ହିନ୍ଦୀରେ ଅବୁଝା,ମୂର୍ଖ ଅର୍ଥରେ ନାଦାନ୍ ଶବ୍ଦ ଵ୍ଯଵହୃତ ହୁଏ । ଅବୁଝା ଅର୍ଥରେ ଏ ଶବ୍ଦର ଵିଶେଷ ଵ୍ଯଵହାର ରହିଛି । ଏ ଶବ୍ଦ ମୂଳତଃ ଏକ ପାର୍ସୀ ଶବ୍ଦ نادان
ର ହିନ୍ଦୀ ଧାରକରଣ ଅଟେ ।
“କବୀର ମାରୀ ଅଲ୍ଲାହ କୀ ତାକୋ କହତ ହରାମ୍ । ହଲାଲ କହୈ ଅପନୀ ମାରୀ ଯହ ନାଦାନ କଲାମ୍ ।।”
(କବୀର)
ଏହି ନାଦାନ୍ ଶବ୍ଦଟି ଦୁଇଗୋଟି (نا + دان ) ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି ।
ଏଠାରେ (نا;ନା) = No ଵା ନାହିଁ, ନୁହେଁ, ନ ଇତ୍ୟାଦି
ଆଉ ( دان ;ଦାନ ) ମାନେ ଜାଣିଵା ,ବହୁତ ଜାଣିଥିଵା,ବହେ ପାଠ ପଢି଼ଥିଵା । ପାର୍ସୀ ( دان ;ଦାନ ) ଶବ୍ଦଟି : دونستن (dunestan)
କ୍ରିୟାଶବ୍ଦର ବର୍ତ୍ତମାନକାଳ କ୍ଷୁଦ୍ରରୂପ ଅଟେ । ଦନେସ୍ଥାନ୍ ର ଅର୍ଥ ଜାଣିଵା ଏଵଂ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *ȷ́ānáHti, ତଥା ପ୍ରାକ୍ ଭାରୋପୀୟ ରୂପ *ǵn̥néh₃ti ଅଟେ।
ଅର୍ଥାତ୍ ଓଡ଼ିଆ ଜାଣିଵା,ଇଂରାଜୀ notion ଓ know ,ଲିଥୁଆନୀ
žinoti, ଗ୍ରୀକ୍ γνῶσις (gnôsis) ଓ ସଂସ୍କୃତର ଜ୍ଞାନ ତଥା ଜ୍ଞାତ ଇତ୍ୟାଦି ଶବ୍ଦ ପାର୍ସୀ : دونستن (dunestan) ସହିତ ସମଦ୍ଧୃତ ।
ତେଵେ ମନରେ ସ୍ଵତଃ ପ୍ରଶ୍ନ ଆସେ ଯେ ଏହି ପାର୍ସୀ ଶବ୍ଦ(ନାଦାନ୍) ଟି ଓଡ଼ିଆ ଭାଷାରେ କାହିଁକି ଏତେ ଚଳିଲାନି କିନ୍ତୁ ହିନ୍ଦୀରେ ବହୁପ୍ରଚଳିତ ହେଲା ?
କାରଣ ଆମ କଥିତ ଭାଷାରେ ମୂର୍ଖ ଅର୍ଥରେ ଏତେ ଶବ୍ଦ ଶବ୍ଦ ଅଛି ଯେ କେଵେ ବାହାର ଭାଷାର ଶବ୍ଦ ଆଵଶ୍ଯକ ହୋଇନାହିଁ ।
ତେଵେ ପଶ୍ଚିମ ଓଡ଼ିଶା ଵିଶେଷତଃ ଦେଓଗଡ଼ରେ ଗରିଵ ଵା ଦରିଦ୍ର ଅର୍ଥରେ ନାଦାନ୍ ବୋଲି ଏକ ଶବ୍ଦ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗରିଵ ଅର୍ଥରେ ଵ୍ଯଵହୃତ ନାଦାନ ଶବ୍ଦର ମୂଳ ଏକ ପାର୍ସୀ ଶବ୍ଦ ନାଦାର୍ ବୋଲି ଉଲ୍ଲେଖ ରହିଛି ପୁଣି ନାତୁଆନ୍ ବୋଲି ଅନ୍ୟ ଏକ ପାର୍ସୀ ଶବ୍ଦ ରହିଛି ଯାହା “ଧନ ଦେଵାକୁ ଅସମର୍ଥ ଵ୍ୟକ୍ତି” ଵିଶେଷଙ୍କ ପ୍ରତି ପ୍ରୟୋଗ ହୁଏ । ମତାନ୍ତରେ ନାଦାନ = ନାଇଁ ଦେଇପାରେ ଦାନ ଯିଏ ସେ ନାଦାନ = ଦରିଦ୍ର । ଏ ଦୃଷ୍ଟିରୁ ଦେଖିଲେ ଓଡ଼ିଆ ଦେଶଜ ନାଦାନ ଶବ୍ଦଟି ଵୈଦେଶିକ ଶବ୍ଦ ହୋଇନଥିଵା ହୃଦବୋଧ ହୋଇଥାଏ ।
ସମ୍ଭଵତଃ ଓଡ଼ିଶାରେ ପୂର୍ଵେ ନାଦାନ ଶବ୍ଦଟି ଦରିଦ୍ର ଅର୍ଥରେ ଵ୍ଯଵହୃତ ହେଉଥିଵା ହେତୁ ଅଜ୍ଞ,ଅବୁଝା ଅର୍ଥରେ ଵ୍ଯଵହୃତ ପାର୍ସୀ ନାଦାନ୍ ଶବ୍ଦଟି ଓଡ଼ିଶାରେ ଚଳିପାରିନାହିଁ ...
No comments:
Post a Comment