ପଶ୍ଚିମ ଓଡ଼ିଶାରେ ଏହା/ଏହି ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ଵ୍ଯକ୍ତି ଵା ଵସ୍ତୁକୁ ଉପଲକ୍ଷେ ‛ଇ’ ଶବ୍ଦ ପ୍ରୟୋଗ ହୁଏ ।
ଯଥା―
“ମାଁ ବାପା ଇ ଦୁନିଆଥିନ୍ ବଡ ସମ୍ପତି ଆଏ ।”
ଠିକ୍ ସେଇଭଳି ପୂର୍ଵ ଓଡ଼ିଶାରେ ମଧ୍ୟ ‘ଏ’ ଶବ୍ଦର ଵ୍ଯଵହାର ରହିଛି ।
ଯଥା―
“ଏ ଲୋକଟା ମେତେ ବଡ୍ଡ ହୀନସ୍ତା କଲାଣି ହୋ ! ”
ତେଵେ ମାନକ ଓଡ଼ିଆରେ ପଶ୍ଚିମ ଓଡ଼ିଶାର ‛ଇ’ ଏଵଂ ପୂର୍ଵ ଓଡ଼ିଶାର ‛ଏ’ କୁ ଏକତ୍ର ଯୋଡି଼ ‛ଇଏ’ ଶବ୍ଦର ଵ୍ଯଵହାର ପ୍ରଚଳିତ ହୋଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ପଶ୍ଚିମ ଓଡ଼ିଶାର ‛ଇ’ ସର୍ଵନାମ ଶବ୍ଦଟି ସଂସ୍କୃତ ‛ଇଦମ୍’ ସହିତ ସମଦ୍ଧୃତ ସେଇଭଳି ପୂର୍ଵ ଓଡ଼ିଶାରେ ଵ୍ଯଵହୃତ ‛ଏ’ ସର୍ଵନାମଟି ଏତଦ୍ ସହିତ ସମଦ୍ଧୃତ ଅଟଇ ।
ମାନକ ଓଡ଼ିଆଭାଷାରେ “ଇଏ” ଶବ୍ଦର ଜୀଵିତ ଵସ୍ତୁ ପ୍ରତି ଵ୍ଯଵହାର ଅଧିକ ତେଵେ “ଇଏ ବୋଧେ ପ୍ରେମ”,“ଇଏ କି ପ୍ରକାରର କଥା” ଇତ୍ୟାଦି ଵାକ୍ଯଲିଖନ ସମୟରେ ମଧ୍ୟ ଏହାର ଵ୍ଯଵହାର ହେଉଥିଵା ଦୃଷ୍ଟିଗୋଚର ହୋଇଥାଏ ।
ସେଇଭଳି ସଂସ୍କୃତ ଏଷଃ ଶବ୍ଦ ସହିତ ସମଦ୍ଧୃତ
'ଏହା' ଶବ୍ଦଟି ପଦାର୍ଥକୁ ଲକ୍ଷ୍ଯକରି ଵ୍ଯଵହୃତ ହୁଏ; ‛ଏହି’ ଶବ୍ଦ ମନୁଷ୍ଯ ଓ ଵସ୍ତୁକୁ ଲକ୍ଷ୍ଯକରି କିମ୍ବା ‛ଏହି ଲୋକ’, ‛ଏହି ଵସ୍ତୁ’ ଏପରି ଵ୍ଯଵହୃତ ହୋଇଥାଏ ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଇଏ ଭଳି “ୟେ” ବୋଲି ଏକ ସର୍ଵନାମ ଶବ୍ଦ ମଧ୍ୟ ପ୍ରଚଳିତ ଥିଲା । ହିନ୍ଦୀଭାଷୀ ମଧ୍ୟ ୟେ କୁହନ୍ତି କିନ୍ତୁ ୟହ ଲେଖନ୍ତି । ଆଗେ ଉତ୍ତର ଭାରତରେ यहु ଶବ୍ଦ ଚଳୁଥିଲା । ଏହାର ମୂଳ ‘ଏହୁ’/‘ଏହ’ ବୋଲି କେତେକ ଅନଲାଇନ ହିନ୍ଦୀ ଅଭିଧାନର ଉଲ୍ଲେଖରୁ ଜଣାଯାଏ ।
ପ୍ରାଚୀନ ଓଡ଼ିଆ ଭାଷାରେ ମଧ୍ୟ ‛ଏହୁ’ ଶବ୍ଦଟି ଏକ ଦେଶଜ ସର୍ଵନାମ ଭାଵେ ଆଜକୁ ପ୍ରାୟ ପଞ୍ଚଶତ ଵର୍ଷ ପୂର୍ଵେ ଵ୍ଯଵହାର ହେଉଥିଵାର ପ୍ରମାଣ ଵିଭିନ୍ନ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମିଳିଯାଉଥିଵାରୁ ସ୍ପଷ୍ଟ ହୁଏ ।
ଯଥା—
ତୋତେ ମୁଁ ଦେବି ଏହୁ ବର;
ବ୍ରହ୍ମା ଇନ୍ଦ୍ରଙ୍କୁ ଅଗୋଚର।
( ଜଗନ୍ନାଥ. ଭାଗବତ)
ତେବେ ଓଡ଼ିଆ ଭାଷାରେ ‘ଏହୁଁ’ ବୋଲି ଆଉ ଏକ ଦେଶଜ ସର୍ଵନାମ ମଧ୍ୟ ରହିଛି ଯାହା ‛ଏଥିରୁ’ /‛ଏଥୁ’
ଅର୍ଥରେ ଵ୍ଯଵହୃତ ହୋଇଥାଏ ।
ହିନ୍ଦୀର ‛ये’ ,‛यह’ ,‘यहु’ ତଥା ଓଡ଼ିଆ ଭାଷାର ଏହୁ,ଏହା,ଏହି ଇତ୍ୟାଦି ଶବ୍ଦ ସଂସ୍କୃତର ‘ଏଷଃ’ ଓ ପ୍ରାକୃତର ‘ଏଷୋ’ ସହିତ ସମଦ୍ଧୃତ ଅଟେ ଏଵଂ ଏଷଃ ହେଉଛି ଏତଦ୍ ଶବ୍ଦର ପୁଂଲିଙ୍ଗ ଏକଵଚନ ରୂପ । ଅର୍ଥାତ୍ ଇଦମ୍, ଏତଦ୍ ଓ ଏଷଃ ମଧ୍ୟ ପରସ୍ପର ସମଦ୍ଧୃତ ଅଟେ ତେଣୁ ଏହା,ଏଇ,ଇଏ,ଏହି,ଇ ଓ ଏ ଇତ୍ୟାଦି ଏ ସମସ୍ତ ଏକ ମୂଳର ଅଟନ୍ତି ।
No comments:
Post a Comment