ ଅନ ପରପ୍ରତ୍ଯୟ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି । ଦର୍ପଣ ଶବ୍ଦଟି ଦକ୍ଷିଣ ଭାରତରେ ମଧ୍ୟ ଅଳ୍ପାଧିକେ ଚଳୁଅଛି । ବେଲୁର ଅଞ୍ଚଳରେ ଅଵସ୍ଥିତ ଚେନ୍ନେକେଶ୍ଵର ମନ୍ଦିରର ଏକ ସ୍ତ୍ରୀ ରୂପା ମୂର୍ତ୍ତିକୁ ଦର୍ପଣସୁନ୍ଦରୀ ନାମକରଣ କରାଯିଵା ତାହାର ଅନ୍ଯତମ ଉଦାହରଣ ।
କର୍କ,କର୍କର,
କର୍କ ଶବ୍ଦର ଅର୍ଥ ସୌନ୍ଦର୍ଯ୍ୟ ଏଵଂ ଏ ଶବ୍ଦରେ
ରା ଧାତୁକୁ ଗ୍ରହଣ କରିଵା ଅର୍ଥରେ ଵ୍ଯଵହାର କରି କର୍କ ଓ କର୍କର ଶବ୍ଦ ନିଷ୍ପନ କରାଯାଇଛି । ଯାହା ସମ୍ମୁଖରେ ଥିଵା ଵସ୍ତୁର ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରେ ତାହା କର୍କ ଓ କର୍କର । ଜଳ ଓ ଜଳଘଟକୁ ମଧ୍ୟ ଏହି ହେତୁରୁ କର୍କ କୁହାଯାଏ କାରଣ ସ୍ଵଚ୍ଛ ଜଳ ବହୁ ପ୍ରାଚୀନ କାଳରୁ ମନୁଷ୍ୟମାନଙ୍କ ପାଇଁ ଦର୍ପଣ ସମ କାର୍ଯ୍ୟରେ ଲାଗୁଥିଲା ।
ଦର୍ପଣକୁ କୁରୁଵିନ୍ଦ ମଧ୍ୟ କୁହାଯାଏ । କୁରୁ ଶବ୍ଦର ଅର୍ଥ କୁରୁଦେଶ ଏଵଂ ଵିନ୍ଦ ଧାତୁକୁ ପାଇଵା ଅର୍ଥରେ ଯୁକ୍ତ କରି କୁରୁଵିନ୍ଦ ଶବ୍ଦକୁ ନିଷ୍ପନ୍ନ କରାଯାଇଛି । ଯାହା କୁରୁଦେଶରେ ମିଳେ ତାହା କୁରୁଵିନ୍ଦ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀନ କୁରୁଦେଶ ଦୁଇ ଭାଗରେ ଵିଭକ୍ତ ଥିଲା—
୧)ଉତ୍ତରକୁରୁ—
ହିମାଳୟର ଉତ୍ତରରେ ଅଵସ୍ଥିତ #ତିବ୍ବତ ଓ ପାରସ୍ଯାଦି ଅଞ୍ଚଳ
୨)ଦକ୍ଷିଣକୁରୁ—
ହିମାଳୟର ଦକ୍ଷିଣରେ ଅଵସ୍ଥିତ #ପାଞ୍ଚାଳାଦି ଅଞ୍ଚଳ
ବୋଧହୁଏ ଭାରତଵର୍ଷରେ ପ୍ରଥମେ କରୁଦେଶରେ ଦର୍ପଣର ପ୍ରଚଳନ ହୋଇଥିଲା ଏଵଂ ସେହି କଥାକୁ ସ୍ପଷ୍ଟ କରୁଅଛି କୁରୁଵିନ୍ଦ ଶବ୍ଦର ନିରୁକ୍ତି ।
ଦର୍ପଣକୁ ଛାୟାଗ୍ରହ ବି କୁହନ୍ତି । ଛାୟା ଶବ୍ଦକୁ ପ୍ରତିଵିମ୍ବ ଅର୍ଥରେ ଗ୍ରହ ଧାତୁ ସହ ଯୁକ୍ତ କରି ଛାୟାଗ୍ରହ ଶବ୍ଦକୁ ଦର୍ପଣ ଅର୍ଥରେ ନିଷ୍ପନ୍ନ କରାଯାଇଛି । ଯେ ଵସ୍ତୁରୁ ପ୍ରତିଵିମ୍ବ ଗ୍ରହଣ କରେ ସେ ଛାୟାଗ୍ରହ ଅର୍ଥାତ୍ ଦର୍ପଣ ।
ଦର୍ପଣକୁ ମକୁର ଵା ମୁକୁର ମଧ୍ୟ କୁହାଯାଏ । ଏ ଶବ୍ଦକୁ ମନ୍କ୍ ଧାତୁରୁ ଭୂଷିତ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ସେଇଭଳି ଦର୍ପଣର ଅନ୍ଯତମ ପ୍ରତିଶବ୍ଦ ଭାଵେ ମନ୍ଦର ଶବ୍ଦ ମଧ୍ୟ ସାହିତ୍ଯରେ ଵ୍ଯଵହାର ହୁଏ ଯାହା ମନ୍ଥ ଧାତୁକୁ ପ୍ରକାଶ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ଦର୍ପଣ ସତ୍ଯ ପ୍ରକାଶ କରିଥାଏ ସେଥିପାଇଁ ତାକୁ ମନ୍ଦର କୁହାଯାଏ ।
ଏତଦ୍ବ୍ୟତୀତ ଦର୍ପଣର ଯେଉଁ ଉଲ୍ଲେଖଯୋଗ୍ୟ ପର୍ଯ୍ୟାୟଵାଚକ ପ୍ରତିଶବ୍ଦଗୁଡ଼ିକ ଭାରତୀୟ ସାହିତ୍ୟରେ ଵ୍ଯଵହାର ହୋଇଥାଏ ତାହା ନିମ୍ନରେ ପ୍ରଦାନ କରାଗଲା...
(ଶାସ୍ତ୍ରୀୟ ଭାରତୀୟ ଭାଷା)
●ସମ୍ମୁଖୀ
●ସୁମୁଖି
●ମାତ୍ରା
●ଦର୍ପଣିକା
●ମଙ୍କୁର
●ସ୍ଵସ୍ତ୍ଯାତ୍ରେୟ
●ଆତ୍ମଦର୍ଶ
●ଆଦର୍ଶକ
●ବିମ୍ବ
●ପ୍ରତିବିମ୍ବକ
● ମଣ୍ଡଳକ
(ଉତ୍ତର ଓ ଦକ୍ଷିଣ ଭାରତୀୟ ତଥା ଜନଜାତୀୟ ଭାଷା)
କୁଈ ଭାଷା―ଡିଟି
ଖଡି଼ଆ―ଦରପନ୍
ମୁଣ୍ଡା―ନେପେଲ୍
ଓରାଂ―ଦର୍ପନ
କୋୟା―ଆଦ୍'ଧାମ୍
କନ୍ନଡ଼―କନ୍ନଡି଼
ହିନ୍ଦୀ―ଶୀଶା
ତାମିଳ―ଉରୁବାଟି
ତେଲୁଗୁ―ଅଦ୍ଦମୁ,ଦର୍ପଣମୁ
ଗୁଜରାଟୀ―ଅରିସୋ,ଦର୍ପଣ,
କୋଙ୍କଣୀ―କାନ୍ନଡି
ମଳୟାଳମ―କଣ୍ଣାଟି
ସାନ୍ତାଳୀ―ᱟᱹᱨᱥᱤ (ărsi)
No comments:
Post a Comment