ଓଡ଼ିଶାର କେତେକ ଅଞ୍ଚଳରେ ମାଙ୍କଡ଼ ଅର୍ଥରେ ଖଙ୍କା ଶବ୍ଦ ଵ୍ଯଵହାର ହେଉଥିଵା ଦୃଷ୍ଟିଗୋଚର ହୋଇଥାଏ ।
ଅଧିକାଂଶ ଓଡ଼ିଆ ଅଭିଧାନରେ ମାଙ୍କଡ଼ ଅର୍ଥରେ ଏ ଶବ୍ଦ ଉଣ୍ଡିଲେ ମିଳେ ନାହିଁ ଯେହେତୁ ଏହାର ଵ୍ଯଵହାର ସୀମିତ ଅଞ୍ଚଳରେ ହୋଇଥାଏ ।
କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖଙ୍କା' ବୋଲି ଏକ ଶବ୍ଦ ନିଶ୍ଚୟ ରହିଛି । ଅଭିଧାନକାର ଏହି ଖଙ୍କା ଶବ୍ଦଟି ସଂସ୍କୃତ କଙ୍କ ଓ କଙ୍କାଳ ସହିତ ସମଦ୍ଧୃତ ହୋଇଥାଇପାରେ ବୋଲି ଉଲ୍ଲେଖ କରିଅଛନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖଙ୍କା ଶବ୍ଦର ନିମ୍ନଲିଖିତ ଅର୍ଥଗୁଡ଼ିକ ଉଲ୍ଲେଖ କରାଯାଇଛି ।
୧)ଭୋକିଲା
୨)ଶୂନ୍ୟ
୩) ତୁଚ୍ଛା
୪)ଫମ୍ଫା
୫)ଅର୍ଥଶୂନ୍ୟ; ଧନହୀନ
ଏ ଶବ୍ଦର ଅନ୍ଯରୂପ ଖାଙ୍କା ଅଟେ । ଏହି ଖାଙ୍କା ଶବ୍ଦ ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୯୬୮ତମ ପୃଷ୍ଠାରେ ସ୍ଥାନିତ ହୋଇଅଛି । ଅଭିଧାନକାର ଖାଙ୍କା ଶବ୍ଦକୁ ସଂସ୍କୃତର ଶୁଷ୍କ/ତୁଚ୍ଛ ଓ ପ୍ରାକୃତ ଛୁଛ(ଚୁଛା―ଓ) ଶବ୍ଦ ସହିତ ସମଦ୍ଧୃତ ବୋଲି ଉଲ୍ଲେଖ କରିଅଛନ୍ତି ।
ଖାଙ୍କା ଶବ୍ଦ
ଶୂନ୍ୟ,ପୋଲା,ତୁଚ୍ଛା,ଖାଲି,ଉପବାସକ୍ଳିଷ୍ଟ ଓ ନିର୍ଦ୍ଧନ ଅର୍ଥରେ ଵ୍ଯଵହାର ହୋଇଥାଏ ।
ଓଡ଼ିଆ ଭାଷାରେ ଖାଙ୍କ୍ ବୋଲି ଅନ୍ୟ ଏକଶବ୍ଦ ମଧ୍ୟ ପ୍ରଚଳିତ ଯାହା ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ହୋଇଥାଏ ...
୧)ଖାଲି ଵା ତୁଚ୍ଛ ହେବା ଅବସ୍ଥା
୨)ଅନଟନ; ନଅଣ୍ଟ; ଅଭାଵ
୩)ଫାଙ୍କ; ଖାଲିଜାଗା
ହିନ୍ଦୀରେ ମଧ୍ୟ ଫମ୍ପା ଅର୍ଥରେ ଖୋଖଲା ଶବ୍ଦ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ଖୋଖଲା ଓ ଖାଙ୍କ୍, ଖଙ୍କା ତଥା ଖାଙ୍କା ଇତ୍ୟାଦି ଏକ ମୂଳର ହୋଇଥିଵ ।
ଅଭିଧାନକାର ଶ୍ରୀପ୍ରହରାଜ ଖଙ୍କା ଓ ଖାଙ୍କା ଶବ୍ଦର ଭିନ୍ନ ଭିନ୍ନ ମୂଳ ଉଲ୍ଲେଖ କରିଯାଇଛନ୍ତି । ତେଵେ ଏ ଉଭୟ ଶବ୍ଦର ଅର୍ଥଗତ ଓ ସ୍ଵରୂପଗତ ସାମ୍ଯରୁ ଵିଚାର ଜନ୍ମେ ଯେ ସମ୍ଭଵତଃ ଖଙ୍କା ଓ ଖାଙ୍କା ଉଭୟ ଶବ୍ଦର ମୂଳ ଶୁଷ୍କ ହୋଇଥିଵା ଅଧିକ ସମ୍ଭଵ । ଶୁଷ୍କ ଶବ୍ଦରେ ଦୁଇଗୋଟି ଶ,ଷ ରହିଛି ଏଵଂ ଓଡ଼ିଆ ଭାଷାରେ ଶ ଓ ଷ ସ୍ଵାଭାଵିକତଃ ଖ,ଛ,ଚ ଓ ସ ରେ ପରିଵୃତ୍ତ ହୋଇଥାଏ । ସେଇଥିପାଇଁ ଗୋଟାଏ ପଟେ ଶୁଷ୍କ ଶବ୍ଦ ଖଙ୍କା ଓ ଖାଙ୍କା ହୋଇଥିଵା ଵେଳେ ଅନ୍ୟତ୍ର ତାହା ଚୁଛା,ତୁଚ୍ଛା,ଛୁଚା ଇତ୍ୟାଦି ହୋଇଅଛି ୍
ତେଵେ ମାଙ୍କଡ଼ ଅର୍ଥରେ ଵ୍ୟଵହୃତ ଖଙ୍କା ଶବ୍ଦ ନିଶ୍ଚିତ ଭିନ୍ନ ମୂଳର ଅଟେ । ଏହା ଏକ ଧ୍ଵନ୍ଯାନୁକରଣ ଶବ୍ଦ ହୋଇଥିଵା ସମ୍ଭଵ । କାରଣ ହନୁମାଙ୍କଡ଼ କାହାକୁ ଦାନ୍ତ ଗେଛେଲି ଡରେଇଵା ଵେଳେ ଖେଁ ଖେଁ ଶବ୍ଦ କରେ ।
ଓଡ଼ିଆ ଭାଷାରେ ଏଇ ଧ୍ଵନ୍ଯାନୁକରଣ ଆଧାରରେ “ଖାଙ୍କିଵା”,“ଖେଙ୍କିଵା”ଓ “ଖିଙ୍କିଵା” ଇତ୍ୟାଦି କ୍ରିୟାଶବ୍ଦ ସୃଷ୍ଟି ହୋଇଅଛି । ମାଙ୍କଡ଼ ପରି ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା”,“ଖେଙ୍କିଵା” ଵା “ଖିଙ୍କିଵା” କୁହାଯାଇଥାଏ ।
No comments:
Post a Comment