ଆଜିକାଲି ବହୁତ ଲୋକ “ମୋ ମୁଣ୍ଡ ଟିଣ ହେଇଯାଉଛି” ବୋଲି ଲେଖୁଛନ୍ତି, କହୁଛନ୍ତି ! କିନ୍ତୁ ବହୁତ ଲୋକ ଏଇ "ମୁଣ୍ଡ ଟିଣ" ଶବ୍ଦ ଵିଷୟରେ ଜାଣିନଥିଵେ ।
ଓଡ଼ିଆରେ ସାଧାରଣତଃ Tin ଧାତୁକୁ ଟିଣ କୁହାଯାଏ ଯାହା ଏକ ଵୈଦେଶିକ ଶବ୍ଦ ଅଟଇ । କିନ୍ତୁ ଏଇ ଟିଣ ସହିତ ମୁଣ୍ଡ ଟିଣ ଶବ୍ଦର କୌଣସି ସମଦ୍ଧୃତଗତ ସମ୍ବନ୍ଧ ଥିଵା ଦୃଶ୍ଯ ହେଉନାହିଁ ।
ଏଥିରୁ ସ୍ପଷ୍ଟ ହୁଏ ଯେ “ମୁଣ୍ଡ ଟିଣ ହୋଇଯିଵା”ରେ ଯେଉଁ ଟିଣ ଶବ୍ଦ ରହିଛି ତାହାର tin ଧାତୁ ସହିତ କୌଣସି ସମ୍ପର୍କ ନାହିଁ ଵରଂ ଏହା ଭିନ୍ନ ମୂଳର ଶବ୍ଦଟିଏ ।
ତାହେଲେ ଏହି "ମୁଣ୍ଡଟିଣ"ର ଟିଣ ଶବ୍ଦଟି କାହୁଁ ଅଇଲା ?
ପ୍ରକୃତରେ ଟିଣ ଶବ୍ଦଟି ଓଡ଼ିଆ ଭାଷାର ନିଜସ୍ୱ ଶବ୍ଦଟିଏ । ବହୁତ ଲୋକ ଏ ଶବ୍ଦଟିକୁ ଭଲରେ ଜାଣିନଥିଵାରୁ ଏହାକୁ ନେଇ ନାନା ଭ୍ରମ ପାଳିଛନ୍ତି । କିଏ କହୁଛି ଏ ଶବ୍ଦଟି ଇଂରାଜୀ ଟେନସନ୍'ର ଗ୍ରାମ୍ଯରୂପ ତ ଆଉ କେ କହୁଛି ଏ ଶବ୍ଦ ଆମକୁ ଭଲ ଲାଗେନି କାରଣ ଆମେ କୁଆଡେ଼ ବଡ଼ ସଭ୍ଯ ଲୋକ 😀
ତେଵେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୧୫୭ତମ ପୃଷ୍ଠାରେ ଟିଣା ବୋଲି ଗୋଟିଏ ଦେଶଜ ଵିଶେଷଣ ଶବ୍ଦର ଉଲ୍ଲେଖ ମିଳେ ଯାହାର ନିମ୍ନଲିଖିତ ଅର୍ଥ ରହିଛି
(ଵିଣ)
୧)ଟିକିଏ କଥାରେ ରାଗିଯାଉଥିଵା ରୋଗୀ
୨)ଚିଡ଼ଲ;ଯେ ଅଳ୍ପ କଥାରେ ଚିଡ଼ିଯାଏ
୩)ଟିଣା କଥା;ଯେଉଁ କଥା ଶୁଣିଲେ ଲୋକ ଚିଡ଼ି ଉଠେ
(ଵି)
୧)ଏକ ଜାତୀୟ ଘାସଗଛ
(ଟିଣା ଟାଙ୍ଗଣା, ଲେମ୍ବୁ ରସ,
ଆକୁ ନେଇ ବେଗେ ଯାଦୁରେ ଘଷ)
୨)ଟିଣ ତିଆରି ଡିବିରୀ
ଟିଣା ଶବ୍ଦଟି ଗୋଟାଏ ଵିଶେଷଣ ଶବ୍ଦ ହୋଇଥିଵା ହେତୁ ଏହାର ଵିଶେଷ୍ଯ ରୂପ ଟିଣ ହେଵା ସମ୍ଭଵ । ଟିଣ+ ଥିଵା ଅର୍ଥେ ଆ = ଟିଣା ।
ତେଣୁ ଏଠାରେ ଟିଣ ଶବ୍ଦର ଅର୍ଥ କ୍ରୋଧ,ରାଗ ଅନୁମାନ କରାଯାଇପାରେ ।
ତେଵେ କେଵଳ ଏମନ୍ତ କହିଦେଲେ ତ ହେଵନାହିଁ ଦେଶଜ ଟିଣ ଶବ୍ଦର ମୂଳ ନଜାଣିଵା ଯାଏଁ ଏଭଳି
ଯୁକ୍ତି ସାର୍ଥକ ହେଉନାହିଁ ।
ତାହେଲେ ଟିଣା ଓ ଟିଣ ଶବ୍ଦର ମୂଳ କଣ୍ ହୋଇଥିଵ ?
ଏଇ ଶବ୍ଦଟି ବହୁତ ସମ୍ଭଵ ତୁଙ୍ଗ ହୋଇଥାଇପାରେ ।
ତତ୍ସମ ତୁଙ୍ଗ ଶବ୍ଦଟି ମଧ୍ଯ ଏକ ଵିଶେଷଣ ଶବ୍ଦ ଏଵଂ ଏହା ସାଧାରଣତଃ ଉଗ୍ର,ଉଚ୍ଚ,ଉନ୍ନତ,ଡେଙ୍ଗା, ପ୍ରଧାନ, ଶ୍ରେଷ୍ଠ,ମହାକାୟ ଓ ଉକ୍ତୃଷ୍ଟ ଇତ୍ୟାଦି ଅର୍ଥରେ ଵ୍ଯଵହୃତ ହୋଇଥାଏ ।
କିନ୍ତୁ ଏଠାରେ ଉଗ୍ର ଅର୍ଥଜ ଵିଶେଷଣ ତୁଙ୍ଗ ଶବ୍ଦଟା ଟିଣ ଓ ଟିଣା କେମିତି ହେଵ ?
ପରିଵୃତ୍ତି ନିୟମାନୁସାରେ ଏହା ସମ୍ଭଵ । ଆମ ଭାଷାରେ ଆମେ ଚିଡ଼ଲ ଲୋକଙ୍କୁ
●ଟିଙ୍ଗା
●ଟିଙ୍ଗ୍ଟିଙ୍ଗା
●ଟିଙ୍ଗ୍ଟିଙ୍ଗେଈ
●ଟିଙ୍ଗିଶୂଳା
ଇତ୍ୟାଦି କହିଥାଉ । ପ୍ରୋକ୍ତ ସମସ୍ତ ଶବ୍ଦ ମଧ୍ୟ ତୁଙ୍ଗ ସହିତ ସମଦ୍ଧୃତ ଏଵଂ ଉଗ୍ର ଅର୍ଥକୁ ପ୍ରାଧାନ୍ୟ ଦେଇ ସୃଷ୍ଟ ହୋଇଅଛି ।
ସେହିପରି ତୁଙ୍ଗ ଶବ୍ଦର ଵିଭିନ୍ନ ଅର୍ଥ ଆଧାରରେ ଓଡ଼ିଆ ଭାଷାରେ ଟଙ୍ଗ(ସର୍ଵୋଚ୍ଚ),ଟଙ୍ଗା(ଉଚ୍ଚରେ ଟାଙ୍ଗିଵା),ଟଙ୍ଗିବା,ଟିଙ୍ଗେଇବା,ଟାଙ୍ଗି,ଟାଙ୍ଗର,ଟାଙ୍ଗିବା,ଟେଙ୍ଗେଇଵା,ଟୁଙ୍ଗ ,ଟୁଙ୍ଗି(ଉଚ୍ଚ ଗୃହ ଵିଶେଷ), ଡିଙ୍ଗର ଓ ଡେଙ୍ଗା ଆଦି ଅନେକ ଶବ୍ଦ ସୃଷ୍ଟି ହୋଇଅଛି ।
ତଥାପି ତୁଙ୍ଗରୁ ଟିଙ୍ଗା ହେଵା ସମ୍ଭଵ କିନ୍ତୁ ତୁଙ୍ଗରୁ ଟିଣ ଓ ଟିଣା କେମିତି ହୋଇପାରେ ?
ତୁଙ୍ଗ ଓ ଟିଙ୍ଗା ଶବ୍ଦରେ ଯେଉଁ ‘ଙ୍ଗ’ ଯୁକ୍ତାକ୍ଷର ରହିଛି ତହିଁରେ ଗୋଟାଏ ଆନୁନାସିକ ଵର୍ଣ୍ଣ ଅଛି ‘ଙ’ ।
ଯେଉଁ ଵର୍ଣ୍ଣଗୁଡ଼ିକର ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆଯାଏ ସେଗୁଡ଼ିକୁ ଅନୁନାସିକ ଵର୍ଣ୍ଣ କୁହାଯାଏ ।
ଆମ ଭାଷାରେ ଅନୁନାସିକ ଵର୍ଣ୍ଣଗୁଡି଼କ ହେଉଛି
◆ଙ
◆ଞ
◆ଣ
◆ନ
◆ମ
● ଂ
● ଁ)
ଅନୁନାସିକ ଵର୍ଣ୍ଣଗୁଡି଼କ ପରସ୍ପର ପରିଵୃ୍ତ୍ତ ହୋଇପାରନ୍ତି । ସେଇଥିପାଇଁ କିମ୍ ଶବ୍ଦ ସହିତ କିଅଣ ଓ କ'ଣ ଇତ୍ୟାଦି ଶବ୍ଦ ସମଦ୍ଧୃତ ବୋଲି ଭାଷାଵିଦ ମତପୋଷଣ କରିଥାଆନ୍ତି । ଏଇଭଳି ଆହୁରି ଅନେକ ଉଦାହରଣ ରହିଛି । ଯେମିତିକି ହନୁମାଙ୍କଡ଼ଙ୍କୁ ଢେଙ୍କାନାଳର କେତେକ ଅଞ୍ଚଳରେ ଆଣୁ କୁହାଯାଏ ଏଵଂ ଏ ଶବ୍ଦଟି ହନୁ ଶବ୍ଦରୁ ଆନୁନାସିକ ପରିଵୃ୍ତ୍ତି ଘଟି ସୃଷ୍ଟି ହୋଇଅଛି । ତୁଙ୍ଗ,ଟିଙ୍ଗା ଶବ୍ଦରେ ଥିଵା ଙ୍ ଵର୍ଣ୍ଣ ବି ଏଠି ଅନୁନାସିକ ପରିଵୃ୍ତ୍ତି ଆଧାରରେ 'ଣ' ପରିଣତ ହେଵା ସମ୍ଭଵ ।
ତେଣୁ ଓଡ଼ିଶାରେ tin ଧାତୁ ସହିତ ଲୋକଙ୍କ ପରିଚୟ ହେଵା ଆଗରୁ ଟିଣ ଶବ୍ଦର ଵ୍ଯଵହାର ଚଳୁଥିଲା କିନ୍ତୁ ଏ ଧାତୁ ପାଇଁ ଟିଣ ଶବ୍ଦଟି ମାନକ ଭାଷାରେ ପ୍ରୟୋଗ ହେଲାପରେ ଓଡ଼ିଆ ଟିଣ ଶବ୍ଦଟି କଥିତ ଭାଷାରେ ସୀମିତ ରହିଗଲା ।
No comments:
Post a Comment